ଓଡିଶାର ନୂତନ ରାଜଧାନୀ ଭୁବନେଶ୍ୱର : ଏକ ଇତିହାସ ଦୃଷ୍ଟି

ଓଡିଶାର ନୂତନ ରାଜଧାନୀ  ଭୁବନେଶ୍ୱର : ଏକ ଇତିହାସ ଦୃଷ୍ଟି

୧୯୪୮ ମସିହା ଏପ୍ରିଲ ୧୩ ତାରିଖ ମଙ୍ଗଳବାର ଦିନ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ  ଭୁବନେଶ୍ୱରକୁ ଆସି  ବୃହତ୍ତର ଓଡିଶାର ନୂତନ ରାଜଧାନୀର ଶୁଭ ଦେଇଥିଲେ । ଓଡିଆ ନୂତନ ବର୍ଷର ଆରମ୍ଭରେ ଭୁବନେଶ୍ୱରରେ ରାଜଧାନୀ ଶୁଭ ଉଦ୍‍ଘାଟନ ଏକ ଅବିସ୍ମରଣୀୟ ପର୍ଯ୍ୟାୟ ଆରମ୍ଭ କରିଥିଲା । ପ୍ରସ୍ତାବିତ ରାଜଧାନୀର ମଧ୍ୟଭାଗରେ ମହାତ୍ମା ଗାନ୍ଧିଙ୍କର ସ୍ମୃତିସ୍ତମ୍ଭ ନିର୍ମାଣ କରାଯାଇଥିଲା । ମନ୍ଦିରମାଳିନୀ ଭୁବନେଶ୍ୱର ଓଡିଶାର ଏକ ମହା ସାଂସ୍କୃତିକ ପୀଠ । ଅତୀତରେ କଟକକୁ ରାଜଧାନୀ କରି ରଖାଯାଇପାରିବ କି ନାହିଁ ସେ  ବିଷୟରେ ବିଚାର କରାଯିବାରୁ ଦେଖାଗଲା ଯେ କାଠଯୋଡି ଓ ମହାନଦୀ ନୁଇ ନଦୀ ମଧ୍ୟରେ କଟକ ଏପରି ଏକ ଅଣଓସାରିଆ ଜାଗାରେ ଅବସ୍ଥିତ ଯେ ସରକାରୀ ଆବଶ୍ୟକତା ପୂରଣ ହେବା ଅସମ୍ଭବ ବୋଲି ମନେକରାଯାଇଥିଲା । ତେଣୁ ପ୍ରଥମ କଂଗ୍ରେସ ମନ୍ତ୍ରୀମଣ୍ଡଳ ସମୟରେ ରାଜଧାନୀର ଅବସ୍ଥାନ ସମ୍ପର୍କରେ ଦୀର୍ଘ ଆଲୋଚନାରେ କଟକ-ଚଉଦ୍ୱାର ଓଡିଶାର ରାଜଧାନୀ ହେବାପାଇଁ ସ୍ଥିର ହୋଇଥିଲା । କିନ୍ତୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ଅବସାନ ପରେ ୧୯୪୬ରେ ଦ୍ୱିତୀୟ କଂଗ୍ରେସ ମନ୍ତ୍ରୀମଣ୍ଡଳ ଗଠନପରେ ଏହି ରାଜଧାନୀ ସ୍ଥାନ ପରିବର୍ତ୍ତନ କରିବାକୁ ହେଲା ।

