ସ୍ଵାଧୀନତା ସଂଗ୍ରାମ : ସେଦିନ ଓ ଆଜି

ସ୍ଵାଧୀନତା ସଂଗ୍ରାମ : ସେଦିନ ଓ ଆଜି

ବହୁ ଦିନ ଧରି ତଥାକଥିତ ନିରପେକ୍ଷ ରାଜନୈତିକ ଦାର୍ଶନିକମାନେ ଏହି ପ୍ରଚାର କରି ଆସୁଛନ୍ତି। ସେମାନଙ୍କୁ ଠିକଣା ଜବାବ ଦେବା ପାଇଁ ମୁଁ ଏହା ଲେଖୁଛି। ଏମାନଙ୍କୁ ଭାରତର ଇତିହାସ ଓ ସଂବିଧାନ ବିଷୟରେ କିଛି ଜଣା ନାହିଁ। ନୂଆ ନୂଆ ପାଟି ଖୋଲିଛି। ତେଣୁ ମୁକଂ କରୋତି ବାଚାଳଂ । ଏଣୁ ତେଣୁ ଗପୁଛନ୍ତି । ରାଜନୀତି କହିଲେ ଏମାନେ କେବଳ ଅଙ୍କ ବୋଲି ବୁଝନ୍ତି। ଏମାନେ କୁହନ୍ତି:


ଏହି ଆପ୍ ଦିନେ ଦିଲ୍ଲୀରେ କଂଗ୍ରେସକୁ ନିଶ୍ଚିହ୍ନ କରିଥିଲା । ଆପ୍ ସବୁଆଡେ କଂଗ୍ରେସର ଜାଗା ନେବାକୁ ବସିଛି। ଆପ୍ କଂଗ୍ରେସ ନେତାଙ୍କ ବିରୁଦ୍ଧରେ କ'ଣ କ'ଣ ନ କହିଛି ! ଆଜି ସେହି ଆପ୍ ନିଜେ କହିଥିବା ଦୁର୍ନୀତିଗ୍ରସ୍ତ କଂଗ୍ରେସ ସହ ଗଠବନ୍ଧନ କରି ନିର୍ବାଚନ ଲଢ଼ୁଛି । ରାଜନୀତିରେ ନୀତି ଆଦର୍ଶ ବୋଲି ଆଉ କିଛି ନାହିଁ। 


ମୋର ଉତ୍ତର : 


(୧) ପିଲାମାନେ , ଆମ ସମ୍ବିଧାନ ଏମିତି ହିଁ ଲେଖା ଯାଇଛି। ବହୁ ଦଳୀୟ ସଂସଦୀୟ ଗଣତନ୍ତ୍ର। ଭାରତରେ ବହୁତ ଦଳ ରହିବେ। ଏଥିପାଇଁ ନୁହେଁ ଯେ ତୁମମାନଙ୍କୁ ଅଙ୍କ କଷିବାରେ ଅସୁବିଧା ସୃଷ୍ଟି କରାଯିବ । ଏଥିପାଇଁ ଯେ ଭାରତରେ ବିବିଧତା ବହୁତ । ଏହି ବିବିଧତା ଦୃଷ୍ଟିରୁ ଭିନ୍ନ ଭିନ୍ନ ଅଞ୍ଚଳରେ କିମ୍ବା ସାରା ଦେଶରେ, ଭିନ୍ନ ଭିନ୍ନ ଦାବି, ଆକାଂକ୍ଷା, ଆଦର୍ଶ , ପ୍ରୋଗ୍ରାମ ଓ ସମସ୍ୟା ରହିବ । ସେହି ସବୁ ଦାବି, ଆକାଂକ୍ଷା, ଆଦର୍ଶ , ପ୍ରୋଗ୍ରାମ ଓ ସମସ୍ୟାର ପ୍ରତିନିଧିତ୍ୱ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ରହିବେ। ଏଥିରେ ତମର ଅଙ୍କ କଷିବାରେ ଅସୁବିଧା ହେଲେ କିଏ କ'ଣ କରିବ ? ଏହି ବିବିଧତା ଓ ବହୁ ଦଳୀୟ ବ୍ୟବସ୍ଥା, ଦେଶରେ ଏକଛତ୍ରବାଦୀ ନୀତି ଓ ସରକାର ଗଢ଼ିବା ଉପରେ ରୋକ୍ ଲଗାଇଛି ।‌ ତେଣୁ ବହୁ ଦଳୀୟ ବ୍ୟବସ୍ଥା ଆମ ଦେଶ ପାଇଁ ବରଦାନ ସାବ୍ୟସ୍ତ ହୋଇ ଆସିଛି। ସମ୍ବିଧାନ କହୁଛି ଦେଶରେ କେବଳ ଗୋଟିଏ ସମସ୍ୟାର ନିରାକରଣ ପାଇଁ ଅନ୍ୟ ସମସ୍ୟାକୁ ଗୈାଣ କରି ଦେଖାଯିବ ନାହିଁ। ସମ୍ବିଧାନ କହିଛି ଦେଶରେ କେବଳ ଗୋଟିଏ ଆଦର୍ଶ ଚାଲିବ ନାହିଁ। ସମ୍ବିଧାନ କହିଛି ଦେଶରେ କେବଳ ଗୋଟିଏ ଅଞ୍ଚଳର ସାମାଜିକ ରୀତିନୀତି, ଭାଷା, ଧର୍ମ ସବୁ ଅଞ୍ଚଳରେ ଚାଲିବ ନାହିଁ। 


