ମହା ପର୍ବତ

ମହା ପର୍ବତ

ସେଦିନ ବାହାଘର ଭୋଜିରେ ଉର୍ମିଳା  ତାର ବସ୍  ନୀଳକଣ୍ଠଙ୍କର ସ୍ତ୍ରୀ ଙ୍କୁ ଦେଖିଲା।ସୁବୋଧର ବାହାଘର ଭୋଜି।ସୁବୋଧ ଚିହ୍ନାଇ ଦେଇଥିଲା"ମାଡାମ, ଇଏ ଆମର ଅଫିସର ,ଉର୍ମଳା ଚୌଧୁରୀ, ମୋର ଅତି ନିଜର ଉର୍ମିଳା ନାନୀ।"


ନୀଳକଣ୍ଠଙ୍କ ସ୍ତ୍ରୀ ସୁରମା ଦୋ ଦୋ ଚିହ୍ନା ହୋଇ ପଚାରିଲେ"ତୁମର ବଡ ଭଉଣୀ ଡାକ୍ତର ନିର୍ମଳା ତ?ୟାଙ୍କ ସାଙ୍ଗ ନାରାୟଣ ବାବୁଙ୍କୁ ବାହା ହୋଇଛନ୍ତି?"ଉର୍ମିଳା ତାର ବସ୍ ଙ୍କ ସ୍ତ୍ରୀଙ୍କୁ ଅଣ୍ଟା ଭାଙ୍ଗି ନମସ୍କାର କରି କହିଲା"ହଁ ମାଡାମ ,ନାନୀ ଆପଣଙ୍କ କଥା କହେ।"ସୁରମା କହିଲେ " ଆମେ ତାଙ୍କୁ ଭଲ ରେ ଜାଣିଚୁ, ମୋ ଦେହ ଅତି ଖରାପ ଥିଲା ବେଳେ ସେ ଯତ୍ନ କରିଥିଲେ ଯେ ସେ ଋଣ ସୁଝି ପାରିବୁ ନାହିଁ।ତୁମେ  ଏଠି ଅଛ ବୋଲି ଶୁଣିଥିଲି ଯେ ଭୁଲି ଯାଇଛି।"

ନୀଳକଣ୍ଠ  ସେଠି ପହଂଚି ଉର୍ମିଳା କୁ ନ ଦେଖିଲା ଭଳି ଠିଆ ହେଲେ।ସୁରମା କହିଲେ" ତମେ ତ ଭଲ ଲୋକ।ଉର୍ମିଳା ଏଠି ୨ ବର୍ଷ ପାଖା ପାଖି ରହିଲେଣି ତୁମେ ତାଙ୍କୁ ଆମ ଘରକୁ ଡାକିନ କେମିତି?ନାରାୟଣ ବାବୁ ଓ ନିର୍ମଳା ଆମକୁ କଣ ଭାବୁଥିବେ କିଜାଣି।"

ନୀଳକଣ୍ଠ କେବେବି ଉର୍ମିଳାକୁ ତାଙ୍କ ସ୍ତ୍ରୀ ଙ୍କ ବିଷୟ ରେ କହିନଥିଲେ, କିନ୍ତୁ ଉର୍ମଳାର ଧାରଣା ଥିଲା ସେ ଟିକେ ସଂଦେହୀ,ଦେଖିବାକୁ ଗାଉଁଲିଆ ହୋଇଥିବେ।କିନ୍ତୁ ସୁରମା ସୁନ୍ଦରୀ ,ଗ୍ରେସଫୁଲ ,ସ୍ନେହୀ ମଣିଷ  ଜଣେ ବୋଲି ତାକୁ ଲାଗିଲା। 


ବାହାଘର ଭୋଜୀ ସରିବା ପରେ ରାତି ଏଗାରଟା ବେଳେ ଘରେ ପହଁଚିଲା ଉର୍ମିଳା।ଲୁଗା ବଦଳାଇଲା।ଦର୍ପଣରେ ନିଜ ମୁହଁ ଦେଖିଲା।ସେ ଆଜିକାଲି କେତେ କ୍ଲାନ୍ତ ଓ ଶୁଖିଲା ଦିଶୁଚି।ଆଖି କେଉଁ ଗହୀରରେ ପଶିଗଲାଣି ହାଡ ଦିଶୁଛି ଗାଲରେ।ସୁନ୍ଥା ଟା ମୋଟା ହୋଇ ଗଲାଣି।ମନେ ହେଉଛି ତାର ସରୁ ଲମ୍ବା ନାକଟା ବଙ୍କା ହୋଇ ଯାଇଛି ବାଁ ପଟକୁ।
ନୀଳକଣ୍ଠ ବାବୁ ତା ପାଖକୁ କାହିଁକି ଆସନ୍ତି ଏତେ ସୁନ୍ଦର ଭଲ ସ୍ତ୍ରୀ ଥାଉ ଥାଉ।ସେଦିନ କହିଲେ"ତମକୁ ସୁବୋଧ ଭଲ ପାଉଥିଲା ନା ଊର୍ମି ,ମୋର ତ ଇର୍ଷା ହେଉଥିଲା। କିଛି ଲୋକ ତ ସେମିତି କହୁଥିଲେ ,ଯାହା ହେଉ ସେ ବାହା ହୋଇ ଗଲା।"
ଉର୍ମିଳା କହିଲା" ହେଃ,ସେ ତ ମୋର ସାନ ଭାଇ, ମୋତେ ଭଉଣୀ କରିଛି ପରା।"
କିନ୍ତୁ ଉର୍ମିଳା ବି ସେମିତି ଭାବି ନେଇଥିଲା ଯେ ଦିନେ ସୁବୋଧ ନିଶ୍ଚେ ତାକୁ କହିବ"ମୁଁ ତମକୁ ବାହା ହେବାକୁ ଚାହେଁ ଊର୍ମି।"
 ଅପେକ୍ଷା କଲା ସେ  ପାଞ୍ଚ ମାସ। ତାର ଜନ୍ମ ଦିନରେ ସୁବୋଧ ଗୋଟିଏ କାଂଚିପୁରମ ପାଟ ଆଣି ଦେଇଥିଲା।ସବୁଦିନେ ଅଫିସ ପରେ ସାଙ୍ଗ ହୋଇ ବସ ଷ୍ଟପ କୁ ଯାଉଥିଲେ ଦୁହେଁ।ଏକାଠି ସିନେମା ଯାଇଥିଲେ ଦିଥର।ଦିନେ ସିନେମା ହଲ ରେ ତାର ଅଂଟାରେ ହାତ ଗୁଡ଼ାଇ ଦେଇଥିଲା ସୁବୋଧ।ସିନେମା ରୁ ଫେରିବା ବେଳେ ଅନ୍ଧାରୁଆ ରାସ୍ତାରେ ତାକୁ ଜାକି ଧରି କହିଥିଲା "ଡର ମାଡୁଛି?"ଆଉ ଦିନେ ରିକ୍ସା ରେ ଆସୁଥିଲା ବେଳେ ହାତ ବଜାଇ ଦେଇଥିଲା ଦେହ ରେ, ଏଠି ସେଠି।ଉର୍ମିଳା ପୁଲକିତ ହୋଇଥିଲା।ବୟସରେ ଚାରି ବର୍ଷ ସାନ ଥିଲେ ବି କଣ ହେବ?ସେମାନେ  ହୁଏତ ଦିନେ ବାହା ହେବେ ,ଛୋଟିଆ ଘର ସଂସାରଟିଏ ହେବ,ବାପା କେତେ ଖୁସି ହେବେ।
କିଛି ହେଲା ନାହିଁ।ସେ ସୁବୋଧକୁ  ତାର ମନ କଥା କହି ପାରିଲା ନାହିଁ।କିଛି ପଚାରିଲା ନାହିଁ।ଛଟପଟ ହେଲା।ଶେଷରେ ତାର ବସ  ନୀଳକଣ୍ଠ ବାବୁ ଯେତେବେଳେ ତା ପ୍ରତି ଆଗ୍ରହ ଦେଖାଇଲେ ସେ ତାଂକୁ ପ୍ରତ୍ୟାଖ୍ୟାନ କରିପାରିଲା ନାହିଁ।ଅସହାୟ ହୋଇ ଗ୍ରହଣ କଲା।ସୁବୋଧ ବୋଧହୁଏ ଜାଣିଦେଲା କଥାଟା।କିଛିଦିନ  ଉଦାସୀନ ,ଅନ୍ୟମନସ୍କ ରହିଲା।ତା ସହ ଅଫିସରୁ ଫେରିଲା ନାହିଁ। ତା ପରେ ଦିନେ ତାକୁ ଆସି କହିଲା " ତମକୁ ଏଥର ନାନୀ ଡାକିବାକୁ ଭାବୁଚି।ଆମର ସ୍ବେହ କୁ ଗୋଟିଏ ସମ୍ପର୍କରେ ବାନ୍ଧି ଦେଲେ ଭାରି ଭଲ ଲାଗିବ।"କଣ ଉତ୍ତର ଦିଅନ୍ତା ଉର୍ମିଳା।ସୁବୋଧ ସେଦିନ କ୍ୟାଣ୍ଟିନ ରେ ପ୍ରଚୁର ଖାଇବାକୁ ଦେଇ ତାଙ୍କର ନୂଆ ସମ୍ପର୍କକୁ ସେଲିବ୍ରେଟ କଲା।କହିଲା ଏଥର ରାକ୍ଷୀ ପୂର୍ଣ୍ଣମୀରେ ଗୋଟିଏ ସ୍ପେସିଆଲ ରାକ୍ଷୀବାନ୍ଧିବ ନାନୀ।ମୁଁ ବି ତମ ପସନ୍ଦର ଶାଢ଼ୀ କିଣିବି।"
ତାପରେ ସୁବୋଧର ବାହାଘର  ଠିକ ହୋଇଗଲା।


ଉର୍ମିଳା  ଆଶ୍ଚର୍ଯ୍ୟ ହେଲା।ସୁବୋଧ ଥରେ ବି ତାକୁ କହିଲା ନାହିଁ।ସମ୍ପର୍କ ନ କାଟି ଭଉଣୀ କରି ରଖିଲା କାହିଁକି?


 ନୀଳକଣ୍ଠ ସେଦିନ ରାତିରେ ଟିକିଏ ଦବି ଗଲେ ଯେତେବେଳେ ସ୍ତ୍ରୀ ସୁରମା କହିଲେ"ଉର୍ମିଳା କୁ ଦେଖି ଦୟା ଲାଗିଲା।ବିଚାରି ଏକା ରହୁଛି।ତମେ ତାକୁ ଘରକୁ ଡାକୁନ।ବସ୍ ହେଲ ବୋଲି କୃତଜ୍ଞତା  ଭୁଲି ଗଲ?କି ଅହଙ୍କାରୀ ତମେ। ବିଚାରୀ କୁ ତିରିଶ କି ୩୫ବର୍ଷ ହେବଣି।ଦେଖ ତାର ଦୁର୍ଭାଗ୍ୟ।ଭଉଣୀ ଭିଣେଇ ଡାକ୍ତର।ବାପା ପରା ମାଇନିଂ ଇଞ୍ଜିନିୟର ଥିଲେ।ଆକିସେଡେଣ୍ଟ ରେ ଅନ୍ଧ ହୋଇଗଲେ।ତାକୁ  ଭଲା କିଏ  କାହିଁକି ବାହା ହେବ?"ନୀଳକଣ୍ଠ ବାବୁ କହିଲେ"ହଁ, ମା ମରିଗଲେ, ବାପା ଅନ୍ଧ, ନିର୍ମଳା ପାଖେ ରହନ୍ତି।ଉର୍ମଳା ଟାଇପ ଶିଖିଥିଲା ବୋଲି ସାହାଯ୍ୟ କରିପାରିଲି।ନହେଲେ କଣ କରିଥାନ୍ତା?"


" କି ଚାକିରୀ ଦେଲଯେ?ଗୋଟିଏ ବୋଲି ଝିଅ ଅଫିସ ରେ ସମସ୍ତେ ଫାଇଦା ନେଉଥିବେ, ହଇରାଣ କରୁଥିବେ।"ସୁରମା କହିଲା।
"ନାଇଁ, ସମସ୍ତେ ଭଲ ପାଆନ୍ତି ତାକୁ, ଏଇ ସୁବୋଧ ପରା ତାକୁ ଭଲ ପାଉଥିଲା ବୋଲି ଲୋକେ କହୁଥିଲେ।ଭଲ ଝିଅଟି ସେ।'


