ଆଦିପୁରୁଷ ସିନେମା ଓ ନୂଆ ରାମାୟଣ

ଆଦିପୁରୁଷ ସିନେମା ଓ ନୂଆ ରାମାୟଣ

ରାମାୟଣକୁ ନେଇ ନୂଆ ଏକ ବଲିଉଡ୍ ସିନେମା “ଆଦିପୁରୁଷ” ଗଲା ଷୋହଳ ତାରିଖରେ ଦେଶ ବ୍ୟାପି ହିନ୍ଦୀ ଓ ତେଲୁଗୁ ଭାଷାରେ ରିଲିଜ୍ ହେଇଛି । ଗଲା କିଛି ଦିନ ହେଲାଣି ଆଦିପୁରୁଷକୁ ନେଇ ସୋସିଆଲ୍ ମିଡିଆରେ ବେଶ୍ ରୋଚକ ଖବରମାନ ପ୍ରକାଶ ପାଉଥିଲା । ସିନେମା ଏମିତି, ସିନେମା ସେମିତି । ଓମ୍ ରାଉତଙ୍କ ନିର୍ଦ୍ଦେଶନାରେ ସାତ ଶହ କୋଟି ଟଙ୍କା ବ୍ୟୟ ବରାଦରେ ନିର୍ମିତ ଏହି ଚଳଚ୍ଚିତ୍ରକୁ ଭାରତୀୟ ସିନେମା ନିର୍ମାଣ ଇତିହାସରେ ଅନ୍ୟତମ ବ୍ୟୟବହୁଳ ସିନେମା ଭାବରେ ଗଣାଯାଉଛି । ସିନେମାର ଭିଜୁଆଲ୍ ଇଫେକ୍ଟ ବାବଦରେ ହିଁ କେବଳ ୨୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ବାହୁବଳୀ ଫେମ୍ ପ୍ରଭାସ ଆଦିପୁରୁଷ ସିନେମାରେ ରାମ ଭୂମିକାରେ ଅଭିନୟ କରିଥିବା ବେଳେ ସୈଫଅଲ୍ଲୀ ଖାଁ ଲଙ୍କାପତି ରାବଣ ଭୂମିକାରେ ଅଭିନୟ କରିଛନ୍ତି । ସୀତା ମା’ଙ୍କ ଭୂମିକାରେ ଅଛନ୍ତି କ୍ରୀତି ସାନନ୍ । 


କିନ୍ତୁ ପ୍ରଥମଦିନର ପ୍ରଥମ ସୋ ପରେ ସବୁ କିଛି ଓଲଟ ପାଲଟ ହେଇଯାଇଛି । ହିସାବ ନିକାଶ ଫେଲ୍ ମାରିଯାଇଛି। ସୋସିଆଲ୍ ମିଡିଆରେ ସିନେମାକୁ ନେଇ ନକାରାତ୍ମକ ମତ ଆସିବାକୁ ଲାଗିଛି । ଦର୍ଶକମାନେ ସିନେମାକୁ ସିଧାସଳଖ ଖରାପ କହି ପ୍ରତ୍ୟାଖାନ କରିଛନ୍ତି । ବିଭିନ୍ନ ଟୁଇଟର୍ ହ୍ୟାଣ୍ଡେଲରୁ ଏତେ ସମାଲୋଚନା ହେଉଛି ଯେ ସମର୍ଥକମାନେ ହଡବଡେଇ ଯିବା ସହ ସିନେମା ସହ ସଂପୃକ୍ତ ବ୍ୟକ୍ତିମାନେ ସାମ୍ନାକୁ ଆସିବାକୁ ଲୁଚୁଛନ୍ତି । ଆମେ ଯାହା କରିବୁ ତାହା ଠିକ୍ ନ୍ୟାୟରେ ସିନେମା ବିଷୟରେ ନକରାତ୍ମକ ମତ ପୋଷଣ କରି ସୋସିଆଲ୍ ମିଡିଆରେ ଲେଖା ପୋଷ୍ଟ କରିଥିବା କିଛି ବ୍ୟକ୍ତି ବିଶେଷଙ୍କୁ ଧମକ୍ ମିଳିସାରିଛି ଓ କେସ୍ ବାସ୍ ଯାଏଁ କଥା ବି ଯାଇସାରିଛି । ପ୍ରଯୋଜନା ସଂସ୍ଥା ତରଫରୁ କପିରାଇଟ୍ ଭାଓଲେସନ୍ କହି  ବିଭିନ୍ନ ଟୁଇଟର୍ ହ୍ୟାଣ୍ଡେଲ୍‌ରେ ଅପଲୋଡ୍ ହେଇଥିବା ସିନେମାର କ୍ଳିପିଂ ସବୁକୁ ଗୋଟି ଗୋଟି ହଟେଇ ଦିଆଯାଉଛି । 


