ଭାରତ: ଆଉ ଗୋଟିଏ ଆନ୍ନା ଆନ୍ଦୋଳନ ପଥରେ କି?
୧୫ ମେ’ ୨୦୨୬, ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାରତୀୟ ବେରୋଜଗାର ଯୁବକ, ଇଣ୍ଡିପେଣ୍ଡେଣ୍ଟ ମିଡିଆ ପର୍ସନ୍ ଏବଂ ଆର୍ ଟି ଆଇ ଆକ୍ଟିଭିଷ୍ଟଙ୍କୁ “କକ୍ରୋଜ୍” ବା ଅସରପା କହିବା ପରେ ତାଙ୍କୁ ଯେ କେବଳ ଭାରତର ବିଭିନ୍ନ ମହଲରେ ସମାଲୋଚନାର ସାମ୍ନା କରିବା ପାଇଁ ପଡିଥିଲା ତା’ ନୁହେଁ ବରଂ ତାଙ୍କର ଏଇ ମନ୍ତବ୍ୟ ଭାରତରେ ଗୋଟିଏ ଅନ୍ଲାଇନ୍ ଜେନ୍ ଜି ବିପ୍ଳବର ମଧ୍ୟ ସୂତ୍ରପାତ କରିଥିଲା। ସାଙ୍ଗେସାଙ୍ଗେ ୧୬ ମେ’ ୨୦୨୬ରେ ଯୁକ୍ତରାଷ୍ଟ୍ର ଆମେରିକାରେ ରହୁଥିବା ୩୦ ବର୍ଷୀୟ political communications strategist, ଯିଏକି ଆଗରୁ ଆମ୍ ଆଦମି ପାର୍ଟି ସହ କାମ କରି ସାରିଛନ୍ତି, ଅଭିଜିତ୍ ଦୀପକେ ଗୋଟିଏ ଡିଜିଟାଲ ସାଟାରିକାଲ୍ (ବ୍ୟଙ୍ଗାତ୍ମକ) ପଦକ୍ଷେପ ଆରମ୍ଭ କରିଥିଲେ, କକ୍ରୋଜ୍ ଜନତା ପାର୍ଟି (CJP)। ବ୍ୟବସ୍ଥା ଏବଂ କ୍ଷମତା ବିରୋଧରେ ବ୍ୟଙ୍ଗାତ୍ମକ ଆକ୍ଷେପ, ସମାଲୋଚନା ଏବଂ ବିଦୃପରୁ ଆରମ୍ଭ ହୋଇଥିବା ଗୋଟିଏ ପଦକ୍ଷେପ ଆଜି ୬ ଜୁନ୍, ୨୦୨୬ରେ ଦେଶର ରାଜଧାନୀରେ NEETUG-2026 ପ୍ରଶ୍ନପତ୍ର ଲିକ୍ ଏବଂ +୨ CBSE ପରୀକ୍ଷା ଫଳାଫଳରେ ହୋଇଥିବା ଅନିୟମିତତା ଦୃଷ୍ଟିରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରୁଛି। କଟକଣା ସତ୍ତ୍ୱେ ଶହ ଶହ ଯୁବକ-ଯୁବତୀ CJP ସହ ଉକ୍ତ ଧାରଣା ସ୍ଥଳରେ ପହଞ୍ଚିଛନ୍ତି। ଏଇ କିଛି ବର୍ଷ ମଧ୍ୟରେ ବିଶ୍ବର ବିଭିନ୍ନ ଦେଶରେ ଯୁବ ପିଢ଼ି ବା ଜେନ୍ ଜି ପ୍ରୋଟେଷ୍ଟ ଦେଖା ଦେଇଛି, ଯାହା କେବେ ଦେଶର ସରକାରକୁ ବଦଳାଇ ଦେଇଛି ତ ଆଉ କେବେ ଦେଶର ଗଣତନ୍ତ୍ର ଏବଂ ପ୍ରଶାସନକୁ ନୂଆ ଦିଗ ତଥା ସଂଘର୍ଷ ଆଡ଼କୁ ବାଟ କଢ଼େଇଛି। କିନ୍ତୁ ୬ ଜୁନ୍ରେ CJP ଦ୍ୱାରା କରା ଯାଉଥିବା ବିରୋଧ ପ୍ରଦର୍ଶନକୁ ଭାରତର ଏକମାତ୍ର ଏବଂ ପ୍ରଥମ ଜେନ୍ ଜି ପ୍ରୋଟେଷ୍ଟ କହିବା ନିଶ୍ଚିତ ଭାବରେ ଭୁଲ୍ ହେବ। କାରଣ ବିଗତ କିଛି ବର୍ଷ ମଧ୍ୟରେ ଭାରତରେ ବିଭିନ୍ନ ପ୍ରାନ୍ତରେ, ବିଭିନ୍ନ ସମୟରେ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ଠୁ ନେଇ ଅନିୟମିତତା ପାଇଁ ବିକ୍ଷୋଭ ପ୍ରଦର୍ଶନ ଜାରୀ ରହିଛି, ଏବେ ମଧ୍ୟ NEETUG-2026 ଓ +୨ CBSE ପରୀକ୍ଷା ଫଳାଫଳ ନେଇ ବିଭିନ୍ନ ସ୍ଥାନରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ବିରୋଧରେ ବିକ୍ଷୋଭ ଜାରୀ ରଖିଛନ୍ତି। ଆଜି ରାଜଧାନୀ ଦିଲ୍ଲୀରେ ଚାଲିଥିବା ବିକ୍ଷୋଭ ପ୍ରଦର୍ଶନ ଏବଂ CJPର ଭୂମିକା ତଥା ଭାରତୀୟ ଗଣତନ୍ତ୍ରର ଭବିଷ୍ୟତ ବିଷୟରେ ଆଲୋଚନା କରିବା ସମୟରେ ଯଦି ଆମେ ଚଳିତ ଦଶନ୍ଧିରେ ଶ୍ରୀଲଙ୍କା, ବାଂଲାଦେଶ ଏବଂ ନେପାଳରେ ହୋଇଥିବା ଜେନ୍ ଜି ଆନ୍ଦୋଳନ ବିଷୟରେ କଥା ହେବାନି ତାହାଲେ ଆମ ଆଲୋଚନା ଅଧା ରହିଯିବ।
