ଜଗନ୍ନାଥ ପ୍ରସାଦ ଦାସଙ୍କ ଦୁଇଟି କବିତା
(ଆଜି ଓଡିଆ କବିତା ଓ କଥା ସାହିତ୍ୟର ଅନ୍ୟତମ ନାୟକ ଜଗନ୍ନାଥ ପ୍ରସାଦ ଦାସଙ୍କର ୮୮ ତମ ଜନ୍ମଦିନ । କବିତା, କାହାଣୀ, ଉପନ୍ୟାସ, ନାଟକ, ପ୍ରବନ୍ଧ, ଆଲୋଚନା, କଳା ଓ ସଂସ୍କୃତିର ଇତିହାସ ରଚନା, ଶିଶୁ ସାହିତ୍ୟ, ଚିତ୍ରକଳା ଏବଂ ସାହିତ୍ୟ ସଂଗଠନ- ଏମିତି ସବୁ କ୍ଷେତ୍ରରେ ନିଜର ଉଲ୍ଲେଖନୀୟ ଅବଦାନ ରଖିଥିବା ଜେପି ଆମ ସାହିତ୍ୟର ଏକ ସ୍ଵୟଂ ସଂପୂର୍ଣ୍ଣ ଅନୁଷ୍ଠାନ । ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ତାଙ୍କର ଦୁଇଟି କବିତା । )
ଦେହ
କେବଳ ମନ ହିଁ ତିଆରି କଲା
ପ୍ରେମ ବିରହ ଏବଂ ଆଶଙ୍କା
କେବଳ ହୃଦୟ ଦେଇଗଲା
ସେଥିରୁ ଉଦ୍ଭବ ଯେତେ ଶୋକ
ଇନ୍ଦ୍ରିୟ ଦେଇଗଲା
ଉପଲବ୍ଧି କରିବାର ଆନନ୍ଦ
ଦେହ ଦେଇଗଲା
ଅଙ୍ଗୀକାର କରିବା ଭଳି ଅର୍ଥ
ଆଖିର ଧ୍ରୁବତାରାର ସତ୍ୟକୁ ଛୁଆଁଇ
ଦେହ ଦେଇଗଲା ଦିଗଭ୍ରାନ୍ତକୁ ଆଶ୍ଵାସନା
ବାଲି ଉପରେ ଲେଖିଗଲା ସାକ୍ଷାତର ସମୟ
ମନ ଆସି ମୁହୂର୍ତ୍ତକେ ସବୁ ଲିଭାଇ ଦେଲା
ମନ ଭିତରର ସବୁ ସ୍ଵପ୍ନର କ୍ଷଣିକତା
ଦେହ ଭିତରେ ଅବିନଶ୍ଵର ରହିଗଲା
କାଗଜର ଦେବୀ
ତମ ସହିତ ପରିଚୟ
ପ୍ରେମକବିତାର ପଂକ୍ତି ଦେଇ
ତମକୁ ଘନିଷ୍ଠ ଭାବରେ ଜାଣିବା ସହଜ ନୁହେଁ
ତମ ଉପରୁ ସ୍ଵର ଓ ବ୍ୟଞ୍ଜନ ବର୍ଣ୍ଣର
ସାଜସଜ୍ଜାକୁ ଖୋଳିନେବା ଅସମ୍ଭବ
ତମକୁ ବିବସ୍ତ୍ର ଦେଖିବା ସ୍ଵପ୍ନ ମାତ୍ର
ତମର ମୁହଁ ଉପରୁ ପଣତ ଖୋଲିବା ବେଳେ
ଅଥବା ଛାତି ଉପରୁ ଶାଢୀ
ତମେ ପୁଣି ତମ ଚାରିପାଖେ ବେଢାଇ ନିଅ
ଅତି ଅନ୍ତରଙ୍ଗ ଭାବରେ
ପ୍ରତୀକ ଓ ସଙ୍କେତର ଓଢଣା
ରୂପକ ଓ ବିମ୍ବର ପୋଷାକ
ତମ କଥାର ସାଜସଜ୍ଜା
ଏବଂ ତମର ସଂଳାପର ଅସରନ୍ତି ଶାଢୀ ଭିତରୁ
ହେ କାଗଜର ଦେବୀ
ତମକୁ ମୌଳିକ ରୂପରେ
ଆବିଷ୍କାର କରିବା ସମ୍ଭବ ନୁହେଁ
( ଜେପି ତାଙ୍କ କବିତାରେ କମା, ପୂର୍ଣ୍ଣଚ୍ଛେଦ କିମ୍ବା ଅନ୍ୟ କୌଣସି ସଙ୍କେତ ବ୍ୟବହାର କରନ୍ତି ନାଇଁ । ତାଙ୍କ କବିତା ଏକ ବିରାମହୀନ ଅସରନ୍ତି ପ୍ରବାହ । )