ସଂସ୍କୃତିର ବଜାରୀକରଣ, ରାଜନୀତି ଓ ଜୀବନ 

ସଂସ୍କୃତିର ବଜାରୀକରଣ, ରାଜନୀତି ଓ ଜୀବନ 

ଏକଦା ରାଜା ଓ ଦରବାରର ପୃଷ୍ଠପୋଷକତାରେ ଭାରତୀୟ ସାହିତ୍ୟ, ସଙ୍ଗୀତ ଓ କଳାର ବିକାଶ ଘଟୁଥିଲା ବୋଲି ଆମର ପଣ୍ଡିତମାନେ କହନ୍ତି । ତେବେ ଆମର ପ୍ରଶ୍ନ ହେଲା-କେଉଁ ସାହିତ୍ୟ,ସଙ୍ଗୀତ,କଳା ବା ସଂସ୍କୃତି ଦରବାରରେ ପ୍ରତିପାଳିତ ହେଉଥିଲା? ତଥାକଥିତ ମାର୍ଗୀ, ଶୁଦ୍ଧ, ଶାସ୍ତ୍ରୀୟ ବା ଉଚ୍ଚବର୍ଗର ସଂସ୍କୃତି ତ! ସମାଜର ସୁଖଭୋଗୀ ସମ୍ଭ୍ରାନ୍ତମାନଙ୍କର ଉତ୍ସବ ବ୍ୟସନ ସହିତ ଲୋକସାଧାରଣର ସମ୍ପର୍କ କେବେ ଥିଲା କି ଆଜ୍ଞା? ଛାଡ଼ନ୍ତୁ, ତାହାଏକ ବିରାଟ ପ୍ରସଙ୍ଗ । ଲୋକ ସଂସ୍କୃତିର ଉଦ୍ଦାମ ଜୀବନପ୍ରବାହ ସହିତ ମାର୍ଗୀ ବା ଶାସ୍ତ୍ରୀୟ ସଂସ୍କୃତିର ସମ୍ପର୍କ ପ୍ରାୟତଃ ନଥିଲା । କେବେ କେମିତି ବିଶାଳ ଦେଶୀ ପରମ୍ପରାରୁ ମାର୍ଗୀ ପରମ୍ପରା କିଛି ଉପାଦାନ ନିଜ ଭିତରେ ସାମିଲ୍ କରିଛି ।  ତଥାପି ଇତିହାସର ଅବିବେକିତା ଫଳରେ ରାଜ ସଂସ୍କୃତିକୁ ଲୋକସଂସ୍କୃତି ବୋଲି ଆମ ଉପରେ ଲଦି ଦିଆଯାଇଛି । ଗଣତାନ୍ତ୍ରିକ ଶାସନର ୭୦ବର୍ଷ ପରେ ମଧ୍ୟ ସେହି ସମାନ ସାଂସ୍କୃତିକ ଧାରଣା ଆମର ବଳବତ୍ତର ରହିଛି । ସ୍ୱାଧୀନ ଭାରତରେ ସଂସ୍କୃତିର ଗୁଣଗ୍ରାହକ ଭାବରେ ଯେଉଁ ନବ୍ୟସାମନ୍ତ ବା ଅମଲା ଗୋଷ୍ଠୀଙ୍କର ଉଦୟ ହେଲା, ସେମାନେ ବଡ଼ ଚତୁରତାର ସହିତ ‘ଲୋକସଂସ୍କୃତି’କୁ ମୂଳପୋଛ କରି ଶାସ୍ତ୍ରୀୟ ସଂସ୍କୃତିର ପରମ୍ପରାକୁ ପୃଷ୍ଠପୋଷକତା ଦେଇଚାଲିଲେ । ରାଷ୍ଟ୍ରୀୟ ସ୍ତରର ସଙ୍ଗୀତ,ସାହିତ୍ୟ, ଲଳିତକଳାର ଏକାଡ଼େମୀ, ଆନ୍ତର୍ଜାତିକ ସାଂସ୍କୃତିକ ସମ୍ପର୍କ କେନ୍ଦ୍ର (ICCR), କ୍ଷେତ୍ରୀୟ ସାଂସ୍କୃତିକ କେନ୍ଦ୍ର  (zonal cultural centers)ଠୁ ଆରମ୍ଭ କରି ରାଜ୍ୟ ଓ ଜିଲ୍ଲାସ୍ତର ପର୍ଯ୍ୟନ୍ତ ଆମର ବାବୁମାନେ ସଂସ୍କୃତିର କର୍ଣ୍ଣଧାର ସାଜିଲେ । ସଂସ୍କୃତି ବିଷୟରେ ସମ୍ୟକ ଧାରଣା ରହିଥିବା ଗବେଷକ ଓ କଳାକାରମାନଙ୍କୁ ‘ଭାଟ’ ବା ‘ତୋଷାମଦକାରୀ’ ଭାବରେ ରଖି ସଂସ୍କୃତିର ସିଂହାସନରେ ନୀଳବର୍ଣ୍ଣ ଶୃଗାଳମାନଙ୍କ ରାଜୁତି ଚାଲିଲା । ଦୁର୍ଭାଗ୍ୟର କଥା, ଆମର ମହାନ କଳାକାର ମାନେ ବଡ଼ ଦୟନୀୟ ଭାବରେ ଏମାନଙ୍କର ଦୟାର ପାତ୍ର ହୋଇ ପଡ଼ିରହିବାକୁ ଉଚିତ ମନେକଲେ ଓ ଆଜିବି କରି ଆସୁଛନ୍ତି । ବିଭିନ୍ନ ସମୟରେ କଳାକାର ମାନେ ସରକାରୀ ଦଳର ଦୟା ପାଇବାକୁ ଏତେ ବ୍ୟାକୁଳ ଯେ ସେଥିରେ କଳା ର ନିଜସ୍ବ ସ୍ଥିତି ବିପନ୍ନ ମାନେ ହେଉଛି ।

