୨୦୨୪ ନିର୍ବାଚନ : ବିଜେଡ଼ି ଲାଗି କେତେ ସହଜ, କେତେ କଠିନ

୨୦୨୪ ନିର୍ବାଚନ : ବିଜେଡ଼ି ଲାଗି କେତେ ସହଜ, କେତେ କଠିନ

୨୦୨୪ ସାଧାରଣ ନିର୍ବାଚନକୁ ଯିବା ପୂର୍ବରୁ ୨୦୧୯ ପୂର୍ବର ପୃଷ୍ଠଭୂମିକୁ ଆଲୋଚନା କରିବା ଜରୁରୀ । ୨୦୧୭ ରୁ ୨୦୧୯, ଏହି ଦୁଇ ବର୍ଷ ବିଜେଡି ନିଜ ଶାସନର ସବୁଠୁ କଠିନ ସମୟକୁ ସାମ୍ନା କରିଥିଲା ସେହି ସମୟର ରାଜନୈତିକ ଘଟଣାକ୍ରମ ଥିଲା ଜଟିଳ ଏବଂ ବିଜେଡି ପାଇଁ ସବୁଠୁ କଠୋର ଭାଗ୍ୟର ସମୟ । ସେ ସମୟର ଘଟଣାକ୍ରମ ଥିଲା-

  • ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପିର ଅଭ୍ୟୁଦୟ ହଠାତ ବିଜେଡ଼ିକୁ ପଛକୁ ଠେଲିବା ଆରମ୍ଭ କରିଥିଲା ଜିଲା ପରିଷଦ ନିର୍ବାଚନରେ ବିଜେପି ୨୦୦ରୁ ଅଧିକ ଆସନ ପାଇଥିଲା ବିଜେପିର ପଞ୍ଚାୟତ ନିର୍ବାଚନ ଫଳାଫଳରେ ଏହି ଦଳ ଏତେ ଉତ୍ସାହିତ ହୋଇପଡିଥିଲା ଯେ ପ୍ରଧାନମନ୍ତ୍ରୀ ମୋଦୀ ଏହାକୁ ଏକ ବିରାଟ ସଫଳତା ଭାବରେ ଉତ୍ତର ପ୍ରଦେଶ ନିର୍ବାଚନ ପ୍ରଚାରରେ କହି ବୁଲୁଥିଲେ

 

  • ପଞ୍ଚାୟତ ନିର୍ବାଚନ ପରେ ପରେ ଭୁବନେଶ୍ବରରେ ବିଜେପିର ଜାତୀୟ କାର୍ୟକାରିଣୀ ବୈଠକ ବସିଥିଲା ଓ ସେହି ପୃଷ୍ଠଭୂମିରେ ବିଜେପି ସାମାଜିକ ଏବଂ ମୁଖ୍ୟଧାରାର ଗଣମାଧ୍ୟମରେ ବିଜେଡି ବିରୋଧୀ ଏକ ପ୍ରବଳ ହାୱା ତିଆରି କରିସାରିଥିଲା । ସେତେବେଳେ ସ୍ଥିତି ଏମିତି ଥିଲା ଯେ ଲାଗୁଥିଲା, ଯେମିତି କୌଣସି ବି ସମୟରେ ବିଜେଡି ସରକାରକୁ ଭାଙ୍ଗି ଦିଆଯାଇପାରେ । 

 

  • ତତ୍କାଳୀନ ବିଜେପି ସଭାପତି ଅମିତ ଶାହ ଘନଘନ ଓଡିଶା ଗସ୍ତରେ ଆସି ନବୀନ ପଟ୍ଟନାୟକ ସରକାରକୁ ଓପାଡି ଫୋପାଡି ଦେବାକୁ ପ୍ରଚାର କରୁଥିଲେ

 