୨୦୨୨ରୁ ୨୦୨୬ ମଧ୍ୟରେ ଦକ୍ଷିଣ ଏସିଆରେ ଗୁରୁତ୍ତ୍ୱପୂର୍ଣ୍ଣ ରାଜନୈତିକ ଅସ୍ଥିରତା ତଥା ଓଲଟ୍ଫେର୍ ଦେଖା ଦେଇଥିଲା। ମୂଖ୍ୟତଃ ଜେନ୍ ଜି ଏବଂ ମିଲେନିଆଲ୍ସଙ୍କ ଦୃଢ଼ ପଦକ୍ଷେପ, ପ୍ରତିବାଦର ସ୍ବର ତଥା ନେତୃତ୍ୱ କେବଳ ଯେ ଏହି କ୍ଷେତ୍ରରେ ଶାସନତନ୍ତ୍ରରେ ବସିଥିବା ବ୍ୟକ୍ତିଙ୍କୁ ଗାଦିଚ୍ୟୁତ କରିଛି ତା’ ନୁହେଁ ବରଂ ସେମାନଙ୍କ ପ୍ରଶାସନିକ ଦାୟିତ୍ୱବୋଧ ତଥା କର୍ତ୍ତବ୍ୟ ଉପରେ ପ୍ରଶ୍ନ ଉଠେଇବା ସହ ରାଜନେତାଙ୍କୁ ରେସ୍ପନ୍ସିବିଲିଟି ନେବାକୁ ବାଧ୍ୟ ମଧ୍ୟ କରିଛି। ଭୌଗୋଳିକ, ଐତିହାସିକ ଏବଂ ସାଂଗଠନିକ ଢାଞ୍ଚା ଦୃଷ୍ଟିରୁ ଶ୍ରୀଲଙ୍କା, ବାଂଲାଦେଶ ଏବଂ ନେପାଳ ଏମାନେ ସମସ୍ତେ ପରସ୍ପର ଠାରୁ ଅଲଗା ହେଲେ ମଧ୍ୟ ରାଜନୈତିକ ଅସ୍ଥିରତା, ଜନ ଆନ୍ଦୋଳନ ତଥା ଏହାପରେ ଘଟି ଥିବା ସତ୍ତା ପରିବର୍ତ୍ତନ କ୍ଷେତ୍ରରେ ଗୋଟିଏ ଅଦ୍ଭୁତ ପ୍ରକାରର ସାମଞ୍ଜସ୍ୟ ଦେଖିବା ପାଇଁ ମିଳିଥିଲା। ପ୍ରଶାସନିକ ବିଫଳତାରୁ ଉତ୍ପନ୍ନ ସାମାଜିକ ତଥା ଅର୍ଥନୈତିକ ଅସ୍ଥିରତା ଭୀଷଣ ଜନ ଅସନ୍ତୋଷର କାରଣ ହୋଇଥିଲା ଯାହାକି ଯୁବ ବର୍ଗ ମଧ୍ୟରେ ପ୍ରତିବାଦର ରୂପ ନେଇଥିଲା ଏବଂ ସେମାନେ ଏକତ୍ରିତ ହୋଇ ରାସ୍ତାକୁ ଓହ୍ଲାଇ ଆସିଥିଲେ। ଇତିହାସରେ ଏହି ଜନ ଆନ୍ଦୋଳନ ଗୁଡ଼ିକ ଯେ କେବଳ “ଜେନ୍-ଜି ଆନ୍ଦୋଳନ” ଭାବରେ ଲିପିବଦ୍ଧ ହୋଇ ରହିବ ତା’ ନୁହେଁ। ବରଂ ଭବିଷ୍ୟତରେ ଯେତେବେଳେବି ଦକ୍ଷିଣ ଏସିଆରେ ଏଇ ଗୋଟିଏ ଦଶନ୍ଧି ଭିତରେ ହୋଇଥିବା ଏହି ଆନ୍ଦୋଳନ ଗୁଡ଼ିକ ବିଷୟରେ ଆଲୋଚନା କରାଯିବ ତା’ ସହ ଶାସନତନ୍ତ୍ରରେ ବର୍ଷ ବର୍ଷ ଧରି ବସିଥିବା ରାଜନେତା ଯେତେବେଳେ ପ୍ରଶାସନିକ ଦୃଷ୍ଟିରୁ ବିଫଳ ହୁଏ ତାହା କେମିତି ସାଧାରଣ ଜନତାକୁ ଏକତ୍ରିତ କରି ଗୋଟିଏ ଅସାଧାରଣ ପ୍ରତିପକ୍ଷରେ ପରିଣତ କରି ପାରିବ, ତାହା ମଧ୍ୟ ଆଲୋଚିତ ହେବ। ଏହା ସବୁବେଳେ ଚେତାଇ ଦେବା ଯେ ସମୟ ଅବଧି ନୁହେଁ ବରଂ ପ୍ରଶାସନିକ ଉତ୍ତରଦାୟିତ୍ୱ ହିଁ ଜଣକୁ ଲୋକପ୍ରିୟ ତଥା ସଫଳ ରାଜନେତା କରିଥାଏ।
ଅତ୍ୟଧିକ ମୁଦ୍ରାସ୍ଫୀତି, ଇନ୍ଧନ, ଔଷଧ ତଥା ଖାଦ୍ୟର ଗୁରୁତର ଅଭାବ ଏବଂ ମୁଦ୍ରାର ତୀବ୍ର ଅବମୂଲ୍ୟାୟନ କାରଣରୁ ୨୦୨୨ ପ୍ରାରମ୍ଭରେ ଶ୍ରୀଲଙ୍କାର ଆର୍ଥିକ ତଥା ସାମାଜିକ ସଙ୍କଟ ଚରମରେ ପହଞ୍ଚିଥିଲା। ମାର୍ଚ୍ଚ ୨୦୨୨ ବେଳକୁ ଦେଶସାରା ତୀବ୍ର ଜନ ଆକ୍ରୋଶ ଦେଖା ଦେଇଥିଲା। ଏହି ଆକ୍ରୋଶ ଏବଂ ଅସନ୍ତୋଷ ଆନ୍ଦୋଳନର ଆକାର ନେଇଥିଲା, ଯାହାକୁ Aragalaya (ଅରାଗାଲୟା ଅର୍ଥାତ୍ ସ°ଘର୍ଷ) ନାମକରଣ କରାଯାଇଥିଲା। ଏହି ଅରାଗାଲୟା ଶ୍ରୀଲଙ୍କାର କଲୋମ୍ବୋଠୁ ଆରମ୍ଭ କରି ଅନ୍ୟାନ୍ୟ ପ୍ରମୁଖ ସହରର ହଜାର ହଜାର ନାଗରିକଙ୍କୁ ଏକତ୍ରିତ କରିଥିଲା। ଯୁବ ପିଢ଼ି (ମୁଖ୍ୟତଃ ଜେନ୍ ଜି) ଏବଂ ଡିଜିଟାଲି କନେକ୍ଟେଡ୍ ଆକ୍ଟିଭିଷ୍ଟ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ଏହି ପ୍ରଦର୍ଶନୀ ଗୁଡିକରେ ଯୁବ ଆନ୍ଦୋଳନକାରୀ ତତ୍କାଳୀନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଏବଂ ରାଜନୀତିରେ ଥିବା ତାଙ୍କ ବଂଶଧରମାନଙ୍କର ଇସ୍ତଫା ଦାବି କରିଥିଲେ। ଆନ୍ଦୋଳନକାରୀଙ୍କ ଆରୋପ ଅନୁସାରେ, ଦଶନ୍ଧି ଦଶନ୍ଧି ଧରି ରାଜନୀତିରେ ଗୋଟାବାୟାଙ୍କ ପାରିବାରିକ ପ୍ରଭାବ ଏବଂ ପ୍ରାର୍ଦୁରଭାବ କାରଣରୁ ଦୁର୍ନୀତି ବୃଦ୍ଧି ପାଇବା ସହ, ପ୍ରଶାସନିକ ବ୍ୟବସ୍ଥାର ବିପର୍ଯ୍ୟୟ ଘଟୁଥିଲା। ଆରମ୍ଭରୁ ଅରଗାଲୟା ତା’ର ଅହିଂସାତ୍ମକ ପରିଚାଳନା ପାଇଁ ପ୍ରସିଦ୍ଧ ହୋଇଥିଲା। ଆନ୍ଦୋଳନକାରୀମାନେ ଟେଣ୍ଟ ବା ଶିବିର ବନାଇ ସରକାରୀ କାର୍ଯ୍ୟାଳୟ ସାମନାରେ ବସି ରହୁଥିଲେ। ଦେଶବ୍ୟାପୀ ସେମାନେ ପରସ୍ପର ସହ ଯୋଗାଯୋଗ ସ୍ଥାପନ ପାଇଁ ସୋସିଆଲ ମିଡିଆର ବ୍ୟବହାର କରୁଥିଲେ। ୭ ଜୁଲାଇ ୨୦୨୨ ବେଳକୁ ଅରାଗାଲୟା ଗୋଟିଏ ନାଟକୀୟ ମୋଡ଼ ନେଇଥିଲା। ଏପର୍ଯ୍ୟନ୍ତ ସରକାରୀ କାର୍ଯ୍ୟାଳୟ ବାହାରେ ପ୍ରଦର୍ଶନ କରୁଥିବା ପ୍ରଦର୍ଶନକାରରୀ ଯୁବକ ରାଜପକ୍ଷେ ସରକାରଙ୍କ ପ୍ରତି ନିଜର ଚରମ ଅବିଶ୍ୱାସ ଏବଂ ଅନାସ୍ଥାର ପ୍ରତିକ ସ୍ୱରୁପ ପ୍ରମୁଖ ସରକାରୀ କାର୍ଯ୍ୟାଳୟ ଏବଂ କୋଠା ଗୁଡିକ ଆକ୍ରମଣ କରିବା ସହ ତା’ ମଧ୍ୟକୁ ଧସେଇ ପଶିଥିଲେ। ୯ ଜୁଲାଇ ସୁଦ୍ଧା ରାଜପକ୍ଷେ ନିଜ ପଦରୁ ଇସ୍ତଫା ଦେଇ ଦେଶ ଛାଡ଼ି ପଳାୟନ କରିଥିଲେ। ଏହାପରେ ରାନିଲ୍ ବିକ୍ରମସିଂଘେ ନବମ ରାଷ୍ଟ୍ରପତି ଭାବରେ ଦେଶର ପ୍ରଶାସନିକ ବ୍ୟବସ୍ଥାର ତଦାରଖ କରିବା ସହ ନିର୍ବାଚନ ପାଇଁ ପଥ ପ୍ରସ୍ତୁତ କରିଥିଲେ। ଅରଗାଲୟା ପରେ ସେପ୍ଟେମ୍ବର ୨୦୨୪ରେ ଶ୍ରୀଲଙ୍କାରେ ସାଧାରଣ ନିର୍ବାଚନ ହୋଇଥିଲା ଏବଂ ସେଥିରେ ୪୨.୩୧% ଭୋଟ ପାଇ ଅନୁରା କୁମାରା ଦିଶାନାୟେକେ ବିଜୟ ହାସିଲ କରିବା ସହ ଦେଶର ଦଶମ ରାଷ୍ଟ୍ରପତି ହୋଇଥିଲେ। ୨୦୨୪ରେ ପ୍ରଥମଥର ପାଇଁ ଶ୍ରୀଲଙ୍କାରେ UNP ଏବଂ SLFP ପରି ପାରମ୍ପରିକ ରାଜନୈତିକ ଦଳକୁ ଛାଡି ସାଧାରଣ ଜନତା ଗୋଟିଏ ନୂତନ ଦଳ National People's Power (NPP)କୁ ସମର୍ଥନ ଦେଇଥିଲେ। ୨୦୨୨ରୁ ଆରମ୍ଭ ହୋଇଥିବା ଶ୍ରୀଲଙ୍କାର ରାଜନୈତିକ ଅସ୍ଥିରତାଠୁ ଆରମ୍ଭ କରି ୨୦୨୪ରେ ପରିବାରବାଦକୁ ତ୍ୟାଗ କରି ଜନତା ଦିଶାନାୟେଙ୍କ ପରି ଜଣେ ନୂତନ ଚେହେରାକୁ ରାଷ୍ଟ୍ରପତି ପାଇଁ ବାଛିବା ପ୍ରତିପାଦିତ କରିଥିଲା ଯେ, ଯେକୌଣସି ଦେଶର ଯୁବଶକ୍ତି ଏକାଠି ହେଲେ ସେ ଦେଶର ଆଭ୍ୟନ୍ତରୀଣ ସଂକଟ ସହ ମୁକାବିଲା କରିବା ଏବଂ ଦେଶରେ ସତ୍ତା ପରିବର୍ତ୍ତନ ଆଦୌ ଅସମ୍ଭବ ନୁହେଁ।
ଶ୍ରୀଲଙ୍କାରେ ରାଜନୈତିକ ଅସ୍ଥିରତା ଏକପ୍ରକାର ସଳଖି ଆସିଲା ବେଳକୁ ଦକ୍ଷିଣ ଏସିଆର ଆଉ ଗୋଟିଏ ଦେଶ ବାଂଲାଦେଶ୍ରେ ସମାନ ପ୍ରକାରର ଯୁବ ବା ଜେନ୍ ଜି ଆନ୍ଦୋଳନ ମୁଣ୍ଡ ଟେକିଥିଲା। ଜୁନ୍-୨୦୨୪ରେ ସରକାରୀ ଚାକିରୀରେ ୧୯୭୧ ମସିହା ସ୍ୱାଧିନତା ସଂଗ୍ରାମୀଙ୍କ ବଂଶଧରଙ୍କୁ ୩୦% ସଂରକ୍ଷଣର ରାୟ ହାଇକୋର୍ଟ ଦେବା ପରେ ପ୍ରଥମେ ଛାତ୍ର ଏବଂ ଯୁବପିଢ଼ି ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ଜୁଲାଇ ୨୦୨୪ ବେଳକୁ ଏହା ଆନ୍ଦୋଳନର ରୁପ ନେଇ ସାରିଥିଲା, ଯେଉଁଥିପାଇଁ କି ଏହାକୁ July Revolution (ଜୁଲାଇ ବିପ୍ଳବ) କୁହାଗଲା। ପ୍ରାରମ୍ଭିକ ସ୍ତରରେ ଏହି ପ୍ରଦର୍ଶନ ସରକାରୀ ଚାକିରୀ କ୍ଷେତ୍ରରେ ସଂରକ୍ଷଣ ବା ରିଜର୍ଭେସନ୍ ସଂସ୍କାରକୁ ନେଇ ଆରମ୍ଭ ହୋଇଥିବା ବେଳେ ଖୁବ୍ ଶୀଘ୍ର ଏହା ଦୀର୍ଘ ଦିନ ଶାସନରେ ଥିବା ସରକାରୀ ଦଳର ଦୁର୍ନୀତି, ଅବହେଳା ଏବଂ ସ୍ୱେଚ୍ଛାଚାରୀ ପ୍ରବୃତ୍ତି ଆଦିକୁ ମଧ୍ୟ ନିଜ ସମାଲୋଚନାର ପରିସର ମଧ୍ୟକୁ ଆଣିଥିଲା। ଏହି ଆନ୍ଦୋଳନରେ ମୁଖ୍ୟତଃ ଛାତ୍ର ଏବଂ ଚାକିରୀ ଆଶାୟୀ ଯୁବପିଢ଼ି ସାମିଲ୍ ଥିଲେ। ଆନ୍ଦୋଳନକାରୀଙ୍କ ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ୍ ହସିନଙ୍କ ଦ୍ବାରା “ରଜାକର୍” ପରି ଅପମାନ ଜନକ ଶବ୍ଦ ପ୍ରୟୋଗ କରିବା ତଥା