ଶୁକୁରା ଜାନୀର ଆଖିରେ ସ୍ଵାଧୀନତା
ଆଜି ଜୁଲାଇର ଜରାୟୁରେ
ବର୍ଷା ବଢୁଥିବା ବେଳେ
ମାଳ ମାଳ ମେଘ ଭାସୁଥିଲେ
କୋରାପୁଟିଆ ଆକାଶରେ
ଶୁକୁରା ଜାନୀ ଲଙ୍ଗଳ ଘଷୁଥିଲା
ଥାକ ଥାକିଆ
ପୋଡା ପାହାଡ଼ ଛାତିରେ
ଗୋପାଳର ସ୍ତ୍ରୀ ଦନେଇ
ଲାଲ୍ ମାଟିରେ ଲିପୁଥିଲା ମାଟି କାନ୍ଥ
ଅଗଷ୍ଟର କାନ୍ଥରେ ଭରା ଦେଇ
ଆସୁଥିଲା ପନ୍ଦର ଅଗଷ୍ଟ ।।
ଗାଁ କଡ ଶାଳ ଶାଗୁଆନ ପତ୍ରରୁ
ଟପ୍ ଟପ୍ ହୋଇ ଝରୁଥିଲା ବର୍ଷା
ଫରଫର ହୋଇ ଉଡୁଥିଲା ତ୍ରିରଙ୍ଗା
ମଞ୍ଚ ଉପରେ କେହି ଜଣେ ବୁଝାଉଥିଲା ଦେଶ ଓ ଜାତିର କଥା
ବୁଝାଉଥିଲା ସ୍ବାଧୀନତାର ଅର୍ଥ
ଟଙ୍କାକରେ କିଲେ ଚାଉଳ
ଆଉ ପାଞ୍ଚ ଟଙ୍କାରେ
ପେଟେ ଡାଲମା ଭାତ ।।
ଭିଡ ଭିତରେ ସବୁ ଶୁଣୁଥିଲା
ଗୋପାଳ ଓ ତା' ସ୍ତ୍ରୀ ଦନେଇ
ଶୁଣୁଥିଲା ଶୁକୁରା ଜାନୀ ;
ଶୁକୁରା ଜାନୀ ଆଖିକୁ
ଢିମା ଢିମା କରି କହୁଥିଲା
ଚୁପ୍ କର୍ ଶଳା ଶଇତାନ୍
ସ୍ଵାଧୀନତାର ଅର୍ଥ ତୁ ବୁଝାନା ଆଉ
ଏବେ ସ୍ଵାଧୀନତା କହିଲେ ମୁଁ ଦେଖୁଛି
ଛାତ ଉପରେ ବସୁଛି
ମଣିପୁରୀଆ କାଉ !
ରାଜ ରାସ୍ତା ଉପରେ ଚାଲୁଛି
ଆମ ମାଇପ ପରି ଆଉ ଦୁଇଟା ମାଇପର ଲଙ୍ଗଳା ଦେହ !
ଯିଏ ନାହିଁ ସିଏ
ଛୁଇଁ ଦେଉଛି ତା'ର ଥନକୁ !
ଯିଏ ନାହିଁ ସିଏ ଛୁଇଁ ଦେଉଛି
ତା'ର ଯୋନୀ ଆଉ ଜାନୁକୁ !
ତଥାପି ନୀରବ ମୋ ଦେଶ
ଫଟା କାନ୍ଥରେ
ବାରମ୍ବାର ଦେଉଛି ଲେପ ।।