ତେବେ ଯେହେତୁ ବହୁ ଦଳୀୟ ବ୍ୟବସ୍ଥା ରହିଛି, ତେଣୁ ଅଧିକାଂଶ ସମୟରେ କେହି ଗୋଟିଏ ପାର୍ଟି ଏକାକୀ ସରକାର ଗଢିବାର ସମ୍ଭାବନା କମ୍ । ତୁମେମାନେ ତ ଜାଣିଛ ?  ଆଜିକାଲି ଗୋଟିଏ ପାର୍ଟି କହିଲେ ଗୋଟିଏ ପାର୍ଟିର ସର୍ବମୟ ନେତାକୁ ବୁଝାଉଛି । ତେଣୁ ମେଣ୍ଟକୁ ନ୍ୟୁନ ଦୃଷ୍ଟିରେ ଦେଖିବା ଅର୍ଥ ଜଣିଏ ଲୋକର ଏକଛତ୍ରବାଦୀତାକୁ ସ୍ବୀକାର କରିବା ।  ୧୯୮୯ ଠାରୁ ଏପର୍ଯ୍ୟନ୍ତ ଭାରତରେ କେନ୍ଦ୍ରରେ ମେଣ୍ଟ ସରକାର ଶାସନ କରି ଆସିଛି। ସେସବୁ ସରକାର ସମସ୍ତେ ଖରାପ ନୁହେଁ କି ସମସ୍ତେ ଭଲ ନୁହେଁ। ଦେଶ ସବୁଠାରୁ ବେଶି ବିକାଶ ଦର ହାସଲ କରିଛି ମନମୋହନ ସିଂହଙ୍କ ନେତୃତ୍ଵାଧୀନ ଗୋଟିଏ ମେଣ୍ଟ ସରକାର ସମୟରେ। 


ତେଣୁ ମେଣ୍ଟ ଯଦି ଅଧିକାଂଶ ସମୟରେ ଅବଶ୍ୟମ୍ଭାବୀ, ସେଥିପାଇଁ ଆପ୍ କଂଗ୍ରେସ ସହିତ ମେଣ୍ଟ କରିବାରେ ଅସୁବିଧା କେଉଁଠି ରହିଲା ? ସେଥିପାଇଁ ଇଣ୍ଡିଆ ଗଠବନ୍ଧନ ତିଆରି ହୋଇଛି। ଉଭୟ ଆପ୍ ଓ କଂଗ୍ରେସ ଇଣ୍ଡିଆ ଗଠବନ୍ଧନର ସଦସ୍ୟ । ଯେଉଁଠି ଆପ୍ କିମ୍ବା କଂଗ୍ରେସ ଏକାକୀ ସରକାର ଗଢିବା ପାଇଁ ସକ୍ଷମ ଅନୁଭବ କରୁଛନ୍ତି ସେଠାରେ ସେମାନେ ମେଣ୍ଟ କରୁ ନାହାନ୍ତି। ଏଇଟା ତ ସ୍ବାଭାବିକ କଥା।‌


