ସମଗ୍ର ମନ
ଗାଡ଼ି ସପ୍ତଶତୀ ଟପିଗଲେ ଚରଣ ପୂଜାରୀର ମନ ଆଦୌ ସ୍ଥିର ହେଇ ରହିପାରେ ନାହିଁ। ତା ଛାତି ଧକ୍ଧକ୍ କରେ। ହୃଦ୍ସ୍ପନ୍ଦନଟା ଟ୍ରେନ୍ ଚାଲିବା ଆରମ୍ଭ କଲା ପରି ଧାଏଁ। ଗାଡ଼ି କୁଆଖାଇ ବ୍ରିଜ୍ ଉପର ଦେଇ ଚାଲିଯାଏ ତ ମନଟା ତାର କ’ଣ କ’ଣ ହେଇଯାଏ। ଭିତରଟା ସେତେବେଳକୁ ପୂରାପୂରି ଲୋକ ଭର୍ତ୍ତି ହେଇଯାଇଥାଏ। ତେଣୁ ଚଞ୍ଚଳ ହାତ ଚଳେଇବା ଦରକାର। ମାତ୍ର ଚରଣ ନିଜ ମନକୁ ଆୟତରେ ରଖିପାରେନାହିଁ। ଏଣୁ ହାତ ମୁଣ୍ତ ବି କଥା ମାନନ୍ତି ନାହିଁ। ଏଇଠି ଆଉ କିଛି କହିହୁଏନି।
ଯୋଡ଼ିଏ ଫୂର୍ତ୍ତିବାଦ୍ ସହରକୁ ଯୋଡୁଥିବା ତାହା ଥିଲା ଗୋଟିଏ କାର୍ଯ୍ୟତତ୍ପର ରାସ୍ତା। ଯଦିଓ ସେଇଟା ମାର୍ଗଶିର ମାସର ସକାଳ। କିନ୍ତୁ ଆବହାୱାରେ ଆଦୌ ଶୀତ ନଥିଲା। ପତ୍ରମାନଙ୍କ ଉପରେ ବି ଜମି ନଥିଲା ଦି ବୁନ୍ଦା ଶିଶିର ସୁଦ୍ଧା। ରାସ୍ତାର ଦୁଇପାଖରେ ବର˚ ଜମା ହୋଇଥିଲା ସହରକୁ ସୁନ୍ଦର, ସୁବିଧା ଲବ୍ଧ କରି ଗଢ଼ି ତୋଳିବାର ପ୍ରସ୍ତୁତି ପାଇଁ ଆବଶ୍ୟକ ଜିନିଷ ସବୁ। ପାଖକେ ସିମେଣ୍ଟର ପାହାଡ଼, ହାଇୱା ଗାଡ଼ି, ରୋଡ୍ କ୍ଲୋଜର ତ ଆର ପାଖକେ ରହିଥିଲା ବଜୁରି, ବୋଲ୍ଡର ଗଦା ଆଉ ମିକ୍ସଚର ମେସିନ୍।
: ଚାନ୍ଦିଭଣ୍ତାର ଠେ ରଖିଥିଲୁ... ହେଁ ବିକ୍ରମ?
ଚରଣ, ଡ୍ରାଇଭର ଉଦ୍ଦେଶ୍ୟରେ ପାଟିକରି କହିଲା। କିନ୍ତୁ ଡ୍ରାଇଭର ତା’ କଥାକୁ ଆଦୌ କାନ ଦେଲା ନାହିଁ। କାରଣ ଚାନ୍ଦିଭଣ୍ତାର ଗୋଟାଏ ୱାଜିବ୍ ସିଟିବସ୍ ଷ୍ଟପେଜ୍ ନୁହେଁ। କେବଳ ଚରଣ ପୂଜାରୀର ଅନୁଗ୍ରହରେ ସେଠି ଦୁଇ ସେକେଣ୍ତ ପାଇଁ ଗାଡ଼ି ରହେ। କାଇଁକିନା ପ୍ରୀତି ପଟେଲ ସେଇଠୁ ଗାଡ଼ିରେ ଉଠେ। ଆଜି ସେଠି କେହି ନଥିଲେ ତ ଗାଡ଼ି କାଇଁକି ରହିଥାନ୍ତା!
