ଯମନିକ ତୀର୍ଥ ଓ ପୁରୀ

ଯମନିକ ତୀର୍ଥ ଓ ପୁରୀ

ସାରୋଳା ମହାଭାରତର ମୂଷଳୀ ଏବଂ ବନପର୍ବରେ ଜଗନ୍ନାଥ ତତ୍ତ୍ୱର ଅନେକ ରହସ୍ୟର ଚର୍ଚ୍ଚା କରା ଯାଇଛି । ସାରୋଳା ମହାଭାରତର ଆଦିପର୍ବର ସାରୋଳା ବନ୍ଦନରେ କବି ସାରୋଳା ଦାସ ସୂର୍ଯ୍ୟବଂଶୀ କପିଳେନ୍ଦ୍ର ଦେବଙ୍କର ସମସାମୟିକ  ଥିବାର ସୂଚନା ରହିଛି । ଏହି ସାରୋଳା ଦାସ ବନ ଏବଂ ମୂଷଳୀ ପର୍ବରେ ପୁରୁଷୋତ୍ତମ କ୍ଷେତ୍ରର ଆଦିରୂପ ତଥା ଜଗନ୍ନାଥ ତ୍ରିମୂର୍ତ୍ତିଙ୍କର ଦାରୂରୂପ ସମ୍ପର୍କରେ କେତେକ ଆଖ୍ୟାନ ମାଧ୍ୟମରେ ଚର୍ଚ୍ଚା କରିଛନ୍ତି । ସାରୋଳା ଦାସଙ୍କର ପ୍ରଥମ ପ୍ରସଂଗ ନୀଳସୁନ୍ଦରଗିରି-ଯାହା ଉତ୍କଳର ସମୁଦ୍ରକୂଳର ପୁରୁଷୋତ୍ତମ କ୍ଷେତ୍ରର ପ୍ରାଚୀନ ରୂପ ।

ପୁରାଣମାନଙ୍କରେ ଏହାକୁ ନୀଳଗିରି ନାମରେ ବର୍ଣ୍ଣନା କରାଯାଇଛି । ସାରୋଳା ଦାସ ପ୍ରଥମ କରି ଏହାର ଅନ୍ୟ ନାମ ଯମନିକ ତୀର୍ଥ ବୋଲି ମତ ଦେଇଛନ୍ତି । ଉଭୟ ବନ ଏବଂ ମୂଷଳୀ ପର୍ବରେ ଏହି ଯମନିକ ତୀର୍ଥ ପ୍ରସଂଗର ବର୍ଣ୍ଣନା ରହିଛି । ସେ ମଧ୍ୟ ଏହି ଯମନିକ ତୀର୍ଥକୁ ଯମେଶ୍ୱର ଲିଙ୍ଗ ପୂଜିତ ଯମେଶ୍ୱର ପୀଠରୂପେ ଗ୍ରହଣ କରିଛନ୍ତି । ପୁରୁଷୋତ୍ତମ କ୍ଷେତ୍ରର ପ୍ରାଚୀନ   କଳେବର ଏବଂ ଜଗନ୍ନାଥ ତତ୍ତ୍ୱର ରହସ୍ୟ ଉନ୍ମୋଚନ ପାଇଁ ଯମନିକ ତୀର୍ଥର ପ୍ରକୃତ ସ୍ୱରୂପ ଉନ୍ମୋଚନ ଆବଶ୍ୟକ । ପୁରୁଷୋତ୍ତମ କ୍ଷେତ୍ର ମହାତ୍ମ୍ୟରେ ଯମେଶ୍ୱର ନାମ ଥିଲେ ସୁଦ୍ଧା ଯମନିକ ତୀର୍ଥର ନାମ ଉଲ୍ଲେଖ ନାହିଁ । ସାରୋଳା ମହାଭାରତ ବନପର୍ବରେ ପ୍ରଥମ କରି ପୁରୁଷୋତ୍ତମ କ୍ଷେତ୍ର ଅଥବା ନୀଳଗିରି ଥିବା ଯମନିକ ତୀର୍ଥର ବର୍ଣ୍ଣନା ରହିଛି ।  