ହା ଜିନଙ୍କ କବିତା
ହା ଜିନ, ଚୀନର କବି ଯିଏ ଚୀନକୁ ଫେରି ନାହାନ୍ତି ଅନେକ ବର୍ଷ ଧରି । ପୃଥିବୀର କୋଟି କୋଟି ଭୂମିହରା ମଣିଷମାନଙ୍କ ଭିତରେ ହା ଜିନ ଆଉ ଜଣେ ଦେଶ-ହରା ମଣିଷ । ୨୧, ଫେବୃଆରି , ୧୯୫୬ରେ ତାଙ୍କର ଜନ୍ମ ଚୀନରେ । ଚାଇନିଜରେ ତାଙ୍କ ନାଁ ଜୁଫେଇ ଜିନ । ଚୀନରେ ସେ ପାଠ ପଢିଲେ । କିଛି ଦିନ ଚୀନର ସେନାବାହିନୀରେ କାମ କଲେ । ଅଶି ଦଶକରେ ସେ ଆମେରିକା ଆସିଲେ ଇଂରାଜୀ ସାହିତ୍ୟରେ ଗବେଷଣା କରିବା ପାଇଁ । ଏଜରା ପାଉଣ୍ଡ , ଟିଏସ ଇଲିୟଟ, ଅଡେନ ଏବଂ ୟିଟ୍ସଙ୍କ କବିତାରେ ଚୀନର ସାଂସ୍କୃତିକ ଚିତ୍ର ଖୋଜିବାକୁ ସେ ଆମେରିକା ଆସିଥିଲେ । ଆମେରିକାରୁ ରହି ସେ ଦେଖିଲେ ତାଙ୍କ ନିଜ ଦେଶର ରକ୍ତାକ୍ତ ଚେହେରା । ୧୯୮୯ର ବର୍ବର ତିଆନାନମେନନ ହତ୍ୟାକାଣ୍ଡ ତାଙ୍କ କବି ମନକୁ ରକ୍ତାକ୍ତ କରିଥିଲା । ଚୀନ ସେନାବାହିନୀ ତିଆନାନମେନନ ଛକରେ ହଜାର ହଜାର ପ୍ରତିବାଦକାରୀ ଛାତ୍ରଙ୍କୁ ହତ୍ୟା କରିଥିଲେ । ଚୀନ କମ୍ୟୁନିଷ୍ଟ ପାର୍ଟିର ଏକଛତ୍ରବାଦୀ ଶାସନକୁ ବିରୋଧ କରି ହା ଜିନ ଆଉ ଦେଶକୁ ଫେରି ନାହାନ୍ତି ।
ସେ ଆମେରିକାରେରେ ରହି ଉଭୟ ଚାଇନିଜ ଓ ଇଂରାଜୀ ଭାଷାରେ କବିତା ତଥା ଉପନ୍ୟାସ ଲେଖିଛନ୍ତି । ସମକାଳର କବିତାରେ ହା ଜିନ ଅତ୍ୟନ୍ତ ପ୍ରଭାବଶାଳୀ କବି । ୧୯୯୦ରେ ପ୍ରକାଶ ପାଏ ତାଙ୍କର ପ୍ରଥମ କବିତା ବହି “ବିଟ୍ଵିନ ସାଇଲେନ୍ସେସ” । ଆଲୋଚକଙ୍କ ଭାଷାରେ ହା ଜିନ ଆମେରିକାରେ ରହନ୍ତି, ଇଂରାଜୀରେ ଲେଖନ୍ତି, ହେଲେ ତାଙ୍କ କବିତାରେ ଚୀନ ଇ ଥାଏ । ନିଜ ଦେଶରୁ ନିର୍ବାସିତ ହୋଇ ଜୀବନ ବଞ୍ଚିବାର ବିକଳ ଅନୁଭବକୁ ସେ ନିରନ୍ତର ତାଙ୍କ କବିତାରେ କହି ଚାଲିଥାନ୍ତି ।
କଥା କହିବାର ବାଗ
ଆମେ ବେଦନାର କଥା କହିବାକୁ ଭଲ ପାଉଥିଲୁ
ଆମର ପତ୍ରିକା ଓ ଚିଠି ସବୁ
ଭରପୂର ଥିଲେ
ହରେଇବାର ପୀଡା, ଅଭିଯୋଗ ଏବଂ ଦୁଃଖରେ
ସତକୁ ସତ ଦୁଃଖ ନଥିଲେ ବି
ଥମୁ ନ ଥିଲା ଆମର ବିଳାପ
ଯଦିଓ ଆମେ ବି ଭଲ ପାଉଥିଲୁ
ଗୋଟେ ବିପର୍ୟସ୍ତ ଚେହେରାର ମାଧୁରୀକୁ ।
