ମଣିପୁର : ଏକ ନାରକୀୟ ମାନଚିତ୍ର

ମଣିପୁର : ଏକ ନାରକୀୟ ମାନଚିତ୍ର

ମଣିପୁରରୁ ଆସି ସୋସିଆଲ୍ ମିଡିଆରେ ବୁଲୁଥିବା ଏକ ଭିଡିଓରେ ରହିଛି ଦୁଇ ଜଣ କୁକି ଜୋ ଯୁବତୀଙ୍କୁ ଲଙ୍ଗଳା କରି ଶହ ଶହ ମୈତେୟୀ ଲୋକ ଚଲେଇ ଚଲେଇ ନେଉଛନ୍ତି ଓ ସେଇ ଚାଲିବା ଭିତରେ ସେମାନଙ୍କୁ ଅସଦ୍ ବ୍ୟବହାର ବି କରୁଛନ୍ତି । ପରେ ସେମାନଙ୍କୁ  ଗଣ ଧର୍ଷଣ ଓ ହତ୍ୟା ମଧ୍ୟ କରାଯିବାର ଶୁଣାଯାଉଛି। ଏମିତି ଘଟଣା ଦେଖିଲା ପରେ ଆଦୌ ଲାଗୁନି ଆମେ କେଇଦିନ ତଳେ ମହାକାଶକୁ ଚନ୍ଦ୍ରଜାନ ପଠେଇଛେ ଓ ଏ. ଆଇ. ର ଭଲ ଦିଗ ଓ ଖରାପ ଦିଗ ବିଷୟରେ କଥା ହେଉଛେ, ସ୍ମାର୍ଟ ସିଟି ତିଆରି କରୁଛେ, ଦେଶକୁ ଅଚ୍ଛେ ଦିନ ଆଣିସାରିଛେ, ବୁଲେଟ ଟ୍ରେନ ଚଳାଇବାକୁ ଯୋଜନା କରୁଛେ ଓ ବିଶ୍ୱଗୁରୁ ହେଇଛେ ବୋଲି ନିଜେ ନିଜର ପିଠି ଥାପୁଡାଉଛେ । ଏମିତି ଘଟଣା ଦେଖିଲାପରେ ମୋଟା ମୋଟି ଆମେ ୨୦୨୩ ମସିହାରେ ଅଛେ ବୋଲି ବିଶ୍ୱାସ କରୁଛେ ତ? ମୁଁ କିନ୍ତୁ କରିପାରୁନି । ମୁଁ ବିଶ୍ୱାସ କରୁନି ଏମିତି ଘଟଣା କୌଣସି ଭଦ୍ର ସମାଜରେ ଘଟେ । ଏହା କଦାଚିତ୍ କୌଣସି ଭଦ୍ର ସମାଜର ସାଧାରଣ ବ୍ୟବହାର ନୁହେଁ । ଚରମ ଲଜ୍ୟା ଓ କ୍ଷୋଭର ସହ କହିବାକୁ ହେଉଛି ଯେ ଆମେ ସବୁ ଏମିତି ଏକ  ସମୟଖଣ୍ଡରେ ସେଇ ଏକା ଦେଶର ଅନ୍ୟ ଏକ ପ୍ରାନ୍ତରରେ ଜୀବନ ବଞ୍ଚିଛେ ।

ଧର୍ମ ଓ ସଂପ୍ରଦାୟକୁ ନେଇ ଧୃବୀକରଣର ପରିଣାମ ଏବେ ଧିକ ପ୍ରାଞ୍ଜଳ ହେଇଯାଇଛି । ଧର୍ମ-ଧର୍ମ ଭିତରେ, ସମ୍ପ୍ରଦାୟ-ସମ୍ପ୍ରଦାୟ ଭିତରେ, ଅଞ୍ଚଳ-ଅଞ୍ଚଳ ଭିତରେ, ଲିଙ୍ଗ-ଲିଙ୍ଗ ଭିତରେ ଓ ମଣିଷ-ମଣିଷ ଭିତରେ ବିଭେଦର ପରିଣାମ କେତେ ଭୟଙ୍କର ହେଇପାରେ ଏମିତି ସବୁ ଘଟଣାରୁ ସ୍ପଷ୍ଟ ହେଇଯାଏ । ଅବଶ୍ୟ ଆମକୁ ଆଜି କିଛିବି ଆଉ ସ୍ପଷ୍ଟ ଦିଶୁନି । କାରଣ ଆମେ ସମସ୍ତେ ଶୋଇଛେ । ବଡ ଗହନ ନିଦରେ ନାନାବାୟା ଗାଇ-ଗାଇ ଚେଇଁ-ଚେଇଁ ନିଘୋଡ ନିଦରେ ଶୋଇଛେ ।