ଏହି ବନପର୍ବରେ ସମୁଦ୍ର କୂଳରେ ଅବସ୍ଥିତଥିବା ଯମନିକ ତୀର୍ଥ ଯମେଶ୍ୱର ମୁକ୍ତ ମହାଲିଙ୍ଗ ବୋଲି ବର୍ଣ୍ଣିତ । ସାରୋଳା ଦାସ ଯମନିକଙ୍କୁ ବ୍ରହ୍ମାଙ୍କର ପୁତ୍ର ବୋଲି ବର୍ଣ୍ଣନା କରିଛନ୍ତି ଏବଂ ମହର୍ଷି ଆଖ୍ୟା ଦେଇଛନ୍ତି । ଏକଦା ସାରୋଳା ଦାସଙ୍କର ବର୍ଣ୍ଣନା ଅନୁସାରେ ଏହି ଯମନିକ ବ୍ରହ୍ମାଙ୍କର ମରାଳ ବାହନରେ ବସି ସପ୍ତ ବ୍ରହ୍ମାଣ୍ଡ ପରିକ୍ରମା କରିବାକୁ ଗଲେ । ଏହି ଅବସରରେ ବ୍ରହ୍ମା ତାଙ୍କର ମହାଳ ବାହନରେ ବସି ସ୍ୱର୍ଗ ଯାତ୍ରାକରିବାକୁ ଇଚ୍ଚା କଲେ; କିନ୍ତୁ ତାଙ୍କୁ ଜଣାଇଦିଆଗଲା ଯେ ତାଙ୍କ ପୁତ୍ର ଯମନିକ ମରାଳ ବାହନରେ ପାତାଳ ଯାତ୍ରା କରୁଛନ୍ତି । ବ୍ରହ୍ମା ଯେ କି ବେଦବ୍ୟାସ ତାଙ୍କର ପୁତ୍ର ଯମନିକଙ୍କୁ  ସେଠାରୁ ପ୍ରତ୍ୟାବର୍ତ୍ତନ ନକରି ଯେଉଁ ସ୍ଥାନରେ ଭ୍ରମଣରତ ସେହି ସ୍ଥାନରେ ରହିଯାଆନ୍ତୁ ବୋଲି ଅଭିଶାପ ଦେଲେ । ସେହି ସମୟରେ ଯମନିକ ବାରାନିଧିର ଉତ୍ତର ଦିଗରେ ଥିଲେ । ସେ ସେଠାରେ ମହାଶମ୍ଭୁ ପ୍ରସ୍ତର ରୂପରେ ରହିଗଲେ । ଏହି ପରି ଭାବରେ ଯମନିକ ତୀର୍ଥ ପରିଚିତ ହେଲା । ସାରୋଳା ଦାସଙ୍କ ମତରେ ଯମନିକ ତୀର୍ଥର ଶେଷରେ ଥିଲା ନୀଳସୁନ୍ଦରଗିରି ।


 ସାରୋଳା ଦାସଙ୍କ ଏହି ଆଖ୍ୟାନରେ ଯମଙ୍କର ନୂତନ ପରିଚୟ ପ୍ରଦାନ କରାଯାଇଛି । ପୁରାଣମାନଙ୍କରେ ଯମ ସୂର୍ଯ୍ୟ(ଧର୍ମ)ପୁତ୍ର ବୋଲି ବର୍ଣ୍ଣିତ । କିନ୍ତୁ ସାରୋଳା ଦାସ ତାଙ୍କୁ ବ୍ରହ୍ମାଙ୍କର ପୁତ୍ର ବୋଲି ବର୍ଣ୍ଣନା କରିଛନ୍ତି । ନୀଳସୁନ୍ଦରଗିରି ଅଥବା