ନୂତନ ଶିକ୍ଷାର ସନ୍ଧାନରେ
ଶିକ୍ଷା ର ପରିଭାଷା କ'ଣ? ଶିକ୍ଷିତ କାହାକୁ କହିବା? ଶିକ୍ଷାର ଆରମ୍ଭ କୋଉଠି ଓ ଶେଷ କୋଉଠି।'
ଆର୍ଯ୍ୟ ସୁତନୁ ପଚାରିଲେ ଗୁରୁଙ୍କୁ। ଗୁରୁକୁଳରେ ସେ ବଢିଛନ୍ତି। ଗୁରୁ ଗୌତମ ଋଷିଙ୍କ ଆଶ୍ରମ ରେ ବାଳୁତ ଅବସ୍ଥା ରୁ କିଶୋର ବୟସ ପ୍ରାପ୍ତ କରିଛନ୍ତି। ସମସ୍ତ ଜ୍ଞାନ ଆହରଣ କରି ସେ ବର୍ତ୍ତମାନ ସଂସାର ଅଭିମୁଖେ ଯିବା ସମୟ ଆସିଯାଇଛି। କିନ୍ତୁ ଜ୍ଞାନ ପିପାସୁ ଚିତ୍ତ ତାଙ୍କୁ ଅହରହ ଅଥୟ କରୁଛି। ତେଣୁ ସେ ମନକୁ ଖୋଲି ରଖି ଦେଇଛନ୍ତି ଗୁରୁଙ୍କ ପାଖେ ।
' ଶିକ୍ଷା ଏକ ସଂସ୍କାର। ଶିକ୍ଷା ଏକ ମାର୍ଜିତ ବ୍ଯକ୍ତିତ୍ବ ଗଢିବାର ମାପ କାଠି। ଏହା ଶରୀରର ସମସ୍ତ ଅବୟବ ସହିତ ଜଡିତ ହୋଇ ତାହାର ଉତ୍ତରୋତ୍ତର ଅଭିବୃଦ୍ଧିର ସହାୟକ ହୋଇପାରେ। ' ଗୁରୁ ସହାସ୍ୟ ବଦନରେ କହିଲେ।
' କିନ୍ତୁ ଏହା କିପରି ସମ୍ଭବ ଗୁରୁବର ? ଶରୀରର ଅଙ୍ଗ ସହିତ ଶିକ୍ଷା ର କ'ଣ ସମ୍ପର୍କ? ଶରୀର ଏକ ସ୍ଥୁଳ। ଏକ ପଦାର୍ଥ। ଶିକ୍ଷା ଅସୀମ। ଶିକ୍ଷା ଏକ ଚେତନା। ଶିକ୍ଷା ପାଇନଥିବା ବ୍ଯକ୍ତି ର ମଧ୍ଯ ଶରୀର ଅଭିବୃଦ୍ଧି ହୁଏ। ଶିକ୍ଷାର ଗୁରୁତ୍ବ ଏହି ପରିପ୍ରେକ୍ଷୀ ରେ କିଭଳି ସମର୍ଥ। ଶଙ୍କା ଦୂର କରନ୍ତୁ ପ୍ରଭୂ। ' ବିନମ୍ର ନିବେଦନ କଲେ ଆର୍ଯ୍ୟ ସୁତନୁ।
' ତୁମ ଚେତନା କୁ ବ୍ୟାପକ କର ସୁତନୁ। ଶରୀରର ପ୍ରତ୍ୟେକ ଅଙ୍ଗ କୁ ଶରୀର ଠାରୁ ଉର୍ଦ୍ଧ୍ବ ରେ ରହି ଶିକ୍ଷା ସହିତ ସମ୍ପୃକ୍ତ କରାଅ। ତୁମେ ନିଶ୍ଚିତ ତୁମ ଉତ୍ତର ପାଇ ପାରିବ। ' ଗୁରୁ କହିଲେ।
' ପ୍ରଭୂ, ମୁଁ ଅଭାଗା ଏହି ଗୂଢ ତଥ୍ଯ କୁ ବୁଝିବାରେ ଅସମର୍ଥ। ' ଚିନ୍ତିତ ଜଣାଗଲେ ଆର୍ଯ୍ୟ ସୁତନୁ।
