ପଖାଳ କଂସା ଓ ଆମର ଯାବତୀୟ ହଂସା ମାନ
ପ୍ରଥମେ ଗୋଟିଏ ଦୀର୍ଘ ଉଦ୍ଧୃତି। ପ୍ରସଙ୍ଗଟି ସେଇଠୁ ଆରମ୍ଭ।ଦୟାକରି ଏଇ ଉଦ୍ଧୃତିଟିକୁ ଟିକିଏ ମନୋଯୋଗ ଦେଇ ଦେଖନ୍ତୁ ।
" ଖ୍ରୀଅ ୬୦୦ ଠାରୁ ୧୨୦୦ ପର୍ଯ୍ୟନ୍ତ ଓଡିଶାରେ ମୂଖ୍ୟ ଖାଦ୍ୟ ଧାରାରେ ଥିଲା ଧାନ,ଗହମ ଓ ବାର୍ଲି । କଳିଙ୍ଗର ଧାନର ପ୍ରସିଦ୍ଧି ସୋମେଶ୍ୱର ଙ୍କ ବିରଚିତ "ମାନସୋଲ୍ଲାସ"ରେ ବର୍ଣ୍ଣିତ ହୋଇ ଅଛି ।ଭଗବତୀ ଆଉ ମୁକ୍ତେଶ୍ୱର ମଂଦିର ଗାତ୍ରରେ ଥିବା କେତେକ ରିଲିଫ୍ ରେ ଚରିତ୍ରମାନେ ହାତରେ ପିଠା ଭଳି ପଦାର୍ଥ ଧରିଥିବାର ମନେହୁଏ । ଏହା ସଂଭବତଃ ଗହମରୁ ପ୍ରସ୍ତୁତ।ଭୁବନେଶ୍ୱର ମଂଦିରର ମୂଖ୍ୟ ତୋରଣରେ ଗଣେଶ ହାତରେ ଏଇ ପାତ୍ରରେ ଗୋଲାକାର ପଦାର୍ଥ ଧରିଥିବାର ଦେଖାଯାଏ ।ଏହା ଏକ ପ୍ରକାର ମିଠା ଯାହାକୁ ବର୍ତ୍ତମାନ ଲଡୁ ବୋଲି କୁହାଯାଏ।ଏହା ସଂଭବତଃ ଚାଉଳ ବା ଗହମରେ ତିଆରି ହେଉଥିଲା କାରଣ ମୁସଲମାନେ ଆସିବା ପରେ ବେସନ ବା ଚାଉଳ ଆଉ ଗହମ ବାଦ ଅନ୍ୟ ପଦାର୍ଥରୁ ମିଠା ପ୍ରସ୍ତୁତି ଆରଂଭ ହୋଇଥିଲା।ଚାଉଳରେ ଦୁଧ ଆଉ ଘିଅ ସହାୟତାରେ ସେତେବେଳେ ଦେବତା ମାନଙ୍କୁ ଅର୍ପଣ କରାଯିବା ପଦାର୍ଥ ଟିକୁ ଚାରୁ ବୋଲି କୁହାଯାଉଥିଲା।ଖ୍ରୀଅ ସପ୍ତମ ଶତାବ୍ଦୀ ବେଳକୁ ଚୀନ୍ ପରିବ୍ରାଜକ ହୁଏନ ସାଂ ଙ୍କ ବିବରଣୀରେ ଏଇ ଅଂଚଳରେ ଅନେକ କିସମର ଫଳ ଖାଦ୍ୟରୂପରେ ବ୍ୟବହୃତ ହେଉଥିବାର କଥା ବର୍ଣ୍ଣିତ ଅଛି।ଅନେକ ଶିଳାଲିପି ରେ ଶିକାର କୁ ଖେଳ ଆକାରରେ ଆଉ ଖାଦ୍ୟସଂଗ୍ରହ ହିସାବରେ ଏବଂ ମାଛଶିକାରର ଅନେକ ନିୟମ ଲିପିବଦ୍ଧ ହୋଇ ରହିଛି।ତେଣୁ ଶିକାର କୁ ଖେଳ ଆଉ ଖାଦ୍ୟସଂଗ୍ରହର ମାଧ୍ୟମ ହିସାବରେ ଉପଯୋଗ ହେଉଥିବାର ଏହା ପ୍ରମାଣ।ଡାଳିମ୍ବ କୁମାର କଥା ରେ ରାଘବ ମାଛର ଖାଦ୍ୟଗୁଣ କଥା ବିଶେଷ ଭାବରେ ବର୍ଣ୍ଣା କରାଯାଇଛି।ଭୌମକର ରାଜାମାନଙ୍କ ବିବରଣି ରେ ସୌଣ୍ଡଳିକ ଅର୍ଥାତ୍ ମଦ ନିର୍ମାତାଙ୍କର ବିବରଣୀ ରହିଥିବାରୁ ସେ ସମୟରେ ରାଜା ମାନଙ୍କର ମଦ୍ୟପାନ ଆସକ୍ତି ର ପ୍ରମାଣ ମିଳିଥାଏ।ଶ୍ରୀମଦ ଶଙ୍କରଦେବଙ୍କ ଶ୍ରୀରାମଭାଗବତ ଗ୍ରନ୍ଥରେ (ଖ୍ରୀଅ ପଂଚଦଶ ଶତାଦ୍ଦୀରେ) ଚାଉଳକୁ ସିଝାଇ ସେଥିରେ ପାଣି ପକାଇ ରାତି ସାରା ରଖି ତାହାପରଦିନ ବାଇଗଣ ପୋଡା ଆଉ ମାଛ ପୋଡା ସହ ଖାଇବା ଟି ଅଧିକ ଜନପ୍ରିୟ ହୋଇଥିଲା।ଏଇ ସମାନ ଖାଦ୍ୟଟି ବି ବଂଗଳାରେ ସମାନ ସମୟରେ ପ୍ରଚଳିତ ଥିଲା।"
ପଖାଳ ସଂପର୍କରେ ଏଇଟି ସିଧା ଉଲ୍ଲେଖ କରାଯାଇଥିବା ଗୋଟିଏ ଉଦ୍ଧୃତି। ଏଇ ଉଦ୍ଧୃତି ଟି ବିଶିଷ୍ଟ ଖାଦ୍ୟ ଐତିହାସିକ କେ ଟି ଆଚାୟାଙ୍କ "ଇଣ୍ଡିଆନ ଫୁଡ୍,ଏ ହିଷ୍ଟୋରିକାଲ୍ କଂପାନିଅନ୍" ବହିର ୧୩୩ପୃଷ୍ଠାରୁ ଗୃହୀତ ହୋଇଅଛି।
ପଖାଳ ସଂପର୍କରେ ଅର୍ଥାତ୍ ତାହାର ପୃଷ୍ଠଭୂମୀକୁ ବୁଝିବା ପାଇଁ ଟିକିଏ ବିସ୍ତାର କରିବାକୁ ଗଲାବେଳେ କହିବାକୁ ଚାହିଁବି ଯେ ଐତିହାସିକଙ୍କ ବିଚାର ଅନୁସାରେ ଦକ୍ଷିଣ ପୂର୍ବ ଏସିଆରୁ ପ୍ରାୟ ପାଞ୍ଚହଜାର ବର୍ଷ ପୂର୍ବେ ଆମ ଭୂଖଣ୍ଡକୁ ଧାନ ଚାଷ ଆସିଥିଲା।ସାଧାରଣତଃ ଦକ୍ଷିଣ ଏସିଆ ଆଉ ଚୀନ୍ ଦେଶରେ ଅନେକ ସ୍ଥାନରେ ଧାନ ଚାଷ ଶୁଖିଲା ଜମିରେ କରାଯାଇଥାଏ ମାତ୍ର ସମ୍ଭବତଃ ଭାରତବର୍ଷରେ ଜଳ ଭରା ଜମିରେ ଧାନଚାଷ କରାଯାଏ। ଯେହେତୁ ଆମ ଅଂଚଳ ଭୌଗୋଳିକ ଦୃଷ୍ଟିରୁ ଧାନଚାଷପାଇଁ ଅନୁକୂଳ ତେଣୁ ଆମର ଖାଦ୍ୟାଭ୍ୟାସରେ ଭାତ ପ୍ରମୂଖ ଖାଦ୍ୟ ଭାବରେ ଉପସ୍ଥିତ ହୋଇଛି।ଆମର ଚର୍ଯ୍ୟାପଦ (ଯାହାର ମାଲିକାନାକୁ ନେଇ ଆସାମ,ବେଙ୍ଗଲ ଓ ଓଡିଶା ଏହି ତିନୋଟି ଯାକ ରାଜ୍ୟ ଏକ ଅସମାହିତ ସମରରେ ଲିପ୍ତ ରହିଛନ୍ତି।ଏହି ତିନୋଟି ଯାକ ରାଜ୍ୟ ତଥା ସେମାନଙ୍କ ନିଜନିଜର ଭାଷାର ଆଦ୍ୟରୂପ ଏହି ଚର୍ଯ୍ୟାପଦ ବୋଲି ଦାବୀ କରୁଛନ୍ତି।)ରେ ଖାଦ୍ୟ ହିସାବରେ କେବଳ ଚାଉଳର ଉଲ୍ଲେଖ ଅଛି ଆଉ କୌଣସି ଖାଦ୍ୟଶସ୍ୟର କଥା ନାହିଁ।ଭିନ୍ନ ଭିନ୍ନ ପଣ୍ଡିତମାନେ ଖ୍ରୀଷ୍ଟୀୟ ସପ୍ତମ ଶତାବ୍ଦୀ ଠାରୁ ଆରମ୍ଭ କରି ଖ୍ରୀଷ୍ଟୀୟ ଦ୍ୱାଦଶ ଶତାବ୍ଦୀ ଯାଉଁ ଭିନ୍ନ ଭିନ୍ନ କାଳଖଣ୍ଡକୁ ଚର୍ଯ୍ୟାପଦ ରଚନାର ସମୟ ବୋଲି କହିଛନ୍ତି।
ଏଠାରେ ଆମର କହିବା କଥା ହେଉଛି ସେହି ପଣ୍ଡିତମାନଙ୍କ ଦ୍ୱାରା ନିରୂପିତ ଚର୍ଯ୍ୟାପଦ ରଚନାର ଭିନ୍ନ ଭିନ୍ନ କାଳ ମଧ୍ୟରେ ଗୋଟିଏ କଥା ପରିଷ୍କାର ଯେ, ଏହି ଅଞ୍ଚଳରେ ସେତେବେଳେ ଧାନଚାଷ ସହିତ ଗହମ ଚାଷ ବି ହେଉଥିଲା,ମାତ୍ର ଲୋକମାନଙ୍କର ପ୍ରଧାନ ଖାଦ୍ୟ କହିଲେ ତାହା ଥିଲା ଭାତ।
ଏଇଠି ଆମର ମନେ ରଖିବା ଉଚିତ ହେବ ଯେ ଅନେକ ସମୟରେ ଆମେ ସ୍ଥାନୀୟତା ତଥା ଆଞ୍ଚଳିକତା କୁ ସାବ୍ୟସ୍ତ କରିବା ପାଇଁ,ଏଇଠି ଆମର ସବୁକିଛି ବା ଏଇଠି ଅମୁକ ର ସୃଷ୍ଟି ବୋଲି ଆତ୍ମବିଭୋର ତଥା ଭାବୋଦ୍ଦୀପକ କଥାମାନ କହିଥାଉ ଆଉ ସେହି ପ୍ରପଞ୍ଚରେ ଆମେ ବସ୍ତୁତଃ କ୍ଷେତ୍ରବିଶେଷର ସମସାମୟିକତା ଏବଂ ସ୍ୱାଭାବିକ ବିବର୍ତ୍ତନ ପ୍ରତି ଦୃଷ୍ଟି ଦେଇ ନଥାଉ । କହିବା କଥା ହେଉଛି ପୃଥିବୀରେ ଗତ ଦଶହଜାର ବର୍ଷ ଧରି ଧାନଚାଷ ହୋଇ ଆସୁଛି ଏବଂ ଏଇ ଭଳି ଚାଷ ହେଉଥିବା କଥା ନିଶ୍ଚିତ ଭାବରେ ପ୍ରମାଣ କରେ ଯେ ଆମେ ଖାଦ୍ୟ ହିସାବରେ ଏହି ବଣୁଆ ଛୋଟ ଗଛ ବା ୱାଇଲ୍ଡ ପ୍ଲାଣ୍ଟ କୁ କ୍ରମଶଃ ପାଳିତ-ଗଛ ରେ ପରିଣତ କରି ଏହା ଉପରେ ବେଶ୍ ନିର୍ଭରଶୀଳ ହୋଇ ଆସିଛୁ । ଏଇ ଦୀର୍ଘ ସମୟ ଭିତରେ ଏସିଆ ଏବଂ ଆଫ୍ରିକାରେ ଦୁଇ ପ୍ରକାର ର ଧାନ ଚାଷ ହୋଇ ଆସିଛି । ଏସିଆରେ ଯେଉଁ ପ୍ରକାର ଧାନଚାଷ ହୁଏ ସେଇ ପ୍ରଜାତିର ବୈଜ୍ଞାନିକ ପରିଭାଷା ହେଉଛି,"ଓରିଜା ସାଟିଭା" ଆଉ ଆଫ୍ରିକା ରେ ଯେଉଁ ଧାନ ଚାଷ ହୁଏ ତାହା ହେଉଛି," ଓରିଜା ଗ୍ଲାବେରିମା" । ଏହି ଦୁଇଟି ପ୍ରଜାତି ଇତିହାସ ଦୃଷ୍ଟିରୁ ସ୍ୱୟଂ ସଂପୂର୍ଣ୍ଣ ଭାବରେ ନିଜନିଜର କ୍ଷେତ୍ର ବିଶେଷରେ ବିକଶିତ ହୋଇଛନ୍ତି । ସଭ୍ୟତାର ଆଦ୍ୟକାଳର ଆଫ୍ରିକା ଏବଂ ଏସିଆ ଉଭୟ ଭିତରେ କୌଣସି ଧାନ-ସଂପର୍କ ନଥିଲା ବା ବୈଜ୍ଞାନିକ ଦୃଷ୍ଟିରୁ ଉଭୟ ପ୍ରଜାତି କେହି କାହାରି ଦ୍ୱାରା ପ୍ରଭାବିତ ନୁହଁନ୍ତି । ଏସିଆରୁ ଧାନ ବା ଚାଉଳ "ଓରିଜା ସାଟିଭା" ସମଗ୍ର ଇଉରୋପକୁ ଯାଇଥିଲା ଆଉ ପରେ ସେଠାରେ ଭିନ୍ନ ଭିନ୍ନ ସ୍ଥାନରେ ଏହାର ଚାଷ ହୋଇଥିଲା । ଯେହେତୁ ଧାନରୁ ଚୋପା ଛଡାଇ ଚାଉଳ କଲାପରେ ତାହାକୁ କେବଳ ସିଝାଇ ଦେଲେ ତାହା ଖାଦ୍ୟ ଯୋଗ୍ୟ ହୋଇଯିବ,ଏଇଭଳି ଗୋଟିଏ ସହଜ ଆଉ ସରଳ ଖାଦ୍ୟ ଉତ୍ପାଦନକାରୀ ଖାଦ୍ୟଶସ୍ୟ ତେଣୁ ସର୍ବତ୍ର ଗ୍ରହଣୀୟ ହୋଇ ପାରିଥିଲା । ମାତ୍ର ଭାତ ଏସିଆର ପ୍ରମୁଖ ଖାଦ୍ୟ-ଭାଗ ହୋଇଥିବା ବେଳେ ଇଉରୋପ ରେ ତାହା ଗହମ ତୁଳନା ରେ ସେମିତି ପ୍ରମୁଖତା ନପାଇବାର ଅନେକ କାରଣ ରହିଛି । ଅତି ସଂକ୍ଷେପରେ କହିଲେ ଇଉରୋପ ଏବଂ ଅନ୍ୟତ୍ର ଭାତ ପ୍ରଭାବ ବିସ୍ତାର କରି ନ ପାରିବା ପଛରେ ଏସିଆ ସଂପର୍କ ଏବଂ ଏସିଆରୁ ଧାନ ସେଠିକୁ ଯିବା ପ୍ରମୁଖ କାରଣ। ଯେଉଁ ପରିବ୍ରାଜକ ବା ଆକ୍ରମଣକାରୀମାନେ ସେଠାରୁ ଏଠିକି ଆସିଥିଲେ ସେମାନଙ୍କୁ ଯାହା ଏଠିକାର ପଦାର୍ଥ ମୂଲ୍ୟବାନ ମନେହେଉଥିଲା ତାହାକୁ ସେମାନେ ସାଥିରେ ଧରି ନିଜ ଦେଶକୁ ଫେରି ଯାଉଥିଲେ । ସେମାନଙ୍କର ସେହି ବହୁ ମୂଲ୍ୟ ତାଲିକାରେ ଏଠିକାର ବସ୍ତାଏ ଧାନ ବା ବସ୍ତାଏ ଚାଉଳ ରହିବ କାହିଁକି ? ତେଣୁ ଧାନ ବା ଚାଉଳ ଇଉରୋପୀୟ ଖାଦ୍ୟ ଜଗତରେ ପ୍ରାୟତଃ ଅନୁପସ୍ଥିତ ରହୁଥିବା କାରଣରୁ ସେଠାରେ ଗହମ ପ୍ରମୁଖ ଖାଦ୍ୟ-ଆଧାର ହୋଇ ରହିଲା ଏବଂ ବ୍ୟକ୍ତି ବିଶେଷ ର ଖାଦ୍ୟାଭ୍ୟାସ ସେମିତି ପ୍ରତିକୂଳ ପରିସ୍ଥିତି ନ ଆସିଲେ ବଦଳିଯାଏ ନାହିଁ ।
ବାଇବେଲ୍ ରେ ଭାତର ଉଲ୍ଲେଖ ନାହିଁ । ତେଣୁ ଯୀଶୁଖ୍ରୀଷ୍ଟଙ୍କ ଖାଦ୍ୟରେ ରୁଟି ରହିଥିବାର ଉଲ୍ଲେଖ ଅଛି । ଗୌତମ ବୁଦ୍ଧ ଙ୍କ ଖାଦ୍ୟ ରେ ଚାଉଳଖିରୀ ର କଥା ଅଛି । ତେଣୁ ସେ ସମୟରେ ଭାତ ର ବ୍ୟବହାର ଥିଲା । ବିଶେଷତଃ ଭାତ/ଚାଉଳ ପାଇଁ ସେ ସମୟରେ ଗୋଟିଏ ପ୍ରାକୃତ ଶବ୍ଦ ପ୍ରଚଳିତ ଥିଲା । ତାହା ହେଉଛି "ଉଦନ" । ଆପଣମାନେ ଜାଣନ୍ତି ଗୌତମ ବୁଦ୍ଧଙ୍କ ପିତାଙ୍କର ନାମ ଥିଲା ଶୁଦ୍ଧୋଧନ,ଯାହାର ଆକ୍ଷରିକ ଅର୍ଥ ହେବ ଶୁଦ୍ଧ ଏବଂ ଉଦନ ,ଅର୍ଥାତ୍ ଶ୍ରେଷ୍ଠ-ଭାତ । ସେହି ଭଳି ଚୀନ ଦେଶରେ କନଫୁସିଅସ୍ ଙ୍କର ପାଣିମିଶା ଗରମ ଭାତ ବା ଯାହାକୁ ସେତେବେଳର ସ୍ଥାନୀୟ ଭାଷାରେ କୁହାଯାଉଥିଲା "କୋଞ୍ଜି" ଅତ୍ୟନ୍ତ ପ୍ରିୟ ଥିଲା । ସେହି ପାଣି ମିଶା ଗରମ ଭାତ "କୋଞ୍ଜି" ରୁ ଆମର "କାଞ୍ଜି" ଆସିଛି ବୋଲି କିଛି ଖାଦ୍ୟ-ଐତିହାସିକ ମନେ କରିଥାନ୍ତି । ସେ ଯାହା ହେଉ ଏହା ବ୍ୟତୀତ ଇସଲାମ୍ ଧର୍ମର
ପୟଗମ୍ବର ମହମ୍ମଦ ଙ୍କୁ ପରଷାଯାଉଥିବା ଖାଦ୍ୟରେ ବେଳେ ବେଳେ ଭାତ ରହୁଥିବା କଥାର କିଛି କିଛି ପ୍ରାମାଣିକ ଉଲ୍ଲେଖ ରହିଛି । ଏଇଠି କହିବାକୁ ହେବ ଯେ ପୟଗମ୍ବର ମହମ୍ମଦ ଙ୍କ ସମୟ ହେଉଛି ଖ୍ରୀଷ୍ଟୀୟ ଷଷ୍ଠ ଶତାବ୍ଦୀର ଶେଷଭାଗ ଏବଂ ସପ୍ତମ ଶତାବ୍ଦୀର ଆଦ୍ୟ ଭାଗ । ସେତେବେଳକୁ ଆରବ ସମେତ ସମସ୍ତ ଇଉରୋପକୁ ଏଠାରୁ ଚାଉଳ ଯାଇସାରିଥିଲା ଆଉ ସେହିସବୁ ଅଂଚଳରେ ଧାନ ଚାଷ ପାଇଁ ବିଶେଷ ଆଗ୍ରହ ଦେଖାଯାଇଥିଲା । ଟିକିଏ ଆଗରୁ କୁହାଯାଇଛି ଯେ ଇଉରୋପରୁ ଯିଏ ଏଠିକୁ ଆସି ଏଠିକାର ବହୁ ମୂଲ୍ୟ ପଦାର୍ଥମାନ ସେଠିକୁ ସାଥିରେ ଧରି ଯାଉଥିଲେ ସେମାନଙ୍କର ସେହିଭଳି ଏଇଠୁ ନେବା ତାଲିକାରେ ଧାନ ବସ୍ତା କି ଚାଉଳ ବସ୍ତା ନଥିଲା । ଖ୍ରୀପୂ ଚତୁର୍ଥ ଶତାବ୍ଦୀରେ ଆଲେକଜାଣ୍ଡର ଭାରତ ଆକ୍ରମଣ କରିଥିଲେ । ସେ କିନ୍ତୁ ଏଇଠୁ ଗଲାବେଳେ ସାଥିରେ ଭାରତର ଧାନ ଆଉ ଚାଉଳ କିଛି ନେଇ କି ଯାଇଥିଲେ । ଏହା ସେତେବେଳେ ଅତ୍ୟନ୍ତ ଦୁର୍ମୂଲ୍ୟ ଏକ ବିଳାସ ସାମଗ୍ରୀ ଭାବରେ ପରିଗଣିତ ହେଉଥିଲା । ଏହା କ୍ରମଶଃ ବିଶେଷ ବିଶେଷ ରାଜକୀୟ ଭୋଜୀ ରେ ସ୍ଥାନ ପାଇବାକୁ ଆରମ୍ଭ କରିଥିଲା । ଏଇ କଥାକୁ ଆଧାର କରି କୁହାଯାଏ ଯେ
ଆଲେକଜାଣ୍ଡରଙ୍କ ଯୋଗୁ ଏସିଆର ଚାଉଳ ବା " ଓରିଜା ସାଟିଭା" ଗ୍ରୀସ୍ ତଥା ସମଗ୍ର ଇଉରୋପ୍ ରେ ବ୍ୟାପୀ
