ବନ୍ଦ ଲଫାପାର ସରକାର, ଆଉ ନୁହେଁ !!

ବନ୍ଦ ଲଫାପାର ସରକାର, ଆଉ ନୁହେଁ !!

ଆଜି ସୁପ୍ରିମକୋର୍ଟରେ "ସମାନ ରାଙ୍କ ସମାନ ପେନସନ" ମାମଲାର ଶୁଣାଣି ଚାଲିଥିବାବେଳେ ମାନ୍ୟବର ମୁଖ୍ୟ ବିଚାରପତି ଜଷ୍ଟିସ ଧନଞ୍ଜୟ ଚନ୍ଦ୍ରଚୁଡ ଭାରତ ସରକାର ଏ ସମ୍ପର୍କରେ ବନ୍ଦ ଲଫାପାରେ ଦେଇଥିବା ତଥ୍ୟକୁ ସିଧା ସିଧା ଖାରଜ କରି ଦେଇଛନ୍ତି। ଏ ପ୍ରସଙ୍ଗରେ ମୁଖ୍ୟ ବିଚାରପତି କହିଛନ୍ତି ଯେ ବନ୍ଦ ଲଫାପାରେ ତଥ୍ୟ ଗ୍ରହଣ କରିବା ନ୍ୟାୟ ପ୍ରକ୍ରିୟାର ବିରୋଧୀ ଏବଂ ଏହା ସବୁଦିନ ପାଇଁ ବନ୍ଦ ହେବା ଉଚିତ। ସରକାର ଅଦାଲତରେ ରଖୁଥିବା ତଥ୍ୟ ଗୋପନୀୟ ରହିପାରିବ ନାହିଁ। ପୃଥିବୀର ସବୁ ନ୍ୟାୟାଳୟରେ ତଥ୍ୟକୁ ଗୋପନ ରଖିବାକୁ ଅନୈତିକ ବୋଲି ଗ୍ରହଣ କରାଯାଏ। ଜଷ୍ଟିସ ରଞ୍ଜନ ଗୋଗୋଇ ମୁଖ୍ୟ ବିଚାରପତି ଥିବା ସମୟରେ ସୁପ୍ରିମକୋର୍ଟରେ ଏହି ଅନୈତିକ ପରମ୍ପରା ଆରମ୍ଭ ହୋଇଥିଲା।

ମୋଦୀ ସରକାର ସବୁବେଳେ ତଥ୍ୟ ଓ ସତ୍ୟକୁ ଗୋପନ ରଖିବାକୁ ଚାହାନ୍ତି କାହିଁକି? ଗଣତନ୍ତ୍ରରେ କେବଳ ଦେଶର ସମ୍ବେଦନଶୀଳ ସୁରକ୍ଷା ପ୍ରସଙ୍ଗକୁ ବାଦ୍ ଦେଲେ ଆଉ କିଛି ବି ଗୋପନୀୟ ରହିବା କଥା ନୁହେଁ। ଆମେରିକା ଓ ୟୁରୋପୀୟ ଦେଶ ଗୁଡିକ ଏକ ନିର୍ଦ୍ଦିଷ୍ଟ ସମୟ ପରେ ସୁରକ୍ଷା ସମ୍ପର୍କୀୟ କ୍ଲାସିଫାଏଡ୍ ନଥି ସବୁକୁ ମଧ୍ୟ ସାଧାରଣ ତଥ୍ୟ ଭାବରେ ଲୋକଙ୍କ ପାଇଁ ଖୋଲି ଦିଅନ୍ତି। ଏ ପ୍ରସଙ୍ଗରେ ଭାରତ ହେଉଛି ଏକ ବ୍ୟତିକ୍ରମ। ସରକାରଙ୍କ ବନ୍ଦ ଲଫାପାକୁ ଗୋପନରେ ପଢି ଆମର ବିଚାରପତି ମାନେ ସରକାର ସପକ୍ଷରେ ରାୟ ଦିଅନ୍ତି। ଏହାର ଦୁଇଟି ଖରାପ ଉଦାହରଣ ଆମେ ସିବିଆଇ ନିର୍ଦ୍ଦେଶକ ନିଯୁକ୍ତି ମାମଲା ଓ ରାଫାଲେ ଦୁର୍ନୀତି ମାମଲାରେ ଦେଖିଛୁ। ସରକାର କ'ଣ କହିଲେ ଓ ବିଚାରପତି କଣ ବୁଝିଲେ, ତାହା ସେମାନେ ଜାଣନ୍ତି। ଦେଶ ଆଖିରେ ଅନ୍ଧପୁଟୁଳି ବାନ୍ଧି କୁହାଗଲା ଯେ, ଏ ସବୁ ମାମଲାରେ ସବୁ ଠିକ ଅଛି। ଦେଶ କିନ୍ତୁ ଜାଣିବା ଦରକାର ଯେ, ସବୁ ଯଦି ଠିକ୍ ଅଛି ତା'ହେଲେ ତାକୁ ଗୋପନ କାହିଁ ରଖାଯାଉଛି।

