ଚିତା : ଦଶଟି କଥା

ଚିତା : ଦଶଟି କଥା

୧| ଚିତାକୁ ପ୍ରାଚୀନ ଇଜିପ୍ଟ ସଭ୍ୟତାରେ ଏକ ଦେବତା ବୋଲି ବିଚାର କରାଯାଉଥିଲା । ପ୍ରାଚୀନ ଇଜିପ୍ଟର କବର ବା ଟମ୍ବ ରେ ଚିତାର ପେଣ୍ଟିଙ୍ଗ ରହିଥିବା କାରଣରୁ ସେ ସମୟରେ ଲୋକେ ଏହାକୁ ସମ୍ଭବତଃ ଗତିର ଏକ ସମ୍ମାନୀତ ଦେବତା ଆକାରରେ ଆରାଧନା କରୁଥିଲେ । ଇଜିପ୍ଟ ର ପ୍ରଖ୍ୟାତ ଫାରୋ ବା ଶାସକ ତୁତନଖାମୁନ ଙ୍କ ପାରଲୌକିକ ଶଯ୍ୟା ବା " ଫୁନ୍ୟେରାରି ବେଡ୍ " ରେ ଗୋଟିଏ ଚିତାର ଚିତ୍ର ଅଂକିତ ହୋଇ ରହିଅଛି । ଏହି ଘଟଣାକୁ ନେଇ ଇଜିପ୍ଟବିତ୍ ମାନେ ଚିତାର ସମକାଳ ର ସମାଜରେ ଦେବତା ଆକାରରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସ୍ଥିତି ରସିଥିବା ବିଷୟରେ ନିଜର ଅଭିମତ ପ୍ରଦାନ କରିଥାନ୍ତି।

୨| ଚିତା ମାନେ ଅତ୍ୟନ୍ତ ଦ୍ରୁତଗତି ସଂପର୍ଣ୍ଣ ଆଉ ସେମାନଙ୍କର ଏହିପରି ହେବା 
ସ୍ୱାଭାବିକ । କାରଣ ଚିତା ମାନେ ଦିନରେ ଶିକାର କରିଥାନ୍ତି । ସେମାନେ ପ୍ରାୟତଃ ଉଇହୁଙ୍କା ଉପରକୁ ଚଢି ମୃଗଜାତୀୟ ପଶୁ ବା ଆଣ୍ଟିଲୋପ ର ସଂଧାନ କରିଥାନ୍ତି । ସେମାନଙ୍କର ଆଖିର ରେଟିନା ରେ ଗୋଟିଏ ବିସ୍ତୃତ ଆଉ ଅତ୍ୟନ୍ତ ସଂବେଦନଶୀଳ ପଟି ରହିଥାଏ ଯାହା ସେମାନଙ୍କୁ ଚାରିଆଡକୁ ସ୍ପଷ୍ଟ ଆଉ ସଠିକ ଭାବରେ ଦେଖିବା ପାଇଁ ସାହାଯ୍ୟ କରିଥାଏ । ପ୍ରାୟତଃ ଦୁଇମାଇଲ୍ ପରିସର ର କ୍ଷେତ୍ରକୁ ସେମାନେ ସଠିକ ଆଉ ସ୍ପଷ୍ଟ ଭାବରେ ଦେଖିପାରିଥାନ୍ତି ।

୩| ଚିତା ମାନଙ୍କର ଦାନ୍ତ ବାଘ ଆଉ ସିଂହର ଦାନ୍ତ ଭଳି ସେତେ ମୁନିଆଁ ନୁହଁ । ସେମାନେ ନିଜର ଶିକାର କୁ ଏକପ୍ରକାର ଶ୍ୱାସରୁଦ୍ଧ କରି ହତ୍ୟା କରିଥାନ୍ତି । ସେମାନେ ଶିକାରର ତଣ୍ଟିକୁ ଯେଉଁ ପ୍ରକାରରେ କାମୁଡି ଧରିଥାନ୍ତି ସେହି କାମୁଡା ସିଂହର ନିଜ ଶିକାରକୁ କାମୁଡି ଧରିବା ଘଟଣା ଠାରୁ ଅଧିକ ଭୟାବହ । ଚିତା ର ସେହି ତଣ୍ଟି କାମୁଡା ଫଳରେ ଗୋଟିଏ କାମୁଡା ରେ ଶିକାର ର ଶ୍ୱାସନଳୀ ବିଚ୍ଛିନ୍ନ ହୋଇଯାଇଥାଏ ଆଉ ତାହାର ମୃତ୍ୟୁ  ଯଥାଶିଘ୍ର  ହୋଇଥାଏ ।

