ଜାତକ-୧
ନାମେୟ
-----------
ଅଂଧାର, ତିନିକୋଣିଆ ଘନ ଅଂଧାର ।
କ୍ରମେ କ୍ରମେ ପୋଲା ହୋଇ ଆସୁଥିବା
ଏକଦା-ନିଦା ଅଂଧାର ।
ହସହସ କାଂଦକାଂଦ ଅଂଧାର ।
ବାଂତି ମାଡ଼ି ପଡ଼ୁଥିବା ଲୋହିତ ଅଂଧାର ।
ଶେଷରେ ପିଚ୍ଛିଳି ପଡ଼େ :
ପିଂଡୁଳା ।
ଦେବି !
କ୍ଷମା କର
ଆମର ନଇଁ ପଡ଼ିବାର, ହାମୁଡ଼େଇ ପଡ଼ିବାର ଅଭ୍ୟାସ ।
ପ୍ରତ୍ୟେକ ବିଂଦୁ ଇ ଆମର ଉପଲବଧି ।
ପାହୁଂଡ ଟାଣେ ବାମକୁ, ବାମରୁ ଦକ୍ଷିଣକୁ
ପୁଣି ଉପରକୁ, ପୁଣି ତଳକୁ...
ଦେବି ! ଆମେ କୃତାର୍ଥ ନିଶ୍ଚୟ,
କିଂତୁ କ୍ଲାଂତ ଏଇ ପିତୃଯାଜକ ପ୍ରଥାରେ ।
ଅଂତତଃ ତୁମର କ୍ଲାଂତି ଯଥାର୍ଥ, ରାଜେଂଦ୍ର ।
ପ୍ରତ୍ୟେକ ଉପଲବଧିରେ
କୁହୁଡ଼ିକୁ ବରଫ ପରି କାଟି କାଟି
ତୁମେ ଜାଣନା, କୋଉଠି ଯାଇ ପହଂଚିବ
ତୁମେ ଜାଣନା ।
"ଲଢ଼ୁଚି... ଲଢ଼ୁଚି...", କହେ ପିଂଡୁଳା, ଶୁଣ ।
ପ୍ରତ୍ୟେକ କାଳ୍ପନିକ ପୁନର୍ଜନ୍ମର ଚିଠା ନେଇ,
ପୁନର୍ମୃତ୍ୟୁର ଖସଡ଼ା ନେଇ
ଲଢ଼ୁଚି, ଲଢ଼ୁଚି ପିଂଡୁଳା,
ଲଢ଼ୁ ।
ପିଂଡୁଳାର ତିନିକୋଣିଆ ଅଂଧାରରେ
କାନ ଥାପି ଆମେ ଶୁଣୁ
ସେଇ ନିର୍ବାଚିତ ଧ୍ଵନି ଆମେ ଶୁଣୁ,
ଆମେ ହରୁ
ପ୍ରତିବମନର ଉତ୍ତରାଧିକାର,
ବ୍ୟାଜ-ପୁରୁଷକାର ।
କୌଣସି ପ୍ରଶ୍ନ ପଚରା ଯାଏନା,
କୌଣସି ଉତ୍ତର ଦିଆଯାଏନା...
ତ୍ରିଭୁଜର କୌଣସି ପାର୍ଶ୍ଵରୁ
ଦିଆଯାଏନା, ଦିଆଯାଏନା ।
ଦେଖ, ଦେବି ! ସମୁଦ୍ର ଜଳିଉଠୁଚି
ବାଡ଼ବାନଳରେ ।
ଅମୃତ-ପୁତ୍ର ହସିଉଠୁଚି ପିଂଡୁଳା ଭିତରେ,
ଦେଖ ।
ଦେଖ, ଛୁରୀଟି ଜନ୍ମିଉଠୁଚି ।
ଏକ ଜଘନ୍ୟ ଆଲୋକର ବିସ୍ଫୋରଣରେ । ସାରା ପୃଥିବୀରେ ଛିଟକି ପଡ଼େ
ପିଂଡୁଳାର ଖଂଡ ଖଂଡ ଅଂଶବିଶେଷ ।
ତୀର୍ଥ ତୀର୍ଥାଂତର । କ୍ଷେତ୍ର କ୍ଷେତ୍ରାଂତର । ମନୁ ମନ୍ମଂତର ।
ଗୋଟିଏ ପିଂଡୁଳା ଖଂଡ ଇ ନାମକରଣଯୋଗ୍ୟ
କାରଣ
ତାହା ହିଁ ଉପଲବଧି ଭିତରେ
ଆମର କଳ୍ପିତ ପିତାଂକର ।।