ସମର୍ପଣ : ଭକ୍ତି ଓ ସୁଫି ସଙ୍ଗୀତର ସମାଗମ

ସମର୍ପଣ : ଭକ୍ତି ଓ ସୁଫି ସଙ୍ଗୀତର ସମାଗମ

ଓଡ଼ିଶା ପର୍ଯ୍ୟଟନ ବିଭାଗ ସହାୟତାରେ ଭୁବନେଶ୍ୱର ମ୍ୟୁଜିକ ସର୍କଲ ଦ୍ୱାରା ତିନିଦିନ ଧରି ଅନୁଷ୍ଠିତ ହେବାକୁ ଥିବା ୧୧ ତମ ସୁଫିୟାନା ଓ ଆଧ୍ୟାତ୍ମିକ ସଙ୍ଗୀତ କାର୍ଯ୍ୟକ୍ରମ "ସମର୍ପଣ" ବର୍ଣ୍ଣାଢ୍ୟ ପରିବେଶରେ ଆଜି ରବିନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ ଉଦ୍‌ଘାଟିତ ହୋଇଯାଇଅଛି । ଭାରତୀୟ ସୁଫିୟାନା ସଙ୍ଗୀତ ସହିତ ଅନ୍ୟାନ୍ୟ ଭକ୍ତି ରସାତ୍ମକ ଓ ଆଧ୍ୟାତ୍ମିକ ସଙ୍ଗୀତର ପ୍ରଚାର ଓ ପ୍ରସାର ଏହି ଉତ୍ସବର ମୂଳ ଉଦ୍ଦେଶ୍ୟ । ଏହି ଉତ୍ସବ ତିନି ଦିନ ରବିନ୍ଦ୍ର ମଣ୍ଡପରେ ସଂଧ୍ୟା
୬.୩୦ ଘଟିକାରୁ ଅନୁଷ୍ଠିତ ହେବ । 

ସଂଧ୍ୟାର ପ୍ରଥମ ପରିବେଷଣ ଥିଲା ପାରମ୍ପାରିକ ସୁଫିୟାନା ଭକ୍ତି ରସାତ୍ମକ ସଙ୍ଗୀତ କାର୍ଯ୍ୟକ୍ରମ ଯାହାକୁ ପରିବେଶଣ କରିଥିଲେ ଭୁବନେଶ୍ୱରର ଆକାଶ
ବିଶ୍ୱାଳ ଓ ଲକ୍ଷ୍ମୀପ୍ରିୟା ନାୟକ । ସେମାନଙ୍କ ପ୍ରସ୍ତୁତିରେ ଥିଲା ଗୁରୁ ନାନକ, ଗୋସ୍ୱାମୀ ତୁଲସୀ ଦାସ, ସନ୍ଥ ସୁର ଦାସ, ସନ୍ଥ କବୀର ଏବଂ ମୀରାବାଇଙ୍କ ଦ୍ୱାରା
ରଚିତ ଆଧ୍ୟାତ୍ମିକ ତଥା ପାରମ୍ପାରିକ ସୁଫିୟାନା ସଙ୍ଗୀତ ଯାହା ରବିନ୍ଦ୍ର ମଣ୍ଡପରେ ଉପସ୍ଥିତ ଦର୍ଶକଙ୍କୁ ଆକର୍ଷିତ କରିଥିଲା । ସେମାନଙ୍କୁ ତବଲାରେ
ନିତ୍ୟାନନ୍ଦ ଗୁରୁ, ଢୋଲକରେ ରାଜେଶ କୁମାର ଜେନା, କିବୋଡ଼ରେ ରତିକାନ୍ତ ତ୍ରିପାଠୀ ଏବଂ ମଞ୍ଜିରାରେ ସନ୍ତୋଷ ପାଇକରାୟ ସହାୟତା
କରିଥିଲେ । 

ସଂଧ୍ୟାର ଦ୍ୱିତୀୟ ତଥା ଅନ୍ତିମ ପରିବେଷଣ ଥିଲା ପାରମ୍ପାରିକ ରାଜସ୍ଥାନୀ ସଙ୍ଗୀତ ଯାହାକୁ ପରିବେଷଣ କରିଥିଲେ ରାଜସ୍ଥାନରୁ ଆସିଥିବା ରାଜସ୍ଥାନ ପାରମ୍ପାରିକ ତଥା ଗ୍ରାମୀଣ ସଂସ୍କୃତି ସମିତି (ଷ୍ଟାର୍କ) ଅନୁଷ୍ଟାନର କଳାକାରମାନେ । ସେମାନଙ୍କର ପ୍ରଥମ ସଙ୍ଗୀତ ଭଗବାନ ଶ୍ରୀକୃଷ୍ଣଙ୍କୁ ଉତ୍ସର୍ଗ କରାଯାଇଥିଲା ଏବଂ ପରେ ପରେ ଦୀପାବଳୀ ଓ ହୋଲି ଭଳି ଉତ୍ସବରେ ଗାନ କରାଯାଉଥିବା ସଙ୍ଗୀତ ପରିବେଶିତ ହୋଇଥିଲା । ରାଜସ୍ଥାନର ମଙ୍ଗୋନିୟାର ସଂସ୍କୃତିର ବିଭିନ୍ନ ରାଗ ଓ ତାଳ ସମଷ୍ଟିରେ ଉଚ୍ଚକୁଟିର ସଙ୍ଗୀତ ପରିବେଷଣ ରବୀନ୍ଦ୍ର ମଣ୍ଡପରେ ଉପସ୍ଥିତ ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଷ୍ଟାର୍କ ଅନୁଷ୍ଟାନର ସୁନାମଧନ୍ୟ ଗାୟକ ଓ ସଙ୍ଗିତଜ୍ଞମାନେ ହେଲେ ଦୀନ ମହମ୍ମଦ, ସଲୀମ ଖାନ୍‍, ଉମର୍‍ ଖାନ୍‍, ଭୁଟ୍ଟା ଖାନ୍‍, ଦେବୁ ଖାନ୍‍ ଏବଂ ହୁସେନ୍‍ ଖାନ୍‍ । 

ଉଦ୍‍ଘାଟନୀ ସଂଧ୍ୟାର ଅତିଥିମାନେ ଥିଲେ ଭୁବନେଶ୍ୱର ମ୍ୟୁଜିକ ସର୍କଲର ସଭାପତି ଅରବିନ୍ଦ ବେହେରା; ଭୁବନେଶ୍ୱର ମ୍ୟୁଜିକ ସର୍କଲର ଉପ ସଭାପତି
ବିଦୁଭୂଷଣ ଦାସ; ଭୁବନେଶ୍ୱର ମ୍ୟୁଜିକ ସର୍କଲର କୋଷାଧ୍ୟକ୍ଷ ଗିରିଜା ପ୍ରସାଦ ପାଣିଗ୍ରାହୀ ଓ ଭୁବନେଶ୍ୱର ମ୍ୟୁଜିକ ସର୍କଲର ସଚିବ କ୍ଷୀରୋଦ କୁମାର ପଟ୍ଟନାୟକ । କାର୍ଯ୍ୟକ୍ରମଟିକୁ ପରିଚାଳନା ଓ ସଂଚାଳନାରେ ସାହାଯ୍ୟ କରିଥିଲେ ଡ଼ଃ. ସଙ୍ଗୀତା ଗୋସାଇଁ ।