ଭାରତୀୟ ବିଜ୍ଞାନ ଆକାଶର ତାରା: ଜୟନ୍ତ ବିଷ୍ଣୁ ନାର୍ଲିକର୍

ମେ’ ୨୦ ତାରିଖ ଭାରତ ପାଇଁ ଗୋଟିଏ ଅତ୍ୟନ୍ତ ଦୁଃଖଦ ଦିନ। ସେଦିନ ଭାରତୀୟ ବୈଜ୍ଞାନିକ ଜୟନ୍ତ ନାର୍ଲିକରଙ୍କର ପରଲୋକ ଘଟିଥିଲା। ଖବରଟି ଜାଣି ସାରିଲା ପରେ ମୋ ମନ ଖୁବ୍ ଉଦାସ ହୋଇ ଯାଇଥିଲା। ଏମିତି ନୁହେଁ ଯେ ଜୟନ୍ତ ନାର୍ଲିକରଙ୍କ ସହ ମୋର ନିହାତି ପାରିବାରିକ ଘନିଷ୍ଠ ସମ୍ପର୍କ ଥିଲା ଆଉ ସେଥି ପାଇଁ ମୁଁ ଦୁଃଖୀ ହୋଇଗଲି। କିମ୍ବା ଏମିତି ବି ନୁହେଁ ଯେ ମୁଁ ତାଙ୍କର ସାଇନ୍ସ-ଫିକ୍ସନକୁ ନେଇ ଥିବା ଗୁଡ଼ାଏ ଲେଖା ପଢ଼ିଛି। ନା’ ସେମିତି ବି ନୁହେଁ। ଜୟନ୍ତ ନାର୍ଲିକରଙ୍କ ନାଁ ମୁଁ ପ୍ରଥମେ ଜାଣିଥିଲି ନବମ ଶ୍ରେଣୀରେ। ଆମ ଇଂରାଜୀ ବହିର ପାଠ୍ୟକ୍ରମରେ ତାଙ୍କ ରଚିତ ଗୋଟିଏ କାହାଣୀ ପଢ଼ା ଯାଉଥିଲା, “ଦ କୋମେଟ୍”, ସେଇଠୁ। ସେଦିନ ଜୟନ୍ତ ନାର୍ଲିକରଙ୍କ ତିରୋଧାନର ଖବରରେ ସାଙ୍ଗେ ସାଙ୍ଗେ ମନେ ପଡି ଯାଇଥିଲା ଦ କୋମେଟ୍, ଦତ୍ତଦା’, ଦିବ୍ୟା ଏବଂ ଦତ୍ତଦା’ଙ୍କ ନୂଆ କୋମେଟ୍ ବା ଧୂମକେତୁ ଆବିଷ୍କାର ବିଷୟରେ। ଯଦିଓ କାହାଣୀଟି ମନେ ଥିଲା କିନ୍ତୁ ପୂରା ଭଲରେ ମନେ ପଡୁ ନଥାଏ। ଗୁଗୁଲରେ ବହୁତ ସର୍ଚ୍ଚ କଲା ପରେ ବି ପୂରା କାହାଣୀଟି ମିଳିଲାନି। ସାଙ୍ଗେ ସାଙ୍ଗେ ମୋ’ ଇଂରାଜୀ ଶିକ୍ଷକ ଶ୍ରୀଯୁକ୍ତ ପ୍ରଦୀପ୍ତ ପାଲଙ୍କୁ ମେସେଜ୍ କଲି ମୋତେ ସେଇ କାହାଣୀର ସଫ୍ଟ କପି ମିଳି ପାରିବକି, ପଚାରି। ମନରେ ଆଶଙ୍କା ଥାଏ, କେଜାଣି ଅନେକ ଅଦଳ-ବଦଳ ଭିତରେ ପାଠ୍ୟକ୍ରମରେ ଆଉ ଏ କାହାଣୀଟି ଥିବ କି ନାହିଁ? ‘ନା’, ଶୁଣି ଦେଇଥିଲେ ମନ ଆହୁରି ଉଦାସ ହୋଇ ଯାଇଥା’ନ୍ତା। କିନ୍ତୁ ସାରଙ୍କ ଠାରୁ କାହାଣୀଟିର ଫଟୋ ପାଇ ଆଶ୍ବସ୍ତ ହେଲି। ସ୍କୁଲର କାନ୍ଥର ରଙ୍ଗଠୁ ଆରମ୍ଭ କରି ସିଲାବସ୍ ଆଉ ଇ°ରାଜୀ ବହିର ପୃଷ୍ଠାର ରୂପ, ଅନେକ କିଛି ବଦଳି ଯିବା ଭିତରେ କିନ୍ତୁ କାହାଣୀଟି ଏବେ ବି ପାଠ୍ୟକ୍ରମରେ ଅଛି, ଅବଶ୍ୟ ଅଷ୍ଟମ ଶ୍ରେଣୀରେ।