ଯାଇଥିଲା । ଆପଣମାନେ ଜାଣନ୍ତି ଯେ ପ୍ରଭୂବର୍ଗର ଖାଦ୍ୟ ପ୍ରତି ସଚରାଚର ନିମ୍ନ ତଥା ସାଧାରଣ ବର୍ଗର ସବୁବେଳେ ମାତ୍ରାଧିକ ଆଗ୍ରହ ରହିଥାଏ । ସେ ଯାହାହେଉ
ପ୍ରାଥମିକ ଭାବରେ ଏଠିକାର ଚାଉଳ ଇଉରୋପ୍ ରେ ଜନପ୍ରିୟ ହେବାର କାରଣ ଟି କେବଳ ଖାଦ୍ୟ ନୁହଁ କିନ୍ତୁ କିଛି ଭିନ୍ନ କଥା ଥିଲା । ସେ ସମୟ ଗ୍ରୀସ୍ ର ପ୍ରଖ୍ୟାତ ଚିକିତ୍ସକ ଗାଲେନ୍ ଏବଂ ଆଣ୍ଟିମସ୍ ଏହି ଏସୀୟ ଚାଉଳରୁ ଏକ ଔଷଧୀୟ ଗୁଣ ର ଆବିଷ୍କାର କରିଥିଲେ । ସେମାନେ ଆବିଷ୍କାର କରିଥିଲେ ଯେ ଭାତ ରୁ ଏକ ପ୍ରସ୍ତୁତି ହେଉଛି ପେଟରୋଗର ଏକ ମହୌଷଧୀ । ଆପଣ ଜାଣନ୍ତି ମହାରଥୀ ଆଲେକଜାଣ୍ଡର ପ୍ରାୟତଃ ପେଟରୋଗରେ ଆକ୍ରାନ୍ତ ହେଉଥିଲେ । ଏବଂ ଏହି ପେଟରୋଗରେ ତାଙ୍କର ଜୀବନ ଦୀପ ଲିଭିଯାଇଥିଲା । ତେଣୁ ସମ୍ଭବତଃ ସେ ଭାରତ ର ଖାଦ୍ୟ ଭାତ ରୁ ନିଜ ପେଟରୋଗର କିଛି ନିଦାନ ଥିବା ଉପଲବ୍ଧି କରିଥିବା କାରଣରୁ ବହୁ ମୂଲ୍ୟ ପଦାର୍ଥ ଭଳି ଏଠିକାର ଚାଉଳକୁ ସେଠିକୁ ନେଇ ଯାଇଥିଲେ । ଗ୍ରୀକ୍ ଚିକିତ୍ସକ ଗାଲେନ୍ ଆଉ ଆଣ୍ଟିମସ୍ ପେଟରୋଗ ର ନିଦାନ ପାଇଁ ଭାତର ଯେଉଁ ପଥି ର ବିଧାନ କରୁଥିଲେ ତାହା ଏହିପରି । ଚାଉଳକୁ ପାଣିରେ ସିଝାଇବ । ଭାତ ହୋଇଗଲେ ସେଥିରୁ ପେଜକୁ ପୁରାପୁରି ଛାଣି ଦେବ । ତାହାପରେ ସେଇ ଗରମ ଭାତରେ ଛେଳି ଦୁଗ୍ଧ ପକାଇ ସେହି ମିଶ୍ରଣକୁ ଚୂଲିରେ ଭଲଭାବରେ କିଛି ସମୟ ଆଉଟି ଦେଉଥିବ । ଯେତେବେଳେ ଦେଖିବ ଯେ ଭାତ ପୁରାପୁରି ମଣ୍ଡ ପାଲଟିଯାଇଛି ସେତେବେଳେ ତାହାକୁ ଚୁଲ୍ଲୀରୁ ଓହ୍ଲାଇ ଗରମ ଗରମ ସେବନ
କରିବ ।
ଚାଉଳ କୁ ସିଝାଇବାକୁ ପଡେ । ତାହାପରେ ଯାଇ ତାହା ଭାତ ହୁଏ ଆଉ ତାହାପରେ ତାହା ଖାଇବା ପାଇଁ ପ୍ରସ୍ତୁତ ହୋଇ ଥାଏ । ସଂକ୍ଷେପରେ ଏମିତି ହେଉଛି ଭାତ ଆଉ ପାଣିର ସଂପର୍କ । ଭାତକୁ ପଖଳା ଯାଇଥାଏ ବୋଲି ଆମେ ତାହାକୁ କହୁ ପଖାଳ।
ଆଜି ଆମେ ଯଦି ପୃଥିବୀସାରା ଧାନଚାଷର ଗୋଟିଏ ପରିସଂଖ୍ୟାନ ନେବା ତେବେ ଦେଖିବା ଯେ ପୃଥିବୀର ପ୍ରାୟ ଦେଢଶହ କୋଟି ଲୋକ ଏଇ ଚାଷ ରେ ମନୋନିବେଶ କରିଛନ୍ତି । ସାଧାରଣ ଭାବରେ ଜଣେ ଇଉରୋପୀୟ ବର୍ଷକୁ ହାରାହାରି ଜଣପିଚ୍ଛା ଦୁଇ କିଲୋଗ୍ରାମ ର ଚାଉଳ ବ୍ୟବହାର କରୁଥିବା ବେଳେ ଭାରତ,ବାଙ୍ଗଲାଦେଶ,ଚାଇନା ଆଉ ଜାପାନ ରେ ଲୋକେ ଜଣପିଚ୍ଛା ହାରାହାରି ବର୍ଷକୁ ଦେଢଶହ କିଲୋଗ୍ରାମ ର ଚାଉଳ ବ୍ୟବହାର କରିଥାନ୍ତି । ସେଇଥିପାଇଁ ଅର୍ଥାତ୍ ପୃଥିବୀ ସାରା ଲୋକେ ଯେତିକି ପରିମାଣରେ ଧାନଚାଷ କରିଥାନ୍ତି ଆଉ ଯେଉଁ ପରିମାଣରେ ଭାତ ସେମାନଙ୍କର ପ୍ରମୁଖ ଖାଦ୍ୟ ଏବଂ ଏହା ପୃଥିବୀର ଜୀବ ସମ୍ବନ୍ଧୀୟ ପୋଷଣରେ ଯେଉଁ ଭଳି ପ୍ରମୁଖ କାରକ ପଦାର୍ଥ,ସେ ଦୃଷ୍ଟିରୁ ଦେଖିଲେ ମନେ ହେବ ପୃଥିବୀର ସୃଷ୍ଟିକର୍ତ୍ତା ଏବଂ ନିୟନ୍ତ୍ରକ ହିସାବରେ ଭାତର ଭୂମିକା ରହିଛି ଦୁଇ ନମ୍ବରରେ । ପ୍ରଥମ ନମ୍ବର ସବୁବେଳେ ତ ଈଶ୍ୱରଙ୍କର ରହିବ । ତେଣୁ ଏଇଠି ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେତେବେଳେ ଭାତ ରାଜୁତି କରେ,ଏହା ବସ୍ତୁତଃ କ୍ଷମତାର ପରିସରକୁ ଶାସନ କରେ,ସମସ୍ତ ବୈଷୟିକ ବ୍ୟବସ୍ଥାପନାକୁ ସଂଚାଳନ କରେ ,ସଂପର୍କରେ ନୈର୍ବ୍ୟକ୍ତିକତାକୁ ପ୍ରତିଷ୍ଠା କରେ ଏବଂ ସମସ୍ତ ସମସ୍ତ ଧାର୍ମିକ ପ୍ରଥାକୁ ସେ ଅନୁସରଣ ବି କରିଥାଏ ।