ପୁଲିସ୍, ପ୍ରଶାସନ ଏବଂ ସରକାରୀ ଦଳର ଛାତ୍ର ସଂଗଠନ ଦ୍ୱାରା ଆନ୍ଦୋଳନକାରୀଙ୍କ ଉପରେ ହିଂସାତ୍ମକ ଆକ୍ରମଣ ତଥା ଅବୁ ସୟଦ ନାମକ ଛାତ୍ରର ହତ୍ୟା ପରେ ଯୁବ ଆନ୍ଦୋଳନ ଦେଶବ୍ୟାପୀ ଆହୁରି ତୀବ୍ର ହୋଇଥିଲା। ସେହି ସମୟରେ ଆନ୍ଦୋଳନକାରୀଙ୍କ ମଧ୍ୟରେ ଯୋଗାଯୋଗ ଏବଂ ସମନ୍ୱୟ ରକ୍ଷା କ୍ଷେତ୍ରରେ ଟିକ୍ଟକ୍ ଏବଂ ଫେସ୍ବୁକ୍ ଖୁବ୍ ଉପଯୋଗୀ ହୋଇଥିଲେ। ପ୍ରଶାସନିକ ଦମନ, ସୁଟ୍-ଆଟ୍-ସାଇଟ୍ର ଆଦେଶ, ଇଣ୍ଟରନେଟ୍ ବନ୍ଦ ଏବଂ ହାଇକୋର୍ଟ ଦ୍ବାରା ସରକାରୀ ଚାକିରୀ କ୍ଷେତ୍ରରେ ସଂରକ୍ଷଣକୁ ୩୦%ରୁ ୫% ପ୍ରର୍ଯ୍ୟନ୍ତ ଖସାଇ ଆଣିବା ପରେ ମଧ୍ୟ ଜୁଲାଇ ମାସରେ ଘଟିଥିବା ଗଣହତ୍ୟା ଏବଂ ଦମନଲୀଳାର ପ୍ରଭାବକୁ ଦ୍ରବୀଭୂତ କରି ପାରିନଥିଲା। ପ୍ରବଳ ଜନ ଅସନ୍ତୋଷ ଏବଂ ଜୁଲାଇ ବିପ୍ଳବ ଅଗଷ୍ଟ ମାସ ବେଳକୁ ଅସହଯୋଗ ଆନ୍ଦୋଳନରେ ପରିଣତ ହୋଇ ସାରିଥିଲା। ଦେଶବ୍ୟାପୀ ହଜାର ହଜାର ଆନ୍ଦୋଳନକାରୀ ଜେନ୍-ଜି ରାଜରରାସ୍ତାକୁ ଓହ୍ଲାଇ ଆସିଥିଲେ। ଏବଂ Long March to Dhaka ଡାକରା ଦେଇ, ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଇସ୍ତଫା ଦାବିରେ ରାଜଧାନୀ ଢାକା ଆଡ଼କୁ ବଢ଼ିଥିଲେ। ୫ ଅଗଷ୍ଟ ୨୦୨୪ରେ ହଜାର ହଜାର ଉତ୍ତେଜିତ ଆନ୍ଦୋଳନକାରୀ ପ୍ରଧାନମନ୍ତ୍ରୀ ବାସଭବନ “ଗଣଭବନ”କୁ ଘେରି ଯାଇଥିଲେ ଏବଂ ଶେଖ୍ ହସିନା ଇସ୍ତଫା ଦେଇ ଦେଶରୁ ପଳାୟନ କରିଥିଲେ। ଏହାପରେ ନୋବେଲ ପୁରସ୍କାର ବିଜେତା ଡଃ ମହମ୍ମଦ ୟୁନୁସ ଦେଶର ମଧ୍ୟବର୍ତ୍ତୀ କାଳୀନ ସରକାର ଚଳାଇଥିଲେ।
୧୨ ଫେବୃଆରୀ ୨୦୨୬ରେ ବାଂଲାଦେଶର ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ପୂର୍ଣ୍ଣ ବହୁମତ ପାଇ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜି଼ୟାଙ୍କ ପୁଅ ତାରିକ୍ ରହମାନ୍ ନୂତନ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ଯଦିଓ ଏହି ନିର୍ବାଚନରେ ଜେନ୍-ଜି ଆନ୍ଦୋଳନରୁ ନୂତନ କରି ଗଢ଼ି ହୋଇଥିବା ଛାତ୍ର ନେତାଙ୍କ ଦ୍ୱାରା ଗଠିତ ଦଳ ନ୍ୟାସନାଲ ସିଟିଜେନ୍ ପାର୍ଟି ୬ଟି ଆସନ ଜିତି ଦେଶର ସଂସଦରେ ପହଞ୍ଚିବାରେ ସକ୍ଷମ ହୋଇଥିଲା କିନ୍ତୁ ବାଂଲାଦେଶର ଜନତା ନିଜ ଦେଶର ନେତୃତ୍ୱ ବାଛିବା ସମୟରେ ଖୁବ୍ ପରିପକ୍ୱ ନିର୍ଣ୍ଣୟ ନେଇଥିଲେ। ଜେନ୍-ଜି ଆନ୍ଦୋଳନ ଏବଂ ପୂର୍ବ ନେତୃତ୍ୱର ଦୁର୍ନୀତିର ପ୍ରଭାବର ଆଗକୁ ବିଚାର କରି ବାଂଲାଦେଶର ଜନତା ଦେଶର ଆର୍ଥିକ, ବୈଦେଶିକ ଏବଂ ଗଠନମୂଳକ ବିକାଶ ଆଦି ବିଷୟଗୁଡ଼ିକୁ ନଜରରେ ରଖି ମତଦାନ କରିଥିଲେ। ଦେଶରୁ ଦୁର୍ନୀତିଗ୍ରସ୍ତ ଏବଂ ନିରଙ୍କୁଶ ଶାସକକୁ ବିତାଡ଼ିତ କରିଥିବା ଜେନ୍-ଜି ଆନ୍ଦୋଳନର ଭାବପ୍ରବଣତାରୁ ଜନ୍ମ ନେଇଥିବା ଦଳ ହାତରେ ଦେଶର ପ୍ରଶାସନିକ ବ୍ୟବସ୍ଥା ଧରାଇଦେବା ବଦଳରେ ସେମାନେ ଦେଶର ସାମଗ୍ରିକ ବିକାଶକୁ ବିଚାରକୁ ନେଇଥିଲେ। ଉକ୍ତ ନିର୍ବାଚନରେ ଜନତା ବାଂଲାଦେଶ ନ୍ୟାସନାଲିଷ୍ଟ୍ ପାର୍ଟିକୁ ଭୋଟ ଦେବାର ମୁଖ୍ୟ କାରଣଥିଲା ତାରିକ୍ ରହମାନ୍ଙ୍କ ନିର୍ବାଚନ ମାନିଫେଷ୍ଟୋ, ଯାହାର ନାରା ଥିଲା “ଆମେ ଏକାଠି କାମ କରିବା, ଆମେ ଏକାଠି ଦେଶ ଗଢିବା”। ଦୁର୍ନୀତିକୁ ନେଇ “ଜିରୋ ଟଲେରାନ୍ସ” ଠୁ ନେଇ ୨୦୩୪ ସୁଦ୍ଧା ବାଂଲାଦେଶର