ବଡି ସେମି° ଓ ତା'ର ଭୟାବହ ପରିଣାମ

ପିଲାଦିନୁ ବଡ଼ ଭଉଣୀ ଶୁଣି ଆସୁଛି ଯେ ତା' ସାନ ଭଉଣୀ ଚିକ୍କଣ ଗୋରୀ ଆଉ ସୁନ୍ଦରୀ। କିନ୍ତୁ ତା' ନିଜ ଦେହର ରଙ୍ଗ କଳା। ତେଣୁ ସେ ଅସୁନ୍ଦର। ବାହାର ଲୋକେ ତ ଏ କଥା ବିଶ୍ବାସ କରିବାକୁ ନାରାଜ ଯେ, ଦୁହେଁ ଗୋଟେ ମା' ପେଟରୁ ଜନ୍ମ ହୋଇଥିବା ଦି' ଭଉଣୀ। ଏପରିକି ଘରେ ବି ନିଜ ମା' ତାକୁ ଗୋରା କରିବା ଚକ୍କରରେ ତା' ଗାଲରେ ଟାଲକମ୍ ପାଉଡର ବୋଳିବାରେ ବ୍ୟସ୍ତ। ପିଲାଦିନୁ ତେଣୁ ବଡ଼ ଭଉଣୀଟି ନିଜ ସୌନ୍ଦର୍ଯ୍ୟକୁ ନେଇ ହୀନମନ୍ୟତାରେ ଜଡସଡ। ଆଉ ତା'ର ଏଇ ହୀନମନ୍ୟତା ହିଁ ଧୀରେଧୀରେ ସାନ ଭଉଣୀ ପ୍ରତି ତା' ମନରେ କେମିତି ଆକ୍ରୋଶ ଓ କ୍ରୋଧକୁ ଜନ୍ମ ଦେଇଛି ଓ ଶେଷରେ ଏହା କିଭଳି ଏକ ଦୁଃଖଦ ଅନ୍ତକୁ ଡାକି ଆଣିଛି, ଏହା ହେଉଛି ଏଇ କିଛି ଦିନ ତଳେ ଦେଖିଥିବା ଏକ ଫିଲ୍ମର କଥାବସ୍ତୁ। ଫିଲ୍ମଟି ଶେଷରେ ଦେହର କଳା-ଗୋରା ରଙ୍ଗକୁ ନେଇ ସମାଜରେ ପ୍ରଚଳିତ ଭେଦଭାବ ସମ୍ପର୍କରେ କେତେକ ଉପାଦେୟ ତଥ୍ୟ ମଧ୍ୟ ଦିଆଯାଇଛି।
ମୋଟା-ପତଳା, କଳା-ଗୋରା, ଡେଙ୍ଗା-ଗେଡା; ଜଣେ ମଣିଷର ଶାରୀରିକ ଗଠନକୁ ନେଇ ଏଭଳି ଅପମାନଜନକ ମନ୍ତବ୍ୟ, ଯାହାକି ତାକୁ ମାନସିକ ସ୍ତରରେ ଆଘାତ ଦେବା ସହ ଅନେକ ସମୟରେ ତା'ଠାରେ ସ୍ଵାସ୍ଥ୍ୟଗତ ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ, ତାକୁ 'ବଡି ସେମି°'(body shaming) କୁହାଯାଇଥାଏ। ଏଇ ବଡି ସେମି°ର ପରିଣାମ କେତେ ଯେ ଭୟଙ୍କର ହୋଇପାରେ, ତା'ର ଏକ ପ୍ରମାଣ ମିଳିଥିଲା ତାମିଲନାଡ଼ୁରେ ଘଟିଥିବା ଏକ ଘଟଣାରୁ, ଯେଉଁଥିରେ ଜଣେ ଦ୍ବାଦଶ ଶ୍ରେଣୀର ଛାତ୍ର ନିଜର ଜଣେ ସାଙ୍ଗକୁ ଏଥିପାଇଁ ହତ୍ୟା କରିଥିଲା ଯେ, ସମ୍ପୃକ୍ତ ସହପାଠୀ ଜଣଙ୍କ ସବୁବେଳେ ତାକୁ ଝିଅ ପିଲା ଭଳି ଦେଖିବାକୁ କହି ଚିଡାଉ ଥିଲା।
