ହଜି ଯାଇଥିବା ମେଣ୍ଢା ଶାବକର କଥା

ହଜି ଯାଇଥିବା ମେଣ୍ଢା ଶାବକର କଥା
ମେଣ୍ଢା ଶାବକଟି ଧାଉଁଥିଲା 
ସତେ ଯେମିତି 
ପାରି ହେଇଯିବ ଏଇ ଯୁଦ୍ଧଖୋର ଗ୍ରହର ସୀମା!
କିଏ କହିଦେଲା ତାକୁ,
ଏଇ ଆକାଶ ଓ ମାଟି ଯେଉଁଠି ମିଶିଛି
ତା ସେପାଖେ ଅଛି ତା'ର ଗୋଠ!
ଏବେ ସେ ତୀବ୍ର,
ଧନୁଷରୁ ବାହାରିଥିବା ତୀର..
ଯେଉଁଠି ଲେଖାହେଇନି କେଉଁ ରକ୍ତ ଚରିତ୍ରର କଥା,
ଯିଏ କେବେ ଶିକାର କରି ଜାଣିନି,
ଶିକାର ହେଇ ଯିବନିତ ସେ!
ଏଇ ଦେଖୁ ଦେଖୁ ବାଜି ଉଠିଲା 'ଆକାଶବାଣୀ'
ପ୍ରସାରି ଗଲା ଏଇ ଗ୍ରହ ଖଣ୍ଡିଆ ହେବାର ଖବର!
କେଉଁଠି ଆଉ ଏକ ଭିନ୍ନ 'ହିରୋସିମା'ରେ
ଅଗଣିତ ହଜିଗଲେ ନିଜ ନଜ ଗୋଠରୁ..
ଅଟକିଗଲା ମେଣ୍ଢା ଶାବକଟେ 
ଦେଖେ ତ ସେ ଆସିଥିବା ବାଟ ସାରା
ଲାଲ ଲାଲ ପଳାଶ ଫୁଲ ସବୁ ପାଉଁଶ ସାଜିଗଲେ,
ଏଇ ପଥେ ଅନେକ ହତାଶ ପରାଜିତ
ଖୋଜୁଥିଲେ ରକ୍ତ ନଦୀକୁ ବାଟଟେ
ତା ଦେହରେ ସନ୍ତରିବାକୁ!
ଇଏ କି ବିଡ଼ମ୍ବନା! ହଜିଲା କି ବତେଇବ ବାଟ!
ଶାବକଟି ଏବେ ବିସ୍ମୟର ଛକରେ
ଯେଉଁଠି ଲୁହ ମାନେ ଗୋଟେ ଗୋଟେ
ସମୁଦ୍ର ମୁହାଁ ଚିରସ୍ରୋତା ଧାରା..
କ୍ଷତ ସବୁ ରାତିର ଧୀମାଧୀମା ପାରଦ ଆଲୁଅ ବତୀ!
ହସ ମାନେ ଗୋଟେ ଗୋଟେ ଆଜାଦ ଆତତାୟୀ!
ଘର ବୋଲି ଯେଉଁ ଅଜଣା ଜାଗାଟିଏ ଥିଲା
ସେଠି ସବୁ ଚିହ୍ନା ଚିହ୍ନା ଘରଚଟିଆଙ୍କ ଉଜୁଡ଼ା ନୀଡ଼,
ପାହାଡ଼ରୁ ଯେଉଁ ଝରଣା ଏଇ ଗାଁ ଦେଇ ଯାଇଥିଲା
ତା ଦେହରେ ଭାସିଯାଉଥିଲା ଅନେକ ଚଇତି ଛାଇ।
ଦୂରେ କିଏ ଘଉଡ଼ାଇ ଦେଲା..
ପାଣିଚିଆ ଖରା ସବୁ ଖୁବ୍ ଅହଙ୍କାରୀ ଏଇ ବୈଶାଖେ
ଦେଖୁ ଦେଖୁ ଜଳିଗଲା ପୁଳାଏ ନରମ ଦେହ
ଜଳି ଉଠିଲା ଜଙ୍ଗଲ, 
ଯୋଡ଼ାଏ ଦମକଳ ଗ୍ରାସିଗଲେ ତାକୁ, ଲିଭେଇବେ କହି
ହଳେ କରତକୁ ପଛରେ ଲୁଚେଇ!
ଶାବକ କି ଜାଣେ ଦହନ ପରେ ବି ବର୍ତ୍ତି ହୁଏନି
ଏ କି ଦୁନିଆ, ଯେଉଁଠି ସବୁ କିଛି କଟା ଯାଏ
ଶରୀର ହେଉ କି ଛାଇ କିଛି ଯାଏ ଆସେ ନାହିଁ!
ଅନେକ ଆସିବେ ଏବେ
କମଣ୍ଡଳୁରେ ଲୁହ ନେଇ, ମରମକୁ ଗଳାରେ ଝୁଲେଇ
ହେଲେ ଶାବକ ଏତିକି ଜାଣିବୁ
ଏବେ ଯିଏ କହିବ "ହେ ଶାବକ,
ତୋ ପାଇଁ ମୋ ଘର ଖୋଲା"..ସେ ହିଁ କଂସେଇ..
MAIL ID: bunu.bines@gmail.com