"ହଁ, ମୁଁ ଜାଣିଚି, ତାର କଣ ଅଛି ଯେ କିଏ ଭଲ ପାଇବ? ସୁବୋଧ ପରା ତାକୁ ନାନୀ ବୋଲି ଚିହ୍ନାଇ ଦେଲା।ତମେ ତା ଉପରେ ଟିକେ  ନଜର ରଖିବ ତ।"
ନୀଳକଣ୍ଠ ଭାବିଲେ ସୁରମା ଜାଣିଦେଲେ କି।ଏମିତି କାହିଁକି କହୁଛନ୍ତି?ସେ ଚିଡାଇବା ଭଳି କହିଲେ"ହଉ ଏଥର ନଜର ରଖିବି, ପରେ ଈର୍ଷା କରିବନି ଟି।"
"ହେଃ।"ରାଗିଗଲା ସୁରମା।"ଏମିତି ଥଟ୍ଟା କରୁଚ ଦୟା ଲାଗୁନି?କାହା ଝିଅ ବାହା ନ ହୋଇ ରହିଗଲେ ମୋତେ ଭାରି ଦୟା ଲାଗେ ସତରେ।ଭଲ ଘର ଝିଅଟା ପୁଣି।ଭଲ ଚାକିରୀ ଟିଏ କରିଥାନ୍ତା ହେଲେ।ସୁନ୍ଦର ହୋଇଥାନ୍ତା, ଟିକିଏ ମୋଟା, ଗୋରା ହୋଇଥାନ୍ତା ହେଲେ।ଚାଲାକ ନୁହେଁ ,ସ୍ମାର୍ଟ ନୁହେଁ।ନିର୍ମଳା ତ ଦେଖିବାକୁ ଭଲ।ଇଏ ଏମିତି ଦୁଃଖିନୀ ଗୋବର ଗୋଟେଇ ଭଳି ଦିଶୁଚି କଣ?ବାହା ଘରକୁ ଆସିଛି ଭଲ ଶାଢ଼ୀ ଟିଏ ବି ପିନ୍ଧିନି।ମୋତେ ଏତେ ନଇଁ କରି ପ୍ରଣାମ କଲା  ଯେ ଭାରି ବିକଳ ଲାଗିଲା।"

ଏମିତି କହି ସୁରମା ଶୋଇ ପଡିଲେ।କିନ୍ତୁ ନୀଳକଣ୍ଠ ଙ୍କୁ ନିଦ ହେଲା ନାହିଁ।ଉର୍ମଳା ଏତେ ଦୟନୀୟ, ତା ପାଖରେ ପ୍ରେମ ଯୋଗ୍ୟ କିଛି ନାହିଁ?ସେ ଅଧସ୍ତନ କର୍ମଚାରୀ ଭାବରେ ନିରୁପାୟ ହୋଇ ତାଙ୍କ ପାଖେ ଧରା ଦେଇଛି?ସତରେ ସୁରମା ପାଖରେ ସେ କେତେ ଦୀନ ହୀନ ଦିଶୁଥିଲା।ତାଙ୍କ ଆଡକୁ ଚାହୁଁଥିଲା ବିକଳ ହୋଇ।ସେ କଣ ତା ଠାରୁ ଫାଇଦା ଉଠାଉଛନ୍ତି କେବଳ?ସେ ଦୟା ର ପାତ୍ରୀ।ଅସହାୟ ଦୁଃଖୀ, ତା ଠାରୁ ଫାଇଦା ଉଠାଇବା ରେ କି ପୌରୁଷ୍ୟ ଅଛି ତାଙ୍କର?ସେ ବି ତ ପ୍ରଥମେ ତାକୁ ଦୟା କରୁଥିଲେ।କେତେଥର ଦେଖିଲେ ଅଫିସର ପ୍ରୌଢ ହେଡ୍ କ୍ଲର୍କ ଉର୍ମିଳା ସଂଗେ ଗପ କରୁଛନ୍ତି ଓ ଉର୍ମିଳା ହସି ହସି ଉତ୍ତର ଦେଉଚି। ହେଡ କ୍ଲର୍କଙ୍କ ମୁହଁ ରେ ଏକ ଯୁବକ ସୁଲଭ ଶସ୍ତା ହସ ବି ଦେଖିଲେ।ପୁଣି ଦେଖିଲେ ସୁବୋଧ ଓ ଉର୍ମିଳା ସାଙ୍ଗ ହୋଇ ଗୋଟିଏ ଚିନାବାଦାମ ପୁଡ଼ିଆ ରୁ ଖାଇ ଖାଇ,ବସ ଷ୍ଟପ୍ ଯାଉଛନ୍ତି।ସିନେମା ହଲ ଆଗରେ ଦୁହେଁ ଗୋଟିଏ ଅଟୋ ରିକ୍ସା ରୁ ଏକାଠି ଓଲ୍ହାଇବାର ବି ଦେଖିଲେ। ମନେହେଲା ତାଙ୍କର ପ୍ରାପ୍ୟ ଅନ୍ୟମାନେ ଛଡାଇ ନେଉଛନ୍ତି।


ସେ ଉର୍ମିଳାର ବସ୍ ,ଅଥଚ ସେ ବଂଚିତ ହେଉଛନ୍ତି କାହିଁକି?ସେ କଣ ଏତେ ଅଯୋଗ୍ୟ?

ସେଦିନ ଝିପି ଝିପି ବର୍ଷା ହେଉଥିଲା।ଉର୍ମିଳା ଏକା ଚାଲି ଚାଲି ଯାଉଥିଲା ବସ ଷ୍ଟପକୁ।ନୀଳକଣ୍ଠ  ଗାଡି ଅଟକାଇ ,ଡୋର ଖୋଲି ଦେଲେ।"ଆସ ଉର୍ମିଳା ମୁଁ ତୁମକୁ ଘରେ ଛାଡ଼ି ଦେବି।"ଉର୍ମିଳା ତାଙ୍କ ପାଖରେ ଆସି ବସି ପଡ଼ିଲା।ଘର ପାଖରେ ଓଲ୍ହାଇ ତାଙ୍କୁ ଚା ଖାଇବାକୁ ଡାକିଲା ଉର୍ମିଳା।ସେ ବି ଗଲେ, ଟିକେ ବେଳ ବସିଲେ।ଅଫିସ ରେ କାହା ସହ ମିଶିବାକୁ ବାରଣ କଲେ।ଉର୍ମିଳା ବି ସାହସ ପାଇ ଅନେକ କଥା ଗପିଲା।ହେଡ କ୍ଲର୍କ ଓ ଅନ୍ୟମାନେ ତା ସହିତ ଅନ୍ତରଙ୍ଗ ହେବାକୁ ବୃଥା ଚେଷ୍ଟା କରୁଛନ୍ତି ବୋଲି କହିଲା।ନୀଳକଣ୍ଠ ତା କଥା ଆଗ୍ରହ ରେ ଶୁଣିଲେ।ଆଶ୍ଵାସନା ବି ଦେଲେ।ଫେରିବା ବେଳେ ଗାଡି ରଖିଥିବା ଗଛ ତଳ ଅନ୍ଧାର ରେ ତାର ହାତ ଧରିନେଇ  କହିଲେ"ମୁଁ ଆସୁଚି ଊର୍ମି, ମୁଁ ପୁଣି ଆସିବି।"ନିଜ କଣ୍ଠ ସ୍ୱର ଭିନ୍ନ ଶୁଭିଲା ନିଜକୁ।ଘରକୁ ଫେରିବା ପରେ ଜୀବନ ଟା ଅଲଗା ଲାଗିଲା କିଛି।ହାଲୁକା ଓ ଫୁର୍ତ୍ତି  ଲାଗିଲା।ପୁଣି ଚାରି ପାଞ୍ଚ ଦିନ ପରେ, ସେ ପହଞ୍ଚି ଗଲେ ଉର୍ମିଳା ଘରେ।ସମ୍ପର୍କ ଧୀରେ ଧୀରେ ଏପରି ହୋଇ ଉଠିଲା ଯେ, ସେ ଭାବିଲେ ଉର୍ମିଳା ଓ ସେ ପରସ୍ପର କୁ ଗଭୀର ଭାବେ ପ୍ରେମ କରୁଛନ୍ତି।ଉର୍ମିଳା ତ ଅତି ସହଜରେ  ପ୍ରତ୍ୟୁତ୍ତରଦେଇଥିଲା।, କାହିଁକି?ଅଧସ୍ତନ କର୍ମଚାରୀ ବୋଲି ନା ତାଙ୍କଠୁ ଫାଇଦା ନେବ ବୋଲି ନା ସତରେ ଭଲ ପାଉଥିଲା?