  • ବିଜେଡି ଭିତରେ ସେହି ସମୟରେ ଅସନ୍ତୁଷ୍ଟ ନେତାମାନଙ୍କର ଏକ ଲମ୍ବା ତାଲିକା ଦେଖିବାକୁ ମିଳିଥିଲା ୨୦୧୭ ପରେ ଏକଦା ନବୀନଙ୍କର ଅତ୍ୟନ୍ତ ଘନିଷ୍ଠ ଥିବା ବୈଜୟନ୍ତ ପଣ୍ଡା ବିଜେପି ସଂସଦୀୟ ଦଳକୁ ଦୁଇଫାଳ କରିବାର ଯୋଜନା ଆରମ୍ଭ କରି ଦେଇଥିଲେ ବୈଜୟନ୍ତ ବିଜେଡି ଛାଡିଲା ପରେ ଦଳର ଏକାଧିକ ଲୋକସଭା ସଦସ୍ୟ ବିଜେପିକୁ ଚାଲି ଯାଇଥିଲେ ନିର୍ବାଚନ ପାଖାପାଖି ବିଜେଡ଼ିର ଟାଣୁଆ ନେତା ଦାମୋଦର ରାଉତ ମଧ୍ୟ ବିଜେପି ଶିବିରରେ ଯୋଗ ଦେଇଥିଲେ ୨୦୧୭ ରୁ ୨୦୧୯- ଏହି ଦୁଇ ବର୍ଷରେ ଶତାଧିକ ବିଜେଡି ନେତା ବିଜେପିରେ ମିଶିଥିଲେ
  • ଚିଟ ଫଣ୍ଡ ମାମଲାରେ ଏକାଧିକ ବିଜେଡି ବିଧାୟକଙ୍କୁ ସେତେବେଳେ ସିବିଆଇ ଜେରା କରିବା ସହିତ କେତେକଙ୍କୁ ଗିରଫ ମଧ୍ୟ କରିଥିଲା ।  

 

୨୦୧୯ ତୁଳନାରେ ୨୦୨୪ ନିର୍ବାଚନରେ ବିଜେଡ଼ିର ସ୍ଥିତି ଅଧିକ ମଜବୁତ ରହିଛି ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡି ୮୦ ଭାଗରୁ ଅଧିକ ଆସନ ପାଇଛି ୨୦୧୯ ତୁଳନାରେ ୨୦୨୩ର ସ୍ଥିତି ପ୍ରାୟତଃ ବିଜେଡି ସପକ୍ଷରେ ଅଛି ତେଣୁ ଆଗାମୀ ସାଧାରଣ ନିର୍ବାଚନ ବିଜେଡି ପାଇଁ ସହଜସାଧ୍ୟ ହେବ କି ? ଏ ପ୍ରଶ୍ନର ଉତ୍ତରରେ ଏତିକି କୁହା ଯାଇପାରିବ ଯେ ସବୁ ନିର୍ବାଚନର ସମୀକରଣ ସବୁବେଳେ ଅଲଗା ୨୦୧୯ ଯଦିଓ ବିଜେଡି ପାଇଁ କଠୋର ସମୟ ଥିଲା, ତଥାପି ସେତେବେଳେ ହଠାତ ନବୀନଙ୍କ ପ୍ରତି ଲୋକଙ୍କର ଏକ ବିଶେଷ ସମବେଦନା ଜାଗ୍ରତ ହୋଇଥିଲା ବିଜେପି ସଭାପତି ଅମିତ ଶାହ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ନବୀନଙ୍କୁ ବାରମ୍ବାର ସମାଲୋଚନା କରିବା ଫଳରେ ଲୋକଙ୍କ ମନରେ ଏହା ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା ସେହି ଦୃଷ୍ଟିରୁ ଆଜିର ତାରିଖରେ ନବୀନଙ୍କ ପ୍ରତି ବିଜେପି କେନ୍ଦ୍ରୀୟ ନେତାମାନଙ୍କର ଆଚରଣ ବେଶ ନରମ ଏହା ବିଜେଡି ଲାଗି ସବୁଠୁ ବଡ ଜଞ୍ଜାଳ ବୋଲି କୁହାଯାଇପାରେ

୨୦୧୯ ନିର୍ବାଚନ ପୂର୍ବରୁ ଉଭୟ ବିଜେପି ଓ କଂଗ୍ରେସ ନବୀନଙ୍କ ଡାହାଣ ହାତ ବୋଲି କୁହା ଯାଉଥିବା ତାଙ୍କର ସଚିବ ଭି କାର୍ତ୍ତିକ ପାଣ୍ଡିୟାନଙ୍କ ଉପରେ ଆକ୍ରମଣ ଆରମ୍ଭ କରି ଦେଇଛନ୍ତି ଯଦିଓ ୨୦୧୯ ପୂର୍ବରୁ ମଧ୍ୟ ଏମିତି କିଛି ଘଟିଥିଲା, ହେଲେ ତାର ଲାଭ ସିଧା ସିଧା ବିଜେଡ଼ିକୁ ମିଳିଥିଲା । ସେତେବେଳେ ପାଣ୍ଡିୟାନଙ୍କ ଘର ଉପରେ କିଛି ଲୋକ ଆକ୍ରମଣ କରିଥିଲେ ଓ ତାହା ସ୍ପଷ୍ଟ ଭାବରେ କିଏ କରାଇଥିଲା, ତାହା ଜଣା ପଡିଥିଲା ଚତୁରତାର ସହିତ ବିଜେଡି ସେହି ଘଟଣାକୁ ସେତେବେଳେ ଆଦୌ ଗୁରୁତ୍ଵ ଦେଇନଥିଲା । ଆଜି କିନ୍ତୁ ପରିସ୍ଥିତି ଭିନ୍ନ ପାଣ୍ଡିୟାନଙ୍କୁ ବିରୋଧୀ ଘେରିବାକୁ ଚେଷ୍ଟା କଲେ, ବିଜେଡି ତୁରନ୍ତ ପ୍ରତିକ୍ରିୟା ପ୍ରକାଶ କରୁଛି

ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ପରେ ଏହାର ପ୍ରଭାବ ରାଜନୈତିକ ଭାବରେ ନିଶ୍ଚୟ ପଡିଛି ଓ ବିଜେଡି ପାଇଁ ଏହାର ମୁକାବିଲା ନିଶ୍ଚୟ କଷ୍ଟସାଧ୍ୟ

ସବୁଠୁ ବଡ ସଙ୍କଟ ହେଉଛି, ୨୦୨୪ ରେ ବିଜେଡି ୨୪ ବର୍ଷର ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ବାଚନ ଲଢିବ ଯେ କୌଣସି ନେତୃତ୍ଵ ଓ ରାଜନୈତିକ ଦଳ ପାଇଁ ୨୪ ବର୍ଷ କ୍ଷମତାରେ ରହିବା ପରେ  ନିର୍ବାଚନ ଜିତିବା ଆଦୌ ସହଜ ନୁହେଁ ୨୦୦୦ ନିର୍ବାଚନ ବେଳକୁ ନବୀନଙ୍କ ବୟସ ଥିଲା ୫୪ ଓ ଏବେ ସେ ପରିଣତ ୭୭ ବୟସରେ ପହଞ୍ଚିଛନ୍ତି ତାଙ୍କ ତୁଳନାରେ ତାଙ୍କର ପ୍ରତିଦ୍ବନ୍ଦ୍ବୀମାନେ ଅଧିକ ତରୁଣ

ରାଜନୀତିରେ ପ୍ରବୀଣ ବନାମ ତରୁଣର ଲଢେଇକୁ ବିଜେଡି କେମିତି ସାମ୍ନା କରୁଛି, ତାରି ଉପରେ ସବୁ କିଛି ନିର୍ଭର କରିବ