ମୋଦୀ ସରକାର ବିରୋଧରେ ସତ୍ୟପାଲ ମଲ୍ଲିକ ଆଜି କାହିଁକି କହୁଛନ୍ତି ?

ମୋଦୀ ସରକାର ବିରୋଧରେ ସତ୍ୟପାଲ ମଲ୍ଲିକ ଆଜି କାହିଁକି କହୁଛନ୍ତି ?

ସତ୍ୟପାଲ ଆଜି କାହିଁକି ଏତେ କଥା ଗପୁଛନ୍ତି ? 

ଆଜି ଯାଏ ସେ ଚୁପ ଥିଲେ କାହିଁକି ? 

ଏମିତି ପ୍ରଶ୍ନ କିଛି ଆସୁଛି, ଆସିବା ଯଥାର୍ଥ ମଧ୍ୟ ।   

ସତ୍ୟପାଲ ମଲ୍ଲିକ ଆଜିର ତାରିଖରେ ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହାଂକ ପାଇଁ ସବୁଠୁ ବଡ଼ ମୁଣ୍ଡ ବିନ୍ଧାର କାରଣ ପାଲଟିଛନ୍ତି । ମୋଦୀ -ଶାହାଙ୍କ ସମସ୍ୟା ହେଲା, ରାଜ୍ୟପାଳ ମଲ୍ଲିକ ତାଙ୍କ ନିଜ ଲୋକ ଥିଲେ ଓ କାଶ୍ମୀରର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସମୟରେ ସେ ରାଜ୍ୟପାଳ ଥିଲେ । ସେ ଯାହା କହୁଛନ୍ତି, ତାହାକୁ ତାଙ୍କର ବିରୋଧୀ ରାଜନୀତି ବୋଲି କହିବା ପିଲାଳିଆମୀ ହେବ । ପ୍ରଥମ ଥର ପାଇଁ ରାଜ୍ୟପାଳ ମଲ୍ଲିକ ପ୍ରସଙ୍ଗରେ ମୁହଁ ଫିଟାଇ ଗୃହ ମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ, ରାଜ୍ୟପାଳ ଥିବା ବେଳେ ସେ ଏ ପ୍ରସଙ୍ଗରେ କିଛି କହୁ ନଥିଲେ କାହିଁକି ? ସମାନ କଥା ମୋଦୀ -ଶାହାଙ୍କ ଭକ୍ତମାନେ ବି ପଚାରୁଛନ୍ତି । ରାଜ୍ୟପାଳ ପଦବୀ ମୋହରେ ପଡ଼ି ସତ୍ୟପାଲ ମଲ୍ଲିକ ଚୁପ୍ ଥିଲେ କାହିଁକି ? ଏହାର ଉତ୍ତର ଅତି ସହଜ । ବାସ୍ତବରେ ରାଜ୍ୟପାଳ ମଲ୍ଲିକ କେବେ ବି ଚୁପ୍ ନଥିଲେ । ୧୪, ଫେବୃଆରୀ,୨୦୧୯ ପୁଲଓ୍ବାମା ବିସ୍ଫୋରଣ ଦିନ ଅନ୍ତତଃ ଦୁଇଟି ବୟାନରେ ସୁରକ୍ଷା ବ୍ୟବସ୍ଥାରେ ରହିଥିବା ତ୍ରୁଟି କଥା ସେ ସ୍ପଷ୍ଟ କହିଥିଲେ । ସେ ଦିନ ସିନେମା ଶୁଟିଙ୍ଗରେ ପ୍ରଧାନମନ୍ତ୍ରୀ ବ୍ୟସ୍ତ ଥିବା କଥା ମଧ୍ୟ ରିପୋର୍ଟ ହୋଇଛି । ସତ୍ୟ ଶୁଣିବା ଲାଗି ଭକ୍ତଙ୍କ କାନ ନଥାଏ । ତେଣୁ ସେମାନେ ରାଜ୍ୟପାଳ ମଲ୍ଲିକଙ୍କୁ ଶୁଣିନଥିବା ସ୍ବାଭାବିକ । ଏଠି ରାଜ୍ୟପାଳ ମଲ୍ଲିକ କହିବା ସତ, ହେଲେ ଭକ୍ତ ଶୁଣିନଥିବା ମଧ୍ୟ ସତ । 

