ସତ୍ୟପାଲ ମଲ୍ଲିକଙ୍କୁ ଅମିତ ଶାହାଙ୍କ ପ୍ରଶ୍ନ ଇ ଭୁଲ !!

ସତ୍ୟପାଲ ମଲ୍ଲିକଙ୍କୁ ଅମିତ ଶାହାଙ୍କ ପ୍ରଶ୍ନ ଇ ଭୁଲ !!

ଜାମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ଯିଏକି ଅନ୍ୟ ୪ଟି ରାଜ୍ୟରେ ମଧ୍ୟ ରାଜ୍ୟପାଳ ରହିଛନ୍ତି, ସେ ୨୦୧୯ ଫେବୃଆରୀରେ ପୁଲୁୱାମାରେ ହୋଇଥିବା ସନ୍ତ୍ରାସବାଦୀ ଆକ୍ରମଣ ସଂକ୍ରାନ୍ତରେ ଏକ ଭୟଙ୍କର ବା ବିସ୍ଫୋରକ ତଥ୍ୟ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ପ୍ରକାଶ କରିବା ପରେ ସରକାର ବା ପ୍ରଧାନମନ୍ତ୍ରୀ ତାହାର କୌଣସି ଉତ୍ତର ଦେଇନଥିବା ସମୟରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରଶ୍ନ କରିଛନ୍ତି ଯେ ସତ୍ୟପାଲ୍ ମଲିକ ରାଜ୍ୟପାଳ ଥିଲାବେଳେ ଏହି ବିସ୍ଫୋରକ ମନ୍ତବ୍ୟ ପ୍ରଦାନ କଲେନାହିଁ କାହିଁକି? ଅମିତ ଶାହାଙ୍କ ପ୍ରଶ୍ନ ହେଲା ଯେ ରାଜ୍ୟପାଳ ପଦବୀ ଛାଡ଼ିବା ପରେ ଶ୍ରୀ ମଲିକ ଏପରି ମନ୍ତବ୍ୟ କାହିଁକି ଦେଉଛନ୍ତି?

ଯେତେବେଳେ ୪୦ ସୁରକ୍ଷାବାହିନୀ ସେହି ସନ୍ତ୍ରାସବାଦୀ ବିସ୍ଫୋରଣରେ ପ୍ରାଣ ହରାଇଲେ, ସେତେବେଳେ ତାଙ୍କର ଆତ୍ମା କାହିଁକି ଜାଗ୍ରତ ନହେଲା? ଏପରି ଲୋକର ବିଶ୍ୱସନୀୟତା ନେଇ ପ୍ରଶ୍ନ ଉଠିବା ଦରକାର । କାରଣ ସେ ଶାସନ ବ୍ୟବସ୍ଥାରେ ଥିଲାବେଳେ ଏତେବଡ଼ ବୟାନ ବା ସୂଚନା କାହିଁକି ଦେଲେନାହିଁ? କିନ୍ତୁ ସତ୍ୟପାଲ୍ ମଲିକ ଏହି ବିସ୍ଫୋରଣ ଘଟଣା ପରେ ପରେ ପ୍ରଧାନମନ୍ତ୍ରୀଙ୍କୁ ଟେଲିଫୋନ୍ କରି ଜଣାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ସେତେବେଳେ ଡିସ୍କଭରୀ ଚ୍ୟାନେଲ୍ ପାଇଁ ବ୍ୟସ୍ତ ଥିବାରୁ ପରେ ତାଙ୍କୁ ଟେଲିଫୋନ୍ କରିବା କ୍ଷଣି ସେ କହିଥିଲେ ଯେ ସରକାରଙ୍କ ଭୁଲ ଯୋଗୁ ଏତେବଡ଼ ଦୁଃଖଦ ଘଟଣା ହେଲା । ୪୦ ଯବାନ ଶହୀଦ ହେଲେ । ସେମାନଙ୍କୁ ଯଦି ଜାମ୍ମୁରୁ ଶ୍ରୀନଗରକୁ ବିମାନ ଯୋଗେ ଅଣାଯାଇଥାନ୍ତା, ତେବେ ଏପରି ଦୁର୍ଘଟଣା ହୋଇନଥାନ୍ତା । ଏଥିପାଇଁ ସିଆରପିଏଫ୍ ୫ଟି ବିମାନ ମାଗିଥିଲେ ମଧ୍ୟ ତାହା ସେମାନଙ୍କୁ ଦିଆଗଲା ନାହିଁ । ଆମର ଗୁଇନ୍ଦା ବ୍ୟବସ୍ଥା ମଧ୍ୟ ସଂପୂର୍ଣ୍ଣ ଭୁଲ ଥିଲା ।

କିନ୍ତୁ ପ୍ରଧାନମନ୍ତ୍ରୀ ଏହା ଶୁଣିବା ପରେ ନିର୍ଦ୍ଦେଶ ଦେଇଥିଲେ ଯେ ଏ ସଂପର୍କରେ ସେ ଆଉ କାହାରିକୁ କିଛି ନକହି ଚୁପ୍ ରୁହନ୍ତୁ । ପରେ ଜାତୀୟ ସୁରକ୍ଷା ପରିଷଦର ପରାମର୍ଶଦାତା ଅଜିତ ଡୋଭାଲ୍ ମଧ୍ୟ ଟେଲିଫୋନ୍ କରି ପାକିସ୍ତାନ ମୁଣ୍ଡରେ ସମସ୍ତ ଦୋଷ ଯାଉଥିବାରୁ ସେ ଏ ସଂକ୍ରାନ୍ତରେ କିଛି ନକହି ଚୁପ୍ ରୁହନ୍ତୁ ବୋଲି ପରାମର୍ଶ ଦେଇଥିଲେ । ତାହା ସତ୍ତ୍ୱେ ସତ୍ୟପାଲ୍ ମଲିକ ଗଣମାଧ୍ୟମ ସହିତ ଆଲୋଚନା ସମୟରେ ଗୁଇନ୍ଦା ବିଭାଗର ବିଫଳତା ନେଇ ସ୍ପଷ୍ଟ ଭାବେ ମତ ଦେବା ସହିତ ପାକିସ୍ତାନରୁ ଆସିଥିବା ୨୫୦ କିଲୋଗ୍ରାମରୁ ଅଧିକ ଆର୍‌ଡିଏକ୍ସ ଥିବା ଗାଡ଼ିଟି କିପରି ୧୦ଦିନ କାଳ ସେହି ଅଞ୍ଚଳରେ ବୁଲିବାକୁ ସକ୍ଷମ ହେଲା, ତାହାନେଇ ପ୍ରଶ୍ନ କରିଥିଲେ । ମଲିକଙ୍କ ମତକୁ ଉଦ୍ଧାର କରି ଅନେକ ଗଣମାଧ୍ୟମ ସେହି ଖବରକୁ ସେତେବେଳେ ଅର୍ଥାତ୍ ୨୦୧୯ରେ ପ୍ରକାଶ କରିଥିଲେ । ତେଣୁ ରାଜ୍ୟପାଳ ପଦରୁ ଯିବା ପରେ ମଲିକ ଏକଥା କହୁଛନ୍ତି କହିବା ସଂପୂର୍ଣ୍ଣ ଭୁଲ ହେବ ।

ଅସଲକଥା ହେଉଛି, ପ୍ରଧାନମନ୍ତ୍ରୀ ସେତେବେଳେ ସତ୍ୟପାଲ୍ ମଲିକଙ୍କୁ ଚୁପ୍ ରହିବା ପାଇଁ କହିଥିଲେ ନା ନାହିଁ । ଏକଥା ମଧ୍ୟ ସତ୍ୟପାଲ୍ ମଲିକ ଜାମ୍ମୁ-କାଶ୍ମୀର ରାଜ୍ୟପାଳ ପଦବୀ ଛାଡ଼ିବା ପରେ ପରେ ଯେତେବେଳେ ସେ ଅନ୍ୟ ରାଜ୍ୟରେ ରାଜ୍ୟପାଳ ଥିଲେ ତାଙ୍କୁ ଦୁଇଟି ଘଟଣାରେ ୩୦୦ କୋଟି ଟଙ୍କାର ଲାଞ୍ଚ ପାଇଁ ପରୋକ୍ଷ ପ୍ରସ୍ତାବ ଦିଆଯାଇଥିବା ସଂକ୍ରାନ୍ତରେ ମନ୍ତବ୍ୟ ଦେଇଥିଲେ । ଏହି ଘଟଣାରେ ଆର୍‌ଏସ୍‌ଏସ୍‌ର ଜଣେ ବରିଷ୍ଠ କର୍ମକର୍ତ୍ତା ତାଙ୍କୁ ଭେଟିବା କଥା ମଧ୍ୟ ସୂଚନା ଦେଇଥିଲେ । ଏବେ ସେ ସଂକ୍ରାନ୍ତରେ ସେ ଅଧିକ ଭାବରେ ସାକ୍ଷାତକାରରେ କହିଛନ୍ତି । ଆରଏସ୍‌ଏସ୍ କର୍ମକର୍ତ୍ତାଙ୍କ ନାମ ରାମ ମାଧବ ବୋଲି ସେ ସ୍ପଷ୍ଟ କରିବା ଫଳରେ ସେ ମଧ୍ୟ ଏକ ମାନହାନି ମାମଲା କରିବେ ବୋଲି ନୋଟିସ୍ ଦେଇଛନ୍ତି । ତାଙ୍କ ଅଭିଯୋଗ ଉପରେ ଏବେ ସିବିଆଇ ତଦନ୍ତ କରି ତାଙ୍କଠାରୁ ତଥ୍ୟ ମାଗିବା ପାଇଁ ନୋଟିସ ପଠାଇଛନ୍ତି । ସିବିଆଇ ଏତେଦିନ ଧରି କାହିଁକି ନିରବ ଥିଲା ବୁଝାପଡୁନି ।

ସତ୍ୟପାଲ୍ ମଲିକ ୨୦୧୯ ଅକ୍ଟୋବର ପର୍ଯ୍ୟନ୍ତ ଜାମ୍ମୁ-କାଶ୍ମୀର ରାଜ୍ୟପାଳ ଥିଲେ ଓ ସେଠାରେ ତାଙ୍କରି ସମୟରେ ୩୭୦ ଧାରା ଉଚ୍ଛେଦ ହେବା ସହିତ ଜାମ୍ମୁ-କାଶ୍ମୀର ରାଜ୍ୟକୁ ଭାଙ୍ଗି ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଦିଆଗଲା । ଜାମ୍ମୁ-କାଶ୍ମୀରକୁ କେନ୍ଦ୍ର ଶାସିତ ଅଞ୍ଚଳ କରିବା ପରେ ସେଠାରେ ଲେଫ୍ଟନାଂଟ ଗଭର୍ଣ୍ଣର ନିଯୁକ୍ତି ପାଇଁ ସତ୍ୟପାଲ୍ ମଲିକଙ୍କୁ ଗୋଆର ରାଜ୍ୟପାଳ ଭାବେ ପଠାଇ ଦିଆଯାଇଥିଲା । ଏଠାରେ ମଧ୍ୟ ସେ ଗୋଆରେ ଚାଲିଥିବା ଦୁର୍ନୀତି ଓ ସେଥିରେ ମୁଖ୍ୟମନ୍ତ୍ରୀଙ୍କ ଭୂମିକା ନେଇ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ । କିନ୍ତୁ ପ୍ରଧାନମନ୍ତ୍ରୀ ପରେ ଏହି ଅଭିଯୋଗ ଠିକ୍ ନୁହେଁ ବୋଲି କହିବା ସହିତ ତାଙ୍କୁ ଅନ୍ୟ ରାଜ୍ୟକୁ ବଦଳି କରିଦେଇଥିଲେ । କିନ୍ତୁ ସେ ମେଘାଳୟର ରାଜ୍ୟପାଳ ଥିବା ସମୟରେ କଳା କୃଷି ଆଇନ୍ ବିରୋଧରେ ଯେତେବେଳେ କୃଷକମାନେ ଦୀର୍ଘଦିନ ଆନ୍ଦୋଳନ କଲେ, ସେତେବେଳେ କୃଷକମାନଙ୍କ ଆନ୍ଦୋଳନକୁ ସମର୍ଥନ କରି ସେ ବୟାନ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ସହିତ ଏ ବିଷୟରେ ଆଲୋଚନା କରି କିପରି ୭୦୦ ଚାଷୀ ଏହି ଆନ୍ଦୋଳନ ଯୋଗୁ ମୃତ୍ୟୁବରଣ କରିଛନ୍ତି ତାହା ଜଣାଇବା ସମୟରେ ପ୍ରଧାନମନ୍ତ୍ରୀ ବିରକ୍ତ ହୋଇ ପ୍ରଶ୍ନ କରିଥିଲେ ଯେ ତାଙ୍କ ଯୋଗୁ କ’ଣ ଚାଷୀମାନଙ୍କ ମୃତ୍ୟୁ ହୋଇଛି? ଏହାପରେ ଅମିତ ଶାହାଙ୍କୁ ସାକ୍ଷାତ କରିବା ପାଇଁ ତାଙ୍କୁ ପରାମର୍ଶ ଦିଆଯାଇଥିଲା । ଅମିତ ଶାହାଙ୍କ ସହିତ ମଧ୍ୟ କୃଷି ଆନ୍ଦୋଳନ ବିଷୟରେ ସେ ବ୍ୟାପକ ଆଲୋଚନା କରିଥିଲେ ।


ସତ୍ୟପାଲ୍ ମଲିକଙ୍କ ଦୀର୍ଘ ରାଜନୈତିକ ଜୀବନରେ ସେ ଲୋହିଆଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ ଓ ଜୟପ୍ରକାଶଙ୍କ ଆନ୍ଦୋଳନରେ ଜଣେ ସହଯୋଗୀ ଭାବରେ ଯୋଗ ଦେଇଥିଲେ । ସେହି କ୍ରମରେ ସେ ଚରଣ ସିଂହ ନିକଟବର୍ତ୍ତୀ ହୋଇ ତାଙ୍କଦ୍ୱାରା ବିଧାନସଭାକୁ ପ୍ରାର୍ଥୀ ହୋଇଥିଲେ । ସେ ଜନତା ଦଳରୁ ପ୍ରଥମେ ରାଜ୍ୟସଭାକୁ ଆସିଲା ପରେ ଭି.ପି. ସିଂହଙ୍କ ଆନ୍ଦୋଳନ ସମୟରେ ତାଙ୍କର ନିକଟବର୍ତ୍ତୀ ହୋଇଥିଲେ । ସେ କିଛିଦିନ ପାଇଁ କଂଗ୍ରେସ ଦଳରେ ମଧ୍ୟ କାମ କରିଛନ୍ତି ଓ ୧୯୯୬ରେ ସମାଜବାଦୀ ପାର୍ଟି ତରଫରୁ ଲୋକସଭାକୁ ଲଢ଼ିଛନ୍ତି । ଶେଷରେ ବିଜେପିରେ ଯୋଗଦେଇ ଜାତୀୟ ଉପ-ସଭାପତି ଭାବେ ପ୍ରଥମେ ବିହାର ରାଜ୍ୟପାଳ ପରେ ଜାମ୍ମୁ-କାଶ୍ମୀରର ରାଜ୍ୟପାଳ ହୋଇଥିଲେ । ତାଙ୍କ ଦୀର୍ଘ ରାଜନୈତିକ ଜୀବନରେ ସେ ସାଧୁତା ରକ୍ଷା କରିଛନ୍ତି । ତାଙ୍କ ବିରୋଧରେ କୌଣସି ଠାରେ ଦୁର୍ନୀତି ଅଭିଯୋଗ ନାହିଁ । ଚାଷୀ ପରିବାରର ହୋଇଥିବାରୁ କୃଷି ସମସ୍ୟାକୁ ସେ ଅଗ୍ରାଧିକାର ଦେଇ ରାଜନୀତି କରିଛନ୍ତି । ସାଧୁତା ନେଇ ତାଙ୍କର ବିଶ୍ୱସନୀୟତା ଥିବାରୁ ସେ ଉଠାଇଥିବା ପ୍ରଶ୍ନଗୁଡ଼ିକ ଉପରେ ସରକାର ନିରବ ରହିବା ଠିକ୍ ନୁହେଁ । ତାଙ୍କର ପ୍ରଥମକଥା ହେଲା, ସିଆରପିଏଫ୍ ପକ୍ଷରୁ ୫ଟି ବିମାନ ଦେବାପାଇଁ ସ୍ୱରାଷ୍ଟ୍ର ମନ୍ତ୍ରାଳୟକୁ ନିବେଦନ କରାଯାଇଥିଲା କି? ଏହାର ଉତ୍ତର ତତ୍କାଳୀନ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ପ୍ରଦାନ ନକରିବା ଯଥାର୍ଥ କି? ପୁଲୁୱାମା ସନ୍ତ୍ରାସବାଦୀ ଆକ୍ରମଣ ଘଟଣାରେ ସେତେବେଳର ବିରୋଧୀ ଦଳମାନେ ଏହି ବିମାନ ଦିଆଯିବା ସଂକ୍ରାନ୍ତରେ ପ୍ରକାଶିତ କେତେଗୁଡ଼ିଏ ରିପୋର୍ଟକୁ ଉଲ୍ଲେଖ କରିଥିଲେ ଓ ଗୁଇନ୍ଦା ବ୍ୟବସ୍ଥା ଠିକ୍ ନଥିବା ଅଭିଯୋଗ ଉପରେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିଲେ ।

କିନ୍ତୁ ସରକାର ଓ ପ୍ରଧାନମନ୍ତ୍ରୀ ଏଗୁଡ଼ିକ ପ୍ରତି ଆଦୌ ଦୃଷ୍ଟି ନଦେଇ ଜୈସ-ଇ-ଅହମ୍ମଦ ଏହି ବିସ୍ଫୋରକ ଗାଡ଼ି ପଠାଇଥିବା ଯୋଗୁ ସିଧାସଳଖ ଭାବରେ ପାକିସ୍ତାନକୁ ଏଥିପାଇଁ ଦାୟୀ କରି ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ବାଲାକୋଟ୍ ସର୍ଜିକାଲ୍ ଷ୍ଟ୍ରାଇକ୍ କରି ଏକ ଜାତୀୟ ଚେତନା ସୃଷ୍ଟି କରିଥିଲେ । ଦେଶର ଗଣମାଧ୍ୟମଗୁଡ଼ିକ ପୂୂରାମାତ୍ରାରେ ସରକାରଙ୍କୁ ଏଥିରେ ସାହାଯ୍ୟ କରିଥିଲେ । ଫଳରେ ପୁଲୁୱାମା ବିସ୍ଫୋରଣ ଘଟଣାର ତଦନ୍ତ ପ୍ରକ୍ରିୟା ଉପରେ ଜୋର ଦିଆଯାଇନଥିଲା । ଅପରପକ୍ଷରେ ପ୍ରଧାନମନ୍ତ୍ରୀ ମୋଦି ପୁଲୁୱାମାରେ ମୃତ୍ୟୁବରଣ କରିଥିବା ୪୦ ଶହୀଦଙ୍କ ପାଇଁ ସେହିବର୍ଷ ପ୍ରଥମଥର ପାଇଁ ଭୋଟ ଦେଉଥିବା ଯୁବଗୋଷ୍ଠୀ ସେମାନଙ୍କ ଭୋଟକୁ ଉତ୍ସର୍ଗୀକୃତ କରିବା ପାଇଁ ଆହ୍ୱାନ ଦେଇଥିଲେ । ବାସ୍ତବିକ ପୁଲୁୱାମା ବିସ୍ଫୋରଣ ଘଟଣାରେ ୪୦ ଶହୀଦ ହେବା ଓ ବାଲାକୋଟ୍ ସର୍ଜିକାଲ୍ ଷ୍ଟ୍ରାଇକ୍ ୨୦୧୯ ନିର୍ବାଚନରେ ମୋଦିଙ୍କ ଓ ବିଜେପିର ମୁଖ୍ୟ ପ୍ରସଂଗ ହୋଇଯିବାରୁ ୨ କୋଟି ଲୋକଙ୍କୁ ଚାକିରି ଦେବା, ୧୫ ଲକ୍ଷ ଟଙ୍କା କଳାଧନ ପରିବାରମାନଙ୍କୁ ଦେବା ପ୍ରଭୃତି ୨୦୧୪ ନିର୍ବାଚନୀ ପ୍ରତିଶ୍ରୁତିକୁ ପଛରେ ପକାଇ ଏପରିକି ଜିଏସ୍‌ଟି ଓ ବିମୁଦ୍ରାକରଣ ଦ୍ୱାରା କ୍ଷତିଗ୍ରସ୍ତ ଲକ୍ଷ ଲକ୍ଷ ଲୋକମାନଙ୍କ ଦୁଃଖ ଓ ଯନ୍ତ୍ରଣାକୁ ଭୁଲିଯାଇ ଜାତୀୟତା ପ୍ରେମରେ ଅନେକ ମୋଦି ଓ ବିଜେପିକୁ ସମର୍ଥନ ଜଣାଇଲେ ।

ବିଶେଷ ଭାବରେ ଉତ୍ତର ଭାରତରେ ଏହାର ବ୍ୟାପକ ପ୍ରଭାବ ପଡ଼ିଲା । ତେଣୁ ସତ୍ୟପାଲ୍ ମଲିକ ପୁଲୁୱାମା ବିସ୍ଫୋରଣ ସଂକ୍ରାନ୍ତରେ ପ୍ରକୃତ ସତ୍ୟ ପ୍ରକାଶ କରିବା ଓ ଏଥିପାଇଁ ସରକାର ମୁଖ୍ୟତଃ ଦାୟୀ ବୋଲି କହିଦେବା ଫଳରେ ଏକ ଅସୁବିଧାଜନକ ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ସେତେବେଳେ ପ୍ରଧାନମନ୍ତ୍ରୀ ତାଙ୍କୁ ଚୁପ୍ ରହିବାକୁ କହିଥିଲେ ଓ ଏବେ ସ୍ୱରାଷ୍ଟ୍ରମନ୍ତ୍ରୀ ସେତେବେଳେ କାହିଁକି କହିଲେ ନାହିଁ ବୋଲି ପ୍ରଶ୍ନ ଉଠାଇ ଅସଲ ପ୍ରସଂଗକୁ ଏଡ଼ାଇଦେବାକୁ ଚାହାନ୍ତି । କିନ୍ତୁ ଦେଶରେ ବର୍ତ୍ତମାନ ଯେଉଁ ମାହୋଲ ସୃଷ୍ଟି ହୋଇଛି ଓ ମୋଦି ସରକାରର ଦୋଷ ଦୁର୍ବଳତା ଯେପରି ଗୋଟିଏ ପରେ ଗୋଟିଏ ପଦାକୁ ଆସୁଛି ଓ ସେଥିପାଇଁ ସବୁ ବିରୋଧୀ ପକ୍ଷ ମତଭେଦକୁ ଭୁଲି ଏକଜୁଟ୍ ହେବାର ସଂକେତ ଦେଉଛନ୍ତି, ସେଥିରେ ସତ୍ୟପାଲ୍ ମଲିକଙ୍କ ବିସ୍ଫୋରକ ବୟାନ ଏକ ମୁଖ୍ୟ ନିର୍ବାଚନୀ ପ୍ରସଂଗ ଭାବରେ ଆସନ୍ତା ନିର୍ବାଚନରେ ନିଶ୍ଚିତ ସାମ୍ନାକୁ ଆସିବ ।