ସିନେମା ଦର୍ଶକର ସତ୍ୟ ଓ ଦେଶପ୍ରେମ
ବିଦ୍ୟା ବାଲାନ୍ ଙ୍କ ଚର୍ଚ୍ଚିତ ସିନେମା "ଡାର୍ଟି ପିକ୍ଚର୍"ରେ ତାଙ୍କର ଏକ ପ୍ରସିଦ୍ଧ ସଂଳାପ ମନେ ପଡୁଛି। ଦକ୍ଷିଣ ଭାରତୀୟ ସିନେମାର ବିବାଦୀୟ ନାୟିକା ସିଲ୍କ ସ୍ମିତା ଙ୍କ ଚରିତ୍ରରେ ଅଭିନୟ କରୁଥିବା ବିଦ୍ୟା ବାରମ୍ବାର କହୁଥିଲେ - ସିନେମା ଇଜ୍ ଏଣ୍ଟରଟେନମେଣ୍ଟ ଏଣ୍ଟରଟେନମେଣ୍ଟ ଆଣ୍ଡ୍ ଏଣ୍ଟରଟେନମେଣ୍ଟ । ଭାରତୀୟ ସିନେମାରେ ମୂଳତଃ ଆମେ ଏଣ୍ଟରଟେନମେଣ୍ଟ ବା ମନୋରଞ୍ଜନକୁ ଇ ଦେଖିଥାଉ । ଯଦିଓ ଏକ କଳା ଭାବରେ ଏହା ଅନେକ ସମୟରେ ନିଜ ସମୟ ଓ ସମାଜର ସତ୍ୟକୁ ଦେଖାଇଥାଏ, ତଥାପି ଏହାର ମୂଳ ଲକ୍ଷ୍ୟ ମନୋରଞ୍ଜନ । ସିନେମା ଦେଖି ଆମେ ସିଟି ଓ ତାଳି ମାରୁ, ଲୁହ ଗଡାଉ, ହସୁ, କାନ୍ଦୁ ଓ ପ୍ରେମରେ ପଡୁ । ସିନେମା ଆମକୁ ଆନନ୍ଦ ଦିଏ, କେବେ କେମିତି ବିଷାଦ ମଧ୍ୟ ଦିଏ । ସିନେମାର ସବୁଠୁ ବଡ଼ ସତ୍ୟ ହେଲା,ଏହା ଆମକୁ ମନୋରଞ୍ଜନ ଦିଏ ।
ଏବେ ହଠାତ୍ ଦେଖାଯାଉଛି, ସିନେମା ଦେଖି ଫେରିବା ପରେ କିଛି ଲୋକ ହଠାତ୍ ପ୍ରବଚନ ଦେବା ଆରମ୍ଭ କରୁଛନ୍ତି । ସେ ପ୍ରବଚନ ପୁଣି ଦେଶପ୍ରେମ ବିଷୟରେ । ସିନେମା ଦେଖି ସେମାନେ ଆମ ସମୟର ରାଜନୀତି ଓ ସମାଜର ସତ୍ୟ ଜାଣିଗଲେ ବୋଲି ଭାବୁଛନ୍ତି । "କାଶ୍ମୀର ଫାଇଲ୍ସ" ଦେଖି ସାରି ଲୋକେ ଭାବୁଛନ୍ତି ସେମାନେ କାଶ୍ମୀରର ଅସଲ ସତ୍ୟ ବୁଝିଗଲେ। "କେରଲା ଷ୍ଟୋରୀ" ଦେଖି ତାଙ୍କୁ ଲାଗୁଛି, ସେମାନେ ଆତଙ୍କବାଦର ସବୁ ତତ୍ତ୍ଵ ଓ ସତ୍ୟ ଜାଣିଗଲେ। ସିନେମା ଭିତରେ ସାମୁହିକ ଏବଂ ସାର୍ବଜନୀନ ସତ୍ୟ ଦେଖି ପାରୁଥିବା ଆମ ସମୟର ଏ ଦର୍ଶକମାନେ ମୂଳତଃ ଅନ୍ଧ। ସେମାନେ ଗୋଟେ ରାଜନୈତିକ ଦୁରାଗ୍ରହରୁ ସିନେମା ଦେଖନ୍ତି। ସରକାରୀ ପ୍ରଚାରକୁ ସତ୍ୟ ବୋଲି ଭାବି ସିନେମା ହଲ୍ ରୁ ଫେରିବା ପରେ ଏମାନେ ଛାତି ଭିତରେ ଛାତିଏ ଘୃଣା ଓ ବିଦ୍ୱେଷ ନେଇ ଫେରନ୍ତି । ସିନେମା ଏମାନଙ୍କ ଲାଗି ମନୋରଞ୍ଜନ ପରିବର୍ତ୍ତେ ରାଜନୈତିକ ବିଦ୍ୱେଷର ବିଷମଞ୍ଜି ପାଲଟିଯାଏ । ସତ୍ୟ ଆଧାରିତ ବୋଲି କୌଣସି ସିନେମା ନାହିଁ । ଏହା ମୂଳତଃ ଏକ କାହାଣୀ । କାହାଣୀ ଦେଖି ଇତିହାସ, ରାଜନୀତି ଓ ଜୀବନକୁ ବୁଝିଯାଇଛି ବୋଲି ଯିଏ କହେ ସେ କେବଳ ମୁର୍ଖ ନୁହେଁ, ଅନେକାଂଶରେ ଅଭଦ୍ର ମଧ୍ୟ ।
ଏ ପ୍ରସଙ୍ଗରେ ରୋମାନ ପୋଲାନ୍ସ୍କିଙ୍କର ଗୋଟେ ସିନେମାର ନାଁ ମନେ ପଡୁଛି – “ବେସ୍ଡ ଅନ୍ ଏ ଟ୍ରୁ ଷ୍ଟୋରୀ”। ସିନେମାଟିର ମୂଳ ପ୍ରସଙ୍ଗ ହେଉଛି ସତ ଲାଗୁଥିବା ପୂରା କାହାଣୀ କେବଳ ମାତ୍ର ଗୋଟେ ମୋହଗ୍ରସ୍ତ ମନର ବିକାର । ତେଣୁ ସିନେମାରେ ଆପଣ ଯାହା ଦେଖିକି ଫେରିଲେ, ସେ କେବଳ ଏକ କାହାଣୀ । “ ଏ କାହାଣୀ ସତ୍ୟ ଉପରେ ଆଧାରିତ” ବୋଲି ଯିଏ କହିଲା, ସେ ଗୋଟେ ନିର୍ଘାତ ମିଛ ଇ କହିଲା । ସତ୍ୟକୁ ନେଇ ସିନେମା କରିବା ସମ୍ଭବ ନୁହେଁ, ସିନେମା ଲାଗି ସତ୍ୟ ମଧ୍ୟ ଏକ କାହାଣୀ ।
କାହାଣୀ କହି ଦର୍ଶକକୁ ବୋକା ବନା ଯାଇପାରିବ ଓ ସେ ବୋକା ଲୋକଟି ତମର ନିଷ୍ଠାପର ଭୋଟର ହୋଇପାରିବ, ଏକଥା ପ୍ରଥମେ ଯିଏ ବୁଝିଥିଲା ତା ନାଁ ଯୋଶେଫ ଗୋଏବେଲ୍ସ। ସିନେମା ରାଜନୈତିକ ପ୍ରଚାରର ଗୋଟେ ବଡ ମାଧ୍ୟମ ହୋଇ ପାରିବ, ଏକଥା ହିଟଲରର ପ୍ରଚାର ମନ୍ତ୍ରୀ ଯୋଶେଫ୍ ଗୋଏବେଲ୍ସ ପ୍ରମାଣିତ କରି ଯାଇଛି । ରାଜନୈତିକ ନେତୃତ୍ୱ ପ୍ରତି ଅନ୍ଧ ଭାବରେ ଅନୁରକ୍ତ ଜନତା ନିଜ ନେତାର ପ୍ରଚାରକୁ ସର୍ବଶ୍ରେଷ୍ଠ ଓ ସର୍ବଶେଷ ସତ୍ୟ ବୋଲି ଭାବି ନିଏ। ହିଟଲର ଓ ଗୋଏବେଲ୍ସ ଜର୍ମାନୀ ର ସିନେମା ଶିଳ୍ପକୁ ନିଜ ପ୍ରଚାରର ମାଧ୍ୟମ ଓ ଇହୁଦୀମାନଙ୍କ ବିରୋଧରେ ଏକ ଘୃଣାର ତନ୍ତ୍ର ଭାବରେ ବ୍ୟବହାର କରୁଥିଲେ। ନାଜି ଜର୍ମାନୀରେ ପ୍ରଥମ ବିଶ୍ଵଯୁଦ୍ଧ ସରିବା ପରେ ଓ ଦ୍ବିତୀୟ ବିଶ୍ବଯୁଦ୍ଧରେ ଜର୍ମାନୀ ତଳିତଳାନ୍ତ ହେବା ଯାଏଁ ସିନେମାରେ ଘୃଣା ଓ ଆତ୍ମ ପ୍ରଚାରର ଧାରା ଅବ୍ୟାହତ ରହିଆସିଥିଲା ।
