କବିତା କ'ଣ : ନୀରେନ୍ଦ୍ରନାଥ ଚକ୍ରବର୍ତ୍ତୀ -୧
ନୀରେନ୍ଦ୍ରନାଥ ଚକ୍ରବର୍ତ୍ତୀ (୧୯୨୪-୨୦୧୮) ଚର୍ଚ୍ଚିତ ଭାରତୀୟ କବି ।
କୋଲକାତାର ବିଦ୍ୟାସାଗର ମହାବିଦ୍ୟାଳୟରେ ଶ୍ରୀ ଚକ୍ରବର୍ତ୍ତୀ କବିତା ସଂପର୍କରେ କେତୋଟି ବ୍ୟାଖ୍ୟାନ ପ୍ରଦାନ କରିଥିଲେ ଆଉ ସେହି ବ୍ୟାଖ୍ୟାନ ଗୁଡିକ ପରେ ଗୋଟିଏ ପୁସ୍ତକାକାରରେ ପ୍ରକାଶିତ ହୋଇଥିଲା ଯାହାର ଶୀର୍ଷକ "କବିତାର କି ଓ କେନୋ"।
ଏଇଠି ଉଲ୍ଲେଖଯୋଗ୍ୟ ଯେ,ଉକ୍ତ ଶୀର୍ଣ୍ଣକାୟ ପୁସ୍ତକଟି ଆଜକୁ ପ୍ରାୟ ଚାରି ଦଶକ ତଳେ ଅର୍ଥାତ୍ ୧୯୮୨ ମସିହାରେ ପ୍ରକାଶିତ ହୋଇଥିଲେ ହେଁ ଏହାକୁ କାଳ କବଳିତ କରିପାରିନାହିଁ ।
କବିତା କ'ଣ ବୋଲି ଏକ ପ୍ରଶ୍ନଟି ନିହାତି ସରଳ ଶୁଭିଲେ ବି ତାହା ପଛର ସମସ୍ତ ଜଟିଳତାକୁ କୌଣସି ଅଡୁଆ ସୂତାର ବଣ୍ଡିଲରୁ ଖିଅ ଖୋଜିବା ଭଳି କାର୍ଯ୍ୟକୁ ବେଶ୍ ଅବଲୀଳାକ୍ରମେ ସଂପନ୍ନ କରିଛନ୍ତି ନିଜର ସ୍ୱଚ୍ଛ ଆଉ ପ୍ରଭାବୀ ଗଦ୍ୟଭାଷାରେ ଧୂରୀଣ କବି ନୀରେନ୍ଦ୍ରନାଥ ।
ଆମେ ଏଥିରୁ କବିତା ର ଅସଲ ସ୍ୱରୂପକୁ ଦେଖିପାରିବା ସହିତ ହୁଏତ କବିତା ସହିତ ଜଡିତ ଅନେକ ପ୍ରଶ୍ନକୁ ଭେଟିବା ଆଉ ଏହାର ସଫଳ ମୁକାବିଲା କରିବାକୁ ପ୍ରସ୍ତୁତ ହୋଇପାରିବା । ହୁଏତ ।
ଯେଉଁମାନେ ସୃଜନକର୍ମ ତଥା ତାହାର ପାରିପାର୍ଶ୍ୱିକ କୁ ନିଷ୍ଠାପର ଭାବରେ ବିଶେଷରେ ଜଣେ ଛାତ୍ରଦୃଷ୍ଟିର ଜିଜ୍ଞାଷାରେ ଦେଖିବାକୁ ଚାହାଁନ୍ତି ସେମାନେ ହୁଏତ ଏହି ଲେଖାଟିରେ ନିଜର ମନୋପୂତ କିଛି ଖୋଜି ପାଇପାରିବେ ।
ସଂପୃକ୍ତ ପ୍ରବନ୍ଧଟି ସେହି ବିଖ୍ୟାତ ପୁସ୍ତକ "କବିତାର କି ଓ କେନୋ" ରୁ ଗୃହୀତ ଓ ଅନୁସୃଜିତ ।- ଜ୍ୟୋତି ନନ୍ଦ
-----