ଅର୍ଥନୀତିକୁ ୧ ଟ୍ରିଲିଅନ ଇକୋନୋମି ବନାଇବା ଏବଂ ବୈଦେଶିକ ନୀତି ଏବଂ ସମ୍ପର୍କ ସମୟରେ ବାଂଲାଦେଶର ହିତକୁ ପ୍ରାଧାନ୍ୟ ଦେବା ତଥା ସଂନ୍ତ୍ରାସବାଦ ବିରୋଧରେ ଜିରୋ-ଟଲେରାନ୍ସ ନୀତି ଆପଣେଇବା, ଦେଶର ଅର୍ଥନୀତିକୁ ଖାଉଟି ବା କନ୍ଜ୍ୟୁମର୍ ବେସ୍ଡ ଇକୋନୋମିରୁ ଊର୍ଦ୍ଧ୍ୱକୁ ଇନ୍ଭେଷ୍ଟମେଣ୍ଟ-ଡ୍ରିଭେନ୍ ମଡେଲ୍ରେ ପରିଣତ କରିବା, ଦେଶର ନ୍ୟାୟପାଳିକାର ପୁନଃଉଦ୍ଧାରଠୁ ଆରମ୍ଭ କରି ଗଣମାଧ୍ୟମ ଉପରେ ଥିବା କଟକଣା ଏବଂ କଣ୍ଟ୍ରୋଲକୁ କୋହଳ କରିବା, ଦେଶରେ ସରକାରୀ ସ୍ତରରେ ୧୦ ଲକ୍ଷ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ନିଯୁକ୍ତ କରିବାଠୁ ନେଇ ଜଳବାୟୁ ସଙ୍କଟ ସହ ମୁକାବିଲା ପାଇଁ ୨୫ କୋଟି ବୃକ୍ଷ ରୋପଣ କରିବା ଏବଂ ବନ୍ୟା ପରିସ୍ଥିତି ସହ ମୁକାବିଲା ପାଇଁ ଦେଶର ନଦୀ ତଥା କେନାଲ୍ ଆଦିକୁ ପୁନଃଉଦ୍ଧାର କରିବା, ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରର ମହିଳାଙ୍କୁ ମାସିକ ୨୫୦୦ଟାକା ସାହାଯ୍ୟ ରାଶି ପ୍ରଦାନ କରିବାଠୁ ଆରମ୍ଭ କରି କୃଷକ ଏବଂ ଶ୍ରମିକଙ୍କ ବିକାଶ ପାଇଁ ଓ୍ବେଲ୍ଫେୟାର କାର୍ଡ ପରି ଅନେକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟପ୍ରଣାଳୀ ବିଷୟରେ ସେଥିରେ ଉଲ୍ଲେଖ କରା ଯାଇଥିଲା। ଯେତେବେଳେ ନିର୍ବାଚନ ଲଢୁଥିବା ଅନ୍ୟାନ୍ୟ ରାଜନୈତିକ ଦଳ କେବଳ ପୂର୍ବ ସରକାରର ବିଫଳତା ଏବଂ ମନମାନିର ଭାବପ୍ରବଣତାକୁ ନେଇ ନିର୍ବାଚନ ଲଢୁଥିଲେ ସେଇଠି ତାରିକ୍ ରହମାନ୍ଙ୍କ ପାଖରେ ଆଗାମୀ ଦଶ ବର୍ଷକୁ ନେଇ ଦେଶର ବିକାଶର ରୋଡ୍-ମ୍ୟାପ୍ ଥିଲା।
ଅଗଷ୍ଟ ୨୦୨୫ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଡଃ ମହମ୍ମଦ ୟୁନୁସ, ବାଂଲାଦେଶର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦେଶର ସାଧାରଣ ନିର୍ବାଚନ ଫେବୃଆରୀ ୨୦୨୬ରେ କରାଇବାର ପ୍ରସ୍ତାବ ଦେଇ ପତ୍ର ଲେଖିବା ପରେ, ଯେତେବେଳେ ବାଂଲାଦେଶ ତା’ର ଗଣତାନ୍ତ୍ରିକ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଚଲାଇ ଥାଏ, ଠିକ୍ ସେଇ ସମୟରେ ଆଉ ଗୋଟିଏ ଦକ୍ଷିଣ ଏସିୟ ରାଷ୍ଟ୍ରରେ ଜେନର-ଜିଙ୍କ ଆନ୍ଦୋଳନ ମୁଣ୍ଡ ଟେକୁଥାଏ। ୮ ସେପ୍ଟେମ୍ବର ୨୦୨୫ରେ ଯେତେବେଳେ ନେପାଳ ସରକାର ହଠାତ୍ ଦେଶରେ ୨୬ଟି ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟାନ୍ କରିବା ପରେ ଦେଶର ହଜାର ହଜାର ଯୁବକ କାଠମାଣ୍ଡୁର ରାଜରାସ୍ତାକୁ ଓହ୍ଲାଇ ଆସିଥିଲେ। ନେପାଳ ଜେନର-ଜି ପ୍ରୋଟେଷ୍ଟକୁ ବିଶ୍ବ ପ୍ରଥମେ କେବଳ ସୋସିଆଲ ମିଡିଆ ବ୍ୟାନ୍କୁ ନେଇ ଯୁବ ବର୍ଗଙ୍କ ବିକ୍ଷୋଭ ବୋଲି ଆକଳନ କରିଥିବା ବେଳେ ପ୍ରକୃତରେ ତାହା ତତ୍କାଳୀନ ସରକାରଙ୍କ ଦୁର୍ନୀତି, ଦୁର୍ବଳ ପ୍ରଶାସନ ତଥା ବେରୋଜଗାରୀ ବିରୋଧରେ ଆକ୍ରୋଶ ଥିଲା। ନେପାଳ ଜେନ୍ ଜି ଆନ୍ଦୋଳନ ପଛରେ ଥିବା କାରଣ, ଯୁବ ବର୍ଗଙ୍କ ଅସନ୍ତୋଷ, ସରକାରଙ୍କ ଦମନ ପାଇଁ ପଦକ୍ଷେପ, ଆନ୍ଦୋଳନର ଗତି ତଥା ତା’ର ଫଳାଫଳ ବିଷୟରେ ଆମେ ଆଗରୁ “ଗଣତନ୍ତ୍ର ନା’ ରାଷ୍ଟ୍ରବାଦ: ନେପାଳ ଜେନ୍-ଜି ଆନ୍ଦୋଳନର ଗତି କୁଆଡ଼େ?” ପ୍ରବନ୍ଧରେ ଆଲୋଚନା କରି ସାରିଛେ।