ତେବେ କେବଳ ଶ୍ରେଣୀଗୃହ, ଖେଳ ପଡିଆ କିମ୍ବା ସ୍କୁଲ୍ ନୁହେଁ, ବଡି ସେମି°କୁ ଆମେ ପ୍ରାୟ ସମାଜର ପ୍ରତ୍ୟେକ ସ୍ତରରେ ଭେଟିଥାଉ। ‘ଓବେସିଟି ଆକ୍ସନ୍ କୋଲିସନ୍’(Obesity Action Coalition) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏହା ଦର୍ଶାଯାଇଥିଲା ଯେ, ମେଦବହୁଳତା ଭୋଗୁଥିବା (school girls medically classified as overweight) ପ୍ରାୟ ୫୮ ପ୍ରତିଶତ ହାଇସ୍କୁଲ୍ ଛାତ୍ର ଓ ୬୩ ପ୍ରତିଶତ ହାଇସ୍କୁଲ୍ ଛାତ୍ରୀ ନିଜ ଶାରୀରିକ ଗଠନ ଓ ଆକୃତିକୁ ନେଇ ପ୍ରତିଦିନ ଥଟ୍ଟା ପରିହାସର ଶିକାର ହୋଇଥା’ନ୍ତି। ଉପଲବ୍ଧ ପରିସଂଖ୍ୟାନ ଅନୁଯାୟୀ, ଗତ କିଛି ବର୍ଷ ମଧ୍ୟରେ ପ୍ରାୟ ୭୦ପ୍ରତିଶତ କିଶୋର-କିଶୋରୀ (adolescents) ନିଜ ଓଜନକୁ ନେଇ ଧମକଚମକ ଓ ବଦମାସୀର ଶିକାର ହୋଇଛନ୍ତି। ଆଉ ଏକ ତଥ୍ୟ ଅନୁସାରେ ପାଖାପାଖି ୯୪ପ୍ରତିଶତ ତରୁଣ ବୟସର ଝିଅ(teenage girls) ବଡି ସେମି°ର ଶିକାର ହୋଇଥା’ନ୍ତି। ତେବେ ଖାଲି ଝିଅ ନୁହନ୍ତି, ୬୫ପ୍ରତିଶତ ତରୁଣ (teenage boys) ମଧ୍ୟ ନିଜ ଶାରୀରିକ ଗଠନକୁ ନେଇ ଅପମାନଜନକ ମନ୍ତବ୍ୟର ଶିକାର ହୋଇଥା'ନ୍ତି।
ଯଦିଓ ଏଇ ବଡି ସେମି° ବିଭିନ୍ନ ପ୍ରକାର ଭେଦର ହୋଇପାରେ ଓ ଏହାର କୌଣସି ନିର୍ଦ୍ଦିଷ୍ଟ ସୀମା ନାହିଁ ତେବେ ମୁଖ୍ୟତଃ କାହାର ଶରୀର ଅତ୍ୟଧିକ ମୋଟା (ଫ୍ୟାଟ୍ ସେମି°) କିମ୍ବା ପତଳା(ସ୍କିନି ସେମି°) ହେବା, ଅଧିକ ମାତ୍ରାରେ ଡେଙ୍ଗା କିମ୍ବା ଗେଡା ହେବା, କାହାର ଶରୀର ଅତ୍ୟଧିକ ଲୋମଶ ହେବା, କେଶହୀନତା, ଶରୀରର ରଙ୍ଗ ତଥା ମୁହଁର ଗଠନ ଏବଂ ଶରୀରର ଆକର୍ଷଣୀୟ କିମ୍ବା ଅନାକର୍ଷଣୀୟ ହେବା ଇତ୍ୟାଦିକୁ ନେଇ କରାଯାଉଥିବା ବିଭିନ୍ନ ଟୀକା ଟିପ୍ପଣୀ ଏଥିରେ ଅନ୍ତର୍ଭୁକ୍ତ। କେବଳ ଅନ୍ୟ ମାନଙ୍କ ଅପମାନଜନକ ଟୀକା-ଟିପ୍ପଣୀ କିମ୍ବା ଥଟ୍ଟା ମଜା ନୁହେଁ, ଅନେକ ସମୟରେ ମଣିଷ ନିଜ ଭିତରେ ଥିବା ବଡି ସେମି°ର ଭାବନା ପାଇଁ ନିଜେ ହିଁ ଦାୟୀ ହୋଇଥାଏ। ଏଭଳି କ୍ଷେତ୍ରରେ ଅନ୍ୟ ମାନଙ୍କ ସହ ନିଜ ଶାରୀରିକ ଗଠନ ଓ ଚେହେରା ଆଦିକୁ ତୁଳନା କରି ଜଣେ ହୀନମନ୍ୟତାର ଶିକାର ହୋଇଥାଏ। ଯେମିତିକି, ‘ସେ ଦେଖିବାକୁ କେତେ ସୁନ୍ଦରୀ ଅଥଚ ମୁଁ କେତେ ଅସୁନ୍ଦର', ‘ସେ କେତେ ପତଳା ହେଲେ ମୁଁ କେତେ ମୋଟା', ଏଭଳି ଭାବନା ସବୁ, ଜଣଙ୍କ ଭିତରେ ନିଜ ଶାରୀରିକ ଗଠନ ଇତ୍ୟାଦିକୁ ନେଇ ସଙ୍କୋଚ ଓ ନ୍ୟୂନ ଭାବ ସୃଷ୍ଟି କରିଥାଏ। ନିଜକୁ ନେଇ କାହା ମନରେ ଏଭଳି ହୀନମନ୍ୟତା ସୃଷ୍ଟି କରିବା ପଛରେ ଅନେକାଂଶରେ କାରଣ ସାଜିଥାଏ ଆଜିକାର ‘ସେଲ୍ଫି କଲ୍ଚର’ ଓ ସୋସିଆଲ୍ ମିଡିଆର ବହୁଳ ପ୍ରସାର। ବିଭିନ୍ନ ସୋସିଆଲ୍ ମିଡିଆ, ଯେମିତିକି ଫେସବୁକ୍, ଇନଷ୍ଟାଗ୍ରାମ୍ ଇତ୍ୟାଦିରେ ସାଧାରଣତଃ ଏକ ସ୍ଲିମ୍ - ଟ୍ରିମ୍ ପରଫେକ୍ଟ୍ ବଡିକୁ ହିଁ ଲୋକପ୍ରିୟ ମାପଦଣ୍ଡ ଭାବେ ପ୍ରସାରିତ କରାଯାଇଥାଏ, ଯାହାକୁ ଦେଖି କମ୍ ବୟସର ପିଲାମାନେ ସେହିଭଳି ଶରୀରର ଅଧିକାରୀ ହେବାକୁ ଉଦ୍ୟମ କରନ୍ତି ଓ ଏଥିପାଇଁ ଆବଶ୍ୟକ ମାତ୍ରାରେ ଖାଦ୍ୟ ନଖାଇବା ଭଳି ବିଭିନ୍ନ ଭୁଲ୍ ପଦକ୍ଷେପ ମଧ୍ୟ ନେଇଥା’ନ୍ତି।
ଦୀର୍ଘକାଳୀନ ଭିତ୍ତିରେ ବଡି ସେମି°ର ଅତି ଭୟାବହ ପରିଣତି ଦେଖାଯାଏ, ଯେପରିକି ବଡି ସେମି°ର ଶିକାର ମଣିଷ(ଖାସ୍ କରି କିଶୋର-କିଶୋରୀ ମାନେ) ମାନସିକ ଅବସାଦ ଓ ଅତ୍ୟଧିକ ଉଦବେଗ ଭୋଗିଥା’ନ୍ତି। ସେମାନେ ହୀନମନ୍ୟତା ଓ ଆତ୍ମବିଶ୍ଵାସ ଅଭାବର ଶିକାର ହେବା ସହ ନିଜ ଶରୀରର ବିଭିନ୍ନ ଦୋଷତ୍ରୁଟିକୁ ନେଇ ସର୍ବଦା ଚିନ୍ତାଗ୍ରସ୍ତ ରହନ୍ତି। ଅନେକ ସମୟରେ ଏଭଳି ଭାବନାର ବଶବର୍ତ୍ତୀ ମଣିଷର ଖାଇବା ପିଇବାରେ ମଧ୍ୟ ଅନିୟମିତତା ଦେଖାଯାଏ। ମେଦବହୁଳତାର ଶିକାର ପିଲା ମାନେ ଆବଶ୍ୟକ ପରିମାଣର ଖାଦ୍ୟ ନଖାଇ ଆନୋରେକ୍ସିଆ ଭୋଗିବା ବେଳେ ଅତି ପତଳା ପିଲାମାନେ ବୁଲିମିଆର ଶିକାର ହୋଇପାରନ୍ତି। ଖାଦ୍ୟ ଗ୍ରହଣରେ ଅନିୟମିତତା(skipping meals), ଖାଇସାରି ବାନ୍ତି କରିବା, ଅତ୍ୟଧିକ ପରିମାଣର ଲାକ୍ଜେଟିଭ୍ ବ୍ୟବହାର କରିବା ଭଳି ଅଭ୍ୟାସ ସବୁ ଆପଣେଇ ନିଅନ୍ତି। ଆଉ ଏଭଳି ହେବା ଦ୍ୱାରା ସେମାନେ ନିଜ ଶରୀର ଓ ମସ୍ତିଷ୍କକୁ ଆବଶ୍ୟକ ପୋଷକ ତତ୍ତ୍ଵରୁ ବଞ୍ଚିତ କରିଥା’ନ୍ତି। ସଦା ସର୍ବଦା ନିଜ ଶରୀରର ଆକାର-ଆକୃତିକୁ ନେଇ ଅସନ୍ତୁଷ୍ଟ ଓ ଅବସାଦଗ୍ରସ୍ତ ରହୁଥିବାରୁ ବଡି ସେମି°ର ଶିକାର ମଣିଷ ନିମ୍ନମାନର ଜୀବନ ବଞ୍ଚିଥାଏ। ଆଉ ଅନେକ ସମୟରେ ଏଇ ହୀନମନ୍ୟତା ଓ ଆତ୍ମବିଶ୍ଵାସର ଅଭାବ ସମ୍ପୃକ୍ତ ବ୍ୟକ୍ତିକୁ ଆତ୍ମହତ୍ୟାପ୍ରବଣ ମଧ୍ୟ କରାଇଥାଏ।
ଜଣଙ୍କ ଶରୀରକୁ ନେଇ କାହାର ଟାହିଟାପରା ଓ ଅଶାଳୀନ ମନ୍ତବ୍ୟ ଯେ ସମ୍ପୃକ୍ତ ମଣିଷର ଜୀବନକୁ କେତେ ମାତ୍ରାରେ ନକାରାତ୍ମକ ଭାବେ ପ୍ରଭାବିତ କରିଥାଏ ଏହାକୁ ଦୃଷ୍ଟିରେ ରଖି ସବୁ ମଣିଷ ଓ ପୂରା ସମାଜ ନିଜ ଭିତରେ ଏକ ସମ୍ବେଦନଶୀଳ ମନୋଭାବର ବିକାଶ କରାଇବା ଉଚିତ ନିଶ୍ଚୟ। ଉଦାହରଣ ସ୍ବରୂପ କୌଣସି ବ୍ୟକ୍ତିଙ୍କୁ ତାଙ୍କ ଶାରୀରିକ ଖୁଣକୁ ନେଇ ଟୀକା-ଟିପ୍ପଣୀ କରିବା ଅପେକ୍ଷା ତାଙ୍କ ଅନ୍ତର୍ନିହିତ କୌଣସି ସୁଗୁଣର ପରଖ କରି ତାଙ୍କୁ ପ୍ରଶ°ସା ଓ ଗଠନମୂଳକ ମନ୍ତବ୍ୟ ଦେବା ସମ୍ପୃକ୍ତ ମଣିଷଙ୍କୁ ଖୁସି ଦେବା ସହ ତାଙ୍କ ଜୀବନକୁ ସହଜ କରିଥାଏ। ଏହା ବ୍ୟତୀତ ଆମେ ସମସ୍ତେ ‘ବଡି-ନିୟୁଟ୍ରାଲିଟି’ର ବିଚାରଧାରା ଗ୍ରହଣ କରିବା ଆବଶ୍ୟକ। ଏହା ଦ୍ୱାରା ଆମେ କେବଳ ଯେ ସମସ୍ତଙ୍କ ଶାରୀରିକ ଗଠନକୁ ବିନା କୌଣସି ସମାଲୋଚନାରେ ନିଜସ୍ବ ଭିତ୍ତିରେ(ଯିଏ ଯେମିତି) ଗ୍ରହଣ କରିପାରିବା ତାହା ନୁହେଁ, ସମସ୍ତଙ୍କ ଅନ୍ତର୍ନିହିତ ସୁଗୁଣ ତଥା ବ୍ୟକ୍ତିତ୍ବ ପ୍ରତି ଆମ ଭିତରେ ଏକ ସ୍ବତନ୍ତ୍ର ସମ୍ମାନବୋଧ ମଧ୍ୟ ସୃଷ୍ଟି କରିପାରିବା। ନିଜେ ଏଭଳି ବିଚାରଧାରାକୁ ଆପଣାଇବା ସହ ଅନ୍ୟ କୌଣସି ବ୍ୟକ୍ତି ଯଦି କାହାକୁ ବଡି ସେମି° କରୁଥିବା ଦେଖନ୍ତି ତେବେ ତାଙ୍କୁ ଭଦ୍ରାମୀ ଓ ଶାଳୀନତାର ସହ(ଏମିତି କରି ଯେଭଳି ନିଜର କୌଣସି ବ୍ୟାପକ କ୍ଷତି ନହୁଏ ସେଥିପ୍ରତି ମଧ୍ୟ ଦୃଷ୍ଟି ଦେବା ଉଚିତ୍, ଅର୍ଥାତ୍ ନିଜେ ବି ପ୍ରଥମେ ସୁରକ୍ଷିତ ରହିବା ଆବଶ୍ୟକ) ଏଭଳି ନକରିବା ପାଇଁ ପ୍ରବର୍ତ୍ତାଇବା ଉଚିତ୍।
ତେବେ ବଡି ସେମି° ଭଳି ଏକ ଖରାପ ପରମ୍ପରାକୁ ରୋକିବା ଦିଗରେ କେବଳ ଅନ୍ୟମାନେ ବା ସମାଜ କ'ଣ କରୁଛି ତାକୁ ଅପେକ୍ଷା ନରଖି ପ୍ରତ୍ୟେକ ମଣିଷ ନିଜ ଭିତରେ ନିଜ ଶାରୀରିକ ଗଠନ, ଆକାର ଓ ରଙ୍ଗ ଆଦିକୁ ନେଇ ଥିବା ସମସ୍ତ ପ୍ରକାର ହୀନମନ୍ୟତାକୁ ଦୂର କରିବା ଆବଶ୍ୟକ। ସମସ୍ତେ ନିଜ ଶରୀରର ସୁସ୍ଥ କାର୍ଯ୍ୟକ୍ଷମତା ପ୍ରତି ଦୃଷ୍ଟି ଦେବା ସହ ତା’ର ଗଠନକୁ ସକାରାତ୍ମକ ଦୃଷ୍ଟିଭଙ୍ଗୀ ରଖି ଗ୍ରହଣ କରିବା, ସମସ୍ତ ପ୍ରକାରର ନକାରାତ୍ମକ ଟୀକା-ଟିପ୍ପଣୀଠୁ ଦୂରରେ ରହି ନିଜ ଭିତରର ସମସ୍ତ ସୁଗୁଣ ତଥା ପ୍ରତିଭାକୁ ବିକଶିତ କରିବା ଏବଂ ନିଜ ଭିତରେ ଆତ୍ମବିଶ୍ଵାସ ବୃଦ୍ଧି କରିବା ସହ ଜୀବନର ମାନକୁ ଉନ୍ନତ କରିବା ବାରା ଏହା ସମ୍ଭବ ହୋଇପାରିବ ନିଶ୍ଚୟ। କିନ୍ତୁ ଏସବୁ ପରେ ଯାହା ସବୁଠାରୁ ଅଧିକ ଆବଶ୍ୟକ, ତାହା ହେଲା ନିଜ ପ୍ରତି ନିଜର ପ୍ରଚୁର ଭଲପାଇବା, ସମ୍ମାନବୋଧ ଓ ସମ୍ବେଦନଶୀଳତା। ଏକଥା ମନେ ରଖିବା ଉଚିତ୍ ଯେ, ଆତ୍ମସଚେତନ ଭାବେ ଜଣେ ପ୍ରଥମେ ନିଜକୁ ଭଲ ପାଇ ନିଜକୁ ସମ୍ମାନ ଦେଇ ଶିଖିଲେ ହିଁ ସେ ଅନ୍ୟ ମାନଙ୍କୁ ମଧ୍ୟ ଆନ୍ତରିକ ସମ୍ମାନ କରିପାରିବ।