ଟିକେ ସିନେମା, ଟିକେ ଅର୍ଥନୀତି

ଟିକେ ସିନେମା, ଟିକେ ଅର୍ଥନୀତି

ଧର୍ମେନ୍ଦ୍ର ପହଞ୍ଚିବା ଟିକିଏ ଡେରି ହୋଇଯାଇଥିଲା । ସେ ପହଞ୍ଚିବା ବେଳକୁ ରାଣି ମାଙ୍କ ଆଦେଶରେ ତା' ବାପାଙ୍କ ହାତ କାଟି ଦିଆଯାଇ ସରିଥିଲା । ସେତେବେଳେ ଧର୍ମେନ୍ଦ୍ର ଡାଏଲଗ୍ ମାରୁଛି :

"ଅଗର୍ ହୁକୁମତ୍ କରନେଓ୍ବାଲେ ୟୁହିଁ ନ୍ୟାୟ୍ କରତେ ରହେ, ତୋ ଗରିବ୍ ଜନତା କା ତୋ ଭଗବାନ୍ ହି ମାଲିକ୍ ହୈ । ଲେକିନ୍ ଏକ୍ ବାତ୍ ତୋ ଆପ୍ ଭି ୟାଦ୍ ରଖିଏ, ଅଗର୍ ଇସ୍ ରାଜଗଦି ପର ବୈଠକେ ମନଗଢତ୍ କାନୁନ୍ ବନାକର୍ ଗରିବୋଁକା ଜିନ୍ଦଗୀକା ସାଥ୍ ଖେଲତେ ରହେ ତୋ ୟେ ରାଜପାଟ୍ ଜ୍ୟାଦା ଦିନ୍ ନେହିଁ ଚଲେଗା । ଗରିବୋଁ କା ଦିଲ୍ ମେଁ ବଗାବତ୍ କି ଆଗ୍ ଭଡକ୍ ଉଠେଗି ଅଉର୍ ୟେ ରାଜପାଟ୍ କୋ ଜଲାକର୍ ରାଖ୍ କରଦେଗି ।"

ଏ ଡାଏଲଗ୍ ଶୁଣି ସିନେମା ହଲ୍ ତାଳିରେ ଫାଟି ପଡିଲା । ଏ ଦୃଶ୍ୟଟି ସତୁରୀ ଦଶକର  ସିନେମା 'ଧରମ-ଭୀର'ର । ଏହା ଏକ ସୁପରହିଟ୍ ବ୍ୟବସାୟିକ ଓ ରାଜାରାଜୁଡ଼ା କାହାଣୀ ଥିଲା । ଏଠାରେ ପ୍ରଶ୍ନ ଉଠୁଛି ଯେ ଗୋଟିଏ ରାଜାରାଜୁଡ଼ା କାହାଣୀରେ ଏହାର ନିର୍ଦ୍ଦେଶକ ମନମୋହନ ଦେଶାଇ ଡାଏଲଗ ଭିତରେ ଗରିବଙ୍କୁ କାହିଁକି ଭିଡ଼ିଲେ ?

 କାହିଁକି ନା ସେ ଜାଣିଥିଲେ ଦର୍ଶକଙ୍କ ମନରେ ଗରିବଙ୍କ ପ୍ରତି ସମବେଦନା ଅଛି ଓ ସେମାନେ ଏ ଡାଏଲଗରେ ନିଶ୍ଚୟ ତାଳି ମାରିବେ । ତାହା ହିଁ ହେଲା । ଫିଲିମ୍ ସୁପରହିଟ୍ । 