ଏନ୍.ଡି.ଏ ଓ ମୋଦୀ ଅମଳର ବିଜେପି ସରକାରରେ ସାଂସ୍କୃତିକ ଅନୁଷ୍ଠାନଗୁଡ଼ିକର ଗୈରିକିକରଣ ଚାଲିଛି ନିଶ୍ଚୟ । ତେବେ ଅସଲ କଥା ହେଉଛି , ସରକାର ବଦଳିଲେ ମଧ୍ୟ ଆମର ବାବୁମାନେ ବଦଳନ୍ତି ନାହିଁ । ବିଶେଷକରି ଓଡ଼ିଶା ରାଜ୍ୟର ସାଂସ୍କୃତିକ ଜୀବପକ୍ଷୀଟି ପଞ୍ଝାଏ ଆଇ.ଏ.ଏସ୍. ଅଧିକାରୀଙ୍କର ପିଞ୍ଜରାରେ ସବୁବେଳେ ବନ୍ଦୀ । ଏମାନେ ହିଁ ତିଆରି କରନ୍ତି ଆମର ସଂସ୍କୃତିର ବ୍ଲୁ ପ୍ରିଣ୍ଟ । ଏମାନଙ୍କ ମାଧ୍ୟମରେ ଓଡ଼ିଶାର ସାଂସ୍କୃତିକ ଜୀବନକୁ ପ୍ରଭାବିତ କରିବାର ସୁଯୋଗ ପାଆନ୍ତି ରାଜ୍ୟର ରାଜନୈତିକ ଦଳ ଓ  ଶୋଷଣକାରୀ ଦେଶୀବିଦେଶୀ କମ୍ପାନୀମାନେ ।

