କନ୍ଧମାଳ-୨୦୦୮
ସେମାନେ ସମସ୍ତେ ମିଶିଗଲେ
ଯାହାକୁ ମୁଁ ଦାଦା କହୁଥିଲି,
କାକା କହୁଥିଲି,
ଯିଏ ମୋ ପ୍ରେମରେ ଦିଵାନା ସାଜିଥିଲା, ସିଏ !
ଏପରିକି ଯିଏ ମତେ ସ୍କୁଲରେ ପାଠ ପଢେଇଥିଲେ
ସମସ୍ତେ ମଶିଗଲେ ।
ସେମାନେ ଖଣ୍ଡା, ତ୍ରୀଶୂଳ, ଲାଠି ଧରି ଖୋଜୁଥିଲେ
ଈଶ୍ଵରଙ୍କ ସତ୍ତାକୁ, ସମ୍ପତିକୁ ।
ସେମାନେ ଘରେ ପଶି
କଳାକନା ଵୁଲେଇ ଦେଉଥିଲେ,
ଏମିତିକି ଡିହ ପାଇଁ
ଘରେ ନଙ୍ଗଳ ଵୁଲେଇ
ମକା , ଗୁର୍ଜି, ମାଣ୍ଡିଆ ଵୁଣି ଦେଉଥିଲେ ।
ମୁଁ ଚଟାପଟ୍
ଫୋଟ, ଲକେଟ, କ୍ରସ ଚିହ୍ନକୁ
କୂଅ ଭିତରକୁ ଫିଙ୍ଗିଦେଇ
ଈଶ୍ଵରଙ୍କ ସତ୍ତାକୁ ଗିଳିଦେଲି ।
ସେମାନେ ଖୋଜୁଥିଵା ଜିନିଷ ପାଇଲେନି
ପରେ, ଜଣେ ପରେ ଜଣେ
ମୋର ଠେକୁଆ ମାଂସ ଭଳି ନରମ ଦେହରୁ
ଛାଲ ଉତାରିଲେ ।
ପାଖ ପଡିଶାରେ ଯାହାକୁ ମୁଁ ନାନୀ ଡାକୁଥିଲି
ଆଈ ଡାକୁଥିଲି, ମାଉସୀ ଡାକୁଥିଲି
ସମସ୍ତେ ଠିଆ ହୋଇଥିଲେ ଘର ଆଗରେ
ସମସ୍ତଙ୍କ ଆଖି ପହଁରୁଥିଲା ଏ କୋଣରୁ ସେ କୋଣ
କିଏ କଣ ନେଵ ତାକୁ ହିଁ ହିସାଵ କରୁଥିଲେ ।
ସେତେଵେଳେ
ମୁଁ କେତେ କାକୁତି ମିନତି ହେଲି
ଵଳି ପଡୁଥିଵା ବୋଦା, କୁକୁଡା ପରି
ରଡି଼ କରି ଫଡ଼ଫଡ଼ଉ ଥିଲି
କେହି ଶୁଣିଲେନି
ସେମାନେ ଜିଭରେ ଚାଟିନେଲେ
ମୋର ଉଣେଇଶି ବର୍ଷ,
ମୋର ପାପୁଲି, ପାଦ, ଜିଭ କାଟି ଦେଇ
ଦରମରା କରି ଛାଡି଼ଦେଲେ ।
ସତରେ
ଠାକୁର ଏବଂ ଈଶ୍ଵରଙ୍କ
ରକ୍ତ, ମାଂସ, ଶରୀର
କ'ଣ ସଵୁ ଅଲଗା ଅଲଗା !