ଆଧୁନିକ ସମୟରେ ଏକଛତ୍ରବାଦର ମୁହଁ : ମୁଆଁମାର ଗଦ୍ଦାଫି-୧
ମାର୍ଚ୍ଚ ୨୦୧୧ରେ BBC ତରଫରୁ ଲିବିୟାର ତତ୍କାଳୀନ ମୁଖ୍ୟ ମୁଆମ୍ମାର-ଆଲ୍-ଗଦାଫୀଙ୍କର ଗୋଟିଏ ସାକ୍ଷାତକାର ପ୍ରସାରିତ ହୋଇଥିଲା (Gaddafi ଏବଂ Qaddafi ଉଭୟ ଲେଖା ହୁଏ)। ତ୍ରିପୋଲୀ (ଲିବିୟାର ରାଜଧାନୀ)ର ଗୋଟିଏ ରେଷ୍ଟୋରାଣ୍ଟ ଭିତରେ ବାଦାମୀ/ ସୋରିଷ ରଙ୍ଗର ପଶ୍ଚିମ ଆଫ୍ରିକୀୟ ପାରମ୍ପରିକ ବଉ-ବଉ (bou-bou) ଡ୍ରେସ୍, ମୁଣ୍ଡରେ ପଗଡି (ଆଫ୍ରିକୀୟ ମୁସଲମାନ୍ ଷ୍ଟାଇଲରେ) ଏବଂ ଗୋଲ୍ଡେନ୍ ଫ୍ରେମର କଳା ଚଷମା ପିନ୍ଧି ଗଦାଫୀ ବସି ଉତ୍ତର ଦେଉଥାନ୍ତି। ସେତେବେଳେକୁ ଲିବିୟାରେ ଫେବୃଆରୀ ୨୦୧୧ ରୁ ଗଦାଫୀଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଗଲାଣି। ଦେଶର ଅନେକ ପ୍ରାନ୍ତ ଏବଂ ରାଜଧାନୀ ତ୍ରିପୋଲୀର ଆଖପାଖ ସହର ଗୁଡିକରେ ସାଧାରଣ ଜନତା ବିକ୍ଷୋଭ ପ୍ରଦର୍ଶନ କରୁଥାନ୍ତି ଏବଂ ଗଦାଫୀଙ୍କ ସେନା ଲୋକଙ୍କ ଉପରେରେ ଗୁଳିବାଜି, ବୋମାମାଡ ଚଲାଇଥାଏ। ଏମିତିକି ଗଦାଫୀଙ୍କ ସେନାର ଦୁଇଜଣ ଫାଇଟର ପାଇଲଟ୍ "ସାଧାରଣ ଜନତାଙ୍କ ଉପରେ ଆଟାକ୍ କରି ପାରିବୁ ନାହିଁ" କହି ଇସ୍ତଫା ଦେଇ ଦେଇଥାନ୍ତି! ସାକ୍ଷାତକାର ପୂର୍ବଦିନ ୯ ଜଣ ବିକ୍ଷୋଭକାରୀଙ୍କୁ ସର୍ବସମ୍ମୁଖରେ ଗୁଳି କରି ମାରି ଦିଆ ଯାଇଥାଏ। ଲୋକେ ନାରା ଦେଉଥା'ନ୍ତି "ଗଦାଫୀ, ଅଳ୍ପ ଦିନରେ ତୋର ବି ଏଇ ଅବସ୍ଥା ହେବ"। ଯେତେବେଳେ ସାମ୍ବାଦିକ ତାଙ୍କୁ ପଚାରିଲେ, "ଲିବିୟାର ଲୋକେ କାହିଁକି ତାଙ୍କ ୪୧ ବର୍ଷର ଶାସକ ବିରୋଧରେ ପ୍ରଦର୍ଶନ କରୁଛନ୍ତି?" ସେତେବେଳେ ଗଦାଫୀ ହସି ହସି ଉତ୍ତର ଦେଇଥିଲେ, "ବିକ୍ଷୋଭ? କିଏ କରୁଛି? ମୋତେ କାହିଁକି