ମୋରାଲି ଡେଡ୍ : ଗୋଟେ ମୃତ ସମୟର ସ୍ମୃତିକଥା

ମୋରାଲି ଡେଡ୍ : ଗୋଟେ ମୃତ ସମୟର ସ୍ମୃତିକଥା

( ଏ ଲେଖା ଏକ ପ୍ରକାର ଫ୍ୟୁଚରିଷ୍ଟିକ ରଚନା । ଆଜିର ପୃଷ୍ଠଭୂମିରେ ଆଗାମୀ ପଚିଶ ବର୍ଷ ପରର ଏ କାହାଣୀ। ) 

         ୨୦୪୮ ମସିହା, ମେ' ମାସ ୨୮ ତାରିଖ; ଭାରତର ନୂତନ ସ°ସଦ ଭବନର ଉଦଘାଟନର ୨୫ ବର୍ଷ ପୂରା ହୋଇଛି। ସମ୍ପୂର୍ଣ୍ଣ ଦେଶ ଉତ୍ସବମୁଖର। ସ°ସଦ ଭବନକୁ ନବବଧୂ ପରି ସଜେଇ ଦିଆଯାଇଛି। ଦେଶର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲ (ଯଦି ସେତେବେଳକୁ ଲୋକ ଟିଭି ଦେଖୁଥା'ନ୍ତି) ଗୁଡିକରେ ଲାଇଭ୍ ପ୍ରସାରଣ ଚାଲିଛି। ଲାଇବ୍ରେରୀରୁ ୨୫ ବର୍ଷ ତଳର ଭିଡିଓ ଫୁଟେଜ୍ ଯେଉଁଠି ତତ୍କାଳୀନ ପ୍ରଧାନମନ୍ତ୍ରୀ ସ°ସଦ ଭବନର ଉଦଘାଟନ କରିଥିଲେ ବାହାର କରି ଚଲା ଯାଉଛି। ଆଉ ସେଇ ସମାନ୍ତରାଳରେ ଠିକ୍ ସେଇ ସମୟରେ ସେଇ ନୂତନ ସ°ସଦ ଭବନର ଉଦଘାଟନୀ ମହୋତ୍ସବ ସମୟରେ କେମିତି ଦିଲ୍ଲୀର ରାଜରାସ୍ତାରେ ପୁଲିସ ପ୍ରଶାସନ ଦ୍ବାରା ବିକ୍ଷୋଭ ପ୍ରଦର୍ଶନ, ଆନ୍ଦୋଳନରେ ୩୪ ଦିନ ହେବ ବସିଥିବା ଅନ୍ତର୍ଜାତୀୟ ମହିଳା କୁସ୍ତି ଖେଳଳିଙ୍କୁ ପୁଲିସ ପ୍ରଶାସନ ଟଣାଓଟରା, ଜୋର୍ ଜବରଦସ୍ତି କରି ଉଠାଇ ନେଉଛି, ସେଇ ଦୃଶ୍ୟ ଏବଂ ପ୍ରସଙ୍ଗ ମଧ୍ୟ ବର୍ଣ୍ଣନା କରାଯାଉଛି। ଏପଟେ ଦେଶର ତତ୍କାଳୀନ ପ୍ରଧାନମନ୍ତ୍ରୀ ଭାରତକୁ ଗଣତନ୍ତ୍ରର ମା' କହି, ଭାରତ ଦେଶକୁ ମା' ସମ୍ବୋଧନ କରି ନତମସ୍ତକ ହେଲା ବେଳକୁ, ସେଇ ଦିଲ୍ଲୀର ଆଉ ଗୋଟିଏ ଇଲାକାରେ ଜଣେ ୧୬ ବର୍ଷୀୟ ନାବାଳିକାକୁ ସର୍ବସମ୍ମୁଖରେ ତା'ର ପୁରୁଣା ପ୍ରେମିକ ବାରମ୍ବାର ଛୁରୀ ଭୁଷୁଛି! ଠିକ୍ ସେଇଦିନ ଭାରତର ଗୋଟିଏ ରାଜ୍ୟ ମଣିପୁରରେ ରାଜନୈତିକ ହି°ସାକାଣ୍ଡରେ ୪୦ ଜଣଙ୍କୁ ଆତଙ୍କବାଦୀ ହିସାବରେ ପ୍ରଶାସନ ତରଫରୁ ହତ୍ୟା କରାଯାଉଛି ଏବଂ ସେଠିକାର ଜନତା ନିଜ ପାଇଁ ଅନ୍ୟ ଗୋଟିଏ ସରକାର ଓ ପ୍ରଶାସନର ଦାବି କରୁଛନ୍ତି! ହଠାତ୍ କରି ଜଣେ ୨୦-୨୫ ବର୍ଷର ଯୁବକ ତା' ପାଖରେ ବସିଥିବା ଅଭିଭାବକକୁ ପଚାରୁଛି "ଏମିତି ଆନନ୍ଦ, ଉତ୍ସବ ଏବଂ ଗୌରାବାନ୍ବିତ ହେବା ଘଡିରେ ସେଇ ଖେଳାଳି ମାନେ କାହିଁକି ବିକ୍ଷୋଭ କରୁଥିଲେ? ଜଣେ ୨୦ ବର୍ଷର ଯୁବକ କେମିତି ସର୍ବସମ୍ମୁଖରେ ଜଣେ ଝିଅକୁ ଏମିତି ଛୁରା ଭୁଷି ପାରୁଛି? ଏତେ ଶକ୍ତିଶାଳୀ ଗଣତାନ୍ତ୍ରିକ ରାଷ୍ଟ୍ରରେ କ'ଣ ମହିଳା ମାନଙ୍କର ସୁରକ୍ଷାର କୌଣସି ଗ୍ୟାରେଣ୍ଟି ନଥିଲା? ହେଲେ ଆମ ଇତିହାସ ବହିରେ ତ "ବେଟି ବଚାଓ, ବେଟି ପଢାଓ" ପରି ପପୁଲାର୍ ନାରା ବିଷୟରେ ପଢା ଯାଉଛି!! ଦେଶର ଗୋଟିଏ ରାଜ୍ୟରେ ଲୋକ ଏମିତି ଭିଟ୍ଟାମାଟି ଛାଡି ଚାଲିଯାଉଥିବା ବେଳେ, ପ୍ରାଣ ବଞ୍ଚାଇବାକୁ ବ୍ୟାକୁଳ ହେଉଥିବା ବେଳେ ତମେ ରାଜଧାନୀରେ ଗଣତନ୍ତ୍ରର ଉତ୍ସବ କେମିତି ପାଳୁଥିଲ ?"