ଭାତ ର ଏହି ଭଳି ପ୍ରାୟତଃ ନିୟନ୍ତ୍ରକ ର ପ୍ରଭାବ ଆମର ଚେତନାରେ ବି ରହିଥାଏ । ଆମେ ତେଣୁ ଭାତ ର ଆତ୍ମା ର ଅସଲ ସ୍ୱରୂପକୁ ଆମ ଆମ ଭିତରେ ନିର୍ମାଣ
କରିଥାଉ ।
କେତୋଟି ଭାତ କାହାଣୀରୁ ଏବେ ଭାତକୁ ବୁଝିବାକୁ ଚେଷ୍ଟା କରାଯାଉ ।
ଇଣ୍ଡୋନେସିଆ ହେଉଛି ଗୋଟିଏ ପ୍ରମୁଖ ଭାତଜୀବୀ ଦେଶ । ସେଠିକାର ଗୋଟିଏ ପ୍ରଚଳିତ ରୂପକଥା କୁ ଦେଖାଯାଉ । ସେଠାରେ ଅନ୍ତ ନାମରେ ଜଣେ ଦେବତା ଥିଲେ । ଦେବତା ହିସାବରେ ସେ କିନ୍ତୁ ଜଣେ ଦରିଦ୍ର ଦେବତା । ତାଙ୍କର ହାତ କି ଗୋଡ ନଥିଲା ,ଥିଲା ଖାଲି ଗୋଟିଏ ମୁଣ୍ଡ ଆଉ ସାପ ଭଳି ଦେହ । ସେ ପ୍ରାୟତଃ ଘୁଷୁରି ଘୁଷୁରି ଯାଉଥିଲେ । ସେଇଠି ଯିଏ ସବୁଠୁ ବଡ ଦେବତା ଯାହାଙ୍କ ନାଆଁ ବତର ଗୁରୁ ତାଙ୍କର ଗୋଟିଏ ବଡ ଦେଉଳ ତୋଳା ଯିବାର ଆୟୋଜନ ହୋଇଥିଲା ଆଉ ସେଠିକାର ଅନ୍ୟ ସବୁ ଦେବତାଙ୍କୁ କୁହାଯାଇଥିଲା ସେଇ ଭବ୍ୟ ଦେଉଳ ପାଇଁ କିଛି କିଛି ଉପହାର ସାଥିରେ ଧରି ଆସିବେ । ବିଚରା ଅନ୍ତ ସାଥିରେ କିଛି ନ ନେଇ ସେଠିକୁ ଯିବାର ଦୁଃଖକୁ ଭୋଗୁଥାଏ । ଏତିକିବେଳେ ଆକାଶରେ ଗୋଟିଏ ଛଂଚାଣ ଅନ୍ତ ର ଏମିତି ଅବସ୍ଥା ଦେଖି ତାହାକୁ ଟାପରା କଲା । ଅନ୍ତ ର ଆଖିରୁ ତେଣୁ ତିନି ବୁନ୍ଦା ଲୁହ ଖସି ପଡିଥିଲା । ସେହି ତିନିବୁନ୍ଦା ଲୁହ ଦେଖିଲା ବେଳକୁ ତିନୋଟି ଅଣ୍ଡା ପାଲଟି ଗଲେ । ସେହି ଦୁଷ୍ଟ ଛଞ୍ଚାଣ କିନ୍ତୁ ସେଇ ତିନୋଟି ଅଣ୍ଡାରୁ ଦୁଇଟିକୁ ନଷ୍ଟ କରିଦେଲା । ଅବଶିଷ୍ଟ ଅଣ୍ଡାଟି ଫୁଟି ସେଥିରୁ ଗୋଟିଏ ଅନିନ୍ଦ୍ୟ ସୁନ୍ଦରୀ କନ୍ୟା ଜନ୍ମ ନେଲା । ତାହାର ରୂପରେ ସଭିଏଁ ମୋହିତ
ହୋଇଗଲେ । ଏପରିକି ଏଇ ନବଜାତ କନ୍ୟାକୁ ସ୍ତନ୍ୟଦାନ ପାଇଁ ଆଗଭର ହୋଇଥିଲେ ଖୋଦ୍ ସର୍ବଶ୍ରେଷ୍ଠ ଦେବତା ବତର ଗୁରୁ ଙ୍କ ପତ୍ନୀ ସ୍ୱଂୟ । କନ୍ୟାର ନାଆଁ ସାମିଅମ୍ ଶ୍ରୀ । ସେ ଚନ୍ଦ୍ରକଳା ଭଳି ବଢିବାରେ ଲାଗିଲା । ଏତିକି ବେଳେ ତାହାର ରୂପରେ ମୋହିତ ହୋଇ ସର୍ବଶ୍ରେଷ୍ଠ ଦେବତା ବତର ଗୁରୁ ନିଜେ ତାହାକୁ ନିଜର ଶଯ୍ୟାସଂଗିନୀ କରିବାକୁ ଚାହିଁଲେ । ଏହା କିନ୍ତୁ ଅଜାଚାର ବା ଇନସେଷ୍ଟ କାରଣ ବତର ଗୁରୁଙ୍କ ପତ୍ନୀ ସାମିଅମ୍ ଶ୍ରୀକୁ ସ୍ତନ୍ୟଦାନ କରିଛନ୍ତି । ସେ ଦୃଷ୍ଟିରୁ ସାମିଅମ୍ ଶ୍ରୀ ତାଙ୍କର ଧର୍ମତଃ କନ୍ୟା ହେବ । ମାତ୍ର ବତର ଗୁରୁଙ୍କୁ ରୋକିବ କିଏ ? ତେଣୁ ସବୁ ଅନ୍ୟ ଦେବତାମାନେ ଏକାଠି ହୋଇ ସାମିଅମ୍ ଶ୍ରୀକୁ ଭୂଇଁରେ
ପୋତିଦେଲେ । ତାହାପରେ ତାହାର ଦେହରୁ ବାହାରିଥିଲା ଅନ୍ୟ ଗଛବୃଚ୍ଛ ମାତ୍ର ତାହାର ଆଖି ଦୁଇଟିରୁ ଜନ୍ମ ନେଇଥିଲା ଧାନ ଗଛ ।
ଇଣ୍ଡୋନେସିଆର ଏଇ ସାମିଅମ୍ ଶ୍ରୀର ଧାନଗଛ ପାଲଟି ଯିବାର କାହାଣୀ ଇଣ୍ଡୋଚୀନ୍ ଏବଂ ଜାପାନ ରେ ବହୁଳ ଭାବରେ ପ୍ରଚଳିତ । ଏହି ଅଂଚଳରେ ଧାନକୁ ଗୋଟିଏ ନାରୀ ହିସାବରେ ବିବେଚନା କରାଯାଏ । ସେଇ
ଧାନ-ନାରୀ କିନ୍ତୁ ଅତ୍ୟନ୍ତ ନମ୍ର ,ଅପରୂପା ଏବଂ ଭୟାଳୁ । ପୁରୁଷ ମାନଙ୍କର ସ୍ପର୍ଶକୁ ସେ ଏଡାଇଯିବାକୁ ଚାହେଁ । ସେଇଥିପାଇଁ ପୁରୁଷ ମାନେ ହଳ କରି କ୍ଷେତ୍ରଟି ପ୍ରସ୍ତୁତ କରିଥାନ୍ତି ସତ ମାତ୍ର ବୀଜ ବୁଣିବା ଅର୍ଥାତ୍ ରୋଇବା କାମଟି କରିଥାଏ ନାରୀ । ଧାନ-ନାରୀ ର ଏଇ କାହାଣୀ ହେଉଛି ଯେମିତି ପୁରୁଷ ର ସଂଭାବିତ ଧର୍ଷଣକୁ ପ୍ରତିରୋଧ କରିବାର କାହାଣୀ । ସେଇଥିପାଇଁ ତ ଧାନ-ନାରୀକୁ ସର୍ବଶେଷ ତଥା ଚିରକାଳୀନ ସାନିଧ୍ୟ ଦେବାପାଇଁ ନାରୀ ହିଁ ରହିଥାଏ । ସେ ତେଣୁ ଭାତ ରାନ୍ଧେ ।
ଥାଇଲାଣ୍ଡରେ ଧାନ ଗଛ ବଢିବାକୁ ଗର୍ଭବତୀ ନାରୀ ଭଳି ବିଚାର କରିଥାନ୍ତି । ସେଇଥିପାଇଁ ସେମାନେ ଦର୍ପଣ,ବାସନା ଅତର,ଭଳିକି ଭଳି ଖାଦ୍ୟ ଧରି ଆସି ଧାନବିଲ ନିକଟରେ ଅର୍ପଣ କରିଥାନ୍ତି । ଏହି ପୂଜା ସଂପୂର୍ଣ୍ଣ ଭାବରେ ନାରୀମାନଙ୍କ ଦ୍ୱାରା ହୋଇଥାଏ। ପୁରୁଷ ମାନେ ଯେହେତୁ ସୌନ୍ଦର୍ଯ୍ୟର ଅପବ୍ୟବହାର କରିଥାନ୍ତି ତେଣୁ ସେମାନଙ୍କର ଦୃଷ୍ଟି ପଡିଲେ ଚାଷ-ଖରାପ ହେବ ସେଇଥିପାଇଁ ସେମାନଙ୍କୁ ବାରଣ କରାଯାଇଥାଏ । ଅମଳ ସମୟରେ ନାରୀମାନେ କନାରେ ହାତେ ଲମ୍ବର ଗୋଟିଏ କଣ୍ଢେଇ ତିଆରି କରି ବିଲକୁ ଯାଇଥାନ୍ତି ଆଉ ଏଇ କଣ୍ଢେଇ ଭିତରେ ଧାନ ର ଆତ୍ମାକୁ ଧରି ଫେରିଥାନ୍ତି ନିଜ ନିଜ ର ଘରକୁ । ଧାନ ର ଆତ୍ମା ରହିଥିବା ଏଇ ଧାନ-କଣ୍ଢେଇ କୁ ସେମାନେ ନିଜ ନିଜର ଅମାରରେ ରଖିଥାନ୍ତି । ତାହାପରେ ଧାନର ଚାଉଳ ହେବା ଆଉ ସେଥିରୁ ଭାତ ହେବା ଏବଂ ତାହାକୁ ଖାଦ୍ୟ ଆକାରରେ ଗ୍ରହଣ କରିବା ହେଉଛି ଧାନର ମରଣୋପରାନ୍ତ କାର୍ଯ୍ୟକ୍ରମ । ଅମାର ରେ ଥିବା
ଧାନ-କଣ୍ଢେଇ ଭିତରେ ଥିବା ଧାନର ଆତ୍ମାରୁ ପରବର୍ତ୍ତୀ ଶସ୍ୟ ଜନ୍ମ ନେଇଥାଏ ।
ଥାଇଲାଣ୍ଡରେ ଜଣେ ଧାନର ଦେବୀ ଅଛନ୍ତି ।ତାଙ୍କର ନାଆଁ " ମେଆଇ ଗୋସପ୍"। ଏବଂ ଥାଇ ଅଧିବାସୀଙ୍କ ବିଶ୍ୱାସ ଅନୁସାରେ ସେଇ ଦେବୀମାଆ ର କ୍ଷୀର ହେଉଛି ଭାତ । ଏଇ ଭାତ ବା ମେଆଇ ଗୋସାବଙ୍କ ପବିତ୍ର କ୍ଷୀର ଭିତରେ ରହିଛି ମାଆଙ୍କର ଗୋଟିଏ ଅକ୍ଷୟ ଏବଂ ଅବତାରୀ ଆତ୍ମା ଯାହାକୁ ସେମାନେ କହନ୍ତି "ଖ୍ୱାନ୍" । ଧାନଦେବୀ ଙ୍କର ସେହି ଆତ୍ମା ର ଅଂଶ ଅର୍ଥାତ୍ ଖ୍ୱାନ୍ ମଣିଷକୁ ସାଧାରଣତଃ ପାଳିତ କରିଥାଏ ।
ହିନ୍ଦୁମାନେ ଧାନକୁ ଉର୍ବରତା ର ପ୍ରତୀକ ହିସାବରେ ବିଚାର କରିଥାନ୍ତି । ହିନ୍ଦୁ ବିବାହ ସମୟରେ ବରକନ୍ୟା ଉଭୟେ ଏକାଠି "ଖଇ" କୁ ଅଗ୍ନିକୁ ସମର୍ପଣ କରିବା ଆଳରେ ଉର୍ବରତାକୁ ଆହ୍ୱାନ କରିଥାନ୍ତି ।
ଭାତ କୁ ନେଇ ଆଧୁନିକ ସମୟରେ ଏକ ଗବେଷଣାବେଳେ ଜଣା ପଡିଛି ଯେ,ଜଣେ ସାଧାରଣ ଲୋକର ନିଜ ଶରୀର-ପୋଷଣ ଦୈନିକ ୩୯୦୦ କାଲୋରୀର ଆବଶ୍ୟକତା ପଡିଥାଏ ଆଉ ସେଥିରୁ ସେ ପ୍ରାୟ ୩୫୦୦ ପରିମାଣର କାଲୋରୀ କେବଳ ଚାଉଳ ରୁ ସହଜରେ ସଂଗ୍ରହ କରିନେଇଥାଏ।ତେଣୁ ଆମର ସାଧାରଣ ଲୋକର ଖାଦ୍ୟ ତଥା ପୋଷକ-ନିର୍ଭରତା ଚାଉଳ ଉପରେ ନିର୍ଭର କରିଥାଏ।ତଦନୁଯାୟୀ ଆମର ସମସ୍ତ ବିଚାର ତଥା ଶାସ୍ତ୍ର ସବୁ ଅନ୍ନମୟ ହୋଇଯାଆନ୍ତି,ଗହମ-ମୟ ନୁହଁ।ଆମର ସମସ୍ତ ଲୌକିକ ଏବଂ ପାରଲୌକିକ ଅବସ୍ଥାନରେ ଆମେ ଭାତ କୁ ମୁଖ୍ୟାଂଶରେ ରଖିଥାଉ। ଆମେ ଦେବତାକୁ,ପିତୃପୁରୁଷକୁ ଅନ୍ନ ପ୍ରଦାନ କରିଥାଉ। ଅବଶ୍ୟ ଏହି ସବୁ ଭାତ ସବୁବେଳେ ଚୁଲ୍ଲୀରୁ ବାମ୍ଫ ଉଠୁଥିବା ଭାତ,ପଖାଳ ନୁହଁ।ସାଧାରଣ ଭାବରେ ଦେଖିଲେ ଆମର ଅର୍ପଣ ରମୁଖ୍ୟ ଭାବରେ ରହିଥାଏ ଗରମ ଭାତ। ସଦ୍ୟ ଗରମ ଭାତ।
