ମୋଦୀରାଜରେ ଗଣତନ୍ତ୍ର ଏକ ସର୍କସ !!
ମଣିପୁର ବିଷୟରେ ପ୍ରଶ୍ନ ହେଲେ ଆପଣ ଫ୍ରାନ୍ସ ର କଥା କୁହନ୍ତୁ ।
ମଣିପୁର ହତ୍ୟା, ରକ୍ତପାତ ଓ ନିଆଁ ଲଗା ଦୃଶ୍ୟ ବଦଳରେ ଆପଣ ଫ୍ରାନ୍ସର ରକ୍ତ ଓ ନିଆଁ ଦେଖନ୍ତୁ ।
ଟମାଟୋ କିଲୋ ୧୨୦ ଟଙ୍କା ବୋଲି ଚିତ୍କାର କରନ୍ତୁ ନାଇଁ, ଭାବନ୍ତୁ ପାକିସ୍ତାନରେ ଏହାର ଦାମ ଆହୁରି ଅଧିକ ।
ପ୍ରଧାନମନ୍ତ୍ରୀ ଅଧିକରୁ ଅଧିକ ନିର୍ବାଚନୀ ସଭାରେ ଭାଷଣ ଦେଇ ମଣିପୁର କଥା କାହିଁକି କହୁନାହାନ୍ତି ବୋଲି ଭାବନ୍ତୁ ନାଇଁ, ସେ ଏବେ ବିଶ୍ଵଗୁରୁ ହେବା ରାସ୍ତାରେ । ତାଙ୍କ ପାଖରେ ମଣିପୁର ଲାଗି ସମୟ ନାଇଁ ।
ଆପଣମାନେ ପ୍ରଧାନମନ୍ତ୍ରୀ ଓ ସରକାରକୁ ପ୍ରଶ୍ନ ପଚାରନ୍ତୁ ନାହିଁ । ଦେଶ ବିଷୟରେ ପ୍ରଶ୍ନ ପଚାରିବାର ଅଛି ତ ରାହୁଲ ଗାନ୍ଧୀଙ୍କୁ ପଚାରନ୍ତୁ । କଂଗ୍ରେସ ଦଳକୁ ପଚାରନ୍ତୁ । ପଣ୍ଡିତ ଜୱାହରଲାଲ ନେହେରୁଙ୍କୁ ପଚାରନ୍ତୁ । ସତୁରୀ ବର୍ଷର ଶାସକମାନଙ୍କୁ ପଚାରନ୍ତୁ । ମୋଦୀ ମାତ୍ର ନ' ବର୍ଷର ପ୍ରଧାନମନ୍ତ୍ରୀ । ସେ ସତୁରୀ ବର୍ଷ ଶାସନ କଲା ପରେ ଯାଇ ପ୍ରଶ୍ନର ଉତ୍ତର ଦେବେ ।
ଆପଣଙ୍କ ପ୍ରଶ୍ନର ଉତ୍ତର ଦେବାକୁ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହୋଇନାହାନ୍ତି । ସେ ଚା ବିକାଳୀରୁ ପ୍ରଧାନମନ୍ତ୍ରୀ ହୋଇଛନ୍ତି ବିଶ୍ଵଗୁରୁ ହେବା ପାଇଁ । ଦେଶ ବିଦେଶରେ ତାଙ୍କର ଡଙ୍କା ବାଜୁଛି !! ଦେଖୁନାହାନ୍ତି, ବିଦେଶରେ ଡଲାର କମାଇ ପେଟ ବଢାଇଥିବା ପ୍ରବାସୀ ଭାରତୀୟ କେମିତି ମୋଦୀ ମୋଦୀ କହି ପାଗଳ ହୋଇଯାଉଛନ୍ତି ।
ପ୍ରଶ୍ନର ଉତ୍ତର ଦେବା ପ୍ରଧାନମନ୍ତ୍ରୀଙ୍କ କାମ ନୁହେଁ । ପ୍ରଶ୍ନର ଉତ୍ତର ଦେବାକୁ ହେଲେ କେତେ ଗ୍ଳାସ ପାଣି ପିଇବାକୁ ହୁଏ, ସେକଥା ଆପଣ ମାନେ ଜାଣନ୍ତି ନାଇଁ !! ପ୍ରଧାନମନ୍ତ୍ରୀ ଉତ୍ତର ଦେବାକୁ ପାଣି ପିଇବା କଣ ଆପଣଙ୍କ ଆଖିକୁ ଭଲ ଦିଶୁଛି । ସେ ମନର କଥା କହୁଛନ୍ତି, ତାକୁ ଶୁଣନ୍ତୁ ।
ସେ ଗଣତନ୍ତ୍ରର ଜନନୀର ପ୍ରଧାନମନ୍ତ୍ରୀ । ସେ କେବଳ କହିବେ, ଆପଣମାନେ ଶୁଣିବେ।
ମଦର ଅଫ ଡେମିକ୍ରାସି ମାନେ ସବୁ ଏକପାଖିଆ । ମଦର ଅଫ ଡେମୋକ୍ରାସିରେ ପ୍ରଧାନମନ୍ତ୍ରୀ ରାଜା ଓ ନାଗରିକମାନେ ପ୍ରଜା । ସେ ପ୍ରଜାପାଳକ ଅବତାରୀ ପୁରୁଷ । ତାଙ୍କର ଭୁଲ ବୋଲି କିଛି ନାଇଁ । ସବୁ ଭୁଲ ଏହା ପୂର୍ବରୁ ଥିବା ଶାସକମାନଙ୍କର । ସବୁଠୁ ବଡ ଭୁଲ ନେହେରୁଙ୍କର । ସେ କାହିଁକି ଗୋଟେ ସମ୍ବିଧାନ ରଖିଦେଇ ଗଲେ, ଯେଉଁଠି ସମସ୍ତଙ୍କ ଅଧିକାର ସମାନ ବୋଲି କୁହାଗଲା ? ନେହେରୁ ଏ ଦେଶକୁ ଏକ ଗଣତାନ୍ତ୍ରିକ-ଧର୍ମନିରପେକ୍ଷ ଦେଶ କାହିଁକି କଲେ? ସେ ହିନ୍ଦୁ ରାଷ୍ଟ୍ର କରି ଦେଇଥିଲେ ଆଜି ସବୁ ଠିକ ହୋଇଥାନ୍ତା !!