ତେଣୁ ପିଲାମାନେ , ତମେ ଗଣତନ୍ତ୍ର, ସମ୍ବିଧାନ ଓ ରାଜନୀତିକୁ ଯେମିତି ବୁଝିଛ, ସେ ଅନୁସାରେ ଯଦି କୌଣସି ଦଳ ଅନ୍ୟ ଦଳ ସହ ମେଣ୍ଟ କିମ୍ବା ଆସନ ବୁଝାମଣା କଲେ ଆଦର୍ଶ ଓ ନୀତି ଚାଲିଯିବ , ତାହେଲେ ୧୯୮୯ ଠାରୁ ଏପର୍ଯ୍ୟନ୍ତ ଦେଶରେ ପାକିସ୍ତାନ ଭଳି ସାମରିକ ଶାସନ ଚାଲିଥାନ୍ତା । ତେଣୁ ତୁମମାନଙ୍କୁ ଅନୁରୋଧ ଟିଭି ବିତର୍କରେ ବସୁଥିବା ତଥାକଥିତ ନିରପେକ୍ଷ ମାନଙ୍କ କଥା ଶୁଣନାହିଁ ।‌


ହଁ, ଆପ୍ କଂଗ୍ରେସ ବିରୁଦ୍ଧରେ ଅନେକ ଆରୋପ ଆଣିଥିଲା। କିନ୍ତୁ ସେସବୁର ତଦନ୍ତ କରିବା ପାଇଁ ଆପ୍ ଏପର୍ଯ୍ୟନ୍ତ ଆବଶ୍ୟକ କ୍ଷମତା ପାଇନାହିଁ। କେବଳ ଆପ୍ ନୁହେଁ, କଂଗ୍ରେସ ଓ ଅନ୍ୟ ଦଳମାନେ ମଧ୍ୟ ଆପ୍ ବିରୁଦ୍ଧରେ ବିଭିନ୍ନ ସମୟରେ ଅନେକ ଅଭିଯୋଗ ଆଣିଛନ୍ତି। ସେସବୁ ମଧ୍ୟରୁ ଅନେକର ତଦନ୍ତ କେନ୍ଦ୍ରରେ କ୍ଷମତାରେ ଥିବା ୟୁପିଏ ଓ ବର୍ତ୍ତମାନର ଏନଡିଏ ସରକାର କରିଛନ୍ତି। ଆପ୍ ନେତାମାନେ ଜେଲ୍ ଯାଇଛନ୍ତି। କିନ୍ତୁ ଆପ୍ ପାଖରେ ଏପର୍ଯ୍ୟନ୍ତ ସେ କ୍ଷମତା ପହଞ୍ଚି ନାହିଁ ଯେ ଅନ୍ୟ କେଉଁ ଦଳ ଓ ନେତା ବିରୁଦ୍ଧରେ ଯାଞ୍ଚ ଆଦେଶ ଦେଇ ପାରିବ। ତେଣୁ ଦେଶରେ ଏହିପରି ରାଜନୈତିକ ଦଳମାନେ ପରସ୍ପର ବିରୁଦ୍ଧରେ ଅଭିଯୋଗ ଆଣିବେ । ଏହା ଅସ୍ବାଭାବିକ କିମ୍ବା ଅନୈତିକ ନୁହେଁ। ପୃଥିବୀର ପ୍ରତ୍ୟେକ ଗଣତନ୍ତ୍ରରେ ଏହା ହୁଏ । 


କିନ୍ତୁ ପିଲେମାନେ, ଏକଥା ଭଲକରି ମନେରଖ, ଦେଶକୁ ଏକ ସରକାର ଦରକାର। ସେଥିପାଇଁ ଗୋଟିଏ ମେଣ୍ଟ ଦରକାର, ଯାହା ୧୯୮୯ ମସିହା ଠାରୁ ହୋଇ ଆସିଛି। ଅବଶ୍ୟ ମେଣ୍ଟ ଗଢିବା ବେଳେ ଗୋଟିଏ ଦଳ ଭାବିବା ଦରକାର, ସରକାର ଗଢ଼ିବା ପାଇଁ କଣ ମେଣ୍ଟ ଗଢିବା ନିହାତି ଆବଶ୍ୟକ ? ଯଦି ଆବଶ୍ୟକ, ଏନଡିଏ ଭଳି ବର୍ତ୍ତମାନ ସମୟରେ ଇଣ୍ଡିଆ ଗଠବନ୍ଧନର ପ୍ରତ୍ୟେକ ଅଂଶିଦାର ପାଇଁ ଏହା ଆବଶ୍ୟକ ବୋଲି ସେମାନେ ଭାବୁଛନ୍ତି । 