ମଣିପୁରର ଏଇ ଘଟଣା ଦେଖିଲାପରେ ଆଖିରୁ କିନ୍ତୁ ମୋର ନିଦ ହଜିଯାଇଛି । ବଡ ଭୟ ଲାଗୁଛି । ସତରେ ଭୟ ଲାଗୁଛି । ବୁଝିହେଉନି ଆମେ ଏବେ କୁଆଡେ ଯାଉଛେ ? ଆମେ ନିଜର ସମସ୍ତ ବ୍ୟକ୍ତିଗତ ସତ୍ତାକୁ ଭୁଲି ଏକ ନିରୋଳା ବିବେକହୀନ ପାଗଳା ଭିଡର ଅଂଶ ହେଇଯାଉଛେ କି? ଯେଉଁ ଭିଡ କେବଳ ହିଂସା ହିଁ ରଚନା କରିପାରେ । ଭିଡହିଂସା କିଛି ବି କରିପାରେ । ଗଲା କିଛି ବର୍ଷ ହେଲାଣି ଆମେ ଭିଡ ହିଂସାର କାରନାମା ଦେଖିଆସୁଛେ । ଭିଡରେ ତମେ ଜଣକୁ ଦାୟୀ କରିପାରିବନି । ଏକାବେଳେ ବହୁତଗୁଡେ ଲୋକ କାଳିସି ଲାଗିଲା ପରି ହିଂସାରେ ମାତିଯାଆନ୍ତି । ମଣିପୁରର ସେଇ ଭିଡ ହିଂସାର ସବୁଠାରୁ ଭୟଙ୍କର କଥା ହେଲା, ଦୁଇ ଜଣ କୁକି ସ୍ତ୍ରୀ ଲୋକକୁ ରାସ୍ତାରେ ଲଙ୍ଗଳା କରି ଚଳେଇ ଚଲେଇ ନେବା ବେଳେ ଅନ୍ୟ ଏକ ସ୍ଥାନରେ ବେଶ୍ ସଂଖ୍ୟକ ମୈତେୟୀ ମହିଳା ଉପସ୍ଥିତ ରହି ପୋଲିସ୍ ର ଗତିରୋଧ କରୁଛନ୍ତି । ସେମାନେ ଘଟଣାକୁ ସମର୍ଥନ କରୁଛନ୍ତି । ନିର୍ଯ୍ୟାତିତା ହେଇଥିବା ସେଇ ଦୁଇ କୁକି ଯୁବତୀଙ୍କୁ ପୁଣି ତାଙ୍କ ଘରର ମାଲିକାଣୀ ହିଁ କୁଆେଡ ବର୍ବର ରକ୍ତ ଲୋଭୀ ଭିଡ ହାତରେ ଟେକି ଦେଇଥିଲେ ।  
ଖବରରୁ ଜଣାପଡୁଛି ଏହି ଲୋମହର୍ଷଣକାରୀ ଘଟଣା ଗତ ମେ ମାସ ୪ ତାରିଖର । ଗୋଟିଏ ଫେକ୍ ନ୍ୟୁଜ୍ ଭାଇରାଲ୍ ହେବାରୁ ଏହା ଘଟିଛି ବୋଲି ଏବେ ଜଣାପଡୁଛି। ମଣିପୁରର ହିଂସାର ଦ୍ୱାହିରେ ସେଠାର ଇଣ୍ଟରନେଟ ବନ୍ଦ ଅଛି । ଇଂଟରନେଟ ଥିଲେ ଏମିତି ଆହୁରି କେତେ ଘଟଣା ଆଖି ଆଗକୁ ଆସିଥାନ୍ତା । ଆମ ଦେଶର ମୂଖ୍ୟ ଧାରାର ଖବର ଯୋଗାଉଥିବା ସଂସ୍ଥାମାନଙ୍କ ପାଇଁ ମଣିପୁର ବୋଲି କୌଣସି ରାଜ୍ୟ ନାହିଁ ଯେମିତି। ସେମାନଙ୍କ ମତ ଅନୁସାରେ ସେଠି ଡବଲ ଇଞ୍ଜିନ୍ ଭାଜପା ସରକାରଙ୍କ ଦ୍ୱାରା ରାମ ରାଜ୍ୟ ଚାଲିଛି । ଏଯାଏଁ ଦେଶର ପ୍ରଧାନମନ୍ତ୍ରୀ ମଣିପୁର ବିଷୟରେ ତାଙ୍କ ମୌନବ୍ରତକୁ ଭାଙ୍ଗିନାହାଁନ୍ତି । ପୋଷ୍ଟ ପିଛା ଦୁଇଟଙ୍କା ରୋଜଗାର କରୁଥିବା ଟ୍ରୋଲ୍ ବାହିନୀ କିନ୍ତୁ ଘଟଣା ପଛରେ ଦେଶଦ୍ରୋହ, ଆତଙ୍କବାଦ, ହିନ୍ଦୁ ମୁସଲମାନ ଓ ଖ୍ରୀଷ୍ଟିଆନର ରଙ୍ଗଦେଇ ହଜାର ହଜାର ଦେଶ ପ୍ରେମୀ ଭକ୍ତଙ୍କୁ ହ୍ୱାଟସ୍ ଆପ ୟୁନିଭରସିଟିରେ ପାଠ ପଢଉଛନ୍ତି ।