ସମାନ ରାଙ୍କ ସମାନ ପେନସନ ବ୍ୟବସ୍ଥା କରି ଆମେ ଇତିହାସ ସୃଷ୍ଟି କରିଛୁ ବୋଲି ମୋଦୀ ସରକାର ବୁଲି ବୁଲି ଆତ୍ମପ୍ରଚାର କରିଥିଲେ। ହେଲେ ବାସ୍ତବରେ ଏ‌ହା ଯେ ସରକାରଙ୍କ ଡାହା ମିଛ, ତାହା ଆଜି ଅଦାଲତରେ ପ୍ରମାଣିତ ହୋଇ ଯାଇଛି। ଗୋପନ ଲଫାପାରେ ସରକାର ଯେଉଁ ତଥ୍ୟ ଦେଇଥିଲେ ସେଥିରୁ ଗୋଟେ କଥା ଜଣା ପଡିଗଲା ଯେ ପୁରୁଖା ସେନା ଅଧିକାରୀଙ୍କୁ ସେମାନଙ୍କ ବଳକା ଅର୍ଥ ଦେବାକୁ ସରକାର ବଜେଟରେ ବ୍ୟବସ୍ଥା କରିନାହାନ୍ତି । ୨୦୧୯-୨୨ ପାଇଁ ବକେୟା ଥିବା ପୁରୁଖା ସେନାବାହିନୀ ଅଧିକାରୀଙ୍କ ଏରିୟରବାବଡକୁ ୨୦ ହଜାର କୋଟି ଟଙ୍କା ସରକାର ଦେବାକୁ ଟାଳଟୁଳ ନୀତି ଗ୍ରହଣ କରୁଛନ୍ତିଏଇ କଥାଟିକୁ ସରକାର ଲୁଚାଇବାକୁ ଚାହୁଁଥିଲେ

ଯେତେବେଳେ ଆଟର୍ଣ୍ଣି ଜେନେରାଲ ବନ୍ଦ ଲଫାପାରେ ଏହି ତଥ୍ୟ ଦେବାକୁ ଚାହିଁଲେ ମାନ୍ୟବର ମୁଖ୍ୟ ବିଚାରପତି ଅତି ସ୍ପଷ୍ଟ ଭାବରେ କହିଲେ ଯେ ଅଦାଲତରେ ଗୋପନୀୟ ବୋଲି କିଛି ରହିବା ଉଚିତ ନୁହେଁ ବନ୍ଦ ଲଫାପାର ପରମ୍ପରା ବନ୍ଦ ହେବା ଉଚିତ ବୋଲି ମୁଖ୍ୟ ବିଚାରପତି ଆଜି ସ୍ପଷ୍ଟ କରି ଦେଇଛନ୍ତି