୪| ଚିତା ତାହାର ଶିକାରର ଥରକରେ ଯାହା ଖାଇବା କଥା ସେତିକି ଖାଇ ସେ ସ୍ଥାନରୁ ପଳାୟନ କରିଥାଏ । ବାଘ ଆଉ ସିଂହ ଭଳି ଆଉ ଥରେ ସେ ତାହାର ଶିକାର ଯେଉଁଠି ପଡିଥାଏ ସେଠିକି ଆଉ ଆସିନଥାଏ । ସେ ପ୍ରାୟତଃ ତାହାର ଶିକାରର ଚମ,ହାଡ ଏବଂ ଅନ୍ତଃନଳୀ କୁ ଖାଇ ନଥାଏ । ଶିକାର ପରେ ଗୋଟିଏ ପ୍ରାପ୍ତବୟସ୍କ ଚିତା ଥରକରେ ତାହାର ଶିକାର ଦେହରୁ ପ୍ରାୟତଃ ତିରିଶ ପାଉଣ୍ଡ ଯାଏଁ ମାଂସ ଭକ୍ଷଣ କରିଥାଏ । ଏହା ଫଳରେ ତାହାର ଆଉ ପରବର୍ତ୍ତି ପାଞ୍ଚଦିନ କୌଣସି ଖାଦ୍ୟର ଆବଶ୍ୟକତା ପଡେନାହିଁ । ଏଇଠି ଉଲ୍ଲେଖଯୋଗ୍ୟ ଯେ ଶିକାର ପରେ ଥରକରେ ଚିତା ନିଜ ଶିକାର ର ଯେତିକି ଅଂଶ ଖାଇ ବାକି ଯେତେକ ଚମ,ହାଡ ,ଅନ୍ତଃନାଡୀ ବା ମାଂସ ଆଦିକୁ ଛାଡି ଚାଲି ଯାଇଥାଏ ତାହାକୁ ପରେ ସିଂହ ,ଗଧିଆ ଆଉ ଶାଗୁଣା ଆଦି ଭକ୍ଷଣ କରିଥାନ୍ତି ।

୫| ନାରୀ ଚିତା ବେଳେବେଳେ ନିଜର ଶାବକ ମାନଙ୍କୁ ଶିକାର କାର୍ଯ୍ୟରେ ପ୍ରଶିକ୍ଷିତ କରିବା ପାଇଁ ଜିଅନ୍ତା ମୃଗ ଶିଶୁକୁ ଧରିଥାଏ । ଚିତା ଶାବକ ଅଠରମାସ ର ହୋଇଗଲେ ଶିକାର କରିବାକୁ ଆରମ୍ଭ କରିଥାନ୍ତି । ବେଳେବେଳେ ଭୁଲଭାଲରେ ସେମାନେ ମଈଁଷି ଶିକାର କରିବାକୁ ଯାଇ ଅପଦସ୍ତ ହୋଇଥାନ୍ତି ।