' ତୁମେ ମୋ ପାଖକୁ ଆସିବା ପରେ, ତୁମ ମସ୍ତକ ଓ ମସ୍ତିଷ୍କ ର ଅଭିବୃଦ୍ଧି ନିଶ୍ଚିତ ଘଟିଛି। ତାହା ତୁମେ ଜାଣ କି ? '
ଗୁରୁ ପ୍ରଶ୍ନ କଲେ।
' ହଁ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ପ୍ରଭୂ। ' ସହାସ୍ୟ ଉତ୍ତର ଦେଲେ ଆର୍ଯ୍ୟ ସୁତନୁ।
' ଏକ ଗାଇ ଚରାଉଥିବା ପିଲାର , ତୁମର ମସ୍ତକ ଓ ମସ୍ତିଷ୍କ ଭିତରେ କିଛି ଭିନ୍ନତା ଅଛି କି? ତୁମେ ଯେଉଁଠି ଅବସ୍ଥାନ କରିବ, କିଛି ଲୋକଙ୍କ ମୁଣ୍ଡ ତୁମପ୍ରତି ନଇଁ ଯିବ ନିଶ୍ଚିତ। କାରଣ ତୁମ ମସ୍ତକରେ ଜ୍ଞାନ ର ଆଭା ଦୃଶ୍ୟମାନ। ତୁମ ମସ୍ତିଷ୍କ ର ବିଦ୍ୟା ତୁମ ଶିକ୍ଷା ରୁ ପ୍ରାପ୍ତ। ସେହି ବିଦ୍ୟାର ଔଜଲ୍ୟତା ତୁମକୁ ସେହି ଗାଇ ଚରାଉଥିବା ପିଲାର ମସ୍ତକ ଠାରୁ ଦୃଢ ଓ ଦୀପ୍ତ କରାଇଛି। ଏହା କେବଳ ଶିକ୍ଷା ଗତ ପାର୍ଥକ୍ଯ ।' ଗୁରୁ ପ୍ରାଞ୍ଜଳ ଭାବରେ ବୁଝାଇଲେ ।
' ସେହିପରି ତୁମ ଲଲାଟ ସ୍ବର୍ଣାଭ। ତୁମ ଚକ୍ଷୁ ଉଜ୍ଜ୍ବଳ। ତୁମ ମୁଖ ର ସହାସ୍ୟ ଭାବ ତୁମ ଶିକ୍ଷାର ପ୍ରତିଦାନ। ଏଠାରେ ଶଙ୍କା ଅଛି କି? ' କହିଲେ ଗୁରୁ।
' ନା ! ଲେଶ ମାତ୍ର ଆଶଙ୍କା ନାହିଁ। କି ସୁନ୍ଦର କଥନ ପ୍ରଭୂ। ସୁନ୍ଦର ବ୍ୟାଖ୍ୟା। ' ହାତ ଯୋଡି କହିଲେ ଆର୍ଯ୍ୟ ସୁତନୁ ।
' ଗ୍ରୀବା ତୁମର ଶକ୍ତ। ବିଦ୍ୟା ଆହରଣ କାଳରେ ଶବ୍ଦ ର ଉଚ୍ଚାରଣ ଦ୍ବାରା ଗଳା ଓ ଗ୍ରୀବା ର ବ୍ୟାୟାମ ହୋଇଥାଏ। ଏହା କି ତୁମେ ଜାଣ ?' ଗୁରୁ ପ୍ରଶ୍ନ କଲେ।
' ଗୁରୁଦେବ ! ଧନ୍ଯ ହେଲି ଆପଣଙ୍କ ଉବାଚ ଶୁଣି।' କହିଲେ ଆର୍ଯ୍ୟ ସୁତନୁ।
' ଶିକ୍ଷା କେବେବି ସୀମିତ ନୁହଁ ପୋଥି ମଧ୍ଯେ। ତୁମେ ଯଦି ସମ୍ପୁର୍ଣ୍ଣ ଶିକ୍ଷା ପାଇଛ ତୁମ ଶରୀର ଓ ତାହାର କାର୍ଯ୍ଯ ବିଷୟରେ ଜ୍ଞାନ ଅଛି, ତୁମ ପାଚନ ଶକ୍ତି ଅନୁଯାଈ ଭକ୍ଷଣ, ଶୟନ ଓ,ବ୍ୟାୟାମ ଆଦି ଅଭ୍ୟାସ କରୁଛ, ତୁମ ହୃତପିଣ୍ଡ, ତୁମ ଚର୍ମ, ଏପରିକି ଶରୀରର ପ୍ରତି ଅବୟବ ରେ ତାହା ପ୍ରତିଫଳିତ ହୁଏ। ଏପରି ସ୍ଥଳେ ତୁମେ ମାନିପାରିବ କି ଶିକ୍ଷା ତୁମ ଶରୀରର ଅଭିବୃଦ୍ଧିର ପରିଚାଳକ? '
' କିନ୍ତୁ ଗୁରୁଦେବ ! ଶରୀର ସମ୍ବନ୍ଧିୟ ବିଦ୍ୟା କ'ଣ ମନ୍ତ୍ର ଓ ଶ୍ଳୋକ ଭଳି ମହତ୍ତ୍ବପୂର୍ଣ୍ଣ ? ନାନାଦି ସୁକ୍ଷ୍ମ ଓ ଉପାଦେୟ ଶ୍ଳୋକ ଦ୍ବାରା ଆମେ ଅସାଧ୍ୟ ସାଧନ କରିବାରେ ସମର୍ଥ। ପ୍ରଚଣ୍ଡ ରୌଦ୍ରତାପ ରେ ଆମେ ବୃଷ୍ଟି ସମ୍ଭବ କରିପାରିବା। ସମ୍ପୂର୍ଣ୍ଣ ମାନବ ଜାତିର ଉଦ୍ଧାର ପାଇଁ କେତେ ଜନ ହୀତକର କାର୍ଯ୍ୟ କରିପାରିବା। ମୁଁ ଭାବେ ତାହା ହିଁ ଗୁଢ ଜ୍ଞାନ । ଶିକ୍ଷା ଆମକୁ ସାଧାରଣ ନୁହଁ ଅସାଧାରଣ କରିବାରେ ପରିଚାୟକ। ' ଦୀପ୍ତ କଣ୍ଠରେ ବ୍ୟକ୍ତ କଲେ ଆର୍ଯ୍ୟ ସୁତନୁ।
' ହାଃ! ହାଃ ! ମୁଁ ଜାଣିପାରୁଛି ତୁମ ଶିକ୍ଷାର କିଛି ଅଂଶ ତଥାପି ସମ୍ପୂର୍ଣ୍ଣ ହୋଇପାରିନାହିଁ। ତୁମେ ଜାଣ କି , ଯେ ମୋ ପୂର୍ବ ରୁ ତୁମେ ଅନେକ ଗୁରୁଙ୍କ ଠାରୁ ଜ୍ଞାନ ଆହରଣ କରି ସାରିଛ। ମୁଁ ତୁମ ପ୍ରଥମ ଗୁରୁ ନୁହଁ। ' ସହାସ୍ୟ ବଦନରେ କହିଲେ ଗୁରୁ।
' ମୋ ଜ୍ଞାତ ବାହାରେ ଏହି କଥା। ମୁଁ କେବଳ ବାଳୁତ ବୟସରୁ ଆପଣଙ୍କ ଆଶ୍ରମରେ ଅଛି ଗୁରୁଦେବ। ଏହା କିପରି ସମ୍ଭବ? ' ଆର୍ଯ୍ୟ ସୁତନୁ ବ୍ୟସ୍ତ ହୋଇପଡିଲେ।