ନେପାଳ ଜେନ୍-ଜି ଆନ୍ଦୋଳନ କାରଣରୁ ଓଲି ସରକାରଙ୍କ ପତନ ପରେ ଦେଶର ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା କାର୍କୀ ମଧ୍ୟବର୍ତ୍ତୀକାଳୀନ ସରକାରର ଦାୟିତ୍ୱ ବହନ କରିଥିଲେ ଏବଂ ମାର୍ଚ୍ଚ ୨୦୨୬ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। କିନ୍ତୁ ନେପାଳ ନିର୍ବାଚନର ଗତି ଏବଂ ପରିଣତି ବାଂଲାଦେଶଠାରୁ ଭିନ୍ନ ଥିଲା। ଏଠି ଗଣତାନ୍ତ୍ରିକ ପରିପକ୍ୱତା ଓ ପ୍ରଶାସନିକ ଦୃଷ୍ଟିରୁ ଅନୁଭବୀ ତଥା ଦକ୍ଷରାଜନେତାଙ୍କୁ ଚୟନ କରିବାର ମନୋବୃତ୍ତି ଅପେକ୍ଷା ପୂର୍ବ ସରକାରଙ୍କୁ ନେଇ ରହିଥିବା କ୍ଷୋଭ ଏବଂ ନୂତନ ପିଢ଼ିର ଭାବପ୍ରବଣତା ସମ୍ପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟାକୁ ନିୟନ୍ତ୍ରଣ କରିଥିଲା। ନେପାଳ ଭୋଟରଙ୍କ ମଧ୍ୟରୁ ୫୨% ଏଇ ୧୮-୪୦ ବର୍ଷ ବୟସ୍କ ଥିଲେ। ଯିଏ ବିପୁଳ ଜନସମର୍ଥନ ଦ୍ବାରା ରାଷ୍ଟ୍ରୀୟ ସ୍ବାଧୀନତା ପାର୍ଟି (RSP)କୁ ୨୭୫ଟିରୁ ୧୮୨ଟି ସିଟ୍ରେ ଜିତାଇ ୩୬ ବର୍ଷିୟ ରାପର୍ ବାଲେନ୍ଦ୍ର “ବାଲେନ୍” ଶାହାଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ବାଛିଥିଲେ। ଏହା ପଛରେ ଶାହଙ୍କର ନୂଆ କର୍ପୋରେଟ୍- ଶୈଳୀର "100-ସୂତ୍ରୀ ରିଫର୍ମ (ସଂସ୍କାର) ଏଜେଣ୍ଡା" ପ୍ରତିଶ୍ରୁତି ଯେମିତିକି - “ଅର୍ଥନୀତିକୁ ଦ୍ୱିଗୁଣିତ କରି 100 ବିଲିୟନ ଡଲାର କରିବା, ସ୍କୁଲ୍ ୟୁନିଅନଗୁଡ଼ିକୁ ନିଷିଦ୍ଧ କରିବା ଏବଂ ୧.୨ ନିୟୁତ ନିଯୁକ୍ତି ସୃଷ୍ଟି କରିବା” ଭୋଟରଙ୍କୁ ମୌଳିକ ଟେକ୍ନୋକ୍ରାଟିକ୍ ସକ୍ ଥେରାପି ପରି ମନେ ହୋଇଥିଲା।
କିନ୍ତୁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେପରେ ବାଲେନ୍ ଶାହଙ୍କ ପ୍ରଶାସନିକ ଶୈଳୀ ତାଙ୍କୁ ବିପୁଳ ସମର୍ଥନ ଦେଇ ନିର୍ବାଚିତ କରିଥିବା ଜେନ୍ ଜିଙ୍କୁ ମଧ୍ୟ ଖୁବ୍ ନିରାଶ କରିଛି। କିଛି ଛାତ୍ର ସଂଗଠନଙ୍କ ମତରେ ‘ଶାହ ଜଣେ ଗଣତାନ୍ତ୍ରିକ ରାଷ୍ଟ୍ରର ପ୍ରଶାସନ ମୁଖ୍ୟ ଅପେକ୍ଷା ଗୋଟିଏ କର୍ପୋରେଟ ସଂସ୍ଥାର CEO (କାର୍ଯ୍ୟ ନିର୍ବାହୀ ମୁଖ୍ୟ) ପରି ଅଧିକ କାମ କରୁଛନ୍ତି।’ ଦେଶର ସାମ୍ବିଧାନିକ ଏବଂ ସଂସଦୀୟ ପ୍ରକ୍ରିୟାକୁ ଏଡ଼ାଇ ସେ ଧାରା ୧୧୪ ଅନୁଯାୟୀ ଏକପାଖିଆ କାର୍ଯ୍ୟନିର୍ବାହୀ ଅଧ୍ୟାଦେଶ (unilateral executive ordinances) ମାଧ୍ୟମରେ ଶାସନ କରିବାକୁ ପ୍ରାଧାନ୍ୟ ଦେଉଛନ୍ତି। ତାଙ୍କ ଅନଭିଜ୍ଞ କ୍ୟାବିନେଟ ଦ୍ୱାରା ଦେଶର ସୁପ୍ରିମକୋର୍ଟର ନିୟମ ଏବଂ ମତାମତକୁ ନଜର୍ଅନ୍ଦାଜ କରି ପୂର୍ବତନ ପ୍ରଧାନମନ୍ତ୍ରୀ ଓଲିଙ୍କ ଗିରଫଦାରୀ, ଉଭୟ ଜେନ୍ ଜି ଏବଂ ଦଳର ତୃଣମୂଳ ସ୍ତରରେ ଥିବା କର୍ମୀଙ୍କୁ ହତୋତ୍ସାହିତ କରିଛି। ଏ ପ୍ରକାର ପ୍ରଶାସନିକ ପଦକ୍ଷେପ ତାଙ୍କୁ ଦେଶରେ ଗଣତାନ୍ତ୍ରିକ ସଂସ୍କାର ଅପେକ୍ଷା ଗୋଟିଏ ସୁପ୍ରିମ୍ କମାଣ୍ଡର ରୁଲ୍ର ଅନୁଭୂତି ଦେଉଛି।