୬| ପ୍ରାଚୀନ ଇଜିପ୍ଟ, ଭାରତ ଏବଂ ପାରସ୍ୟରେ ମଣିଷ ମାନେ ଚିତାମାନଙ୍କୁ ଶିକାର କାର୍ଯ୍ୟରେ ନିୟୋଜିତ କରୁଥିଲେ । କୁହାଯାଏ ଯେ ଚିତା ମାନେ ମଣିଷର ଭାଷାରେ ପ୍ରାୟ ପନ୍ଦର ଗୋଟି ନିର୍ଦ୍ଦେଶ ବା କମାଣ୍ଡକୁ ବୁଝି ପାରନ୍ତି ଏବଂ ତଦନୁଯାୟୀ ସେମାନେ କାମ କରିଥାନ୍ତି । ସେମାନଙ୍କୁ ପ୍ରାଚୀନ କାଳରେ ଘୋଡା ପିଠି ରେ ନିଆଯାଉଥିଲା ଏବଂ ଜଙ୍ଗଲରେ ସେମାନଙ୍କୁ ମୃଗଶିକାର ନିମନ୍ତେ ଛାଡି ଦିଆଯାଉଥିଲା । ଶିକାର ପରେ ସେହି ପ୍ରଶିକ୍ଷିତ ଚିତା ମାନେ ନିଜର ମୁନୀବ ପାଖକୁ ଫେରିଆସୁଥିଲେ କେବଳ ଗୋଟିଏ ଖାଦ୍ୟର ଆକର୍ଷଣରେ । ଆଶ୍ଚର୍ଯ୍ୟ ର କଥା ହେଉଛି ଚିତା ମାନଙ୍କର ସବୁଠୁ ପ୍ରିୟ ଆକର୍ଷଣର ଖାଦ୍ୟ କୌଣସି ମାଂସ ଜାତୀୟ ପଦାର୍ଥ ନୁହଁ । ନିଜର ପ୍ରିୟ ଖାଦ୍ୟ ବ୍ୟାପାର ରେ ଚିତା ଆଉ ଆମ ର ଆମର ଆରାଧ୍ୟ ଦେବତା ଶ୍ରୀକୃଷ୍ଣ ଙ୍କ ମଧ୍ୟରେ ଗୋଟିଏ ଅଦ୍ଭୁତ ସାମଞ୍ଜସ୍ୟ ରହିଅଛି । ଉଭୟଙ୍କର ପ୍ରିୟ ଖାଦ୍ୟ ହେଉଛି ଲହୁଣୀ । ଲହୁଣୀ ଲୋଭରେ ଚିତାମାନେ ସେତେବେଳେ ମଣିଷର ବଶ ହୋଇ ରହୁଥିଲେ ।

୭| ଚିତା ର ଗୋଟିଏ ସୁନ୍ଦର ଛବି ରହିଛି। ତାହା ୧୮୭୮ ମସିହାରେ ଭାରତରେ ପ୍ରଚଳିତ ଇଉରୋପୀୟ ପ୍ରଭାବିତ ଭାରତୀୟ ଚିତ୍ରକଳା ଯାହାକୁ  "କମ୍ପାନୀ ସ୍କୁଲ୍" ବୋଲି କୁହାଯାଉଥିଲା ସେହି ଶୈଳୀର  ଗୋଟିଏ 
ଛବି । ଏହି ଛବିରେ ଗୋଟିଏ ଭାରତୀୟ ଗାଆଁରେ ଚିତାମାନେ ଖଟ ଉପରେ ବସିଥିବା ର ଛବି ଅଂକାହୋଇ ରହିଛି । ଯଦିଓ ଚିତାମାନେ ସେଥିରେ ଶୃଙ୍ଖଳଯୁକ୍ତ ତଥାପି ସେଥିରୁ ଚିତା ମାନଙ୍କୁ ପୋଷାମନେଇବା କାମ ଯେ ସେ ସମୟରେ ଥିଲା ଏକଥା ଜଣାପଡେ । ଆମକୁ ଏଇଠି ଗୋଟିଏ କଥା ମନେ ରଖିବାକୁ ହେବ ଯେ ଗୃହପାଳିତ ଆଉ ପୋଷ୍ୟ ଭିତରେ ଅନେକ ଫରକ  ରହିଅଛି । ଚିତା ମାନେ ସେତେବେଳେ ମଣିଷର  ପୋଷ୍ୟ ଥିଲେ,ଗୃହପାଳିତ ନଥିଲେ ।