ସେବେ ହେଉ କିମ୍ବା ଏବେ ହେଉ, ଅଷ୍ଟମ -ନବମ ଶ୍ରେଣୀରେ ‘ଦ କୋମେଟ୍’ ପଢିଲା ବେଳେ କିନ୍ତୁ ଅସଂଖ୍ୟ ପିଲାଙ୍କ ମନରେ ଟେଲିସ୍କୋପଟେ ଧରି ଆକାଶର ଗଳିକନ୍ଦି ଖୋଜି ଯିବା ଆଉ ଦତ୍ତଦା’ଙ୍କ ପରି ଗୋଟିଏ କୋମେଟ୍ ଆବିଷ୍କାର କରିବାର ଦୁର୍ବାର ଇଚ୍ଛା ନିଶ୍ଚିୟ ଜାଗେ। ଜୟନ୍ତ ନାର୍ଲିକରଙ୍କ ଗପଟି ଥିଲା ହିଁ ସେତିକି ଉତ୍ସାହିତ କଲା ପରି କିନ୍ତୁ ଭାରି ସରଳ ଓ ସାବଲୀଳ। କଲିକତାର ଜଣେ ସାଧାରଣ ନାଗରିକ ନିଜ ଅତି ସାଧାରଣ ଟେଲିସ୍କୋପ୍, ଯାହାକୁ କି ସେ ଶ୍ରଦ୍ଧାରେ ‘ଦିବ୍ୟଚକ୍ଷୁ’ ଡାକନ୍ତି, ତା’ରି ମାଧ୍ୟମରେ ପୃଥିବୀର ନିକଟତର ହେଉଥିବା ଗୋଟିଏ ସମ୍ପୂର୍ଣ୍ଣ ନୂତନ ଧୂମକେତୁ ଆବିଷ୍କାର କରୁଛନ୍ତି। ଏବଂ ବାଙ୍ଗାଲୋର ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ଆଷ୍ଟ୍ରୋଫିଜିକ୍ସ ଦ୍ବାରା ପରୀକ୍ଷା-ନିରୀକ୍ଷା ଏବଂ ନିଶ୍ଚିତ ହେବା ପରେ, ବିଶ୍ବର ଆଷ୍ଟ୍ରୋଫିଜିକ୍ସ ଜଗତର ନିୟମ ଅନୁସାରେ ଉକ୍ତ କୋମେଟର ନାଁ ଦତ୍ତଦା’ଙ୍କ ନାମ ଅନୁସାରେ ‘କୋମେଟ୍ ଦତ୍ତା’ ରଖା ଯାଉଛି। ତା’ପରେ ଖବରକାଗଜ ପୃଷ୍ଠାରୁ ଆରମ୍ଭ କରି ବିଭିନ୍ନ ସଭା ସମିତି, ଦତ୍ତଦା'ଙ୍କ ନିଶ୍ଚଳ ଜୀବନ ଭରି ଯାଇଛି ପ୍ରଶ°ସା ଓ ସମ୍ବର୍ଦ୍ଧନାରେ। କିନ୍ତୁ ହଠାତ୍ ଦତ୍ତଦା'ଙ୍କ ସବୁ ଖୁସି ପାଣି ଫୋଟକା ପରି ମିଳେଇ ଯାଇଛି, ଯେତେବେଳେ ବ୍ରିଟିଶ ଆଷ୍ଟ୍ରୋଫିଜିସିଷ୍ଟ ଗଣନା କରି କହିଛନ୍ତି ଯେ, ଆସନ୍ତା ଡିସେମ୍ବର ମଧ୍ୟ ଭାଗରେ କୋମେଟ୍ ଦତ୍ତା ପୃଥିବୀରେ ମାଡ଼ ହେବାର ଆଶଙ୍କା ରହିଛି ଏବଂ ଏହାର ପରିଣତି ପ୍ରଳୟଙ୍କରୀ ହୋଇପାରେ। ତା’ପରେ ବ୍ରିଟେନରେ ଚାଲିଛି ନିରନ୍ତର ପରୀକ୍ଷା ନିରୀକ୍ଷା ଓ ପ୍ରୟାସ, କେମିତି କୋମେଟ୍ ଦତ୍ତାର ଗତିପଥକୁ ବଦଳାଯାଇ, ପୃଥିବୀ ସହ ଧକ୍କା ହେବାରୁ ରୋକା ଯାଇ ପାରିବ। ଏପଟେ ପୁଣି କଲିକତାରେ ଦତ୍ତଦା’ଙ୍କ ପରିବାରର ପୁରୋହିତଙ୍କ ନିର୍ଦ୍ଦେଶ ଓ ପରାମର୍ଶ କ୍ରମେ ଆୟୋଜନ କରିଛି ଗୋଟିଏ ଯଜ୍ଞ। ଯାହାର ଉଦ୍ଦେଶ୍ୟ ଧୂମକେତୁ ଆବିଷ୍କାରର କୁପରିଣାମ ଏବଂ କୁପ୍ରଭାବରୁ ଦତ୍ତଦା' ଓ ତାଙ୍କ ପରିବାରର ସୁରକ୍ଷା କରା ଯାଇ ପାରିବ। ଅତି ସାଧାରଣ ଓ ସରଳ ଭାଷାରେ ବର୍ଣ୍ଣିତ ଏ କାହାଣୀ ଜରିଆରେ କିନ୍ତୁ ବିଜ୍ଞାନର ଗୁଢ କଥାକୁ ସାଧାରଣ ପାଠକ ପାଖରେ ପହଞ୍ଚେଇବାର ଅସାଧାରଣ କ୍ଷମତା ଥିଲା। ସେଇଥିପାଇଁ ଆଜି ଯାଏଁ ମୋର କାହାଣୀର ମର୍ମ ଓ ଚରିତ୍ର ଗୁଡ଼ିକର ନାଁ ମନେ ଅଛି। ହଁ କେବଳ ‘ଦ କୋମେଟ୍’ ନୁହେଁ, ଜୟନ୍ତ ନାର୍ଲିକର ତାଙ୍କ ଲେଖା ଓ କଥା ମାଧ୍ୟମରେ ଅନେକଥର ବିଜ୍ଞାନକୁ ମଣିଷର ଦୈନନ୍ଦିନ ଜୀବନରେ ଗ୍ରହଣୀୟ କରିବା ପାଇଁ ଚେଷ୍ଟା କରିଛନ୍ତି।
ଜୟନ୍ତ ନାର୍ଲିକରଙ୍କ ଜନ୍ମ ୧୯ ଜୁଲାଇ ୧୯୩୮ ମସିହାରେ ମହାରାଷ୍ଟ୍ରର କୋଲ୍ହାପୁର ଠାରେ ହୋଇଥିଲା। ବାପା ବିଷ୍ଣୁ ନାର୍ଲିକର ଜଣେ ଗଣିତ ପ୍ରଫେସର ଥିଲେ ଏବଂ ମା’ ସୁମତି ଜଣେ ସଂସ୍କୃତ ଭାଷା ବିଶାରଦ ଥିଲେ। ଘରେ ଛୋଟବେଳୁ ହିଁ ପଢାପଢିର ପରିବେଶ ଥିଲା। ଜୟନ୍ତ ନାର୍ଲିକର, ଗଣିତରେ ଉଚ୍ଚଶିକ୍ଷା ପାଇଁ କେମ୍ବ୍ରିଜ୍ ବିଶ୍ବ ବିଦ୍ୟାଳୟ ଯାଇଥିଲେ। ସେଠି ଶିକ୍ଷା ଗ୍ରହଣ ସମୟରେ ହିଁ ତାଙ୍କର ଆଷ୍ଟ୍ରୋଫିଜିକ୍ସ (ଜ୍ୟୋତିର୍ବିଜ୍ଞାନ) ଏବଂ କସ୍ମୋଲୋଜି (ବ୍ରହ୍ମାଣ୍ଡ ବିଜ୍ଞାନ) ପାଇଁ ଆଗ୍ରହ ବଢିଥିଲା। କେମ୍ବ୍ରିଜରେ ପି ଏଫ୍ ଡି କରିବା ସମୟରେ ସେ, ପଦାର୍ଥ ବିଜ୍ଞାନୀ ସାର୍ ଫ୍ରେଡ୍ ହୋଲିଙ୍କ ସହ କାମ କରିବା ଆରମ୍ଭ କରିଥିଲେ। ୧୯୫୦-୬୦ ମଧ୍ୟରେ ସାର୍ ହୋଲିଙ୍କ ସହ କାମ କରିବା ସମୟରେ ହିଁ ନାର୍ଲିକର ନିଜ ଜୀବନର ସବୁଠାରୁ ଚର୍ଚ୍ଚିତ ଥିଓରୀ ପ୍ରସ୍ତୁତ କରିଥିଲେ। ଯାହା ହୋଲି-ନାର୍ଲିକର୍ ଥିଓରୀ ବା ଷ୍ଟିଡି-ଷ୍ଟେଟ୍ ଥିଓରୀ ଭାବରେ ଜଣାଶୁଣା। ଏହା ବ୍ରହ୍ମାଣ୍ଡ ଆରମ୍ଭକୁ ନେଇ ପ୍ରଚଳିତ ଥିବା ‘ବିଗ୍-ବ୍ୟାଙ୍ଗ୍’ ଥିଓରୀକୁ ଚ୍ୟାଲେଞ୍ଜ୍ କରିଥିଲା। ବିଗ୍-ବ୍ୟାଙ୍ଗ ଥିଓରୀ ଅନୁସାରେ ପାଖାପାଖି ୧୩୮ କୋଟି ବର୍ଷ ପୂର୍ବେ ହଠାତ୍ ବ୍ରହ୍ମାଣ୍ଡର ସୃଷ୍ଟି ହୋଇଥିଲା। ଯାହା ଆଜି ଯାଏଁ ମଧ୍ୟ ବହୁଳ ପ୍ରଚାରିତ ଏବଂ ବିଶ୍ବାସ କରା ଯାଉଥିବା ଥିଓରୀ। କିନ୍ତୁ ହୋଲି- ନାର୍ଲିକର ଥିଓରୀ ବା କ୍ବାସି ଷ୍ଟିଡି ଷ୍ଟେଟ୍ ମଡେଲ ଅନୁସାରେ ବ୍ରହ୍ମାଣ୍ଡ ଏବଂ ସେଥିରେ ଥିବା ପ୍ରତ୍ୟେକ କଣିକା ନିରନ୍ତର ତିଆରି ଚାଲିଥାଏ। ବ୍ରହ୍ମାଣ୍ଡ ନିର୍ମାଣ ଏବଂ ଆରମ୍ଭର କୌଣସି ନିର୍ଦ୍ଦିଷ୍ଟ ସମୟ ନାହିଁ। ଏହା ଏକ ନିରନ୍ତର ଓ ଚିରନ୍ତନ ପ୍ରକ୍ରିୟା। ବ୍ରହ୍ମାଣ୍ଡ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ସମୟ କିମ୍ବା ଘଟଣାରୁ ଆରମ୍ଭ ହୋଇ ନାହିଁ। ଏହା ଇନଫିନାଇଟ୍ ସମୟରୁ ରହି ଆସିଛି। ବ୍ରହ୍ମାଣ୍ଡର ଆକାର ସର୍ବଦା ବର୍ଦ୍ଧିଷ୍ଣୁ ବା ଏକ୍ସପାନସନ୍ ଘଟୁଥାଏ କିନ୍ତୁ ଏଥିରେ ପ୍ରତ୍ୟେକ ମୁହୂର୍ତ୍ତରେ ନୂତନ କଣିକା ଏବଂ ବସ୍ତୁର ନିର୍ମାଣ ଚାଲୁଥିବା ହେତୁ ଘନତ୍ବ ବଜାୟ ରହେ। ପ୍ରକୃତରେ ‘ବିଗ୍-ବ୍ୟାଙ୍ଗ୍' ନାମକରଣ ଟି ମଧ୍ୟ ସାର୍ ହୋଲିଙ୍କ ଦ୍ବାରା ହିଁ ଆରମ୍ଭ ହୋଇଥିଲା। ଗୋଟିଏ ରେଡ଼ିଓରେ ସାକ୍ଷାତକାର ସମୟରେ ସାର୍ ହୋଲି ପ୍ରଥମେ ଏ ଶବ୍ଦ ଟି କହିଥିଲେ। ହୋଲି-ନାର୍ଲିକର, ଆଇନଷ୍ଟାଇନଙ୍କ ଥିଓରି ଅଫ୍ ରିଲେଟିଭିଟିକୁ ମଧ୍ୟ ପରିବର୍ତ୍ତନ ପାଇଁ ଦାବି କରିଥିଲେ। ଥିଓରୀ ଅଫ୍ ଜେନେରାଲ୍ ରିଲେଟିଭିଟି ଅନୁସାରେ ଭାରି ବସ୍ତୁ ଗୁଡ଼ିକ ଦ୍ବାରା ସ୍ପେସଟାଇମରେ ଉତ୍ପନ୍ନ ସ୍ଥାନୀୟ ବକ୍ରତାରୁ ମାଧ୍ୟାକର୍ଷଣ ଶକ୍ତି ସୃଷ୍ଟି ହୋଇଥାଏ। କିନ୍ତୁ ହୋଲି-ନାର୍ଲିକରଙ୍କ ପ୍ରସ୍ତୁତ ଥିଓରୀ ଅନୁସାରେ ବ୍ରହ୍ମାଣ୍ଡର ଯେକୌଣସି କୋଣରେ ଉପସ୍ଥିତ ବସ୍ତୁ ଅନ୍ୟ ଗୋଟିଏ କୋଣରେ ଉପସ୍ଥିତ ବସ୍ତୁର ମାଧ୍ୟାକର୍ଷଣ ଶକ୍ତି ଦ୍ବାରା ପ୍ରଭାବିତ ହୋଇପାରେ। ଅର୍ଥାତ୍ ବ୍ରହ୍ମାଣ୍ଡର ପ୍ରତ୍ୟେକ ବସ୍ତୁ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡର ମାଧ୍ୟାକର୍ଷଣ ଶକ୍ତିରେ ଯୋଗଦାନ କରିଥାନ୍ତି। ଏବଂ ବ୍ରହ୍ମାଣ୍ଡର ଆକାର ବଢୁଥିବା ସମୟରେ ମଧ୍ୟ ସେଥିରେ ସଦା ନୂତନ ବସ୍ତୁ ଗୁଡ଼ିକର ନିର୍ମାଣ ହୋଇଚାଲିଥାଏ, ଯାହା ବ୍ରହ୍ମାଣ୍ଡର ଘନତ୍ବ ଓ ମାଧ୍ୟାକର୍ଷଣ ଶକ୍ତି ବଜାୟ ରଖେ।
ଏହି କଥାକୁ ସରଳ ଭାବରେ ସାଧାରଣ ଲୋକଙ୍କୁ ବୁଝାଇବା ପାଇଁ ନିଜ ଆତ୍ମଜୀବନୀ “ମାଇଁ ଟେଲ୍ ଅଫ୍ ଫୋର୍ ସିଟିଜ୍” ରେ ଜୟନ୍ତ ନାର୍ଲୀକର ଗୋଟିଏ ସରଳ ଉଦାହରଣ ଦେଇ କହିଥିଲେ, ‘ଏହି କଥାକୁ ବୁଝିବା ପାଇଁ ଆପଣ ଗୋଟିଏ ବ୍ୟାଙ୍କରେ ଗୋଟିଏ ନିର୍ଦ୍ଦିଷ୍ଟ ସମୂଳସୁଧ ବା compound interest ଦରରେ ଟଙ୍କା ଜମା କରିବା କଥା ଭାବନ୍ତୁ। ପ୍ରତ୍ୟେକ ଥର ସୁଧ ଟଙ୍କା ଜମା ହୋଇ ମୂଳ ଟଙ୍କାରେ ମିଶିଯାଏ ଏବଂ ଆରଥରକୁ ହିସାବ କଲା ବେଳକୁ ଆପଣଙ୍କ ମୂଳ + ସୁଧ ଟଙ୍କା ମିଶି ମୂଳ ଧନ ହୋଇଥାଏ, ଯାହାଦ୍ଵାରା ସୁଧ ହାର ନିର୍ଦ୍ଦିଷ୍ଟ ରହିବା ସତ୍ତ୍ୱେ ଏଥର ମୂଳଧନର ମାତ୍ରା ଅଧିକ ହୋଇଯିବା କାରଣରୁ ଆପଣଙ୍କୁ ଆରଥରକୁ ମିଳିବାକୁ ଥିବା ସୁଧର ପରିମାଣ ବଢିଯାଏ। ସେହିପରି ବ୍ରହ୍ମାଣ୍ଡ ମଧ୍ୟ ସମୂଳସୁଧ ହାରରେ ବୃଦ୍ଧି ପାଉଥାଏ, କିନ୍ତୁ ଯେହେତୁ ଘନତ୍ବ ସମାନ ରୁହେ ଏବଂ ବ୍ରହ୍ମାଣ୍ଡର ପ୍ରତ୍ୟେକ ବସ୍ତୁ ମାଧ୍ୟାକର୍ଷଣରେ ଅବଦାନ କରନ୍ତି ତେଣୁ ଏହା “ଷ୍ଟିଡି ଷ୍ଟେଟ୍” ରେ ରହିଥାଏ ତଥା ଦେଖଣାହାରୀକୁ ସବୁବେଳେ ସମାନ ଦେଖାଯାଏ।