ସଂସ୍କୃତିକୁ ଆଞ୍ଚଳିକ ପୃଷ୍ଠଭୂମି ବା ଏକ ସୀମିତ ସଂଜ୍ଞାର ବାଟ ଦେଇ ବୁଝିହେବ ନାହିଁ, ଏକଥା ଆମେ ଭଲଭାବରେ ଜାଣୁ । ସାଂସ୍କୃତିକ ଜୀବନବୋଧର ମାନବୀୟ ତଥା ବିଶ୍ୱାୟତ ଆଧାର ବିଷୟରେ ମଧ୍ୟ ଆମେ ସଚେତନ । ହେଲେ ସଂସ୍କୃତି ଯେତେବେଳେ ବଜାର ପାଲଟିଯାଏ ଓ ତାରି ମାଧ୍ୟମରେ ରାଜନୈତିକ- ଅର୍ଥନୈତିକ ଗୋଟିଚାଳନା ଆରମ୍ଭ ହୁଏ, ସେଠି ଆମକୁ ସତର୍କ ରହିବାକୁ ହିଁ ପଡ଼ିବ । ଉଇଲିୟମ୍ ଜୋନସ୍, ୱିଣ୍ଟରନିଜ୍, ମାକ୍ସମୁଲର ବା ଚାର୍ଲସ୍ ଫେବ୍ରିଙ୍କ ପରି ବିଦେଶୀ ଗବେଷକଙ୍କ   ସଂସ୍କୃତି ପ୍ରେମ ସହିତ ବେଦାନ୍ତ, ପୋସ୍କୋ, ରିଓ ଟିଂଟୋ ପରି ବଡ ବଡ କମ୍ପାନୀ ମାନଙ୍କର ସଂସ୍କୃତି ପୃଷ୍ଠପୋଷକତା ଭିତରେ ମୌଳିକ ତଫାତ୍ ନିଶ୍ଚୟ ରହିଛି । ଓଡ଼ିଶାର ପ୍ରାକୃତିକସମ୍ପଦକୁ ହାତେଇବା ବାହାନାରେ ଓଡ଼ିଶା କିଛିଦିନ ତଳେ  ବହୁଦେଶୀୟ କମ୍ପାନୀ ମାନଙ୍କର ଚରାଭୂଇଁ ପାଲଟିଥିଲା । ବିଦେଶୀ ପୁଞ୍ଜିଲଗାଣ ମାଧ୍ୟମରେ ରାଜ୍ୟର ବିକାଶ ଲାଗି ଦିବାସ୍ୱପ୍ନର ନକ୍ସା ତିଆରି କରିଥିଲେ ଏ ରାଜ୍ୟର କେତେଜଣ ଅଗ୍ରଣୀ ଆଇ. ଏ.ଏସ୍. ଅଧିକାରୀ । ରାଜ୍ୟର ପ୍ରମୁଖ ମନ୍ତ୍ରୀ ଓ ଅଫିସରଙ୍କ ବ୍ୟକ୍ତିଗତ ସ୍ୱାର୍ଥସାଧନ ଲାଗି ରାଜ୍ୟର ପ୍ରଗତିକୁ ସେତେବେଳେ ମୁଖାଭାବରେ ବ୍ୟବହାର କରାଗଲା। ଏକ ଅଣଆନୁଷ୍ଠାନିକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ, ରାଜ୍ୟର ପ୍ରାୟ ସମସ୍ତ ପଦାଧିକାରୀଙ୍କର ସମ୍ପର୍କୀୟମାନେ ଏବେ ବିଶ୍ୱବ୍ୟାଙ୍କ, ଡି.ଏଫ୍.ଆଇ.ଡି, ବହୁଦେଶୀୟ କମ୍ପାନୀ ତଥା ଘରୋଇକମ୍ପାନୀ ଗୁଡ଼ିକରେ ମୋଟାଅଙ୍କର ଦରମା ପାଇ କାମ କରୁଛନ୍ତି । ରାଜ୍ୟକୁ ବିଦେଶୀ ରାଜସ୍ବ ଆସିବା ବୋଲି ଯୋଉ ବାବୁ ମାନେ ଓକିଲାତି କରୁଥିଲେ ସେମାନେ ଏବେ ସେଇ ସବୁ କମ୍ପାନୀର ବଡ ବଡ ପଦରେ ଅଧିଷ୍ଠିତ ।

କମ୍ପାନୀ ପୃଷ୍ଠପୋଷକତାରେ ଲୋକ ସଂସ୍କୃତି ବଞ୍ଚି ପାରିବ ନାଇଁ । ଲୋକଙ୍କ ସଂସ୍କୃତିକୁ ଲୋକେ ବଞ୍ଚାଇବା ଦରକାର । ଲୋକେ ଯେତେବେଳେ ନିଜ ସଂସ୍କୃତିର ସୁରକ୍ଷା ଓ ପୃଷ୍ଠପୋଷକତାର ଦାୟିତ୍ଵ ନେବେ, ସେବେ ଯାଇ ସଂସ୍କୃତି ବଞ୍ଚିବ ତଥା ତିଷ୍ଠବ।