ଜାଳିଦିଅ : ଉଭେଇଯାଅ

ଜାଳିଦିଅ : ଉଭେଇଯାଅ

ମୋଡ଼ ନେବା ଆଗରୁ ୟା'ପରେ 

ସାବଧାନ ରୁହ : 

ଭୁଲିଗଲି ମାଲିକର ଆଦେଶ ।  

କଥା ହେଲା, ପ୍ରତ୍ୟାଶା ନ ଥିଲା : 

ସେଥିପାଇଁ ଆଶଂକା ନ ଥିଲା । 

ମୋଡ଼ କ'ଣ, କ'ଣ ନୁହେଁ ମୋଡ଼ : 

ଜଂଗଲରେ ଚାଲିବାରେ 

ଫରକ ନ ଥିଲା ।  

ଘଂଚ ଭିତରେ ଗମିଲେ 

ଏକା ଲାଗେ ଖରା ଜ୍ୟୋତ୍ସ୍ନା 

ଯଦି କୋଉଠି ପଡ଼େ । 

ନ ପଡ଼େ ତ, ଝାପସାଂଧାର 

ମଥା ଉପରେ ସବୁଠାରେ 

ଝିପଝିପ୍ ଝରେ...  

ମୋଡ଼ ଆସିଯିବ ଆଉ 

ମୁହାଁମୁହିଁ ତୁମେ : 

ଏହା ମୋର ସ୍ଵପ୍ନର ବାହାରେ । 

ଗଂଠି ପବ ଚେର ପତ୍ର ଶିରାରେ ଶିରାରେ 

ଜଂଗଲର ଗଛ ସକଳରେ 

ଫିକାଗେରୁ ଜ୍ୟୋତିଟିଏ 

ମୃଦୁମୃଦୁ ଖେଳେ ।

ଯିଏ ଯୋଉଠି ଅଛି ଥାଉ ସ୍ଥିର ହୋଇ 

ସଚିବାଳୟରେ ଆଉ ଛଅ ନଂବରରେ 

ବାଣୀବିହାରରେ ଅବା ସାଁତରାପୁରରେ 

ଦୂରଦର୍ଶନରେ । 

ଏ ଋତୁ ସମୟ ବାହାରର ଋତୁ ―

ଭୁବନେଶ୍ଵରୀ ବିରାଜେ 

ଭୁବନେଶ୍ଵରରେ ।  

ଦୁଂଦୁଭି ଶିହରିଉଠେ ସୁଧର୍ମା ସଭାରେ । 

ସାରା ଜଗତର ଶିଶୁ 

ଖିଲଖିଲ୍ଲ୍ ପବିତ୍ର ହର୍ଷରେ ।  

ଅଣିମାଲଘିମା ତୁମେ

ମହାଦିମାଭୂମା ତୁମେ 

କବିତାର କ୍ଷୁଧା ପାଇଁ ଅନ୍ନପୂର୍ଣା ତୁମେ, 

ମୋହି ହୋଇଯାଇଛି ମୁଁ ମୁହୁର୍ମୁହୁଃ 

ସାମ୍ନାସାମ୍ନି ଥାଇ ।

କବିତାର ଆଢୁଆଳରେ 

ମୁହାଁମୁହିଁ ସିଧା ନ ଅନାଅ : 

ଏହା ଭୁଲିଯାଇ । 

ବିଧି ଉପଚାର ବି ତ କିଛି ଜଣାନାଇଁ, 

ପ୍ରସ୍ତୁତି ଇ ନାହିଁ । 

କବିତାଠୁ ପ୍ରିୟ ଅବା ନୀରବତା 

ମୋହିନୀର ମୋକ୍ଷ-ଛିଟା ପାଇ !

ଚାହାଣିରେ ଜାଳିଦିଅ 

ଆଉ ତୁମେ ଉଭେଇଯାଅ 

ଏ ପ୍ରାପ୍ତିରୁ 

ଦେବ ଯଦି ତ୍ରାହି ।।