୧୯୭୧ ବେଳକୁ ବିଶ୍ବରେ ଜୟନ୍ତ ନାର୍ଲିକରଙ୍କର ଖ୍ୟାତି ଦେଖି ଭାରତ ସରକାର ଏବଂ ବିଭିନ୍ନ ସ°ସ୍ଥା ତାଙ୍କୁ ଭାରତ ନିମନ୍ତ୍ରଣ କରିବା ଆରମ୍ଭ କଲେ। ୧୯୭୨ରେ ନାର୍ଲିକର ଭାରତ ଆସି Tata Institute of Fundamental Researchର Theoretical Astrophysics Groupର ଦାୟିତ୍ଵ ନେଇଥିଲେ, ଏବଂ ୧୯୮୯ ଯାଏଁ ତା'ର ମୁଖ୍ୟ ଭାବରେ କାର୍ଯ୍ୟରତ ଥିଲେ। ଭାରତୀୟ ଆଷ୍ଟ୍ରୋଫିଜିକ୍ସ ଓ ବିଜ୍ଞାନ ଦୁନିଆକୁ ଗଣତାନ୍ତ୍ରିକ ଢାଞ୍ଚାରେ ଗଢିବାରେ ନାର୍ଲିକରଙ୍କର ବହୁତ ବଡ଼ ଅବଦାନ ରହିଥିଲା। ୧୯୮୮ ମସିହାରେ ଅନ୍ୟ କିଛି ବୈଜ୍ଞାନିକଙ୍କ ସହଯୋଗ କ୍ରମେ ସେ ଭାରତର ପୁନେ, ମହାରାଷ୍ଟ୍ର ଠାରେ Inter-University Centre for Astronomy and Astrophysics (IUCAA) ପ୍ରତିଷ୍ଠା କରିଥିଲେ। ୨୦୦୩ ପର୍ଯ୍ୟନ୍ତ ନାର୍ଲିକର IUCAAର ଫାଉଣ୍ଡର-ଡାଇରେକ୍ଟର ହିସାବରେ କାର୍ଯ୍ୟରତ ଥିଲେ। ନାର୍ଲିକର IUCAA ରେ ସର୍ବଦା ସ୍କୁଲ ଛାତ୍ରଛାତ୍ରୀ ଏବଂ ସାଧାରଣ ଜନତାଙ୍କୁ ଆକୃଷ୍ଟ ଓ ଯୋଡ଼ି ପାରିଲା ପରି କାର୍ଯ୍ୟକ୍ରମ ଗୁଡିକୁ ସାମିଲ କରିବା ଉପରେ ଯୋର ଦେଉଥିଲେ। ତାଙ୍କ କାର୍ଯ୍ୟକାଳ ସମୟରେ ପ୍ରାୟ ପ୍ରତି ମାସରେ ନିୟମିତ ଭାବରେ, ସାଧାରଣ ଲୋକଙ୍କୁ ନେଇ ଏବଂ ସାଧାରଣ ଲୋକଙ୍କ ପାଇଁ ବିଜ୍ଞାନ ଭିତ୍ତିକ ଆଲୋଚନା ଚକ୍ର, ପ୍ରଦର୍ଶନୀ, ବିଜ୍ଞାନ ମେଳା/ କ୍ୟାମ୍ପ୍ ଏବଂ ଓ୍ଵାର୍କସପର ଆୟୋଜନ କରା ଯାଉଥିଲା। ନାର୍ଲିକରଙ୍କ ମତରେ ବିଜ୍ଞାନର ଯେକୌଣସି ବିଭାଗ କିମ୍ବା ମହାକାଶ ବିଜ୍ଞାନ କିମ୍ବା ଜ୍ୟୋତିର୍ବିଜ୍ଞାନ କ୍ଷେତ୍ରରେ ଜଣେ ଭଲ ବୈଜ୍ଞାନିକ ଗଢ଼ିବା ପାଇଁ ଆମକୁ ଜଣେ ପିଲାକୁ ସ୍କୁଲ୍ ସ୍ତରରୁ ହିଁ ଆକୃଷ୍ଟ କରିବା ପାଇଁ ପଡିବ ଏବଂ ତାକୁ ସେଇ ସ୍କୁଲ୍ ସ୍ତରରୁ ହିଁ ଗଢ଼ିବା ପାଇଁ ପଡିବ। ତାଙ୍କ ମତରେ ପି ଏଚ୍ ଡି ସ୍କଲାର କେହି ହଠାତ୍ ଆକାଶରୁ ଖସନ୍ତି ନାହିଁ ବରଂ ତାଙ୍କୁ ଅତି କଅଁଳ ବୟସରୁ ହିଁ ଠାବ କରିବା ପାଇଁ ପଡ଼େ!