ପୁଣି ମେଣ୍ଟ ଗଢିବା ବେଳେ ଗୋଟିଏ ଦଳ ଚିନ୍ତା କରିବା ଦରକାର, କେଉଁ ଦଳ ସହ ମେଣ୍ଟ କଲେ,  କମ୍ ଅସହମତି ରହିବ। ପରିସ୍କାର ଭାବେ, କଂଗ୍ରେସ ସହ ଆସନ ବୁଝାମଣା କଲେ ଓ ଇଣ୍ଡିଆ ଗଠବନ୍ଧନରେ ରହିଲେ ଆପ୍ ଓ କଂଗ୍ରେସକୁ କମ୍ ଅସହମତିର ସାମ୍ନା କରିବାକୁ ପଡ଼ିବ ବୋଲି ସେମାନେ ଭାବୁଛନ୍ତି।


ତେଣୁ, ଆପ୍ ଓ କଂଗ୍ରେସ ଆସନ ବୁଝାମଣା, ଅନୈତିକ ନୁହେଁ। ଏହା ଦ୍ବାରା ସେମାନେ ସେମାନଙ୍କ ନିଜସ୍ଵ ଆଦର୍ଶ ଓ ପ୍ରୋଗ୍ରାମ ହରାଉ ନାହାନ୍ତି। ଏହା କେବଳ ନିର୍ବାଚନ ପାଇଁ ଓ ସରକାର ଚଳାଇବା ପାଇଁ। ଏହା ଏହି ବିବିଧତାପୂର୍ଣ ଦେଶରେ ସମ୍ବିଧାନର ନିର୍ଦ୍ଦେଶ। ଏକଥା ତମ ନିରପେକ୍ଷ ମାନଙ୍କୁ ବୁଝେଇ ଦିଅ । ସେମାନଙ୍କୁ କୁହ ଶସ୍ତା ଆଲୋଚନା କରିବେ ନାହିଁ। 


(୨) ଦ୍ବିତୀୟ ଭ୍ରମ । ଆପ୍ କଂଗ୍ରେସର ଜାଗା ନେଉଛି। ବହୁ ଲୋକ ଏକଥା କହିଥାନ୍ତି। ଏହା ବିଶ୍ବାସ କରିବା ସହଜ ହୋଇଥାଏ । କିନ୍ତୁ ଯାହା ସହଜରେ ବିଶ୍ବାସ କରିହୁଏ, ଜରୁରୀ ନୁହେଁ ଯେ ତାହା ହିଁ ସତ୍ୟ। 


୨୦୧୩ରେ ଦିଲ୍ଲୀରେ କଂଗ୍ରେସ ସରକାର ଥିଲା। ନିର୍ବାଚନ ପରେ ଦିଲ୍ଲୀ ବିଧାନସଭାରେ ବଡ଼ ପାର୍ଟି ହୋଇ ବାହାରିଲା ବିଜେପି। ତାହେଲେ କଂଗ୍ରେସକୁ ବିଜେପି ହରାଇଲା ନା ଆପ୍ ହରାଇଲା ? 


ଏଥିରେ ତମେ ସହମତ ନୁହେଁ ? ଠିକ୍ ଅଛି। ମୁଁ ଆଉ ଗୋଟିଏ ତଥ୍ୟ ରଖୁଛି। ୨୦୧୫ର ଦିଲ୍ଲୀ ବିଧାନସଭା ନିର୍ବାଚନ ବେଳକୁ କେନ୍ଦ୍ରରେ ମୋଦୀ ସରକାର ଆସି ସାରିଥାଏ । ମନେ ପକାଇଲ ଦେଖି, ୨୦୧୫ ଓ ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନରେ କେଉଁ ଦୁଇଟି ଦଳ ମୂଖ୍ୟ ପ୍ରତିଦ୍ବନ୍ଦୀ ଥିଲେ ? ତେଣୁ ତମେ କେମିତି କହିବ ଯେ ଆପ୍ ଦିଲ୍ଲୀରେ କଂଗ୍ରେସକୁ ହରାଉଛି ? ବରଂ ଆପ୍ ସୃଷ୍ଟି ହୋଇ ନଥିଲେ ଦିଲ୍ଲୀ ୨୦୧୩ ନିର୍ବାଚନ ବିଜେପି ଜିତିଥାନ୍ତା । ଗତ ଦୁଇଟି ଯାକ ନିର୍ବାଚନରେ ଆପ୍ ବିଜେପିକୁ ହରାଉଛି। କଂଗ୍ରେସକୁ ନୁହେଁ। 


