ସତ କହିଥିବାରୁ କ୍ଷମା ମାଗନ୍ତୁ ରାହୁଲ ଗାନ୍ଧୀ !!

ସତ କହିଥିବାରୁ କ୍ଷମା ମାଗନ୍ତୁ ରାହୁଲ ଗାନ୍ଧୀ !!

 କି କଥା, ବିଶ୍ବଗୁରୁ ହୋଇ ସାରିଥିବା ଭାରତର ପ୍ରଧାନମନ୍ତ୍ରୀଙ୍କୁ ତମେ ଏକଛତ୍ରବାଦୀ ବୋଲି କହିବ!! ଏତେ ସାହସ ତମର !!  ଏବେ କ୍ଷମା ମାଗ!! ଦେଶର ଗଣତନ୍ତ୍ର ବଢିଆ ଚାଲିଛି ବୋଲି ତମେ କହିବାକୁ ବାଧ୍ୟ। କେବଳ ପ୍ରଧାନମନ୍ତ୍ରୀ କହିପାରିବେ ଯେ ଗତ ସତୁରୀ ବର୍ଷ ଧରି ଆମର କିଛି ନ ଥିଲା। ପ୍ରଧାନମନ୍ତ୍ରୀ କେବଳ ନେହେରୁଙ୍କୁ ଗାଳି କରିପାରିବେ। ଦେଶରେ ହେଉ କି ବିଦେଶରେ, ସତୁରୀ ବର୍ଷର ଗଣତନ୍ତ୍ରକୁ ଗାଳି ଦେବାର ଅଧିକାର କେବଳ ପ୍ରଧାନମନ୍ତ୍ରୀଙ୍କର। ଗଣତନ୍ତ୍ର ଏବଂ ଗଣତାନ୍ତ୍ରିକ ଅନୁଷ୍ଠାନର ସବୁପ୍ରକାର ଅମର୍ଯାଦା ସତ୍ତ୍ୱେ ଗଣତନ୍ତ୍ର ଠିକ ଚାଲିଛି ବୋଲି କହିବାକୁ ତମେ ବାଧ୍ୟ । ତମ ପୂର୍ବ ପୁରୁଷ କେବେ ଦିନେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ ତେଣୁ ଗଣତନ୍ତ୍ର ଉପରେ କହିବାର ଅଧିକାର ତମର ନାଇଁ । ଭାରତୀୟ ଗଣତନ୍ତ୍ର ଠିକ ଚାଲିଛି ବୋଲି ନ କହିଲେ ତମେ ଦେଶବିରୋଧୀ ! ତମକୁ ମାନିବାକୁ ପଡିବ ଯେ ଦେଶ କହିଲେ ପ୍ରଧାନମନ୍ତ୍ରୀ !! ପ୍ରଧାନମନ୍ତ୍ରୀ ଦେଶ ନୁହନ୍ତି ଓ ପ୍ରଧାନମନ୍ତ୍ରୀ ଗଣତନ୍ତ୍ରର ହତ୍ୟା କରୁଛନ୍ତି ବୋଲି ନିର୍ଘାତ ସତ୍ୟ କହିଥିବାରୁ ରାହୁଲ ଗାନ୍ଧୀ କ୍ଷମା ମାଗିବା ବୋଧେ ଆଜିର ସବୁଠୁ ବଡ ଆବଶ୍ୟକତା !!

ସଂସଦରେ ହୋ ହଲ୍ଲା ଚାଲିଛି, ଗୋଟେ ନିର୍ଘାତ ମିଛକୁ ନେଇ ରାହୁଲ ଗାନ୍ଧୀ କେଉଁଠି ବି ଦେଶ ବିରୋଧରେ କିଛି କହିନାହାନ୍ତି ରାହୁଲ ଗାନ୍ଧୀ କହିଥିଲେ, ଆମ ଗଣତନ୍ତ୍ରରେ ଯେଉଁ ସମସ୍ୟା ଓ ସଙ୍କଟ ରହିଛି, ତାକୁ ଆମେ ସୁଧାରିବୁ ହେଲେ ସଂସଦ ଭିତରେ ମୋଦୀ ସରକାରର ବରିଷ୍ଠ ମନ୍ତ୍ରୀମାନେ କହୁଛନ୍ତି, ରାହୁଲ କୁଆଡେ ଦେଶ ବିରୋଧରେ କହିଲେ, ତେଣୁ ସେ କ୍ଷମା ମାଗନ୍ତୁ ! ଏମିତି କଞ୍ଚାମିଛର ରାଜନୀତି ସଂସଦ ଭିତରେ କେବେ ଆମେ ଦେଖିଥିଲୁ କି ? ରାହୁଲ ଗାନ୍ଧୀ ଲୋକସଭାର ସଦସ୍ୟ ସଂସଦର ନିୟମ ହେଉଛି, ଲୋକସଭାରେ ଥିବା ସଦସ୍ୟଙ୍କ ବିଷୟରେ ରାଜ୍ୟସଭାରେ ଆଲୋଚନା ହୋଇପାରିବ ନାଇଁ ହେଲେ ରାଜ୍ୟସଭାରେ ଏଇ ପ୍ରସଙ୍ଗ ବାରମ୍ବାର ଉଠୁଛି । ଖୋଦ ରାଜ୍ୟସଭାର ଅଧ୍ୟକ୍ଷ ଏବଂ ଉପ ରାଷ୍ଟ୍ରପତି ଜଗଦୀପ ଧନକର ବୁଲି ବୁଲି ରାହୁଲ ଗାନ୍ଧୀଙ୍କ ବିରୋଧରେ ଭାଷଣ ଦେଉଛନ୍ତି । ଏମିତି କେବେ କେଉଁ ଉପ ରାଷ୍ଟ୍ରପତିଙ୍କୁ ଆମେ ଦେଖିଥିଲୁ କି ?  

ଏ ଦେଶର ଗଣତନ୍ତ୍ର ସୁରକ୍ଷିତ ବୋଲି କହିବା ବେଳେ ଟିକେ ନିଜକୁ ପଚାରିଲେ –

  • କେଉଁ ଗଣତାନ୍ତ୍ରିକ ଦେଶର ପ୍ରଧାନମନ୍ତ୍ରୀ ୯ ବର୍ଷ ଶାସନରେ ରହିଲା ପରେ ମଧ୍ୟ ଦେଶ କିମ୍ବା ବିଦେଶରେ ଥରେ ବି ସାମ୍ବାଦିକ ସମ୍ମିଳନୀ କରିନାହାନ୍ତି ?

  • ସବୁ ଦୁର୍ନୀତି ଓ ଭ୍ରଷ୍ଟାଚାର ଅଭିଯୋଗକୁ ତଦନ୍ତ ନକରି ନିଜକୁ ନିର୍ମଳ ବୋଲି କେଉଁ ଗଣତାନ୍ତ୍ରିକ ଦେଶର ନେତା ନିଜକୁ ନିଜେ ମାନପତ୍ର ବାଣ୍ଟନ୍ତି?

  • କେଉଁ ଗଣତାନ୍ତ୍ରିକ ଦେଶରେ ବିଧାୟକ କିଣାବିକା କରି ନିର୍ବାଚିତ ସରକାର ଭଙ୍ଗା ହୁଏ ?

  • କେଉଁ ଗଣତାନ୍ତ୍ରିକ ଦେଶରେ ଆଇନ ମନ୍ତ୍ରୀ ଓ ଉପ ରାଷ୍ଟ୍ରପତି ସାଧାରଣ ସଭାରେ ସୁପ୍ରିମକୋର୍ଟ ବିରୋଧରେ ବିଷୋଦ୍ଗାର କରନ୍ତି ?

  • କେଉଁ ଗଣତାନ୍ତ୍ରିକ ଶାସନରେ ବିରୋଧୀଦଳ ମୁକ୍ତ ସମାଜର ଆହ୍ଵାନ ଖୋଦ ପ୍ରଧାନମନ୍ତ୍ରୀ ଦିଅନ୍ତି ?

  • କେଉଁ ଗଣତନ୍ତ୍ରରେ ପୁଲିସ କେବଳ ବାଛି ବାଛି ସରକାର ବିରୋଧୀଙ୍କୁ ଜେଲରେ ପୂରାଏ ?

  • କେଉଁ ଗଣତନ୍ତ୍ରରେ ଗଣମାଧ୍ୟମକୁ ଘୃଣା ଓ ବିଭାଜନର ପରିବେଶ ସୃଷ୍ଟି କରିବା ଲାଗି ପ୍ରୋତ୍ସାହନ ଦିଆଯାଏ ?

  • କେଉଁ ଗଣତନ୍ତ୍ରରେ ସମ୍ବିଧାନର ମୌଳିକ ଚରିତ୍ର ବଦଳାଇ ଏକ ଧାର୍ମିକ ରାଷ୍ଟ୍ର ଗଠନର ପାଗଳାମୀକୁ ଖୋଦ ସରକାରରେ ଥିବା ଲୋକ ସମର୍ଥନ କରନ୍ତି ?

  • କେଉଁ ଗଣତନ୍ତ୍ରରେ ଏ ସବୁ ପ୍ରଶ୍ନ କରୁଥିବା ଲୋକଙ୍କୁ କ୍ଷମା ମାଗିବାକୁ ସରକାରୀ ଦଳର ମନ୍ତ୍ରୀମାନେ ବାଧ୍ୟ କରନ୍ତି ?

ରାହୁଲ ଗାନ୍ଧୀ ଯାହା କହିଛନ୍ତି, ତାହା ଅକ୍ଷରେ ଅକ୍ଷରେ ସତ୍ୟ ଅନ୍ତତଃ ସେ ନରେନ୍ଦ୍ର ମୋଦୀଙ୍କ ପରି ୨୦୧୪ ପୂର୍ବର ଭାରତୀୟ ଭାବେ ଲଜ୍ଜିତ ବୋଲି କହିନାହାନ୍ତି ଭାରତର ଗଣତନ୍ତ୍ର ଓ ସାମ୍ବିଧାନିକ ସଙ୍କଟ ବିଷୟରେ ପ୍ରଶ୍ନ  କରିବାର ଅଧିକାର ରାହୁଲ ଗାନ୍ଧୀଙ୍କର ରହିଛି ତାଙ୍କ  ବକ୍ତବ୍ୟକୁ ନେଇ ସଂସଦରେ ଓ ସଂସଦ ବାହାରେ ବିଜେପି ଯାହା କରୁଛି, ସେଥିରୁ ରାହୁଲ ଗାନ୍ଧୀ ଯାହା କହିଥିଲେ ତାହା ଯେ ଆଦୌ ମିଥ୍ୟା ନୁହେଁ, ତାର ପ୍ରମାଣ ମିଳୁଛି