ନରେନ୍ଦ୍ର ମୋଦୀଙ୍କ ସବୁ ଅପାରଗତା, ବିଫଳତା ଓ ଅକର୍ମଣ୍ୟତା ଲାଗି କେବଳ ନେହେରୁ ଦାୟୀ !!
ମଣିପୁରରେ ବିଜେପି ସରକାର ଓ କେନ୍ଦ୍ରରେ ବିଜେପି ସରକାର- ହେଲେ ମଣିପୁର ସଙ୍କଟ ଲାଗି କଂଗ୍ରେସ ଦାୟୀ ।
ଟମାଟୋ ନ ଖାଇଲେ କଣ ଆପଣମାନେ ମରିଯିବେ ? କଂଗ୍ରେସ କଥାରେ ଟମାଟୋ ଖାଉଛନ୍ତି ଆପଣମାନେ । ପ୍ଳିଜ, ପ୍ରଧାନମନ୍ତ୍ରୀଙ୍କୁ ଟମାଟୋ ଖାଇଲା ବେଳେ ମନେ ପକାନ୍ତୁ ନାଇଁ ।
ନରେନ୍ଦ୍ର ମୋଦୀଙ୍କର ଗୁଜରାଟ ମଡେଲ ଦେଖନ୍ତୁ । ସେଠି ଅସରାଏ ବର୍ଷାରେ ନୂଆ ବ୍ରିଜ ଭାଙ୍ଗି ପଡୁଛି । ବର୍ଷେ ତଳେ ତିଆରି ହୋଇଥିବା ରାସ୍ତା ଧୋଇ ହୋଇଯାଉଛି । ସେଠି ପୋଲ ଭାଙ୍ଗି ଶହ ଶହ ଲୋକ ମରିଗଲେ ବି ଲୋକେ ମୋଦୀଙ୍କୁ ଭଲପାଆନ୍ତି । ଗୁଜରାଟ ମଡେଲ ସେୟା । କେବଳ ଦୁଇଜଣ ଗୁଜରାଟୀ ରାଜନେତାଙ୍କର ସବୁ ଦୋଷକୁ ଘୋଡାଇ ଆପଣଙ୍କୁ ଚାଲିବାକୁ ପଡିବ !!
ଇଂରାଜୀରେ ଗୋଟେ କଥା ଅଛି- ଯେତେବେଳେ ଲୋକ ଖାଇବାକୁ ନପାଇ ବିଦ୍ରୋହ କରିବେ, ସେମାନଙ୍କୁ ସର୍କସ ଦେଖାଅ । ୮୦ କୋଟି ଲୋକ ସରକାରୀ ରାଶନ ଉପରେ ନିର୍ଭରଶୀଳ ବୋଲି ଖୋଦ ପ୍ରଧାନମନ୍ତ୍ରୀ କହୁଛନ୍ତି- ହେଲେ ଆପଣ ଦେଶକୁ ଗରୀବ ବୋଲି କହିପାରିବେ ନାଇଁ ।
ଅଦାନୀ ଧନୀ ହେଲେ ଭାରତ ଗରୀବ ହେବ କେମିତି?ନା, କଦାପି ନୁହେଁ । ଆଦାନୀ ଧନ କଣ ଆମର ନୁହେଁ!!
ବିଜେପି ଧନୀ ହେଲେ ଭାରତ ଧନୀ ହେବାକୁ ବାଧ୍ୟ !!
ମଣିପୁର ଓ ଟମାଟୋକୁ ନେଇ ନେଇ ପ୍ରଶ୍ନ କରନି ।
ଆମେ ଫ୍ରାନ୍ସ ତୁଳନାରେ ଭଲରେ ଅଛୁ । ଆମେ ପାକିସ୍ତାନକୁ ଚୁପ କରି ଦେଇଛୁ । ଆମେ ମଦର ଅଫ ଡେମୋକ୍ରାସି ।
ସବୁ କଥାରେ ସର୍କସ ଦେଖ ଓ ଆନନ୍ଦରେ କୁହ- ପ୍ରଧାନମନ୍ତ୍ରୀଙ୍କର ଜୟ !!