ସବର୍ଣ୍ଣ ଅସବର୍ଣ୍ଣଙ୍କ ଭିଡ଼ରେ ପ୍ରକୃତ ଅସବର୍ଣ୍ଣର ଦୁଃଖ

ସବର୍ଣ୍ଣ ଅସବର୍ଣ୍ଣଙ୍କ ଭିଡ଼ରେ ପ୍ରକୃତ ଅସବର୍ଣ୍ଣର ଦୁଃଖ

ଏଇ ନିକଟରେ ଜଣେ ଅପରିଚିତା ପାଠିକା ଏବଂ ଲେଖିକାଙ୍କ ସହ ସାହିତ୍ୟ ବିଷୟରେ କଥା ହେଉ ହେଉ ଆଲୋଚନା ପଡ଼ିଲା ତାଙ୍କ ବ୍ୟକ୍ତିଗତ ଜୀବନର କର୍ମକ୍ଷେତ୍ର ଉପରେ। ପେଶାରେ ଜଣେ ଶିକ୍ଷୟିତ୍ରୀ। କଟକ ଜିଲ୍ଲାର କୌଣସି ଏକ ବ୍ଲକ୍ ସ୍ତରୀୟ ଓଡ଼ିଆ ମାଧ୍ୟମିକ ସ୍କୁଲରେ କାର୍ଯ୍ୟ କରନ୍ତି। ସେ ତାଙ୍କ ଛାତ୍ରଛାତ୍ରୀଙ୍କ ବିଷୟରେ କଥା କହୁ କହୁ କାହିଁକି କେଜାଣି ଜାତିଆଣ ଭେଦଭାବ ବିଷୟରେ ଜାଣିବାକୁ ଇଛା ହେଲା। ପଚାରିଲି ସବର୍ଣ୍ଣ ପିଲାମାନେ ଛୋଟ ଜାତିର ପିଲାଙ୍କ ପାଖରେ ବସିବା ଆରମ୍ଭ କଲେଣି ଏବେ ସ୍କୁଲ୍ ରେ ! ମନା କଲେ। କହିଲେ ଯଦି କ୍ଲାସ୍ ରୁମ୍ ରେ ପାଖାପାଖି ବସିଲେ କି ପାଖରେ ବସି ମଧ୍ୟାହ୍ନ ଭୋଜନ ଖାଇଲେ ତେବେ ତା ପରଦିନ ସେମାନଙ୍କ ବାପା ମା' ଆସି ଅଭିଯୋଗ କରନ୍ତି ଆମ ପିଲାମାନେ ଅସବର୍ଣ୍ଣଙ୍କ ସହ କାହିଁକି ଏକାଠି ବସିଲେ ? ମନରେ ଉତ୍କଣ୍ଠା ବଢ଼ିଲା। ଅଧିକ କଥା ହେଉ ହେଉ ସେ ପୁଣି ତାଙ୍କର ଅନ୍ୟ ଏକ ଅନୁଭୂତି କହିଲେ। କିଛି ହାଡ଼ି ପିଲାମାନଙ୍କୁ ସେ ଘରକୁ ଡାକି ପାଠ ପଢଉ ଥିଲେ( ଏଠି ମୁଁ ହାଡ଼ି ଶବ୍ଦ ବ୍ୟବହାର କରୁଛି କାରଣ ଯାହା କହିବାକୁ ଚାହୁଁଛି ତାକୁ ଭଲରେ ବୁଝେଇ ପାରିବି ) । ଘରଲୋକ ଏବଂ ଗାଁ ଲୋକଙ୍କ ପ୍ରତିରୋଧ କ୍ରମେ ସେଇ ଅସବର୍ଣ୍ଣ ପିଲାମାନେ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ଘରକୁ ଆସି ପଢ଼ିବା ସମ୍ଭବ ହେଲାନି। ସେଇ ପିଲାମାନଙ୍କର ପଢ଼ିବାର ଆଗ୍ରହ ଥିଲା ଓ ସେମାନେ ପଢିବାକୁ ଚାହୁଁଥିଲେ ତେଣୁ ଶିକ୍ଷୟତ୍ରୀ ଜଣକ ତାଙ୍କ ଘରକୁ ଯାଇ ପଢେଇବା ଆରମ୍ଭ କଲେ। କିନ୍ତୁ ସର୍ତ୍ତ ରହିଲା ଅସବର୍ଣ୍ଣଙ୍କ ସାହିରୁ ଫେରିବା ପରେ ମୁଣ୍ଡ ଧୋଇ ଗାଧେଇବେ। ମୁଁ ଆଶ୍ଚର୍ଯ଼୍ୟ ହେଲି କଟକ ସଦରରେ ଥିବା ଗୋଟେ ବ୍ଲକ୍ ସ୍ତରୀୟ ସ୍କୁଲ୍ ଏବଂ ଗାଁରେ ଯଦି ଏଭଳି ଜାତିବାଦ ଏବେ ବି ଅଛି ତାହେଲେ ସମୟ ସମୟରେ ଆରକ୍ଷଣକୁ ନେଇ ଉଠୁଥିବା ପ୍ରତିବାଦ କେତେ ଯୁକ୍ତିଯୁକ୍ତ। ସେ ଆହୁରି କହିଲେ ଏବେ ବି ଗାଁର ନଳକୂପରୁ ପାଣି ନେବାକୁ ଅସବର୍ଣ୍ଣ ମହିଳାମାନେ ଯଥେଷ୍ଟ ଦୂରରେ ଠିଆ ହୁଅନ୍ତି ଯଦି ସେଇ ସମୟରେ କେହି ଉଚ୍ଚ ଜାତିର ବ୍ୟକ୍ତି ପାଣି ନେଉଛନ୍ତି। 

ଏବେ ଆସୁଛି ଟୁଇଷ୍ଟ୍ କୁ। ଯେଉଁ ପାଠିକା/ ସାହିତ୍ୟିକାଙ୍କ ସହ କଥା ହେଉଥିଲି ସେ ଥିଲେ କୈବର୍ତ୍ତ। କଥା ମଝିରେ ସେ ଏଇ କଥା କହିଲେ। ମୁଁ ଚଟ୍ କି ପ୍ରଶ୍ନ କଲି ଆପଣ ? ଉତ୍ତର ଦେଲେ ଆମେ ସବର୍ଣ୍ଣ। ଆପଣ ରିଜରଭେସନ୍ ନିଅନ୍ତିନି , ପଚାରିଲି। ଉତ୍ତର ଦେଲେ, ହଁ ଆମେ ଏସ୍ ସି ପାଇଁ ଉଦ୍ଦିଷ୍ଟ ରିଜରଭେସନ୍ ନେଉ କିନ୍ତୁ ଆମେ ସବର୍ଣ୍ଣ। ଆପଣମାନେ ବୁଝିପାରିଲେ ତ ଯେଉଁ ଛାତ୍ରମାନଙ୍କୁ ସେ ପଢେଇବା ପାଇଁ ଯାଉଥିଲେ ସେମାନେ ହାଡ଼ି ସମ୍ପ୍ରଦାୟର ଥିଲେ ବୋଲି କାହିଁକି ବିଶେଷ ଭାବରେ ଉଲ୍ଲେଖ କରିଥିଲି ! ଏବେ ଆଉ ଗୋଟେ କଥା କହୁଛି। ମୁଁ ହରିଜନ ଏବଂ ମୋ ସ୍ବାମୀ ଭାରତର ନବରତ୍ନ କମ୍ପାନୀ ଗୁଡିକରେ ଗଣା ଯାଉଥିବା ପବ୍ଲିକ୍ ସେକ୍ଟର୍ ନାଲକୋରେ ସିନିୟର୍ ମ୍ୟାନେଜର୍। ତାଙ୍କ ବିଷୟରେ କହିରଖେ ମାଟ୍ରିକ୍ ଏବଂ ପ୍ଲସ୍ ଟୁରେ ଜଣେ ମେଧାବୀ ଛାତ୍ର ଥିବା ସହ ଇଂଜିନିୟରିଂ ପଢା ସରିବା ପରେ ନାଲକୋରେ ଯୋଗ ଦେଇଥିଲେ। ୧୯୯୦ ମସିହାରେ ଶତକଡା ଅଶୀ ପଞ୍ଚାଅଶି ନମ୍ୱର ରଖିବା ସହଜ ନଥିଲା। ସେ ବି ଏଇ ତଥାକଥିତ ଛୋଟ ଜାତିରେ। ଆପଣ ମାନେ ଜାଣି ଆଶ୍ଚର୍ଯ୍ୟ ହେବେ ନାଲକୋରେ ସରକାର ଏବଂ ସମ୍ବିଧାନ ଅନୁଯାୟୀ ଏସ୍ ସି ମାନଙ୍କ ପାଇଁ ଉଦ୍ଦିଷ୍ଟ ରିଜରଭେସନ୍ ରେ ୫୦୦୦ ଇଂଜିନିୟରଙ୍କ ଭିତରୁ ୨୦ଜଣ ଏଇ ହାଡି, ଡମ, ପାଣ କି କଣ୍ଡରା ଜାତିର ଇଂଜିନିୟର ପାଇବେନି। ପ୍ରଶ୍ନ ଉଠୁଛି ତେବେ ରିଜରଭେସନ୍ ର ଫାଇଦା ନେଉଛି କିଏ ? ଏଇ ସବର୍ଣ୍ଣ ଅସବର୍ଣ୍ଣମାନେ ବିଶେଷ କରି ଓଡ଼ିଶାରେ ଯାହା ମୁଁ ଲକ୍ଷ୍ୟ କରିଛି