କେବଳ ଶିକ୍ଷା କିମ୍ବା ବିଜ୍ଞାନ କେନ୍ଦ୍ର ଗୁଡିକ ମାଧ୍ୟମରେ ଯେ ନାର୍ଲିକର ଏହି ବିଷୟରେ ପ୍ରଚେଷ୍ଟା କରୁଥିଲେ ତା' ନୁହେଁ। ନିଜର ସାଇସ୍ସ-ଫିକ୍ସନ୍ ଲେଖା ବା କାହାଣୀ ଗୁଡ଼ିକ ମାଧ୍ୟମରେ ମଧ୍ୟ ପିଲା ମାନଙ୍କ କୋମଳ ମନରେ ବିଜ୍ଞାନର କୁହୁକ ନଗରୀ ପାଇଁ ଅହେତୁକ ଉତ୍ସାହ ଓ ଉଦ୍ଦୀପନା ସୃଷ୍ଟି କରୁଥିଲେ। ବିଜ୍ଞାନ ଭିତ୍ତିକ ପୁସ୍ତକ ଛଡ଼ା, ଦ କୋମେଟ୍ ପରି ତାଙ୍କର ଆହୁରି ଅନେକ ପ୍ରସିଦ୍ଧ ସାଇସ୍ସ-ଫିକ୍ସନ୍ ବା ବିଜ୍ଞାନ ଭିତ୍ତିକ କାଳ୍ପନିକ କାହାଣୀ ଓ ଉପନ୍ୟାସ ରହିଛି, ଯେପରିକି - ବାମନ୍ ପରତ୍ ନା’ ଆଲା (ମରାଠୀ), ଦ ଆଡ଼ଭେଞ୍ଚର୍, ଦ ପ୍ଲେଗ୍ ଇନ୍ ଏଥେନ୍ସ, ଦ କସ୍ମିକ୍ ଏକ୍ସପ୍ଲୋଜନ୍, ଭାଇରସ, ଅଭୟାରଣ୍ୟ, ପ୍ରେସହିତ୍, ଦ ମ୍ୟାଜିକ୍ ଅଫ୍ ଟାଇମ୍ ମେସିନ୍ ଆଦି। କୋଭିଡ୍-୧୯ ସମୟରେ, ୧୯୮୩ରେ ତାଙ୍କର ଲିଖିତ ଗୋଟିଏ ସାଇ-ଫାଇ କାହାଣୀ ଖୁବ୍ ଚର୍ଚ୍ଚିତ ହୋଇଥିଲା। ତାଙ୍କ କାହାଣୀରେ ଲେଖାଥିଲା ଯେ ୨୦୫୦ ବେଳକୁ ପୃଥିବୀରେ ଜଣେ ଆଲିଏନ୍ ଆସି ମଣିଷଙ୍କ ସହ ଜୀବନଯାପନ କରୁଛି ଏବଂ ତା' ସହ ମିଶି ପିଲାମାନେ ଗୋଟିଏ ସ୍କ୍ରିନ୍ ସାମ୍ନାରେ ବସି କ୍ଲାସ୍ କରୁଛନ୍ତି ବା ପାଠ ପଢ଼ୁଛନ୍ତି। ୨୦୦୦ ମସିହାରେ, ୨୦୫୦ ମସିହାର ବହୁ ପୂର୍ବରୁ ନାର୍ଲିକରଙ୍କ ଏହି କଳ୍ପନା ସତ ସାବ୍ୟସ୍ତ ହୋଇଥିଲା ଏବଂ ପିଲାମାନେ ଅନ୍-ଲାଇନ୍ କ୍ଲାସ୍ ଦ୍ବାରା ପାଠ ପଢିଥିଲେ। ସେହିପରି ୧୯୯୦ ଦଶକର ପ୍ରାରମ୍ଭରେ ରଚିତ ‘ଡେମୋନ୍ସ ଅଫ୍ ସ୍ପେସ୍’ କାହାଣୀରେ ନାର୍ଲିକର ବର୍ଣ୍ଣନା କରିଥିବା ଗୋଟିଏ ଭାଇରସ ଦ୍ବାରା ବିଶ୍ବ ମହାମାରୀର ଆଶଙ୍କା, ଯେଉଁଟିକି ଗୋଟିଏ ଗ୍ରହାଣୁଖଣ୍ଡ ଦ୍ବାରା ଆସିଛି। ପୃଥିବୀ ପୃଷ୍ଠରେ ଗ୍ରହାଣୁଖଣ୍ଡଟି ପଡ଼ିବା ଦ୍ବାରା ରୋଗ ବ୍ୟାପୁଛି, ସେହି ବିଶ୍ବ ମହାମାରୀ ଆଶଙ୍କାକୁ ମଧ୍ୟ ପାଠକେ କୋଭିଡ୍-୧୯ ସମୟରେ ମନେ ପକାଇଥିଲେ। ସେମିତି ୧୯୮୦ରେ ତାଙ୍କର ଗୋଟିଏ ଚର୍ଚ୍ଚିତ କାହାଣୀ ‘ବାମନ୍ ପରତ୍ ନା’ ଆଲା’ରେ ଅତି ଉନ୍ନତ ମାନର ରୋବଟ ନିର୍ମାଣ ଓ ଆର୍ଟିଫିସିଲ୍ ଇଣ୍ଟେଲିଜେନ୍ସର କୁପରିଣାମକୁ ନେଇ ବର୍ଣ୍ଣନା ରହିଛି।