ଯୁଦ୍ଧୋତ୍ତର ଯୋଜନାଗୁଡିକ କାର୍ଯ୍ୟକାରୀ କରିବା ପାଇଁ ଓ ବିଭିନ୍ନ ଦିଗରେ ଓଡିଶାର ବିକାଶ ପାଇଁ ଶାସନର ଅଂଗ ଆହୁରୀ ପୁଷ୍ଟ କରିବା ଦରକାର ପଡିଲା । ସମସ୍ତ ପ୍ରକାର ଭାବୀ ବିକାଶକୁ ଦୃଷ୍ଟିରେ ରଖି ରାଜଧାନୀ ନିର୍ମାଣ କଥା ପୁନର୍ବିଚାର କରିବାକୁ ପଡିଲା । ମହାନଦୀ ଯୋଗୁଁ କଟକ-ଚଉଦ୍ୱାରର ଯୋଗାଯୋଗ ସମ୍ଭବ ନୁହେଁବୋଲି ମନେକରାଗଲା । ଓଡିଶା ପରି ଗୋଟିଏ କ୍ରମବର୍ଦ୍ଧିଷ୍ଣୁ ପ୍ରଦେଶର ସୁଶାସନ ନିମନ୍ତେ ଓ ସରକାରୀ ଅଫିସ୍‍, ବ୍ୟବସ୍ଥାସଭା ଓ କର୍ମଚାରୀଙ୍କ ଆବଶ୍ୟକତାଦୃଷ୍ଟିରୁ ଅନ୍ୟ ଗୋଟିଏ ସ୍ଥାନରେ ନୂଆ ରାଜଧାନୀ ନିର୍ମାଣ ପ୍ରସଂଗ ଆସିଲା । ବିନା ଅର୍ଥରେ ମିଳିଲାଭଳି ସ୍ଥାନ, ଅନୁକୂଳ ଜଳବାୟୁ, ବହୁଦିନଧରି ପକ୍କାଘର ଠିଆହେଲାପରି ଟାଣ ଭୂମି, ଜଳ ନିଷ୍କାସନର ସ୍ୱାଭାବିକ ସୁବିଧା, ରେଲଷ୍ଟେସନ ଓ ପ୍ରଧାନ ରାସ୍ତାର ନିକଟତ୍ୱ, ଗୃହନିର୍ମାଣ ସରଞ୍ଜାମ ପାଇବାରେ ସୁବିଧା ଏବଂ ସଂସ୍କୃତି ଓ ଐତହାସିକ ମହତ୍ୱଥିବା ଭଳି ସବୁପ୍ରକାର ସୁବିଧାରୂପେ ଭୁବନେଶ୍ୱର ଦୃଷ୍ଟିକୁ ଆସିଲା । ତେଣୁ  ବୃହତ୍ତର ଓଡିଶାର ରାଜଧାନୀ ନିମନ୍ତେ ଭୁବନେଶ୍ୱର ସବୁଦିଗରୁ ଉପଯୁକ୍ତ ବୋଲି ମନେକରାଯାଇ ରାଜଧାନୀ ନିର୍ମାଣର ଯୋଜନା କରାଯାଇଥିଲା ।


 ନିର୍ମାଣପୂର୍ବରୁ ରାଜଧାନୀର ଗୋଟିଏ ପୂର୍ଣ୍ଣ ଯୋଜନା ପାଇଁ ନଗର ନିର୍ମାଣ ବିଶାରଦ ଓ ବିଶିଷ୍ଟ ଶିଳ୍ପୀ ଡକ୍ଟର କୋଏନସ୍‍ବର୍ଗଙ୍କ ଉପରେ ନକ୍‍ସା ତିଆରୀର ଭାର ଦିଆଯାଇଥିଲା । ସେ ସେତେବେଳେ ମହୀଶୂର ସରକାରଙ୍କ କାମ କରୁଥିଲେ । ସେ ରାଜଧାନୀର ଗୋଟିଏ ପୂର୍ଣ୍ଣ ନକ୍‍ସା ତିଆର କରି ଓଡିଶା ସରକାରଙ୍କୁ ଦେଲେ । କେତେଗୁଡିଏ ଅତି ଆବଶ୍ୟକୀୟ ବିଷୟ ପ୍ରତି ଦୃଷ୍ଟି ରଖି ନକସାଟି ତିଆର ହୋଇଥିଲା, ଯଥା, (୧) ରାଜଧାନୀ ନିର୍ମାଣରେ କୈାଣସି ଅଯଥା ଖର୍ଚ୍ଚ ହେବନାହିଁ, (୨) ବାସଗୃହଗୂଡିକ ଏକତାଲା ହେଲେ ମଧ୍ୟ ସୁବିଧାରେ ଚଳିବା ଉପଯୋଗୀ ହେବ,(୩) ଅତ୍ୟଧିକ ଖର୍ଚ୍ଚ ନହେଲେ ବି କାମ ଚଳିଲାଭଳି ଭଲ ଅଫିସଘରଗୁଡିକ ହୋଇପାରିବ, (୪) ସ୍କୁଲଗୁଡିକ ଏପରି ସ୍ଥାନରେ ହେବଯେ ସାନପିଲାଙ୍କୁ ଖୁବ୍‍ ବେଶୀ ହେଲେ  ଅଧମାଇଲରୁ ଅଧିକ ଚାଲିବାକୁ ହେବନାହିଁ, (୫)ବାସଗୃହଗୁଡିକଠାରୁ ଦୋକାନବଜାର ତିନି କ୍ୱାଟରରୁ ଅଧିକ ହେବନାହିଁ । ଉପରୋକ୍ତ ମତେ ଗଢିବା ଉଦ୍ଦେଶ୍ୟରେ ନୂଆ ରାଜଧାନୀକୁ ତିନୋଟି ବଡରାସ୍ତା ମଧ୍ୟରେ କେତେଗୁଡିଏ ବସ୍ତି ଆକାରରେ ତିଆରି କରାଯାଇଥିଲା । ଆରମ୍ଭରେ ଚାରୋଟି ବସ୍ତି ହୋଇଥିଲା । ପ୍ରତ୍ୟେକ ବସ୍ତିରେ ପ୍ରାୟ ପାଞ୍ଚ ହଜାର ଲୋକ ବାସବାସ କରିପାରିବେ । ପଞ୍ଚମ ବସ୍ତିଟିରେ ଗାନ୍ଧିସ୍ମୃତି ଭବନ, ବ୍ୟବସ୍ଥା ସଭାଗୃହ ଓ ଅଫିସ୍‍, ସେକ୍ରେଟାରିଏଟ୍‍ ଓ ଅନ୍ୟାନ୍ୟ ଅଫିସଘରଗୁଡିକ ରହିବାଭଳି ବ୍ୟବସ୍ଥା ହୋଇଥିଲା ।

ସେକ୍ରେଟାରିଏଟ୍‍ ଘର,ବ୍ୟବସ୍ଥା ସଭାଗୃହ, କର୍ମଚାରୀଙ୍କ ରହିବା ଘର, ଲାଟସଭାର ମେମ୍ବରଙ୍କ ରହିବା ଘର ଏବଂ ଲାଟଙ୍କ ବାସଭବନ, ପାଣିକଳ,ରାସ୍ତା, ବିଜୂଳୀ କାରଖାନା ଓ ନାଳନର୍ଦ୍ଦମା ଓ ମଇଳାସଫା ବ୍ୟବସ୍ଥା ମିଶି ୫,୪ କୋଟି ଟଙ୍କା ଖର୍ଚ୍ଚ ହେବାର ଯୋଜନା ପ୍ରସ୍ତୁତ ହୋଇଥିଲା । ଭାରତର ପ୍ରଧାନମନ୍ତ୍ରୀ ନେହେରୁ ୧୯୪୮ ଏପ୍ରିଲ ୧୩ରେ ଏହି ରାଜଧାନୀକୁ ଶୁଭ ଦେଇଥିଲେ । ସେହିବର୍ଷ ଶେଷବେଳକୁ କାର୍ଯ୍ୟ ଆରମ୍ଭ ହୋଇଥିଲା । ସେତେବେଳର ଚିଫ୍‍ ଇଂଜିନିୟର ଆର୍‍.ଆର୍‍, ହଣ୍ଡାଙ୍କ ବିବରଣୀ ଅନୁସାରେ ଭୁବନେଶ୍ୱରରେ ପ୍ରାୟ ୩୫୦୦ ଏକର ସରକାରୀ ଜମିରେ ନୁତନ ଭୁବନେଶ୍ୱର ଟାଉନ୍‍ ନିର୍ମାଣର ଯୋଜନା ହୋଇଥିଲା । କଟକଠାରୁ ୧୮ ମାଇଲ ଦୂରରେ ଓ ପୁରୀଠାରୁ ୩୨ ମାଇଲଦୂରରେ ଭୁବନେଶ୍ୱର ରେଲବାଇ ଷ୍ଟେସନର ଠିକ ସାମନାରେ ରାଜଧାନୀ ନିର୍ମାଣ କରାଯିବାର ସ୍ଥିର ହୋଇଥିଲା । ଏହି ଉଦ୍ଦେଶ୍ୟରେ ଭୁବନେଶ୍ୱରରେ ଗୋଟିଏ ନୋଟିଫାଏଡ୍‍ ଏରିଆ କମିଟି ସୁପରିଟେଣ୍ଡିଙ୍ଗ ଇଂଜିନିୟରଙ୍କ ଅଧ୍ୟକ୍ଷତାରେ ଗଢାଯାଇଥିଲା । ଭୁବନେଶ୍ୱରର ଉତ୍ତମ ଜଳବାୟୁ ଏବଂ ଭଲ ପାଣି ଯୋଗାଣ ବ୍ୟବସ୍ଥା ଯୋଗୁଁ ଏହା ଅତି ଉଚ୍ଚସ୍ଥାନ ଅଧିକାର କରିବ ବୋଲି ହଣ୍ଡା ସେଦିନ ମତ ଦେଇଥିଲେ । କାଳକ୍ରମେ ଶୀତଋତୁରେ ଏହି ସ୍ଥାନଟି ସମଗ୍ର୍ର ଏସିଆରେ ଗୋଟିଏ ଉନ୍ନତଧରଣର ସ୍ୱାସ୍ଥ୍ୟନିବାସ ହୋଇଯିବବୋଲି ମତ ପ୍ରକାଶ ପାଇଥିଲା । ଭୁବନେଶ୍ୱରକୁ ଯୁଦ୍ଧପୂର୍ବ ବର୍ଲିନ ସହର ପରି ଗଢିବାକୁ କୋହେନସ୍‍ ବର୍ଗଙ୍କୁ ପରାମର୍ଶ ଦିଆଯାଇଥିଲା । ୧୯୪୮ ମସିହା ଦରଦାମ୍‍ ଅନୁସାରେ ରାଜଧାନୀ ନିର୍ମାଣ ନିମନ୍ତେ ପ୍ରାୟ ଛ ସାତ କୋଟି ଟଙ୍କା ବ୍ୟୟ ହେବ ବୋଲି ସ୍ଥିର ହୋଇଥିଲା । ୧୯୪୯ ଜୁନ୍‍ ମାସ ସୁଦ୍ଧା ପୂର୍ତ୍ତବିଭାଗର ରାସ୍ତା ଓ ଘର ଶାଖାର ଗୋଟିଏ ଅଂଶର ବସବାସ ପାଇଁ ବ୍ୟବସ୍ଥା ହେଲା ଓ ଏବଂ ଉକ୍ତ ଶାଖାଟି ୮ ଜୁନ୍‍ ୧୯୪୯ ତାରିଖରେ କଟକରୁ ଭୁବନେଶ୍ୱର ଗଲା । ଅନ୍ୟ ଅଂଶଟି ଆସିଲା ୧୯୪୯ ସେପ୍ଟେମ୍ବର ମାସରେ । ୧୯୫୦ ଜୁନ୍‍ ମାସରେ ସ୍ୱାସ୍ଥ୍ୟ ଓ ଜେଲ ବିଭାଗର ଡିରେକ୍ଟରଙ୍କ ଅଫିସ୍‍ ଓ ସମବାୟ ବିଭାଗର ରେଜିଷ୍ଠାରଙ୍କ ଅଫିସ୍‍ ଗଲା ।

 ୧୯୫୦-୫୧ ସୁଦ୍ଧା ନୂଆ ରାଜଧାନୀରେ ଏକ ହଜାର ଘର ତିଆରି ସାରିଥଲା । ଏଥିରୁ ୭୫୦ଟି ଘର ଅଫିସ୍‍ ବା ବାସଗୃହ ରୂପେ ବ୍ୟବହୃତ ହୋଇଗଲା । ଆହୁରି ୧୦୦୦ ଗୃହର କାମ ଚାଲିଥିଲା । ପ୍ରାୟ ୧୮ ମାଇଲ ରାସ୍ତା ୧୯୫୦-୫୧ ସୁଦ୍ଧା ତିଆରି ହୋଇଥିଲା । ଏଥିରୁ ୬ ମାଇଲ୍‍ ପିଚୁ  ହୋଇଥିଲା, ଅବଶିଷ୍ଟ ରାସ୍ତାର କାର୍ଯ୍ୟ ଚାଲିଥିଲା । ରହିବାଘର ଚାରିପଟେ କଞ୍ଚାବାଡ ଦିଆଯାଇଥିଲା ଏବଂ ପ୍ରଧାନ ରାସ୍ତାମାନଙ୍କର ଦୁଇ ପାଖରେ ପ୍ରାୟ ୧୨୦୦ ଗଛ ଲଗାହୋଇଥିଲା । ୧୯୫୦ ଦଶକର ଆରମ୍ଭରେ ରାଜଧାନୀ ବାସିନ୍ଦାମାନଙ୍କର ଚିକିତ୍ସା ଲାଗି ଗୋଟିଏ ଡାକ୍ତରଖାନା ଓ ସେମାନଙ୍କର ପିଲାମାନଙ୍କର ଶିକ୍ଷାଲାଗି ଗୋଟିଏ ମାଇନର୍‍ ସ୍କୁଲ ଖୋଲାଯାଇଥିଲା । ବଡପିଲାମାନେ ପୁରୁଣା ଭୁବନେଶ୍ୱର ହାଇସ୍କୁଲରେ ପଢିବାର ସୁବିଧା କରାଯାଇଥିଲା । ସେମାନଙ୍କର ଯାତାୟତ ପାଇଁ ଗୋଟିଏ ବସ୍‍ ବ୍ୟବସ୍ଥା ଥିଲା । ନିଆଁପାଣି ବିପଦରୁ ରକ୍ଷା ପାଇଁ ଦୁଇଟି ଇଂଜିନ୍‍ ସହ ଗୋଟିଏ ନିଆଁଲିଭା କେନ୍ଦ୍ର ଖୋଲାଯାଇଥଲା । କଟକ ସଂଗେ ଯୋଗାଯୋଗ ପାଇଁ ଗୋଟିଏ ଟେଲିଫୋନ୍‍ ଅଫିସ୍‍ ଏବଂ ଏଠାରୁ ୫୦ଟି ଲାଇନ୍‍ ଦିଆଯାଇଥିଲା । ଲୋକମାନଙ୍କର ଆବଶ୍ୟକୀୟ ଜିନିଷପାଇବା ପାଇଁ ରାଜଧାନୀର ଗୋଟିଏ ପାଖରେ କେତେଗୁଡିଏ ଅସ୍ଥାୟୀ ଦୋକାନ ଖୋଲାଯାଇଥିଲାô ଏବଂ ସପ୍ତାହରେ ଦୁଇଥର ହାଟଟିଏ ବସିବାର ମଧ୍ୟ ବ୍ୟବସ୍ଥା ହୋଇଥିଲା । ଏହିପରି ଭାବରେ ଭୁବନେଶ୍ୱର ନୂଆ ରାଜଧାନୀ ନିର୍ମାଣ ୧୯୪୮ରୁ ଆରମ୍ଭ ହୋଇ ୧୯୫୦ ଦଶକରେ ବେଶ୍‍ ଅଗ୍ରଗତି କରିଥିଲା । 


୧୯୪୮ ମଧ୍ୟଭାଗରୁ ଭୁବନେଶ୍ୱର ବୃହତ୍ତର ଓଡିଶାର ରାଜଧାନୀ ଶୁଭାରମ୍ଭ ଠାରୁ ଆରମ୍ଭ କରି  ୭୫ ବର୍ଷ ମଧ୍ୟରେ ବେଶ୍‍ ଅଗ୍ରଗତିର ସୋପାନରେ ରହିଛି । ଶିକ୍ଷା, ସଂସ୍କୃତି ତଥା ପ୍ରଶାସନର କେନ୍ଦ୍ର ହିସାବରେ ୧୯୬୦ ଦଶକରୁ ଏହାର ଉତ୍ଥଥାନ ଅବ୍ୟାହତ ରହିଛି । ପୁରାତନ ଏକାମ୍ର-ଭୁବନେଶ୍ୱର ପ୍ରାୟ ୨୫୦୦ ବର୍ଷ ହୋଇଥିଲେ ମଧ୍ୟ ନୂତନ ରାଜଧାନୀ ଭୁବନେଶ୍ୱର ମାତ୍ର ୭୫ ବର୍ଷ । ତେବେ ଭାରତବର୍ଷର ଅଧିକାଂଶ   ପ୍ରାଦେଶିକ ରାଜଧାନୀଠାରୁ ଏହାର ଅତୀତ ଗୌରବଗାରିମାଯୁକ୍ତ । ସେଥିପାଇଁ ଛତ୍ରପତି ଶିବାଜୀ ଏକଦା ଭୁବନେଶ୍ୱର ଆସି ଏହାର ଗୌରବଗାନରେ ଶତଜିହ୍ଵ ହୋଇ କହିଥିଲେ-ଏଠାରେ ଦେବତାମାନେ କେବଳ ବାସ କରନ୍ତି ।