ନୀଳକଣ୍ଠ ଙ୍କର ମନେ ପଡ଼ିଲା ଉର୍ମିଳା ଘରେ ସେ ଏଯାଏଁ ବିତାଇଥିବା ଗୋପନୀୟ ମୁହୂର୍ତ୍ତର ସ୍ମୃତି।ସେ ତାଙ୍କର ଶୋଇବା ଘର କାନ୍ଥ ଆଲମିରା ଓ ଷ୍ଟିଲ ଆଲମିରା ମଝିରେ ଥିବା ଫାଙ୍କକୁ ଟର୍ଚ୍ଚ ମାରିଲେ।ସେଠି ଥାଏ ଗୋଟିଏ ବୁଢିଆଣି ଜାଲ, ବହୁତ ଦିନ ହେଲାଣି କେହି ଝାଡ଼ି ଦେଇନି।ସେ ଫାଙ୍କ ଏତେ ଛୋଟ ଯେ କେହି ଦେଖି ପାରନ୍ତି ନାହିଁ।ମଇଳା ଅଳନ୍ଧୁ ମିଶା ଜାଲଟି ଦେଖା ଗଲା।ଝିଟିପିଟିଟାଏ ଆଖି ମେଲାଇ ଚାହିଁଛି ସେ ଆଡେ ,ଏଇ ଫାଂକଟି ,ଏଇ ଜାଲଟି ତାଙ୍କ ଦେହରେ ରୋମାଞ୍ଚ ସୃଷ୍ଟି କରେ।ଏଇଟା ଦେଖିଲେ ହିଁ ସେ ଉର୍ମିଳା ଘରର ସେ ଗୋପନ ମୁହୂର୍ତ୍ତର ସ୍ୱାଦ ପୁନର୍ବାର ଅନୁଭବ କରନ୍ତି।ଅନ୍ଧାରୁଆ ହୋଇ ଆସେ ଚାରିଆଡ଼।ପାଦ ପାଖରୁ ଉଠି ଆସେ ଚମକ ଟିଏ।ଦେହ ଯାକ ଗୁଡେଇ ହୋଇ ଯାଏ ସରୁ ଜାଲ, ସଲ ସଲ କରେ ବୁଢିଆଣି ଟା ଯେମିତି,ବେକ ପାଖରେ, ପେଟ ପାଖରେ ଆହୁରି ତଳକୁ ବେଳେ ବେଳେ।ଏ ଅଭିଜ୍ଞତା ପ୍ରେମ ନୁହେଁ?ଉର୍ମିଳା ଖାଲି ଦୟାର ପାତ୍ରୀ, ଆଉ କିଛି ହୋଇ ପାରେନା?ନୀଳକଣ୍ଠ ଙ୍କର ଅହଙ୍କାର ଆହତ ହେଲା।ସେ ଏତେ ବଡ ଲୋକ, ସୁନ୍ଦରୀ ଶିକ୍ଷିତା ସ୍ତ୍ରୀ, ଗାଡି ଘର ,କଣ ନାହିଁ ତାଙ୍କର?ଅଥଚ ସେ ଜଣେ ଅସହାୟ ଟାଇପିଷ୍ଟ ପାଖରେ ପୌରୁଷ ଜାରି କରୁଛନ୍ତି?ଉର୍ମିଳା ଜଣେ ଯୋଗ୍ୟ ନାରୀ ହୋଇ ଥିଲେ ସୁରମା ତାକୁ ଈର୍ଷା କରିନଥାନ୍ତା?ସୁବୋଧ ପରି ପିଲାର ଯୋଗ୍ୟ ବି ନୁହେଁ ସେ?ସୁରମା ତ କଥାଟା ହସି ଉଡେଇ ଦେଲା?କି ଲଜ୍ଜାର କଥା।ଉର୍ମିଳା ଯଦି ଭାବୁଥାଏ ସେ ତା ବ୍ୟତୀତ ବଂଚି ପାରିବେନି ବୋଲି?ନା ଫାଇଦା ଉଠାଉଛନ୍ତି ବୋଲି?ଆହା, ବିଚାରୀ।

ସେଦିନ ରବିବାର ଥିଲା।ଘର ଝଡା ହେବା ଆଗରୁ, ସେ ଫାଙ୍କରେ ହାତ ପୁରାଇ ଜାଲଟିକୁ ଉଠାଇ ଆଣିଲେ।ବୁଢ଼ିଆଣି ନଥିଲା।କି ପାଗଳାମି, ଏଥିରୁ ପୁଣି ତାଙ୍କୁ ଉତ୍ତେଜନା ମିଳେ!ଉର୍ମିଳା କୁ ମୁହୁର୍ତେ ପାଇଥିବାର ସ୍ୱାଦ ପୁଣି ମିଳେ ଏଥିରୁ।ସେ ନିଜର ଦୁର୍ବଳତା କୁ କ୍ଷମା କରି ପାରିଲେ ନାହିଁ।ସେଦିନ ସନ୍ଧ୍ୟାରେ ଉର୍ମିଳା ଘରେ ପହଁଚିଲେ।ସେ ବୋଧେ ତାଙ୍କୁ ଆଶା କରିନଥିଲା।


