ବାହାନଗା ଦୁର୍ଘଟଣା: କାହା ଭୁଲ୍ ପାଇଁ !
ଯୁବକ ଜଣଙ୍କ ମାତ୍ର ୨/୩ ମିନିଟ୍ ଆଗରୁ ସେଇ ଆହତ ବ୍ୟକ୍ତିଙ୍କୁ ଗୋଟିଏ ବଗି ଭିତରୁ ଉଦ୍ଧାର କରିଥିଲେ। ବାହାରକୁ ଆସିବା ପରେ ଆହତ ଜଣଙ୍କ ତାଙ୍କୁ ଫୋନ୍ ମାଗିଥିଲେ ଘର ଲୋକଙ୍କ ସହ କଥା ହେବା ପାଇଁ। ଆଉ କଥା ବି ହୋଇଥିଲେ। ହେଲେ ପରେ ପରେ ଦେଖିବା ବେଳକୁ ସେ ଆଉ ଜୀବନରେ ନାହାନ୍ତି। ସେହି ବ୍ୟକ୍ତିଙ୍କ ଭଉଣୀ ଯେତେବେଳେ ପୁଣି ଥରେ ଭାଇର ଭଲମନ୍ଦ ଜାଣିବାକୁ ଫୋନ୍ କଲେ ସେତେବେଳେ ଭାବନ୍ତୁ ତ କେମିତି ଲାଗିଥିବ ସେଇ ଉଦ୍ଧାରକାରୀ ଯୁବକଙ୍କୁ ସେଇ ଆଶାୟୀ ଭଉଣୀ ଜଣଙ୍କୁ କହିବା ପାଇଁ ଯେ ତାଙ୍କ ଭାଇ ଆଉ ଏ ଦୁନିଆରେ ନାହାନ୍ତି ବୋଲି! ସେମିତି ଆଉ ଜଣେ ଉଦ୍ଧାରକାରୀ ଯୁବକ ରିପୋର୍ଟରଙ୍କ ଆଗରେ କହୁକହୁ କାନ୍ଦି ପକାଉଥା'ନ୍ତି ଯେ, "ଆଜ୍ଞା; ମୋ' ଆଗରେ ହିଁ ମୁଁ ଉଦ୍ଧାର କରିଥିବା ବହୁ ଲୋକଙ୍କ ଜୀବନ ଚାଲିଗଲା। ମୁଁ କିନ୍ତୁ ଏତେ ଅସହାୟ ଥିଲି ଯେ ସମସ୍ତଙ୍କୁ ପାଣି ଟୋପାଏ ବି ଦେଇ ପାରିଲିନି। ସେମାନେ ସମସ୍ତେ ହେଲେ ନିଜ ଶେଷ ଯାତ୍ରା ପୂର୍ବରୁ ଟିକେ ପାଣି ପାଇଥାନ୍ତେ। ତା' ହେଲେ ମୋ' ଅନ୍ତରାତ୍ମା ଶାନ୍ତି ପାଇଥାନ୍ତା।" ଏ ଦୁଇଟି ଥିଲା ଦୁଇ ଜଣ ଉଦ୍ଧାରକାରୀ ଯୁବକଙ୍କ ବୟାନ, ଯେଉଁମାନେ ଚଳିତ ମାସ ୨ ତାରିଖ ଦିନ ବାଲେଶ୍ୱର ଜିଲ୍ଲା ବାହାନଗା ବଜାର ଷ୍ଟେସନ୍ ଠାରେ ଘଟିଥିବା ଭୟାବହ ରେଳ ଦୁର୍ଘଟଣାର ପ୍ରତ୍ୟକ୍ଷଦର୍ଶୀ। ଆମ୍ବୁଲାନ୍ସ କିମ୍ବା ଅନ୍ୟ କୌଣସି ରକ୍ଷାକାରୀ ଦଳ ଦୁର୍ଘଟଣାସ୍ଥଳରେ ପହଞ୍ଚିବାର ଯଥେଷ୍ଟ ପୂର୍ବରୁ ସମ୍ପୃକ୍ତ ଯୁବକ ମାନଙ୍କ ଭଳି ଆହୁରି ଅନେକ ସ୍ଥାନୀୟ ଲୋକେ ସାଙ୍ଗେସାଙ୍ଗେ ସେଠାରେ ପହଞ୍ଚି ଯଥା ସମ୍ଭବ ଲାଗି ଯାଇଥିଲେ ଉଦ୍ଧାର କାର୍ଯ୍ୟରେ। ନିଜ ନିଜ ଘରୁ ଶିଡି, ଶାବଳ ଇତ୍ୟାଦି ଆଣି କାଚ ଭାଙ୍ଗି ଲୋକେ ସାଧ୍ୟ ମୁତାବକ ଉଦ୍ଧାର କରିବାରେ ଲାଗିଥିଲେ ଆହତ ମାନଙ୍କୁ। ପରେ ପରେ ସେଠାରେ ପହଞ୍ଚି ଥିଲେ ଆମ୍ବୁଲାନ୍ସ, ଏନଡିଆରଏଫ୍ ଟିମ୍ ଓ ଅନ୍ୟାନ୍ୟ ଉଦ୍ଧାରକାରୀ ଦଳ। ଉଦ୍ଧାର ପାଇବାକୁ ଆହତ ମାନଙ୍କ ଆର୍ତ୍ତ ଚିତ୍କାର, ପାଣି ଟୋପାଏ ପାଇଁ ବ୍ୟାକୁଳତା, କ୍ଷତିଗ୍ରସ୍ତ ବଗି ଭିତରେ ଓଜନଦାର ରଡ୍ ତଳେ ଚାପି ହୋଇ ରହି ଯାଇଥିବା କେହି ଯାତ୍ରୀଙ୍କ ତାଙ୍କୁ ଯେକୌଣସି ପ୍ରକାରେ ବଞ୍ଚାଇବାକୁ ଆକୁଳ ଆବେଦନ, କଥା କହିବାକୁ ଅକ୍ଷମ ଆହତ ମାନଙ୍କ ଆଖିର ଭୟଭୀତ ନିରବ ଚାହାଣୀ ପୁଣି ଖଣ୍ଡବିଖଣ୍ଡିତ ମୃତ ଶରୀର ସବୁ ତମାମ ଜୀବନ ପିଛା କରିବେ ସେଠାରେ ସେଦିନ ଉପସ୍ଥିତ ଥିବା ସମସ୍ତ ଉଦ୍ଧାରକାରୀ ମଣିଷ ମାନଙ୍କୁ। ସେଦିନ ସ୍ଥାନୀୟ ଲୋକଙ୍କ ମଣିଷପଣିଆ, ଆହତଙ୍କ ପାଇଁ ସ୍ବେଚ୍ଛାକୃତ ରକ୍ତଦାନ ନିମନ୍ତେ ବହୁ ସଂଖ୍ୟକ ଯୁବକଙ୍କ ଆଗେଇ ଆସିବା, ସମସ୍ତ ଉଦ୍ଧାରକାରୀ ଦଳର ସଦସ୍ୟଙ୍କ ତତ୍ପରତା ତଥା ଅନ୍ୟ ସ୍ବେଚ୍ଛାସେବୀ ଓ ଚିକିତ୍ସାରେ ସମ୍ପୃକ୍ତ ସମସ୍ତ ମଣିଷଙ୍କ ମହନୀୟତା ଆମ ମାନଙ୍କ ସମ୍ମାନ ଓ କୃତଜ୍ଞତାର ଅଧିକାରୀ।
ତେବେ କାହିଁକି ସେଦିନ ଘଟିଲା ଏତେ ବଡ଼ ଦୁର୍ଘଟଣା! ଏହା ଜାଣିବା ପାଇଁ ଆମକୁ ପ୍ରଥମେ ଫେରିବା ପାଇଁ ହେବ ବାହାନଗା ବଜାର ଷ୍ଟେସନକୁ। ଏଠାରେ ଦୁଇଟି ମେନ୍ ଲାଇନ୍ ଟ୍ରାକ୍ ରହିଛି। ଗୋଟିଏ ହେଉଛି ଅପ୍ ମେନ୍ ଲାଇନ୍ ଓ ଅନ୍ୟଟି ଡାଉନ୍ ମେନ୍ ଲାଇନ୍। ଏଇ ଦୁଇଟି ଟ୍ରାକରେ ଏକା ସାଙ୍ଗରେ ଦୁଇଟି ଟ୍ରେନ୍ ଦୁଇ ବିପରୀତ ଦିଗରେ ଯାଇ ପାରିବାର ବ୍ୟଵସ୍ଥା ରହିଛି। ଏହା ଛଡ଼ା ଏଇ ଦୁଇ ମେନ୍ ଲାଇନ୍ କଡ଼ରେ ଏଠାରେ ଦୁଇଟି ଲୁପ୍ ଟ୍ରାକ୍ ମଧ୍ୟ ରହିଛି। ୧୨୮୪୧, ସାଲିମାର ଚେନ୍ନାଇ ସେଣ୍ଟ୍ରାଲ୍ କରମଣ୍ଡଳ ଏକ୍ସପ୍ରେସ୍ ସେଦିନ ସେଇ ସମୟରେ ଷ୍ଟେସନର ମେନ୍ ଅପ୍ ଲାଇନରେ ଥିଲା। ଏଇ ସୁପର ଫାଷ୍ଟ୍ ଏକ୍ସପ୍ରେସ୍ ଯେମିତି ବିନା ବାଧାରେ ଖୁବ୍ ଶୀଘ୍ର ଷ୍ଟେସନ୍ କ୍ରସ୍ କରିଯାଏ ସେଥିପାଇଁ ଲୁହାପଥର ବୋଝେଇ ଏକ ମାଲ୍ ଗାଡ଼ିକୁ ଲୁପ୍ ଟ୍ରାକରେ ଅଟକାଇ ରଖା ଯାଇଥିଲା। ସେଇ ସମୟରେ ୧୨୮୬୪, ୟଶୱନ୍ତପୁର ଏକ୍ସପ୍ରେସ୍ ମଧ୍ୟ ମେନ୍ ଡାଉନ୍ ଲାଇନରେ ପଶ୍ଚିମବଙ୍ଗର ହାଓଡ଼ା ଦିଗରେ ଯାତ୍ରା କରୁଥିଲା। ଏଇ ଦୁଇ ଗତିଶୀଳ ଟ୍ରେନକୁ ବାହାନଗା ଷ୍ଟେସନରେ ଅଟକିବାର ନଥିଲା। ତେଣୁ କରମଣ୍ଡଳ ଏକ୍ସପ୍ରେସକୁ ପ୍ରଥମେ ଗ୍ରୀନ୍ ସିଗନାଲ୍ ଦିଆଯାଇଥିଲା (ଅବଶ୍ୟ କିଛି ସମୟ ପରେ ଗ୍ରୀନ୍ ସିଗ୍ନାଲକୁ ହଟାଇ ଦିଆଯାଇଥିଲା ବୋଲି ଜଣା ପଡ଼ିଛି)। ଏଇ କାରଣରୁ ଟ୍ରେନର ଲୋକୋ ପାଇଲଟ୍ ମଧ୍ୟ ପ୍ରାୟ ଫୁଲ୍ ସ୍ପିଡ୍ (୧୨୮ କିମି ପ୍ରତି ଘଣ୍ଟା)ରେ ଟ୍ରେନ୍ ଚାଳନା କରୁଥିଲେ। ତେବେ ମେନ୍ ଅପ୍ ଲାଇନରେ ଗ୍ରୀନ୍ ସିଗନାଲ୍ ସତ୍ତ୍ୱେ ଟ୍ରାକ୍ ଲୁପ୍ ଲାଇନ୍ ଆଡ଼କୁ ସ୍ବିଚ୍ କରିଯାଇଥିଲା। ଫଳରେ ପାଖାପାଖି ଫୁଲ୍ ସ୍ପିଡ(ଏହାର ପରମିଟେଡ୍ ସ୍ପିଡ୍ ୧୩୦ କିମି ପ୍ରତି ଘଣ୍ଟା)ରେ ଥିବା
କରମଣ୍ଡଳ ଏକ୍ସପ୍ରେସ୍ ଡିରେଲ୍ ହୋଇ ଲୁପ୍ ଲାଇନକୁ ତୀବ୍ର ଗତିରେ ପଶି ଆସି ସେଠାରେ ଆଗରୁ ଅଟକି ରହିଥିବା ମାଲ୍ ଗାଡ଼ିକୁ ଧକ୍କା ଦେଇଥିଲା। ଏଇ ଧକ୍କା ଦେବା ଏତେ ତୀବ୍ର ଥିଲା ଥିଲା ଯେ କରମଣ୍ଡଳ ଏକ୍ସପ୍ରେସର କିଛି ବଗି ମାଲ୍ ଗାଡ଼ି ଉପରକୁ ଚଢ଼ି