ତା ପରେ ଦୁଃଖ କହିବା ଆମର କେବେ ବି ସରୁ ନ ଥିଲା
ଅସତର୍କ ଭାବରେ ଆମ ଭିତରକୁ ଆସୁଥିଲା
କେତେ ଯେ କେତେ ଦୁଃଖ ।
ଆମର ପରିଶ୍ରମ ବୃଥା ହେଉଥିଲା
ଆମର ଭଲପାଇବା ବେକାର ଯାଉଥିଲା
ଘର ଉଜୁଡି ଯାଉଥିଲା
ସଂସାର ଭାଙ୍ଗୁଥିଲା
ବନ୍ଧୁତା ଫାଟି ଯାଉଥିଲା
ନିତିଦିନର ଜଞ୍ଜାଳ ଆଗରେ
ଚିରି ଯାଉଥିଲା ଆମର ଅଭିଳାଷ ।
ଗୋଟେ ସୁସ୍ପଷ୍ଟ ଚିତ୍କାର ଲାଗି
ଆମ କଣ୍ଠରେ ସବୁବେଳେ ଧାଡି ବାନ୍ଧି
ଅପେକ୍ଷା କରୁଥିଲେ ଶବ୍ଦମାନେ ।
ଜୀବନ ଲାଗୁଥିଲା ଗୋଟେ ଅସରନ୍ତି ଦୁଃଖର ନଦୀ
ଦୁଃଖ ଇ ଥିଲା ଜୀବନର ଏକମାତ୍ର ଅମୃତ ଧାରା ।
ଆମର ଭୂମି ହରାଇ ସାରିଲା ପରେ
ଓ ଆମେ ଆମର ଭାଷାକୁ ଛାଡିଦେଲା ପରେ
ଆମେ ଦୁଃଖ ବିଷୟରେ କହିବା ବନ୍ଦ କରିଦେଲୁ
ଆମ ଚେହେରା ଝଲମଲ ଦିଶିଲା ହସରେ ।
ଆମେ ଆମର ବିପର୍ଯୟ ଆଗରେ ବେଶ ହସିଲୁ ।
ଆମକୁ ସବୁ କିଛି ସୁନ୍ଦର ଲାଗିଲା
ଏପରିକି କରକାପାତରେ ଉଜୁଡି ଯାଇଥିବା ଷ୍ଟ୍ର ବେରି କ୍ଷେତ ବି
ସୁନ୍ଦର ଦିଶିଲା ଆମ ଆଖିକୁ ।
ମୁଁ ମୋ ପ୍ରାଚୀନ ଦେଶର ଗୀତ ଗାଏ
ମୁଁ ମୋ ପ୍ରାଚୀନ ଦେଶର ଗୀତ ଗାଏ
ଯେଉଁଠି ପାତାଳରେ ଆଶ୍ରା ନେଇଥାନ୍ତି ଦେବତାମାନେ
ଯେଉଁଠି ମଣିଷ ପ୍ରତିମା ଖାଉଥାଏ ମଣିଷ ବଳି
ଯେଉଁଠି ଘୃଣାରେ ଚାଲେ ମଣିଷ ସେବାର ବ୍ୟବସାୟ
ଯେଉଁଠି ଗୋଟେ ଉଜ୍ଜଳ ଅଜଗର ଗିଳି ପକାଏ ପ୍ରେତମାନଙ୍କୁ
ଯେଉଁଠି ପ୍ରଜ୍ଞାନର ଚିହ୍ନ ହୋଇ କେବଳ ରହିଥାଏ
ହସ ଓ ନୀରବତା
ଯେଉଁଠି ଶବ୍ଦମାନେ ଖଣ୍ଡା ଓ ବର୍ଚ୍ଛା ହେବାକୁ ଇଚ୍ଛୁକ
ଯେଉଁଠି ସତ୍ୟ କେବଳ ଏକ ରକ୍ତାକ୍ତ ପୁରାଣ ।
ମୁଁ କେବଳ ପ୍ରେମ କି ବିମୋହନରେ
ସେ ପ୍ରାଚୀନ ଦେଶର କଥା କହେ ନାହିଁ ।
ମୋର ପୂର୍ବ ପୁରୁଷମାନଙ୍କ ପରି
ଯେଉଁମାନେ ବିକ୍ଷିପ୍ତ ହୋଇଗଲେ କୁହୁଡି ପବନରେ
ଯେଉଁମାନେ କାନ୍ଥ ଚଢି ଘର ଛାଡି ପଳେଇଯିବାକୁ ଉଦ୍ୟତ
କିମ୍ବା ଶତ୍ରୁର ହାତରେ ନିପତିତ
ମୁଁ ସେମାନଙ୍କ ସାଙ୍ଗରେ ଯୋଗ ଦିଏ
ଯେଉଁମାନେ ପଳାୟନ ପରେ ଫେରିଆସନ୍ତି
ଯେଉଁମାନେ ହଜିଯାଆନ୍ତି ବିଦେଶମାଟିରେ