ଗହଳି ଭିତରେ ଡ୍ରାଇଭର ପାଖ ଜାଗାଟିକୁ ଥରଟିଏ ଦୃଷ୍ଟି ଲମ୍ବେଇ ଚାହିଁଲା, ଚରଣ। ହାଲୁକା ଦୀର୍ଘଶ୍ବାସଟିଏ ତା ଅନ୍ତରକୁ ଥରେଇ ଦେଇ ବାହାରି ଆସିଲା। ସେ ହାତ ଘଡ଼ିରେ ସମୟ ଦେଖିଲା। ଏବ˚ ମନକୁ ମନ କହିଲା, ‘‘ଆଜି ହପ୍ତାର ପ୍ରଥମ ଦିନଟା। କ’ଣ ଅସୁବିଧା ହେଲା!!’’
ଗାଡ଼ିଟା ଖୁବ୍ ଜୋର୍ରେ ଧାଉଁଥିଲା। ବନ୍ଧବାଡ଼ ନମାନି ଏକମୁହାଁ ହେଇ ମାଡ଼ିଯାଉଥିବା ନୀଳ ନଈର ଧାରାଟିଏ ପରି।
ପ୍ରୀତି ସବୁବେଳେ ଚାନ୍ଦିଭଣ୍ତାର ପାଖରୁ ଗାଡ଼ିରେ ଉଠେ। ଭିତରକୁ ଆସି ତାର ନିୟମିତ ଚିରାଚରିତ ଜାଗାଟିରେ ଯାଇ ଛିଡ଼ା ହେଇଯାଏ। ଡ୍ରାଇଭର ବାଁ ପାଖରେ ଥିବା ଲମ୍ବା ଲୁହା ବାଡ଼ିକୁ ଧରି। ଗହଳି ଭିତରେ ଜାକିଜୁକି ହେଇ। ପ୍ରତିଦିନ ତାର ସେଠି ସେମିତି ଛିଡ଼ା ହେଇ ଯାତ୍ରା କରିବାଟା ଚରଣକୁ ମୋଟେ ଭଲ ଲାଗେନାହିଁ। କିନ୍ତୁ ହାତରେ ବା’ କ’ଣଟା ଅଛି! କାମ ଦିନମାନଙ୍କରେ ସହର ଶେଷ ଷ୍ଟପେଜ୍ ବେଳକୁ ଗାଡ଼ିରେ ସିଟ୍ ତ ଛାଡ଼ ଠିକ୍ରେ ଟିକିଏ ଛିଡ଼ା ହବାକୁ ବି ଜାଗା ନଥାଏ।
: ତୁ କ’ଣ ତାକୁ ଲଭ୍ କରୁଚୁ ନା କ’ଣ ବେ... ଚରଣ?
ଜଗନ୍ନାଥ ମନ୍ଦିର ପାଖ ମିର୍ଜା ଚିକେନ୍ ପଏଣ୍ଟ୍ ସାମ୍ନା ସର୍ଭିସ୍ ରୋଡ୍ଟା ବହୁତ ଆବୁଡ଼ାଖାବୁଡ଼ା। ଗାଡ଼ିଟା ବି ସେତେବେଳକୁ ପୂରାପୂରି ଯାତ୍ରୀ ବୋଝେଇ ହେଇଯାଇଥାଏ। ତେଣୁ ଟିକିଏ ସ˚ଯତ ହେଇ ଗାଡ଼ି ଚଳେଇବା ଆବଶ୍ୟକ। କିନ୍ତୁ ସେଥିରେ ମୁଣ୍ତ ନଦେଇ ବିକ୍ରମ ଡ୍ରାଇଭର ଥରେ ଗମାତ କରି ପଚାରି ଦେଇଥିଲା। କଥାଟା ଚରଣର ଏ କାନରେ ପଶି ସେକାନ ଦେଇ ବାହାରି ଯାଇଥିଲା। ରକେଟ୍ ବାଣ ଭଳି। ୟାକୁ କେମିତି ଖବର ହେଲା, ଇଏ କୋଉଠୁ ଜାଣିଲା??