ଆଜିକାଲି କାହିଁକି ଏମିତି କୈାଣସି ସିନେମା ଆସୁନାହିଁ ଯେଉଁଥିରେ ନାୟକ ଗରିବ ଥିବ ଓ ନ୍ୟାୟ ପାଇଁ ହୁକୁମତ୍ କୁ ଚାଲେଞ୍ଜ୍ କରୁଥିବ ? ଏବେ କ'ଣ ଗରିବଟିଏ ସରକାରୀ ଗୁଣ୍ଡାଙ୍କ ଜୁଲୁମର ସାମ୍ନା କରୁ ନାହିଁ ? ଗତ କିଛି ବର୍ଷରେ ଅନେକ ଗରିବ ଲିଞ୍ଚିଂର ସାମ୍ନା କରିଛନ୍ତି । କେତେକ ସେଥିରେ ମରିଛନ୍ତି । ପାଣ୍ଡେମିକ୍ ସମୟରେ ଅନେକ ପାଦରେ ଚାଲି ଚାଲି ପ୍ରାଣ ହରାଇଛନ୍ତି । ରାଜାରାଜୁଡ଼ା ଫିଲିମ୍ ନହେଲେ ନାହିଁ, ଭରପୁର ଗୀତ ଥିବା, ସଲମାନ ଖାନ୍ କି ‌ରଣବୀର ସିଂ ଅଭିନୀତ କୈାଣସି ବ୍ୟବସାୟିକ ଫିଲିମ୍ କାହିଁକି ଆସୁନାହିଁ ଯେଉଁଥିରେ ଶାସକକୁ ଚାଲେଞ୍ଜ ଥିବ ଓ ହିରୋ ଗରିବ ପାଇଁ ନ୍ୟାୟ ମାଗୁଥିବ ? ଆଜିକାଲି କ'ଣ ସେମିତି ସିନେମା ଚାଲିବ ନାହିଁ ? ସେତେବେଳେ ତ ଚାଲୁଥିଲା । ନା ସେମିତି ପ୍ରଯୋଜକ ଓ ଡାଏଲଗ୍ ଲେଖକ ଏବେ ନାହାନ୍ତି ? 

ମାସ ମାସ ଧରି ଦରମା ମିଳି ନଥିବାରୁ  ନଦୀପ୍ କଉର୍ ପ୍ରତିବାଦ କଲା । କାରଖାନା ମାଲିକ କଥାରେ   ପୋଲିସ୍ ତାକୁ ବାନ୍ଧି ନେଲା ଓ ୨୪ ଘଣ୍ଟା ବଦଳରେ ସପ୍ତାହକ ପରେ ମାଜିଷ୍ଟ୍ରେଟଙ୍କ ଆଗରେ ଛିଡା କରାଗଲା । ଅନେକ ସପ୍ତାହ ପର୍ଯ୍ୟନ୍ତ ତା'ର ଡାକ୍ତରି ମାଇନା ହେଲାନାହିଁ ।  ପୋଲିସ କଷ୍ଟୋଡିରୁ ବାହାରିବା ବେଳକୁ ତା' ନଖ ନେଳି ପଡ଼ିଯାଇଛି ଓ ମୁହଁ ଫୁଲି ଯାଇଛି । ଆଜିକୁ ଏକମାସ ଧରି ସେ ଝିଅଟି ଜେଲରେ ଅଛି । ବାହାର ଲୋକଙ୍କୁ ତାକୁ ଦେଖା କରିବାକୁ ଦିଆ ଯାଉନାହିଁ । 

ମୁଁ କହୁନାହିଁ ଯେ ଖାସ୍ ଏହି ବିଷୟକୁ ନେଇ ଏକ ଫିଲ୍ମ ବନୁ । କିନ୍ତୁ ଯଦି ସମାଜରେ ଜୁଲୁମ୍ ଏବେ ବି ଅଛି ତାହାର ପ୍ରତିଫଳନ ସିନେମା କିମ୍ବା ଡାଏଲଗରେ କାହିଁକି ନାହିଁ ? ଆଜିକାଲିର  ଦର୍ଶକ କ'ଣ ନିଶାଖୋର ସଞ୍ଜୟ ଦତ୍ତଙ୍କ ବାୟୋପିକ୍ ଦେଖି ତାଙ୍କ ପ୍ରତି ହୋଇଥିବା କଥିତ ଅନ୍ୟାୟ ପାଇଁ ସମବେଦନା ପ୍ରକାଶ କରୁଛନ୍ତି ଓ   ନଦୀପ୍ ଭଳି ଝିଅ ପାଇଁ  ସମବେଦନା ରଖି ନାହାନ୍ତି ? 