ଜୟନ୍ତ ନାର୍ଲୀକରଙ୍କର ବିଜ୍ଞାନ ଭିତ୍ତିକ କାଳ୍ପନିକ କାହାଣୀ ଲେଖିବାର କାରଣ ଯେ କେବଳ ପାଠକ ମନରେ ଗୋଟିଏ କ୍ଷଣିକ ଉଦ୍ଦୀପନା ବା ଆନନ୍ଦ ଆଣିବା ଥିଲା, ତା' ନୁହେଁ। ଏହି ସବୁ ଲେଖା ମାଧ୍ୟମରେ ସେ ଯେ କେବଳ ସ୍କୁଲ ଛାତ୍ରଛାତ୍ରୀଙ୍କ ମନରେ ଜ୍ୟୋତିର୍ବିଜ୍ଞାନ କିମ୍ବା ବ୍ରହ୍ମାଣ୍ଡ ବିଜ୍ଞାନ ବିଷୟରେ ଆଗ୍ରହ ସୃଷ୍ଟି କରିବାକୁ ଚାହୁଁଥିଲେ, କେବଳ ସେତିକି ନୁହେଁ। ବରଂ ନିଜର ଏହି ସବୁ ବିଜ୍ଞାନ ଭିତ୍ତିକ କାଳ୍ପନିକ କାହାଣୀ ମାଧ୍ୟମରେ ସେ ସମାଜରେ ପ୍ରଚଳିତ ଅନ୍ଧବିଶ୍ୱାସ ଓ କୁସଂସ୍କାରକୁ ମଧ୍ୟ ଦୂର କରିବା ପାଇଁ ଚେଷ୍ଟା କରୁଥିଲେ। ଏବେ ଦ କୋମେଟ୍ କାହାଣୀଟିକୁ ପୁଣି ପଢିବା ପରେ ମୁଁ ଏହି କଥାକୁ ଆହୁରି ଗଭୀର ଭାବରେ ଅନୁଭବ କରି ପାରିଲି। ଯେତେବେଳେ ବ୍ରିଟେନରେ ଆଷ୍ଟ୍ରୋଫିଜିସିଷ୍ଟ ମାନେ କୋମେଟ୍ ଦତ୍ତାର ଗତିପଥ ବଦଳାଇବା ପାଇଁ ଲାଇଟ୍ ବ୍ରିଗେଡ୍ ନାମକ ଗୋଟିଏ ଭୀମକାୟ ନ୍ୟୁକ୍ଲିଅର୍ ଶକ୍ତି ଯୁକ୍ତ ସ୍ପେସ୍-କ୍ରାଫ୍ଟ ମହାକାଶକୁ ପଠାଇଛନ୍ତି ଏବଂ ଏହା ନିଜର କାମ ସଫଳତା ପୂର୍ବକ ପୂରା କରିଛି ଏବଂ କୋମେଟ୍ ଦତ୍ତା ଗତିପଥ ବଦଳାଇ କିଛିଦିନ ପରେ ଦୃଷ୍ଟିରୁ ଅପସରି ଯାଇଛି, ସେତେବେଳେ ଦତ୍ତଦା’ ତାଙ୍କ ସ୍ତ୍ରୀଙ୍କୁ କହୁଛନ୍ତି, ‘ଦେଖିଲ ଧୂମକେତୁ କେମିତି ବିନା କୌଣସି କ୍ଷୟକ୍ଷତି ଘଟାଇ ତା' ବାଟରେ ଚାଲିଗଲା।’ ସେତେବେଳେ ଦତ୍ତଦା'ଙ୍କ ଧର୍ମପତ୍ନୀ ଇନ୍ଦ୍ରାଣୀ ଦେବୀ ମତ ରଖୁଛନ୍ତି ଯେ, ଏହା କେବଳ ପୁରୋହିତଙ୍କ ଯଜ୍ଞ କାରଣରୁ ସମ୍ଭବ ହେଲା। ଦତ୍ତଦା' ଆଶ୍ଚର୍ଯ୍ୟ ହୋଇ ପଚାରୁଛନ୍ତି ଯେ, ସେ ତ ଯଜ୍ଞରେ ବସିବା ପାଇଁ ମନା କରିଥିଲେ, ତା’ହେଲେ ଯଜ୍ଞ ହେଲା କେମିତି? ଇନ୍ଦ୍ରାଣୀ ଦେବୀ ରହସ୍ୟମୟ ହସ ହସି କହୁଛନ୍ତି ଯେ ପୁରୋହିତଙ୍କ ପାଖରେ ସବୁ ସମସ୍ୟାର ସମାଧାନ ଥାଏ। ତାଙ୍କ ପରାମର୍ଶକ୍ରମେ ଦତ୍ତଦା'ଙ୍କ ନାତି ‘ଖୋକା’, ଯଜ୍ଞକର୍ତ୍ତା ର କାମଟି ତୁଲାଇଛି। ଦତ୍ତଦା' ଆଶ୍ଚର୍ଯ୍ୟ ହୋଇ ଇନ୍ଦ୍ରାଣୀ ଦେବୀଙ୍କୁ ଚାହୁଁଛନ୍ତି ଏବଂ ତାଙ୍କ ମନରେ ଗୋଟିଏ ଦୃଶ୍ୟ ଖେଳି ଯାଉଛି, କେମିତି ତାଙ୍କ ଟିକି ନାତି ଟୋକା ଖୋକା ତାକୁ ବିଲକୁଲ ବି ବୁଝା ପଡ଼ୁନଥିବା ପୁରୋହିତଙ୍କ ସେଇ ଶ୍ଳୋକ ଗୁଡ଼ିକୁ ଖନିଖନି ଉଚ୍ଚାରଣ କରି ଯଜ୍ଞ ନିଆଁରେ ଘିଅ ଢାଳି ଥିବ। ଦତ୍ତଦା’ଙ୍କ ମନରେ ନିଜ ପାଇଁ ଓ ଏ ସମାଜ ପାଇଁ ଗୋଟିଏ ପ୍ରଶ୍ନ ଉଠୁଛି। ସେ ନିଜକୁ ନିଜେ କହୁଛନ୍ତି, ‘ଆବାହମାନ କାଳରୁ ଏ ସମାଜରେ ଧନୀ-ଗରିବ, ଶିକ୍ଷିତ-ଅଶିକ୍ଷିତ, ସମ୍ପନ୍ନ - ଅସମ୍ପନ୍ନଙ୍କ ମଧ୍ୟରେ ଗୋଟିଏ ବ୍ୟବଧାନ ରହି ଆସିଛି, କିନ୍ତୁ ସମାଜରେ ଏ ତାର୍କିକ ଓ ଅନ୍ଧବିଶ୍ୱାସ ମଧ୍ୟରେ ଥିବା ବ୍ୟବଧାନ ଅନ୍ୟ ଯେକୌଣସି ବ୍ୟବଧାନ ଠାରୁ ଖୁବ୍ ବଡ! ଏହା ଏକ ବିଶାଳ ଗର୍ତ୍ତ ସଦୃଶ…… କେଜାଣି ମଣିଷ କେବେ ଏ ଗର୍ତ୍ତକୁ ଭରି ପାରିବାରେ ସମର୍ଥ ହେବେ କି ନାହିଁ?