: କିଏ, କାହା କଥା କହୁଚୁ?
ଚରଣ ନିଜ ମନକଥାକୁ ଯଥାଶକ୍ତି ଅକ୍ତିଆରରେ ରଖି କହିଥିଲା।
: ଚାଲ୍ବେ! ତୁ ତ ନଇଲେ ଅଜଣା ଚାଉଳ ଭାତ ଖାଉଚୁ।
ଆଜି ପାହାଳରେ କେହି ଲୋକ ହେଲେନି। ଉତ୍କଳ ହାଇଟ୍ସରେ ବି ନୁହେଁ। ତେଣୁ ଗାଡ଼ିଟା ପୁଳାଏ ଧୂଆଁ ଉଡ଼େଇ ସେଠା ଷ୍ଟପେଜ୍ ଛାଡ଼ି ଚାଲିଗଲା। ଚରଣର ମନତଳଟା ପୁଣିଥରେ ଚହଲିଗଲା। ଉତ୍କଳ ହାଇଟ୍ସ ଚାଲିଗଲା!!
ପ୍ରୀତି ଏଠି ଘରମାନଙ୍କରେ ରୁଟି ତିଆରି କାମ କରେ। କାରଣ ଏଠା ମାଡାମ୍ମାନେ କହନ୍ତି ରୁଟିି ତିଆରି କରିବା ତାଙ୍କ ପାଇଁ ସ˚ସାରର ସବୁଠୁ କଷ୍ଟକର କାମ।
‘‘ଅଟା ଚକଟ, ବେଲ, ସେକ... କିଏ ଏତେ ଧନ୍ଦା କରିବ। ପ୍ରୀତି ଭଲ ରୁଟି କରୁଚି। ଗୁଜୁରାତୀ ଝିଅ ନା। ଅଭ୍ୟାସ ଅଛି।’’
ଅଟାକୁ ଦଳି, ବେଲି, ସେକି ରୋଟି ଡବାରେ ସଜାଡ଼ି ରଖିବା ପାଇଁ ପ୍ରତି ରୁଟି ପିଛା ପ୍ରୀତି ତିନିଟଙ୍କା ପାରିଶ୍ରମିକ ନିଏ। ଏମିତିରେ ସେ ଛଅ ସାତ ଘରେ ରୁଟି ବନାଏ। କେବଳ ରୁଟି। ଘରପିଛା ହାରାହାରି ଦଶଖଣ୍ତ ଏମିତି ହିସାବରେ ଦିନକୁ ତାକୁ ପାଖାପାଖି ଷାଠିଏ ସତୁରି ଖଣ୍ତ ରୁଟି ତିଆରି କରିବାକୁ ପଡ଼େ। ଆଉ ଦି ପଇସା ରୋଜଗାର ପାଇଁ ଓପରବେଳା ସେ ମଞ୍ଚେଶ୍ବରର ଗୋଟିଏ ପାମ୍ପଡ଼ ଫ୍ୟାକ୍ଟ୍ରିରେ କାମ କରେ। ବେସନ, ଗୋଳମରିଚ ଗୁଣ୍ତ ବାଲା ଗୋଲ୍ ଗୋଲ୍ ପାମ୍ପଡ଼ ବେଲିବା କାମ।
: ଆଜି କ’ଣ ତୋ’ ହିରୋଇନ୍ ଆସିଲା ନାଇଁ!
ସାମ୍ନା ଦରଜା ପାଖରେ ଛିଡ଼ା ହେଇଥିବା ଲୋକଙ୍କ ପାଖରୁ ଟିକଟ ପଇସା ଆଦାୟ କଲାବେଳେ ଚରଣକୁ ଲକ୍ଷ୍ୟକରି କହିଲା ବିକ୍ରମ। ନିଭୃତ ସ୍ବରରେ ମାତ୍ର କେମିତି ଟିକିଏ ଥଟ୍ଟା କରିବା ପରି। ଏତିକିରେ ଚରଣର ରକ୍ତ ମୁଣ୍ତକୁ ଉଠିଗଲା। ତାର ଇଚ୍ଛା ହେଲା ସେଇ ମୁହୂର୍ତ୍ତରେ ବେକଗଳା ପେଟିଏମ୍ ମେସିନ୍କୁ କାଢ଼ି ଫୋପାଡ଼ି ଦବ। ଆଉ ବିକ୍ରମ ଉପରକୁ ଗୋଟାଏ ଝାମ୍ପ ମାରିବ। ତା’ ସାର୍ଟ କଲର ଘୋଷାଡ଼ି ପଚାରିବ, ‘‘ତୁ ତ ଷ୍ଟିଅରି˚ରେ ବସିବା ଲୋକ। ତୋର ଏତେ ଆଡ଼କୁ କାହିଁକି ମୁଣ୍ତ ମନ।’’
ଗୋଟାଏ ଚଉଡ଼ା ସ୍ପିଡ୍ ବ୍ରେକର ଉପର ଦେଇ ଗାଡ଼ି ଚାଲିଗଲା। ଚରଣ ନିଜ ଭାବନାକୁ ସ˚ଯତ କଲା। ପୁଣିଥରେ ସେଇ ଜାଗାଟିକୁ ଚାହିଁଲା। ଯୋଉଠି ଲୁହା ବାଡ଼ାକୁ ଧରି ପ୍ରୀତି ଛିଡ଼ାହୁଏ ସବୁଦିନ।
କାଲି ସିଏ ଗୋଟିଏ ବଢ଼ିଆ ଘୋଡ଼େଇ ହେଇ ଆସିଥିଲା। ଗାଢ଼ ଲାଲ୍ ରଙ୍ଗର ଅଳ୍ପ ଚୁମ୍କୀ ବନ୍ଧା କାମବାଲା ଗୋଟିଏ ବଢ଼ିଆ ଶାଲ୍। ରବିବାର ଏମିତିରେ ଯାତ୍ରୀ ଟିକିଏ କମ୍ ଥାଆନ୍ତି। ତେଣୁ ଟିକଟ କାଟିବା କାମ ସରିବା ପରେ ହାତରେ ଟିକିଏ ସମୟ ଥିଲା। ଚରଣ ତା ପାଖରେ ଯାଇ ଛିଡ଼ାହେଲା। କହିଥିଲା, ‘‘ୟେ ଶାଲ୍ଟା ବଢ଼ିଆ ହେଇଛି। ତମକୁ ଭଲ ମାନୁଚି।’’ ଏତିକିରେ ପ୍ରୀତି ନିଜକୁ ଚାହିଁଥିଲା। ଦେହର ଶାଲ୍କୁ ଆଦରରେ ସାଉଁଳି ଦେଇ କହିଥିଲା, ‘‘ଇଏ ଆମର ସେଆଡ଼ିକା ଜିନିଷ। ୟା’କୁ ବଜୌଡ଼ି କହନ୍ତି।’’
ଡିଭାଇଡର ଉପରେ ବଢ଼ିଯାଇଥିବା ଅରଣାରୁ ଘାସ ଚରୁଥିବା ଗାଈ ଯୋଡ଼ିଏ ହଠାତ୍ ରାସ୍ତା ଉପରକୁ ଆସିଯାଇଥିଲେ ତ ଡ୍ରାଇଭରକୁ ଜୋର୍କରି ବ୍ରେକ୍ ମାରିବାକୁ ପଡ଼ିଥିଲା। ମୁହୂର୍ତ୍ତକ ପାଇଁ ଗାଡ଼ିଟା ଆଗକୁ ଝୁଙ୍କି ପଡ଼ିଥିଲା।