ଏବେ ଆସନ୍ତୁ ପଞ୍ଜାବକୁ । ତମେ କେମିତି କହିବ ଯେ ପଞ୍ଜାବରେ ଆପ୍ କେବଳ କଂଗ୍ରେସକୁ ହରାଇଛି, ଅକାଳୀ ଦଳକୁ ନୁହେଁ ? ଦୟାକରି ସନ୍ଧ୍ୟାବେଳିଆ ଭାଙ୍ଗ ଖାଇବା ପୁର୍ବରୁ ଏକଥା ଚିନ୍ତା କରିବ । ତମେ କ'ଣ କରୁଛ ନା, ସନ୍ଧ୍ୟାରେ ବଟାଭାଙ୍ଗ ଟେଳେ ପକେଇ ଦେଉଛ ଓ ଟିଭି ସାମନାରେ ବସି ଯାଉଛ।‌ ସେତିକିବେଳେ ଏହି ତଥାକଥିତ ନିରପେକ୍ଷମାନେ ତମକୁ ଏସବୁ ତଥ୍ୟ ଉପରେ ଆଧାରିତ ନଥିବା କଥାସବୁ କହୁଛନ୍ତି। ଏମାନଙ୍କ ଠାରୁ ସାବଧାନ । ପଞ୍ଜାବରେ ଅନେକ ଥର ଅକାଳୀ ଦଳ ଶାସନକୁ ଆସିଛି। ଗତଥର ନିର୍ବାଚନ ବେଳେ ସେମାନେ ମଧ୍ୟ ଶାସନ ପାଇଁ ଦାବୀଦାର ଥିଲେ। 


ଯଦି ଆପ୍ ଲଢିବା ଫଳରେ କଂଗ୍ରେସ ଗାଦିଚ୍ୟୁତ ହେଉଛି ବୋଲି ତମେ ଭାବୁଛ, ତେବେ ୨୦୧୭ ପଞ୍ଜାବ ନିର୍ବାଚନ ବେଳେ ଆପ୍ ଲଢ଼ିବା ଫଳରେ ତ କଂଗ୍ରେସ ଗାଦିଚ୍ୟୁତ ହୋଇନାହିଁ ? ପୁଣି ୨୦୨୨ ଗୁଜୁରାଟ ନିର୍ବାଚନ ବେଳେ ସେଠାରେ କ'ଣ କଂଗ୍ରେସ କ୍ଷମତାରେ ଥିଲା ଯେ ଆପ୍ ସେଠାରେ ଲଢୁଥିଲା ? ଆପ୍ ମଧ୍ୟପ୍ରଦେଶ ଓ ଆସାମରେ ମେୟର ଆସନ ଜିତିଛି। ସେହି ଦୁଇଟି ପ୍ରଦେଶରେ କଣ କଂଗ୍ରେସ ସରକାର ଅଛି ? ମୋତେ ଗୋଟିଏ ପ୍ରସ୍ତାବ ଦିଅ, ତମ କହିବା ଅନୁସାରେ ଆପ୍ କେଉଁ ରାଜ୍ୟରେ ରାଜନୀତି କରିବା ଉଚିତ୍, ଯଦ୍ବାରା କଂଗ୍ରେସର କ୍ଷତି ହେବ ନାହିଁ ? 


ତେଣୁ ଏସବୁ ବକବାସ୍ ବନ୍ଦ କର। ଏ ସମୀକ୍ଷକମାନଙ୍କୁ କୁହ ସେମାନେ ଅବସର ନେବେ ଓ ଶାଗ ପଟାଳି କରିବେ । ନୂଆ ସମୀକ୍ଷକ ଆସନ୍ତୁ। 


(୩) ମେଣ୍ଟକୁ ସୁବିଧାବାଦୀ ଓ ଅନୈତିକ ସେତିକିବେଳେ କୁହାଯିବ, ଯଦି ନିର୍ବାଚନ ପରେ ଏହି ଦୁଇଟି ଦଳ ସେମାନଙ୍କ ନିଜ ଆଦର୍ଶ ଓ ପ୍ରୋଗ୍ରାମ ଛାଡି ଦେଇ ପରସ୍ପର ବିରୁଦ୍ଧରେ କହିବା ବନ୍ଦ କରିଦେବେ । 