ପରବର୍ତ୍ତୀ ପୁରୁଷୋତ୍ତମ କ୍ଷେତ୍ର ଏହି ଯମନିକ ତୀର୍ଥ ଅନ୍ତର୍ଗତ । ବର୍ତ୍ତମାନ ମଧ୍ୟ ଯମେଶ୍ୱର ପୁରୁଷୋତ୍ତମ କ୍ଷେତ୍ରରେ ସୁପରିଚିତ । ସାରୋଳା ଦାସ ଏହି ଶୈବପୀଠ ଯମେଶ୍ୱର ସହିତ ପରିଚିତ ଥିଲେ ମଧ୍ୟ ଯମନିକଙ୍କୁ ବେଦର ସ୍ରଷ୍ଟା ବ୍ରହ୍ମାଙ୍କର ପୁତ୍ର ବୋଲି ଗ୍ରହଣ କରିଛନ୍ତି । ଏହି ଆଖ୍ୟାନରେ ଯମନିକ ଯମ ନହୋଇ ବ୍ରହ୍ମାଙ୍କର ଅବାଧ୍ୟ ଏବଂ ଅଭିଶପ୍ତ ସନ୍ତାନ ବୋଲି ପରିଚିତ । ଏହି ଯମନିକ ଆଖ୍ୟାନରେ ପରୋକ୍ଷରେ ପୁରୁଷୋତ୍ତମ କ୍ଷେତ୍ର ଏକଦା ବଜ୍ରଯାନୀ ତାନ୍ତ୍ରିକ ପୀଠରୂପେ ପ୍ରସିଦ୍ଧ ଥିଲା ବୋଲି ସୂଚିତ । ଯମନିକ ପରି ଏକ ଅଦ୍ଭୁତ ଶବ୍ଦ ସମ୍ଭବତଃ ପ୍ରସିଦ୍ଧ ବଜ୍ରଯାନୀ ଦେବତା ଯମାନ୍ତକକୁ ବୁଝାଇପାରେ; ଅର୍ଥାତ ଯମନିକ ଏହି ବଜ୍ରଯାନୀ ଦେବତା ଯମାନ୍ତକଙ୍କର ବିକୃତ/ପରିବର୍ତ୍ତିତ ଉଚ୍ଚାରଣ ଯାହା ଆଞ୍ଚଳିକ ସ୍ତରରେ ପୁରୀ କୋଣାର୍କ ଅଞ୍ଚଳରେ ପ୍ରଚଳିତ ଥିଲା । ଏହି ଆଞ୍ଚଳିକ ସ୍ତରରେ ଯମାନ୍ତକଙ୍କୁ ଯମେଶ୍ୱର ଅଥବା ଯମଙ୍କର ଈଶ୍ୱର ବା ଯମଠାରୁ ଅଧିକ ଶକ୍ତିଶାଳୀ ବୋଲି ଗ୍ରହଣ କରାଯାଇଥିଲା ।

ବଜ୍ରଯାନୀ ତାନ୍ତ୍ରିକ ଉପାସନା/ସାଧନ ପ୍ରକ୍ରିୟାରେ ଯମାନ୍ତକ ମଧ୍ୟ ମହାକାଳ, ଯମାରୀ ବା ମୃତ୍ୟୁର ବିଜେତା ବୋଲି ଗୃହୀତ । ଏହି ପ୍ରସଂଗକୁ ବିଚାରକୁ ନେଲେ ସାରୋଳା ଦାସ ମହାଭାରତରେ ବୌଦ୍ଧ ବଜ୍ରଯାନ ତତ୍ତ୍ୱ ମଧ୍ୟ ବୈଦିକ ଚିନ୍ତାଧାରାରୁ ଗୃହୀତ ବୋଲି ସୂଚନା ଦେଇଛନ୍ତି । ବୌଦ୍ଧ ବଜ୍ରଯାନୀମାନେ ଭିନ୍ନଭାବରେ ଯମାନ୍ତକଙ୍କୁ ଗ୍ରହଣ କରି ଏକଦା ପୁରୁଷୋତ୍ତମ କ୍ଷେତ୍ର ଉପରେ ଆଧିପତ୍ୟ ବିସ୍ତାର କରିଥିଲେ ଏବଂ ବଜ୍ରଯାନୀ ଦେବତା ଯମାନ୍ତକଙ୍କୁ  ଅଧିଷ୍ଠିତ କରି ସେଠାରେ ତାନ୍ତ୍ରିକ ପ୍ରକ୍ରିୟା ଚଳାଇରଖିଥିଲେ । ପୁରୀର ସୀମାରେ  କୋଣାର୍କ ନିକଟସ୍ଥ କୁରୁମରେ ମଧ୍ୟ ଏହି ଯମାନ୍ତକ ଉପାସିତ ହୋଇଥିବାରୁ ସ୍ଥାନୀୟ ଭାଷାରେ ଏହାକୁ ଯମଧର୍ମପୀଠ ବୋଲି ମନେକରାଯାଇଥିଲା ।  ପୁରୁଷୋତ୍ତମ କ୍ଷେତ୍ର ଏକଦା ଏପରି ବଜ୍ରଯାନୀ ତାନ୍ତ୍ରିକ ଦେବତାର ପୀଠସ୍ଥଳ ଥିବାରୁ ଏକାଦଶ ଶତକରେ ମଧ୍ୟ ଏହାକୁ ପ୍ରସିଦ୍ଧ ତାନ୍ତ୍ରିକ ପୀଠରୂପେ ଗ୍ରହଣ କରାଯାଇଥିଲା । ମଧ୍ୟଯୁଗର ପ୍ରଥମ ପର୍ଯ୍ୟାୟରେ ପୁରୁଷୋତ୍ତମ କ୍ଷେତ୍ରରେ ତାନ୍ତ୍ରିକ ଆଧିପତ୍ୟ ଥିବାର ଅନ୍ୟାନ୍ୟ ପ୍ରମାଣ ରହିଛି ।  ତାନ୍ତ୍ରିକ ଶାସ୍ତ୍ର ତନ୍ତ୍ର ଚୁଡାମଣୀରେ ଭୈରବ ଜଗନ୍ନାଥ ଏବଂ ଭୈରବୀ ଦେବୀ-ବିମଳା ପୁରୁଷୋତ୍ତମ କ୍ଷେତ୍ରରେ  ଉପାସିତ ହୋଇଥିବାର ସୂଚନା ରହିଛି । ଏଥିରୁ ପୁରୁଷୋତ୍ତମ କ୍ଷେତ୍ର ଏକଦା ଭୈରବ ଏବଂ ବିମଳାଙ୍କ ଆଧିପତ୍ୟରେ ତାନ୍ତ୍ରିକ ପ୍ରକ୍ରିୟାର ଭୂମି ହୋଇଥିଲା ବୋଲି ଜଣାଯାଏ । ସେଥିପାଇଁ ପୁରୀରେ ବିମଳା ପୀଠେଶ୍ୱରୀ ହିସାବରେ ପରିଚିତ । ସମ୍ଭବତଃ ଗଙ୍ଗବଂଶୀ ସମ୍ରାଟ ଚୋଡଗଙ୍ଗ ଦ୍ୱାଦଶ ଶତକରେ ଏହି କ୍ଷେତ୍ର ଅଧିକାର କରି ସମସ୍ତ ତାନ୍ତ୍ରିକ ପୀଠଗୁଡିକୁ ବନ୍ଦକରାଇ ଅଥବା ସ୍ଥାନାନ୍ତରିତ କରାଇ ଏହାକୁ ବିଷ୍ଣୁ -ପୁରୁଷୋତ୍ତମ ପୀଠରୂପେ ପରଚିତ କରାଇବାକୁ ଉଦ୍ୟମ କରି ସଫଳ ହୋଇଥିଲେ ଯାହା ମାଦଳାପାଞ୍ଜି ରାଜଭୋଗରେ ସୂଚିତ । ଚୋଡଗଙ୍ଗ ସେଠାରେ ବିଷ୍ଣୁପୁରୁଷୋତ୍ତମଙ୍କ ପାଇଁ ମହାମନ୍ଦିର