ଭାରତୀୟ ଗଣମାଧ୍ୟମର “ମୂତ୍ର କାଳ”

ଭାରତୀୟ ଗଣମାଧ୍ୟମର “ମୂତ୍ର କାଳ”

 ଏ ଦେଶର ଅନ୍ୟ ଅନେକଙ୍କ ପରି ଆମେ ବି ଟେଲିଭିଜନରେ ଖବର ଦେଖିବା ଛାଡି ଦେଇଛୁ। ତଥାପି ବୃତ୍ତିଗତ ଦାୟରେ କିଛି ଖବର ଦେଖିବାକୁ ପଡେ । ସେହି ସାମାନ୍ୟ ସମୟରେ ବି ଖବର ଦେଖି ଛାତି ରୁନ୍ଧି ହୋଇଯାଏ। ଅନେକ ସମୟରେ ଖବର ଦେଖି ବାନ୍ତି ମାଡେ। ଆଜି ସେମିତି ଏକ ଖବର ଦେଶର ପ୍ରାୟ ସବୁ ଟେଲିଭିଜନରେ ଚାଲିଛି। ଗୁଜରାଟ ଜେଲରୁ ଉତ୍ତର ପ୍ରଦେଶର ଜନୈକ ମାଫିଆ ଆତିକ ଅହମଦକୁ ଆଲାହାବାଦର ଏକ ଅଦାଲତରେ ହାଜର କରାଯିବାର ଦୃଶ୍ୟକୁ ଦେଶର ଗଣମାଧ୍ୟମ ଲାଇଭ୍ ଦେଖାଇ ଚାଲିଛନ୍ତି

ଅଦାଲତରେ ହାଜର କରିବା ସମୟରେ ପୂର୍ବରୁ ଅନେକ ଅପରାଧୀଙ୍କୁ ହତ୍ୟା କରିବାର ରେକର୍ଡ ଉତ୍ତର ପ୍ରଦେଶ ପୁଲିସର ରହିଛି। ସେହି କ୍ରମରେ ଉତ୍ତର ପ୍ରଦେଶ ପୁଲିସ ଆତିକ ଅହମଦକୁ ହତ୍ୟା କରିପାରେ ବୋଲି ଏକ ଆଶଙ୍କା ପ୍ରକଟ କରାଯାଇଥିଲା। ପୂର୍ବରୁ ବିକାଶ ଦୁବେକୁ ଉତ୍ତର ପ୍ରଦେଶ ପୁଲିସ ଏମିତି ହତ୍ୟା କରିଥିଲେ। ମାଫିଆ ନିୟନ୍ତ୍ରଣ ନାମରେ ପୁଲିସ ନିଜେ ହତ୍ୟାକାରୀ ହେବାର ଲାଇସେନ୍ସ ପାଇବା ଯେ ଏକ ବିପଜ୍ଜନକ ବ୍ୟବସ୍ଥା, ଏ କଥା ଆମ ଲୋକେ ବୁଝୁନାହାନ୍ତି। ଅପରାଧୀଙ୍କୁ ହତ୍ୟା କରିବାର ପ୍ରକ୍ରିୟାକୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଖୋଲାଖୋଲି ସମର୍ଥନ କରୁଛନ୍ତି

ଏକ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଟେଲିଭିଜନ କ୍ୟାମେରା ଆଗରେ ହତ୍ୟା ଭଳି ଏକ ଜଘନ୍ୟ ବ୍ୟବସ୍ଥାକୁ ପୁଲିସର ସାଧାରଣ ଆବଶ୍ୟକତା ବୋଲି କହୁଛନ୍ତି । ଏହାକୁ ତାଳି ମାରି ଆମର ଗଣମାଧ୍ୟମ ସମର୍ଥନ ଦେଉଛି। ଗତ ୧୦ ବର୍ଷ ଭିତରେ ଭାରତୀୟ ଗଣମାଧ୍ୟମ ଗଣତନ୍ତ୍ର, ମାନବ ଅଧିକାର ଓ ଆଇନର ଶାସନ ବିରୋଧରେ ନିରନ୍ତର ପ୍ରଚାର ଚଳାଇ ଆସୁଛି। ସରକାର ଯାହା କହିବ ବା କରିବ, ତାହା ହିଁ ଆଇନର ଶାସନ ବୋଲି ଗଣମାଧ୍ୟମ କହିଚାଲିଛି। କୌଣସି ଗଣତାନ୍ତ୍ରିକ ଦେଶର ଗଣମାଧ୍ୟମ ଏତେ ନିକୃଷ୍ଟ ସ୍ତରରେ ପହଞ୍ଚିବା, ସେ ଦେଶର ଗଣମାଧ୍ୟମ ଲାଗି ସବୁଠୁ ବଡ଼ ବିପଦ। ସରକାର ଓ ଗଣମାଧ୍ୟମ ଭିତରେ ଚାଲିଥିବା ଏହି ମିତ୍ରକାଳ ଆମ ପାଇଁ ଭୟଙ୍କର ବିପତ୍ତି ତିଆରି କରୁଛି।