ଆମର ବସ୍ତୁସ୍ଥିତିକୁ ବୁଝାଇବା ପାଇଁ ଗୋଟିଏ ପ୍ରୟୋଗର କଥା ମନକୁ ଆସୁଛି।କୁହାଯାଏ ଯେ,ଅମୁକ ର ଘରେ ଦିବେଳା ଚୁଲ୍ଲି ଜଳେନାହିଁ।ଜଣକ ଘରେ ଦିବେଳା ଚୁଲ୍ଲି ଜଳୁନାହିଁ ଅର୍ଥ ତାହା ଘରେ ଗରମ ଭାତ କେଉଁ ଭୂତ କାହାଣୀକୁ ପ୍ରବେଶ କରିବ ଯେ ?ତେଣୁ ସେଇଠି ଭାତ କୁ ନେଇ ଏକ ବର୍ଗ-ବ୍ୟବଧାନ ପ୍ରସ୍ତୁତ ହୋଇଯାଇଛି।ଅଭିଜାତ ବର୍ଗ କହିଲେ ସବୁବେଳେ ଆୟତ୍ତରେ ଥିବା ଜଳୁଥିବା ଏକ ଚୁଲ୍ଲି ଆଉ ହାଣ୍ଡିରେ ବାମ୍ଫ ଉଠା ଭାତ(ଉପସ୍ଥିତ ଲେଖକର ଅନୁଭବରେ ଅତୀତର ଭାତରୁ ଉଠୁଥିବା ବାମ୍ଫ ଚିରକାଳ ସବୁଠୁ ସୁନ୍ଦର ବାସ୍ନା। ଆହା !ସେତେବେଳେ ଏତେ ଭୋକ ଥିଲା ଆଉ ଆଜି ଭୋକ ପାଇଁ ନିକଟସ୍ଥ ହର୍ବାଲ୍ ମେଳାରୁ ରାଷ୍ଟ୍ରପତି ପଦକ ପ୍ରାପ୍ତ ବୈଦ୍ୟରାଜଙ୍କ ନିକଟରୁ କିଣିବାକୁ ହେଉଛି,ବୃହତ୍ ଜୀର୍ଣ୍ଣଜୀରାକାଦି ମୋଦକ।) ଆଉ ନିମ୍ନବର୍ଗ କହିଲେ ଏକ ଉଦାସ ଚୁଲ୍ଲିମୁଣ୍ଡ,ହାଣ୍ଡିରେ ଆଣ୍ଠୁ ନଲୁଚିବା ବଳକା ଭାତ ଆଉ ସେଥିରେ ପର୍ଯ୍ୟାପ୍ତ ପାଣି ଆଉ ମୁନ୍ଦେ ତୋରାଣି ଜୁଆଣ ଦେଇ ତିଆରିହୋଇଥିବ ପଖାଳ।
ଦରିଦ୍ର ତଥା ନିମ୍ନବର୍ଗ ପାଇଁ ତେଣୁ ପଖାଳ ହେଉଛି ଏକମାତ୍ର ଆତ୍ମ ପରିଚୟ। ନିଜ ଲହୁଲୁହ ଦେଇ ସେ ପଖାଳ ଅର୍ଜନ କରେ,ଲୁଣ କିଣେ ଆଉ ଆଖପାଖରେ ତାହା ପାଇଁ ଉପଲବ୍ଧ ଥାଏ ନାନାଜାତି ଶାଗ ଆଉ କଂଚାଲଙ୍କା।ସେଇଠୁ ଆମମାନଙ୍କ ଭଳି ଅତି ସାଧାରଣ ର ଗୋଟିଏ ପରିଚୟ ତିଆରି ହୋଇଯାଏ।ଆମେ ଓଡିଆ,ଶାଗପଖାଳ ଆମର ଆମର ପରିଚୟ,ଠିକ୍ ଯେମିତି ଆମର ପ୍ରତିବେଶୀ ବଙ୍ଗାଳୀମାନେ କହିଥାନ୍ତି,ଭାତମାଛ ତାଙ୍କର ପରିଚୟ।
ତେଣୁ ପଖାଳ କୁ ଆମେ ଜୀବନ ଧନ ବୋଲି ଆବାହନ କଲାବେଳେ ଆମର ଖାଦ୍ୟବିଚାରକୁ ନେଇ ଆମର ଯେଉଁ ପରିଚୟଟି ଗଢି ଉଠିଛି,ତାହା ଏକ ଅତ୍ୟନ୍ତ ନିମ୍ନବର୍ଗରୁ ସଂଭୂତ ଅଥଚ ପ୍ରଚଣ୍ଡ ଉର୍ଜାବାନ୍ ଓଡିଆର ପରିଚୟ।ଶାଗପଖାଳ ସହିତ ଆମେ ନିଜର ଅତି ସାଧାରଣ ତଥା ଅସାଧାରଣ ଉଦ୍ଦେଶ୍ୟରେ ଅବିରତ ପ୍ରୟାସଶୀଳ ଆମର ଓଡିଆ ଉତ୍ସଟିକୁ ଖୋଜି ପାଉ ।
ଅଭିଜାତ ଓ ନିମ୍ନବର୍ଗ ର ଚେତନାର ସଂଘାତ ତ ଚିରକାଳ।ଗରମ ଭାତ ବନାମ ପଖାଳ ଭାତ ର ଶ୍ରେଣୀ ସଂଘର୍ଷ ସଂପର୍କରେ ଢେର୍ କଥା ଲେଖା ହୋଇ ରହିଛି।ଏବଂ ଲେଖା ଚାଲିଛି।ଏଇ ଅସମ ସମରରେ ଜଣେ ପରାସ୍ତ ହେବାର ଔପଚାରିକତାକୁ କେଉଁ ଭଳି ଅନାୟାସରେ ପ୍ରତିବେଦନ କରାଯାଇପାରିବ,ସେଇ କଥାକୁ କେନ୍ଦ୍ର କରି ଆମର ସମସ୍ତ ଆନୁଷ୍ଠାନିକ ବ୍ୟବସ୍ଥାପନା ସଜବାଜ ହେଉଛନ୍ତି।ଆଗରୁ ସେମିତି ହେଉଥିଲା ଆଉ ଏବେ ବି ସେମିତି।
ଏ ସଂପର୍କରେ କହିବାକୁ ଚାହିଁବି ଖ୍ରୀଅ ୧୮୮୦ ରୁ ପ୍ରକାଶିତ ଅନେକ ପାକଶାସ୍ତ୍ରରେ ଭାତ ଓ ଭାତର ବିଭିନ୍ନ ବିଭିନ୍ନ ପାକ-ବର୍ଣ୍ଣନା ଅନେକ ଇଉରୋପୀୟ କରିଯାଇଛନ୍ତି।ପରେ ଇରୋପୀୟ ଓ ଭାତ ଭଳି ଏକ ବିଷୟରେ ଏକ ଦୀର୍ଘ ଆଲେଖ୍ୟ ଲେଖାଯାଇ ପାରେ।କିନ୍ତୁ ଉପସ୍ଥିତ ଲେଖକ ଯେଉଁ ସବୁ ଇଉରୋପୀୟ ପାକଶାସ୍ତ୍ର କୁ ଅନୁଧ୍ୟାନ କରିଛି ସେଥିରେ କେଉଁଠି ପଖାଳର ବର୍ଣ୍ଣନା ନାହିଁ ।କେବଳ ଖ୍ରୀଅ ପଂଚଦଶ ଶତାବ୍ଦୀର ଶ୍ରୀମତ ଶଂକରଦେବ ବିରଚିତ ଶ୍ରୀରାମଭାଗବତରେ ପଖାଳର ସୂଚନା ଅଛି। ଇଉରୋପୀୟ ମାନଙ୍କ ଭାରତୀୟ ପାକଶାସ୍ତ୍ରରେ ଭାତ ତଥା ପଲାଉ ର ଅନେକ ବର୍ଣ୍ଣନା ରହିଛି।ଏପରିକି କାଂଜିର ପ୍ରସ୍ତୁତି କଥା ରହିଛି ହେଲେ ପଖାଳର ସୂଚନା ମାତ୍ର ନାହିଁ।
