ନାମକୁ ମାତ୍ର ଲଢେଇ, ହେଲେ ଅସଲରେ ବିଜେଡି ବିଜେପି ଭାଇ ଭାଇ

ନାମକୁ ମାତ୍ର ଲଢେଇ, ହେଲେ ଅସଲରେ ବିଜେଡି ବିଜେପି ଭାଇ ଭାଇ

ଯାହା ଆଶା କରାଯାଉଥିଲା ପରିଶେଷରେ ତାହା ହିଁ ଘଟିଛି । ସଂସଦରେ ବିରୋଧୀଦଳ ଆଣିଥିବା ଅନାସ୍ଥା ପ୍ରସ୍ତାବ ବିରୋଧରେ ମୋଦୀ ସରକାରକୁ ସମର୍ଥନ ଦେବ ବୋଲି ବିଜୁ ଜନତା ଦଳ ଘୋଷଣା କରିଛି । ଏହା ସହିତ ଦିଲ୍ଲୀର ନିର୍ବାଚିତ ସରକାର ହାତରୁ କ୍ଷମତା ଛଡାଇ ଆଣିବା ଲାଗି ଆସିଥିବା ବିଲକୁ ମଧ୍ୟ ବିଜେଡି ସମର୍ଥନ ଦେବ ବୋଲି କହିଛି । ତେବେ ଏହି ଘୋଷଣା ଆଦୌ ଅପ୍ରତ୍ୟାଶ୍ୟିତ ନୁହେଁ ବା ଏହାକୁ ନେଇ କେହି ଆଶ୍ଚର୍ୟ ନୁହନ୍ତି । ୨୦୧୯ ସାଧାରଣ ନିର୍ବାଚନ ସାରିବା ପରଠାରୁ ପ୍ରତ୍ୟେକ ଘଟଣାରେ ବିଜେପି ଓ ବିଜେଡି ଏକାଠି ରହି ଆସିଛନ୍ତି । ରାଜ୍ୟରେ ବିଜେପି ନେତାମାନେ କେବଳ ବିଜେଡି ବିରୋଧରେ କହିବାକୁ ବାଧ୍ୟ, କାରଣ ସେମାନଙ୍କୁ ନିଜର ଅସ୍ତିତ୍ଵ ବଞ୍ଚାଇବାକୁ ପଡିବ ।

ବାସ୍ତବରେ ଦେଖିବାକୁ ଗଲେ  ବିଜେଡି ଓ ବିଜେପି ଭିତରେ ଭାଇ ଭାଇର ସମ୍ପର୍କ ପୁନଃପ୍ରତିଷ୍ଠା ହୋଇଛି । ୨୦୦୦ ରୁ ୨୦୦୯ ଯାଏଁ ବିଜେପି ଓ ବିଜେଡି ଭିତରେ ମେଣ୍ଟ ସରକାର ଚାଲିଥିଲା । ନବୀନ ପଟ୍ଟନାୟକ ତତ୍କାଳୀନ ଏନଡିଏ ମେଣ୍ଟର ଅଂଶବିଶେଷ ଥିଲେ । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ବିଜେଡ଼ିର ସଂସଦୀୟ ଦଳକୁ ଭାଙ୍ଗି ନବୀନ ପଟ୍ଟନାୟକଙ୍କ ନେତୃତ୍ଵ ବିରୋଧରେ ଏକ ବିଦ୍ରୋହ ସୃଷ୍ଟି କରିବାକୁ ଯାଇ ବିଫଳ ହୋଇଥିଲା । ୨୦୧୯ ନିର୍ବାଚନ ପୂର୍ବରୁ ବହୁ ବିଜେଡି ସାଂସଦ ବିଜେପିରେ ଯୋଗ ଦେଇଥିଲେ । ୨୦୧୭ ରୁ ୨୦୧୯, ସେହି ଦୁଇ ବର୍ଷ ବିଜେଡ଼ିକୁ ହଟାଇବାକୁ ବିଜେପି ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲା । ୨୦୧୯ରେ ବିଜେଡ଼ିର ବିପୁଳ ବିଜୟ ପରେ ବିଜେପି କେନ୍ଦ୍ରୀୟ ନେତାମାନେ ନବୀନଙ୍କ ବିରୋଧରେ କହିବା ବନ୍ଦ କରିଦେଲେ । କେବଳ ନାମକୁ ମାତ୍ର ଓଡିଶାର ବିଜେପି ନେତାମାନେ ନବୀନଙ୍କ ବିରୋଧରେ କିଛି କିଛି ବିବ୍ରୁତି ଦେଉଥିବା ବେଳେ କେନ୍ଦ୍ରରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ ହୋଇଚାଲିଛି ।