ସିନେମା ରିଲିଜ୍ ହେବା ଆଗରୁ ଲିବରାଲ୍‌ରୁ ରାଇଟିଷ୍ଟ ହେଇଥିବା ସିନେମାର ସଂଳାପ ଲେଖକ ମନୋଜ ମୁନ୍ତାସିରଙ୍କର ଏକ ଫଟୋ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ସହ ଦେଖିବାକୁ ମିଳୁଥିଲା । ଲେଖକ ମହାଶୟ ଆଶୀର୍ବାଦ ପାଇଁ ବୋଧେ ଯାଇଥିଲେ । ବିଜେପି ଶାସିତ ରାଜ୍ୟମାନଙ୍କର ମୁଖ୍ୟମନ୍ତ୍ରୀମାନଙ୍କୁ ସିନେମାରେ ଉଇଥ୍ ଇୟୋର ବ୍ଲେସିଙ୍ଗସ୍ ଶୀର୍ଷକରେ ଧନ୍ୟବାଦ ଜଣାଯାଇଛି । କିନ୍ତୁ ଶେଷକୁ ରାମଙ୍କ ନାମରେ ରାଜନୀତି କରୁଥିବା ଦଳମାନଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି ଆଦିପୁରୁଷ ସିନେମା । କାରଣ ଅନେକ ରାଇଟ୍ ଉଇଙ୍ଗର୍ ସମର୍ଥକମାନେ ହିଁ ସିନେମାକୁ ବିରୋଧ କରୁଛନ୍ତି । ଅବଶ୍ୟ ପଦେ ପଦେ କଥାରେ ଧାର୍ମିକ ଭାବପ୍ରବଣତା ଆହତ ହେଉଥିବା ଲୋକମାନେ ଏତେ ବେଶୀ ପାଟିତୁଣ୍ଡ କରିନାହାଁନ୍ତି କି ଆହତ ହୋଇନାହାଁନ୍ତି, ଯେତେଟା ଅନ୍ୟ କେହି ସିନେମା ତିଆରି କରିଥିଲେ ହେଇଥା’ନ୍ତେ । 


ଲୋକେ ଆପତ୍ତି ଜଣାଉଛନ୍ତି ଯେ ସ୍ୱର୍ଣ୍ଣଲଙ୍କାର ରଙ୍ଗ ଏମିତି ଡ୍ରାକୁଲା ସେଟ୍ ପରି କାଳିଆ କିଟି କିଟି କାହିଁକି? ରାବଣର ଦଶ ମୁଣ୍ଡ ତଳ ଉପର ଧାଡି ହେଇ ଏମିତି ପାଞ୍ଚ ପାଞ୍ଚ କରି ରହିଛି କାହିଁକି? ରାବଣ ଖିଲିଜ୍ ପରି ଦିଶୁଛି କାହିଁକି? ରାମ କାହିଁକି ଯିଶୁ ଖ୍ରୀଷ୍ଟଙ୍କ ପରି ଦିଶୁଛନ୍ତି? ନିଜ ଇଚ୍ଛାରେ ସାନ ବଡ ହେଇପାରୁଥିବା ହନୁମାନ ମା ସୀତାଙ୍କ ପାଖରେ ଏତେ ବଡ ଆକାରର ହେଇ ବସିଛନ୍ତି କାହିଁକି? ମଥା ମଣି ବଦଳରେ ହନୁମାନ ସୀତା ମା’ଙ୍କୁ କଙ୍କଣ ଦେଖାଉଛନ୍ତି କାହିଁକି? ପୁଷ୍ପକ ବିମାନ ଡ୍ରାଗନ୍ ହେଇଯାଇଛି କାହିଁକି? ହନୁମାନ ଏତେ ଖରାପ ଇତର ଭାଷାରେ କଥା ହେଉଛନ୍ତି କାହିଁକି? ଇନ୍ଦ୍ରଜିତ ଆଜିକାଲିକା ଜିମ୍ ଯାଉଥିବା ଟୋକାଙ୍କ ପରି ଦିହ ସାରା ଟାଟୋ କରିଛନ୍ତି କାହିଁକି? ରାବଣ ଟି ସାର୍ଟ ପିନ୍ଧିଛି କାହିଁକି? ରାବଣ ଆନାକୋଣ୍ଡା ପରି ବିରାଟ ଏକ ସାପ ସାହାଯ୍ୟରେ ମସାଜ୍ ହେବାକଥା ଲେଖକ ଆଣିଲେ କୋଉଠୁ? ରିଲିଜ୍ ଆଗରୁ ସିନେମାର ଟିଜର୍ ଓ ଟ୍ରେଲରରେ ଚମତ୍କାର ଭି.ଏଫ୍.ଏକ୍ସର ପ୍ରୟୋଗ ହୋଇଛି ବୋଲି ପ୍ରଚାର କରାଯାଇଥିବା ଆଦିପୁରୁଷ ସିନେମାର ଭି.ଏଫ୍.ଏକ୍ସ ଏକଦମ୍ ଖରାପ ଓ ଭିନ୍ନଭିନ୍ ହଲିଉଡ୍ ସିନେମାରୁ ଚୋରି ବୋଲି କୁହା ସରିଲାଣି । 
ରାବଣ ବ୍ରାହ୍ମଣ ଥିଲେ । ତପସ୍ୱୀ ବିଶ୍ରବାଙ୍କ ନନ୍ଦନ ଥିଲେ । ଜ୍ଞାନୀ ଥିଲେ । ରାମ ସେତୁର ପ୍ରତିଷ୍ଠା ବି କରିଥିଲେ । ସବୁ ପ୍ରକାର ଖରାପ ଗୁଣର ଅଧିକାରୀ ନିରୋଳା ଖଳନାୟକ ଆଦୌ ନଥିଲେ । ଭାରତୀୟ କାବ୍ୟତତ୍ତ୍ୱରେ ପାଶ୍ଚାତ୍ୟ କାବ୍ୟତତ୍ତ୍ୱ ରେ ଥିବା ସଇତାନ ପରି ଚରିତ୍ରର ସ୍ଥାନ ନାହିଁ । ବାଲ୍ମୀକୀ ଲଙ୍କାପତି ରାବଣଙ୍କୁ ଓମ୍ ରାଉତଙ୍କ ରାବଣ ପରି ଆଦୌ ଚିତ୍ରଣ କରିନାହାଁନ୍ତି । ଏମିତିକି ସିନେମାରେ ରାବଣ କଞ୍ଚା ମାଉଁଶର ଫଡିଆ ଧରା କଥାକୁ ଦର୍ଶକ ଗ୍ରହଣ କରିପାରୁନାହାଁନ୍ତି । 


