ଭାରତୀୟ ରାଜନୀତି ଏବଂ ପଦଯାତ୍ରା

ଭାରତୀୟ ରାଜନୀତି ଏବଂ ପଦଯାତ୍ରା

 ପଦଯାତ୍ରା କହିଲା ମାନେ ଏବେ ଆମ ସମସ୍ତଙ୍କର ସାଙ୍ଗେ ସାଙ୍ଗେ ରାହୁଲ ଗାନ୍ଧୀଙ୍କ "ଭାରତଯୋଡୋ ଯାତ୍ରା" କଥା ମନକୁ ଆସେ। ଏହା ୦୭ ସେପ୍ଟେମ୍ବର ୨୦୨୨ରେ କନ୍ୟାକୁମାରୀରୁ ଆରମ୍ଭ ହୋଇ ୩୦ ଜାନୁଆରୀ ୨୦୨୩ରେ ଜମ୍ମୁ-କଶ୍ମୀରରେ ସମାପ୍ତ ହୋଇଥିଲା। ଯଦିଓ ରାଷ୍ଟ୍ରୀୟ କ°ଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କ ଦ୍ଵାରା ବାରମ୍ବାର ଏହି ଯାତ୍ରା ରାଜନୈତିକ ନୁହେଁ କୁହାଯାଇଥିଲା କିନ୍ତୁ ପଦଯାତ୍ରା କରିବା ପାଇଁ ବଛା ଯାଇଥିବା ସମୟଖଣ୍ଡ ଏବଂ ଯାତ୍ରା ସମୟରେ ବାରମ୍ବାର ଶାସକ ଦଳ ବିଷୟରେ କରିଥିବା ଆଲୋଚନା ଯାତ୍ରା ପଛରେ ଥିବା ଉଦ୍ଦେଶ୍ୟ ଏବଂ ରାହୁଲ ଗାନ୍ଧୀଙ୍କ ଦ୍ବାରା ଦିଆ ଯାଉଥିବା ଭାଷଣକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ନିଶ୍ଚୟ ସୃଷ୍ଟି କରୁଛି ! ଏହା ପଛରେ ଥିବା କାରଣଟି ବିଷୟରେ ଭାରତର ରାଜନୈତିକ ମହଲରୁ ଆରମ୍ଭ କରି ରାଜନୈତିକ ବିଶ୍ଳେଷକ, ବୁଦ୍ଧିଜୀବୀ ଏବଂ ସାଧାରଣ ଜନତା ମଧ୍ୟ ଆଲୋଚନା କରୁଛନ୍ତି। ଯଦିଓ ଆମ ସମ-ସାମୟିକ ଏବଂ ଆମଠୁ ବୟସରେ ସାନ ମାନଙ୍କ ପାଇଁ ଏଇ ଯାତ୍ରା ନୂଆ ଥିଲା କିନ୍ତୁ ଭାରତର ରାଜନୀତି ତା' ଇତିହାସରେ ଅନେକଥର ଏପରି ପଦଯାତ୍ରାକୁ ଭେଟିଛି। ଆଉ ପ୍ରାୟ ପ୍ରତିଥର ଏମିତି ପଦଯାତ୍ରାଟି ମାନ ରାଜନେତା ମାନଙ୍କୁ ପରବର୍ତ୍ତୀ ନିର୍ବାଚନରେ ସୁଫଳ ମଧ୍ୟ ଦେଇଛନ୍ତି। ସେମାନଙ୍କ ଦୁର୍ବଳ ଏବଂ ମଳିନ ପଡିଆସିଥିବା ରାଜନୈତିକ କ୍ୟାରିଅରକୁ ଭଲ ପିକ୍-ଅପ୍ ମିଳିଛି, ଜନତାର ସମର୍ଥନ ଭୋଟ୍ ଆକାରରେ ମିଳିଛି ଏବଂ ଜିତାପଟ ମଧ୍ୟ ହାସଲ ହୋଇଛି।