ହିନ୍ଦୀ ଫିଲ୍ମ ଇତିହାସରେ ସବୁଠାରୁ ବେଶୀ ହିଟ୍ ଫିଲିମ୍ ଦେଇଥିବା ପ୍ରଯୋଜକ ଓ ନିର୍ଦ୍ଦେଶକମାନଙ୍କ ମଧ୍ୟରେ ମନମୋହନ ଦେଶାଇ ଜଣେ । ତାଙ୍କର ପ୍ରାୟ ସବୁ ଫିଲ୍ମରେ ହିରୋ ଜଣେ ଗରିବ କିମ୍ବା ଫୁଟପାଥର ଯୁବକ । ତାଙ୍କ ସିନେମା 'ଅମର ଆକବର ଆନ୍ଥୋନୀ'ରେ ଫୁଟପାଥ୍ ହିରୋ ଅମିତାଭ ବଚ୍ଚନ ଜଣେ ଧନୀ ଝିଅକୁ ଭଲ ପାଇ ଗାଉଛି :

ବଡେ ବଡେ ଲୋଗ୍ ୟହାଁ ହୈ
ଲେକିନ୍ ୟେ ୟାଦ୍ ରହେ 
ସଚ୍ଚା ପ୍ୟାର୍ ଗରିବୋ କା
ବାକି ହୈ ଖେଲ୍ ନସିବୋଁ କା 
......ରୁପନଗର୍ ପ୍ରେମଗଲି ଖୋଲି ନମ୍ବର୍ ୪୨୦ ।

କାହିଁ ? ଆଜିକାଲି କ'ଣ ଖୋଲିରେ ରହୁଥିବା କୈାଣସି ଗରିବ ଯୁବକ ଗୋଟିଏ ଧନୀ ଝିଅକୁ ଭଲ ପାଉନାହିଁ ? ଆଜି କ'ଣ ସେମିତି ଫିଲ୍ମ ଆସିଲେ ଦର୍ଶକ ତାଳି ମାରିବେ ନାହିଁ ? ଆଜି କ'ଣ ଚାକଚକ୍ୟ ଓ ଟିକଟକ୍ ଦୁନିଆରେ ଗରିବ ନିଜକୁ ଗରିବ ବୋଲି ସ୍ବୀକାର କରୁନାହିଁ ? ତାକୁ ଲାଜ ଲାଗୁଛି ? ନା ଆମ ସରକାରମାନେ ବିପିଏଲ ସୀମାରେଖା ଉପରକୁ ସମସ୍ତଙ୍କୁ ଉଠେଇ ସାରିଲେଣି ? ବହୁ ସରକାରଙ୍କ ଦ୍ଵାରା ବଡ଼ ବଡ଼ ଦାବୀ ମୁଁ ଶୁଣିଛି । ଆମ ନବୀନବାବୁଙ୍କ ସରକାର ମଧ୍ୟ । ସେମାନେ ବହୁ ଗରିବଙ୍କୁ ବିପିଏଲ ଉପରକୁ ଉଠାଇ ସାରିଲେଣି ।

 ସେ ଦାରିଦ୍ର୍ୟ ସୀମାରେଖା କ'ଣ ଓ ତାହା କେମିତି  ହିସାବ ହୁଏ ? ସେ ବିଷୟରେ ପଞ୍ଚାନନ କାନୁନଗୋଙ୍କ ଦ୍ବାରା ଲିଖିତ ବହିଟି କିଣିଛି କିନ୍ତୁ ଅଳ୍ପ ପଡ଼ିଛି । ତେବେ ଏତିକି ଜାଣିଛି ଯେ ୨୦୧୧ ମସିହାରେ ତେନ୍ଦୁଲକର କମିଟି କହିଥିଲା, ଯେଉଁ ଲୋକ ଗ୍ରାମାଞ୍ଚଳରେ ଦିନକୁ ୨୭.୨୦ ଟଙ୍କା ଓ ସହରାଞ୍ଚଳରେ ଦିନକୁ ୩୩.୩୦ ଟଙ୍କା ନିଜର ଖାଇବା, ଦେହ ପା, ଯିବା ଆସିବା, ବିଦ୍ୟୁତ୍ ଓ ଶିକ୍ଷାରେ ଖର୍ଚ୍ଚ କରି ପାରୁଥିବ, ଜାଣ ସେ ଗରିବ ସୀମା ଉପରକୁ ଉଠିଗଲା । ତେବେ ଇଉରୋପ ଓ ପାଶ୍ଚାତ୍ୟ ଦେଶରେ ଏହି ସୀମାରେଖା ବହୁତ ଉପରେ । ଏ ତ ଗଲା ୨୦୧୧ ମସିହାର ରିପୋର୍ଟ । ଆଉ ଏବେ ?

ଆଜ୍ଞା ଛାଡ଼ନ୍ତୁ ମ । ଏ ଅଛେଦିନରେ ଗରିବ କିଏ ସେଥିରେ କାହିଁକି ମୁଣ୍ଡ ଖେଳାଇବା ? ତା ଛଡା ଆମର ତ କମ୍ପିଟିସନ୍ ପାକିସ୍ଥାନ ସାଙ୍ଗରେ ନା ?

ମନମୋହନ ଦେଶାଇଙ୍କ ଆଉ ଏକ ଚଳଚ୍ଚିତ୍ର 'ରୋଟି'ରେ ସୁପରଷ୍ଟାର ରାଜେଶ ଖାନ୍ନା ଗୋଟିଏ ମହଜୁଦକାରୀ ଲୁଚେଇ ଥିବା ଖାଦ୍ୟଶସ୍ୟ ଧରା ପକାଇ ଗାଉଛି :

ହୀରେ ମୋତି ତୁମନେ ଛୁପାଏ
କୁଛ୍ ହମ୍ ଲୋଗ୍  ନା ବୋଲେ 
ଅବ୍ ଆଟା ଚାଓଲ୍ ଭି ଛୁପା ତୋ,
ଭୁଖୋଁ ନେ ମୁହଁ ଖୋଲେ  ।
ଅରେ ଭିଖ୍ ନା ମାଁଗେ,
ଅରେ କର୍ଜ ନା ମାଁଗେ
ୟେ ଅପନା ହକ୍ ମାଁଗତି ହୈ 
ୟେ ଯୋ ପବଲିକ୍ ହୈ 
ସବ୍ ଜାନତି ହୈ ।

ଏବେ ଏ ପବଲିକ୍ ଗଲେ କୁଆଡେ  ? ଏବେ ତ ଆଉ ରାଜେଶ ଖାନ୍ନା ଆସିବେନି । ଶାହରୁଖ୍ ଖାନ୍ କୁଆଡେ ଗଲେ ? ଆୟୁଷ୍ମାନ ଖୁରାନା କୁଆଡେ ଗଲେ ? ଏବେ  ନୂଆ କୃଷି ଆଇନ୍ ଲାଗୁ ହେବା ପରେ ମହଜୁଦକାରୀକୁ ଆଉ ମହଜୁଦକାରୀ କୁହାଯିବ ନାହିଁ । ଏ କଥା ଆଜିକାର ଫିଲ୍ମରେ ଆଉ ରହିବ ? ଦର୍ଶକ ତାଳି ମାରିବେ ? ଏବେ ତ ଗରିବକୁ ୧ ଟଙ୍କାରେ ଚାଉଳ ମିଳିଲେ ଅନେକ ନାକ ଟେକୁଛନ୍ତି ଏବଂ କହୁଛନ୍ତି ଯେତେ ସବୁ ସମସ୍ୟା ଦେଶରେ ଅଛି ସେଥିପାଇଁ ଏଇମାନେ ଦାୟୀ । ଡାଲି କିଲୋ ଦେଢ଼ଶହ ଟଙ୍କାରେ ଓ ଖାଇବା ତେଲ ଦେଢ଼ଶହ ଟଙ୍କାରେ କିଣିବେ ପଛେ ଖାଦ୍ୟଶସ୍ୟ ମହଜୁଦକୁ ସଂସ୍କାର କହିବେ ଓ ଆସିକି-୨କୁ ସୁପର‌ହିଟ୍ ବନେଇ ଛାଡ଼ିବେ । 