ଆଜିକା କାଲିକା ବୋଲି ନୁହେଁ ଯୋଉଦିନ ପ୍ରୀତିକୁ ପ୍ରଥମ କରି ଦେଖିଥିଲା କେଜାଣି କାହିଁକି ସେଇଦିନଠାରୁ ହିଁ ଚରଣକୁ ସିଏ ବହୁତ ଭଲ ଲାଗିଥିଲା। ସତେ ଯେମିତି ତା’ ମନ କୋଳଭର୍ତ୍ତି ଫୁଲପତ୍ର ଡାଳ ଧରି ତୋଡ଼ାଟିଏ ବାନ୍ଧିବାରେ ଲାଗିଥିଲା। ବଡ଼ ସୁନ୍ଦର ସତେଜ ଫୁଲ ସବୁ। ଆଉ ତୀଖ ଧାରବାଲା ପତ୍ରଡାଳ ସବୁ। ସେ ଯତ୍ନ କରି ଫୁଲମାନଙ୍କୁ ପତ୍ରଡାଳ ଗହଳିରେ ଖଞ୍ଜିବାରେ ଲାଗିଥିଲା। ବାଟଚଲା ସ୍ବୀକୃତିପ୍ରାପ୍ତ ଫୁଲ ବିକାଳି ଜଣେ ସେଇ ବାଟ ଦେଇ ଯାଉଥିଲା। ତାକୁ ଏମିତି ତୋଡ଼ା ବାନ୍ଧୁଥିବାର ଦେଖିଲା ତ କହିଲା, ‘‘ଓଃ ବାବୁ! ନୂଆ ନୂଆ ତୋଡ଼ା ବାନ୍ଧୁଚ ନା କ’ଣ ବୋଧେ! ନିଅ, ୟେ ବଟମ୍ ପୁଞ୍ଜାକ ନିଅ। ଚିକେନ ଓୟାର ଖଣ୍ତେ ଧର। ଫିଲର୍ ଦିଖଣ୍ତ ଯୋଡ଼। ସେଲୋଫେନ୍ ନୁହଁ ଭଲ ରିଙ୍କଲ୍ କ୍ରେପ୍ କାଗଜ ଦିସ୍ତାଏ ରଖିଥାଆ। ତୋଡ଼ାକୁ ଗୁଡ଼େଇ ରିବନ୍ ବାନ୍ଧିବ। ଆଚ୍ଛା; ତମ ପାଖେ ଭଲ ମିଷ୍ଟର୍ ଅଛିଟି? ତାକୁ ମନେକରି ମାରିବ। ଉପରେ ଦି ଚିମୁଟା ଜିଙ୍କ୍ ବି ଛିଞ୍ଚିବ। ଦେଖିବ, ଏତକ କରି ଫୁଲତୋଡ଼ାଟି ବାନ୍ଧ ଯାହାକୁ ଦବ ସେ କେଡ଼େ ଖୁସି ହେଇଯିବ।’’
ମନ ଭିତରେ ଚାଲିଥିବା ଅଦ୍ଭୁତ ଚିତ୍ରପଟକୁ ଚାହିଁ ଚରଣ ଅଳ୍ପ ହସିଲା। ଶ୍ୟାମଳ ରଙ୍ଗର ପତଳା ଝିଅଟି। ଆଖି ଯୋଡ଼ିକ ସାନ ସାନ। ମାତ୍ର ଶବ୍ଦମୁଖର। ହସିଦେଲେ ତାହା ଆହୁରି ସାନ ହେଇଯାଏ। ସତେ ଯେମିତି ଧାରଟିଏ କଜଳର ଗାର।
ଆଚ୍ଛା; ତମେ ତାର ହସକୁରା ଆଖି ଯୋଡ଼ିକୁ ଏଡ଼େ ଗଭୀର କରି ଫେର୍ କୋଉଦିନ ଦେଖିଲ କୁହ ତ!!