ଏତିକି ଲେଖି ସାରିଲା ବେଳକୁ ମୋର ୧୯ ମେ’ ରେ କେଦାର ମିଶ୍ର ଭାଇ ପଢିବା ପାଇଁ ଦେଇଥିବା ବହି “ମିଥକୋଁ ସେ ବିଜ୍ଞାନ ତକ୍” ରେ ବୈଜ୍ଞାନିକ ତଥା କବି ଗୌହର ରଜାଙ୍କ କିଛି ଧାଡ଼ି ମନେ ପଡି ଯାଉଛି। ବହିର ପ୍ରଥମାର୍ଦ୍ଧରେ ହିଁ ସେ ବୁଝାଇ କହିଛନ୍ତି, ବିଜ୍ଞାନ ବାସ୍ତବରେ କ’ଣ? ଏବଂ ଜଣେ ସାଧାରଣ ମଣିଷ ପକ୍ଷରେ କେମିତି ନିଜ ଦୈନନ୍ଦିନ ଜୀବନ ଭିତରେ ଗୋଟିଏ ପ୍ରଚଳିତ ବିଶ୍ଵାସକୁ ଛାଡି ଏହି ତାର୍କିକ ବିଷୟକୁ ଗ୍ରହଣ କରିବା ଅନେକ ସମୟରେ କଷ୍ଟକର ହୋଇ ପଡେ। ଯୁକ୍ତିଯୁକ୍ତ କଥା ଶୁଣି, ବୁଝି, ଉପଲବ୍ଧି କରି ତାକୁ ଜୀବନରେ ସାମିଲ୍ କରିବା ପରିବର୍ତ୍ତେ ମଣିଷ ଗୋଟିଏ ପ୍ରଚଳିତ କାଳ୍ପନିକ ଓ ସହଜିଆ କଥାକୁ ଗ୍ରହଣ କରି ବଞ୍ଚି ଚାଲେ। ବିଜ୍ଞାନ ଏବଂ ଅନ୍ଧବିଶ୍ୱାସ ଭିତରର ଏ ଯୁକ୍ତିତର୍କ ଯୁଗ ଯୁଗର। ଯେତେବେଳେ ‘ବିଜ୍ଞାନ’ କରି ଗୋଟିଏ ଅଲଗା ଶବ୍ଦ ବା ବିଭାଗ ପ୍ରତିଷ୍ଠା ହୋଇନଥିଲା ତା' ପୂର୍ବର। ଯଦିଓ ନିଜ ଦୈନନ୍ଦିନ ଜୀବନକୁ ସହଜ ଓ ସରଳ କରିବା ପାଇଁ ମଣିଷ, ବିଜ୍ଞାନ ଦ୍ବାରା ଆବିଷ୍କୃତ ଓ ପ୍ରଦତ୍ତ ଅନେକ ଚିଜ ବ୍ୟବହାର କରେ କିନ୍ତୁ ଅନ୍ଧବିଶ୍ୱାସକୁ ଛାଡ଼ି ବିଜ୍ଞାନକୁ ସ୍ବୀକାର କରିବା କଥା ପଡ଼ିଲେ ସେ ସବୁବେଳେ ଗୋଟିଏ ସହଜିଆ ଓ ଯୁକ୍ତି ବିହୀନ ମାର୍ଗ ଧରେ। ୧୯୭୬ ମସିହାରେ ଦ କୋମେଟ୍ ଲେଖିବା ସମୟରେ ଦତ୍ତଦା'ଙ୍କ ମାଧ୍ୟମରେ ଜୟନ୍ତ ନାର୍ଲୀକର ଯେଉଁ ପ୍ରଶ୍ନ ପଚାରିଥିଲେ, ସେଇ ପ୍ରଶ୍ନ ଆଜି ବି ମୋତେ ଯୁକ୍ତିଯୁକ୍ତ ଓ ରିଲେଭାଣ୍ଟ ଲାଗେ। ସତରେ କ’ଣ ତାର୍କିକ ଦୁନିଆ ଓ ଅନ୍ଧବିଶ୍ୱାସ ମଧ୍ୟରେ ଥିବା ଏ ଗଭୀର ଗର୍ତ୍ତକୁ ବିଜ୍ଞାନ କିମ୍ବା ମଣିଷ ସମାଜ କେବେ ଭରି ପାରିବ?