ଏଇଠି ଏ କଥା କୁହାଯାଇପାରିବ,ଆମର ସମକାଳୀନ ଓଡିଶାରେ ଖାଦ୍ୟ ଚିନ୍ତା ଅପେକ୍ଷା ଦାର୍ଶନିକ ଚିନ୍ତାଟି ଆମ ବୌଦ୍ଧିକ ମହଲରେ ଅଧିକ ଚର୍ଚ୍ଚାରେ ଥାଏ।ତେଣୁ ଆମେ ଖାଦ୍ୟ ଇତିହାସ ଉପରେ ବିଧିବଦ୍ଧ ଚିନ୍ତା କରିବାକୁ ଆମ ସମୟର ଅପଚୟ ବୋଲି ଭାବୁ।ଆମର ଲୋକକ୍ଷେତ୍ରରେ ଯେଉଁମାନେ ପ୍ରତିଷ୍ଠିତ ସେମାନେ ଗଭୀର ରାଷ୍ଟ୍ର ଉପରେ ଗଭୀର ମଧ୍ୟରାତ୍ରୀ ଚିନ୍ତନରେ ବ୍ୟସ୍ତ।ସାଧାରଣ ଓଡିଆର ଖାଦ୍ୟ,ବସ୍ତ୍ର ,ବାସଗୃହ,ଲୋକାଚାର ଆଦି ସଂପର୍କରେ ଚର୍ଚ୍ଚା କୁ ସେମାନେ ସଂସ୍କୃତିଚର୍ଚ୍ଚାର ଉଚ୍ଚବର୍ଗର ଇଲାକାଭୂକ୍ତ କରିବାକୁ ଚାହାଁନ୍ତି ନାହିଁ।
ଓଡିଆ ସଂସ୍କୃତି ସଂପର୍କରେ ଆମର ଶିକ୍ଷକ ପ୍ରଫେସର୍ ହୃଦାନଂଦ ରାୟଙ୍କର ଗୋଟିଏ କଥା ଉପସ୍ଥିତ ଲେଖକ ପ୍ରାୟତଃ ନିଜ ପିଲାମାନଙ୍କୁ କହିଥାଏ।ପ୍ରଫେସର୍ ରାୟ ଥରେ ଆମକୁ କହିଥିଲେ, ଓଡିଆ ସଂସ୍କୃତିଟି ହେଉଛି,ନିଜେ ଭଲ ଖାଇବ,ଅନ୍ୟକୁ ଖୁଆଇବ ଆଉ ଅନ୍ୟ କିଏ ଖାଉଥିବାର ଦେଖିଲେ ଆହ୍ଲାଦିତ ହେବ।
ପ୍ରଫେସର ରାୟଙ୍କ ଭଳି ଓଡିଆ ସଂସ୍କୃତିର ଏମିତି ସହଜ ସରଳ ଆଉ ସୁନ୍ଦର ବ୍ୟାଖ୍ୟା ଆଉ ଦ୍ୱିତୀୟ ନାହିଁ।
କିନ୍ତୁ ଆମେ ଯଥାଯଥ ଖାଦ୍ୟଚର୍ଚ୍ଚା ନକରି ପାଗ ଭିଡୁ ଯୁଦ୍ଧକୁ,ଏହି ଭଳି ଅହଙ୍କାର ସହ ଯେ ଆମେ ଶ୍ରେଷ୍ଠ,ଆମେ ଅବିଜିତ।
କହିବା ବାହୁଲ୍ୟ,ଇଉରୋପୀୟ ମାନଙ୍କ ପାକଶାସ୍ତ୍ରରେ ପଖାଳ ନଥିବାର ଏକମାତ୍ର କାରଣ ହେଉଛି ,ପଖାଳ ସବୁବେଳେ ସାଧାରଣ ଲୋକଙ୍କ ଖାଦ୍ୟ।ବଳକା ଖାଦ୍ୟକୁ ସହଜରେ ସଂଚୟ କରିରଖିବାର ଖାଦ୍ୟ।ତେଣୁ ଏହା ଅଭିଜାତ ବର୍ଗ ଙ୍କ ଖାଦ୍ୟତାଲିକାରେ ରହିବ ବା କେଉଁପରି?
ମାର୍ଚ୍ଚ ମାସର ୨୦ ତାରିଖଦିନ ଓଡିଆମାନେ ପଖାଳ ଦିବସ ପାଳନ କରୁଛନ୍ତି ଦେଖିଲେ ଭାରି ଆନନ୍ଦ ଲାଗେ। ପଖାଳ ଦିବସ ପାଳନର ବ୍ୟାପକତାକୁ ଦେଖି ଆଜିର ଓଡିଶାରେ ଏହା ତଥାକଥିତ ଏଲିଟିଜମ୍ ବିରୁଦ୍ଧରେ ଏହା ଏକ ସଶକ୍ତ ପ୍ରତିବାଦ ବୋଲି ଭାବିଲେ ଅଧିକ ଆନନ୍ଦ ଲାଗେ।ଆଉ ଓଡିଆର ପରିଚୟ ଏମିତି ତାହାର ନିହାତି ସାଧାରଣ ପଣରେ ରହିଛି ବୋଲି ମନକୁ ଆସିଲେ ସବୁଠୁ ବେଶି ଆନନ୍ଦ ଲାଗେ।
ପଖାଳ ଦିବସର ଶେଷ କଥା ଏମିତି ହେଉ ।
ଶାଗପଖାଳରେ ଆମେ ଏମିତି ରହିବାରେ ସେତେ ଦୁଃଖ ନାହିଁ। କହିବାକୁଗଲେ ଆମର ତ ଭବିଷ୍ୟତ ବୋଲି ସେମିତି ଆଉ କିଛି ନାହିଁ। ମାତ୍ର ଯେତେବେଳେ ଆମର ସ୍ୱର୍ଣ୍ଣପ୍ରସୂ ଦେଶର ଅର୍ଥମୂଲ୍ୟକୁ ନିର୍ଦ୍ଧାରଣ କରି ତାହାପରେ ତାହାକୁ ମୁଷ୍ଟିମେୟ ଅତିଅଭିଜାତ ବର୍ଗ ହାତରେ ବିକ୍ରୀକରିଦେବାର ଆୟୋଜନ ଚାଲିଛି ସେତେବେଳେ ଆମର ପିଲାଏ ଦୁଧଭାତରେ ରହନ୍ତୁ ବୋଲି କହିବା ବେଳକୁ କଥାମାନ ଅଟକି ଯାଉଛି ତଣ୍ଟିରେ।ବିଷମ ବଡ ପଖାଳ ଗୁଣ୍ଡାଏ ଭଳି।
ଶେଷରେ ପଖାଳ ବା ଭାତ ସଂପର୍କରେ ଗୋଟିଏ କଥା ଆମର ମନେ ରଖିବା ଉଚିତ୍ । ଆମ ର ସାମଗ୍ରିକ ବିଶ୍ୱଦୃଷ୍ଟିରେ ଦେଖିଲେ ଭାତ ବା ପଖାଳ ହେଉଛି ଗୋଟିଏ ସରଳ ,ଉପଯୋଗୀ ଏବଂ ଅତ୍ୟନ୍ତ ନମ୍ର ଖାଦ୍ୟଶସ୍ୟ ବା ସେରିଆଲ୍ । ଈଶ୍ୱରଙ୍କ ପରେ ପୃଥିବୀର ଦ୍ୱିତୀୟ ସର୍ବଶ୍ରେଷ୍ଠ ଏହି ନିୟାମକ ଖାଦ୍ୟଟି ହେଉଛି ଏକମାତ୍ର ପ୍ରମୁଖ ଖାଦ୍ୟ ଯିଏ ନିଜର ସ୍ୱାଦକୁ ଅନ୍ୟ ଉପରେ ବସ୍ତୁତଃ ଆଦୌ ଜାହିର୍ କରେନାହିଁ ବରଂ ନିଜେ ଅନ୍ୟ ସମସ୍ତଙ୍କ ସ୍ୱାଦକୁ ନିଜର ବିନମ୍ରପଣରେ ବହୁଗୁଣିତ କରିଥାଏ ।
ପଖାଳ ଦିବସ ପାଳନ କରିବା ବେଳରେ କଂସାମୁହଁରେ ଆମର କେବଳ ଦେଖିବାର କଥା ଏତିକି, କିଏ ମୂଖ୍ୟ ଆଉ କିଏ ଗୌଣ ? ଆମର ଜୀବନ ହଂସା ର କଥା ତ ସେତିକି ।