(୪) ଯଦି ମେଣ୍ଟ କରିବା ଖରାପ ନୁହେଁ, ତେବେ ଆପ୍ ବିଜେପି ଓ କଂଗ୍ରେସ ମଧ୍ୟରୁ ବିଜେପିକୁ କାହିଁକି ବାଛିଲା ନାହିଁ ? ଏହାର ଅନେକ କାରଣ ଅଛି। ମୁଁ ଏଠାରେ କେବଳ ଗୋଟିଏ ମହତ୍ତ୍ୱପୂର୍ଣ୍ଣ କାରଣ ବିଷୟରେ କହୁଛି। 


ଏ ପ୍ରଶ୍ନର ଉତ୍ତର ଭଲକରି ଶୁଣି ନିଅ । ନିରପେକ୍ଷ ମାନଙ୍କର ଏ ବିଷୟରେ ପାଟି ଖୋଲେ ନାହିଁ। 


ଭାରତର ସମ୍ବିଧାନରେ ମୌଳିକ ଅଧିକାର ବା Fundamental Rights ବୋଲି କେତେକ ଧାରା ଅଛି। ଏହା ନାଗରିକକୁ ବିଭିନ୍ନ ହକ୍ ଓ ସ୍ବାଧୀନତା ଦେଇଥାଏ । ଏହା ଭାରତ ସମ୍ବିଧାନର ମୁଳପିଣ୍ଡ । ମୋ ମତରେ ଦେଶର ପ୍ରତ୍ୟେକ ସ୍କୁଲରେ ସମ୍ବିଧାନର ଏହି ଅଂଶ ବିଷୟରେ ପଢାଯିବା ଉଚିତ୍। ଯେହେତୁ ତମେ ପଢି ନାହଁ ତେଣୁ ଏପରି କହୁଛ । ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ ସରକାରଙ୍କ ଦ୍ବାରା ନିଆ ଯାଇଥିବା କୈାଣସି ପଦକ୍ଷେପ କିମ୍ବା ପାର୍ଲ୍ୟାମେଣ୍ଟରେ ତିଆରି ହୋଇଥିବା କୈାଣସି ଆଇନ୍, ଯଦି ଏହି ମୌଳିକ ଅଧିକାର ଭିତରୁ ଗୋଟିଏକୁ ଟକ୍କର ଦେଉଥାଏ, ତେବେ ସୁପ୍ରିମକୋର୍ଟ ମୌଳିକ ଅଧିକାର ସପକ୍ଷରେ ରାୟ ଦେଇ ସେହି ପଦକ୍ଷେପ କିମ୍ବା ଆଇନକୁ ବାତିଲ କରିବେ । ଆଜି ଏହି ବ୍ୟବସ୍ଥାଟି ଭୁଷୁଡି ପଡିଛି । କୈାଣସି ବି ସରକାର ଦେଶ ପାଇଁ ଯେତେ କୀର୍ତ୍ତି କଲେ ମଧ୍ୟ, ଯଦି ନାଗରିକର ଏସବୁ 
ମୌଳିକ ଅଧିକାର ନାହିଁ, ତେବେ ସେ ଦେଶ ସ୍ବାଧୀନ ହୋଇଛି ବୋଲି କହିବାର କିଛି ଅର୍ଥ ନାହିଁ। ଭଲକରି ବୁଝ ।