"ବସନ୍ତୁ"କହି ସେ ଲୁଗା ବଦଳାଇବାକୁ ଗଲା।ତାପରେ ଆସି ତାଙ୍କ ପାଖରେ ବସିଲା ଡିଭାନ ଉପରେ।ନୀଳକଣ୍ଠ ଏଥର ତାକୁ ଆଉଜାଇ ନେବାର କଥା।ଏଥର ତଣ୍ଟିମୂଳ ଶୁଖି ଯିବାର କଥା।କାନ ମୂଳ ତାତି ଉଠିବାର କଥା।ବୁଢିଆଣି ସଲ ସଲ କରିବାର କଥା, ଏଠି ସେଠି।ଅନ୍ଧାର ଘେରି ଆସିବା କଥା, ଓ ତାପରେ.... କିଛି ହେଉନାହିଁ କାହିଁକି?ଦିଶୁଚି ଉର୍ମିଳା ର କରୁଣ ଆଖି ଦୁଇଟି, ଅସଜଡ଼ା ଶୀର୍ଣ୍ଣ ବେଣୀ ଦିଶୁଚି ,ଧୂସର, କିଛି ଚିକମିକ ପାଚିଲା ବାଳ।ବ୍ରେସିଆରର ମଳିଆ ଫିତା ଦିଶୁଚି କାନ୍ଧରେ।ସେ ତାର ପାଦ ଦୁଇଟିକୁ ଛାଟୁଛି।ପାଦ ନଖରୁ ଅଧା ନେଲପଲିସ ଛାଡି ଯାଇଛି।ଉର୍ମିଳା  ନୀଳକଣ୍ଠ ଙ୍କ ହାତ ଦୁଇଟିକୁ କୋଳକୁ ନେଇ ଏପାଖ ସେପାଖ କଲା।ତା ହାତରେ ଶୀରା ଦିଶୁଥିଲା।ସେ ତାଙ୍କ ହାତକୁ ନେଇ ଗାଲରେ ଜାକି ଧରିଲା।ନୀଳକଣ୍ଠ ଜାଣିଲେ ଉର୍ମିଳା ଚାହୁଁଛି  ସେ ତାକୁ ସବୁଥର ଭଳି ବ୍ୟବହାର କରିବେ।ଆଶ୍ଚର୍ଯ୍ୟ ର କଥା ଯେ ଉର୍ମିଳା ପ୍ରତି ପ୍ରବଳ ଦୟା ହେଲା ତାଙ୍କର।ଉର୍ମିଳା ତାଙ୍କ ଛାତିରେ ମୁହଁ ଗୁଂଜି କାନ୍ଦିଲା।କାହିଁକି ସେ କାନ୍ଦେ?ଆହା, ଆଜିହିଁ ତାକୁ ସେ ମୁକ୍ତି ଦେଇଦେବେ।ସେ କହିଲେ'ଉଠ, ଉର୍ମି ତମକୁ କିଛି କହିବାର ଅଛି ମୋର।""କଣ"?" ଉର୍ମିଳା କାବା ହୋଇ ପଚାରିଲା।


"ଜାଣିଛ ମୋତେ ଭାରି ଦୋଷୀ ଲାଗୁଚି ଏବେ।ତମ ପ୍ରତି ମୁଁ ଭାରି ଅନ୍ୟାୟ କରୁଛି ଲାଗୁଚି।ତମର ମୋ ପ୍ରତି ଘୃଣା ହେଉଥିବ, ନୁହେଁ?"
"ହେଃ, ମୁଁ ଆପଣଙ୍କୁ ଭଲପାଏ ଆପଣ ଜାଣନ୍ତି।"
"ମୁଁ ବି ତମକୁ ଭଲପାଏ।ତା ବୋଲି କଣ ତମକୁ ଏମିତି ଅସୁବିଧା ରେ ପକାଇବା ଠିକ ?।ମୁଁ ତମକୁ ମୋ କବଳରୁ ମୁକ୍ତି ଦେବାକୁ ଚାହେଁ ଊର୍ମି, ସତ କହୁଛି।"ନୀଳକଣ୍ଠ କିଛିଟା ବୁଝାଇବା ପରି ଓ ଅନୁନୟ କରି କହିଲେ।
"କବଳରୁ'ମୁକ୍ତି' ଏସବୁ କଣ ଏମିତି କହୁଛନ୍ତି ନୀଳକଣ୍ଠ?ଉର୍ମିଳା ପଚାରିଲା"କଣ ହେଲା, ସୁରମା ଅପା କାଲି ସନ୍ଦେହ କଲେ କି?"
"ନାଇଁ ନାଇଁ, ସେମିତି ନୁହେଁ,  ଓଲଟି ତମ ପ୍ରତି ଭାରି ସହାନୁଭୂତି  ତାର।କହିଛି ପରଦିନ ତାର ଜନ୍ମ ଦିନରେ ତୁମକୁ ନେଇଯିବାକୁ।ତମେ ତାର ସାନ ଭଉଣୀ ବୋଲି କହିଲା ପରା।"

ଚମକି ପଡିଲା ଉର୍ମିଳା।କଣ ହୋଇଚି ୟା ଙ୍କର ଆଜି?
"ଶୁଣ ଉର୍ମିଳା, ମତେ ତମେ କ୍ଷମା କରିଦିଅ।ତମେ ନିଜ ଗୋଡ଼ରେ ଠିଆ ହେବାକୁ ଚାକିରୀ କରିଛ, ପରିଶ୍ରମ କରୁଚ, ମୋର ଅନୁଗ୍ରହ ତମକୁ ଏଠାରେ ରଖିନାହିଁ।ତମେ ମୋ କବଳରେ ନାହଁ।ତମେ ମୁକ୍ତ ,ସ୍ୱାଧୀନ।ଆମେ ଦୁହେଁ ସ୍ନେହ ସୌହାର୍ଦ୍ଦ୍ୟରେ ରହି ପାରିବା, ନୁହେଁ?କଣ ଆଜି ଯିବା ଆମ ଘରକୁ ନା ପରଦିନ?"
ଭାରି ସହଜ ଓ ଖୋଲା ଲାଗିଲା ନୀଳକଣ୍ଠ ଙ୍କୁ।ସତେ କି ସେ ମହା ପୁରୁଷ।କେତେ ଶୀଘ୍ର ନିଜକୁ ଶାସନ କରିପାରିଲେ।ଦୁର୍ବଳତା ରୁ ମୁକ୍ତ ହେଲେ।ଉର୍ମିଳା କୁ ବି ଏ କୁତ୍ସିତତା ଭିତରୁ ମୁକ୍ତି ଦେଇଦେଲେ।