ମଣିପୁର ବିଷୟରେ ଆଜି କଥା ହେଲାବେଳେ ସେଠାରେ ଏକଦା ଘଟିଯାଇଥିବା ଦୁଇଟି ଘଟଣା ମୋର ମନେପଡୁଛି । ଯୋଉ ଦୁଇଟି ଘଟଣାର ଏବର ଘଟଣା ସହ ଆଶ୍ଚର୍ଯ୍ୟଜନକ ଭାବରେ ସାମଞ୍ଜସ୍ୟ ରହିଛି । ୨୦୦୦ ମସିହାର କଥା । ସ୍ଥାନ ମଣିପୁରର ରାଜଧାନୀ ଇମ୍ଫାଲ ସହରର ପ୍ରେଷାଳୟ । ନାଟ୍ୟ ନିର୍ଦ୍ଦେଶକ କହ୍ନେୟାଲାଲଙ୍କ ନିର୍ଦ୍ଦେଶନାରେ ନାଟକ ଦ୍ରୌପଦୀ ମଞ୍ଚସ୍ଥ ହେବାକୁ ଯାଉଥାଏ ।

ନାଟକର କଥାବସ୍ତୁ ସଂକ୍ଷେପରେ କହୁଛି । ଆଦିବାସୀ ଦମ୍ପତ୍ତି ତାଙ୍କ ଗାଁର ଜଣେ ଧନୀ ବ୍ୟକ୍ତିଙ୍କୁ ହତ୍ୟା କରିଛନ୍ତି । ସୈନ୍ୟମାନେ ସେମାନଙ୍କୁ ଖୋଜିବାରୁ ସେମାନେ ଜଙ୍ଗଲରେ ଲୁଚିଯାଇଛନ୍ତି । କିନ୍ତୁ ଯୁବକ ଜଣକ ଧରାପଡିଯାଇଛି ଓ ତାକୁ ପଛରୁ ଗୁଳିମାରି ହତ୍ୟା କରାଯାଇଛି । ତାପରେ ଝିଅଟି ବି ଧରା ପଡିଛି । ଆର୍ମିର କ୍ୟାପଟେନ୍ ତାଙ୍କ ସୈନ୍ୟମାନଙ୍କୁ ଆଦେଶ ଦେଇଛନ୍ତି ଝିଅକୁ ଉଚିତ୍ ଦଣ୍ଡ ଦିଆଯାଉ । ସେଦିନ ରାତିରେ ସୈନ୍ୟମାନେ ବିଚାରୀ ଝିଅକୁ ଧର୍ଷଣ କରିଛନ୍ତି । ପରଦିନ ସକାଳୁ ଝିଅର ଲୁଗା ତାକୁ ଫେରାଇ ଦିଆଯାଇଛି ଓ ଶାଢୀ ପିନ୍ଧି କ୍ୟାପଟେନଙ୍କ ସାମ୍ନାକୁ ଯିବାକୁ କୁହାଯାଇଛି । ଶବ ପରି ପଡିଥିବା ଝିଅଟି କିନ୍ତୁ ତା' ଉପରେ ପଡିଥିବା ଲୁଗାକୁ ସୈନ୍ୟ ଉପରକୁ ଫିଙ୍ଗି ଲଙ୍ଗଳା ହେଇ ଠିଆ ହେଇଛି । ଅଭିନେତ୍ରୀ ଜଣକ ପ୍ରେଷାଳୟର ଦର୍ଶକମାନଙ୍କ ସାମ୍ନାରେ ଗୋଟାପଣେ ସମ୍ପୂର୍ଣ୍ଣ ଲଙ୍ଗଳା ହେଇପଡିଛନ୍ତି । ଅସହାୟା ଜଣେ ଯୁବତୀ ଦେଶ ବିରୁଦ୍ଧରେ ତା'ର ପ୍ରତିବାଦ ଜଣେଇଛି । ଭାରତୀୟ ମଞ୍ଚ ଇତିହାରେ ଏମିତି କେବେବି ହେଇନଥିଲା । ଆଶ୍ଚର୍ଯ୍ୟ ଓ ଚକିତ ହେଇପଡିଛନ୍ତି ଦର୍ଶକ । ଉପସ୍ଥିତ ଦର୍ଶକ ହଠାତ୍ ଯେମିତି ଜଣେ ଜଣେ ଧର୍ଷଣକାରୀରେ ରୂପାନ୍ତିତି ହୋଇଯାଇଛନ୍ତି ଓ ଆପଣା ଆପଣା ବିବେକର ଚାବୁକ ପାହାର ଖାଇଛନ୍ତି । ନାଟକରେ ଯୁବତୀର ନାମ ହେଇଛି ଦୋପଦୀ ମାଝେ । ଦ୍ରୌପଦୀକୁ ଆଞ୍ଚଳିକ ଭାଷାରେ ଦୋପଦୀ କୁହାଯାଇଛି । ନାଟକରେ ଦୋପଦୀ ଭୂମିକାରେ ସେଦିନ ଅଭିନୟ କରିଥିଲେ ଭାରତର ପ୍ରଖ୍ୟାତ ଅଭିନେତ୍ରୀ ପଦ୍ମଭୂଷଣ ସାବିତ୍ରୀ ଦେବୀ । ନାଟକଟି ପ୍ରକ୍ଷାତ ବଂଗୀୟ ଲେଖିକା ମହାଶ୍ୱେତା ଦେବୀଙ୍କ ଏକ ଗଳ୍ପକୁ ଆଶ୍ରୟ କରି ରଚନା କରାଯାଇଥିଲା । ଏକଦା ମହାଭାରତର କୁରୁସଭାରେ ସମସ୍ତଙ୍କ ଉପସ୍ଥିତିରେ ଦ୍ରୌପଦୀଙ୍କୁ ନିର୍ବସ୍ତ୍ର କରିବାକୁ ଚେଷ୍ଟା କରାଯାଇଥିଲା । ମହାଭାରତର ସେଇ ଅଧ୍ୟାୟ ସେଇଠି ସରିଯାଇନି, ବାର ବାର ଯୁଗ ପରେ ଯୁ୍ଗ ଘଟିଚାଲିଛି । ସବୁବେଳେ ପୁରୁଷମାନଙ୍କ ଆଗରେ ନାରୀକୁ ଉଲଗ୍ନ କରାଯାଉଛି ।

ନାଟକ ମଞ୍ଚସ୍ଥ ହେଲାପରେ ସପକ୍ଷ ଓ ବିପକ୍ଷରେ ମତାମତ ଆସିଲା । ରକ୍ଷଣଶୀଳମାନେ ଭରା ମଞ୍ଚରେ ଏମିତି ଜଣେ ସ୍ତ୍ରୀ ଲୋକ ସୁଦୁ ଲଙ୍ଗଳା ହେବାକୁ ପସନ୍ଦ କଲେନି । ଖୁବ୍ ସମାଲୋଚନା ହେଲା ନାଟ୍ୟ ନିର୍ଦ୍ଦେଶକ ଓ ଅଭିନେତ୍ରୀଙ୍କ ଉପରେ । 