ବିରୋଧ କରାଯିବ? ମୁଁ ତ ସେମାନଙ୍କ ଶାସକ କିମ୍ବା ପ୍ରେସିଡେଣ୍ଟ ବି ନୁହେଁ। ବିଦେଶୀ ମାନଙ୍କର ମୋତେ ନେଇ ଏହା ବଦନାମୀ ଓ ଷଢଜନ୍ତ୍ର। ଲିବିୟାର ସାଧାରଣ ଜନତା ମୋତେ ବହୁତ ଭଲ ପାଆନ୍ତି, ମୋ ପାଇଁ ସେମାନେ ହସି ହସି ପ୍ରାଣ ବଳି ଦେଇ ପାରିବେ।" ଏହାଛଡା ଏସବୁ ଜନ ବିରୋଧୀ କାର୍ଯ୍ୟ "ଆଲ୍-କାଏଦା" କରୁଛି ବୋଲି ଦୋଷାରୋପ କରିଥିଲେ।
ବିଶ୍ବ ଇତିହାସରେ 'ମଡର୍ଣ୍ଣ ଡିକ୍ଟେଟର୍' ବା ଆଧୁନିକ ଏକଛତ୍ରବାଦୀ ଭାବରେ ପରିଚିତ ଗଦାଫୀଙ୍କ ଜୀବନ ଯାତ୍ରା, ବଞ୍ଚିବା ଶୈଳୀ ଏବଂ ଶାସନ ପ୍ରକ୍ରିୟା ପଢିବା ଭାରି ରୋଚକ। ଗଦାଫୀଙ୍କ ଜନ୍ମ ୧୯୪୨ କିମ୍ବା ୧୯୪୩ରେ ଇଟାଲୀ ଅଧିକୃତ ଲିବିୟାର ସିର୍ତେ ସହରର ଉପକଣ୍ଠରେ ହୋଇଥିଲା। ତାଙ୍କ ବାପା କ୍ବୋଦଫା ଜନଜାତି (ଆରବ ଅଞ୍ଚଳର)ର ଜଣେ ଛେଳି ଓ ଓଟ ପାଳକ ଥିଲେ। ଏହି ଜନଜାତିର ଲୋକ ସାଧାରଣତଃ ଯାଯାବର ଶ୍ରେଣୀର ହୋଇଥାନ୍ତି। ତେଣୁ ତାଙ୍କ ସମୁଦାୟର ଅନେକ ଲୋକଙ୍କ ପରି ଗଦାଫୀଙ୍କର ମଧ୍ୟ ସଠିକ୍ ଜନ୍ମ ତାରିଖ କେଉଁଠି ଦର୍ଜ ହୋଇ ନଥିଲା। ତାଙ୍କ ବାପା-ମା' ତାଙ୍କ ନାଁ ମୁଆମ୍ମାର ମହମ୍ମଦ ଅବୁ ମିନୟାର ଆଲ୍-ଗଦାଫୀ ରଖିଥିଲେ, କିନ୍ତୁ ବିଶ୍ବରେ ସେ ମୁଆମ୍ମାର-ଆଲ୍-ଗଦାଫୀ ହିସାବରେ ହିଁ ପରିଚିତ। ୧୯୪୫ରେ ଦ୍ୱିତୀୟ ବିଶ୍ବ ଯୁଦ୍ଧ ସରିଲା ବେଳକୁ ଲିବିୟାରେ ଉଭୟ ବ୍ରିଟିଶ ଏବଂ ଫ୍ରାନ୍ସର ଉପନିବେଶ ଥାଏ। ଦୁଇଟି ଯାକ ଦେଶ ଲିବିୟାକୁ ନିଜ ନିଜ ଶାସନ ଅଧିନରେ ରଖିବାର ପ୍ରୟାସ କରୁଥାନ୍ତି। କିନ୍ତୁ ଯେହେତୁ ସେତେବେଳକୁ ମିଳିତ ଜାତିସଂଘର ପ୍ରତିଷ୍ଠା ହୋଇ ସାରିଥାଏ, ତା'ର ସୁପାରିଶ କ୍ରମେ ଲିବିୟାକୁ ପଲିଟିକାଲ୍ ଇଣ୍ଡିପେଣ୍ଡେନ୍ସ (ରାଜନୈତିକ ସ୍ବାଧୀନତା) ମିଳେ। ୧୯୫୧ରେ ସ୍ବାଧୀନ କିଙ୍ଗଡମ୍ ଅଫ ଲିବିୟା ତିଆରି ହୁଏ। ଏହାର ଶାସନ ଡୋରୀ ରାଜା ଇଦ୍ରିସ୍ ଙ୍କ ହାତକୁ ଆସେ। ରାଜା ଇଦ୍ରିସ୍ ୟୁରୋପୀୟ ଶାସନ ପ୍ରଣାଳୀ ଦ୍ବାରା ଖୁବ୍ ପ୍ରଭାବିତ ଥିଲେ। ତେଣୁ ଖୁବ୍ ଶୀଘ୍ର ଦେଶର ସମସ୍ତ ଶାସନ ବ୍ୟବସ୍ଥାକୁ ନିଜ ହାତକୁ ନେବା ସହ ଅନ୍ୟ କୌଣସି ମଧ୍ୟ ରାଜନୈତିକ ଦଳ ଗଠନ ଉପରେ ପ୍ରତିବନ୍ଧ ଲଗାଇ ଦେଇଥିଲେ।
ଗଦାଫୀଙ୍କ ପ୍ରାଥମିକ ଶିକ୍ଷା ଧାର୍ମିକ ଗୁରୁ ଏବଂ ମସ୍କରେ ହୋଇଥିଲା। ତାଙ୍କ ସେକେଣ୍ଡାରୀ ଶିକ୍ଷା ବେଳକୁ ପରିବାର ସାବାହ, ଫେଜ୍ଜାନ୍ ଅଞ୍ଚଳକୁ ଉଠିଯାଇଥିଲେ। ଯଦିଓ ସେତେବେଳେ ଲିବିୟାରେ ଶିକ୍ଷାଗ୍ରହଣ ମାଗଣା ନଥିଲା କିନ୍ତୁ ଗଦାଫୀଙ୍କ ବାପା ଜଣେ ଆଦିବାସୀ ମୁଖିଆଙ୍କ ଘରେ କାମ କରି ତାଙ୍କ ପୁଅକୁ ପାଠ ପଢାଇବା ପାଇଁ ଅର୍ଥ ଯୋଗାଡ କରିବାକୁ ଚେଷ୍ଟା କରୁଥିଲେ। ସେହି ସମୟରେ ଗଦାଫୀ ଅନେକ ଇଜିପ୍ଟିଆନ୍ ଶିକ୍ଷକ ତଥା ଆରବ ଖବରକାଗଜ, ରେଡ଼ିଓ ପ୍ରୋଗ୍ରାମ୍ ସ°ସ୍ପର୍ଶରେ ଆସିଥିଲେ। ସେଇଠି ଶିକ୍ଷା ଗ୍ରହଣ କରିବା ଭିତରେ ସେ ୧୯୪୮ର ଆରବ-ଇସ୍ରାଏଲ୍ ଯୁଦ୍ଧ, ୧୯୫୨ର ଇଜିପ୍ଟ ଆନ୍ଦୋଳନ, ୧୯୫୬ର ସୁଏଜ୍ କ୍ରାଇସିସ୍ ଏବଂ ୟୁନାଇଟେଡ୍ ଆରବ ରିପବ୍ଲିକ୍ (୧୯୫୮ -୧୯୬୧) ଗଠନ ସବୁ ଦେଖିଥିଲେ। ଏ ସବୁ ଭିତରେ ପ୍ରେସିଡେଣ୍ଟ ଗମାଲ୍ ଆବଦେଲ୍ ନାସେରଙ୍କ ଦ୍ବାରା ଆରବ ରିପବ୍ଲିକ୍ ଅଫ୍ ଇଜିପ୍ଟର ପ୍ରତିଷ୍ଠା ତାଙ୍କୁ ବିଶେଷ ଭାବରେ ପ୍ରଭାବିତ କରିଥିଲା। ନିଜ ଜୀବନ ଓ ରାଜନୀତିରେ ଅନେକ ବର୍ଷ ଯାଏଁ ଗଦାଫୀ, ପ୍ରେସିଡେଣ୍ଟ ନାସେରଙ୍କୁ ନିଜର ଗୁରୁ ଏବଂ ହିରୋ ମାନୁଥିଲେ। ନାସେରଙ୍କ ଦ୍ବାରା ପ୍ରସ୍ତାବିତ "ଆରବ ରାଷ୍ଟ୍ରବାଦ", ପଶ୍ଚିମ ଉପନିବେଶବାଦ ଓ ଜିଓନିଜମ୍ (ୟୁହୁଦି ସମ୍ବନ୍ଧୀୟ)ରୁ ମୁକ୍ତି, ପୁଞ୍ଜିବାଦକୁ ହଟେଇ ସାମ୍ୟବାଦର ପ୍ରତିଷ୍ଠା (ସବୁ ଏକଛତ୍ରବାଦୀ ପ୍ରଥମେ ଏହି କଥାକୁ ଜୋର୍ ଜୋର୍ କୁହନ୍ତି, ଲୋକଙ୍କୁ ଭେଳିକି ଦେଖାନ୍ତି) ଆଦି ନୀତି ଦ୍ବାରା ଗଦାଫୀ ଖୁବ୍ ପ୍ରଭାବିତ ହୋଇଥିଲେ। ତାଙ୍କରି ରଚିତ ବହି 'ଫିଲୋସଫି ଅଫ୍ ରିଭୋଲ୍ୟୁସନ୍' ରୁ ହିଁ ଗଦାଫୀ ଶିଖିଥିଲେ ଯେ ସତ୍ତା ପରିବର୍ତ୍ତନ ପାଇଁ କେମିତି ଆନ୍ଦୋଳନ ଓ ପଦକ୍ଷେପ ନିଆଯାଏ ବା କେମିତି ସତ୍ତା ପରିବର୍ତ୍ତନ (how to initiate a coup) କରାଯାଏ।
୧୯୬୩ ମସିହାରେ ଗଦାଫୀ ୟୁନିଭର୍ସିଟି ଅଫ୍ ଲିବିୟା, ବେଙ୍ଗାଜ୍ଜିରୁ ନିଜର ଇତିହାସ ପଢା ଛାଡିଦେଇ ରୟାଲ୍ ମିଲିଟାରୀ ଏକାଡେମୀ, ବେଙ୍ଗାଜ୍ଜି ରେ ଦାଖିଲା ନେଇଥିଲେ। ସେଇଠି ତାଙ୍କର ଭେଟ ହୋଇଥିଲା ଠିକ୍ ତାଙ୍କ ପରି ବିଚାରଧାରା ରଖିଥିବା କିଛି ଯୁବକଙ୍କ ସହ, ଯେଉଁମାନେ ପୁଞ୍ଜିପତି- ଉପନିବେଶବାଦକୁ ହଟେଇ ସାମ୍ୟବାଦ ଓ ଲୋକତନ୍ତ୍ରକୁ ପ୍ରତିଷ୍ଠା କରିବା ପାଇଁ ଚାହୁଁଥିଲେ। ସେଇଠି ରହିବା ଭିତରେ ଗଦାଫୀ ଭାରି ସର୍ନ୍ତପଣରେ ନିଜର ସ°ଗଠନକୁ ଗଢିବା ଓ ସୃଦୃଢ କରିବାରେ ଲାଗିଲେ। ୧୯୬୦ ଦଶକ ସରି ଆସିଲା ବେଳକୁ ଲିବିୟାର ସାଧାରଣ ଜନତା ରାଜା ଇଦ୍ରିସଙ୍କ ଶାସନରେ ଅତିଷ୍ଠ ହୋଇସାରିଥିଲେ। ରୟାଲ୍ ମିଲିଟାରୀ ଏକାଡେମୀରେ ବ୍ରିଟିଶ ମାନଙ୍କ ଦ୍ବାରା ଟ୍ରେନିଂ ଦେବାଠୁ ଆରମ୍ଭ କରି ଲିବିୟାର ତୈଳ ଖଣି ଓ କାରବାର ଉପରେ ମଧ୍ୟ ପଶ୍ଚିମ ଦେଶ ଗୁଡିକର ଆଧିପତ୍ୟ ଥିଲା। ଏହାଦ୍ବାରା ସ୍ଥାନୀୟ ବାସିନ୍ଦା କେବଳ ଶୋଷିତ ହେବା ଛଡା ଆଉ କୌଣସି ଉପକାର ପାଉ ନଥିଲେ। ପ୍ରତିଦିନ ବଢୁଥିବା