ଆଦିବାସୀ ପଡ଼ିଆରେ କଳା ଓ କାରିଗରୀର ପ୍ରଦର୍ଶନୀ

ଆଦିବାସୀ ପଡ଼ିଆରେ କଳା ଓ କାରିଗରୀର ପ୍ରଦର୍ଶନୀ

ଭୁବନେଶ୍ୱର ୟୁନିଟ୍‌-୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେଉଥିବା ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀ ଏବଂ ଜାତୀୟ ଜନଜାତି ନୃତ୍ୟ ମହୋତ୍ସବର ଗତକାଲି ଥିଲା ଦ୍ୱିତୀୟ ସନ୍ଧ୍ୟା । ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଗୁଜୁରାଟ, ଝାଡଖଣ୍ଡ, ମହାରାଷ୍ଟ୍ର, ରାଜସ୍ଥାନ, ଉତ୍ତରପ୍ରଦେଶ, ଛତିଶଗଡ଼, ତାମିଲନାଡ଼ୁ, କେରଳ, ତେଲେଙ୍ଗାନା ସମେତ ଓଡ଼ିଶାର ଜନଜାତି ଶିଳ୍ପୀ କାରିଗରମାନଙ୍କ ପାଇଁ କଳାବସ୍ତୁ ପ୍ରସ୍ତୁତି ଓ ବିକ୍ରୟ ନିମନ୍ତେ ବିଭିନ୍ନ ଷ୍ଟଲ ଖୋଲା ଯାଇଛି । ପାରମ୍ପରିକ ବେଶପୋଷାକରେ ସଜ୍ଜିତ ଜନଜାତି କାରିଗରମାନଙ୍କ ପ୍ରଦର୍ଶନୀ ମଣ୍ଡପ ଖୁବ୍‌ ଆକର୍ଷଣୀୟ ହେବା ସହ ଦର୍ଶକମାନେ ସେମାନଙ୍କ କାରୁକାର୍ଯ୍ୟ ଏବଂ ଜୀବନଶୈଳୀ ସଂପର୍କରେ ଜାଣିବାର ସୁଯୋଗ ଲାଭ କରୁଛନ୍ତି । ଏହି ମେଳାର ଦ୍ୱିତୀୟ ସନ୍ଧ୍ୟାରେ ଗୁଜୁରାଟର ରଥୱା ଜନଜାତିଙ୍କ ଘୁମରିଆ ନୃତ୍ୟ, ଆନ୍ଧ୍ର୍ରପ୍ରଦେଶ ଜାତପୁ ଜନଜାତିଙ୍କ ଟୋକି ପରବ ନୃତ୍ୟ, ଉତ୍ତରାଖଣ୍ଡ ଜୋନସାରୀ ଜନଜାତିଙ୍କ ହିର୍‌ନୀ ନୃତ୍ୟ, ଓଡ଼ିଶାର କୁଟିଆ କନ୍ଧ ପ୍ରାଚୀନ ଜନଜାତିଙ୍କ ଧାଙ୍ଗିଡ଼ୀ ନୃତ୍ୟ, ଛତିଶଗଡ଼ର ଗଣ୍ଡ
ଜନଜାତିଙ୍କ ମାନ୍ଦରୀ ନୃତ୍ୟ, ହିମାଚଳ ପ୍ରଦେଶ ପଙ୍ଗୱାଲ ଜନଜାତିଙ୍କ ଜୁକାରୁ ନୃତ୍ୟ, ଝାଡଖଣ୍ଡର ଓରାଓଁମାନଙ୍କ ଜେଠ୍‌ ଜତ୍‌ରା ନାଚ ଏବଂ ମିଜୋରାମ୍‌ର ମିଜୋ ଜନଜାତିଙ୍କ ଚିରାଓ ତଥା ଛିଲାମ୍‌ ନୃତ୍ୟ ପରିବେଶିତ ହୋଇଥିଲା । ପାରମ୍ପରିକ ବେଶଭୂଷାରେ ଏହିସବୁ ଜନଜାତିଙ୍କୁ ଦେଖି ମନେ ହେଉଥିଲା ଓଡ଼ିଶାର ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ସାରା ଭାରତର ଜନଜାତିଙ୍କ ସମାଗମ ହୋଇଛି ଏବଂ ଦର୍ଶକ ଓ ଜନଜାତି ଏକ ହୋଇଯାଇଛନ୍ତି । ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀ ଅପରାହ୍ନ ୩ଟାରୁ ରାତି ୯ଟା ପର୍ଯ୍ୟନ୍ତ ଓ ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ ସନ୍ଧ୍ୟା ୬.୩୦ରୁ ରାତି ୮.୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି ।