ମହାରାଷ୍ଟ୍ର : ବିଜେପିର ସଫଳ ଘରଭଙ୍ଗା ଅଭିଯାନ

ମହାରାଷ୍ଟ୍ର : ବିଜେପିର ସଫଳ ଘରଭଙ୍ଗା ଅଭିଯାନ

ମହାରାଷ୍ଟ୍ର ରାଜନୀତିରେ ଦୀର୍ଘଦିନ ଧରି ଚର୍ଚ୍ଚା ଚାଲିଥିଲା ଯେ ଏନସିପି ନେତା ଅଜିତ ପାୱାର ବିଜେପି ସହିତ ହାତ ମିଳାଇ ସରକାରରେ ଯୋଗଦେବେ । ତାହା ଆଜି ସତ୍ୟରେ ପରିଣତ ହୋଇଛି । ଏନସିପିର ବରିଷ୍ଠ ନେତା ଅଜିତ ପାୱାର ଓ ଛଗନ ଭୁଜବଳଙ୍କ ସମେତ ନ’ ଜଣ ଏନସିପି ବିଧାୟକ ଏକନାଥ ସିନ୍ଧେ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଛନ୍ତି। ପୂର୍ବରୁ ଶିବସେନାକୁ ଖଣ୍ଡ ବିଖଣ୍ଡିତ କରିଥିବା ବିଜେପି ଆଜି ଶାରଦା ପାୱାରଙ୍କ ପରିବାରକୁ ଭାଙ୍ଗି ଦେଇଛି । ଆଜି ଏନସିପିର ଯେଉଁ ନ’ଜଣ ବିଧାୟକ ମନ୍ତ୍ରୀ ଭାବରେ ସାମିଲ ହୋଇଛନ୍ତି ସେମାନଙ୍କ ନାମରେ ପୂର୍ବରୁ ବିଭିନ୍ନ ଦୁର୍ନୀତି ଅଭିଯୋଗ ରହିଥିଲା । କଂଗ୍ରେସ-ଏନସିପି ମେଣ୍ଟ ସରକାର ସମୟରେ ଅଜିତ ପାୱାରଙ୍କୁ ଦେଶର ସବୁଠୁ ଦୁର୍ନୀତିଗ୍ରସ୍ତ ରାଜନେତା ବୋଲି ବିଜେପି ଅଭିଯୋଗ କରି ଆସୁଥିଲା । ସେହିପରି ଛଗନ ଭୁଜବଳ ଦୀର୍ଘଦିନ ଧରି ଦୁର୍ନୀତି ଅଭିଯୋଗରେ ଜେଲରେ ରହିଥିଲେ। ବିଜେପି ସରକାରରେ ଅଂଶୀଦାର ହେବା ପରେ ଏହି ନେତାମାନେ ଏବେ ନିର୍ମଳ ହୋଇଗଲେ ।

ମହାରାଷ୍ଟ୍ରରେ ଶିବସେନା ଏବଂ ଏନସିପିର ଏହି ବିଭାଜନ ପରେ ଦେଶର ରାଜନୈତିକ ପରିସ୍ଥିତି ଉପରେ ଏହାର କଣ ପ୍ରଭାବ ରହିବ, ତାହା ଉପରେ ସମସ୍ତଙ୍କ ନଜର ରହିବ । ସବୁ ବିରୋଧୀ ଦଳଙ୍କୁ ଏକାଠି କରିବାର ପ୍ରକ୍ରିୟାରେ ଶରଦ ପାୱାର ପ୍ରମୁଖ ଭୂମିକା ନେଉଥିବାରୁ ଏବେ ତାଙ୍କ ନେତୃତ୍ବକୁ ବିଜେପି ଖର୍ବ କରିବାର ଉଦ୍ୟମ କରିଛି । ମହାରାଷ୍ଟ୍ରରେ ଘରଭାଙ୍ଗି ତିଆରି ହୋଇଥିବା ଏକନାଥ ସିନ୍ଧେ ସରକାରର ସ୍ଥିତି ଯେ ବାସ୍ତବରେ କଣ ରହିବ, ତାହା ଆକଳନ କରିବା ମୁସ୍କିଲ ।