ଦୁର୍ନୀତି ଓ ହେରଫେର୍ କାରଣରୁ ଲିବିୟାରେ ପଶ୍ଚିମ ବିରୋଧୀ ପ୍ରଦର୍ଶନ ମାନ ହେଉଥିଲା। ଠିକ୍ ସେହି ସମୟରେ ୧୯୬୭ରେ ଇଜିପ୍ଟି-ଇସ୍ରାଏଲ୍ ଯୁଦ୍ଧରେ ରାଜା ଇଦ୍ରିସଙ୍କ ପଶ୍ଚିମ ଦେଶକୁ ସମର୍ଥନ କରୁଥିବା ହେତୁ ପ୍ରୋ-ଇସ୍ରାଏଲ୍ ବ୍ୟବହାର ସାଧାରଣ ଜନତା ଆନ୍ଦୋଳନର ମାହୋଲ ସୃଷ୍ଟି କରିଥିଲା। ସେମାନେ ତ୍ରିପୋଲୀ ଏବଂ ବେଙ୍ଗାଜ୍ଜିରେ ଥିବା 'ଅଏଲ୍ ଟର୍ମିନାଲ୍' ଗୁଡିକୁ ବନ୍ଦ କରି ଦେଇଥିଲେ। ଏହି କ୍ଷୋଭ ଓ ଆକ୍ରୋଶର ମାହୋଲ ଭିତରେ ରାଜା ଇଦ୍ରିସ୍ ଯେତେବେଳେ ୧୯୬୯ ମସିହାରେ ଗ୍ରୀଷ୍ମ ଅବକାଶ ପାଇଁ ତୁର୍କୀ ଓ ଗ୍ରୀସ୍ ଭ୍ରମଣରେ ଯାଇଥିଲେ, ଏହି ସମୟର ସୁଯୋଗ ନେଇ ସେପ୍ଟେମ୍ବର ୧, ୧୯୬୯ରେ ଗଦାଫୀ ସତ୍ତା ଅକ୍ତିଆର କରିଥିଲେ। ଅତି ସାମାନ୍ୟ ରକ୍ତପାତ ଓ ବିରୋଧ ସହ ଏତେ ସହଜରେ ସତ୍ତା ପଲଟିବାର ଏହି ଘଟଣା ପୃଥିବୀର ଇତିହାସରେ ବିରଳ। ବିନା ରକ୍ତପାତରେ ବିଦ୍ରୋହ ଏବଂ ସତ୍ତା ପରିବର୍ତ୍ତନ ହୋଇଥିବାରୁ ଇତିହାସରେ ଏହି ଏପିସୋଡକୁ White Revolution ମଧ୍ୟ କୁହାଯାଏ। ପରେ ଏହାକୁ One September Revolution କୁହାଗଲା। ଏହାପରେ ଗଦାଫୀ, କିଙ୍ଗଡମ୍ ଅଫ ଲିବିୟା କୁ ବଦଳାଇ ଲିବିୟା ଆରବ ରିପବ୍ଲିକ୍ ଗଠନ କରିଥିଲେ।
ସେତେବେଳକୁ ଗଦାଫୀଙ୍କୁ ମୋଟରୁ ୨୬-୨୭ ବର୍ଷ ବୟସ ହୋଇଥାଏ ଏବଂ ସେ ସେନାରେ ଲ୍ବୁଟିନାଣ୍ଟ ପଦବୀରେ ଥାଆନ୍ତି। ସତ୍ତା ଅକ୍ତିଆର କରିବା ପରେ ଗଦାଫୀ ରେଡ଼ିଓ ମାଧ୍ୟମରେ ଦେଶର ସମ୍ପୂର୍ଣ୍ଣ ଜନତାଙ୍କୁ ଉଦବୋଧନ ଦେଇଥିଲେ (ସବୁ ଏକଛତ୍ରବାଦୀଙ୍କର ବୋଧେ ରେଡ଼ିଓ ବାର୍ତ୍ତା ଭାରି ପ୍ରିୟ! ଆଡଲ୍ଫ ହିଟଲରଙ୍କ ରେଡ଼ିଓ ପ୍ରୋଗ୍ରାମ କଥା ମନେ ଅଛି?)