ଧରାଯାଉ ,ଆମେ ଶିକାର କରିବାକୁ ବାହାରିଛେ। ଧରାଯାଉ ଆମେ ଗୋଟିଏ ସିଂହ ଶିକାର କରିବା । କିନ୍ତୁ ଯେଉଁ ଇଲାକାରେ ଆମେ ଘୁରିବୁଲୁଛୁ ,ସେଇଠି ସତକୁ ସତ ସିଂହ ଅଛି ତ ? କେମିତି ଜାଣିବା ଯେ ସେ ସେଇଠି ଅଛି ? ଧରାଯାଉ,ଟିକିଏ ଆଗରୁ ଆମେ ତାହାର ଗର୍ଜନ ଶୁଣିଛୁ । କିମ୍ବା ନରମ ମାଟିରେ ଦେଖିଛୁ ତାହାର ପାଦର ଛାପ। ସେଇ ଭଳି ଶୁଣିବା ଆଉ ସେଇ ଭଳି ଦେଖିବା ଉପରେ ହିଁ ତ ନିର୍ଭର କରି ଆମେ ତାହାକୁ ଖୋଜି ବୁଲୁଛୁ। ଦୂରରେ ଗୋଟିଏ ବୁଦାର ଆଢୁଆଳରେ କ'ଣ ଗୋଟାଏ ଦୋହଲି ଉଠିଲା। ସିଂହ ? ଆମର ପ୍ରତ୍ୟେକଙ୍କର ସ୍ନାୟୁ ଏକେବାରେକେ ଟଣଟଣ ହୋଇଯାଉଛି । ହୃତପିଣ୍ଡ ବାହାରି ଆସୁଛି ଆମର ମୁହଁ ଭିତରକୁ । ଆମେ ପ୍ରତ୍ୟେକେ ଆମର ବୁକୁର ଦୁକୁଦୁକୁ ଖୁବ୍ ସ୍ପଷ୍ଟ ଭାବରେ ଶୁଣି ପାରୁଛୁ। ଆମେ ପ୍ରତ୍ୟେକେ ଭାବୁଛୁ ଯେ,ଆଉ ଡେରି ନାହିଁ ,ଏଇଥର ହୁଏତ ଯେ କୌଣସି ମୁହୂର୍ତ୍ତରେ ତାହାର ସହ ଆମର ଦେଖା ହୋଇଯିବ ।
ଧରାଯାଉ,ଠିକ୍ ଏଇଭଳି ହିଁ ଗୋଟିଏ କବିତାର ସନ୍ଧାନରେ ଘୁରି ବୁଲୁଛୁ ଆମେ । ଆମେ ଶୁଣିଛୁ ଯେ,କବିତା ସେମିତି କିଛି ଅସମ୍ଭବ ଅଦ୍ଭୁତ କଥା ନୁହଁ,କବିତା ବୋଲି ସତରେ କିଛି ଅଛି,ଏବଂ ଆମମାନଙ୍କର ଆଖପାଖରେ ଅଛି ।ତେଣୁ ଆମେ ଆଶା କରିବସିଛୁ ଯେ,ଆମର ଅନ୍ୱେଷଣ ବିଫଳ ଯିବନି,ଯେ କୌଣସି ସମୟରେ ଆମେ ତାହାର ଦେଖା ପାଇବୁ ।
କିନ୍ତୁ ଦେଖାପାଇବା ଯଥେଷ୍ଟ ନୁହଁ ,ଦେଖା ଯେତେବେଳେ ହେବ,ତାହାକୁ ସତରେ ଚିହ୍ନି ପାରିବୁ ତ ? ପ୍ରଶ୍ନଟି ଆମର ନୁହଁ,ବିଦେଶୀ ଜଣେ କବି ତଥା ସମାଲୋଚକଙ୍କର । କିନ୍ତୁ ଆର୍ଚ୍ଚିବଲଡ୍ ମାକଲିଶ୍ ଯେତେବେଳେ ଏଇ ପ୍ରଶ୍ନ ଉଠାନ୍ତି,ସେତେବେଳେ ତାଙ୍କର