ଆୟକର ସର୍ବେକ୍ଷଣ ନା ସରକାରର ଡରାଣି ?

ଆୟକର ସର୍ବେକ୍ଷଣ ନା ସରକାରର ଡରାଣି ?

ମୋଦୀ ସରକାରର ନିଜ ସମାଲୋଚକ ଏବଂ ବିରୋଧୀଙ୍କୁ ଡରାଇବାର ଏକ ନିର୍ଦ୍ଦିଷ୍ଟ କୌଶଳ ରହିଛି । 

ଯଦି ଆପଣ ମୋଦୀ ବିରୋଧୀ ତେବେ ପ୍ରଥମତଃ ଆପଣଙ୍କୁ ଦେଶଦ୍ରୋହୀ ବୋଲି କୁହାଯିବ ।

ଦିତୀୟରେ ସମାଲୋଚକ/ବିରୋଧୀଙ୍କର ଯଦି କିଛି ସଂସ୍ଥା ବା ବ୍ୟବସାୟ ଅଛି ତା ଉପରେ ଇଡି ଏବଂ ଆୟକର ବିଭାଗର ଛାପା ପଡିବ । ଆଜିକାଲି ଏହି ଛାପାମାରିର ଗୋଟେ ନୂଆ ନାଁ ଦିଆ ହୋଇଛି - ଆୟକର ସର୍ଭେ । ସେମାନଙ୍କ କାର୍ୟାଳୟ ଉପରେ କେନ୍ଦ୍ର ସରକାରଙ୍କ ଏଜେନ୍ସି ସବୁ ଚଢାଉ କରିବେ ଏବଂ ବାହାରେ ସରକାର ସମର୍ଥକ ଗଣମାଧ୍ୟମ ଜରିଆରେ ପ୍ରଚାର କରାହେବ ଯେ ଏହି ସଂସ୍ଥା ବହୁତ ଦୁର୍ନୀତି କରିଛି ।

ଶାସକ ଦଳର ମୁଖପାତ୍ରମାନେ ପାଣି ପିଇ ପିଇ ସମ୍ପୃକ୍ତ ସଂସ୍ଥାକୁ ଗାଳି କରିବେ । ସରକାରୀ ଆଙ୍କର ମାନେ ତୁମ୍ବି ତୋଫାନ କରିବେ । ଟୁଇଟର ରେ ଏହାକୁ ନେଇ ଟ୍ରେଣ୍ଡ ଚାଲିବ । 

ଆୟକର ସର୍ବେକ୍ଷଣ ମୋଦୀ ସରକାର ସମୟରେ ଚବିଶ ଘଣ୍ଟା ଚାଲୁଛି । ଅର୍ଥାତ ସମ୍ପୃକ୍ତ ସଂସ୍ଥାର କର୍ମଚାରୀ ସର୍ବେକ୍ଷଣ ଚାଲିଥିବା ପର୍ଯନ୍ତ ଏକ ପ୍ରକାର ଗୃହବନ୍ଦୀ ଅବସ୍ଥାରେ ରହିବାକୁ ବାଧ୍ୟ । ସମ୍ପୃକ୍ତ ସଂସ୍ଥାର କର୍ମଚାରୀଙ୍କର ମୋବାଇଲ ଏବଂ ଲାପଟପ ଜବତ କରି ନିଆଯିବ । 

ଆମ ଦେଶରେ "ରାଇଟ୍ସ ଟୁ ପ୍ରିଭେସି" ବୋଲି ଗୋଟେ କଥା ଅଛି । ସେ କଥାକୁ କେନ୍ଦ୍ରୀୟ ଏଜେନ୍ସି ଖାତିର କରନ୍ତି ନାଇଁ । 

ଆରେ ବାବୁ !! ତମେ ଆୟକର ସର୍ଭେ କରିବାକୁ ଯାଇଛ, ତମକୁ ଏକାଉଣ୍ଟ୍ସ ଦରକାର । ପଇସାପତ୍ରର ରେକର୍ଡ ଦରକାର । ନା, ଆମକୁ ସମସ୍ତଙ୍କର ମୋବାଇଲ ଓ ଲାପଟପ ଦରକାର । 

ସିଧା ସିଧା କହିଲେ, ଏହା ସମ୍ପୃକ୍ତ ସଂସ୍ଥାର ସବୁରକମ ଡାଟା ଚୋରୀ କରିବାର ଏକ ବାଟ । 

ଏ ସବୁ ସମାନ ସୂତ୍ର ବିବିସି ର ଭାରତୀୟ କାର୍ୟାଳୟ ଚଢଉରେ ଲାଗୁ ହେଉଛି । 

ଗତ ଦୁଇଦିନ ହେଲା ବିବିସିର ମୁମ୍ବାଇ ଏବଂ ଦିଲ୍ଲୀ ଅଫିସରେ ଚବିଶ ଘଣ୍ଟିଆ ସର୍ଭେ ଚାଲିଛି । ମୋବାଇଲ ଓ ଲାପଟପ ଜବତ କରି ନିଆଯାଇଛି । 

ଗୋଟେ ଖବର ପ୍ରସାରଣକାରୀ ସଂସ୍ଥାର ଏକାଉଣ୍ଟ୍ସ ଯାଞ୍ଚ କରିବାକୁ ଏତେ ସମୟ ଲାଗୁଛି, କଣ ଏମାନେ କର୍ପୋରେଟ କି ? 

ବିଜେପି ମୁଖପାତ୍ର ବାହାରେ କହୁଛନ୍ତି - ବିବିସି ହେଉଛି ଭ୍ରଷ୍ଟ କର୍ପୋରେସନ । ବିବିସି ଭ୍ରଷ୍ଟ କି ସଛୋଟ ତାର ପ୍ରମାଣ ବ୍ରିଟିଶ ସରକାର ଦେବେ । ଭାରତ ସରକାରଙ୍କର ସେଥିରେ କି କାମ ? ଭାରତୀୟ କର୍ପୋରେଟ ଅଦାନୀ ଉପରେ ଏତେ ଅଭିଯୋଗ , କାଇଁ ସେଠିକି ତ କେହି କେନ୍ଦ୍ରୀୟ ସଂସ୍ଥା ଯାଇନାହାନ୍ତି । 

ଏହା କେବଳ ଡରାଣି । ଯିଏ ଆମ ବିରୋଧରେ ଲେଖିଲା କି କହିଲା - ଆମେ ତାକୁ ଡରାଇବାକୁ ସବୁ କଳ ବଳ କୌଶଳ ପ୍ରୟୋଗ କରିବୁ । 

ଏହା ଆମ ଗଣତନ୍ତ୍ରର ଅସଲ ଚେହେରା ଓ ଚରିତ୍ର ।