ଗଣତାନ୍ତ୍ରିକ ଢାଞ୍ଚାରେ କ୍ଷମତାର ଏହି କେନ୍ଦ୍ରୀକରଣ କେବଳ ନେପାଳର ବୁଦ୍ଧିଜୀବୀ ନୁହନ୍ତି ବରଂ ସମ୍ପୂର୍ଣ୍ଣ ବିଶ୍ବରେ ଗଣତନ୍ତ୍ରର ସୁରକ୍ଷା ପାଇଁ କାମ କରୁଥିବା ବିଭିନ୍ନ ସଂସ୍ଥା ଏବଂ ଗଣମାଧ୍ୟମରେ ଚିନ୍ତା ତଥା ସମାଲୋଚନାର ବିଷୟ ହୋଇଯାଇଛି। ପ୍ରଧାନମନ୍ତ୍ରୀ ପଦରେ ଶପଥ ନେଉ ନେଉ, ମେ’ ୨୦୨୬ରେ ବାଲେନ୍ ଶାହା ସର୍ବପ୍ରଥମେ ବିଭିନ୍ନ ଛାତ୍ର ସଂଗଠନ ଏବଂ ଶ୍ରମିକ ସଂଗଠନ ଏବଂ ମେଳି ଗୁଡିକ ଉପରେ କଟକଣା ଲଗାଇବାର ନିଷ୍ପତ୍ତି ନେବାକୁ ଚେଷ୍ଟା କରିଥିଲେ, ଯାହାକି ସେତେବେଳେ ଜେନ୍ ଜିଙ୍କ ମଧ୍ୟରେ ଅସନ୍ତୋଷର କାରଣ ହୋଇଥିଲା। ତା’ପରେ ପରେ ପୁଣି ତାଙ୍କ ପ୍ରଶାସନିକ କ୍ଷମତା ଉପରେ ପ୍ରଶ୍ନ ଉଠାଇଥିଲା ରାଜେଶ୍ ପୋଖରାଲେ ନାମକ ଜଣେ ୟୁଟ୍ୟୁବରଙ୍କୁ ଗିରଫ କରିବା, ସେଇ ଅସନ୍ତୋଷକୁ ଆହୁରି ତିବ୍ର କରିଥିଲା। ସେମିତି ଏଇ ନିକଟରେ ହଠାତ୍ କରି ନେପାଳର ବିଭିନ୍ନ ଅନୁଷ୍ଠାନ ଏବଂ ପବ୍ଲିକ ସେକ୍ଟରରୁ ୧୫୯୪ ଜଣ ସରକାରୀ ପ୍ରଶାସନିକ ଅଧିକାରୀଙ୍କୁ ଏକାଥରେ, ଗୋଟିଏ ନିର୍ଦ୍ଦେଶରେ ନିଲମ୍ବିତ କରିଦେବା, ବିଭିନ୍ନ ମହଲରେ ସମାଲୋଚନାର ସାମ୍ନା କରିଛି। ଏହା ତାଙ୍କର ନିର୍ମଳ ଭାବମୂର୍ତ୍ତି ଅପେକ୍ଷା କ୍ଷମତାର ଅପବ୍ୟବହାର ବୋଲି ଅଧିକ ବିବେଚିତ ହେଉଛି। ଦୀର୍ଘ ବର୍ଷ ଧରି କାଲାପାନି, ଲିପୁଲେଖ୍ ଏବଂ ଲିମ୍ପିୟାଧୁରା ଆଦି ଅଞ୍ଚଳକୁ ନେଇ ଭାରତ-ନେପାଳର ସୀମା ବିବାଦ ଉପରେ ତାଙ୍କର ବୟାନବାଜି କେବଳ ଭାରତ ନୁହେଁ ନେପାଳର ସଂସଦ, ବିପକ୍ଷ ଏବଂ ବୁଦ୍ଧିଜୀବୀଙ୍କ ଦ୍ବାରା ମଧ୍ୟ ସମାଲୋଚିତ ହୋଇଛି। ଏ ପ୍ରକାର ବୟାନବାଜି ତାଙ୍କର ଏବଂ ତାଙ୍କ ସରକାରର ବୈଦେଶିକ ତଥା କୂଟନୈତିକ ଅପରିପକ୍ଵତାର ପ୍ରମାଣ ଦେଉଛି। ତାଙ୍କର ଏ ପ୍ରକାର ପ୍ରଶାସନିକ ଅପରିପକ୍ବତା ତଥା ବ୍ୟବହାର କେବଳ ବୟସ୍କ ନେପାଳୀ ରାଜନୈତିକ ବ୍ୟକ୍ତିତ୍ବ କିମ୍ବା ବୁଦ୍ଧିଜୀବୀଙ୍କ ମଧ୍ୟରେ ନୁହେଁ
ବରଂ ବିପ୍ଳବର ସୂତ୍ର ଧରିଥିବା ଜେନ୍ ଜିଙ୍କ ମଧ୍ୟରେ ବି ଦେଶରେ ରାଜନୈତିକ ଅସଫଳତା ତଥା ଅସ୍ଥିରତାର ଆଶଙ୍କା ସୃଷ୍ଟି କରିଛି।
ଆମେ ଦେଖିଲେ ଯେ ଶ୍ରୀଲଙ୍କାର ଜେନ୍ ଜି ଆନ୍ଦୋଳନ, ଆରଗାଲୟା ବର୍ଷ ବର୍ଷ ଧରି ଦେଶ ରାଜନୀତିରେ ଗୋଟାବାୟାଙ୍କ ପାରିବାରିକ ପ୍ରଭାବ, ଦୁର୍ନୀତି ଏବଂ ପ୍ରଶାସନିକ ଅବ୍ୟବସ୍ଥା ବିରୋଧରେ ଥିଲା ଏବଂ ପରେ ଏହା ଗଣତାନ୍ତ୍ରିକ ନୀତିରେ ନିର୍ବାଚନ ପ୍ରକ୍ରିୟା ଦ୍ବାରା ପରିବାରବାଦକୁ ଧ୍ବସ୍ତ କରି ଦେଇଥିଲା। ସେମିତି ବାଂଲାଦେଶର ଜୁଲାଇ ରିଭୋଲ୍ୟୁସନ୍ ଦୀର୍ଘ ଦିନ ଶାସନରେ ଥିବା ଶେଖ୍ ହାସିନାଙ୍କ ଦଳର ଦୁର୍ନୀତି, ଅବହେଳା ଏବଂ ସ୍ୱେଚ୍ଛାଚାରୀ ପ୍ରବୃତ୍ତି ବିରୋଧରେ ଥିଲା ତେଜିଥିବା ଜେନ୍ ଜି ଆନ୍ଦୋଳନ, ଶେଷରେ ଜନତା ନିର୍ବାଚନରେ ପାରମ୍ପରିକ ଏବଂ ରାଡିକାଲ୍ ଶକ୍ତିକୁ ଛାଡ଼ି ବିକାଶ ମାର୍ଗକୁ ବାଛିଥିଲେ। ନେପାଳର ଜେନ୍ ଜି ନିଜ ଦୁର୍ନୀତିଗ୍ରସ୍ତ ସରକାରକୁ ହଟେଇ, ଇଣ୍ଟରନେଟ୍ ଏବଂ ଜେନ୍ ଜି ଦୁନିଆରେ ପପୁଲାର ଥିବା ଆଉ ଜଣେ ଜେନ୍ ଜି ହାତକୁ ଦେଶର ଶାସନ ଟେକି ଦେଇଥିଲେ। କିନ୍ତୁ ଭାରତରେ ବ୍ୟଙ୍ଗାତ୍ମକ ଏବଂ ବିଦୃପର ଭାବପ୍ରବଣତାରୁ ଆରମ୍ଭ ହୋଇଥିବା ଗୋଟିଏ ଡିଜିଟାଲ୍ ଗୋଷ୍ଠୀ, ଯେତେବେଳେ ଦେଶର ରାଜରାସ୍ତାକୁ ଓହ୍ଲାଉଛି ତା’ ପାଖରେ ନା’ ଆଗାମୀ ଦିନ ପାଇଁ କୌଣସି ସ୍ପଷ୍ଟ ପ୍ଲାନ୍ ରହିଛି ନା’ କୌଣସି ସ୍ପଷ୍ଟ ଉଦ୍ଦେଶ୍ୟ! ଅଦ୍ୟାବଧି ସମାନ ଉଦ୍ଦେଶ୍ୟ ନେଇ ଦେଶରେ ଚାଲିଥିବା ବିକ୍ଷୋଭ ଗୁଡ଼ିକରେ ସାମିଲ୍ ନହୋଇ ନିଜେ ଇଣ୍ଟରନେଟଠୁ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଗୋଟିଏ ଅଲଗା ଆଲ୍ଗୋରିଦମ୍ ସେଟ୍ କରିବା ପ୍ରଶ୍ନବାଚୀ ସୃଷ୍ଟି କରୁଛି। କେତେବେଳେ ସେମାନେ ନିର୍ବାଚନ ରାଜନୀତିର ଉଦ୍ଦେଶ୍ୟ ନାହିଁ କହୁଥିବା ବେଳେ କେତେବେଳେ ପ୍ରତିଷ୍ଠାତା ଦୀପକେ ନିର୍ବାଚନ ଲଢ଼ିଲେ ଦଳର ଚିହ୍ନ “ମୋବାଇଲ୍” ରହିବ ବୋଲି କହୁଛନ୍ତି! ବିଗତ କିଛି ବର୍ଷ ମଧ୍ୟରେ ଯେଉଁଠି ସ୍କଲାର୍, ସ୍ପିକର୍, ସାମ୍ବାଦିକ ମାନଙ୍କୁ ବିମାନବନ୍ଦରରୁ ଫେରାଇ ଦିଆ ଯାଉଛି, ସେମାନଙ୍କ ସଭା ରଦ୍ଦ କରି ଦିଆ ଯାଇଛି, ସେଇଠି ଶାସକଦଳ ନିଜ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ ପାଇଁ ଆସିଥିବା ପ୍ରଦର୍ଶନକରୀ ଦଳର ନେତାକୁ ବାନ୍ଧି ନପକାଇ ଛାଡ଼ି ଦେଉଛନ୍ତି? ନିଜ ପରୀକ୍ଷା ଖାତାର ଉପଲବ୍ଧ ସ୍କାନ୍ କପିକୁ ନେଇ ଯେତେବେଳେ ଦେଶର ଜଣେ ୧୭ ବର୍ଷର ଛୁଆଟେ ପ୍ରଶ୍ନ କରୁଛି, ତାକୁ ପାକିସ୍ତାନୀ କହୁଥିବା ଏ ଦେଶର ମିଡିଆ ଏବଂ ଶାସକଦଳର ସମର୍ଥକ, କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଥିବା ୩୦ ବର୍ଷର ଯୁବକ ଉପରେ ପ୍ରଶ୍ନ ଉଠାଉ ନାହାନ୍ତି? ଯେଉଁଠି ଲଗାତାର ମାସେ ହେଲା ଦେଶର ବିଭିନ୍ନ ଅଂଶରେ NEETUG-2026 ଏବଂ +୨ CBSE ପରୀକ୍ଷା ଫଳାଫଳକୁ ନେଇ ଲଗାତାର ବିକ୍ଷୋଭ ଜାରୀ ରହିଛି ସେଇଠି କେବଳ CJPର ପଦକ୍ଷେପ ଏବଂ ପ୍ରଦର୍ଶନକୁ କାହିଁକି ଏତେ ମିଡିଆ କଭରେଜ୍ ମିଳିଛି, ତାହା ଅନେକ ବୁଦ୍ଧିଜୀବୀ ମହଲରେ ସନ୍ଦେହର କାରଣ ହୋଇଛି! ଅନେକ ବିଶେଷଜ୍ଞ ଏବଂ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଉଛନ୍ତି ଯେ, ଏହା ଜାଣିଶୁଣି ଦେଶରେ ଜନତାଙ୍କ ମଧ୍ୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ବିରୋଧରେ ଉଠିଥିବା ଅସନ୍ତୋଷକୁ ଡାଇଲୁଟ୍ କରିବା ପାଇଁ ଗୋଟିଏ ରାଜନୈତିକ ଚାଲ୍ ନା’ ଶାସକଦଳ ଭିତରେ ଥିବା ପାଓ୍ବାର ଟସଲ୍ କାରଣରୁ ପରସ୍ପରକୁ କମଜୋର୍ କରିବା ପାଇଁ ପଦକ୍ଷେପ?
ଏହା ପଛରେ କାରଣ ଯାହା ବି ହୋଇଥାଉ ଏବଂ ଏହାର ପରିଣତି କ’ଣ ହେବ କିମ୍ବା ଆଗାମୀ ଦିନରେ CJPର ପଦକ୍ଷେପ କ’ଣ ରହିବ - ଏ ବିଷୟରେ ଏତେ ଜଲଦି କୌଣସି ନିର୍ଣ୍ଣୟରେ ପହଞ୍ଚିବା ଅସମ୍ଭବ। କିନ୍ତୁ ଇଣ୍ଟରନେଟ୍ରେ ଟେକ୍ନୋଲୋଜିର ସାହାରାରେ ହଠାତ୍ ଭାଇରାଲ ହୋଇ ମୈଦାନକୁ ଓହ୍ଲାଇଥିବା CJP ପାଇଁ ରାସ୍ତା ଉପରେ କଠୋର ପରିସ୍ଥିତିର ସାମ୍ନା କରିବା ତଥା ତିଷ୍ଠି ରହିବା ଏତେ ସହଜ ନୁହେଁ। ଶ୍ରୀଲଙ୍କା, ବାଂଲାଦେଶ ଏବଂ ନେପାଳଠାରୁ ଭାରତର ପରିସ୍ଥିତି କେବଳ ଭୌଗୋଳିକ ଦୃଷ୍ଟିରୁ ନୁହେଁ ସାମାଜିକ, ସାଂସ୍କୃତିକ, ଆର୍ଥିକ, ରାଜନୈତିକ ଏବଂ ବିବିଧତା ଦୃଷ୍ଟିରୁ ମଧ୍ୟ ଭିନ୍ନ। CJPର ସୃଷ୍ଟି କିମ୍ବା ତା’ର ମେମ୍ବରଙ୍କ ଉଦ୍ଦେଶ୍ୟ ଆଜି ନହେଲେ କାଲି ଜଣା ପଡିବ। ଖାଲି ଏତିକି ଆଶା ଯେ ଏ ଦେଶ ଆଉ ଗୋଟିଏ ଜନ୍ ଲୋକପାଲ୍ ଆନ୍ଦୋଳନ (୨୦୧୧- ଆନ୍ନା ହଜାରେଙ୍କ ଦ୍ବାରା)ର ଭାଗ ନ ହୋଇଯାଉ! ସତ୍ୟାଗ୍ରହ ଏବଂ ଜନ ଆନ୍ଦୋଳନରୁ ସ୍ବାଧୀନତା ଓ ଗଣତନ୍ତ୍ରକୁ ହାସିଲ କରିଥିବା ଗୋଟିଏ ଦେଶ, କେବଳ କ୍ଷୋଭ ତଥା ବିଦ୍ରୋହର ଭାବପ୍ରବଣତାରେ ବୋହି କୌଣସି ନିଷ୍ପତ୍ତି ନନେଉ - ଯାହା ଆମକୁ ପ୍ରବଳରୁ ଅତିପ୍ରବଳ ରାଷ୍ଟ୍ରବାଦ ଆଡ଼କୁ ଠେଲି ଦେବ!