କଣ କରିବାର ଥିଲା ଉର୍ମିଳା ର?ସାରା ସତ୍ତା ଆବୋରି ଉଠି ଆସୁଥିବା ଏ ଉଦ୍ଦାମତା ,ଉତ୍ତେଜନା, ନିଜକୁ ହରାଇଦେବାର ଏ ବ୍ୟାକୁଳ ଇଚ୍ଛାକୁ ସେ କିମିତି ସମ୍ଭାଳିବ ଏଇନା?ଅପମାନରେ ତା ଦେହ ରେ ନିଆଁ ଲାଗିଗଲା।ଦେହର ଶିରା ପ୍ରଶିରା ଟଣକି ଉଠିଲା।ଏଇଯେ ଭୋକ ପରି ଏକ ତୀବ୍ର ଅନୁଭବ, ତଳି ପେଟ ପାଖରେ କିଛି ଗୋଟାଏ ମୋଡି ହୋଇ ଜମାଟ ବାନ୍ଧି ଯିବାର ଯନ୍ତ୍ରଣା, ସେ କିମିତି ସମ୍ଭାଳିବ ଏଇନା?ଏଭଳି ଅବସ୍ଥା ରେ ସେ ହଠାତ୍  ସାନ ଭଉଣୀ ହୋଇଯିବ?ହଠାତ ରୂପାନ୍ତରିତ ହୋଇ ଯାଇଥିବା ଜଣେ ଗୁରୁଜନ, ଭାତୃ ସ୍ଥାନୀୟ ବ୍ୟକ୍ତି ଙ୍କୁ କିମିତି ସମ୍ଭାଳିବ ଏଇନା?ସେ 
 ପ୍ରେମିକା ରୁ ଏଭଳି ଅବସ୍ଥାରେ ସାନ ଭଉଣୀ ହୋଇଯିବ?
"ଆଉ ଦିନେ ଯିବି"ଏତିକି ଛଡା ଆଉକିଛି କହି ପାରିଲା ନାହିଁ ଉର୍ମିଳା।ଗାଡ଼ିରେ ବସିଲା ବେଳେ ନୀଳକଣ୍ଠ ତାର ପିଠି ରେ ହାତ ମାରି କହିଲେ"ଆସିବ, ନିଶ୍ଚେ, ମୁଁ ଆସି ତମକୁ ନେଇଯିବି।"

କେତେଶୀଘ୍ର ସବୁ କିଛି ହରାଇ ପକାଇଲା ଉର୍ମିଳା।ଚାରିଆଡ଼ ଖାଁ ଖାଁ ,ନିଛାଟିଆ।କାହିଁକି ତା ଲାଗି ଏମିତି ସବୁ ହେଲା?ବଡ ଭଉଣୀ ଭଲ ପଢିଲା ,ଡାକ୍ତର ହେଲା, ବାହା ହେଲା।ସେ କାହିଁକି ଏ ଛୋଟ ଗୋଟିଏ ଚାକିରୀ ରେ ରହିଲା?ମା ମରିଗଲେ ଅବେଳରେ, ବାପା ଅନ୍ଧ ହୋଇ ଭଉଣୀ ପାଖରେ ରହିଲେ।ସବୁ ତ ପ୍ରାୟ ଦେଇଛନ୍ତି ନିର୍ମଳାକୁ।ଗାଁ ରେ ଗୋଟିଏ ଚାଳ ଘର ଓ ନଡ଼ିଆ ଗଛ କେବଳ ଅଛି ତା ନାଁ ରେ।ଜମି ଅଛି ବାପାଙ୍କ ନାଁ ରେ।ଡାଲି ଚାଉଳ ନିର୍ମଳା ନିଏ।ବାପା ବାଧ୍ୟ ହୋଇ ଝିଅ ପାଖେ ରହିଲେ।ସେ କାହିଁକି ଏମତି ବଂଚିଛି?ଆତ୍ମହତ୍ୟା କରିଦେବ କି? ବିଚରା ବାପା କଣ ସହି ପାରିବେ?ଫୋନ ରେ ପଚାରନ୍ତି" କେବେ ଆସିବୁ ମା। ମନେ ପଡୁଛୁ।"


ତେବେ କଣ ଉର୍ମିଳା କାଲି ସକାଳ ଦଶଟା ବେଳେ ଅଫିସ ଯିବ?ସ୍ୱାଭାବିକ ଭାବରେ କାମ କରିବ ହସି ହସି।ସୁବୋଧ ହାତରେ ରାକ୍ଷୀ ବାନ୍ଧିଦେଵ, ନୀଳକଣ୍ଠ ଙ୍କ ସ୍ତ୍ରୀଙ୍କୁ ଡାକିବ ସୁରମା ଅପା?,ପୁଣି ହୁଏତ ସୁବୋଧ, କିଛି ଛଦ୍ମ ପରିଚୟ ନେଇ ତାର ସାହଚର୍ଯ୍ୟ ମାଗିବ।ନୀଳକଣ୍ଠ ତାକୁ ପରିହାସ କରିବେ ଶାଳୀ ଭଳି ,ସେଥିରେ ନେବେ କିଛି ସୁଖ, ତାରି ବାଟ ଦେଇ ଡେଇଁ ଯିବେ ନିଜର ଗତାନୁଗତିକ ଜୀବନ କୁ?ନହେଲେ କାହିଁକି ପୁଣି ସମ୍ପର୍କ ଥାପିଲେ ପୁରା ଛାଡିଦେଲେ ନାହିଁ ତାକୁ?ସେ ବି କଣ ପାଇବା ଆଶାରେ ଜାବୁଡି ଧରିଛି ଏ ଅଡୁଆ ତଡୁଆ ଅପରିଛନ୍ନ ଜୀବନକୁ?

ସକାଳେ ଦଶଟା ବେଳେ ଅଫିସ ରେ ପହଁଚିଲା ଉର୍ମିଳା।ରାତି ସାରା ନିଦ ହେଲାନାହିଁ, ଅସ୍ଥିର ଅପମାନିତ ଲାଗୁଥିଲା।ଭିତରେ ଗହୀର ଜାଗାଟିଏ ଖୋଳି ହୋଇ  ପୋଡିବା ପରି ଲାଗୁଥିଲା।ଟେବୁଲ ପାଖରେ ବସିଲା କ୍ଷଣି ପୁଣି ସ୍ୱାଭାବିକ ଲାଗିଲା।ଗୋଟିଏ କାଗଜ ଆଣି ଟାଇପ କଲା "ଉର୍ମିଳା" ଉର୍ମିଳା।ଏମତି ଦୁଇଟି ତିନିଟି ଚାରିଟି କାଗଜରେ ଲେଖି ଚାଲିଲା ଉର୍ମିଳା ଉର୍ମିଳା ଉର୍ମିଳା ,ଏଇ ମେସିନ କେତେ ସୁସ୍ଥ ,କିଛି ପ୍ରତିବାଦ ନାହିଁ, କାମ କରିଯାଏ।ସେ ଯଦି ମେସିନ ଟିଏ ହୋଇ ପାରନ୍ତା ।କେତେ ଆରାମ ଲାଗିବ ଯଦି ସେ ଜୀବନ ରେ ଯାହା ଆସୁଛି ତାହାକୁ ସେମତି ଗ୍ରହଣ କରି ପାରିବ।କେତେ ସୁବୋଧ ଆସିବେ, ନୀଳକଣ୍ଠ ଆସିବେ, ହୁଏତ ଆସିବେ ନାହିଁ।ସେଇଠୁ କଣ ହେଲା?ତାକୁ କଣ ଖୁସି ହେବାକୁ ମନା?