ଏଇଠି ଗୋଟେ ଘଟଣା ମନେ ପଡୁଛି । ୧୯୯୨ରେ ପ୍ରଖ୍ୟାତ ଜାପାନୀ ନିର୍ଦ୍ଦେଶକ ୟୁଗୋ ସାକୋ ଓ ଭାରତୀୟ ଆନିମେଟର ରାମ ମୋହନଙ୍କ ମିଳିତ ଉଦ୍ୟମରେ “ରାମାୟଣ : ଦି ଲିଜେଣ୍ଡ ଅଫ୍ ପ୍ରିନ୍ସ ରାମ” ନାମରେ ଏକ ଚମତ୍କାର ଆନିମେଟେଡ୍ ସିନେମା ତିଆରି ହୋଇଥିଲା। ସିନେମାଟି ଭାରତ ଓ ଜାପାନ ମଧ୍ୟରେ କୁଟନୈତିକ ସମ୍ପର୍କର ଚାଳିଶ ବର୍ଷ ପୂର୍ତ୍ତି ଉପଲକ୍ଷେ ତିଆରି ହେଇଥିଲା । ସିନେମାରେ ପ୍ରାୟ ଚାରିଶହ ପଚାଶ ଜାପାନୀ ଆନିମେଟର୍ କାମ କରିଥିଲେ ଓ ଖର୍ଚ୍ଚ ହୋଇଥିଲା ତେର ମିଲିୟନ୍ ଆମେରିକୀୟ ଡଲାର । କିନ୍ତୁ ଭାରତୀୟ ଦେବାଦେବୀଙ୍କୁ କାର୍ଟୁନ୍ ଚରିତ୍ର ଭାବରେ କୌଣସି ଭାବରେ ଉପସ୍ଥାପନ କରିବାକୁ ଦିଆଯିବନି ବୋଲି ବିଶ୍ୱହିନ୍ଦୁ ପରିଷଦ ଘୋଷଣା କରିବାରୁ ରାମାୟଣ ଦି ଲିଜେଣ୍ଡ ଅଫ୍ ପ୍ରିନ୍ସ ରାମ ଭାରତୀୟ ଥିଏଟରରେ ରିଲିଜ ହୋଇପାରିଲାନି । ସେଇ ୧୯୯୨ ମସିହା ଡିସେମ୍ବର ୬ ତାରିଖରେ ଅଯୋଧ୍ୟାରେ ବାବ୍ରି ମସଜିଦ୍‌କୁ ଭାଙ୍ଗିଦିଆଗଲା ।

 
ପ୍ରଥମରୁ ହିଁ ସାକୋ ଚାହୁଁଥିଲେ ଭାରତ ସରକାରଙ୍କ ପ୍ରତ୍ୟକ୍ଷ ଯୋଗଦାନ ରହୁ କିନ୍ତୁ ତତ୍କାଳୀନ ପି.ଭି ନରସିଂହ ରାଓଙ୍କ କଂଗ୍ରେସ ସରକାର ପ୍ରଥମରୁ ହଁ କହି ପରେ ଓହରି ଯାଇଥିଲେ ଓ ବିଶ୍ୱ ହିନ୍ଦୁ ପରିଷଦର ପ୍ରବଳ ବିରୋଧ ପରେ ସିନେମା ନିର୍ମାଣର ପୁରା କାମ ଜାପାନକୁ ସ୍ଥାନାନ୍ତରିତ ହୋଇଯାଇଥିଲା । 
ଆନିମେସନ୍ ସିନେମାକୁ କାର୍ଟୁନ ସିନେମା କହି ବିରୋଧ କରୁଥିବା ଲୋକମାନେ ଆଶ୍ଚର୍ଯ୍ୟ ଜନକ ଭାବରେ ଆଦିପୁରୁଷକୁ ସମର୍ଥନ କରୁଛନ୍ତି । ରାମାୟଣ ଦି ଲିଜେଣ୍ଡ ଅଫ୍ ପ୍ରିନ୍ସ ରାମ ର ଚରିତ୍ରମାନେ ଆନିମେସନ୍ ବୋଲି ଖରାପ କିନ୍ତୁ ଭି.ଏଫ୍.ଏକ୍ସ ବ୍ୟବହୃତ ଟପୋରୀ ସଂଳାପ ଓ ଅନେକ ବିକୃତି ଥିବା ଆଦିପୁରୁଷ ବଢିଆ? କେମିତି? 


ପ୍ରଭାସଙ୍କ ସମର୍ଥକମାନେ ହଲିଉଡ୍ ବାଲା ତାଙ୍କ ସୁପରଷ୍ଟାରକୁ ନେଇ ଖରାପ ସିନେମା ତିଆରି କରିଥିବାରୁ ସିନେମା ହଲରେ ଭଙ୍ଗାରୁଜା ବି କରିସାରିଲେଣି? ଚାରିଆଡୁ ବିରୋଧ ପରେ ପଇସା ଦେଇ ପୁଣି ଥରେ ସିନେମା ବିଷୟରେ ଅନୁକୂଳ ମନ୍ତବ୍ୟ ଥିବା ରିଭ୍ୟୁ ପୋଷ୍ଟ କରାଯାଉଛି । ପ୍ରାଣପଣେ ଚେଷ୍ଟା କରାଯାଉଛି ସିନେମାକୁ ବ୍ଲକ୍ ବଷ୍ଟର କରିବାକୁ । ଆମେ ଏମିତି ଏକ ସମୟ ଓ ଏମିତି ଏକ ଭାରତରେ ବାସ କରୁଛେ ଯେଉଁଠି ଗପ ହିଁ ସତ ଓ ପୁରାଣ ହିଁ ଇତିହାସ ବୋଲି ବୁଝାଇ ଦିଆଯାଇଛି । ଯିଏ ଯେତେ ସୁନ୍ଦରିଆ ଗପ କହି ପାରିଲା ତାର ବେପାର ସେତେ ଭଲ ଚାଲିଲା । ନିର୍ଦ୍ଦେଶକ କହିଥିଲେ ପ୍ରତି ସୋରେ ଗୋଟେ ସିଟ୍ ବଜରଙ୍ଗବାଲୀଙ୍କ ପାଇଁ ରିଜର୍ଭ କରି ରଖିବାକୁ । କିଛି ଲୋକଙ୍କୁ ସେଇଥିରେ ଖୁସି ରଖିବାକୁ ଚେଷ୍ଟା କରାଯାଉଛି । ସଂଳାପ ଲେଖକ କହିଲେଣି, ସେ ସାଧାରଣ ଜନତା ବୁଝିପାରିଲା ପରି ଭାଷା ବ୍ୟବହାର କରିଛନ୍ତି । ତେବେ କିଛି ବର୍ଷ ତଳେ ଦୂରଦର୍ଶନରେ ପ୍ରସାରିତ ରାମାନନ୍ଦ ସାଗରଙ୍କ ରାମାୟଣର ତତ୍ସମ ଭାଷା ବୁଝିପାରୁଥିବା ସାଧାରଣ ଲୋକଙ୍କ ଭାଷା ଜ୍ଞାନରେ ଏତେ ଅବନତି ଆସିଗଲାଣି? ହାୟରେ ଦଇବ..... 


ପୁରାଣର ମହାନ ଚରିତ୍ର ଏବଂ ମହାନ ଗ୍ରନ୍ଥକୁ ଅପମାନ ଓ ବିକୃତ କରିଥିବାରୁ ସିନେମାର ନିର୍ଦ୍ଦେଶକ, ପ୍ରଯୋଜକ, ସଂଳାପ ଲେଖକ ନିସର୍ତ୍ତ ଭାବରେ ଦେଶବାସୀଙ୍କ ପାଖରେ କ୍ଷମା ପାର୍ଥନା କରନ୍ତୁ ବୋଲି ଅନେକ ଦାବି କଲେଣି । ପ୍ରୋପାଗଣ୍ଡା ପାଇଁ ସିନେମାର ସାହାରା ନେଉଥିବା ରାଜନୈତିକ ଦଳ ଓ ଆଦିପୁରୁଷ ସିନେମାର ନିର୍ଦ୍ଦେଶକ, ପ୍ରଯୋଜକ, ସଂଳାପ ଲେଖକ ପ୍ରଥମରୁ ବୁଝିବାର ଥିଲା ରାମାୟଣର କହାଣୀକୁ ପ୍ରତିଟି ଭାରତୀୟ ଭଲଭାବରେ ଜାଣେ । ରାମାୟଣର ଚରିତ୍ରମାନଙ୍କୁ ଭଲ ଭାବରେ ଚିହ୍ନେ ଓ ବୁଝେ । କାଶ୍ମୀର ଫାଇଲ୍ କି କେରଳା ଫାଇଲ୍ ର ଫର୍ମୁଲା ରାମାୟଣରେ ସଫଳ ହେଇପାରିବନି । ଓଲଟା ଫଳ ଫଳିବ ।