       ନା' ଏହା କୌଣସି କାଳ୍ପନିକ ଦୃଶ୍ୟ ନୁହେଁ କିମ୍ବା ମୁଁ ଟାଇମ୍- ଟ୍ରାଭେଲ କରି ୨୦୪୮ ମସିହାରେ ପହଞ୍ଚି ଯାଇ ନାହିଁ! କିନ୍ତୁ ଏହା ଆଜିଠୁ ୨୫ ବର୍ଷ, ୫୦ ବର୍ଷ ଏବଂ ୧୦୦ ବର୍ଷ ପରେ ବାରମ୍ବାର ଦେଖିବାକୁ ଥିବା ଗୋଟିଏ ଦୃଶ୍ୟ। ଯାହାକୁ ଆମେ ଆଉ କେବେ ବି ଲିଭାଇ ପାରିବାନି, ବଦଳାଇ ପାରିବାନି କିମ୍ବା ରିରାଇଟ୍ କରି ପାରିବାନି (ଡିଜିଟାଲ ଇଣ୍ଡିଆ ପରା, ସବୁ ତଥ୍ୟ ଆଉ ସବୁ ଦୃଶ୍ୟ ଟିକିନିଖି ରେକର୍ଡ ହୋଇ ରହୁଛି)।

       ଆମେ ସମସ୍ତେ ଜାଣିଛେ ଏଇ ମାସ ୨୮ ତାରିଖରେ ଆମ ଦେଶର ନୂତନ ସ°ସଦ ଭବନର ଉଦଘାଟନୀ ଉତ୍ସବ ଥିଲା। ସବୁ ଦେଶରେ ସମୟ ସହ ଏବଂ ଜନସଂଖ୍ୟା ବଢିବା ସହ ସ°ସଦରେ ସା°ସଦ ପଦ ସ°ଖ୍ୟା ବଢିବାର ସମ୍ଭାବନା ରହିଥାଏ ଏବଂ ତା' ପାଇଁ ନୂତନ ସ°ସଦ ଭବନର ଆବଶ୍ୟକତା ପଡିପାରେ। ଏତେ ଭବ୍ୟ,  ନୂତନ ଜ୍ଞାନ କୌଶଳ, ଅତ୍ୟାଧୁନିକ ସୁବିଧା ଏବଂ ଦେଶର କୋଣ ଅନୁକୋଣରୁ ମୂଲ୍ୟବାନ ସାମଗ୍ରୀ ଏକାଠି କରି ନେଇ ଯୋଡି ୯୭୧ କୋଟି ଟଙ୍କା ବ୍ୟୟରେ ନିର୍ମିତ କରାଯାଇଥିବା ନୂତନ ସ°ସଦ ଭବନର ଶୋଭା ନିହାତି ଆଖି ଖୋସି ହେଲା ପରି! ଯୈ କୌଣସି ଗଣତାନ୍ତ୍ରିକ ରାଷ୍ଟ୍ରର ନାଗରିକ ପାଇଁ ତା' ଦେଶର ସ°ସଦ ଭବର ଗୌରବର ବିଷୟ ନିଶ୍ଚୟ। କାରଣ ସ°ସଦ ଭବନ କେବଳ ଗୋଟାଏ କୋଠା ବା ଇମାରତ୍ ନୁହେଁ। ଏହା ସେହି ଦେଶର ଗଣତନ୍ତ୍ରର ଜିମ୍ମେଦାରୀ ନିଜ କାନ୍ଧ ଉପରକୁ ନେଇଥିବା ମଣିଷ ମାନଙ୍କ କାର୍ଯ୍ୟସ୍ଥଳି। ଯଦିଓ ଅନ୍ୟ ଦେଶର ସ°ସଦର ନିର୍ମାଣ ଶୈଳୀ (କାର୍ଯ୍ୟନିର୍ବାହୀ ବା functional) ଉପରେ ମୋର ଧାରଣା ନାହିଁ, ତଥାପି ଏତିକି ତ ମୁଁ ଜାଣିଛି ଯେ ଗଣତାନ୍ତ୍ରିକ ରାଷ୍ଟ୍ରର ସ°ସଦରେ ଗୋଟିଏ ପ୍ରଶାସନିକ ଦଳ ଏବଂ ଆଉ ଗୋଟିଏ ବିରୋଧୀ ଦଳ ରହିଥାଏ। ସେମାନେ ପରସ୍ପରର ପରିପୂରକ, ସମାଲୋଚକ ଏବଂ ଆବଶ୍ୟକ ସ୍ଥଳେ ଅଙ୍କୁଶ ମଧ୍ୟ ଲଗାନ୍ତି। ଯଦି ଆମେ ଆମ ଦେଶର ସ°ସଦ ବିଷୟରେ କହିବା ତା' ହେଲେ ଏଥିରେ ଲୋକସଭା, ରାଜ୍ୟସଭା ଦୁଇଟି ଗୃହ ଥାଏ। ଲୋକସଭାର ଅଧ୍ୟକ୍ଷ ବାଚସ୍ପତି ଏବଂ ରାଜ୍ୟସଭାର ଅଧ୍ୟକ୍ଷ ଉପରାଷ୍ଟ୍ରପତି ଅଟନ୍ତି। ଏବଂ ଦୁଇଟି ଯାକ ଗୃହ ରାଷ୍ଟ୍ରପତିଙ୍କ ଅଧୀନରେ ରହିଥାଏ, ଯିଏକି ଆମ ଦେଶର ପ୍ରଥମ ନାଗରିକ ବା ରାଷ୍ଟ୍ର ପ୍ରଥମ। ଲୋକସଭାର ସ°ଖ୍ୟାଗରିଷ୍ଠ ଦଳର ନେତା, ପ୍ରଧାନମନ୍ତ୍ରୀ ପଦରେ ରୁହନ୍ତି। ଲୋକସଭାରେ ବକ୍ତବ୍ୟ ରଖିବା ପାଇଁ ମଧ୍ୟ ଦେଶର ପ୍ରଧାନମନ୍ତ୍ରୀଙ୍କୁ, ଲୋକସଭା ସଭାପତି ବା ଅଧ୍ୟକ୍ଷଙ୍କ ଠାରୁ ଅନୁମତି ନେବାକୁ ପଡେ। ଲୋକସଭା ଉଭୟ ସରକାର ଗଢିଥିବା ଦଳ (ସ°ଖ୍ୟାଗରିଷ୍ଠ ଦଳ) ଏବଂ ବିରୋଧୀ ଦଳକୁ ନେଇ ତିଆରି। ସ°ସଦରେ ବିରୋଧୀ ଦଳର ଆସନରେ ମଧ୍ୟ ଯେଉଁମାନେ ବସନ୍ତି, ସେମାନଙ୍କୁ ମଧ୍ୟ ଏଇ ଦେଶର  ଜନତା ଭୋଟ ଦେଇ, ନିର୍ବାଚିତ କରି ପଠାଇଥାଏ। ତେଣୁ କେବଳ ସରକାର ଗଢିଥିବା ଦଳ ନୁହେଁ, ବିରୋଧୀ ଦଳର ସଦସ୍ୟ ମଧ୍ୟ ଜନତାଙ୍କ ପ୍ରତିନିଧି ହୋଇଥାନ୍ତି। ଆଉ ଯଦି ଆମେ ୨୦୧୯ ମସିହା ଲୋକସଭା ନିର୍ବାଚନ ସମୟର ମତଦାନକୁ ନେବା ତା' ହେଲେ ଦେଶରେ ସମୁଦାୟ 67.40% ମତଦାତା ଭୋଟ ଦେଇଥିଲେ। ୨୦୧୯ର ସାଧାରଣ ନିର୍ବାଚନରେ ପଡିଥିବା ସମସ୍ତ ଭୋଟର 37.76% ଭାଗ ଭାରତୀୟ ଜନତା ପାର୍ଟିକୁ ମିଳିଥିଲା (ଭାଜପାର ସମସ୍ତ ସହଯୋଗୀ ଦଳକୁ ମିଶାଇଲେ ଏହା 45% ହୁଏ)। ଏହାର ଅର୍ଥ ମତଦାନ କରିଥିବା 62.24% ନାଗରିକ ଭାଜପାର ବିପକ୍ଷରେ ମତଦାନ କରିଥିଲେ (ଯେହେତୁ ଅନେକ ଗୁଡିଏ ନ୍ୟାସନାଲ, ରିଜିଓନାଲ୍ ଏବଂ ସ୍ବାଧୀନ ପ୍ରାର୍ଥୀ ରୁହନ୍ତି ତେଣୁ ଏହା ବିଭାଜିତ ହୋଇଯାଇ ଥିଲା)। ଯେଉଁଠି ସ°ସଦ ଭବନର ଉଦଘାଟନ ସମୟରେ ଲୋକସଭା ଅଧ୍ୟକ୍ଷ ଗଣତନ୍ତ୍ରକୁ ନେଇ ବେଶ୍ ସାରଗର୍ଭକ, ଲୋମହର୍ଷଣକାରୀ ଭାଷଣ ଦେଇଥିଲେ, ସେଇଠି ଉଦଘାଟନ ଉତ୍ସବକୁ ବର୍ଜନ କରିଥିବା ଅନ୍ୟ ବିରୋଧୀ ଦଳ ଗୁଡ଼ିକର ଆବସେନ୍ସ ପ୍ରତି କୌଣସି ଗୁରୁତ୍ୱ ଦିଆ ଯାଇନଥିଲା। ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତିଙ୍କୁ ତ ରାଜନୈତିକ ଦଳ ମାନେ ବାଛନ୍ତି, ସେମାନେ ସିଧାସଳଖ ଜନ ପ୍ରତିନିଧି ନୁହନ୍ତି, ଯଦିଓ ଉଦଘାଟନୀ ଉତ୍ସବରେ ଉଭୟଙ୍କ ଅନୁପସ୍ଥିତି ବିଭିନ୍ନ ମହଲରେ ପ୍ରଶ୍ନ ସୃଷ୍ଟି କରିଥିଲା। କିନ୍ତୁ ଦେଶର ୬୨.