ପାକିସ୍ତାନ ରଙ୍ଗର ସ୍କୁଲ !!

ପାକିସ୍ତାନ ରଙ୍ଗର ସ୍କୁଲ !!

ଓଡିଶା ବିଧାନସଭାର ବିରୋଧୀଦଳ ନେତା ଗୋଟେ ନୂଆ ରଙ୍ଗର ଆବିଷ୍କାର କରିଛନ୍ତି – ପାକିସ୍ତାନ ରଙ୍ଗ । ଓଡିଶା ସରକାର ନିଜର ଫାଇଭ ଟି ଯୋଜନା ଆଧାରରେ ଯେଉଁ ସବୁ ସ୍କୁଲ ତିଆରି କରୁଛନ୍ତି ସେସବୁ ପାକିସ୍ତାନ ରଙ୍ଗର ସ୍କୁଲ ବୋଲି ଜୟ ନାରାୟଣ ମିଶ୍ର କହିଛନ୍ତି। ତେବେ ଏ ପାକିସ୍ତାନ ରଙ୍ଗଟି କଣ ? ପୃଥିବୀରେ ସବୁଥି ମୌଳିକ ଭାବରେ ସାତୋଟି ରଙ୍ଗ । ତାରି ଭିତରେ ସବୁଜ ମଧ୍ୟ ଏକ ରଙ୍ଗ । ତେବେ ଏସବୁ ରଙ୍ଗର ଦେହ ଅଛି ବୋଲି ଆମେ ନୂଆ ଜାଣିଲୁ । ରାଜନୈତିକ ବିରୋଧ ଯେ ମଣିଷର ମନକୁ ଏତେ ବିକୃତ କରିଦିଏ ତାର ଉଦାହରଣ ମଧ୍ୟ ପାଇଲୁ । ସରକାରକୁ ବିରୋଧ କରିବାର ସବୁ ଅଧିକାର ବିରୋଧୀ ଦଳ ନେତାଙ୍କର ଅଛି ଓ ସେ ତାହାକୁ ତୁଲାଇବା ଉଚିତ । ହେଲେ ସରକାର ବିରୋଧ କରିବାକୁ ଯାଇ ପୂରା ସବୁଜ ରଙ୍ଗକୁ ପାକିସ୍ତାନୀ ବୋଲି କହିବା କେବଳ ଏକ ହାଲୁକା ମନ୍ତବ୍ୟ ନୁହେଁ, ଏହା ପଛରେ ଘୃଣା ଓ ସାମ୍ପ୍ରଦାୟିକ ରାଜନୀତିର ଗୋଟେ ଜଘନ୍ୟ ଉଦ୍ଦେଶ୍ୟ ରହିଛି

ଉଦ୍ଦେଶ୍ୟମୂଳକ ଭାବରେ ବିଜେପି ନେତା ଜୟ ନାରାୟଣ ମିଶ୍ର ବିଜେଡି ପତାକାର ରଙ୍ଗ ସହିତ ପାକିସ୍ତାନ ଓ ଇସ୍ଲାମକୁ ଯୋଡିବାର ଉଦ୍ୟମ କରିଛନ୍ତି ରଙ୍ଗ, ପୋଷାକ ଓ ଖାଦ୍ୟକୁ ନେଇ ରାଜନୀତି କରିବା ବିଜେପିର ପୁରୁଣା ଅଭ୍ୟାସ। “ଗେରୁଆ ଆମର,ସବୁଜ ତାଙ୍କର”- ଏମିତି ଏକ ବିଭାଜନକାରୀ ଚିନ୍ତା ଯୋଗୁଁ ଏମିତି ବିକୃତି ସମାଜକୁ ଛଡା ଯାଉଛି ବିଜେଡ଼ିକୁ ଧର୍ମଛଡା ଏବଂ ଏହା ପାକିସ୍ତାନର ରଙ୍ଗରେ ନିଜକୁ ରଙ୍ଗାଇଛି ବୋଲି ଏକ ପିଲାଳିଆ ନାଟକ ଜୟ ନାରାୟଣ କରିବାକୁ ଚେଷ୍ଟା କରିଛନ୍ତି । ହେଲେ ବିଜେଡ଼ିର ପତାକା ରଙ୍ଗ ସାମ୍ବିଧାନିକ ଭାବରେ ନିର୍ବାଚନ କମିଶନଙ୍କ ସ୍ଵୀକୃତି ପାଇଛିତେଣୁ ଏ ଭଳି ପ୍ରଶ୍ନ ସମ୍ବିଧାନର ମର୍ଯାଦାକୁ କ୍ଷୁଣ୍ଣ କରୁଛି

