ମୁକ୍ତ

–କେହି ସେମାନଙ୍କ ମାଟି ଆଡ଼କୁ
ଆଙ୍ଗୁଳି ଦେଖାଇ କହେ-
“ଏ ମାଟିର ଇଞ୍ଚଟିଏ ବି ତୁମର ନୁହେଁ।”
ଆଉ ସତସତିକା ମାତ୍ର କ୍ଷଣିକରେ
ସେମାନେ ନିଜ ମାଟିରେ ହିଁ ପାଲଟି ଯା’ନ୍ତି
ଗୋଟେ ଗୋଟେ ପରୀଚୟହୀନ ଶରଣାର୍ଥୀ!
ସେତିକିରେ ବି କେଉଁ ସନ୍ତୁଷ୍ଟ ହୁଏ ଯେ,
ସେ ନିର୍ଦ୍ଦୟ ହାତର ଅଧିକାରୀ?
ନା’, ଜମାରୁ ବି ନୁହେଁ!
ବରଂ ମାଟିହରା ସେ ମଣିଷଙ୍କର ଅସହାୟତା
ତା'ର ରକ୍ତ ପିପାସାକୁ ଅଧିକରୁ ଅଧିକ ବଢ଼ାଏ।
ସେ କୌଶଳରେ, ପରାକ୍ରମରେ, ଆକ୍ରମଣରେ
ଅସହାୟ, ଲହୁଲୁହାଣ ସେ ନିରିମାଖି ମଣିଷମାନଙ୍କୁ
ବାରମ୍ବାର ତଡିଦିଏ ନିଜ ମାଟିରୁ।
ମା’ର କୋଳରୁ ଜୋର୍ କରି କାଢ଼ି ନିଏ କଅଁଳ ଶିଶୁ,
ଜୋର୍ କରି ରୋକିଦିଏ ସାହାଯ୍ୟର ସ୍ରୋତ।
ସେମାନଙ୍କଠାରୁ ତିଳ ତିଳ କରି କାଢ଼ି ନେଉଥାଏ
ବଞ୍ଚିବାର ଅଧିକାର ଟିକକ।
ତଥାପି କେଜାଣି କେଉଁ ଆଶାରେ
ସେମାନେ ବାରମ୍ବାର ଫେରନ୍ତି
ମାଟିରେ ମିଶି ଯାଇଥିବା ନିଜ ନିଜ ଘରକୁ(?)
ଖୋଲା ଆକାଶ ତଳେ ତାରପୋଲିନ୍ ତଳେ
ବାରମ୍ବାର ଜାହିର୍ କରନ୍ତି ନିଜ ଅସ୍ତିତ୍ଵ; ନିଜ ମାଟିରେ!
ସେ ରକ୍ତପିପାସୁ ଶକ୍ତି ଆହୁରି ଆହୁରି ଆକ୍ରାମକ ହେଉଥାଏ
ସେମାନଙ୍କୁ ଯେମିତି ହେଲେ
ଶରଣାର୍ଥୀ କରି ରଖିବାକୁ, ନିଜ ମାଟିରେ!
ହେଲେ ସେମାନେ ବି ଜାରି ରଖିଥା’ନ୍ତି
ନିଜ ମାଟିକୁ ଫେରିବାର ଧାରା,
ନିଜ ଅସ୍ତିତ୍ଵକୁ ଜାହିର କରିବାର ପ୍ରକ୍ରିୟା
ପୁଣି ସବୁ ଯୁଦ୍ଧ, ସବୁ ଆକ୍ରମଣ
ଆଉ ସବୁ ପରାକ୍ରମର ଭୟ କବଳରୁ
ନିଜକୁ ‘ମୁକ୍ତ’ କରି ଦେବାର ଗୋଟେ ଅବିରତ ସଂଘର୍ଷ!!!