ଦୀପାବଳି ପରଦିନ। ଯୋଉଦିନ ପ୍ରୀତି ତାର ହାତ ବ୍ୟାଗରୁ କାଢ଼ିଥିଲା ଲାଲ୍ ସବୁଜ ବାନ୍ଧେଣୀ ପ୍ରିଣ୍ଟ୍ବାଲା ଗୋଟେ ଛୋଟ କାଗଜ ଡବା। ଆଉ ଚରଣ ହାତକୁ ବଢ଼େଇ ଦେଇ କହିଥିଲା, ‘‘ନିଅ; ଇଏ ଆମର ଦିବାଲୀ ଭେଟି।’’
ଚରଣକୁ ଚାହିଁ ପ୍ରୀତି ହସିଥିଲା ଗୋଟିଏ ସଜଳ ସ୍ମିତହସ। ସେ ହସକୁ ନିଜ ଜୀବଦ୍ଦଶାରେ ଯିଏ ଥରେ ଭେଟିଥିବ ସେ ଜାଣିଥିବ ତା ପରଠୁଁ କେମିତି ଦିନ ନାଇଁ ରାତି ନାଇଁ ଫୁଲତୋଡ଼ା ବାନ୍ଧିବାକୁ ଚାଲିଯାଏ ମନ ଏବ˚ ହୃଦୟ।
ଗ୍ରାଣ୍ତ୍ ଆୱାସ୍ ପାଖରେ ବସ୍ ରହିଲା ତ ପ୍ରାୟ ଦଶ ବାର ଜଣ ଯାତ୍ରୀ ସେଠୁ ନିଜ ନିଜ ବଡ଼ ବୋଝିଲା ବୋକଚାପତ୍ର ଧରି ଗାଡ଼ିରେ ଉଠିଲେ। କଳାରଙ୍ଗର ଦୁସ୍ଥ ମଣିଷଯାକ, ସତେ ଯେମିତି ମଣିଷ ନୁହଁ ନିଆଁରେ ଜଳିଯାଇଥିବା ଗୋଟେ ଗୋଟେ ଅଳ୍ପ ବୟସ୍କ ଶାଳ ଗଛ।
- କଣ୍ତକ୍ଟର ବାବୁ। ବସ୍ଷ୍ଟାଣ୍ତ୍ରେ ଓହ୍ଲେଇଦବ ଏମାନଙ୍କୁ ସବୁ!
ପାଟିର ପାନଛେପ ପୁଳାକ ମାଟି ଉପରକୁ ଫୋପାଡ଼ିଦେଇ କହୁଥିଲା ସେଇ ଦୁସ୍ଥ ଶ୍ରମିକ ଯାତ୍ରୀମାନଙ୍କର ସୁପରଭାଇଜର।
ଗାଡ଼ି ଭିତରକୁ ଆସି ସତେକି ପାପବୋଧ ଭିତରେ ବୁଡ଼ିଯାଇଥିବା ପରି ନିଜ ପାଇଁ ଛିଡ଼ା ହବାକୁ ଜାଗାଟିକିଏ କରୁଥିବା ସେଇ ଯାତ୍ରୀମାନଙ୍କୁ ଚାହିଁଲା, ଚରଣ। ଆତ୍ମବିଶ୍ବାସ ହରେଇବା, ନିଜକୁ ଛୋଟ ଭାବିବାଟା ଅପାଠୁଆ ହବା ଯୋଗୁଁ ଘଟେ ବୋଳି କହି ତା ବଡ଼ଭାଇ ତାକୁ ସବୁବେଳେ ଆକଟ କରେ। କହେ, ‘‘ପାଠ ଦି ଅକ୍ଷର ଭଲରେ ପଢ଼ିପକାରେ। ନଇଲେ ଦାଦନ ତୋ ଭାଗ୍ୟ। ମତେ ଦେଖ୍; ପାଠ ପଢ଼ିଥିଲି ବୋଲି ଭଲ ଚାକିରିଟେ କଲି। ଭଲ ଚାକିରିଆ ଝିଅଟେ ପାଇଲି।’’
