ଆଜିର କଥା

ଆଜିର କଥା

ଆଜି କିଆଁ  ସୂର୍ଯ୍ୟ ଏତେ  ଉଦାସ ମଳିନ,

ଆଜି କିଆଁ

ମୋ ଝର୍କା ପରଦା ଠେଲି

ପଶି ଆସେ ତୁହା ତୁହା ଦୂଷିତ ପବନ?

ଆଜି କିଆଁ ଅତୀତର କଦର୍ଯ୍ୟତମ ଦିନଟେ

ଖବରକାଗଜ ପରି

ଜବରଦସ୍ତ ଖୋଲେ ମୋ ସାମ୍ନା ରେ?

ମୁହଁ ପୋତି କେତେବେଳୁ ବସିଛି ମୁଁ

ପରିଚିତ ମୋ ଜଗତ

ଅପହଞ୍ଚ ରହିଯାଏ 

ଛୁଇଁବାକୁ  ଧରିବାକୁ ଯେତେ ଚେଷ୍ଟା କଲେ ।

 

କିଏ ଜଣେ କଣ କିଛି କହିଛି ନା

ମୁଁ   ସ୍ୱପ୍ନ ରେ  ଶୁଣିଚି?

କେଉଁଠାକୁ ଯିବି ଏବେ

କାହିଁକି ବି ଯିବି?

ଡ୍ରାଇଭର ନାହିଁ ବୋଧେ ଗାଡି ନାହିଁ

ନିଛାଟିଆ ଲାଗେ ଭାରି ବାଜେ ଲାଗେ

ଏତିକି  ଅପରିଚ୍ଛନ୍ନ ଏ  ଜୀବନ

ଭୟାନକ ଏ ମଣିଷ

କେତେ ବେଶି ଈର୍ଷା ପରାୟଣ

ମୋତେ ଏତେ ମିଛ କଥା କହିବାରେ

 କାହାର ବା ଲାଭ କଣ?

 

କାଲି ଯାଏ ସବୁ କିଛି ଠିକ୍  ଥିଲା

ମୋ  ଅଙ୍କିତ ଜଗତରେ।

ଆକାଶ ରଚିଥିଲା କି  ଅସମ୍ଭବ ମେଘ ମୟା

ଦିଗ ଦିଗନ୍ତରେ ଚିରକାଳ ଚନ୍ଦ୍ରପକ୍ଷ ଥିଲା।,

ମୋ ଘରର ପ୍ରତ୍ୟେକ କୋଣରେ

ହୁଏତ ବା ବାଜୁଥିଲା

 ରୁଦ୍ର ବୀଣା , ସଂତୁର ,ବେହେଲା ।

 

 ମୁଁ ଚାହିଁବା ମାତ୍ରେ  ସେ ଜଣକ

 ଅନେକ ଚେହେରା ନେଇ  ଏଠି ସେଠି

ଆବିର୍ଭୂତ ହେଉଥିଲା 

ନିରନ୍ତର  ଯିଏ ମୋ ସ୍ପର୍ଶର

ତୀବ୍ର ଅପେକ୍ଷାରେ ଥିଲା ଅବା

ମୋ କୋଳରେ

ମଥା ରଖି ଶୋଇଯିବ ବୋଲି

 ଚାହୁଁଥିଲା ଅନୁମତି,

 

ଏବେ କଣ କେଉଁଠି ସେ ଖୁବ

 ଗାଢ଼ ନିଦରେ ଶୋଇଛି?

ସକଳ ଆଦର ଡାକ ଫେରି ଆସେ

କାହିଁକି କାହିଁକି?

 

ମୁଁ ନିସ୍ତବ୍ଧ

,ଧୀରେ ଅପସରି ଯାଏ ମୋର

 ସତ ଆଉ ସୁସଜ୍ଜିତ ଆପଣା ପୃଥିବୀ,

ମଉଳୁଥିବା ଗୋଟିଏ

ଫୁଲ କେଶରରୁ ,ବ୍ୟଥିତ

 ଜୀବନ ମୋତେ ଚାହିଁ କହେ,

 

 "ଆହା, ଆହା,

ସେ   ତେବେ ନାହିଁ  କେଉଁଠି!,

ନିଃଶବ୍ଦେ ବହିବ ସିନା

ଏକାକୀ ତୋ କାଳ ନିରବଧି।"