 ମିତ୍ର କାଳ ସହିତ ଆଜିର ତାରିଖରେ ଗଣମାଧ୍ୟମର ମୂତ୍ରକାଳ ମଧ୍ୟ ଆମେ ଦେଖିଛୁ। ଆତିକ ଅହମଦକୁ ଗୁଜରାଟରୁ ଉତ୍ତର ପ୍ରଦେଶ ଆଣିବା ବାଟରେ ତା'ର ପେଶାବ କରିବାର ଦୃଶ୍ୟ ମଧ୍ୟ ଆମକୁ ଦେଖିବାକୁ ବାଧ୍ୟ କରାଯାଉଛି । ଗୋଟେ ଅପରାଧୀ ପଛରେ ଦେଶର ଗଣମାଧ୍ୟମ ଟିଙ୍କ ପରି ଲାଗିଛି ଆମ ଅବସ୍ଥା ଏଇ ସ୍ତରରେ ପହଞ୍ଚିଛି ଯେ ସେ ଲୋକ ଠିଆ ହୋଇ ମୂତ୍ରତ୍ୟାଗ କଲାବେଳେ ବି ଆମେ ତାର ଫଟୋ ଲୋକଙ୍କୁ ଦେଖାଇ ଚାଲିଛୁ ଦିଲ୍ଲୀରେ ବସିଥିବା ଅତି ଉତ୍ସାହୀ ଆଙ୍କର ପଚାରୁଛନ୍ତି – “ଆତିକକୁ ଏତେ ଅଧିକ ଏକ ଲାଗୁଛି କାହିଁକି ? ତାର ବହୁମୂତ୍ର ରୋଗ ଅଛି କି ? ନା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଡରିକି ସେ ମୁଠି ପକାଉଛି ?” ଇଏ ହଉଛି ଆଜିର ସମୟର ସାମ୍ବାଦିକତା ଜଣେ ବନ୍ଧୁ ବଡ ବିରକ୍ତିମିଶା ସ୍ଵରରେ କହିଲେ ବର୍ତ୍ତମାନ ଆମ ଗଣମାଧ୍ୟମର “ମୂତ୍ରକାଳ” ଚାଲିଛି

“ମିତ୍ରକାଳ” ରୁ “ମୂତ୍ରକାଳ”ରେ ପହଞ୍ଚିବାକୁ ବେଶୀ ସମୟ ଲାଗେନାଇଁ ଭାରତୀୟ ସାମ୍ବାଦିକତା ସରକାର ଓ କର୍ପୋରେଟ କମ୍ପାନୀମାନଙ୍କର ଲୋକସମ୍ପର୍କ ଏଜେନ୍ସି ହୋଇସାରିଛନ୍ତି ସେମାନଙ୍କ ଠାରୁ ଆଉ କୌଣସିସତ୍ୟ ଖବର ଆଶା  କରାଯାଇପାରିବ ନାହିଁ ଦେଶ ଯେତେବେଳେ ସ୍ଵାଧୀନତାର ଅମୃତକାଳକୁ ଉତ୍ସବ ଭାବରେ ପାଳନ କରୁଛି ସେତେବେଳେ ଗଣମାଧ୍ୟମରେ “ମୂତ୍ରକାଳ”ର ଶୁଭାରମ୍ଭ ହେଉଛି ।