ଭାରତୀୟ ରାଜନୀତିର ଇତିହାସରେ ପଦଯାତ୍ରା ବିଷୟରେ କହିଲେ ସର୍ବପ୍ରଥମେ ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ଦ୍ବାରା କରାଯାଇଥିବା "ଭାରତ ଯାତ୍ରା" ମନକୁ ଆସେ। ୧୦ ନଭେମ୍ବର ୧୯୯୦ରୁ ୨୧ ଜୁନ୍ ୧୯୯୧ ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇଥିବା ଚନ୍ଦ୍ରଶେଖର, ୧୯୮୩ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ଅଭିଯାନ ଚଳାଇ "ଭାରତ ଯାତ୍ରା"ର ଆୟୋଜନ କରିଥିଲେ। ଚନ୍ଦ୍ରଶେଖରଙ୍କ ଏହି ପଦଯାତ୍ରା ୬ ଜାନୁଆରୀ ୧୯୮୩ରେ କନ୍ୟାକୁମାରୀରୁ ଆରମ୍ଭ ହୋଇ ୨୫ ଜୁନ୍ ୧୯୮୩ରେ ରାଜଘାଟ, ଦିଲ୍ଲୀଠାରେ ସମାପ୍ତ ହୋଇଥିଲା। ଛ'ମାସ ଧରି କରାଯାଇଥିବା ଏହି ୪୨୬୦ କିଲୋମିଟର ପଦଯାତ୍ରାର ଉଦ୍ଦେଶ୍ୟ ଲୋକଙ୍କ ମନରେ ଜନତା ଦଳ ପ୍ରତି ଆସ୍ଥା ଆଣିବା ଥିଲା। ଭାରତ ଯାତ୍ରା ସମୟରେ ଚନ୍ଦ୍ରଶେଖରଙ୍କୁ "ୟଙ୍ଗ୍ ଟର୍କ" ଆଖ୍ୟା ଦିଆଯାଇଥିଲା ଏବଂ ଏହା ଇନ୍ଦିରାଙ୍କ ମନରେ ଘୋର ଆଶଙ୍କା ସୃଷ୍ଟି କରିଥିଲା ବୋଲି ଜନତା ଦଳ ତରଫରୁ ସେତେବେଳେ ଦାବି କରାଯାଇଥିଲା। ସେମିତି ୨୦୦୨-୨୦୦୩, ଆନ୍ଧ୍ରପ୍ରଦେଶରେ ଚନ୍ଦ୍ରବାବୁ ନାଇଡୁଙ୍କ  ସତ୍ତାରେ ଥିବା ସମୟରେ, ରାଜ୍ୟରେ  କ°ଗ୍ରେସର ସ୍ଥିତିକୁ ସୁଧାରିବା ପାଇଁ ଓ୍ବାଇ ଏସ୍ ଚନ୍ଦ୍ରଶେଖର ରେଡ୍ଡୀ "ପ୍ରଜା ପ୍ରସ୍ଥାନମ୍" ନାମକ ପଦଯାତ୍ରା କରିଥିଲେ। ୯ ଏପ୍ରିଲରେ ଆରମ୍ଭ ହୋଇ ୧୫ ଜୁନ୍ ୨୦୦୩ ଶେଷ ହୋଇଥିବା ୧୫୦୦ କିଲୋମିଟରର ଏହି ପ୍ରଜା ପ୍ରସ୍ଥାନମ୍ ପଦଯାତ୍ରା ସମୟରେ ଓ୍ବାଇ ଏସ୍ ଚନ୍ଦ୍ରଶେଖର ରେଡ୍ଡୀ ଆନ୍ଧ୍ରପ୍ରଦେଶର ଜିଲ୍ଲା-ଜିଲ୍ଲା ବୁଲି, ସାଧାରଣ ଜନତାଙ୍କ ବିଶ୍ୱାସ ଜିତିବାରେ ସଫଳ ହୋଇଥିଲେ। ଏହି ପଦଯାତ୍ରାର ଫଳସ୍ୱରୂପ ୨୦୦୪ରେ ଜନତା ତାଙ୍କ ସପକ୍ଷରେ ଭୋଟ୍ ଦେଇଥିଲେ ଏବଂ ସେ ମୁଖ୍ୟମନ୍ତ୍ରୀ ହୋଇପାରିଥିଲେ। ୨୦୦୪ ଏବଂ ୨୦୦୯ ଦୁଇଥର କ°ଗ୍ରେସଠାରୁ ପରାଜିତ ହେବା ପରେ ୨୦୧୩ ମସିହାରେ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ନିଜ ଦଳ ତେଲୁଗୁ ଦେଶମ୍ ପାର୍ଟିର ସ୍ଥିତି ମଜବୁତ କରିବା ପାଇଁ ପଦଯାତ୍ରା "ବାସ୍ତୁନା ମିକୋସାମ୍ (ଯାହାର ଅର୍ଥ ମୁଁ ତୁମ ପାଖକୁ ଆସୁଛି)"ର ସାହାରା ନେଇଥିଲେ। ୬୩ ବର୍ଷ ବୟସରେ ୨୦୮ ଦିନ ମଧ୍ୟରେ ଚନ୍ଦ୍ରବାବୁ ନାଇଡୁ ୨୦୦୮ କିଲୋମିଟର ପଦଯାତ୍ରା କରିଥିଲେ। ଏହାର ଫଳସ୍ବରୂପ ୨୦୧୪ ମସିହାରେ ତାଙ୍କ ଦଳ ପୁଣି ସରକାର ଗଢିବାରେ ସଫଳ ହୋଇଥିଲା। କିନ୍ତୁ ସେହି ବର୍ଷ ହିଁ ତେଲେଙ୍ଗାନା ରାଜ୍ୟ, ଆନ୍ଧ୍ରପ୍ରଦେଶରୁ ଅଲଗା ହୋଇଥିଲା। ସେମିତି ୨୦୧୭ ମସିହାରେ ମଧ୍ୟପ୍ରଦେଶ କ°ଗ୍ରେସ ନେତା ଦିଗ୍ ବିଜୟ ସି°, ନର୍ମଦାନଦୀ କୂଳେ କୂଳେ ୩୩୦୦ କିଲୋମିଟରର ଗୋଟିଏ ପଦଯାତ୍ରା କରିଥିଲେ। ଏହି ପଦଯାତ୍ରାକୁ ସେ ଅଣରାଜନୈତିକ ଘୋଷଣା କରିବା ସହ ସମ୍ପୂର୍ଣ୍ଣ ଧାର୍ମିକ ଏବଂ ଆସ୍ଥାର ପଦଯାତ୍ରା କହିଥିଲେ। କିନ୍ତୁ ଏହି ପଦଯାତ୍ରା ତାଙ୍କୁ ସାଧାରଣ ଜନତା ସହ ଖୁବ୍ ଯୋଡିଥିଲା, ଏବଂ ଏହାର ଫଳସ୍ୱରୂପ କ°ଗ୍ରେସ୍ ପାର୍ଟି ୨୦୧୮ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଜିତିଥିଲା।

୧୯୮୩ରୁ ୨୦୧୭ ଭିତରେ କରାଯାଇଥିବା ପ୍ରତ୍ୟେକଟି ପଦଯାତ୍ରା ସମୟରେ ରାଜନେତା ମାନେ ସାଧାରଣ ଜନତାଙ୍କ ସହ ଯୋଡି ହେବାର ସୁଯୋଗ ପାଇଥିବା କହିଥିବା ସମୟରେ, ସେମାନଙ୍କ ଦୈନନ୍ଦିନ ଜୀବନର ସମସ୍ୟା ଏବଂ ଦେଶରେ ପ୍ରଚଳିତ (ସେହି ସମୟର) ବ୍ୟବସ୍ଥାକୁ ନେଇ ସେମାନଙ୍କ ମନରେ ଥିବା ଅସନ୍ତୋଷକୁ ବୁଝିବା ସହଜ ହୋଇପାରିଥିବା ଦାବି କରିଛନ୍ତି। ଭାରତ ଯୋଡୋ ଯାତ୍ରା ସମୟରେ ମଧ୍ୟ ରାହୁଲ ଗାନ୍ଧୀ ବାରମ୍ବାର କହିଥିଲେ ଯେ, ରାଜନୀତି କରୁକରୁ ନେତାମାନେ ସେମାନଙ୍କୁ ଭୋଟ୍ ଦେଇ ପ୍ରତିନିଧି ବାଛିଥିବା ମଣିଷ ମାନଙ୍କଠାରୁ ଦୂରେଇ ଯା'ନ୍ତି। ଏବଂ ଏହି ପଦଯାତ୍ରା ଦ୍ବାରା ସେ ନିଜେ ଏହି ଦୂରତା କମ୍ ହୋଇଥିବା ହୃଦୟଙ୍ଗମ କରିଛନ୍ତି ବୋଲି ଦାବି କରିଛନ୍ତି। ୧୫୦ ଦିନ ବ୍ୟାପି କରିଥିବା ନିଜର ୪୦୮୦ କିଲୋମିଟରର ପଦଯାତ୍ରା ସମୟରେ ରାହୁଲ ଗାନ୍ଧୀ ଅନେକ ସ୍ଥାନୀୟ ଲୋକ, ଯୁବକ, ଛାତ୍ରଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ସମସ୍ୟା ଶୁଣିଛନ୍ତି, ସାଧାରଣ ଜନତାଙ୍କ ହାତଧରି ଚାଲିଛନ୍ତି, ନିଜ ଦଳର ସାଧାରଣ କର୍ମୀଙ୍କୁ ଭେଟିଛନ୍ତି, ପ୍ରେସ-କନ୍ଫରେନ୍ସ କରିଛନ୍ତି। ଯଦିଓ ଏହା ପୂର୍ବରୁ ମଧ୍ୟ ରାହୁଲ ଗାନ୍ଧୀ ୨୦୧୦ରେ ନିୟମଗିରି ପାଇଁ ଡଙ୍ଗରିଆ ତଥା କୁଟକି କନ୍ଧଙ୍କ ସହ ଠିଆ ହୋଇଥିଲେ କିମ୍ବା ୨୦୧୧ରେ ଉତ୍ତର ପ୍ରଦେଶରେ କୃଷକ ମାନଙ୍କ ପାଇଁ ତତ୍କାଳୀନ ମାୟାବତୀ ସରକାର ବିରୋଧରେ "କିଷାନ ସନ୍ଦେଶ ଯାତ୍ରା" ନାମକ ପଦଯାତ୍ରା କରିଥିଲେ କିନ୍ତୁ କେବେବି ତାଙ୍କ ମତ ଏବଂ ଉପସ୍ଥିତକୁ ରାଜନୈତିକ ସ୍ତରରେ ଗୁରୁତ୍ବପୂର୍ଣ୍ଣ ବୋଲି କେହି ଭାବୁ ନଥିଲେ। କିନ୍ତୁ ଭାରତଯୋଡୋ ପଦଯାତ୍ରା ହିଁ ପ୍ରଥମଥର ପାଇଁ ସାଧାରଣ ଜନତାଙ୍କ ନଜରରେ ତାଙ୍କର ପାର୍ଟ- ଟାଇମ୍ ପଲିଟିସିଆନ୍ ଇମେଜଟିକୁ ବଦଳାଇବାରେ ସାହାଯ୍ୟ କରିଛି। ଅନେକ ତାଙ୍କ ନେତାପଣ ବା ରାଜନୈତିକ କ୍ୟାରିଅର ଖାଲି ବିରାସତରେ ମିଳିଯାଇଥିବା