' ସୂର୍ଯ୍ୟ, ଚନ୍ଦ୍ର, ମାତା, ପୃଥିବୀ ଓ ପ୍ରକୃତି ଇତ୍ୟାଦିଙ୍କ ପରେ ମୁଁ ତୁମ ଗୁରୁ। ସେହି ଦୃଷ୍ଟିରୁ ଦେଖିଲେ ସମ୍ପୂର୍ଣ୍ଣ ସୃଷ୍ଟିର ପ୍ରତ୍ୟେକ ଜୀବ ସେହି ପଞ୍ଚ ଗୁରୁଙ୍କ ଶିଷ୍ଯ। ଆମ ସମସ୍ତଙ୍କ ମଧ୍ଯ ରେ ଏହି ସମାନତା ରହିଛି।' ଅଧଃ ନିମ୍ମିଳିତ ଚକ୍ଷୁ ଓ ଗମ୍ଭୀର ଚିତ୍ତରେ ଗୁରୁ କହିଲେ।
' ତୁମେ କହିପାରିବ କି ଯେହେତୁ ମୁଁ ତମକୁ ପ୍ରତକ୍ଷ୍ଯ ଶିକ୍ଷା ପ୍ରଦାନ କରିଛି, ମୁଁ ଶ୍ରେଷ୍ଠ ଗୁରୁ? ସେମାନଙ୍କ ଜ୍ଞାନ ମୋ ସମ୍ମୁଖରେ ତୁଚ୍ଛ ? ' ଗୁରୁ ସେହିଭଳି ଭାରୀ ଗଳାରେ କହିଲେ।
' ସେହି ଧୃଷ୍ଟତା ମୁଁ କରିପାରିବି ନାହିଁ। ହଁ, ମୁଁ ନିର୍ବୋଧ ଓ ନିର୍ବାକ ବୋଲି ଅନୁଭବ କରୁଛି ଗୁରୁବର। ମୋ ସମସ୍ତ ବିଦ୍ୟା କାହିଁକି ଆଜି ପରାସ୍ତ ହେଉଛି। ' ଦୁଃଖର ସହ କହିଲେ ଆର୍ଯ୍ୟ ସୁତନୁ ।
' ତୁମେ ଅନୁଭବ କରୁଛ କି ଯେ , ତୁମ ଶିକ୍ଷା ସମାପ୍ତ ହୋଇନାହିଁ? ' ଗୁରୁଙ୍କ କଣ୍ଠରୁ ନିଷ୍କୃତ ଧ୍ବନି ଗୁଞ୍ଜରିତ ହେଲା।
' ମୁଁ , ମାନୁଛି ଗୁରୁଦେବ। ମୋର ଶିକ୍ଷା ଶେଷ ଯାଏଁ ଆପଣଙ୍କ ଚରଣ ସେବାରେ ରହିବି। ' ପ୍ରଣାମ ମୁଦ୍ରାରେ କହିଲେ ଆର୍ଯ୍ୟ ସୁତନୁ।
' ତୁମ ଶିକ୍ଷା ସମାପ୍ତ ହୋଇଛି ସୁତନୁ। ତୁମେ ବର୍ତ୍ତମାନ ଏକ ସୁନ୍ଦର ବ୍ଯକ୍ତିତ୍ବ ର ଅଧିକାରୀ। ତୁମେ ଅନେକ ବିଦ୍ୟା ଆୟତ କରିଛ।' ଗୁରୁଦେବ କହିଲେ।
' ମୁଢ, ମୁଁ ! ଛାର ବାଳକ ମୁଁ ଗୁରୁଦେବ। ମତେ ଶରଣରେ ରହିବାକୁ ଦିଅନ୍ତୁ। ' ମ୍ରିୟମାଣ ହୋଇ କହିଲେ ଆର୍ଯ୍ୟ ସୁତନୁ।
' ତୁମ ପ୍ରଶ୍ନ ର ଉତ୍ତର ପାଇନାହଁ, ସୁତନୁ? 'ପ୍ରଶ୍ନ କଲେ ଗୁରୁଦେବ।