ଶିବସେନା ପରି ଏନସିପିର ବିଭାଜନ ଏକାଦିନରେ ବା ଗୋପନରେ ଘଟିନାହିଁ । ଅଜିତ ପାୱାର ଦୀର୍ଘଦିନରୁ ନିଜ ଅସନ୍ତୋଷ ଖୋଲାଖୋଲି ଜାହିର କରୁଥିଲେ ଓ ଏ ସମ୍ପର୍କରେ ଶରଦ ପାୱାର ବେଶ ସଚେତନ ଥିଲେ । ତା ସତ୍ତ୍ୱେ ସେ ଅଜିତ ପାୱାରଙ୍କୁ ନ ଅଟକାଇବାର କାରଣ ଆଉ ଏକ ରହସ୍ୟ ହୋଇ ରହିଛି । ଶରଦ ପାୱାର କଂଗ୍ରେସ ନେତୃତ୍ଵ ସହିତ ନ ରହନ୍ତୁ ବୋଲି ଅଜିତ ପାୱାର ଚାହୁଁଥିଲେ ବୋଲି ଏବେ ଏକ ଖବର ଶୁଣିବାକୁ ମିଳୁଛି । ତେବେ ଏନସିପି ସବୁବେଳେ କଂଗ୍ରେସର ସହଯୋଗୀ ଭାବରେ ରହି ଆସିଛି । କଂଗ୍ରେସ ଯେ ଏନସିପି ବିଭାଜନର ଏକ କାରଣ, ତାହା କେବଳ ରାଜନୈତିକ କଳ୍ପନା ମାତ୍ର

ଯେଉଁ ନେତାମାନଙ୍କ ଉପରେ ଦୁର୍ନୀତିର ଛାଇ ରହିଥିଲା ସେମାନଙ୍କୁ ଭୟ ଓ ଲୋଭ ଦେଖାଇ ବିଜେପି ନିଜ ପକ୍ଷକୁ ଆଣିଛି । ତେବେ ଏହାକୁ ମହାରାଷ୍ଟ୍ରର ଜନସାଧାରଣ କେମିତି ଗ୍ରହଣ କରୁଛନ୍ତି, ତାହା ଆଗାମୀ ସାଧାରଣ ନିର୍ବାଚନରେ ସ୍ପଷ୍ଟ ହୋଇଯିବ । ଉତ୍ତରପ୍ରଦେଶ ପରେ ମହାରାଷ୍ଟ୍ର ସର୍ବାଧିକ ୪୮ ଟି ଲୋକସଭା ସଦସ୍ୟ ନିର୍ବାଚିତ କରିଥାଏ । ଗତ ସାଧାରଣ ନିର୍ବାଚନରେ ବିଜେପି ଏବଂ ଶିବସେନା  ମେଣ୍ଟ ୪୧ ଆସନ ପାଇଥିଲେ। ଯାହାକି ବିଜେପି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏନସିପି ଓ ଶିବସେନାକୁ ଭାଙ୍ଗିଲା ପରେ ବିଜେପି ଆଗାମୀ ଦିନରେ ୨୦୧୯ର ସଫଳତା ଦୋହରାଇ ପାରିବ କି ?

ମହାରଷ୍ଟ୍ର ପରେ ବିଜେପି ବିହାର ଏବଂ ଝାଡଖଣ୍ଡରେ ମଧ୍ୟ ନିଜ ଅଭିଯାନ ତୀବ୍ର କରିବ । ଶରଦ ପାଵାରଙ୍କ ପରେ ନୀତିଶା କୁମାରଙ୍କ ଦଳକୁ ଭାଙ୍ଗିବା ପାଇଁ ବିଜେପି ପ୍ରବଳ ଉଦ୍ୟମ କରୁଛି । ରାଜନୈତିକ ବିରୋଧୀଙ୍କୁ ନୈତିକ ଭାବରେ ଦୁର୍ବଳ କରିବାକୁ ବିଜେପିର ଏହି ଉଦ୍ୟମରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଏଜେନ୍ସି ସହଯୋଗୀର ଭୂମିକା ନିର୍ବାହ କରୁଛନ୍ତି ।

ମହାରାଷ୍ଟ୍ରରେ ଅଜିତ ପାୱାରଙ୍କ ବିଶ୍ଵାସଘାତକତା ବିଜେପି ପାଇଁ ହୁଏତ ସାମୟିକ ଲାଭ ଦେଇପାରେ, ହେଲେ ଏହାର ଦୀର୍ଘସ୍ଥାୟୀ ପ୍ରଭାବ ବିଜେପିକୁ ୨୦୧୯ ନିର୍ବାଚନରେ ଭୋଗିବାକୁ ପଡିପାରେ ।