ବର୍ତ୍ତମାନର ସରକାର କେବଳ ଅଭିଯୋଗ ଓ ସନ୍ଦେହ ଆଧାରରେ କାହାକୁ ବି ଉଠାଇ ନେଇ ପିଏମଏଲଏ କିମ୍ବା ୟୁଏପିଏ ଆଇନ୍ ବଳରେ ବର୍ଷ ବର୍ଷ ଧରି ଜେଲରେ ଭର୍ତ୍ତି କରି ଦେଉଛି । ଦିଲ୍ଲୀର କଥିତ ମଦ ଦୁର୍ନୀତି ତାହାର ଏକ ଉଦାହରଣ। ଇଡି ଦିନେଶ ଆରୋରା ନାମକ ଏକ ବ୍ୟକ୍ତିକୁ ଗିରଫ କରିଥିଲା । ବାରମ୍ବାର ଚାପ ସତ୍ତ୍ୱେ ସେ ଇଡି ଆଗରେ କୈାଣସି ଆପ୍ ନେତାଙ୍କ ନାଁ ନେଇ ନଥିଲା । ଶେଷରେ ସେ ଆପ୍ ନେତାଙ୍କ ନାଁ ନେଇଛି ବୋଲି ଇଡି କୋର୍ଟ ଆଗରେ କହିଲା । ଦିନେଶ ଆରୋରାକୁ ବେଲ୍ ମିଳିଗଲା। ଗିରଫ ହୋଇଥିବା ନେତାଙ୍କ ଓକିଲ ଇଡିକୁ ଦିନେଶ ଆରୋରା ସହିତ ପଚରାଉଚରା  ବେଳର ଭିଡିଓ ରେକର୍ଡଂ ମାଗିଲେ । ସୁପ୍ରିମକୋର୍ଟ ପୂର୍ବରୁ ଦେଇଥିବା ଏକ ରାୟ ମୁତାବକ ଇଡି ଅଭିଯୁକ୍ତଙ୍କୁ ଏହି ଭିଡିଓ ରେକର୍ଡ ଦେବାକୁ ବାଧ୍ୟ । 


ଇଡି ଏହି ଭିଡିଓ ରେକର୍ଡ ଦେଲା । କିନ୍ତୁ ତମେ ବିଶ୍ବାସ କରିବ ନାହିଁ, ସେହି ଭିଡିଓରେ ଅଡିଓ ନଥିଲା। ଦିଲ୍ଲୀ ତଥାକଥିତ ମଦ ଦୁର୍ନୀତିକୁ ନେଇ ଇଡି ପାଖରେ ଏପର୍ଯ୍ୟନ୍ତ ଗୋଟିଏ ମାତ୍ର ପ୍ରମାଣ ଅଛି। ତାହା ହେଉଛି ଦିନେଶ ଆରୋରାର ବୟାନ , ଯାହାର ଭିଡିଓ ରେକର୍ଡିଂରେ ଅଡିଓ ନାହିଁ। କିନ୍ତୁ ଏପର୍ଯ୍ୟନ୍ତ ଆପ୍ ର ତିନି ତିନି ଜଣ ତୁଙ୍ଗ ନେତା ଜେଲ୍ ଭିତରେ। 


ଏ ନିରପେକ୍ଷମାନେ ଆଦର୍ଶ ଓ ନୀତି ପାଇଁ ଗୋଟିଏ ବି ଦିନ ଜେଲରେ କଟାଇ ପାରିବେ କି ? 


କେବଳ ଆପ୍ ନେତା ନୁହେଁ। ଝାଡ଼ଖଣ୍ଡର ପୂର୍ବ ମୂଖ୍ୟମନ୍ତ୍ରୀ  ବିରୁଦ୍ଧରେ ମଧ୍ୟ ପ୍ରମାଣ ସ୍ବରୂପ ଗୋଟିଏ ଫର୍ଦ୍ଦ ବି କାଗଜ ନାହିଁ। କିନ୍ତୁ କେବଳ ଅଭିଯୋଗ ଆଧାରରେ ସେ ଜେଲରେ । ସାମ୍ବାଦିକ ସିଦ୍ଦିକି କାପାନଙ୍କୁ ବିନା କୌଣସି ପ୍ରମାଣରେ ଦୁଇ ବର୍ଷ କାଳ ଜେଲରେ ରଖାଗଲା। ନିଉଜକ୍ଲିକର ସମ୍ପାଦକଙ୍କୁ ମଧ୍ୟ ବିନା ପ୍ରମାଣରେ ଜେଲରେ ରଖା ଯାଇଛି।

ବୃଦ୍ଧ ଷ୍ଟାନ୍ ସ୍ବାମୀଙ୍କୁ ପାଣି ପିଇବାକୁ ଷ୍ଟ୍ର ଦିଆଗଲା ନାହିଁ। ସେ ଜେଲ୍ ଭିତରେ ମରିଗଲେ । ଉମର ଖାଲିଦ ପ୍ରାୟ‌ ଦୁଇ ବର୍ଷ ହେଲା ଜେଲରେ ଅଛନ୍ତି। ତାଙ୍କ ବେଲ୍ ଦରଖାସ୍ତର ବିଚାର ପାଇଁ ମଧ୍ୟ କୋର୍ଟ ପାଖରେ ସମୟ ହେଉନି। 