ସମସ୍ୟାଟି ଯେ କ'ଣ ,ତାହା ଖୁବ୍ ସହଜରେ ଆମେ ବୁଝି ପାରୁ । ଅସଲରେ,ସିଂହ କିମ୍ବା ବାଘ କିମ୍ବା ଟେବୁଲ୍ କିମ୍ବା ଚେୟାର୍ କିମ୍ବା କଲମ କିମ୍ବା ବହି ଏଇ ପ୍ରକାର ଆହୁରି ଅଜସ୍ର ପ୍ରାଣୀ ଅଥବା ବସ୍ତୁକୁ ଯେତେ ସହଜରେ ଚିହ୍ନିଯାଇ ହୁଏ,କବିତାକୁ ଚିହ୍ନି ନେବା ସେତେ ସହଜ ବ୍ୟାପାର ନୁହଁ।
କାହିଁକି ନୁହଁ ? ମାକଲିଶ୍ ଏଇ ପ୍ରଶ୍ନର ଗୋଟିଏ ଉତ୍ତର ଦେବାର ଚେଷ୍ଟା କରିଛନ୍ତି । ପ୍ରସଙ୍ଗତଃ ସେ ଯାହା କହିଛନ୍ତି,ତାହାର ସାର କଥା ହେଉଛି,ଇତି ପୂର୍ବରୁ ଆମେ ଯଦି ସିଂହ ଦେଖି ନଥାଉ,ତେବେ ତାହାକୁ ଦେଖିବାମାତ୍ରକେ ଆମେ ଚିହ୍ନିପାରିବା ,ତାହାର କାରଣ ଆଉ କିଛି ନୁହଁ,ନାନାଜନଙ୍କ ନିକଟରୁ ଏଇ ପ୍ରାଣୀଟିର ଯେଉଁ ବର୍ଣ୍ଣନା ଆମେ ଶୁଣିଛୁ,ତାହା ମଧ୍ୟରେ କୌଣସି ବିରୋଧ ନଥିଲା । ଗଳ୍ପର ଦୃଷ୍ଟିହୀନମାନେ ଯେତେବେଳେ ହାତୀର ବର୍ଣ୍ଣନା ଦେଉଥିଲେ,ସେତେବେଳେ ତାଙ୍କ ଭିତରୁ ଜଣେ କହୁଥିଲା,ହାତୀ ହେଉଛି ସାପ ଭଳି,ଆଉ ଜଣେ କହୁଥିଲା ହାତୀ ହେଉଛି କୁଲା ଭଳି; ଯେଉଁ ଦୃଷ୍ଟିହୀନ ଜଣକ ଅସଲ ହାତୀର ଶୁଣ୍ଢ କି ଗୋଡ କି ଆଉ କିଛି ହାତୀର ଶରୀର ଅଂଶକୁ ଛୁଇଁନଥିଲା ତଥାପି -ହାତୀଟି ଯେତେବେଳେ ତାହାର ପାଖ ଦେଇ ଚାଲି ଯାଏ ,ସେତେବେଳେ-ଆନ୍ଦୋଳିତ ବତାସର ଏକ ଝାପ ତାହାର ଦେହରେ ଖାଲି ବାଜିଯାଇଥିଲା,ସେ କହିଥିଲା,ହାତୀ ହେଉଛି ଗୋଟିଏ ଝଡ ଭଳି କଥା । କିନ୍ତୁ ସେମିତି କିଛି ବିଭ୍ରାଟ ଏଇଠି ଘଟିନାହିଁ । ସିଂହର ବର୍ଣ୍ଣନା ଯେଉଁମାନେ ଦେଇଯାଇଛନ୍ତି ସେମାନେ ସମସ୍ତେ ଚକ୍ଷୁଷ୍ମାନ ବ୍ୟକ୍ତି । ସୁତରାଂ ସେମାନଙ୍କର ବର୍ଣ୍ଣନା ଉପରେ ନିର୍ଭର କରି ସିଂହକୁ ଶନାକ୍ତ କରାଯାଏ। ପକ୍ଷାନ୍ତରେ ,କବିତା ନାମକ ବ୍ୟାପାର ଟିକୁ ଯେ ଆମେ ସେହି ଭଳି ଶନାକ୍ତ କରି ପାରୁନା,ତାହାର କାରଣ,ତାହାର ବିଷୟରେ ଯେଉଁ ସବୁ ବର୍ଣ୍ଣନା ଆମେ ପାଇଛୁ,ଆନେକ କ୍ଷେତ୍ରରେ ହିଁ ସେଇସବୁ ବର୍ଣ୍ଣନା ଭିତରେ କୌଣସି ମେଳ ନାହିଁ । ଏପରିକି ,ପ୍ରାୟଶଃ ସେମାନେ ପରସ୍ପର ବିରୋଧୀ । ରାମର ଦେଇଥିବା ବର୍ଣ୍ଣନା ଶ୍ୟାମର ଦେଇଥିବା ବର୍ଣ୍ଣନା ସହ ମିଳେନାହିଁ ।ନବୀନର ଦେଇଥିବା ବର୍ଣ୍ଣନାରେ ରାମ ଶ୍ୟାମ ଯଦୁ ଅବା ମଧୁ ,ପ୍ରତ୍ୟେକର ଆପତ୍ତି ରହିଛି । ଫଳରେ ତାହାକୁ ଶନାକ୍ତ କରିବା କଠିନ ହୋଇ ଛିଡା ହୁଏ । ଦୁଇ ମହାଜନ ଯାହାର ବର୍ଣ୍ଣନାରେ ଏକମତ ହୋଇପାରନ୍ତି ନାହିଁ ,କେଉଁ ଭଳି ଆମେ ତାହାକୁ ଖୋଜି ପାଇବା ? ଏବଂ ଦେଖା ହୋଇ ଗଲେ ବି କେଉଁଭଳି, କେଉଁ କେଉଁ ଲକ୍ଷଣକୁ ମିଳାଇ ଆମେ ତାହାକୁ ଚିହ୍ନିପାରିବୁ ?
ସର୍ବସମ୍ମତ କୌଣସି ବର୍ଣ୍ଣନା କିମ୍ବା ସଂଜ୍ଞା ନପାଇବାର ଯେଉଁ ଅସୁବିଧା,କବିତାର ଆଲୋଚକମାତ୍ରେ ହିଁ କେତେବେଳେ ନା କେତେବେଳେ ତାହାର ସମ୍ମୁଖୀନ ହୋଇଥାଆନ୍ତି । ସେତେବେଳେ କେଉଁଭଳି ସେମାନେ ଏହାକୁ କାଟି ଉଠିବାର ଚେଷ୍ଟା କରିଥାନ୍ତି ? ସେମାନଙ୍କ ଭିତରୁ କେହି କେହି କୌଣସି ପୂର୍ବାଚାର୍ଯ୍ୟର ଦେଇଥିବା ସଂଜ୍ଞାକୁ ପୁରାପୁରି ମାନି ନେଇ ଏହାପରେ ତାହାର ଆଲୁଅରେ ଚିହ୍ନିବାର ପ୍ରୟାସ କରିଥାନ୍ତି ଯେ,କେଉଁଟି ହେଉଛି କବିତା ଆଉ କେଉଁଟି କବିତା ନୁହଁ । କେହିବା ସେଇଠି,କୌଣସି ପୂର୍ବାଚାର୍ଯ୍ୟ ର ସଂଜ୍ଞାକୁ ଏକେବାରେ ପୁରାପୁରି ହୁଏତ ମାନି ନିଅନ୍ତି ନାହିଁ,କିନ୍ତୁ ତାହାର ସୂତ୍ର ଧରି ଅନ୍ୟ କୌଣସି ସୂତ୍ର ନିର୍ଦ୍ଧାରଣ ନିମନ୍ତେ ଚେଷ୍ଟା