ସେମାନଙ୍କ ଭିତରେ ଆଶା ନଥାଏ, ଥାଏ ଦୃଢତା
ନଥାଏ ଆତ୍ମସମ୍ମାନ, ହେଲେ ସେମାନଙ୍କର କାହାଣୀ ଥାଏ
ସେମାନଙ୍କର ସୌଭାଗ୍ୟ ନଥାଏ, ହେଲେ ସେମାନଙ୍କର ପରିବାର ଥାଏ ।
ସେମାନେ ଚିରନ୍ତନ ଅଭିଶାପକୁ ଗୀତ କରି ଗାଉଥାନ୍ତି
ସେ ଅଭିଶାପ ଇ ଆମ ସମସ୍ତଙ୍କୁ ବାନ୍ଧି ରଖିଥାଏ ଏକାଠି
ଓ ଆମ ସମସ୍ତଙ୍କୁ ଚେରେଇ ରଖିଥାଏ ଆମ ଦେଶର ଧ୍ବଂସାବଶେଷରେ ।
ରାତିରେ ମୁଁ ମୋର ଦେଶକୁ ଛୁଏଁ
କାନ୍ଥରେ ଟଙ୍ଗା ହୋଇଥିବା ମାନଚିତ୍ରରେ
ମୋର ଆଙ୍ଗୁଠି ଠାବ କରେ ମୋର ଦେଶକୁ
ମୋ ଦେଶର ପର୍ବତ , ଗାଁ ଓ ନଦୀ
ସମତଳ ଉପତ୍ୟକା , ସହର ଓ ସମୁଦ୍ରକୂଳ
ମୁଁ ଦେଖେ ଦକ୍ଷିଣ ପ୍ରାନ୍ତର ସବୁଜ କ୍ଷେତ
ଉତ୍ତର ଅଞ୍ଚଳର କୃଷ୍ଣକାୟ ମାଟି ଓ ଭୁଜ ଗଛମାନଙ୍କୁ
ସେମାନେ ବୃତ୍ତାକାରରେ ଘୂରୁଥାନ୍ତି ଗ୍ରୀଷ୍ମଋତୁରେ ।
ମୁଁ ସ୍ଵପ୍ନରେ ନିଜକୁ ମୋ ଦେଶ ଭିତରେ ପାଏ
ଫସଲ ଅମଳ କି ଖୁସି ଲାଗି ନୁହଁ
ମୋ ଲୋକଙ୍କ ସହ ଦୁଃଖ ଭୋଗିବାକୁ
ମୁଁ ସ୍ଵପ୍ନ ଦେଖେ
ମୋ ଲୋକ ମୋତେ ବୁଝିବେ ଓ ମୁଁ ତାଙ୍କ କାମରେ ଲାଗିବି
ମୁଁ ଏକାକୀ ରହିପାରିବି ଓ ଆରାମରେ ଶୋଇପାରିବି
ମୋ ପିଲାମାନେ ମୋ ଦେଶକୁ ଅଲଗା କରି ଦେଖିବେ
ଅନ୍ତତଃ ସେମାନେ ମୋ ଜୀବନର ପୁନରାବୃତ୍ତି ନ କରନ୍ତୁ
ମୁଁ ସ୍ଵପ୍ନ ଦେଖେ
ମୋ ସାଙ୍ଗସାଥିଙ୍କ ସହ ଗପିବା ପାଇଁ
ସବୁ କାମ ସାରି ଶାନ୍ତିରେ ମରିଯିବା ପାଇଁ ।
ମୁଁ ମୋର ପ୍ରାଚୀନ ଦେଶ ଲାଗି କାନ୍ଦେ
ତାର ବିପୁଳ ଛୋଟଲୋକି ପାଇଁ କାନ୍ଦେ
ତାର ଗଭୀର ମୁର୍ଖାମୀ ଲାଗି କାନ୍ଦେ
ତାର ଜିଦ୍ଦି ଓ କୋଳାହଳ ଲାଗି କାନ୍ଦେ
ଆମ ସମସ୍ତଙ୍କୁ ଗିଳି ଦେଇ ନିଜକୁ ବଳୀୟାନ ଓ କ୍ଷମତାଶାଳୀ
ବୋଲାଇବାର ଅହଂକାର ଲାଗି କାନ୍ଦେ
ଆମର ହୃଦୟ ଓ କଣ୍ଠକୁ ଜବତ କରି
ଆମର ଆର୍ତ୍ତନାଦକୁ ସଙ୍ଗୀତରେ ମିଶାଉଥିବା
ମୋ ଦେଶ ଲାଗି ମୁଁ କାନ୍ଦେ ।
ସେ ରାକ୍ଷସୀ ବିପୁଳତାର ଗୀତ
ସେ ନିଷ୍କରୁଣ ଭକ୍ତିର ଗୀତ
ସେ ଉନ୍ମାଦ ଗୀତର ଦେଶ ପାଇଁ
ମୁଁ କାନ୍ଦେ ।
(ସୌଜନ୍ୟ – ଦ ପୋଏଟ୍ରି ମାଗାଜିନ)