୨୪% ମତଦାତାଙ୍କ ପ୍ରତିନିଧିଙ୍କ ଅନୁପସ୍ଥିତି, ଦେଶର ଜନତା ମନେ ପ୍ରଶ୍ନ ସୃଷ୍ଟି କରେ ନିହାତି। ଦେଶର ସେଇ ୬୦ ପ୍ରତିଶତରୁ ଊର୍ଦ୍ଧ୍ବ ମତଦାତାଙ୍କ ମନରେ ନିଶ୍ଚିତ ଗଣତନ୍ତ୍ରର ବର୍ତ୍ତମାନର ରୂପକୁ ନେଇ ସନ୍ଦେହ ଆସିଥିବ! ଆଉ ଏ ବାର୍ତ୍ତା ତଥା ସନ୍ଦେହ ୨୮/୫/୨୦୨୩ ହୋଇ ଯୁଗ ଯୁଗ ପାଇଁ ଆମ ଦେଶର ଇତିହାସରେ ଲେଖା ହୋଇ ରହିଲା!

         ସମୟକ୍ରମେ ଆତ୍ମକୈନ୍ଦ୍ରିକ ରାଜତନ୍ତ୍ରକୁ ହଠାଇ ଗଣତନ୍ତ୍ରର ସୃଷ୍ଟି ହୋଇଛି ଗଣ ବା ସାଧାରଣ ଜନତାଙ୍କ ପାଇଁ। ରାଜତନ୍ତ୍ରରେ ସମାଜର ସବୁଠାରୁ ତଳ ପାହିଆରେ ଥିବା ଲୋକଟିଏ ପକ୍ଷରେ ତା'ର ଶାସକ ରାଜା ପାଖରେ ନିଜ କଥା ଓ ମତ ପହଞ୍ଚାଇବା ଅସମ୍ଭବ। ତେଣୁ ଗଣତନ୍ତ୍ରର ସୃଷ୍ଟି। ଯେ ଏଠି କେହି ଶାସନ କରନ୍ତିନି କିମ୍ବା କୌଣସି ଶାସକ ଦଳ ନଥାଏ। ଏଠି ଜନପ୍ରତିନିଧି ଥା'ନ୍ତି। ସେମାନଙ୍କୁ ପ୍ରଶାସନିକ ଦାୟିତ୍ୱ ଦିଆଯାଏ। ସେହି ପ୍ରଶାସନର ମଙ୍ଗ ଧରିଥିବା ମଣିଷ ପାଖରେ ତା' ପାଖରେ ଚୌକିରେ ବସିଥିବା ମଣିଷର ମୂଲ୍ୟ ଯେତିକି, ରାସ୍ତାରେ ଛିଡା ହୋଇଥିବା ମଣିଷଟିଏର ମୂଲ୍ୟ ମଧ୍ୟ ସେତିକି। ହେଲେ ୨୮/୫/୨୦୨୩ରେ ଆମେ କ'ଣ ଦେଖିଲେ? ଜାନୁଆରୀ ମାସରୁ ଅଭିଯୋଗ ଆଣିଥିବା ଅନ୍ତର୍ଜାତୀୟ ମହିଳା ଖେଳାଳି ମାନଙ୍କୁ ରାଜରାସ୍ତାରେ ପୋକମାଛି ଠାରୁ ବି ଘୃଣ୍ଯ ବ୍ୟବହାର କରା ଯାଇଥିବା ବେଳେ ଆରୋପୀକୁ ନିମନ୍ତ୍ରିତ କରି ନୂତନ ସ°ସଦ ଭବନରେ ସ୍ଥାନ ଦିଆଯାଇଥିଲା। ସେ ପୁଣି ଆଜି ପ୍ରଥମଥର ଆରୋପ କିମ୍ବା ଅଭିଯୋଗ ନୁହେଁ, ଆଗରୁ ଆହୁରି ୩୮ଟି ଆପରାଧିକ ମାମଲାରେ ଅଭିଯୁକ୍ତ ( ବ୍ରିଜଭୂଷଣ ଶରଣ ସିଂ ନାମରେ ହତ୍ୟା, ହତ୍ୟାର ଚେଷ୍ଟା, ୟୁପି ଗ୍ୟାଙ୍ଗଷ୍ଟାର ଆକ୍ଟ, ଆର୍ମସ୍ ଆକ୍ଟ ଅଧୀନରେ ସମୁଦାୟ ୧୭ଟି କେସ୍ ଅଯୋଧ୍ୟାରେ, ୧୨ଟି କେସ୍ ଫୈଜାବାଦରେ, ୮ଟି କେସ୍ ନଓ୍ବାବଗଞ୍ଜ ଏବଂ ୧ ଦିଲ୍ଲୀରେ ଦର୍ଜ ଅଛି)। ଯେତେବେଳେ POCSO act 2012 ଅନୁସାରେ FIR ଦର୍ଜ ହେବାର ୨୪ ଘଣ୍ଟା ମଧ୍ୟରେ ଆରୋପୀକୁ ହାଜତକୁ ନେବାର ପ୍ରବଧାନ ରହିଛି, ସେଇଠି ଏକ ମାସ ହେଲା ସା°ସଦ ଅପରାଧୀ ବାହାରେ ବୁଲି ଉତ୍ସବରେ ଯୋଗଦେଇ ଭିଡିଓ ଏବଂ ସନ୍ଥ- ସମ୍ମିଳନୀର ଆୟୋଜନ କରି ପାରୁଛି। ଏପରି ଅପରାଧୀ ଏବଂ ବଳାତ୍କାରୀ ମାନେ ସର୍ବସମ୍ମୁଖରେ ଶକ୍ତି ପ୍ରଦର୍ଶନ କରୁଥିବା ବେଳେ, ସେଇ ଆରୋପ ଆଣିଥିବା ଖେଳାଳି ମାନଙ୍କୁ ପଦକ ଜିତି ଆସିବା ପରେ ନିଜ ଝିଅ କହିଥିବା, ଆମ ଗଣତନ୍ତ୍ରର ମଙ୍ଗ ଧରିଥିବା, ୨୮ତାରିଖ ଦିନ ହାତରେ ଧର୍ମ/ରାଜଦଣ୍ଡ ଧରିଥିବା ପ୍ରଧାନମନ୍ତ୍ରୀଙ୍କ ସମ୍ପୂର୍ଣ୍ଣ ଘଟଣା ଉପରେ ମାସମାସ ଧରି ଚୁପ୍ ରହିବା, କ'ଣ ଗଣତନ୍ତ୍ରର ବଳାତ୍କାର ସହ ସମାନ ନୁହେଁ?

         ଠିକ୍ ତା'ର ଦୁଇଦିନ ପରେ ୩୦ ତାରିଖ ଦିନ ଯେତେବେଳେ ରେସଲି°ର ରି° ଭିତରେ ପରିଶ୍ରମ କରି, କେବଳ ଝାଳ ନୁହେଁ କେତେବେଳେ ନିଜର ହାଡଭାଙ୍ଗି, କେତେବେଳେ ମା°ସପେଶୀକୁ କ୍ଷତାକ୍ତ କରି, ତଥାପି ବିଶ୍ବରେ ଆମ ତ୍ରିରଙ୍ଗା ପତାକାକୁ ଗର୍ବରେ ତୋଳିଧରିଥିବା, କୁସ୍ତି ଖେଳାଳି ମାନେ ନିଜନିଜର ମେଡାଲ୍ କୁ ଗଙ୍ଗାରେ ବିସର୍ଜିତ କରିଦେବାର ନିର୍ଣ୍ଣୟ ନିଅନ୍ତି୍। ଏବଂ ଦେଶ ସାରାର ଲକ୍ଷଲକ୍ଷ ଲୋକ ସେମାନଙ୍କୁ ଏପରି କରିବାରୁ ବାରଣ କରନ୍ତି ଏବଂ ସେମାନଙ୍କ ସମର୍ଥନରେ ଓହ୍ଲାଇ ଆସିଥିବା ଖାପ୍ ପଞ୍ଚାୟତ ୫ ଦିନର ସମୟ ମାଗେ। ସେତେବେଳେ ଦେଶର କିଛି ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲ ଓଲଟା ସେଇ ଖେଳାଳି ମାନଙ୍କ ଉପରେ ପ୍ରଶ୍ନ କରେ, "ମେଡାଲ୍ ନ ବୁହାଇ ଏତେ ନାଟକ କାହିଁକି?" ଦେଶରୁ ଅନେକ ଠକ ହଜାର ହଜାର କୋଟି ଧରି ଗାୟବ ହୋଇଯାଉଥିବା ବେଳେ, ନିଜକୁ ସାମ୍ବାଦିକ କୁହାଉଥିବା ଏ ଲୋକ ମାନେ କେଉଁ ଖେଳାଳି ପଦକ ଜିତିଲା ପରେ କେତେ ଟଙ୍କା ସରକାରଠୁ ପାଇଛନ୍ତି ହିସାବ ଲଗାନ୍ତି! ପ୍ରାଇମ୍ ଟାଇମରେ ଟିଭି ପରଦା ଉପରେ ବସି ଚିତ୍କାର କରୁଥିବା ସେଇ so called ସାମ୍ବାଦିକ ମାନେ ସରକାରୀ ଦଳ ତରଫରୁ ସେମାନଙ୍କୁ ରାତ୍ରିଭୋଜନ ଖୁଆଇବା ଏବଂ ଅନ୍ତର୍ରାଷ୍ଟ୍ରୀୟ ସ୍ତରରେ ପଦକ ଜିତିଥିବା ଖେଳାଳି ମାନଙ୍କୁ ସରକାରୀ ପାଣ୍ଠିରୁ ସମ୍ମାନିତ କରିବା ଭିତରେ ଥିବା ଫରକଟିକୁ ପାସୋରି ଦେଇଛନ୍ତି ନିହାତି!