ସବୁଠି ଲାଭବାନ ହେଇଥା'ନ୍ତି। ତାଙ୍କ ବ୍ୟକ୍ତିଗତ ଜୀବନରେ ଉଚ୍ଚଜାତି ଏବଂ ଉଚ୍ଚଜାତିସହ ଉଠା ବସା କରନ୍ତି କିନ୍ତୁ ଯେତେବେଳେ ଫାଇଦା ନେବାର କଥା ଉଠେ ସେତେବେଳେ ଏସ୍ ସି ର ଟ୍ରମ୍ପ୍ କାର୍ଡ୍ ବ୍ୟବହାର କରନ୍ତି। ଯାହା ବିଷୟରେ ଆମେ ସାଧାରଣ ଜନତା ପ୍ରାୟତଃ ଅଜ୍ଞ। ଏଇ କଥା ମୋ ଝିଅର ନିଟ୍  ମେଡିକାଲ୍ ପ୍ରବେଶିକା ପରୀକ୍ଷା ଓ ଆଡ଼ମିଶନ ସମୟରେ ମଧ୍ୟ ଲକ୍ଷ୍ୟ କଲି। ଏଇ ସବର୍ଣ୍ଣ ଅସବର୍ଣ୍ଣ ମାନେ ସାମାଜିକ ଏବଂ ଶିକ୍ଷା ସ୍ତରରେ ଅନ୍ୟ ଉଚ୍ଚ ଜାତିଙ୍କ ସମକକ୍ଷ। ଏବଂ ପ୍ରକୃତ ଦଳିତ ଗୋଷ୍ଠୀ, ଯେଉଁମାନେ ସମାଜରେ ବାସନ୍ଦ ଭୋଗି ଆସିଛନ୍ତି, ପିଢିରୁ ପିଢି ଅଳିଆ ଆବର୍ଜ୍ଜନା ସଫା କରିକରି ଶିକ୍ଷା ବ୍ୟବସ୍ଥାଠୁ ଦୂରରେ ରହିଛନ୍ତି ଏବଂ ଅନୁନ୍ନତ, ଅନଗ୍ରସର ବୋଲି କଟାକ୍ଷର ଶୀକାର ହେଇଛନ୍ତି ସେମାନଙ୍କ ଅବସ୍ଥା ଯଥା ପୂର୍ବମ୍ , ତଥା ପରମ୍। ସରକାର ରିଜରବେସନ୍ ଦେଉଛନ୍ତି କିନ୍ତୁ ସତରେ କ'ଣ ଅସବର୍ଣ୍ଣଙ୍କ ଜୀବନ ଧାରଣ କି ସେମାନଙ୍କର ଉନ୍ନତିରେ କାର୍ଯ୍ୟକାରୀ ହେଇପାରୁଛି ! ହସ କଥା କ'ଣ ଜାଣନ୍ତି ! ଯେତେବେଳେ ସବର୍ଣ୍ଣ ପିଲାମାନେ ଆରକ୍ଷଣକୁ ନେଇ ହୋ ହଲ୍ଲା କରନ୍ତି, ଯେତେବେଳେ ଡିପାର୍ଟମେଣ୍ଟ୍ କି ସାଧାରଣ ଘରୋଇ ଗାଳିର କଥା ପଡ଼େ, ଏଇ ହାଡି, ପାଣମାନେ ହି ଶରବ୍ୟ ହୁଅନ୍ତି। ଏଇ ସବର୍ଣ୍ଣ ଛୋଟଜାତିଙ୍କ ପ୍ରତି ମୋର କୌଣସି ଅଭିଯୋଗ ନାହିଁ କେବଳ ଅଭିଯୋଗ ସମ୍ପୂର୍ଣ୍ଣ ମଣିଷ ଜାତିକୁ, ରକ୍ତକୁ, ମଣିଷକୁ ମଣିଷଠୁ ଅଲଗା କରିବାର ଏ ପ୍ରଥା ଯେଉଁ ଘୃଣାର ନିଆଁ ଜାଳୁଛି ସେଥିରେ ଆମ ପୃଥିବୀ ହିଁ ରୋଗାକ୍ରାନ୍ତ ହେଉଛି। 

ଏଇ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେଉଛି ବଲାଙ୍ଗୀରର ମୁରିବାହଲ୍ ରେ ଜଣେ ଏସ୍ ସି ମହିଳା ପାଚିକା ସହାୟିକାଙ୍କୁ ଅଙ୍ଗନବାଡ଼ି ରେ ଗ୍ରାମର ଏସ୍ ଟି ଲୋକମାନେ ବିରୋଧ କରୁଛନ୍ତି। ଆଶ୍ଚର୍ଯ୍ୟ କି ଅଜ୍ଞାନତା ଅବା ଲଜ୍ଜା ! ବିଚାର ଆପଣ ମାନଙ୍କର।