ଦରମା ପାଇଲେ ସୁବୋଧ ସହିତ ବୁଲି  ଯିବ, ଖାଇବ ବାହାରେ।।ସୁରମା ଓ ନୀଳକଣ୍ଠ ସହିତ ଗାଡ଼ିରେ ବସି ବଜାର କି ସିନେମା ଯାଇ ପାରିବ।ହେଡ କ୍ଲର୍କ ଙ୍କୁ ଖୋସାମତ କରି କାମ ଫାଙ୍କି  ପାରିବ ଦିନେ ଦିନେ।କଣ ଅଛି ସେଥିରେ?


ଏମିତି ଭାବିଲା ବେଳେ ନୀଳକଣ୍ଠ ସେ ବାଟ ଦେଇ ଗଲେ ନିଜ ଜାଗାକୁ।ଗୋରା ମୋଟା, ଧଳା ପେଣ୍ଟ ସାର୍ଟ ପାଳିଶ କରା ଚକ ଚକ ଜୋତା। ପର୍ଫ୍ୟୁମ ବାସ୍ନା ଖେଳି ଗଲା ଚାରିଆଡେ।ଓଃ, ନୀତିବାନ ପୁରୁଷ, ତାର ମୁକ୍ତିଦାତା। ନା ଗାତ ପଶା ମୂଷା?ପୁଣି ଅପମାନର ଭାବ ମାଡି ଆସିଲା।ସେ ଆଉ ସମ୍ଭାଳି ପାରିଲା ନାହିଁ।ମୁହଁ ମାଡି ଦେଲା ଟେବୁଲ ରେ ,ଆଖିରୁ ବୋହି ଗଲା ତାତିଲା ଲୁହ।
ସେଇଦିନ ତିନିଟା ବେଳେ ଉର୍ମିଳା ତାର ଇସ୍ତପା ପତ୍ର ଧରି ଠିଆ ହେଲା  ନୀଳକଣ୍ଠ ପାଖରେ।
"ଆରେ, ଇଏ କଣ?"
"ବାପାଙ୍କ ଦେହ ଭଲ ନାହିଁ।ଯିବି।ସେଠି ଗୋଟିଏ ଚାକିରୀ ମିଳିଛି।ସେଠି ରହିବି।ଆଜିହଁ ଯିବି।"
"ସେଠି ଚାକିରୀ?କାଇଁ ନାରଣ ତ ମୋତେ କହିନି।"
"ବାପାଙ୍କ ଦେହ ଭଲ ନାହିଁ।ମୁଁ ଯିବି।ଭାଇ ଫୋନ କରିବେ ଯେ ପରେ "
"କାଲି ସୁରମା ର ଜନ୍ମଦିନ, କହିଥିଲି ପରା।'
"ତାଙ୍କୁ କହିଦେବେ, ଯିବା ଜରୁରୀ।"
ନୀଳକଣ୍ଠ ଵ୍ୟସ୍ତ ଥିଲେ।କହିଲେ"ଯାଅ ଚାରି ଦିନ ରହି ଆସିବ।ସେଠି କି ଚାକିରୀ ମଳିବ?ବାୟଣୀ ନା କଣ।"

ଉର୍ମିଳା ରାସ୍ତାରେ ଅଟୋ ଖୋଜି ଠିଆ ହେଲା ବେଳେ ଦେଖିଲା ସୁବୋଧ କୁ।ସେ କହିଲା "କୁଆଡେ ଯାଉଛ ନାନୀ?"
"ଗାଁ କୁ।ବାପାଙ୍କ ଦେହ ଭଲ ନାହିଁ।"
"ଆରେ, ମୁଁ ଓ ରଶ୍ମି ତମକୁ ନେଇ ସନ୍ଧ୍ୟାରେ ସିନେମା ଯିବୁ ଭାବିଥିଲୁ। ଏଇନା ଟିକେଟ ପାଇଁ ଯାଉଛି ପରା।ଛାଡ, ଯୋଗ ନାହିଁ"ଦୌଡ଼ି ସ୍କୁଟର ପାଖୁ ଚାଲିଗଲା ସୁବୋଧ।
ଉର୍ମିଳା ଅଟୋ ଧରିଲା।ମନ ହେଉଥାଏ ଫେରିଯିବାକୁ।ଗାଁ ରେ କଣ କରିବ ସେ?କେତେ ଦୂରରେ ରହିଲାଣି ଅଫିସ।ସେ ପଚାରିଲା ଅଟୋ ଵାଲା କୁ।
"ଗୋଟେ ଜିନିଷ ଛାଡି ଆସିଲା ଭଳି ଲାଗୁଚି।ଫେରି ଯିବାକି?"
"ଫେରିଯିବା?ଏତେବାଟ ଆସିଗଲେଣି।କଣ ଦରକାରୀ ଜିନିଷ କି ମା?"ଅଟୋ ଚାଲୁ ଥାଏ ଜୋର ରେ।
"ଡରୁଛୁ କାହିଁକି, ପଇସା ଦେବି ଅଧିକା।"
"ପଇସା କଥା କହୁନି ମା, ମନ ସ୍ଥିର କରି ଶୁଭ ରେ ଯୁଆଡେ ବାହାରୁଛ,ଆଉ ଫେରିବା ଠିକ ନୁହେଁ।ବସ ବେଳ ବି ହେଲାଣି।"
ଅଟୋ ଵାଲା କୁ ପଚାରି ଦେଇ ଆଶ୍ୱସ୍ତ ହେଲା ଉର୍ମିଳା, କାହିଁକି କେଜାଣି।ବସ ଷ୍ଟାଣ୍ଡ ରେ ପହଁଚିଲା।


***


ଉର୍ମିଳା ର ବଡ ଭଉଣୀ ଗାଁ ରେ ମହାନଦୀ ବହି ଯାଉଛି।ଘର ଠାରୁ ଅଧା କିଲୋମିଟର ଗଲେ ପଡେ ବୁଦୁବୁଦିଆ ଜଙ୍ଗଲ, ଗିଲ ବଣ ରଙ୍ଗ ମାଟିର ବଡ ବଡ ଖାଲ ,ନାଲି ପାଣି ଭରା।ସେସବୁ ପାରି ହେଲେ ଛୋଟ ଛୋଟ ପାହାଡ଼ ଦିଶେ।ଗୋଟିଏ ମାତ୍ର ବଡ ପାହାଡ ,ତା ନାଁ ମହା ପର୍ବତ।ଏତେ ଛୋଟ ପାହାଡ଼ ନାଁ ମହାପର୍ବତ କାହିଁକି ହୋଇଚି କେଜାଣି।ଉର୍ମିଳା ପ୍ରତି ସନ୍ଧ୍ୟା ରେ ବାପାଙ୍କୁ ନେଇ ଯାଏ ସେ ପର୍ବତ ପାଖକୁ।ବାପାଙ୍କୁ ତଳେ ବସାଇ ପର୍ବତ ଚଢ଼େ।ପଥର ଧରି ଧରି ପଡି ଉଠି।କେବେ ଶାଢ଼ୀ ଚିରିଯାଏ, ପାଦ ମକଚି ହୋଇ ଯାଏ କେବେ ,ଆଙ୍ଗୁଠି ରୁ ରକ୍ତ ବହେ।ଘରେ ଗାଳି ଖାଏ, ମନା ମାନେନି। ଚଢ଼ୁ ଚଢ଼ୁ ଏବେ ସହଜ ହୋଇ ଗଲାଣି।ଶିଖର ଠୁ ଅଳ୍ପ ଦୂରରେ ଠିଆ ହୁଏ।ଖୋଲା ପବନ ବହେ ଖିଲି ଖିଲି।ଉପରେ ବିସ୍ତ୍ରୁତ ଆକାଶ।ପର୍ବତ ସାରା ଘନ ସବୁଜ ଗଛ ଭର୍ତ୍ତି।ଭାରୀ ଭଲ ଲାଗେ ସେଠି ଠିଆ ହେବାକୁ।ତଳ ଦୂର ଦିଶେ।ତଳେ କେତେ ସମସ୍ୟା, ଉପରେ କେତେ ମୁକ୍ତି।ସମସ୍ୟା ନାହିଁ, ଆଶା ନାହିଁ, ଅଭିଳାଷ ,ଦୁଃଖ କିଛିବି ନାହିଁ।ସମୟ ବି ତାର କିଛି କ୍ଷତି କରି ପାରିବନି।କିନ୍ତୁ ତଳକୁ ତ ଓଲ୍ହାଇ ବାକୁ ହେବ।ହେଉ, ଉପର ବୋଲି କିଛି ତ ଅଛି ସେତିକି ଖୁସିର କଥା ନୁହେଁ?ଏଠି ସେ କେହି ବି ନୁହେଁ।ଉର୍ମିଳା ଚୌଧୁରୀ ନୁହେଁ।ତାର ବାପା ମା ଶିକ୍ଷା ଦୀକ୍ଷା ଚାକିରୀ ଦୀନତା ଅପମାନ କିଛି ବି  ମନେ ପଡେନି ଏଠାରେ।ସେ ସବୁର କଣ ମୂଲ୍ୟ ଯଦି ଏମିତି ଜାଗାରେ ପହଂଚି ହେଉଛି?ଯେଉଁଠି ଉର୍ମିଳା ,ନୀଳ ଗଛଟି ,ଧୂସର ପକ୍ଷୀ ଟି ଭିତରେ କିଛି ଫରକ ନାହିଁ।

ଧୀରେ ଧୀରେ ତଳକୁ ଓଲ୍ହାଏ ସେ।ଘରେ ଦେଖେ ନିର୍ମଳା ଓ ନାରାୟଣ ଙ୍କ ବିଷର୍ଣ୍ଣ ମୁହଁ।"ତୁ କଣ କରିବୁ ଊର୍ମି?"ବାପା ବି କହନ୍ତି "କିଛି ତ କରିବାକୁ ହେବ ମା, ମୁଁ ମରିଗଲେ କଣ ହେବ?"


ସେଦିନ ସନ୍ଧ୍ୟାରେ ବାପା ସେଇ ପର୍ବତ ତଳେ ଏମତି ପଚାରିଲେ । ଉର୍ମିଳା ବାପାଙ୍କ ଛାତିରେ ମୁହଁ ଗୁଂଜି ଗେଲ୍ହା ହେଲା କିଛି ବେଳ । ତାପରେ ଦୌଡ଼ି ଦୌଡ଼ି ପର୍ବତ ଚଢ଼ିଗଲା।ଶିଖର ଠୁ ଅଳ୍ପ ଦୂରରେ ଦୁଇଟି ପଥର କୁ ଧରି ଠିଆ ହେଲା।ବୁଡି ଯାଉଥିବା ସୂର୍ଯ୍ୟଙ୍କର ରଙ୍ଗ ଵିନ୍ୟାସ କୁ ଧରିବାକୁ ମେଘ ଖଣ୍ଡ ଜମିଛନ୍ତି ପର୍ବତ ଚୂଡା ରେ।କି ସୁନ୍ଦର।ମନେ ମନେ ସେ ବିଚିତ୍ର ଆକାଶ କୁ ଛୁଇଁଲା ସେ।ଦିନେ ସେ ଆସିବ, ଅତି ଭୋରରୁ।  ସେଦିନ ସୂର୍ଯ୍ୟ ଉଇଁବ ତାର ହାତ ପାନ୍ତା ରେ।ସେ ନିଶ୍ଚୟ ଛୁଇଁବ ଉଦିତ ସୂର୍ଯ୍ୟକୁ।ତଳେ ଦେଖିଲା ଅନ୍ଧ ବାପା ତାକୁ ଚାହିଁଛନ୍ତି ସିଧା।ସେ ପାଟି କରି ଡାକିଲା "ବାପା"।ପ୍ରତିଧ୍ୱନି ଫେରି ଆସି ବାଡେଇ ହେଲା ପଥର ରେ।ସେ ଖୁସି ହୋଇ ଚାହିଁଲା ଆକାଶ କୁ।ପୁଣି ଡାକିଲା "ବା ପା।"ଜୋର ରେ ଦି ଥର ତିନିଥର ଡାକିଲା ବା...ପା।


ଉର୍ମିଳା କଣ କରିପାରିଥିଲା ତାର ଜୀବନ ରେ,କଣ କରିବାକୁ ଚାହୁଁଥିଲା, କଣ କରିବ ଭବିଷ୍ୟତ ରେ,ତାର ବାପା ବୁଝିଥିଲେ କି ନାଇଁ, ଝିଅର ପିଲାଳିଆ ପାହାଡ ଚଢା ତାଙ୍କର ଅନ୍ଧ ଆଖି ଦେଖି ପାରୁଥିଲା କି କଣ କେଜାଣି, ତାଙ୍କ ପାକୁଆ ଗାଲରେ ହଠାତ ପୁରି ଉଠିଲା ହସ, ଏତେ ହସ ଏମିତି ହସ, ସେ ଅନେକ ବର୍ଷ ଧରି ହସି ନଥିଲେ ନିଶ୍ଚୟ।