। ତାଙ୍କ ରେଡ଼ିଓ ବାର୍ତ୍ତାରେ ଗଦାଫୀ କହିଥିଲେ ଯେ, "ଆତଙ୍କ, ବ୍ୟଭିଚାର ଓ ଭ୍ରଷ୍ଟାଚାରରେ ଲିପ୍ତ ଗୋଟିଏ ଶାସନର ଅନ୍ତ ଘଟିଛି, ଯାହା ଆମକୁ ଭୟଭୀତ ଓ ଭାରାକ୍ରାନ୍ତ କରି ରଖିଥିଲା। ଏ ଆନ୍ଦୋଳନ ଏବଂ ସତ୍ତା ପରିବର୍ତ୍ତନର ଅର୍ଥ ହେଉଛି ସ୍ବାଧୀନତା, ସାମ୍ୟବାଦ ଓ ଏକତା"। ୧୨ ଜଣ ଆନ୍ଦୋଳନକାରୀଙ୍କ ସେହି ଦଳ ନିଜକୁ Revolutionary Command Council (RCC) ଆଖ୍ୟା ଦେଲେ ଏବଂ ଦେଶର ଶାସରଭାର ନିଜ ହାତକୁ ନେଲେ। ଗଦାଫୀ ଏହି RCCର ଚେୟାରମ୍ୟାନ ହେବା ସହ ଦେଶର ମଧ୍ୟ ମୁଖ୍ୟ ହେଲେ। ଏହା ସହ ସେ ନିଜକୁ Colonel ଏବଂ ସମସ୍ତ ସଶସ୍ତ୍ର ବାହିନୀର ପ୍ରମୁଖ ବା Commander in Chief ନିଯୁକ୍ତ କଲେ। RCCର ସମସ୍ତ ମେମ୍ବର ଗ୍ରାମୀଣ ମଧ୍ୟବିତ୍ତ କିମ୍ବା ଗରିବ ପରିବାରରୁ ଆସିଥିଲେ। ସେମାନଙ୍କ ଭିତରୁ କେହି ବି ଉଚ୍ଚଶିକ୍ଷିତ ୟୁନିଭର୍ସିଟି ଡିଗ୍ରୀଧାରୀ ନଥିଲେ। ତେଣୁ ଯେତେବେଳେ ଗଦାଫୀ ତାଙ୍କ ସମସ୍ତ ମେମ୍ବରଙ୍କୁ ଜାନୁଆରୀ ୧୯୭୦ରେ ଲୋକଙ୍କ ନଜରକୁ ଆଣିଲେ, ସାଧାରଣ ଲୋକଙ୍କ ବିଶ୍ୱାସ ଆହୁରି ଦୃଢ ହୋଇଥିଲା। White revolutionର ଶେଷ ପର୍ଯ୍ୟାୟ ରାଜପରିବାର ପ୍ରତି ବିଶ୍ବସ୍ତ ଥିବା ବିଭିନ୍ନ ଉଚ୍ଚ ଓ ଧନୀ ପରିବାରର ସଦସ୍ୟ, ବୁଦ୍ଧିଜୀବୀ, ସାମ୍ବାଦିକ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କୁ ପ୍ରଜା କୋର୍ଟ ମାଧ୍ୟମରେ ଦଣ୍ଡ ଦେବା ସହ ସମାପ୍ତ ହୋଇଥିଲା (ଯଦିଓ କେହି ସର୍ବ ସମ୍ମୁଖରେ ମୃତ୍ୟୁ ଦଣ୍ଡ ପାଇ ନଥିଲେ)।
