ନିର୍ଧନ କାହିଁକି ହେଲୁରେ ମନୁଆ

ନିର୍ଧନ କାହିଁକି ହେଲୁରେ ମନୁଆ

ବଡ ଦାଣ୍ଡରେ ଭକ୍ତଙ୍କ ଭିଡ କମିନି ତ
ଦିଅଁଙ୍କ ହୁଣ୍ଡି କେବେ ଖାଲି ହେଉନି ତ
ଭଗ୍ନ ରୁଗ୍ଣ ଏ୍ୟତିହ୍ୟର କିମ୍ବଦନ୍ତୀ ମରିନି ତ
ପତ୍ର ଚିତ୍ରରେ ଜୀବନ ଶୃଂଗାର ହସୁଛି ତ

ସହର ଦିଶୁଛି ଆହୁରି ରଂଗିଲା ଆହୁରି ଚାକଚକ୍ୟ
ଆଖି ହେଲା ପରି ଅଂଧ, କଳ୍ପନା ଯେ ହାତୀ ପ୍ରାୟ
ପକ୍କା ଛାତ, ସିମେଣ୍ଟ ରାସ୍ତା, ବନ୍ଦ କବାଟ, ଗାଁ ଵୈଚିତ୍ର୍ୟ
ଅତୀତକୁ ଆତ୍ମସାତ୍ କଲା ପରି ପୋତା କୂଅ

ସବୁ ଉତ୍ସାହ, ଯେତେ ଉତ୍କଣ୍ଠା, ସକଳ ଅଭିଳାଷ
କଣ ଦେଲେନେଲେ ମିଳୁଛି ଟଂକାରେ ଅଧିବାସ
ସାଲିସ କର, ବେଇମାନ୍ ହୁଅ, ଦଲାଲି ବିକ
ଟଂକାରେ ସବୁରି ମୁହଁ ବଂକା, ସଜାଡ ଭେକ

ଚୋରିନାରୀ କଲେ ମୋଟା ରୋଜଗାରର ବୁଝାମଣା ପତ୍ର ମିଳୁଛି ତ
ଚୋର ଓ ନାରୀ ଉଭୟ ଜଣାପଡୁଛନ୍ତି ବେଶ୍ ଖୁସିରେ ମସଗୁଲ୍ ତ
ବ୍ଲାକମେଲ୍ କଲେ ଚୁପ୍ ରହିବାକୁ ବଟି ଆସି ପହଂଚି ଯାଉଛି ତ
କେଉଁ ଅସହାୟର ବଳି ରକ୍ତରେ ହାତ ଟେକା ଚିଅର୍ସ ହେଉଛି ତ

ନିର୍ଧନ କରି କେଉଁ ଯଶ ବାନା ଉଡାଉଛ ହେ ସରକାର୍
ପୁଂଜିରେ ସେଆର୍ ଲାଗୁଛି, ପୁଂଜିପତିର ଜୟଜୟକାର୍
ଧନୀ ତାଲିକାରେ ବଢୁଛି ସଂଖ୍ୟା, ଚାରେଣା ଭାରତୀୟ
ଆଉ ବାରେଣା ଲୋକ ବାକିଖିଆ ମାଗିଖିଆ ନିମ୍ନ ବିତ୍ତୀୟ

ସଂପର୍କକୁ କଳିପାରିଲିନି ମୁଁ କିଣାବିକାରେ କେତେ କ୍ଷତି ଲାଭ
ପେଶାରେ ପାରିଲିନି ପଦୋନ୍ନତି ଗାଣ୍ଡି ଦେଖେଇ ପ୍ରିୟାପ୍ରୀତି ଭାବ
ଦିନକୁ ଦିନ ଜିନିଷରେ ଭିଟାମାଟିର ବାସ୍ନା ଆଉ ନାହିଁ ତ
ଯାନିଯାତ,ପୁନିଅପରବ ଥିଲାବାଲାର ଦେଖାଣିଆ ସ୍ଟାଟସ୍ ତ

ଦୁଃଖକୁ ଲୁଚେଇ ନପାରି ମୁଁ ହତଚକିତ ବାବଦୂକ
ଲୁହକୁ ଢୋକି ନପାରି ମୁଁ ଋଣ ଗ୍ରସ୍ତ କାଳ ଯାକ
ଲଜ୍ଜାକୁ ସହି ନପାରି ମୁଁ ନିର୍ଦୟ ନିଜ ପ୍ରତି
ନ୍ୟାୟକୁ ବଂଚେଇ ନପାରି ଶବ୍ଦ ଅପରାଧୀ

ମୋ ପରି କେତେ ଯେ ନିର୍ଧନ ପ୍ରଶ୍ନ କଲେଣି ଅସ୍ମିତା ସଂସ୍କୃତି ଜନ୍ମସ୍ଥାନ
ସଂଜ ହେଲେ ଦେହରେ ବୋଳି ହୋଇ ଦୀପ ତଳ ଅଂଧାର ଅପମାନ
ଆକାଶରୁ ଖସି ପଡୁଛି କେତେ କେତେ ଭ୍ରଷ୍ଟ ଜୀବନର ଜଳନ୍ତା ନିଆଁ
କଣା ଫଟା ଶାଗୁଆ ଢାଂକୁଣି ତଳେ ଧୂସର ବାଦାମୀ ପ୍ରାନ୍ତରେ ମୁଁ ଠିଆ

ନିର୍ଧନ କାହିଁକି ହେଲୁରେ ମନୁଆ