ଫାଇଭ ଟି କୁ ନେଇ ଜୟ ନାରାୟଣ ଯେଉଁ ପ୍ରଶ୍ନ ପଚାରୁଛନ୍ତି, ସେଥିରେ ତାଙ୍କର ଉଦ୍ଦେଶ୍ୟ କିଛି ବୁଝାପଡୁନି ପ୍ରଶାସନର ପରିଚାଳନା ଲାଗି ଏମିତି ନୂଆ ନୂଆ ଶବ୍ଦ ବାବୁମାନେ ସବୁବେଳେ ତିଆରି କରିଥାନ୍ତିସେଥିରେ ରାଜନେତାମାନେ ବିଚଳିତ ହେବାର କାରଣ କଣ ? ବିଜେପି ଓଡିଶାରେ ନବୀନ ପଟ୍ଟନାୟକଙ୍କ ବିରୋଧରେ ଲଢୁଛି ନା ଓଡିଶା ସରକାରଙ୍କ ଅମଲାମାନଙ୍କ ବିରୋଧରେ ଲଢୁଛି ? ଏବେ ଲାଗୁଛି, ଯେମିତି ପୂରା ବିଜେପି ଓଡିଶାର ଫାଇଭ ଟି ସଚିବଙ୍କ ବିରୋଧରେ ଲଢାଇ କରୁଛି । ନବୀନଙ୍କ ବିରୋଧରେ କହିବା ଛାଡି ଫାଇଭ ଟି ପଛରେ ଲାଗିଲେ ରାଜନୈତିକ ଫାଇଦା ଅପେକ୍ଷା କ୍ଷତିର ଆଶଙ୍କା ଅଧିକ

ତେବେ ଏଠି ପ୍ରସଙ୍ଗ ହେଉଛି ପାକିସ୍ତାନର ରଙ୍ଗ । ଜୟ ନାରାୟଣ ପୂରା ଓଡିଶାରୁ ସବୁଜ ରଙ୍ଗ ହଟାଇଦେବାକୁ ଚାହୁଁଛନ୍ତି କି ? ସେତକ କରିବାକୁ ହେଲେ ତାଙ୍କୁ ବାବୁ ଅରୁଣ ସାହୁଙ୍କ ପରାମର୍ଶ ମାନି ସବୁଜ ପନିପରିବା ଖାଇବାକୁ ବନ୍ଦ କରିବାକୁ ପଡିବ ଆମର ବଣ ଜଙ୍ଗଲ, କ୍ଷେତ ଓ ବିଗିଚା, ସବୁକୁ ପାକିସ୍ତାନୀ ରଙ୍ଗ ବୋଲି ବିବେଚନା କରିବାକୁ ପଡିବ

ପ୍ରକୃତି ଓ ଜୀବନକୁ ଦେଶ ଦେଶ ମଧ୍ୟରେ ବିଭାଜିତ କରିବା ସବୁଠୁ ନିକୃଷ୍ଟ ରାଜନୀତି ତେବେ ତା ଠୁ ନିକୃଷ୍ଟ ହେଉଛି ନିଜର ରାଜନୈତିକ ପ୍ରତିପକ୍ଷଙ୍କୁ ଶତୃଦେଶର ଲୋକ ବୋଲି ଭାବିବା

ଏ ପ୍ରକାର ନିକୃଷ୍ଟ ରାଜନୀତି, ଓଡିଶାରେ ବିଜେପିକୁ ଆହୁରି ତଳିତଳାନ୍ତ କରିବ ।