କରିଥାଆନ୍ତି । ପୁଣି କେହି କେହି ,ଅନ୍ୟକାହାର ସଂଜ୍ଞାର ମୁଖାପେକ୍ଷୀ ନହୋଇ,ଏକାନ୍ତ ଭାବରେ ନିଜ ଅଭିଜ୍ଞତାକୁ ସମ୍ବଳ କରି ,ଅନ୍ୟ ପଥରେ ଆଗେଇଯିବା ପାଇଁ ଚାହିଁଥାନ୍ତି । ଚେଷ୍ଟା କରିଥାନ୍ତି ,ପୂର୍ବଲବ୍ଧ ଯାବତୀୟ ସଂଜ୍ଞାର ସହିତ ସଂପର୍କହୀନ,କୌଣସି ନୂତନ ସଂଜ୍ଞା ଖୋଜି ବାହାର କରିବାକୁ । କିନ୍ତୁ ସେହି ନୂତନ ସଂଜ୍ଞା ଯେତେବେଳେ ଖୋଜି ମିଳିଥାଏ ,ସେତେବେଳେ ତାହାକୁ ନେଇ ପୁଣି ନୂତନ ରୂପରେ ବିରୋଧ ଘନେଇ ଉଠେ । କାହାକୁ କବିତା କହନ୍ତି,ଏହି ପ୍ରାରମ୍ଭିକ ପ୍ରଶ୍ନର ହିଁ କୌଣସି ସର୍ବଜନଗ୍ରାହ୍ୟ ମୀମାଂସା ଆଉ ଖୋଜି ମିଳେ ନାହିଁ ।
କହିବା ବାହୁଲ୍ୟ,କବିତାର ସଂଜ୍ଞା ନିର୍ଦ୍ଧାରଣ ଆଉ ଲକ୍ଷଣ ନିର୍ଣ୍ଣୟର ଏଇ ଯେଉଁ ନବ ନବ ପ୍ରୟାସ ଏବଂ ତାହା ଭିତରୁ ସଂଜାତ ଏଇ ଯେଉଁ ବିରୋଧ,ଏହାକୁ ନେଇ ଆମେ ଏଇଠି ପ୍ରଶ୍ନ ଉଠାଇପାରିବା । କହିପାରିବି ଯେ,ନୂଆକରି ଏଇ ସବୁ ବାଦ-ବିସଂବାଦ ଗୁଡିକ ଭିତରେ ଜଡିତ ହୋଇପଡିବାର ଆବଶ୍ୟକ ନାହିଁ ,ତାହାର ତୁଳନାରେ ବରଂ ପ୍ରାଚୀନ ମତାମତଗୁଡିକ ଆଡକୁ ପୁଣିଥରେ ଆଖି ପକାଯାଉ । ଦେଖା ଯାଉ, ତା' ଦ୍ୱାରା ଆମର ପ୍ରୟୋଜନ ମେଣ୍ଟି ଯାଉଛି କି ନା ! ଅର୍ଥାତ୍ ତାହାର ଉପରେ ନିର୍ଭର କରି ଆମେମାନେ ବୁଝି ପାରିବୁ କି ନା ଯେ,କବିତା ନାମକ ବ୍ୟାପାରଟି ଅସଲରେ କ'ଣ ।
ମୁସକିଲ୍ ହେଉଛି,କବିତା ସଂକ୍ରାନ୍ତ ଆମର ଏଇ ଜିଜ୍ଞାଷା ସେଇଠି କୌଣସି ଚୂଡାନ୍ତ ଉତ୍ତର ଖୋଜି ପାଏନା । ବିସଂବାଦର କ୍ଷେତ୍ରଟି ବସ୍ତୁତଃ ସେଇଠି ବି ବେଶ୍ ବଡ ମାପର । ବାମନାଚାର୍ଯ୍ୟ ଯେତେବେଳେ କହନ୍ତି,କାବ୍ୟମ୍ ଗ୍ରାହ୍ୟମ୍ ଅଳଙ୍କାରାତ୍ ,ସେତେବେଳେ ପ୍ରତିବାଦୀମାନେ କହିଥାନ୍ତି,ତାହା କାହିଁକି ହେବ,ଅଳଙ୍କୃତ ବାକ୍ୟ ମାତ୍ରେ ହିଁ କିଛି କାବ୍ୟର ମର୍ଯ୍ୟଦା ପାଇ ପାରେନା ,ଉପରନ୍ତୁ ବାକ୍ୟବନ୍ଧ ନିରଳଙ୍କାର ହେଲେ ହିଁ ଯେ ତାହା କାବ୍ୟ ବୋଲି ଗ୍ରାହ୍ୟ ହେବନାହିଁ ,ଏପରି ବି ନୁହଁ । ବସ୍ତୁତଃ କାହାକୁ ଆମେ ଅଳଙ୍କାର କହିବା ,ଏବଂ କାହାକୁ ନୁହଁ , ତାହାକୁ ନେଇ ହିଁ ବିରୋଧ ଘଟିଥାଏ । ବିଶ୍ୱନାଥ ଅବଶ୍ୟ ଅଳଂକୃତ ବାକ୍ୟବନ୍ଧର ଉପରେ ଜୋର୍ ଦିଏନା,ଗୁରୁତ୍ୱ ଆରୋପ କରିଥାଏ ରସର ଉପରେ । କିନ୍ତୁ "ବାକ୍ୟମ୍ ରସାତ୍ମକମ୍ କାବ୍ୟମ" ,ଏହି ସୁନିର୍ଦ୍ଦିଷ୍ଟ ସଂଜ୍ଞାଟି ବି ଯେ ଆମର ଚୂଡାନ୍ତ ସନ୍ତୋଷର ଉତ୍ପାଦନ କରେ ନାହିଁ,ତାହାର କାରଣ,ସେକ୍ଷେତ୍ରରେ ଆମେମାନେ ନୂତନ ଜିଜ୍ଞାଷାର ଜାଲରେ ଜଡିତ ହୋଇଯାଇ ଥାଉ । କାବ୍ୟଜିଜ୍ଞାଷାକୁ ମୁଲତବି ରଖି ,ସେତେବେଳେ ପୁଣି ସନ୍ଧାନ କରିବାକୁ ହେବ ଯେ,ରସ କାହାକୁ କହନ୍ତି ।
ଆନନ୍ଦବର୍ଦ୍ଧନଙ୍କ ସଂପର୍କରେ,ଆହୁରି ଅନେକ କଥା କହିବା ଭଳି ,ଏଇ କଥାଟି ସବିଶେଷ ଉଲ୍ଲେଖଯୋଗ୍ୟ ଯେ,କାବ୍ୟର ପ୍ରସଂଗକୁ ବୁଝାଇବାକୁ ଯାଇ ସେ ଏକେବାରେକେ ବିପରୀତ ବିନ୍ଦୁରୁ ଅଗ୍ରସର ହୋଇଛନ୍ତି । କାବ୍ୟ କ'ଣ ,ତାହା ଆମକୁ ଜଣାଇଦେବା ପାଇଁ ଆମକୁ ଜଣାଇଛନ୍ତି ଯେ,କାହାକୁ ଆମେ କାବ୍ୟ ବୋଲି କହିପାରିବା ନାହିଁ । ଆମେ ଯାହାକୁ "ଏଲିମିନେସନ୍ ପଦ୍ଧତି" କହୁ ,ବସ୍ତୁତଃ ତାହାର ଆଶ୍ରୟ ନେଇଛନ୍ତି ସେ,ଏବଂ କହିଛନ୍ତି ଯେ, ଯେଉଁ ବାକ୍ୟବନ୍ଧରୁ ନିତାନ୍ତ ଆକ୍ଷରିକ ଅର୍ଥ ଛଡା ଆଉ କିଛି ହିଁ ଆମର ଲଭ୍ୟ ନୁହଁ ,କାବ୍ୟ ବୋଲି ଗଣ୍ୟ ହେବାର କୌଣସି ଯୋଗ୍ୟତା ହିଁ ତାହାର ନାହିଁ ।
(ବାକି ଆସନ୍ତା କାଲି)