ସେ , ଈଶ୍ୱର ଓ ମୁଁ
ଖୋଜିବାକୁ ପଡେନି
ଜଳଜଳ ଦିଶିଯାଏ
ତା’ ଦଲଦଲ ଯନ୍ତ୍ରଣା
ଅନାବୃତ ଦୁଃଖ
ପଲେ ଶାଗୁଣାଂକ ଖୁମ୍ପାରୁ
ବର୍ତ୍ତିପାରୁନାହିଁ
ମିଳେଇ ଯାଉଥିବା ଛାଇ
ନିଜ ଖୋଳପା
ଭିତରେ ପଶି ବି ପାରୁନି
ତା ଟିକକ ଅସ୍ତିତ୍ୱ
ଅନେକ ପଛରୁ ଡାକଛାଡୁଛି
ଘରଆଡ ଗଳି
ପବନ ବହୁଛି ଓଲଟା ଦିଗରୁ
ରୁକୁଣା ରଥ ପାରୁନି ବାହୁଡି
ମରୁଭୂମିର ଶୋଷ
ଶୋଷର ସ୍ୱପ୍ନ
ସ୍ୱପ୍ନର ଆତୁରତା
ଆକାଶ ଦେଖୁଥାଏ
ତମାମ୍ କାରସାଦି
ଧାନବିଲ ନଈପଠା
ରାଜରାସ୍ତା ଅବା କେଉଁ ସୋଫାସେଟ୍
ହେଉଥାଏ ଛାଟିପିଟି
ଜହ୍ନରେ ଚଢୁଥା’ନ୍ତି ଦଳେ
ଖୁବ ଜାକଯମକରେ,
ହୁଏତ ଈଶ୍ୱର ସେଇଠି ଥିବେ
ଲୁଗା ଗାଣ୍ଠି ଯୋଗାଡରେ।
ନିର୍ଜୀବ ବାହନର ସାଇରନ୍ ମୁଁ
କେବଳ ବକବକ କରେ
ଗୁଡେ ବାଗାଡମ୍ବର କରିଜାଣେ
କହିବୁଲେ
ମୋର ପ୍ରତ୍ୟେକ ମୁହୂର୍ତ୍ତ
ଅନ୍ୟର ନିୟନ୍ତ୍ରଣାଧୀନ
ଭାଙ୍ଗିବାକୁ ହୃଦୟ ନାହିଁ
ଫୁଟିବା ପାଇଁ
ନାହିଁ ଗରମ ରକ୍ତ
ଏକ ଭଦ୍ର ବିରାଡି ମୁଁ
ଆଖିବୁଜି କ୍ଷୀରହାଣ୍ଡିକ ପିଉଛି
ସ୍ପଷ୍ଟ ଦେଖିବାକୁ ସବୁ କିଛି
ହଳେ ମୋଟା ଯବକାଚ
ଅବଶ୍ୟ ପିନ୍ଧିଚି
ଖସିଯାଉଛି ହାତମୁଠାରୁ
ସମୟର ରଶି
ଦିନର ରଙ୍ଗ ମଳିନ ହେଲାଣି
ବାଦଲ ଫାଟୁଛି ବିକଟାଳ ଶବ୍ଦରେ
ଯେତେ ବର୍ଷିବ ବର୍ଷୁ
ଅଦୃଶ୍ୟ ପାଣି
ଅବଶ୍ୟ ଫେରିଯିବ ମେଘକୁ
କିନ୍ତୁ ଯୁଗ ଯୁଗ ଲାଗିଯିବ ମତେ
ବିରାଡିରୁ ମଣିଷ ହେବାକୁ।