୨୦୦୪ ମସିହାରେ ସେଇ ମଣିପୁରରେ ଏକ ଘଟଣା କ୍ରମରେ ବାର ଜଣ ବୟସ୍କା ସ୍ତ୍ରୀ ଲୋକ ଆସାମ ରାଇଫଲର କଙ୍ଗଲା ଶିବିର ଆଗରେ ସମ୍ପୂର୍ଣ୍ଣ ଲଙ୍ଗଳା ହେଇ ‘ଇଣ୍ଡିଆନ ଆର୍ମି ରେପ୍ ଅସ୍’ ବ୍ୟାନର ଧରି ଠିଆହେଇଗଲେ । ଏପରି ଅଭିନବ ପ୍ରତିବାଦ କଥା ସାରା ବିଶ୍ୱ ଜାଣିଲା । ଥାଙ୍ଗଜାମ ମନୋରମା ନାମକ ଏକ ଆଦିବାସୀ ଯୁବତୀକୁ ଆତଙ୍କବାଦୀ ସନ୍ଦେହରେ ଆର୍ମି ଦ୍ୱାରା ଗିରଫ କଲାପରେ ତାକୁ ଧର୍ଷଣ ଓ ହତ୍ୟା କରାଯାଇଥିଲା । ଏଇ ଧର୍ଷଣ ଓ ହତ୍ୟାର ପ୍ରତିବାଦର ତରିକା ସେମାନେ ହୁଏତ ସିଧାସଳଖ ନେଇଥିଲେ ସାବିତ୍ରୀ ଦେବୀଙ୍କ ନାଟକରୁ ।

ପିଲାଦିନୁ ଜୈମିନି ମହାଭାରତରୁ ମୁଁ ମଣିପୁରକୁ ଚିହ୍ନିଥିଲି । ଅର୍ଜୁନ- ଚିତ୍ରାଙ୍ଗଦା- ବବୃବାହନଙ୍କ କାହାଣୀରୁ । ବାଳକ ବବୃବାହାନ କେମିତି ତାଙ୍କ ପିତା ଧନୁର୍ଧର ଅର୍ଜୁନଙ୍କୁ ପରାସ୍ତ କରି ବନ୍ଦୀ କରିଥିଲେ । ମହାଭାରତରେ କେନ୍ଦ୍ର ସହ ବାଦ କରି ବିଜୟ ହୋଇଥିବା ମଣିପୁର ଆଜି ଅଶାନ୍ତିର କଳା ଧୂଆଁ ଭିତରୁ ବାହାରିବାକୁ ବାଟ ଖୋଜୁଛି । ଯେଉଁମାନେ ନିଆଁ ଲିଭାଇବାର କାମ କରିବା କଥା ସେମାନେ ତ ଘିଅ ଢାଳୁଛନ୍ତି । ନିଆଁ ଓ ଧୂଆଁ ଭିତରେ କିଛିବି ଆଉ ସ୍ପଷ୍ଟ ଦିଶୁନି । ଯେଉଁମାନେ ପର ଘରେ ନିଆଁ ଲାଗିଛି ବୋଲି ଖୁସି ଅଛନ୍ତି ଅବା ଉଦାସିନ ଅଛନ୍ତି ସେମାନେ ଭୁଲିଯିବା କଥା ନୁହେଁ ଯେ ନିଆଁ ଗୋଟେ ଘର ପୋଡି ଅଟକି ଯାଏନି । ପବନର ଗତୀପଥ ସାଙ୍ଗରେ ନିଆଁ କେତେବେଳେ କାହା ଘର ପୋଡିବ ସେକଥା କେହିବି କହିପାରିବେନି ।
 
ମୋତେ ଲାଗୁଛି ଆମେ ସାରା ଦେଶବାସୀ ଏବେ ଗୋଟେ ଖୁବ୍ ଯୋରରେ ଧାଉଁଥିବା ଏକ ଗାଡିରେ ବସିଛେ ଓ ଗାଡିର ଡ୍ରାଇଭର୍ ତା' ଚଳାଉଥିବା ଗାଡି ଉପରୁ ତା'ର ନିୟନ୍ତ୍ରଣ ସମ୍ପୂର୍ଣ୍ଣ ଭାବରେ ହରେଇ ସାରିଛି । ଗାଡି ବାଟ ଅବାଟର ରାସ୍ତାରେ ଶହେ ସ୍ପିଡ୍ ରେ ଧାଇଁଚାଲିଛି । ନିୟନ୍ତ୍ରଣହୀନ ଗାଡି କେବଳ ଭୟଙ୍କର ଦୂର୍ଘଟଣା ପରେ ହିଁ ଅଟକିବ ।  କିନ୍ତୁ ଅବଶୋଷର କଥା ହେଲା ଦୁର୍ଘଟଣା ପରର ଅବସ୍ଥା ଦେଖିବାକୁ କେହିବି ନଥିବେ ।