ରିଲାଏନ୍ସ ଦୁର୍ନୀତି କଥା ଅସଂଖ୍ୟ ଥର ରାଜ୍ୟପାଳ ମଲ୍ଲିକ କହିଛନ୍ତି । ଏଥିରେ ରାମ ମାଧବ ସମ୍ପୃକ୍ତ ଥିବା କଥା ବହୁ ଆଗରୁ ସେ ସର୍ବସାଧାରଣରେ କହିଛନ୍ତି । ଏହି ପ୍ରସଙ୍ଗ ଲୋକଲୋଚନକୁ ଆସିବା ପରେ ରାମ ମାଧବଙ୍କୁ ବିଜେପିର କାଶ୍ମୀର ପ୍ରଭାରୀ ଦାୟିତ୍ଵରୁ ବିଜେପି ହଟାଇବାକୁ ବାଧ୍ୟ ହୋଇଥିଲା । ତା ପରେ ରାମ ମାଧବଙ୍କୁ ବିଜେପି ସାଧାରଣ ସମ୍ପାଦକ ପଦବୀରୁ ମଧ୍ୟ ବିଦା କରିଥିଲା । ରାଜ୍ୟପାଳ ମଲ୍ଲିକ ଚୁପ୍ ରହିଥିଲେ, ରାମ ମାଧବ ଆଜି ବିଜେପିରେ କୋଣଠେସା ହୋଇ ବସି ନଥାନ୍ତେ !! ଏ ପ୍ରସଙ୍ଗରେ ରାଜ୍ୟପାଳଙ୍କ ଅଭିଯୋଗ ଆଧାରରେ ଇ ସିବିଆଇ ତଦନ୍ତ ହେଉଛି ।  

ରାଜ୍ୟପାଳ ପଦବୀରେ ଥାଇ ମଧ୍ୟ ସତ୍ୟପାଲ ମଲ୍ଲିକ ମୋଦୀ ସରକାରର କୃଷି ଆଇନକୁ ଖୋଲା ଖୋଲି ବିରୋଧ କରିବା ସହିତ କୃଷକ ଆନ୍ଦୋଳନ ସହିତ ସାମିଲ ହୋଇଥିଲେ। ରାଜ୍ୟପାଳ ମଲ୍ଲିକ ଗୋଆ ରାଜ୍ୟପାଳ ଥିବା ସମୟରେ ସେଠାକାର ସରକାରଙ୍କ ଦୁର୍ନୀତି ବିରୋଧରେ ସ୍ପଷ୍ଟ ମତ ରଖିଥିଲେ । ଏ ପ୍ରସଙ୍ଗରେ ଶହ ଶହ ରିପୋର୍ଟ ଆଜି ମଧ୍ୟ ପଢାଯାଇ ପାରିବ । ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଦୁର୍ନୀତିରେ ଲିପ୍ତ ଅଛନ୍ତି ବୋଲି ରାଜ୍ୟପାଳ ସର୍ବସାଧାରଣରେ ରାଜ୍ୟପାଳ ଥିବା ବେଳେ କହିଥିଲେ । 

ଭକ୍ତଙ୍କ ପ୍ରଶ୍ନ ହେଉଛି - ରାଜ୍ୟପାଳ ମଲ୍ଲିକ ଆଜି କାହିଁକି ପ୍ରଶ୍ନ ଉଠାଇଛନ୍ତି ।


ସତ୍ୟ ହେଉଛି - ରାଜ୍ୟପାଳ ମଲ୍ଲିକ ବାରମ୍ବାର ଏ ପ୍ରସଙ୍ଗରେ କ୍ଷମତାରେ ଥିବା ସମୟରୁ ଇ କହି ଆସୁଛନ୍ତି । କାନ ଓ ଆଖି ନଥିବା ଭକ୍ତମାନେ ଏହା ଜାଣିନାହାନ୍ତି । ଏପରିକି ଖୋଦ୍ ଅମିତ ଶାହା ମଧ୍ୟ ରାଜ୍ୟପାଳ ମଲ୍ଲିକଙ୍କ ଅଭିଯୋଗ ଶୁଣିନାହାନ୍ତି । ଏମିତି ବି ହୋଇପାରେ ଯେ ନିଜ ଦୋଷ ଲୁଚାଇବାକୁ ରାଜ୍ୟପାଳ ମଲ୍ଲିକଙ୍କ କଥାକୁ ଜାଣିଶୁଣି ଚାପି ଦେବାକୁ ଚେଷ୍ଟା କରିବା ସତ୍ତ୍ୱେ ଏହା ଆଜି ଫୁଟି ବାହାରିଛି । 

କଥାରେ ଅଛି, ପାପ ପାତାଳରୁ ଫୁଟି ବାହାରେ ଓ ତାହା ଆଜି ବାହାରୁଛି ।