ପାସେଂଜର୍ ଗାଡ଼ି
ଦେହ ଖରାପ ସବୁବେଳେ ।
ତଥାପି ସେଇଟିଯାଏ ବାଂଗାଲୋର୍
ତଥାପି ଖୋଜେ ନୈନିତାଲ୍
ଅଂଟାରେ ବେକରେ ବେଲ୍ଟ୍
ତଥାପି ସେ ବୁଲେ ଲେକ୍'ରେ
ଡଂଗା କେବିନ୍'ରେ ଲଂବେଇହେଇ,
ନୂଆ ସାର୍ଟପ୍ଯାଂଟ୍ ଖୋଜେ
ମନକୁ ଧରି ଉଡ଼େ
ଗଗନେ ପବନେ
ଛୋଟ ପାହାଡ଼ ଚଢ଼େ,
ପାଦ ଚାହେନି ମାଟି
ତଥାପି ନୂଆନୂଆ ବାଟ କାଢ଼େ,
କାମିକା ନାଆଁଟିକୁ
ସାପକାତି ପରି ଛାଡ଼େ !
ଦାଦାଂକ ମନ ଯେମନ୍ ତେମନ୍
କାହିଁରେ ନାଇଁ ହୁଡ଼େ !
ଦା' ମ ! କିଛି କର ମ !
ଶୁଣି ହସଂତି ସେ
'ଯିଏ ଯା କହୁଚ କୁହ' କହି କହଂତି : କହ,
କିଛି କି ଅଛି ଛାଡ଼ି ଦେହ?
ମୁଁ କ'ଣ ଚାହେନି ଶବ୍ଦମାନେ ଛୁଇଁଯାଂତୁ ଚଂଦନବାସ୍ନା ହେଇ
ଖରାରେ
ନିଆଁ ହେଇ ଶୀତରେ,
ରଂଗହେଇ ବୁଣିଯାଂତୁ ସ୍ବପ୍ନ
ବସଂତରେ
କାଗଜଡଂଗା ହେଇ ଭାସିଯାଂତୁ ମନରେ
ବର୍ଷାକାଳେ !
ଶରତ ଆସେନା କେବେ ଏ ଦେହରେ !!
ମରାମତି ପାଇଁ
କାରିଗର ସିନା ଥିଲେ, ମିଳିଲେ ସଂସାରରେ !!!
ମୁଁ ଅବଶ୍ୟ ଚାଲିଚି ତାଳି ପକେଇପକେଇ
ଟେଲର୍ ପାଖରେ
ଖାଲି ଜିଇଚି ଟୁକୁରାମୁକୁରା କାମରେ,
ଭଲମଂଦ ନଥାଏ ମ ଗୋଟେ ବୟସରେ !
ସବୁ ଥାଇ ନଥାଇ କିଛି,
ଅପନା ହାଥ୍ ଜଗନ୍ନାଥ,ବୁଝିଲେ ?
ରୋଷେଇକରୁଚି,ଝାଡୁମାରୁଚି ଘର
ଗାଡ଼ି ପୋଛୁଚି, ନାଇଁ ଡ଼୍ରାଇଭର
ତା ଭିତରେ ଅଂଟା, ଓଃ !
ବେକ,ପିଠି -ଆଃ !
ମନାକଲେ ବି ଡକ୍ଟର୍ ଦେଖିବାକୁ ପଡ଼ୁଚି ଟିକେ ବହିପତ୍ର
ତା ଭିତରେ ପିଲାଂକ ପିଲାଂକ ପାଲା !
ଭୁଲିଯାଇଚି କହିବାକୁ ଗାଁ'ରେ ଏଇବେଳକୁ
ଜମିବାଡ଼ି ଝମେଲା !
ବିଶ୍ବାସରଖଂତୁ,ଏ ଅଳସୁଆ ଉପରେ
କିଛି କରିବ ନିଶ୍ଚେ ଦେହ ଭଲହେଲେ !!