ଚକବନ୍ଦୀ ଅଫିସ୍ରେ ଚାକିରି ପାଇଥିବା ଭାଇ ନିଜ ଅର୍ଜନର ପ୍ରଥମ ଦରମାରେ ତା’ ନାକ ପ୍ଲାଷ୍ଟିକ୍ ସର୍ଜରୀ କରିବାକୁ କହିଲା। ଇଏ କି ଅଭିଲା କଥାରେ ଏତେଗୁଡ଼ାଏ ପଇସା କାଇଁ ଖର୍ଚ୍ଚ ହବ, ଆମେ ତ ବଣପାହାଡ଼ ମଣିଷ, ଆମ ବାପ ଗୋସେଇଁ ବାପ ସମସ୍ତଙ୍କ ନାକ ସେମିତିକା ବୋଲି ମାଆ ବିରକ୍ତ ହେଇଥିଲା। ତ ଭାଇ ଜବାବ ଦେଇଥିଲା, ‘‘ତୁ କ’ଣଟା ଜାଣିଚୁ କହିଲୁ? ଏଇ ନାକଟା ପରା ସବୁ ଅଡୁଆ କରିଦଉଛି। ସମସ୍ତେ ଦେଖୁ ଦେଖୁ ପଚାରି ପକଉଛନ୍ତି, ତମେ କ’ଣ ରିଜର୍ଭ! କି କଥା! କାଇଁ, ଆମର କ’ଣ ଏବେ ତମ ଦଶ ଜଣରେ ଜଣେ ବୋଲି ପ୍ରତିଷ୍ଠା ନାଇଁ। ସବୁବେଳେ ଗୋଟାଏ ଜାତି ପ୍ରତି କ’ଣ!!’’
ବାଟରେ ରଖାଯାଇଥିବା ଗୋଟାଏ ବଡ଼ ବୋକଚାରେ ଚରଣର ଗୋଡ଼ ବାଜିଲା। ସେ ଝୁଣ୍ଟି ପଡୁ ପଡୁ ସିଟ୍ ବାଡ଼ା ଧରି ସମ୍ଭାଳି ହେଇଗଲା।
: ୟାକୁ କିଏ ଏଠି ରଖିଲା? ବାଟରେ ସାମାନ୍ ରଖନି। ପାଖକୁ ନେଇଯା। ସେ ପାଟିକରି କହିଲା। ଯିବାଆସିବା ବାଟରେ ବୋକଚାପତ୍ର ରହିଗଲେ ଯାଆସ କରି ଟିକଟ କାଟିବାକୁ ଅସୁବିଧା ହୁଏ। ତାପରେ ତାହାକୁ ଦେଖିଲେ ଚରଣକୁ ତାର ମାଆ ମନେପଡ଼ିଯାଏ। ଅଭାବ, ଅନାଟନ, ଅନ୍ଧାର ଭିତରେ ଚାପିଚୁପି ହେଇ ବୋକଚା ପାଲଟି ଯାଇଥିବା ଗୋଟେ ମଣିଷର ଛବି ତା ଆଖି ଆଗରେ ଝଲସିଉଠେ। ମାଆ ଚାହେଁ, ତା’ ବଡ଼ପୁଅ ପରି ସାନଟି ବି ଭଲ ଦି ପଇସା ରୋଜଗାର କରୁ। ହାତକୁ ଦି ହାତ ହେଇ ସ˚ସାର ଗଢୁ।
ମାଆ, ସ˚ସାର, ରୋଜଗାର - ଏସବୁ ମନେପଡ଼ିଗଲା ତ ଚରଣ ଆଉ ଟିକିଏ ଉତ୍ସାହରେ କାମରେ ଲାଗିବାକୁ ଗଲା। ସମସ୍ତେ ଶୁଣିବା ପରି ପାଟିକରି କହିଲା, ‘‘ଆଉ କାହାର ଟିକଟ ହବ?’’
