ରାଜଧାନୀରେ ବୁଢା-ବୁଢ଼ୀ
ଜନସଂଖ୍ୟାଠୁଁ ବଢିଯାଉଥିବା ଗାଡି,
ସ୍ରୋତ ପରି ମାଡିଆସୁଥିବା ଯାନବାହନର
ଜୁଆର ସେପାଖୁ, ଏପାଖ ରାସ୍ତାକୁ
ଯିବାପାଇଁ ସାହସ ପାଉ ନଥିବା
ରାଜଧାନୀର ରାଜରାସ୍ତା କଡରେ
ଜୁଳୁ ଜୁଳୁ ଆଖିରେ ରାସ୍ତାକୁ ଦେଖି
ଓଡ଼ିଶାର ପ୍ରଗତି ମାପୁଥିବା
ନିର୍ବାକ ବୁଢା-ବୁଢ଼ୀ....II
ନିହାତି ନିଃସହାୟ, ନିରୁପାୟ ....
ଏମିତି ଗାଁରୁ ଆସି କେବେ ବି ରାଜଧାନୀରେ ଅଲୋଡ଼ା
କିବା ଅନାଥ ପରି ନିଜକୁ ନିଜେ ଭାବି ନଥିବା
ବୟସ୍କ, ବୟସ୍କ ଆଖିରେ, ସଦ୍ୟ ମାଗଣା ଚକ୍ଷୁ ଚିକିତ୍ସା ଶିବିରର ଚଷମା
ପରିହିତ ଏକ ପରିତ୍ୟକ୍ତ "ଡନ୍" ପରି ଦିଶୁଥିବା ବୃଦ୍ଧ ମଉସା,
ମାଉସୀ ବୁଢ଼ୀର ନିଜସ୍ୱ ଢଙ୍ଗରେ କାନି ପଣତରେ ମାସ୍କ
ଧୂଳି, ଧୁଆଁ, ଆଉସବୁ ଅଭିଜାତ୍ୟର ପ୍ରଦୂଷଣକୁ
ଦୁରେଇ ରଖି କିଛି ନିଶ୍ୱାସ ପାଇଁ ପବନ ଧରିବାର ପ୍ରୟାସ... II
"ଆଗରୁ ବି ଆସିଥିଲେ ଆମେ ଦିହେଁ ଯବାନ ବୟସରେ
କେବେ ଲିଙ୍ଗରାଜ ରୋଡ଼ ପାସେଞ୍ଜର ଷ୍ଟେସନ ଠାରୁ
ଚାଲି ଚାଲି ଆସି ନୂଆ ରାଜଧାନୀ ଦେଖିବାର ସେ ଇଛା
ମରି ମରି ଯାଉଛି ଏହି ପ୍ରବଳ ବେଗବାନ, ରାକ୍ଷସ ପ୍ରାୟ
ଯାନବାହନର ପରାକ୍ରମଦେଖି, ଶୁଖିଯାଉଥିବା ପବନ,
ହଜିଯାଉଥିବା ସବୁଜିମା, ଲୋକଙ୍କ ଅତ୍ମୀୟତା
ବଢ଼ିଉଠୁଥିବା ଅଟ୍ଟାଳିକାର କଂକ୍ରିଟ ଜଙ୍ଗଲ ଏବଂ ଅଭୟାରଣ୍ୟ
ଏ ସହର ବୋଧେ ଆଉ ଆମ ପରି ବୁଢା ବୁଢ଼ିଙ୍କି ଲୋଡିବନି I "
ସହରୀ ଢାଞ୍ଚାରେ ଗାଁକୁ ଦୁରୁକୁ ଦୁରକୁ ଠେଲି ଦେବାର
ଏହି ଶତତ ପ୍ରୟାସ ଭିତରେ ତ ଜଳ ଜଳ ଦିଶୁଛି
ବାପା ମାଙ୍କୁ କାଳକ୍ରମେ ପାସୋରି ଦେଉଥିବା ସହରୀ ସଭ୍ୟତାରେ
ଗାଉଁଲି ବୁଢା ବୁଢୀଙ୍କୁ ପଚାରେ ଅବା କିଏ ? ପଳାଶୁଣୀ ରାସ୍ତାରେ
ବୁଢାଟି ଉପରେ ଗାଡି ଚଢି ଯିବାପରେ ଖବର ପୃଷ୍ଠାରେ ସିନା
ସେ ମରିଯାଏ ଗୋଟିଏ କି ଦୁଇଟି ସ୍ତମ୍ଭରେ, ହେଲେ କିଏ ବୁଝେ
ବଢୁଥିବା ସହର ଭିତରେ, ବାହାରେ, ରାସ୍ତାରେ, ଘରେ ଅଥବା
ପାର୍କରେ ଏମିତି ଅସହାୟ ଅପାଙ୍କ୍ତେୟ ହୋଇ ଯନ୍ତ୍ରଣା ଜର୍ଜରିତ
ବୁଢା ବୁଢ଼ୀ ମାନଙ୍କ ଜୀବନ ଯନ୍ତ୍ରଣା, ସେମାନଙ୍କ ସୁଖ ଆଉ ଦୁଃଖର ଜୀବନ-ଜୀବିକା ?....II