         ଗଙ୍ଗାରେ ପଦକ ବିସର୍ଜନ ବିଷୟରେ ଘୋଷଣା କରିବା ସମୟରେ, ବିନେସ୍ ଫୋଗାଟଙ୍କ ଟିପ୍ପଣୀ ପଢିଲେ, ଏ ଦେଶର ପ୍ରତ୍ୟେକ ନାଗରିକ ଲଜ୍ଜିତ ହୋଇଥିବେ(?)। ସେ ଲେଖିଛନ୍ତି "ଏଇ ଭିତରେ ଅନେକ କହିଛନ୍ତି 'ଖେଳାଳୀ ମାନେ ପଦକ ଫେରାଇ ଦେଉ ନାହାନ୍ତି କାହିଁକି?' ଆମେ ବି ଅନେକ ଥର ଭାବିଛୁ ଫେରାଇ ଦେବୁ। ହେଲେ କାହାକୁ ଫେରାଇବୁ? ଆମ ଦେଶର ରାଷ୍ଟ୍ରପତିଙ୍କୁ? ଯିଏ ନିଜେ ଜଣେ ମହିଳା ହୋଇ ମଧ୍ୟ ଏତେ ମାସ ଭିତରେ ଥରେ ବି ସମ୍ପୂର୍ଣ୍ଣ ଘଟଣାର ସଜ୍ଞାନ ନେବାକୁ ଚେଷ୍ଟା କରି ନାହାନ୍ତି କିମ୍ବା ଆମକୁ ଡାକି କଥା ହୋଇ ନାହାନ୍ତି? ସେଥିପାଇଁ ଆମେ ପଦକ ବିସର୍ଜନ କରିବାର ନିର୍ଣ୍ଣୟ ନେଇଛୁ।" ଭାବି ଦେଖିଲେ କେତେ ବଡ ପ୍ରଶ୍ନ ଟିଏ ରହିଗଲା ବର୍ଷବର୍ଷ ପାଇଁ! ଆମ ଦେଶ ଜଣେ ମହିଳାଙ୍କୁ ରାଷ୍ଟ୍ରପତି ପଦରେ ବସାଇ ଯଦି ସେଇ ଦେଶର ଅନ୍ୟ ଯୋଗ୍ୟ ଝିଅ ମାନଙ୍କ ସହ ଏ ପ୍ରକାର ବ୍ୟବହାର କରିବ, ଅଣଦେଖା କରିବ, ତା' ହେଲେ ବିଶ୍ବରେ ଆମର କି ପ୍ରକାର ଛବି ତିଆରି ହେଉଥିବ? ବାରମ୍ବାର ଖେଳାଳି ମାନେ ପ୍ରଧାନମନ୍ତ୍ରୀଙ୍କ ସହ ଥରେ କଥା ହେବାକୁ ଦାବି କରୁଥିଲେ ମଧ୍ୟ, ପ୍ରଧାନମନ୍ତ୍ରୀଙ୍କ ତରଫରୁ ପ୍ରେସବାର୍ତ୍ତା ତ ଦୂରର କଥା, ସାମାନ୍ୟ ଗୋଟିଏ ଟ୍ବିଟ୍ ମଧ୍ୟ ଆସିନାହିଁ। ଅବଶ୍ୟ କେବଳ କୁସ୍ତି ଖେଳାଳି କିମ୍ବା ବ୍ରିଜଭୂଷଣ ଶରଣ ସିଂହ ନୁହେଁ ଏଇ ଭିତରେ ଏମିତି ଅନେକ ଘଟଣା ଘଟି ଯାଇଛି ଯେଉଁଠି ପ୍ରଧାନମନ୍ତ୍ରୀ ଦେଶ ଭିତରେ କିଛି ନଘଟିଲା ପରି ହିଁ ଚୁପ୍ ରହିଛନ୍ତି! ସେ ମଣିପୁର ହି°ସା/ ଦଙ୍ଗା ହେଉ କିମ୍ବା ଏପ୍ରିଲ ୨୦୨୩ରେ ପୁଞ୍ଚ୍-ରାଜୌରୀରେ ପ୍ରାଣ ହରାଇଥିବା ୫ ଜଣ ଜବାନଙ୍କ କଥା। ବିଦେଶରେ ଯାଇ ହଜାର ହଜାର ପ୍ରବାସୀ ଭାରତୀୟଙ୍କ ଆଗରେ ଘଣ୍ଟା ଘଣ୍ଟା ଭାଷଣ ଦେଉଥିବା ଆମ ନେତାଙ୍କର ଦେଶ ଭିତରେ ସୃଷ୍ଟି ହେଉଥିବା ଅପରିସ୍ଥିତିକୁ ନେଇ ପଦିଏ ମଧ୍ୟ ବୟାନ ନଦେବା, ଗୋଟିଏ ସୁସ୍ଥ ଗଣତନ୍ତ୍ର ପାଇଁ କେତେଦୂର ଗ୍ରହଣୀୟ?