ଯାତ୍ରୀଙ୍କ ତରଫରୁ କାହାରି ଜବାବ ନଥିଲା ତ କାଚ ଝରକା ଦେଇ ବାହାରକୁ ଚାହିଁଲା, ଚରଣ। ସେଠି ଶୀତୁଆ ସକାଳଟିଏ ଆଗଭର ହବା ଭଳି ବିଛାଡ଼ି ହେଇ ପଡ଼ିଥିଲା। ଅଟଳ ପରାକ୍ରମ ଓ ତେଜ ସେ ସକାଳର। ସାମ୍ନାରେ ଏମିତିକା ଗୋଟିଏ କାବୁ କରିଦବାବାଲା ଦୃଶ୍ୟକୁ ଭେଟିବ ତ ମନକୁ ଜାବ କରି ରଖିଥିବା ମଣିଷଟି ନିମିଷକେ ମନେପଡ଼ିଯିବ।
ପ୍ରୀତି ସହିତ କ’ଣ ଏଇ ସମ୍ପର୍କର ଭବିଷ୍ୟତ। ଜଣେ କୋଉ ଅଗନାଅଗନି ବଣପାହାଡ଼ର ମଣିଷ ଆଉ ଆର ଜଣକ ଦୂରଦେଶୀ ଗୁଜୁରାତୀ ଝିଅ। ଚରଣର ଛାତିତଳ ପୁଣିଥରେ ଧକ୍ ଧକ୍ କରିବାକୁ ଆରମ୍ଭ କରିଥିଲା। ସତ କହିଲେ ସେଇ ସାରାଟା ଦିନ ବଡ଼ କଷ୍ଟରେ କଟିଥିଲା। ତହିଁ ଆରଦିନ ପର୍ଯ୍ୟନ୍ତ ଯେତେବେଳେ ପ୍ରୀତି ଗାଡ଼ିକୁ ଉଠିଲା। ଏବ˚ ଭିତରକୁ ଆସୁ ଆସୁ ଚରଣକୁ ଚାହିଁ କ୍ଷମା ମାଗିବା ପରି କହିଥିଲା, ‘‘କାଲିି ମୋର ଟିକେ ଡେରି ହେଇଗଲା। ସେଥିପାଇଁ ବସ୍ ଧରିପାରିଲି ନାହିଁ।’’
: ତମେ ଆସିଲ ନାହିଁ। ମୋତେ ଦିନଟାସାରା ମୋଟେ ଭଲ ଲାଗିଲା ନାଇଁ।
: ମୁଁ ଜାଣିଛି, ତମକୁ ଭଲ ଲାଗି ନଥିବ।
ସହର ଶେଷ ଷ୍ଟପେଜ୍ ଟପି ଚାଲିଯାଉଥିବା ଯାତ୍ରୀ ଭର୍ତ୍ତି ଗାଡ଼ି। ଗହଳି, ପାଟିଗୋଳ ଭିତରେ ମାତ୍ର ଏଇ ଦୁଇଧାଡ଼ି। ଦୁହିଁଙ୍କ ଆଖିରେ ଆସି ଭରିଯାଇଥିଲା ଏବେ ଗୋଲାପୀ ରଙ୍ଗର ବହଳ ନିରବତା। ଯାହା ତମ ଆଖିରେ ଆସି ଭର୍ତ୍ତି ହେଇଯିବ ତ ତମେ ସାମ୍ନା ଲୋକକୁ ଆଖି ଉଠେଇ ଚାହିଁପାରିବନି। ବର˚ ଗୋଟିଏ ନଛୋଡ଼ବନ୍ଦା ଅଜେୟ ମନନେଇ ଚାହିଁବ ତଳକୁ। ଯୋଉଠି ଗୋଟିଏ ହେଲେ ଗାର ନଥିବ। ବର˚ ଥିବ ପରସ୍ପର ସହିତ ମିଶି ଏକାକାର ହେଇଯିବାକୁ ଆଗଭର ସୋରଶବ୍ଦ ରହିତ ଏକ ସମଗ୍ର ମନ।
******
ଜଗନ୍ନାଥ ସାହି, ଇନ୍ଦିରା ଗାନ୍ଧୀ କଲେଜ ପାଖ, ଚାନ୍ଦିନୀଚୌକ, କଟକ- ୭୫୩୦୦୨
ମୋ: ୯୪୩୭୬୦୪୨୮୦