ଯାଇଥିଲା ଓ ଅନ୍ୟ କେତୋଟି ବଗି ଛିଟକି ଯାଇ ଡାଉନ୍ ଲାଇନରେ ପଡ଼ିଥିଲା। ଠିକ୍ ସେଇ ସମୟରେ ୟଶୱନ୍ତପୁର ଏକ୍ସପ୍ରେସ୍ ଡାଉନ୍ ଲାଇନରେ ଆସୁଥିବାରୁ ଏହାର ଆଗ ବଗି ଗୁଡ଼ିକ କରମଣ୍ଡଳର ଛିଟକି ଯାଇଥିବା ବଗି ଗୁଡ଼ିକ ସହ ଧକ୍କା ଦେଇଥିଲା। ଚଳିତ ଶତାବ୍ଦୀର ଏଇ ସବୁଠାରୁ ଭୟଙ୍କର ଦୁର୍ଘଟଣାରେ ୨୮୮ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି।
ପ୍ରଥମେ ରେଳ ମନ୍ତ୍ରୀ ଏଇ ଦୁର୍ଘଟଣା ପାଇଁ ଇଲେକ୍ଟ୍ରୋନିକ୍ ସିଗନାଲ୍ ଲକି° ସିଷ୍ଟମରେ ଥିବା ତ୍ରୁଟିକୁ ଦାୟୀ କରିଥିଲେ ମଧ୍ୟ ପରେ ଏଇ ଦୁର୍ଘଟଣାର ତଦନ୍ତ ଭାର ସିବିଆଇକୁ ଦିଆଯାଇଛି।
କିନ୍ତୁ ଦୁର୍ଘଟଣା ଘଟିବା ପରେ ଅନେକ ଏଇ ଘଟଣାର ମାତ୍ର ୨ଦିନ ପୂର୍ବରୁ ଅର୍ଥାତ୍ ମେ' ୩୧ ତାରିଖ ଦିନ 'ଦ ହିନ୍ଦୁ' ଖବରକାଗଜରେ ପ୍ରକାଶିତ ଏକ ରିପୋର୍ଟ ଚର୍ଚ୍ଚାକୁ ଆସିଛି। ଭାରତୀୟ ରେଳରେ ଥିବା ଘୋର୍ ମାନବ ସମ୍ବଳ ଅଭାବକୁ ନେଇ ଏଇ ରିପୋର୍ଟରେ ଦର୍ଶାଯାଇଥିଲା। ଏଥିରେ କୁହାଯାଇଥିଲା ଯେ, ଆବଶ୍ୟକ ମାତ୍ରାରେ କର୍ମଚାରୀ ନଥିବାରୁ ବହୁ ସଂଖ୍ୟକ ଲୋକୋ ପାଇଲଟ୍ ବା ଟ୍ରେନ୍ ଡ୍ରାଇଭର ମାନଙ୍କୁ ସେମାନଙ୍କ ପାଇଁ ନିର୍ଦ୍ଧାରିତ ୧୨ ଘଣ୍ଟା (ଅତି ବେଶିରେ)ରୁ ଅଧିକ କାମ କରିବାକୁ ପଡୁଛି। ଫଳରେ ସେମାନେ ବହୁ ସମୟରେ ଆବଶ୍ୟକ ମାତ୍ରାରେ ବିଶ୍ରାମ ନେଇ ପାରୁ ନାହାନ୍ତି। ଏପରିକି ସେମାନଙ୍କୁ ଛୁଟି ମିଳିବା ମଧ୍ୟ ସମ୍ଭବ ହେଉନାହିଁ। ଏଇ ରିପୋର୍ଟ ଅନୁଯାୟୀ ରେଳବାଇର ବିଭିନ୍ନ ସୂତ୍ରରୁ ଏହା ଜଣା ପଡ଼ିଛି ଯେ, ୨୦୨୨-୨୩ରେ ମୋଟ ୪୮ଟି ପରିଣାମ ସମ୍ବଳିତ ଦୁର୍ଘଟଣା (consequential accidents) ଘଟିଛି। ଏହାଛଡ଼ା