ଗୋଏବେଲ୍ସ ଧାରାର ସିନେମା ଯେ ଭାରତରେ କରାଯାଇପାରିବ, ସେ କଥା ୨୦୧୪ ଆଗରୁ କେହି କେବେ ଭାବୁନଥିଲେ । ଭାରତୀୟ ସିନେମା ଓ ରାଜନୀତି ପରଷ୍ପରଠାରୁ ସବୁବେଳେ ଗୋଟେ ସତର୍କ ଦୂରତାରେ ରହି ଆସୁଥିଲେ। ଯଦିଓ ସିନେମା ତାରକା ରାଜନୀତିକୁ ଆସୁଥିଲେ, ହେଲେ ସିନେମା ଓ ରାଜନୀତି ସବୁବେଳେ ଅଲଗା ରହି ଆସିଥିଲା । ଏମଜି ରାମଚନ୍ଦ୍ରନ କିମ୍ବା ଏନଟି ରାମାରାଓ କେତେ ଆଗରୁ ସିନେମାରୁ ରାଜନୀତିକୁ ଆସି ସାରିଥିଲେ। ସେମାନେ କିନ୍ତୁ ସିନେମାକୁ ନିଜ ରାଜନୀତିଠାରୁ ସବୁବେଳେ ଅଲଗା ରଖି କାମ କରିଛନ୍ତି ।
ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ସିନେମା ଜଗତରେ ସେ ନିଜର ଏକ କର୍ମୀ ଗୋଷ୍ଠୀ ତିଆରି କଲେ ଓ ସେମାନେ ସିନେମାରେ ମୋଦୀଙ୍କ ଏଜେଣ୍ଡାକୁ ନେଇ ସିନେମା କରିଚାଲିଲେ । ସେହି ଏଜେଣ୍ଡା ସିନେମାର ଦୁଇଟି ସଫଳ ଉଦାହରଣ – “କାଶ୍ମୀର ଫାଇଲ୍ସ” ଓ “ଦ କେରଲା ଷ୍ଟୋରୀ”। ଏ ଦୁଇଟି ଯାକ ସିନେମା କାଶ୍ମୀର କିମ୍ବା କେରଳର ସତ କହୁଛନ୍ତି ବୋଲି ଭାବିବା ସବୁଠୁ ବଡ ମୁର୍ଖାମୀ ।
ଏହା ପ୍ରଥମତଃ ସିନେମା ନୁହେଁ- କାରଣ ଏହାର ପ୍ରଚାର ସିନେମାର ଲୋକ କରୁନାହାନ୍ତି, ବରଂ ଏକ ରାଜନୈତିକ ଦଳ ଓ ତାର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀମାନେ କରୁଛନ୍ତି । ଗୋଟେ ରାଜନୈତିକ ଦଳ ଯଦି ଗୋଟେ ସିନେମାର ପୃଷ୍ଠପୋଷକ ଏବଂ ପ୍ରଚାରକ ସାଜିବ- ସେ ସିନେମାକୁ ସନ୍ଦେହ କରିବାର ସ୍ଵାଭାବିକ କାରଣ ରହିଛି । ଦିତୀୟରେ ଏହି ସବୁ ସିନେମାରେ ଦର୍ଶକକୁ ଉତ୍ତେଜିତ କରି ଗୋଟେ ନିର୍ଦ୍ଦିଷ୍ଟ ଧର୍ମର ଲୋକଙ୍କୁ ଘୃଣା କରିବାର ବାର୍ତ୍ତା ଦିଆଯାଇଛି । କଳା ବା ମନୋରଞ୍ଜନ – ସେଥିରେ ଯଦି ଘୃଣା ରହିଲା- ତାହା ଆଦୌ ଗ୍ରହଣୀୟ ନୁହେଁ ।
ଗୋଟେ ରାଜନୈତିକ ଦଳର ପ୍ରଚାର ପାଇଁ ତିଆରି ହୋଇଥିବା ସିନେମାକୁ ନେଇ ଯେଉଁମାନେ ଏଥିରେ ସତ୍ୟ ରହିଛି ବୋଲି ଭାବୁଛନ୍ତି- ସେମାନଙ୍କ ନିର୍ବୋଧତା ପ୍ରତି ଦୟା ଇ କରାଯାଇପାରିବ ।