ନିର୍ମାଣ କରାଇବାରେ ସଫଳ ହେବାରୁ ତାନ୍ତ୍ରିକ ପୀଠଗୁଡିକ ବିଲୁପ୍ତ ହୋଇଯାଇଥିଲେ । ରାଜଭୋଗ ଚର୍ଚ୍ଚାରୁ ସ୍ପଷ୍ଟ ଜଣାପଡେ ଯେ ବୃହତ୍‍ ମନ୍ଦିର ନିର୍ମାଣ ତଥା  ଚତୁର୍ଦ୍ଧା ମୂର୍ତ୍ତି ଉପାସନା ପରେ ଗଙ୍ଗ-ସୂର୍ଯ୍ୟବଂଶୀ ଗଜପତି ରାଜତ୍ୱ କାଳରେ ବୌଦ୍ଧ ପୂଜକ/ସେବକମାନେ ସେଠାରେ କିଛିଟା ପ୍ରାଧାନ୍ୟ ବିସ୍ତାର କରିଥିଲେ ଏବଂ ସେମାନଙ୍କୁ ବ୍ରାହ୍ମଣ ସେବକମାନଙ୍କ ଉଦ୍ୟମରେ କ୍ରମେକ୍ରମେ ବହିଷ୍କାର କରାଯାଇଥିଲା ।  ଏପରିକି ଏହି ତାନ୍ତ୍ରିକ ବୌଦ୍ଧମାନଙ୍କର ପୁରୁଷୋତ୍ତମ କ୍ଷେତ୍ରରେ ପ୍ରାଧାନ୍ୟକୁ ସ୍ୱୀକାର କରି ସାରୋଳା ଦାସ ତାଙ୍କ ମହାଭାରତରେ ଜଗନ୍ନାଥ ତ୍ରିମୂର୍ତ୍ତିକୁ ବୌଦ୍ଧ ମୂର୍ତ୍ତି ବୋଲି ଅନେକ ପ୍ରସଂଗରେ ସୂଚନା ଦେଇଛନ୍ତି । ଏହା ମଧ୍ୟ ଜଣାଇଦିଏ ଯେ ବିଷ୍ଣୁ ପୁରୁଷୋତ୍ତମ କ୍ଷେତ୍ର ଏକଦା ତାନ୍ତ୍ରିକ ବୌଦ୍ଧମତଦ୍ୱାରା ପ୍ରଭାବିତ ହୋଇଥିଲା । ତେଣୁ ସମ୍ଭବତଃ ଏକାଦଶ ଶତକ ସୁଦ୍ଧା ଯମାନ୍ତକ ଏହି ଅଞ୍ଚଳରେ ପ୍ରସିଦ୍ଧ ଥିଲେ । ସମୟକ୍ରମେ ଯମାନ୍ତକ ଯମନିକ ରୂପେ ଲୋକସ୍ମୃତିରେ ରହିଗଲେ ଏବଂ ପରେପରେ ପୁରୁଷୋତ୍ତମ କ୍ଷେତ୍ରରେ ଶୈବ ପ୍ରାଧାନ୍ୟ କାଳରେ ଯମେଶ୍ୱର ମହାଲିଙ୍ଗ ରୂପେ ପରିଚିତ ହେଲେ । ଯମେଶ୍ୱର ପୁରୀର ପ୍ରସିଦ୍ଧ ଦେବତା ଏବଂ ପୁରୀକୁ ସ୍ୱର୍ଗଦ୍ୱାର ବୋଲି କୁହାଯାଏ ।

ସାଧାରଣ ଭାବରେ ସ୍ୱର୍ଗଦ୍ୱାରକୁ ମୃତଦେହ ସତ୍କାର ପାଇଁ ଉଦ୍ଦୀଷ୍ଟ ବୋଲି ମନେକରାଯାଇଥାଏ । କିନ୍ତୁ ଏହି ପ୍ରସଂଗରେ ଅନ୍ୟ ଏକ ବାଖ୍ୟା ଅଧିକ ଯୁକ୍ତିଯୁକ୍ତ ଏବଂ ସତ୍ୟଭିତ୍ତିକ ମନେହୁଏ । ଏହାକୁ ସ୍ୱର୍ଗଦ୍ୱାର କହିବାର ଅନ୍ୟ ଏକ କାରଣ ମଧ୍ୟ ରହିଛି । ସମ୍ଭବତଃ ଏହି କ୍ଷେତ୍ର ବଜ୍ରଯାନ-ସହଜଯାନ ତାନ୍ତ୍ରିକ ପଦ୍ଧତିର ପରୀକ୍ଷାର ଭୂମିଥିବାରୁ ଏବଂ ବଜ୍ରଯାନୀ ତାନ୍ତ୍ରିକ ଦେବତା ଯମାନ୍ତକ ଆଧିପତ୍ୟ ଥିବାରୁ ନିର୍ବାଣ ପ୍ରାପ୍ତି/ ଆତ୍ମାମୋକ୍ଷର ପୀଠହିସାବରେ ପ୍ରଥମେ ପରିଚିତ ଥିଲା । ପରେ ଲୋକସ୍ମୃତିରେ ଏହି ନିର୍ବାଣ ପ୍ରାପ୍ତି ନିମନ୍ତେ ସାଧନା(ଯାହା ଯମ କ୍ଷମତାର ଉର୍ଦ୍ଧ୍ୱରେ କିନ୍ତୁ ଯମାନ୍ତକ/କାଳାନ୍ତକ ଦ୍ୱାରା ସମ୍ଭବ) ଲୋପପାଇ ଯମ ମୃତ୍ୟୁ ଦେବତା ରୂପେ ସେଠାରେ ପରିଚିତ ହେଲେ । ତେଣୁ ଏହାକୁ ସିଧା ସ୍ୱର୍ଗଦ୍ୱାର ବୋଲି ମନେକରାଯାଇଥିଲା । କିନ୍ତୁ ଏହି ସ୍ୱର୍ଗଦ୍ୱାର ବଜ୍ରଯାନ ପଦ୍ଦତିର ଆତ୍ମାମୋକ୍ଷ/ନିର୍ବାଣର ପୀଠରୂପେ ମଧ୍ୟ ପରିଚିତ ଥିଲା । ସାରୋଳା ଦାସ ସମୟକୁ ମୃତଦେହ ସତ୍କାର ଭୂମି ହିସାବରେ ଏହା ଗୃହୀତ ହୋଇଥିଲା । କାରଣ ଯମ ମଧ୍ୟ ଏଠାରେ  କୃଷ୍ଣଙ୍କର ମୃତ ଦେହକୁ ସ୍ଥାପନ କରିଥିଲେବୋଲି ଏକ ଆଖ୍ୟାନରେ ସାରୋଳା ଦାସ ପ୍ରକାଶ କରିଛନ୍ତି । ଏହି ବର୍ଣ୍ଣନା ଏବଂ ଯମନିକ ତୀର୍ଥର ସୂଚନାରୁ ଜଣାପଡେ ଯେ ପୁରୁଷୋତ୍ତମ କ୍ଷେତ୍ର ଏକଦା ବଜ୍ରଯାନୀ ଦେବତା ଯମାନ୍ତକଙ୍କର ପୀଠରୂପେ ପରିଚିତ ଥିଲା; ପରେ ପରେ ଏହାର ଯମେଶ୍ୱର ନାମକରଣ ଏବଂ ଯମେଶ୍ୱର ପୀଠଦ୍ୱାରା ସ୍ୱର୍ଗଦ୍ୱାର ରୂପେ ପରିଚିତ ହେଲା । ପୁରୁଷୋତ୍ତମ କ୍ଷେତ୍ରରେ ଯମାନ୍ତକ ଆଧିପତ୍ୟ ଲୋକସ୍ମୃତିରେ ବିଲୁପ୍ତ ହୋଇ ଯମନିକ ଯମେଶ୍ୱରପରି ଖଣ୍ଡିତ ସ୍ମୃତି  ହୋଇ ବଞ୍ଚି ରହିଲା ।