୧୯୬୯ରୁ ୧୯୭୯ ସମୟ ଲିବିୟା ଆରବ ରିପବ୍ଲିକ୍ର ସ୍ବର୍ଣ୍ଣିମ ଯୁଗ କୁହାଗଲେ ଅତ୍ୟୁକ୍ତି ହେବ ନାହିଁ। ତୈଳ କାରବାରରୁ ମିଳୁଥିବା ଅର୍ଥକୁ ଦେଶର ଶିକ୍ଷା, ସ୍ବାସ୍ଥ୍ୟ, ଗୃହନିର୍ମାଣ, ଜଳସେଚନ, ସହରୀକରଣ କାର୍ଯ୍ୟରେ ଲଗା ଗଲା। ଦେଶରେ ୬ -୯ ବର୍ଷ ବୟସ ପର୍ଯ୍ୟନ୍ତ ଶିକ୍ଷାକୁ ବାଧ୍ୟତାମୂଳକ କରିବା ସହ ପ୍ରୌଢ଼ଶିକ୍ଷା କାର୍ଯ୍ୟକ୍ରମ ଏବଂ ମାଗଣା ୟୁନିଭର୍ସିଟି ଶିକ୍ଷା ପ୍ରଦାନ ପଦକ୍ଷେପ ନିଆଗଲା। ଏହା ଦ୍ବାରା ଦେଶରେ ଗରିବ ବର୍ଗର ଲୋକଙ୍କୁ ମଧ୍ୟ ଶିକ୍ଷା ପ୍ରଦାନ କରି, ସମାଜରେ ଶିକ୍ଷାର ସ୍ଥରକୁ ବଢାଯାଇ ପାରିଥିଲା। ଦେଶର ସ୍ବାସ୍ଥ୍ୟ ବ୍ୟବସ୍ଥାରେ ମଧ୍ୟ ବ୍ୟାପକ ଉନ୍ନତି ଘଟିଲା। ୧୯୭୮ବେଳକୁ ଦେଶରେ ୧୯୬୮ ଅପେକ୍ଷା ୫୦% ଅଧିକ ହସ୍ପିଟାଲ ନିର୍ମାଣ ହୋଇ ସାରିଥିଲା। ଦେଶରେ ଡାକ୍ତରଙ୍କ ସ°ଖ୍ୟା ୭୦୦ରୁ ବଢି ୩୦୦୦ରେ ପହଞ୍ଚିଥିଲା। ଦେଶରୁ ମେଲେରିଆ ଦୂର ହେବା ସହ ଟିବି ଏବଂ ଟ୍ରାଇକୋମା ପରି ରୋଗ ଉପରେ ମଧ୍ୟ ନିୟନ୍ତ୍ରଣ ଆସିଥିଲା। ସାଧାରଣ ଲୋକଙ୍କ ପାଇଁ ବିଭିନ୍ନ ଆବାସିକ ଯୋଜନାମାନ କରି ଦେଶରୁ ବାସହୀନ ବା ଗୃହହୀନ ପରିସ୍ଥିତିକୁ ସମାପ୍ତ କରିବା ପାଇଁ ଗଦାଫୀଙ୍କ ସରକାର ପ୍ରଚେଷ୍ଟା କରିଥିଲା। ଦେଶରେ ଘରଭଡାକୁ ମଧ୍ୟ ୩୦ -୪୦% ପର୍ଯ୍ୟନ୍ତ କମା ଯାଇଥିଲା। ମହିଳା ମାନଙ୍କ ସ୍ଥିତି ସୁଧାରିବାକୁ ମଧ୍ୟ ବିଭିନ୍ନ ଉନ୍ନତିମୂଳକ ପଦକ୍ଷେପ ନିଆ ଯାଇଥିଲା। ସମାଜରେ ମହିଳାଙ୍କ ଉପରେ ଥିବା ଅତ୍ୟଧିକ କଟକଣାକୁ ହଟେଇ, ସେମାନଙ୍କ ଶିକ୍ଷା ଓ ସଶକ୍ତୀକରଣ ଉପରେ ଗଦାଫୀ ଜୋର୍ ଦେଇଥିଲେ। ୧୯୭୦ରେ ଜେଣ୍ଡର ଇକ୍ବାଲିଟି ଉପରେ ଜୋର୍ ଦେବା ସହ ଶ୍ରମ କ୍ଷେତ୍ରରେ ମହିଳା ମାନଙ୍କ ପାଉଣା ପୁରୁଷ ମାନଙ୍କ ସହ ସମାନ କରିବା ପାଇଁ ନିୟମ କରା ଯାଇଥିଲା। ୧୯୭୨ରେ ୧୬ ବର୍ଷରୁ କମ୍ ଝିଅ ମାନଙ୍କ ବିବାହକୁ ଦଣ୍ଡନୀୟ ଅପରାଧ ଘୋଷଣା କରିବା ସହ ବିବାହ ପାଇଁ ଝିଅଟିଏର ସମ୍ମତି ବାଧ୍ୟତାମୂଳକ ନିୟମ ଜାରି କରିଥିଲେ। Revolutionary Women's Formation ନାମକ ରେଜିମ୍ ସ୍ଥାପନ କରି ମହିଳା ମାନଙ୍କ ସାମାଜିକ ସ୍ଥିତି ସୁଧାରିବା ପାଇଁ ପ୍ରୟାସ କରିବା ସହ ୧୯୭୧ରେ Libiyan General Women's Federation ଗଢି ମହିଳା ସଶସ୍ତ୍ର ବାହିନୀ ଗଢିଥିଲେ। ଗଦାଫୀଙ୍କର ଏହି ସବୁ ପଦକ୍ଷେପ ମହିଳା ମାନଙ୍କ ପାଇଁ ଶିକ୍ଷା, ରୋଜଗାର ଏବଂ ଦେଶର ଉନ୍ନତିମୂଳକ କାର୍ଯ୍ୟରେ ସାମିଲ ହେବା ପାଇଁ ପ୍ରଚୁର ସୁଯୋଗ ଆଣି ଦେଇଥିଲା। କେବଳ ମହିଳା ନୁହନ୍ତି RCC ସମସ୍ତ ଶ୍ରମିକ ମାନଙ୍କ ପାଉଣା ଦୁଇ ଗୁଣ ବଢାଇବା, ବିଭିନ୍ନ ନିର୍ମାଣ କାର୍ଯ୍ୟ ହାତକୁ ନେବା ଏବଂ ଉନ୍ନତିମୂଳକ କାର୍ଯ୍ୟରେ ଅର୍ଥ ନିବେଶ କରିବା ଦ୍ବାରା ସାଧାରଣ ଜନତାଙ୍କ ପାଇଁ ରୋଜଗାରର ପ୍ରଚୁର ସୁଯୋଗ ସୃଷ୍ଟି ହୋଇଥିଲା। ଏହି ସବୁ ସାମାଜିକ ଉନ୍ନତିମୂଳକ କାର୍ଯ୍ୟ ସାଧାରଣ ଲୋକଙ୍କ ଭିତରେ ଗଦାଫୀଙ୍କର ଲୋକପ୍ରିୟତାକୁ ଖୁବ୍ ବଢାଇ ଦେଇଥିଲା। ଜଣେ ସାଧାରଣ ଛେଳି ଜଗୁଥିବା କ୍ବୋଦଫା ଜନଜାତିର ଯାଯାବରକୁ ଲିବିୟାର ଲୋକେ ତାଙ୍କ ହୃଦୟରେ ଜାଗା ଦେଇଥିଲେ।
ଏତିକି ପଢି ସାରିଲା ବେଳକୁ ଜଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଓ ସନ୍ଦେହ ଆସିପାରେ ଯେ, ଏତେ ଜନକଲ୍ୟାଣ କାର୍ଯ୍ୟ କରି ଲୋକଙ୍କ ହୃଦୟରେ ସ୍ଥାନ ପାଇଥିବା ଶାସକକୁ ପୁଣି ଏକଛତ୍ରବାଦୀ କାହିଁକି କୁହାଯାଏ? ପୁଣି ରାଜତନ୍ତ୍ରକୁ ହଟେଇ, ସାମ୍ୟବାଦ ଓ ସମାଜବାଦର ରାଷ୍ଟ୍ରନିର୍ମାଣକାରୀ ବିରୋଧରେ ଜନତା ପୁଣି ଆନ୍ଦୋଳନ କାହିଁକି କଲେ?.......ଏ ସବୁର ଉତ୍ତର ଦ୍ବିତୀୟ ଭାଗରେ।