' ଶିକ୍ଷାର ସମାପ୍ତି ନଥାଏ। ସମସ୍ତଙ୍କ ଶିକ୍ଷା ସରିଯାଏ । ସବୁ ଗୁରୁଙ୍କ ଶିକ୍ଷା ପରେ ବି ଗୋଟିଏ ଗୁରୁଙ୍କ ଶିକ୍ଷା ଅହରହ ଚାଲିଥାଏ। ' ଗୁରୁ କହିଲେ।
' କାହାକୁ ଇଙ୍ଗିତ କରିଛନ୍ତି ଗୁରୁବର?' ପଚାରିଲେ ଆର୍ଯ୍ୟ ସୁତନୁ ।
' ଜୀବନ ! ଓ ତୁମ ଭିତର ବିଦ୍ୟମାନ ତୁମ ପ୍ରାଣ। ଏମାନେ ତୁମ ଜଡ ଶରୀରରେ ପ୍ରାଣ ଆସିବା ଦିନ ଠାରୁ ପୁଣି ଶରୀରର ଜଡ ଅବସ୍ଥା ଯାଏଁ ଅହରହ ଜ୍ଞାନ ଦେଇ ଚାଲିଥାଆନ୍ତି। ' ପୁଣି ସେହି ଗମ୍ଭୀର ଅବସ୍ଥାରେ କହିଲେ ଗୁରୁଦେବ।
' ପ୍ରତ୍ୟେକ ଗୁରୁ କେବଳ ସେହି ଜ୍ଞାନ କୁ ଆହରଣ କରିବା ଓ ନିଜ ଭିତର ଗୁରୁଙ୍କ ଧ୍ବନି ଶୁଣିପାରିବା ପାଇଁ ସମର୍ଥ କରାନ୍ତି। ତେଣୁ ତୁମେ ବର୍ତ୍ତମାନ ସେହି ଗୁରୁଙ୍କ ଶରଣରେ ରହିବା ଉଚିତ।' ଗୁରୁଦେବ କହିଲେ।
' ମୁଁ ଅଜ୍ଞାନର ଅନ୍ଧକାର ରେ ଆଛନ୍ନ ପ୍ରଭୂ। କବଳିତ ମଧ୍ଯ। ଦ୍ବନ୍ଦ ଓ ଆଶଙ୍କା ଗ୍ରସ୍ତ। ' ଆର୍ଯ୍ୟ ସୁତନୁଙ୍କ ବାଣୀ କ୍ରମଶଃ ଧୀର ଶୁଣାଗଲା।
' ଶିକ୍ଷା ଏକ ଅହରହ ଚାଲିଥିବା କାର୍ଯ୍ୟକ୍ରମ। ଆହରଣ ଓ ବିତରଣ ପ୍ରକ୍ରିୟା ଦ୍ବାରା ତୁମେ ଏହାର ଅଭିବୃଦ୍ଧି କରିପାରିବ। କ୍ଷୁଦ୍ର ପିପ୍ପିଲିକା ଠାରୁ ମହାଦ୍ରୁମ ଆମକୁ ଶିକ୍ଷା ଦିଅନ୍ତି। ଆମେ ଆମ ଦ୍ବାରା ଆହରଣ ହୋଇଥିବା ଶିକ୍ଷା ଅନ୍ୟକୁ ବିତରଣ କରିଥାଉ। ଏହାଦ୍ୱାରା ସଂସାରରେ ଶାନ୍ତି, ଐକ୍ଯ ଓ ଅହିଂସାର ବିକାଶ ହୁଏ। ତେଣୁ ଶିକ୍ଷାର ଆରମ୍ଭ ଓ ଶେଷ କୋଉଠି ଏହା ଅକଳନୀୟ। ' ଗୁରୁ କହିଲେ।
ଏହି ଜ୍ଞାନ ପରେ ଆଉ କିଛି ଅଭେଦ୍ୟ ନଥିଲା। ଅନ୍ଧକାର ର ପରିସମାପ୍ତି ଘଟିଥିଲା।
ଆର୍ଯ୍ୟ ସୁତନୁ ପରବର୍ତ୍ତୀ ସମୟରେ ଭାରତ ବର୍ଷରେ ଏକ ବିଶିଷ୍ଟ ଗୁରୁ ହୋଇପାରିଥିଲେ।