ମିଛକଥା
ପଲ ଭର କେ ଲିଏ
କୋଇ ହମେ ପ୍ୟାର କର୍ଲେ
...ଝୁଟା ହି ସହି ; ଯିଏ କହୁଥିଲା
ସିଏ ବୁଝେନି କବିତା
ହେଲେ ଆଜି କାଲି ଖୁବ୍ ସଜାଡୁଛି
ମୋ କବିତାର ଖାତା ।
ବେଳେ ବେଳେ କେଜାଣି କାହାକୁ
ନେହୁରା ହେଉଛି
ଭୁବନେଶ୍ୱରର ସବୁ ଟ୍ରାଫିକ୍ ରେ
ଜଳେଇ ଦେବାକୁ ନାଲି ବତି
ବାଣୀବିହାର ଛକରେ ସମୟକୁ ଅଟକାଇ ଦେବାକୁ
ଦୁଇ ଦଲକା ନିଶ୍ୱାସ ।
ଆଜି କାଲି ଭାରି ଗୁମ୍ ସୁମ୍
ବାଣୀବିହାରର ନକ୍ସା,
କ୍ୟାମ୍ପସର କୃଷ୍ଣଚୂଡ଼ା ଓଠରେ ହସ ନାହିଁ,
ଅଳକାର ମୁହଁ ସାରା ଟିପ୍ ଟିପ୍ ଝାଳ ଭର୍ତି,
ଗୋବିନ୍ଦ ସାହୁରେ ଏବେ
ସଂଜ ପହରୁ ଖଟି ଭାଙ୍ଗୁଛି,
ହଜାରେ ଲଫଙ୍ଗା ପ୍ରଜାପତିଙ୍କ ପର
ଏବେ ଗାନ୍ଧୀ ପାର୍କର ଛାତିରେ ଉଡୁଛି,
ପରିଜା ଲାଇବ୍ରେରୀର କାନ୍ଥ ଘଣ୍ଟାକୁ ଦେଖି
ରୋଜ୍ କାହାର ତଣ୍ଟି ସୁଖୁଛି।
ଏବେ ତ ଫେଡ଼ି ହବାର ବେଳ,
ମୋ ପାପୁଲିରେ ତା ହାତ ରେଖା
ଆଉ କାଇଁ ସେ ଯୋଡୁଛି,
ମୋ ଓଠକୁ ତା ଲୁହରେ ଭିଜେଇ
କାନ ପାଖେ ପଚାରୁଛି,
ସେ ଗୋଲାପ ରଙ୍ଗର ହୃଦୟରୁ
ରକ୍ତ ଶୁଖିବାକୁ ଆଉ କେତେ ଘଣ୍ଟା ବାକିଅଛି ..?
ଶେଷ ପରୀକ୍ଷା ଦିନ ସେ ପଚାରୁଥିଲା
ଯଦି ଏଇ ସେମିଷ୍ଟାର ଭଳି ସରିଯାଏ ସମ୍ପର୍କ ?
ମୁଁ କିନ୍ତୁ କହିପାରିଲିନି ଏତିକ
୪୩° ରୁ ୮୩° ହୋଇପାରେ ଭୁବନେଶ୍ୱରର ତାପମାତ୍ରା,
ଶ୍ରାବଣ ମାସରେ ଶୁଖିଯାଇ ପାରେ ସାଗରର ଆଖିପତା,
ଭୁଲ୍ ହେଇ ପରେ ପାଣିପାଗର ସୂଚନା,
ପାଞ୍ଚ ନମ୍ବର ଲେଡିଜ୍ ହଷ୍ଟେଲର ଛାତରେ
ଆଉ ନଉଡ଼ି ପାରେ ଗୋଟେ ନୀଳ ରଙ୍ଗର ଓଢ଼ଣି,
ଖରା, ବର୍ଷା କି ତୁଚ୍ଛା ମିଛଟାରେ
ଖୋଜା ନପଡ଼ି ପାରେ ଗୋଟେ ମେଘ ରଙ୍ଗର ଛତା,
ଶୁଣୁ "ମୁଁ ତୋତେ ଦିନେ ଭୁଲି ଯିବି",
ଏହା ହିଁ ତ ଶତାବ୍ଦୀର ଶ୍ରେଷ୍ଠ ମିଛ କଥା।