ମୁଁ କହୁନି ଏମାନେ ସମସ୍ତେ ନିର୍ଦ୍ଦୋଷ ଓ ନିରପରାଧି । ଏମାନଙ୍କର ବିଚାର ହେଉ । ଦୋଷ ପ୍ରମାଣିତ ହେଲେ ଏମାନଙ୍କୁ ଦଣ୍ଡ ଦିଆଯାଉ । କିନ୍ତୁ ଗୋଟିଏ ମହାମାନବ ନିର୍ବାଚନ ଲଢ଼ିବା ପାଇଁ ବିରୋଧୀ ଦଳ ନେତାଙ୍କୁ ବିନା ପ୍ରମାଣରେ ବିନା ତଦନ୍ତରେ‌ ବିନା ବିଚାରରେ‌ କାହିଁକି ବର୍ଷ ବର୍ଷ କାଳ ଜେଲରେ ପୁରା ଯିବ ?  ଏ ସମୟରେ ମଧ୍ୟ ଏହି ନିରପେକ୍ଷମାନେ ଅତି ନିରିହ ପ୍ରଶ୍ନ ପଚାରୁଛନ୍ତି - ତମ ନେତାଙ୍କୁ ବେଲ୍ କାହିଁକି ମିଳୁନି ? କିଛି ତ ଦୋଷ କରିଥିବେ ।‌


ଜରୁରୀ ପରିସ୍ଥିତି ବେଳେ କିଛି ଦିନ ପାଇଁ ଏହିପରି ବ୍ୟକ୍ତିର ମୌଳିକ ଅଧିକାରକୁ ନିଳମ୍ବିତ କରି ରଖା ଯାଇଥିଲା। କିନ୍ତୁ ଜରୁରୀ ପରିସ୍ଥିତି ଏକ ସୀମିତ କାଳ ପାଇଁ ବ୍ୟବସ୍ଥା ଥିଲା। ଏହା ଚିରସ୍ଥାୟୀ ବ୍ୟବସ୍ଥା ନଥିଲା । ସେତେବେଳେ ଯେତେବେଳେ ମୌଳିକ ଅଧିକାରକୁ ନିଳମ୍ବିତ କରି ନେତାମାନଙ୍କୁ ଜେଲରେ ରଖା ଯାଇଥିଲା, ନିରପେକ୍ଷମାନେ ଦ୍ରୋପଦୀର ଚିରହରଣ ହେଉଥିବା ସମୟ ଭଳି, ନୀରବରେ ଦେଖୁ ନଥିଲେ କିମ୍ବା ରାବଣର ରାଜଦରବାର ଭଳି ଇନ୍ଦ୍ରଜିତର ଅଟ୍ଟହାସ୍ୟ କରୁ ନଥିଲେ। 


ହଁ, ବର୍ତ୍ତମାନ ସମୟର ଗୋଟିଏ ଉଦାହରଣ ଅତୀତରେ ଅଛି। ତାହା ହେଉଛି ୧୯୧୯ ମସିହାର ଘଟଣା। ସେ ସମୟରେ ବ୍ରିଟିଶ ସରକାର ରାଓଲାଟ୍ ଆକ୍ଟ ଆଣିଥିଲା। ବର୍ତ୍ତମାନର ପିଏମଏଲଏ ଓ ୟୁଏପିଏ ଭଳି ସେତେବେଳେ ବ୍ରିଟିଶ ଶାସକ ରାଓଲଟ୍ ଆକ୍ଟ୍ ବଳରେ କାହାକୁ ବି ଉଠାଇ ନେଇ  ଦୀର୍ଘ ଦିନ ପାଇଁ ଜେଲରେ ପୁରାଇ ରଖୁଥିଲା। 

ସେତେବେଳେ ସମସ୍ତ ସ୍ବାଧୀନତା ସଂଗ୍ରାମୀମାନେ ଏହା ବିରୁଦ୍ଧରେ ଆନ୍ଦୋଳନ କରିଥିଲେ। ତେଣୁ ପିଲାମାନେ, ଏବେ ଦେଖ କେଉଁମାନେ ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଉଛନ୍ତି।