ମଣିପୁରର ବ୍ୟାପକ ହିଂସାକାଣ୍ଡ ଓ ମହିଳାଙ୍କ ପ୍ରତି ହୋଇଥିବା ବର୍ବର ନିର୍ଯାତନା ବିରୋଧରେ ବିଜେଡି ପଦେ ବି ପାଟି ଫିଟାଇ ନଥିଲା । ଏହି ପ୍ରସଙ୍ଗରେ ବିରୋଧୀ ଦଳ ଆଣିଥିବା ଅନାସ୍ଥା ପ୍ରସ୍ତାବ ବିରୋଧରେ ଭୋଟ ଦେବାକୁ ସ୍ଥିର କରି ବିଜେଡି ଆଜି ସ୍ପଷ୍ଟ କରିଦେଇଛି ଯେ, ନବୀନ ପଟ୍ଟନାୟକ ନରେନ୍ଦ୍ର ମୋଦୀଙ୍କ ସହିତ ୨୦୨୪ ନିର୍ବାଚନ ପରେ ମଧ୍ୟ ଏକାଠି ରହିବେ । ଲୋକ ଦେଖାଣିଆ ଭାବରେ ବିଜେଡି ଓ ବିଜେପି ଭିତରେ ନିର୍ବାଚନ ଲଢେଇ ହେଲେ ମଧ୍ୟ ଅସଲରେ ଏ ଦୁଇ ଦଳ ପରଷ୍ପରର ସହଯୋଗୀ ଭାବରେ କାମ କରିବେ ।

ଏହି ପୃଷ୍ଠଭୂମିରେ ୨୦୨୪ ସାଧାରଣ ନିର୍ବାଚନରେ ଓଡିଶାର ଭୋଟର ମଧ୍ୟ ନିଜ ମତ ବଦଳାଇବାକୁ ବାଧ୍ୟ । ୨୦୧୯ରେ ସବୁ ବିଜେପି ବିରୋଧୀ ଶକ୍ତି ବିଜେଡ଼ିକୁ ସମର୍ଥନ କରିଥିଲେ । ବିଜେପିକୁ ହରାଇବାକୁ ବିଜେଡି ସପକ୍ଷରେ ଭୋଟ ଦେଇଥିବା ଭୋଟର ଏବେ ବୁଝିବାକୁ ବାଧ୍ୟ ଯେ ବିଜେଡିକୁ ଭୋଟ ଦେବାର ଅର୍ଥ ହେଉଛି ବିଜେପିକୁ ସମର୍ଥନ କରିବା ।

ଦିଲ୍ଲୀ ସରକାର ହାତରୁ ପ୍ରଶାସନ ଛଡାଇ ଆଣିବାକୁ ସମର୍ଥନ ଦେଇ ବିଜେଡି ସମ୍ବିଧାନର ସଙ୍ଘୀୟ ବ୍ୟବସ୍ଥା ବିରୋଧରେ ଠିଆ ହୋଇଛି । ଯାହା ଆଜି ଦିଲ୍ଲୀରେ ଘଟୁଛି, ତାହା କାଲି ଓଡିଶାରେ ଯେ ନଘଟିବ ତାର ଗ୍ୟାରେଣ୍ଟି କେହି ଦେଇପାରିବେ ନାହିଁ । ବିଜେପିକୁ ସମର୍ଥନ ଦେଇ ବିଜେଡି ନିଜକୁ କେନ୍ଦ୍ରୀୟ ଏଜେନ୍ସି ଆକ୍ରମଣରୁ ସୁରକ୍ଷିତ ରଖିପାରିବ ବୋଲି ଭାବୁଛି । ହେଲେ ଥରେ ସ୍ଥିତି ସୁଧୁରିଗଲେ ବିଜେଡ଼ିକୁ ଖତମ କରିବାକୁ ବିଜେପି ଆଦୌ ପଛଘୁଞ୍ଚା ଦେବନାହିଁ ।

ମଣିପୁର ଏବଂ ଦିଲ୍ଲୀ ପ୍ରସଙ୍ଗରେ ବିଜେପି ସହିତ ଠିଆ ହେବା ପରେ, ବିଜେପି ବିରୋଧରେ ବିଜେଡି ଯଦି କିଛି କହେ, ତାହା କେବଳ ନାଟକ ବୋଲି ବୁଝିବାକୁ ପଡିବ ।