ଗ୍ରହଣ କରିନେଇଥିବା ବେଳେ, ପ୍ରଥମଥର ପାଇଁ ରାହୁଲ ଗାନ୍ଧୀ ନିଜ ସୀମିତ ପରିସରରୁ ବାହାରି ସାଧାରଣ ଜନତାଙ୍କ ସହ ଆଳାପ କରି ନିଜର ଉପସ୍ଥିତିକୁ ଜାହିର କରିବାରେ ସକ୍ଷମ ହୋଇଛନ୍ତି। ୨୦୧୪ ଏବଂ ୨୦୧୯ ମସିହାରେ ବିଜେପି ଦଳ ସତ୍ତାକୁ ଆସିବା ପରେ ଜାତୀୟ କ°ଗ୍ରେସ ଦଳ ତା'ର ଅନେକ ନେତା ତଥା ସମର୍ଥକ ହରାଇବା ସହ, ନିଜର ସର୍ବକାଳୀନ ଦୁର୍ବଳ ସ୍ଥିତିରେ ଅଛି। ଏମିତି ଅନେକ ରାଜ୍ୟ ଅଛନ୍ତି ଯେଉଁଠି ଏବେ କୌଣସି ବଡ଼ ଚେହେରା କିମ୍ବା କ°ଗ୍ରେସ ଦଳର ଉପସ୍ଥିତ ବାରିବା ମଧ୍ୟ କଷ୍ଟ। ତେଣୁ ଭାରତଯୋଡୋ ପଦଯାତ୍ରା କ°ଗ୍ରେସର ଏମିତି କମଜୋର ସ୍ଥିତିକୁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସୁଧାରିବା ପାଇଁ ସାହାଯ୍ୟ କରିବ ବୋଲି ଦଳ ତରଫରୁ ଆଶା ପୋଷଣ କରାଯାଉଛି। ଦଳ ତରଫରୁ ଏହା ମଧ୍ୟ ଆଶା କରାଯାଉଛି ଯେ ଅନେକ କ୍ଷେତ୍ରୀୟ ବିଜେପି ବିରୋଧୀ ଦଳ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧୀଙ୍କ ବିଚାରଧାରାରେ ପ୍ରଭାବିତ ହୋଇ କ°ଗ୍ରେସ୍ ସହ ଯୋଡି ହୋଇ ପାରନ୍ତି।

 ନିଜ ପଦଯାତ୍ରା ସମୟରେ ଲୋକଙ୍କ ସହ ଆଲୋଚନା ସମୟରେ ରାହୁଲ ଗାନ୍ଧୀ ଦେଶର ଦରଦାମ ବୃଦ୍ଧି, ବେରୋଜଗାରୀ ସମସ୍ୟା, ସମାଜରେ ବଢୁଥିବା ଅନୈତିକତା, ଅର୍ଥନୈତିକ ଅସମାନତା, ସାମାଜିକ ଅବ୍ୟବସ୍ଥା, ପରିବେଶ ଏବଂ ଜଳବାୟୁ ସମସ୍ୟା ଉପରେ ଆଲୋକପାତ କରିଛନ୍ତି। ପ୍ରାୟତଃ ପ୍ରତ୍ୟେକ ସଭା ଏବଂ ପ୍ରେସ୍ କନ୍ଫରେନ୍ସରେ ବିଜେପି- ଆର ଏସ୍ ଏସ୍ ତଥା ଅଦାନୀ- ଅମ୍ବାନୀକୁ ସମାଲୋଚନା କରିଛନ୍ତି। ବିଗତ ଆଠ ବର୍ଷର ବିଜେପି ଶାସନ ସମୟରେ କିପରି ଅର୍ଥନୈତିକ ଅସମାନତା ବଢିଛି ବୟାନ ରଖିଛନ୍ତି। ବାରମ୍ବାର