ମଧ୍ୟବର୍ଗର ଓ ମୁଖ୍ୟ ଧାରାର କଥୋପକଥନରୁ କ'ଣ ଗରିବ ଗାଏବ୍ ହୋଇଗଲେ ? ବଡ଼ ବଡ଼ କମ୍ପାନୀଙ୍କ ଓକିଲ ଓ ଉଚ୍ଚାଧିକାରୀମାନେ ଟିଭିରେ ଟାଇ ପିନ୍ଧି ନିରପେକ୍ଷ ହୋଇ ବସୁଛନ୍ତି ଓ ସଂସ୍କାର କଥା କହୁଛନ୍ତି । ଅର୍ଥନୀତିର ଅ ଅକ୍ଷର ଜାଣି ନଥିବା ଲୋକ ସେମାନଙ୍କ କଥା ଶୁଣି କହୁଛି, ସବୁକିଛି ନଦୀପ୍ କଉର୍ କୁ ନିର୍ଯ୍ୟାତନା ଦେଇଥିବା ମାଲିକମାନଙ୍କ ହାତକୁ ଦେଇଦିଅ । ଆଉ ଆମ ହିରୋମାନେ ସେଇ କମ୍ପାନୀଗୁଡିକର ବ୍ରାଣ୍ଡ ଆମ୍ବାସଡର୍ ହୋଇ ଓ ଟଙ୍କା ବଦଳରେ ଟୁଇଟ୍ କରି  ବୁଲୁଛନ୍ତି ।

'ଦୋ ବିଘା ଜମିନ୍' ଫିଲ୍ମରେ ଗୋଟିଏ ଚାଷୀର ଜମିଟିକୁ ଜଣେ ଶିଳ୍ପପତି ହଡ଼ପ କରି ନେଉଛି କାରଣ ସେ ଜମି ଉପରେ ଗୋଟିଏ ମଲ୍ ଠିଆ କରାଇବ ।  ତା'ର ପରିବାର ଅତି ଦାରିଦ୍ର୍ୟ ମଧ୍ୟକୁ ଠେଲି ହୋଇଯାଉଛି । ମୋର କାହିଁ ମନେ ପଡୁନି ସେଥିରେ ସେ ଶିଳ୍ପପତିର କୈାଣସି ଡାଏଲଗ୍ ଥିଲା ଯେଉଁଥିରେ ସେ କହୁଛି  'କ'ଣ ହେଲା ସେଇଠୁ ? ମୁଁ ଟ୍ୟାକ୍ସ ଦେଉଛି" । 

'ଅନାଡି' ଫିଲ୍ମରେ ରାଜୁ (ରାଜ୍ କପୁର୍ ) ସେଠଜିଙ୍କୁ ଯେତେବେଳେ ତାଙ୍କ ବଟୁଆ ଫେରାଇବାକୁ ହୋଟେଲକୁ ଯାଉଛି ସେତେବେଳେ ସେଠ୍ ସେଠାରେ ମଦ ପିଇ ନାଚୁଥିବା ଧନାଢ୍ୟ ଯୁବକ ଯୁବତୀଙ୍କ ଆଡ଼କୁ ଆଙ୍ଗୁଠି ଦେଖାଇ କହୁଛି " ତୁ ଜାଣିଛୁ ରାଜୁ ? ଏଠାରେ ଏବେ ଯେଉଁମାନେ ନାଚୁଛନ୍ତି ଏମାନେ ସମସ୍ତଙ୍କୁ ଦିନେ ବଟୁଆ ମିଳିଥିଲା । କିନ୍ତୁ ସେମାନେ ତୋ ଭଳି ବଟୁଆ ଫେରାଇବାକୁ ଆସି ନଥିଲେ ।" ହଁ ଆଜ୍ଞା, ହିରୋ ହେଉଛନ୍ତି ପ୍ରସିଦ୍ଧ ସୋ-ମ୍ୟାନ୍ ରାଜକପୁର ଯାହାଙ୍କ ଫିଲ୍ମ ଓ ଗୀତ ବିଜ୍ଞାପନ ଓ ଆଧୁନିକ ଯୋଗାଯୋଗ ନଥିବା ସମୟରେ ବି ଦେଶ ବାହାରେ  ବିଦେଶୀଙ୍କୁ (ଭାରତୀୟ ବଂଶୋଦ୍ଭବ ନୁହେଁ) ପାଗଳ କରୁଥିଲା । 