        ଦେଶର ରାଜଧାନୀରେ, ଯାହାର ପୁଲିସ ପ୍ରଶାସନ ସ୍ବୟଂ କେନ୍ଦ୍ରସରକାର ଅଧିନରେ, ସେଠି ଯଦି ଗଣତନ୍ତ୍ରର ମନ୍ଦିର ପ୍ରତିଷ୍ଠା ଦିନରେ ହିଁ ଜଣେ ୧୬ ବର୍ଷର ଝିଅକୁ ଅତି ନିର୍ମମ ଭାବରେ ସର୍ବସମ୍ମୁଖରେ ବାରମ୍ବାର ଛୁରୀ ଭୁଷା ଯାଏ, ତାହେଲେ ସେ ଗଣତନ୍ତ୍ରରେ ଗଣ ମାନେ କେତେ ସୁରକ୍ଷିତ ତାହା ଜଳଜଳ ଦିଶିଯାଏ। ସେଠି ନିଜର ଅପାରଗତାକୁ ଲୁଚାଇବା ପାଇଁ ଧର୍ମର ସାହାରା ନିଆଯାଏ! ବାକି ସବୁ ଘଟଣାକୁ ମୁଁ ନ ଉଠାଇ କେବଳ ଏଇ ଏବେ ଏବେ ଘଟିଥିବା ଶ୍ରଦ୍ଧା, ଅଙ୍କିତା ପରି ନିର୍ମମ ହତ୍ୟାକାଣ୍ଡରେ କଣ ପଦକ୍ଷେପ ନିଆଗଲାଣି ଏବଂ ଦୋଷୀ ଦଣ୍ଡ ପାଇଲାଣି ନା ନାଇଁ ଲଭ୍ ଜିହାଦ କଥା ଉଠାଇଥିବା ଲୋକେ ଖବର ନେଲେଣି ନା ନାହିଁ ପଚାରିବି। କୁଆଡ଼େ ଯାଏ ଏ ରାଷ୍ଟ୍ରଭକ୍ତ ମାନଙ୍କ ଦେଶପ୍ରେମ ଯେତେବେଳେ ବ୍ରିଜଭୂଷଣ ଶରଣ ସି°ହ ପରି ଲୋକ କ୍ୟାମେରା ସାମନାରେ କାହାକୁ ହତ୍ୟା କରିଥିବା କଥା ସ୍ବୀକାର କରି ଛାତି ଫୁଲାଇ ବୁଲନ୍ତି? କୁଆଡ଼େ ଯାଏ ଏ ରାଷ୍ଟ୍ରଭକ୍ତ ମାନଙ୍କ ରାଷ୍ଟ୍ର ନିର୍ମାଣର ସଙ୍କଳ୍ପ, ଯେତେବେଳେ ସୁନ୍ଦରମ୍ ତିଓ୍ବାରୀ ପରି ଯୁବକ ଗର୍ବରେ "ବଜରଙ୍ଗ ଦଳ, ପନ୍ନା ଜିଲ୍ଲା, ସହ ସ°ଯୋଯକ" ଲେଖି ୨୧ କିଲୋଗ୍ରାମର ଗଞ୍ଜେଇ ଚାଲାଣ କଲାବେଳେ ସତନା ରେଳ ଷ୍ଟେସନରୁ ଧରାପଡେ? କୁଆଡ଼େ ଯାଏ ଏ ରାଷ୍ଟ୍ରଭକ୍ତ ମାନଙ୍କ ଅନର୍ଗଳ ଦେଶ-ମାତୃକା ପ୍ରେମର ବାର୍ତ୍ତା, ଯେତେବେଳେ ପ୍ରଦୀପ କୁରୁଲକର ପରି ୫୯ ବର୍ଷିୟ DRDO Director R&D ଏବଂ ରାଷ୍ଟ୍ରୀୟ ସ୍ବୟଂ ସେବକ ସ°ଘର ଆକ୍ଟିଭ ମେମ୍ବର (ସ°ଘ ପକ୍ଷରୁ ଯଦିଓ ମନା କରାଯାଇଛି) , ହନିଟ୍ରାପରେ ଫସି ଦେଶର ଗୁପ୍ତ ସାମରିକ ତଥ୍ୟ ପ୍ରଦାନ କରି ଦିଅନ୍ତି? କ'ଣ ଏୟା ଆମ ଗଣତନ୍ତ୍ରର ରୂପ? ଯେଉଁଠି ବ୍ରିଜଭୂଷଣ ଶରଣ ସିଂହ ପରି ୪୦ଟି ଅପରାଧିକ ମାମଲାରେ ଅଭିଯୁକ୍ତ ବ୍ୟକ୍ତି ନୂତନ ସ°ସଦ ଭବର ଭିତରେ ଚିକମିକିଆ ଜାମା ପିନ୍ଧି, ହସିହସି ଫଟୋ ପାଇଁ ପୋଜ୍ ଦେଇ ପାରେ ଆଉ ଦେଶର