କିପରି ଦେଶରେ ଧର୍ମୀୟ ଅସହିଷ୍ଣୁତା ବଢିବା ସହ ଧର୍ମନିରପେକ୍ଷତାର ବଳାତ୍କାର ଘଟୁଛି ଅଭିଭାଷଣ ରଖିଛନ୍ତି। ଲୋକଙ୍କ ସହ ଆଲୋଚନା କରି ପ୍ରଚଳିତ ସାମାଜିକ ଏବଂ କ୍ଷତାକ୍ତ ଗଣତନ୍ତ୍ର ବିଷୟରେ ଧାରଣା ଆଣିବାକୁ ଚେଷ୍ଟା କରିଛନ୍ତି। ହେଲେ ଏସବୁ କରି, ବିପୁଳ ଜନସମାଗମ ଏକାଠି କରିବା ସତ୍ତ୍ୱେ କେଉଁଠି ନା' କେଉଁଠି ରାହୁଲ ଗାନ୍ଧୀ, ସବୁ ସମସ୍ୟାର ସମାଧାନର ପନ୍ଥା ଏବଂ ସେ କ'ଣ ପଦକ୍ଷେପ ନେବେ, ତାହା ଲୋକଙ୍କ ସାମନାରେ ରଖିବାରେ ଅସମର୍ଥ ରହିଛନ୍ତି ନିହାତି। ପ୍ରତ୍ୟେକଥର ଦେଶର ସରକାର ଏବଂ ସରକାରୀ ନୀତିର ତୀବ୍ର ଆଲୋଚନା ସତ୍ତ୍ୱେ କୌଣସି ଗୋଟିଏ ଥର ବି ସେ ଦେଶ ଏବଂ ଦେଶର ଜନତାଙ୍କୁ ଆଗାମୀ ଦିନରେ ଏସବୁ ପରିସ୍ଥିତିରୁ ବାହାର କରିବା ପାଇଁ ତାଙ୍କର ଏବଂ କ°ଗ୍ରେସର କ'ଣ ଯୋଜନା ରହିଛି କିମ୍ବା ତାଙ୍କର ପ୍ଲାନ୍ ଅଫ ଆକ୍ସନ କ'ଣ ସେ ବିଷୟରେ କହି ନାହାନ୍ତି। କୌଣସି ଗୋଟିଏ ପ୍ରସଙ୍ଗକୁ ନେଇ ନିଜ ତରଫରୁ ସମାଧାନର ପନ୍ଥା କିମ୍ବା କୌଣସି ଗୋଟିଏ ବି ସଷ୍ଟେନେବଲ୍ ଡେଭଲପମେଣ୍ଟ ନୀତି ବିଷୟରେ କହିନାହାନ୍ତି। ଏହା ଛଡା ରାହୁଲ ଗାନ୍ଧୀ ନିଜ ପଦଯାତ୍ରାକୁ ଦେଶର କିଛି ପ୍ରାନ୍ତ ମଧ୍ୟରେ ସୀମିତ ରଖିବା ମଧ୍ୟ ଭାରତଯୋଡୋ ଯାତ୍ରାର ଆଉ ଗୋଟିଏ ବିଫଳ ଦିଗ। ୧୫୦ ଦିନର ପଦଯାତ୍ରା କରି ମଧ୍ୟ ରାହୁଲ ଗାନ୍ଧୀ ଦେଶର ଅନେକ ଅଞ୍ଚଳରେ ନିଜକୁ ପହଞ୍ଚାଇ ପାରି ନାହାନ୍ତି, ଯାହାର ଉଦାହରଣ ଗୁଜରାଟ ଏବଂ ଉତ୍ତର-ପୂର୍ବ ରାଜ୍ୟ ଗୁଡିକର ନିର୍ବାଚନ ଫଳାଫଳରୁ ଦେଖିବାକୁ ମିଳେ।