ଜଣେ ପଢାଲେଖା ପିଲା ମୋତେ ଏବେ କହିଲା ଯେ ସେଗୁଡ଼ିକ ସବୁ ପୁରୁଣା ଫିଲ୍ମ ଓ ଭାରି ସ୍ଲୋ । ମୁଁ ତାକୁ କହିଲି ତୋତେ ସ୍ଲୋ ଏଇଥିପାଇଁ ଲାଗୁଛି ଯେ କ୍ୟାମେରା ମୁଭମେଣ୍ଟ୍ ସ୍ଲୋ ଥିଲା । ଜଣେ ହିରୋ କିମ୍ବା ହିରୋଇନ୍ ର ମୁହଁର ଭାଷା ପଢିବା ପାଇଁ କ୍ୟାମେରା ତା' ମୁହଁ ଉପରେ ୧୦ ସେକେଣ୍ଡ ଅଟକୁ ଥିଲା । ଆଜି ନାୟକ ନାୟିକାଙ୍କର ଫିଲ୍ମରେ ସେମିତି ବିଶେଷ ଚିନ୍ତା ନାହିଁ ଓ ୧୦ ସେକେଣ୍ଡ ପର୍ଯ୍ୟନ୍ତ କ୍ୟାମେରା ଆଗରେ ଇମୋସନ୍ ଦେଖାଇବା ପାଇଁ ସେମାନଙ୍କର ଦମ୍ ବି ନାହିଁ। 

୨୦୧୯ ମସିହାର ୟୁନିସେଫ୍ ରିପୋର୍ଟ କହୁଛି ଭାରତରେ ୩୮% ପିଲାଙ୍କର ଶରୀର ବୃଦ୍ଧି ଘଟୁନି । କୁପୋଷଣ ଯୋଗୁଁ ୫ ବର୍ଷରୁ କମ୍ ବୟସର ପିଲାଙ୍କ ମଧ୍ୟରୁ ୬୯% ମରି ଯାଉଛନ୍ତି । ଅକ୍ସଫାମ୍ ରିପୋର୍ଟ କହୁଛି ଯେ ମହଙ୍ଗା ସ୍ବାସ୍ଥ୍ୟ ବ୍ୟବସ୍ଥା ଯୋଗୁଁ ପ୍ରତିବର୍ଷ ୬.୩ କୋଟି ଲୋକ ଦାରିଦ୍ର୍ୟ ମଧ୍ୟକୁ ଠେଲି ହୋଇ ଯାଉଛନ୍ତି । ୨୦୨୦ ବିଶ୍ବ କ୍ଷୁଧା ସୁଚୀରେ ୧୦୭ଟି ଦେଶ ମଧ୍ୟରୁ ଭାରତର ସ୍ଥାନ ହେଉଛି ୯୪ । 

କିନ୍ତୁ ଏମାନଙ୍କ ଜୀବନ, ଏମାନଙ୍କ ଯନ୍ତ୍ରଣା ଓ ଏମାନଙ୍କ ସମସ୍ୟା ଆମ ଦୃଶ୍ୟପଟରୁ ଗାଏବ ହୋଇଯାଇଛି । ଆଜିର ଫିଲ୍ମ ଓ ଟିଭି ସିରିଏଲ୍ ଦେଖିଲେ ଲାଗୁଛି ଦେଶ ଘିଅ ମହୁରେ ଭାସୁଛି । କପିଳ ଶର୍ମା ଖୋଲାଖୋଲି ତା ପ୍ରୋଗ୍ରାମରେ ଚା'ବାଲା, ଡ୍ରାଇଭର ଓ ପିଅନକୁ ଛୋଟ ମଣିଷ କରି ବେଷ୍ଟ କମେଡିଆନ୍ ବୋଲାଉଛି । 

