ଶୁଆ ରହସ୍ୟ
ଆଜି କିମ୍ପା ଅଚାନକ
ପଂଜୁରୀ ଖୋଲିଲୁ
ଜାଣିନୁ କି ବଣଭୁଆ ଉଭା ବାଡିପଟେ
ଦାଣ୍ଡରେ ବାଣୁଆ
ବନ୍ଦ ଯେ ଆକାଶର ଦ୍ୱାର
ରାସ୍ତା ଘାଟ କାଇଁ ଏ ପର୍ବତ ଶିଖରେ
ଶିଖେଇଲୁ କେବେ ଅଗ୍ନିମନ୍ତ୍ର
ଫୁଂକିଦେବି ନିଆଁ
ଡେଣା ଝାଡି ଡେଇଁଯିବି ଜଳନ୍ତା ସମୁଦ୍ର?
ଗଡୁଅଛି ନଦୀ ଏଠି ତତଲା ବାଲିରେ
ଗଦା ଗଦା ଝଡାପତ୍ର
ସୁଅ ଅପେକ୍ଷାରେ,
ଗୁଡକଂକ ତଳିପା ଖୋଜୁଛି
ଜୀବନ୍ତ କି ମୃତ
ମୁହଁ ମାଡି କୁମ୍ଭୀର ପଡିଛି।
କାନରେ କହିଲୁ
ଡେଇଁ ଆ’ ଗାର
ସୁବର୍ଣ୍ଣ ଚଢେଇ ମୋର
ଗଢିଛି ସୁନାର ପଂଜୁରୀ
ପରଷିବି ଦୁଧସର।
ବଣୁଆ ପକ୍ଷୀ ମୁଁ
ଯେତେ ତୁ ବାଢିଛୁ ମୋତେ
ଜୀବନର ସ୍ୱାଦ,
ରାଗ ଲଂକା
ଅବା ପିତା କଇଁଚି କାକୁଡି
ପରତେ ଯାଇଛି,
ବୁଝିନାହିଁ କପଟ କି କୂଟ
କ୍ଷୋଭ ଅବା ଅବସୋସ
ପରିସୀମା କାମ କ୍ରୋଧ ଲୋଭ ନଗରର।
ବଶ କଲୁ
ଅବଶ ବି କଲୁ
ତୋ ଇଚ୍ଛାରେ
ବାନ୍ଧିଲୁ ଖୋଲିଲୁ।
ପଂଜୁରୀ ଛାଡିଲେ କାଳେ ମୁଁ ଫଂପା ଚଢେଇ
ଆତ୍ମ ପରିଚୟ କିଏ ନେଇଛି ଚୋରେଇ
ପଡୁ ପଛେ ମୋ ଭାଗରେ କାକୁସ୍ଥ ଆକାଶ
ଅବା ଅଚେତ ପୃଥିବୀ,
ତୋ ପିଣ୍ଡା ଆଡ ଅସ୍ଥାୟୀ ଠିକଣା
ମୋ ଅନାମିତ ସଜ୍ଞା ଆଉ ଲୋଡାନାହିଁ,
ଓଲଟ ଗଛଟେ ଖୋଜି ବାନ୍ଧିବି ମୋ ବସା
ଡାଳେ ଡାଳେ ଫୁଟିବ
ସ୍ଥିତି ଲୟ ଓ ଭରସା।
ଓଲଟା ଦିଗରେ ତୂଣୀରରୁ ଶର
ବ୍ୟାଧ ବିଦ୍ଧ ହେବ
ମୃଗୁଣୀର ହୁଂକାରରେ କ୍ଷତାକ୍ତ ଅରଣ୍ୟ
ପୁନଃ ପଲ୍ଲବିବ।