 ଭାରତଯୋଡୋ ପଦଯାତ୍ରାରେ ଅନେକ ଥର ସାଧାରଣ ସଭା ଏବଂ ପ୍ରେସ୍ କନ୍ଫରେନ୍ସରେ ରାହୁଲ ଗାନ୍ଧୀ ମିଡିଆ କଭରେଜକୁ ନେଇ ମଧ୍ୟ ଅଭିଯୋଗ ଆଣିଛନ୍ତି। ଅନେକ ଥର କହିଛନ୍ତି ଯେ ନ୍ୟାସନାଲ ନ୍ୟୁଜ୍ ଚ୍ୟାନେଲ୍ ଗୁଡିକ ସରକାରୀ କଳର କାମ କରୁଛନ୍ତି ଯେଉଁଥି ପାଇଁ ତାଙ୍କ ବିଚାରଧାରାକୁ ସାଧାରଣ ଜନତାଙ୍କ ପାଖରେ ଅପହଞ୍ଚ ରହି ଯାଉଛି। କିନ୍ତୁ ତାଙ୍କର ଏହି କଥା ଶୁଣିଲେ ମୋର ଅନେକ ଥର ବାପୁଙ୍କ ଦାଣ୍ଡି ମାର୍ଚ୍ଚ ବା ଲବଣ ସତ୍ୟାଗ୍ରହ କଥା ମନେ ପଡେ। ଏଇ ୧୨ ମାର୍ଚ୍ଚ ତାରିଖକୁ ଦାଣ୍ଡି ମାର୍ଚ୍ଚକୁ ୯୩ ବର୍ଷ ପୁରି ଯାଇଥିଲେ ମଧ୍ୟ ପ୍ରତ୍ୟେକ ଭାରତୀୟଙ୍କ ମନରେ ତା'ର ଛବି ସେମିତି ଅକ୍ଷୁଣ୍ଣ ହୋଇ ରହିଛି। ୧୨ ମାର୍ଚ୍ଚ ୧୯୩୦ରେ ଗାନ୍ଧିଜୀ ମାତ୍ର ୭୮ ଜଣଙ୍କ ସହ ସାବରମତି ଆଶ୍ରମରୁ ଏହି ପଦଯାତ୍ରା ଆରମ୍ଭ କରିଥିଲେ। ଆଉ ସେତେବେଳେର ଟେଲିଭିଜନ, ସ୍ମାର୍ଟଫୋନ୍ କିମ୍ବା ସୋସିଆଲ ମିଡିଆ ବିହିନ ଯୁଗରେ ୬ ଅପ୍ରେଲ ୧୯୩୦ରେ ଦାଣ୍ଡିରେ ଯାତ୍ରା ଶେଷ ହେଲା ବେଳକୁ ତମାମ୍ ଦେଶରୁ ୬୦୦୦୦ ସରିକି ଲୋକ ଖାଲି ଇଂରେଜ ମାନଙ୍କ ଦ୍ବାରା ଜେଲରେ ଭର୍ତ୍ତି ହୋଇଥିଲେ। ନିଜର ଏହି ୩୮୭ କିଲୋମିଟରର ପଦଯାତ୍ରାକୁ ଗାନ୍ଧିଜୀ ନିଜର ଅହି°ସା ଏବଂ ଅସହଯୋଗ ଆନ୍ଦୋଳନର ଗୋଟିଏ ମାଧ୍ୟମ ଆକାରରେ ବାଛିଥିଲେ। ପୃଥିବୀ ଏବଂ ଦୈନନ୍ଦିନ ଜୀବନରେ ଅନେକ ମୂଲ୍ୟବାନ ଜିନିଷ ବ୍ୟବହାର ହେଉଥିବା ବେଳେ ଗାନ୍ଧିଜୀ "ଲୁଣ" ପରି ଅତି ସାଧାରଣ ଚିଜଟିକୁ କାହିଁକି ଆନ୍ଦୋଳନର ମୁଦ୍ଦା କରିଥିଲେ ବୋଲି ଛୋଟ ବେଳେ ମନରେ ଅନେକ ଥର ପ୍ରଶ୍ନ ଆସିଛି! କିନ୍ତୁ ବଡ ହେଲା ପରେ ବୁଝା ପଡେ, ପ୍ରକୃତରେ ଅତି କମ୍ ମାତ୍ରାରେ ଦରକାର ହେଉଥିଲେ ମଧ୍ୟ ମଣିଷ ଜୀବନରେ ଲୁଣର ଭୂମିକା ଖୁବ୍ ମହତ୍ତ୍ୱପୂର୍ଣ୍ଣ। ସେଇଥିପାଇଁ ସେତେବେଳେ ସ୍ବାଧୀନତା ପରି ଗୋଟିଏ ବଡ ଲକ୍ଷ୍ୟକୁ ହାସଲ କରିବା ପାଇଁ ଗାନ୍ଧିଜୀ ପ୍ରଥମେ ଇଂରେଜ ମାନଙ୍କ ଲୁଣ-କର ଠାରୁ ଅସହଯୋଗ ଆନ୍ଦୋଳନ ଆରମ୍ଭ କରିଥିଲେ। ଗାନ୍ଧିଜୀଙ୍କ ଉଦ୍ଦେଶ୍ୟ, ଉଦ୍ୟମ ଏବଂ ସମାଧାନର ପନ୍ଥା ହିଁ ସେତେବେଳେର ଇଣ୍ଟରନେଟ୍ ରହିତ ସମୟରେ ମଧ୍ୟ ତାଙ୍କ ବିଚାରଧାରାକୁ ଦେଶର କୋଣ ଅନୁକୋଣରେ ପହଞ୍ଚାଇ ପାରିଥିଲା। ଆଉ ସେ କେବଳ ଅସହଯୋଗ କିମ୍ବା ଆନ୍ଦୋଳନର କଥା ନୁହେଁ ଦୀର୍ଘସ୍ଥାୟୀ ଶିକ୍ଷା ଏବଂ ବିକାଶ ପ୍ରଣାଳୀ ଉପରେ ମଧ୍ୟ ଜୋର୍ ଦେଉଥିଲେ।

ସେଇଥିପାଇଁ ହିଁ ଆଜି ମଧ୍ୟ ତାଙ୍କ ବିଚାରଧାରା ବଞ୍ଚିକି ରହିଛି। ତେଣୁ କେବଳ ଦୋଷ-ଦୁର୍ବଳତାକୁ ଆଲୋଚନା କରି ସମାଧାନର ପନ୍ଥା ନ ଦେଖେଇ ପାରିବା ମଧ୍ୟ ରାହୁଲ ଗାନ୍ଧୀଙ୍କ ଭାରତଯୋଡୋ ଯାତ୍ରାକୁ ଅନେକ ସମୟରେ ବିରୋଧୀ ଦଳ ଦ୍ଵାରା ସହଜରେ ସମାଲୋଚନାର ପରିସରକୁ ଆଣିପାରିଛି। ଯେତେବେଳେ ରାହୁଲ ଗାନ୍ଧୀ ଭାରତର ଗଣତନ୍ତ୍ର ଅସୁରକ୍ଷିତ ବୋଲି ଦାବି କରୁଛନ୍ତି, ସେତେବେଳେ ଆଜିର ନୂଆ ଭୋଟର ମାନଙ୍କୁ ଖାଲି ଯେ ଗଣତନ୍ତ୍ରର ସଠିକ୍ ଡେଫିନେସନ୍ ବୁଝାଇବା ହିଁ ସାହାଯ୍ୟ କରିବ ପାଇଁ ଯଥେଷ୍ଟ, ତାହା ଭାବିବା କେତେଦୂର ଠିକ୍? ୨୦୨୪ ସାଧାରଣ ନିର୍ବାଚନକୁ ଆହୁରି ବର୍ଷେ ବାକି ଥିବା ସ୍ଥଳେ, ଭାରତର କେବଳ ଗୋଟିଏ ଅ°ଶକୁ କଭର କରି ରାହୁଲ ଗାନ୍ଧୀ ନିଜ ସହ ଭାରତକୁ ଯୋଡିବାରେ କେତେ ଦୂର ସଫଳ ହେବେ ତାହା ବି ଗୋଟିଏ ବଡ ପ୍ରଶ୍ନ। ତେବେ ଜନତାର ୭୫ ବର୍ଷର ସମସ୍ୟା, ଗଣତନ୍ତ୍ର ଏବଂ କ°ଗ୍ରେସର ଅସ୍ତିତ୍ୱ ବଜାୟ ରଖିବାର ପ୍ରୟାସ ଭିତରେ, ଭାରତୀୟ ଭୋଟର୍ ୨୦୨୪ ସାଧାରଣ ନିର୍ବାଚନରେ ତା'ର ନେତା ପାଇଛି କି ନାହିଁ ତାହା ତ ସମୟ ହିଁ କହିବ!

 

ଭୁବନେଶ୍ୱର

୮୦୧୮୦୫୩୩୯୫