୮| ଚିତା ମାନଙ୍କୁ ପୋଷ୍ୟ ଭାବରେ ଅଥବା ଏକ ବନ୍ଦୀ ଦଶାରେ ରଖି ସେମାନଙ୍କୁ ପ୍ରଜଜନକ୍ଷମ କରି ବଂଶ ବିସ୍ତାର କରିବା ସେତେବେଳେ ଏକ କଷ୍ଟକର ବ୍ୟାପାର ଥିଲା । ନାରୀ ଚିତା ମାନେ ଅନେକ ପରିମାଣରେ ସଂଗମବିମୁଖ ଏବଂ ସେମାନେ କୌଣସି ଗୋଟିଏ ପୁରୁଷ-ଚିତାର ସାହଚର୍ଯ୍ୟ ଲୋଡନ୍ତି ନାହିଁ । ଚିତା ର ପ୍ରଜଜନ କ୍ଷେତ୍ରରେ ଏଇଟି ହେଉଛି ସବୁଠୁ ବଡ ଅସୁବିଧା । ଅନେକ ପୁରୁଷ-ଚିତା ଭିତରୁ ନାରୀ-ଚିତାର କୌଣସି ସମୟରେ କେଉଁ ପୁରୁଷ-ଚିତା ସହ ମିଳନେଚ୍ଛା ଏବଂ ସଂପର୍କ ସ୍ଥାପିତ ହେବ ସେକଥା ସଠିକ ଭାବରେ କୁହାଯାଇ ପାରିବ ନାହିଁ ।

୯| ମୁଗଲ ସମ୍ରାଟ ଆକବର ଜଣେ ଅତ୍ୟନ୍ତ ଚିତା-ପ୍ରିୟ ନରପତି ଥିଲେ । ତାଙ୍କ ଶାସନ ସମୟରେ ସେ ପ୍ରାୟ ହଜାରେ ଚିତା ପାଳନ କରିଥିଲେ । ହଜାରେ ଚିତା ରହିଥିଲେ ବି ସେ ଚିତା-ଶାବକର ଜନ୍ମ ପାଇଁ ଯେଉଁ ପାଳଭାଡି ବା " ଲିଟର" ନିର୍ମାଣ କରିଥିଲେ ତାହାର ସଂଖ୍ୟା ଅସ୍ୱାଭାବିକ ଭାବରେ ଥିଲା ମାତ୍ର  ଗୋଟିଏ । ହଜାରେ ଚିତା ର ପ୍ରଜନନ ପାଇଁ ମାତ୍ର ଗୋଟିଏ ପାଳଭାଡି ପ୍ରସ୍ତୁତ କରିବା କଥାରୁ କେବଳ ଏତିକି ଅନୁମାନ କରାଯାଇପାରେ ଯେ ଚିତା ମାନଙ୍କର ପ୍ରଜନନ ସେତେବେଳେ ସେମିତି ଏକ ସହଜ ଆଉ ସ୍ୱାଭାବିକ କଥା ନଥିଲା ।

୧୦ | ଚିତା ମାନଙ୍କ ବିଷୟରେ ସବାଶେଷ କଥା ହେଉଛି ଯେ ଚିତା ମାନେ ବିରାଡି ଭଳି ଘୁଡୁଘୁଡୁ ( purr) କରିଥାନ୍ତି,ଚଢେଇ ଭଳି ଚେଁ ଚେଁ (chirp) ଏବଂ କୁକୁର ମାନଙ୍କ ଭଳି ଭୁକିବା (yelp) କରିଥାନ୍ତି ମାତ୍ର ସେମାନେ ଶାରିରୀକ ଭାବରେ କେବେହେଲେ ନିଜର ଗତିରେ ଯଥେଷ୍ଟ କ୍ଷିପ୍ରତା ଥିବା ସତ୍ତ୍ୱେ ଗର୍ଜନ କରିବାକୁ ସମର୍ଥ ହୁଅନ୍ତି ନାହିଁ । କିନ୍ତୁ ଚିତା ମାନଙ୍କୁ ସାଥିରେ ଧରନ୍ତେ ମଣିଷ ର ନିଜର ସେମିତି କ୍ଷିପ୍ରତା ନଥିଲେ ବି ସେ ବେଳେବେଳେ କାହିଁକି କେଜାଣି  ଗର୍ଜନଶୀଳ ହୋଇଉଠେ ତାହା କାହାକୁ ଜଣାନାହିଁ ।