ଶାକ୍ଷୀ, ଶାକ୍ଷୀ, ବିନେଶ୍ ପରି ଝିଅମାନଙ୍କୁ ରାସ୍ତାରେ ଦଳି ମକଚି ଦିଆଯାଏ? ସତରେ କ'ଣ ଆମ ଭିତରେ ସାମାନ୍ୟ ଟିକେ ସମ୍ବେଦନଶୀଳତା ନାହିଁ? ସତରେ କ'ଣ ଆମେ ଏତେ ନିର୍ମମ? ଆମେ ସବୁବେଳେ ଦେଖି ଆସିଛେ, ଏକଦମ ପାଖରେ ବସି, ସବୁଠାରୁ ପ୍ରିୟ ମଣିଷଟେ ମୁଣ୍ଡ ବାଡେଇ କାନ୍ଦୁଥିଲେ ମଧ୍ୟ, ମୃତ୍ୟୁ ଶଯ୍ୟାରେ ଶୋଇଥିବା ମଣିଷଟେକୁ କୌଣସି ଫରକ ପଡେନି। ମୃତ୍ୟୁ ପରେ ମଣିଷକୁ ଆଖପାଖରେ ଘଟୁଥିବା ଭୟଙ୍କର, ଅପରିଷ୍କାର, କୁତ୍ସିତ ଘଟଣା କିମ୍ବା ପରିସ୍ଥିତିରୁ କୌଣସି ଫରକ ପଡେନି! ବ୍ଲଡ୍ ପ୍ରେସର ମାପି ହେଉନି, ହୃଦୟର ଗତି ଶୁଭୁନି କିମ୍ବା ରେକର୍ଡ କରି ହେଉନି, ଭେଣ୍ଟିଲେଟର୍ ଲାଗିଥିଲେ ବି ନିଶ୍ବାସପ୍ରଶ୍ବାସ ଚାଲୁନି କି କଫ୍ ରିଫ୍ଲେକ୍ସ ନାହିଁ, ଆଖିପତା ପଡୁନି କି କର୍ନିଆଲ୍ ରିଫ୍ଲେକ୍ସ ନାହିଁ, ପ୍ଲାଣ୍ଟାର ରିଫ୍ଲେକ୍ସ ନାହିଁ, ଇସିଜିରେ କୌଣସି ଇଲେକ୍ଟ୍ରିକାଲ୍ ଆକ୍ଟିଭିଟି ନାହି, ପୂରା ଷ୍ଟ୍ରେଟ୍ ଲାଇନ୍……ହଁ ଆପଣ ଠିକ୍ ଅନୁମାନ କରୁଛନ୍ତି…..ଏମିତି ପରିସ୍ଥିତିରେ ଡାକ୍ତର କୁହନ୍ତି "ଡିକ୍ଲାର୍ଡ କ୍ଲିନିକାଲି ଡେଡ୍"(declared clinically dead)! ହେଲେ ବେଳେବେଳେ ସମୟର ଗତିପଥରେ କିଛି ଘଟଣା, କିଛି ପରିସ୍ଥିତିରେ ଏ ସବୁ ମାପଦଣ୍ଡ ଏକଦମ ଠିକ୍ ଥିଲେ ବି ମଣିଷର ହାବଭାବ ଓ ଚାଲିଚଳଣ ଦେଖି ଅନୁମାନ କରି ହୁଏନି, ମଣିଷ ବଞ୍ଚିଛି ନା ମରିଯାଇଛି! କରିଛନ୍ତି କେବେ ଏମିତିକା ପରିସ୍ଥିତିର ସାମନା? ଦେଖିଛନ୍ତି କେବେ ଏମିତିଆ ଘଟଣା? ଭେଟିଛନ୍ତି କେବେ ଆଖି, ନାକ, କାନ, ଗୋଡ, ହାତ ଆଉ ଶରୀର ଭିତରେ ପ୍ରତ୍ୟେକ ଅଙ୍ଗ ଥାଇ ମଧ୍ୟ ସବୁ ନିଶ୍ଚଳ, ସ୍ଥାଣୁ, ନିର୍ବାକ୍ ଏବଂ ଭାବହୀନ ମଣିଷ କି ସମାଜକୁ? ଯଦି ଆପଣ ଏବେ ବି ଉତ୍ତର ଦେବା ଆଗରୁ ଆପଣଙ୍କୁ ଭାବିବାକୁ ପଡୁଛି, ତା' ହେଲେ ମୋ' ଅନୁମାନ ଏକଦମ ଠିକ୍……ଆମ ଭାରତ, ଆମ ଗଣତନ୍ତ୍ର, ଆମ ସମାଜ ଆଉ ଆମେ ସମସ୍ତେ ମୋରାଲି ଡେଡ୍……declared morally dead!