ଅଶି ଦଶକର ଫିଲ୍ମ କୁଲିରେ ଅମିତାଭ ବଚ୍ଚନ କୁଲିମାନଙ୍କ ନେତା ହୋଇ ଅନ୍ୟାୟର ପ୍ରତିବାଦ କରିବାକୁ ଯାଇ ହରତାଳ ଘୋଷଣା କରୁଛି ଓ ଟ୍ରେନ୍ ଚଳାଚଳ ଥପ୍ ହୋଇଯାଉଛି । ଯେ ପର୍ଯ୍ୟନ୍ତ ଧନୀ ସେଠ୍ ଭୁଲ୍ ମାଗୁନାହିଁ ହରତାଳ ହଟୁନାହିଁ । ଦର୍ଶକ ତାଳି ମାରୁଛନ୍ତି । 
ତ୍ରିଶୁଲ୍ ଫିଲ୍ମରେ ଅମିତାଭଙ୍କ ମା ଜଣେ ନିର୍ମାଣ ଶ୍ରମିକ । କାଲାପଥର ଫିଲ୍ମରେ ଅମିତାଭ୍ ଓ ଶତୃଘ୍ନ ସିହ୍ନା ଶୋଷଣକାରୀ ଘରୋଇ କୋଇଲା ଖଣି ମାଲିକ ପ୍ରେମ ଚୋପ୍ରାର ବିରୋଧ କରୁଛନ୍ତି ।  ଜଞ୍ଜିର୍ ଫିଲ୍ମରେ ଖାନ୍/ପଠାନ୍ ଏକ ସବୁଠାରୁ ଅଧିକ ସମ୍ମାନ ପାଉଥିବା ଚରିତ୍ର । 

ମୁଁ ଏ ଯେଉଁସବୁ ସିନେମା କଥା କହୁଛି ସେସବୁ ଆର୍ଟ ଫିଲ୍ମ ବା ସମାନ୍ତରାଳ ଫିଲ୍ମ ନୁହେଁ । ଏସବୁ ସୁପରହିଟ ବ୍ୟବସାୟିକ ସିନେମା ଯାହାକୁ ଦର୍ଶକ ଅତ୍ୟଧିକ ପସନ୍ଦ କରୁଥିଲେ । କିନ୍ତୁ ଆଜିକାଲି ଏସବୁ ଚରିତ୍ରକୁ ଫିଲ୍ମରେ ଖଳନାୟକ କରି ଦେଖାଯାଉଛି । 

ଆମର ଏବେକାର ଓଡ଼ିଆ ଫିଲ୍ମ କଥା ଚିନ୍ତା କରୁ ନାହାନ୍ତି ? ସବୁ ଚକୋଲେଟ୍ ହିରୋ । ପ୍ରେମ ପାଇଁ ପ୍ରେମିକ-ପ୍ରେମିକା ଆଉ ରକ୍ଷଣଶୀଳ ବାପା ମା ଓ ସମାଜ ବିରୁଦ୍ଧରେ ବିଦ୍ରୋହ କରୁ ନାହାନ୍ତି । ବାପା ମା ରାଜି ନହେଲେ ସିମରନ୍ କୁ ଛାଡି ସିକ୍ସ-ପ୍ୟାକ୍  ରାଜ୍ ଚାଲି ଯାଉଛି । ଏ କି ପ୍ରକାର ପ୍ରେମ ଆଜ୍ଞା ମୁଁ ବୁଝି ପାରିଲିନି । ଫିଲ୍ମରେ  ପ୍ରେମ ଗୀତ ହିଷ୍ଟ୍ରିଆ ରୋଗୀର ପ୍ରଳାପ ଭଳି ଶୁଭୁଛି । ପ୍ରେମ କରିବା ଲାଗି ଗୋଟିଏ ଦିଲ୍ ଦରକାର । କିନ୍ତୁ ଏବେ ଦିଲଓ୍ବାଲେ କାହାନ୍ତି ଯେ ପ୍ରକୃତ ଦିଲ୍ କି ବାତ୍ ଶୁଣିବ ?

'ଶ୍ରୀ ୪୨୦' ଫିଲ୍ମରେ ଶୈଳେନ୍ଦ୍ର ଲେଖିଥିବା ଓ ରାଜକପୁର ଅଭିନୟ କରିଥିବା ଗୀତଟି ଶୁଣନ୍ତୁ । 

ଘମ୍ ସେ ଅଭି ଆଜାଦ୍ ନେହିଁ ମେ
ଖୁସ୍ ହୁଁ ମଗର୍ ଆବାଦ୍ ନେହିଁ ମେ
ମଞ୍ଜିଲ୍ ମେରେ ପାଶ୍ ଖଡ଼ି ହୈ 
ପାଓଁ ମେ ଲେକିନ୍ ବେଡି ପଡ଼ି ହୈ
ଟାଙ୍ଗ୍ ଅଡାତା ହୈ ଦଉଲତ୍ ବାଲା 
ଦିଲ୍ କା ହାଲ୍ ସୁନେ ଦିଲଓ୍ବାଲା