ଏଇ ସମୟକାଳ ମଧ୍ୟରେ ୧୬୨ଟି ପରିଣାମ ବିହୀନ ବା ନନକନ୍ସିକ୍ୟେନସିଆଲ୍ ଦୁର୍ଘଟଣା ମଧ୍ୟ ଘଟିଛି। ଏହା ମଧ୍ୟରୁ ୩୫ଟି କେସ୍ ହେଉଛି 'ସିଗନାଲ୍ ପାସଡ୍ ଆଟ୍ ଡେଞ୍ଜର(SPAD)'ର। ଆଉ ଏସବୁର ମୁଖ୍ୟ କାରଣ ହେଉଛି ବିଭାଗରେ ରହିଥିବା ମାନବ ସମ୍ବଳର ଅଭାବ। 'ଦ ହିନ୍ଦୁ'ର ଏଇ ରିପୋର୍ଟରେ ଆହୁରି ମଧ୍ୟ ଦର୍ଶାଯାଇଥିଲା ଯେ, ସାଉଥ୍ ଇଷ୍ଟ୍ ସେଣ୍ଟ୍ରାଲ୍ ରେଲୱେରେ ଯଥେଷ୍ଟ ମାନବ ସମ୍ବଳର ଅଭାବ ଯୋଗୁଁ ଗତ ମାର୍ଚ୍ଚ, ଏପ୍ରିଲ ଓ ମେ' ମାସରେ ଯଥାକ୍ରମେ ୩୫.୯୯%, ୩୪.୫୩% ଓ ୩୩.୨୬% କେସରେ ଲୋକୋ ପାଇଲଟ ମାନେ ନିର୍ଦ୍ଧାରିତ ସମୟ(ଅତି ବେଶିରେ ୧୨ ଘଣ୍ଟା)କୁ ଟପି ଦୀର୍ଘ ସମୟ ଧରି ଡ୍ୟୁଟି କରିଥିଲେ। ଯାହା କି ଚିନ୍ତାର ବିଷୟ ବୋଲି ରେଲୱେ ବୋର୍ଡ କହିଥିଲା। All India Loco Running Staff Association ପକ୍ଷରୁ ମଧ୍ୟ ଦକ୍ଷିଣ ରେଲୱେ ଜୋନର ବିଭିନ୍ନ ବିଭାଗରେ ଖାଲି ଥିବା ୩୯୨ଟି ଲୋକୋ ପାଇଲଟ୍ ପଦବୀ ନେଇ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଲୋକୋ ପାଇଲଟ୍ ମାନଙ୍କୁ ନିୟମିତ ଭାବେ ଏଭଳି ଅଧିକ ସମୟ ଧରି କାମ କରିବାକୁ ପଡୁଥିବା ଯୋଗୁଁ ପ୍ରଥମରେ ତ ଏହା ବିଭାଗୀୟ ନିୟମର ଉଲ୍ଲ°ଘନ କରୁଛି ତା' ଛଡ଼ା ଏଇ ସମସ୍ୟା ରେଳ ସୁରକ୍ଷା ଦିଗରେ ମଧ୍ୟ ପ୍ରତିବନ୍ଧକ ସାଜିଛି। ଏହାକୁ ଏକ ଅତ୍ୟନ୍ତ ଚିନ୍ତାଜନକ ବିଷୟ ବୋଲି ଅଭିହିତ କରି ଏ ଦିଗରେ ଯଥାଶୀଘ୍ର ଦୃଷ୍ଟି ଦେବାକୁ ବୋର୍ଡ ପକ୍ଷରୁ ରେଳ ବିଭାଗକୁ ଅନୁରୋଧ କରାଯାଇଥିଲା। ସୁରକ୍ଷା ବ୍ୟବସ୍ଥା ସହ ଜଡ଼ିତ ଖାଲି ଥିବା ବିଭିନ୍ନ ପଦବୀ ଗୁଡିକ ପୂରଣ ହେବା ଦ୍ବାରା ଅତି କମରେ ଟ୍ରାକ୍ ଗୁଡ଼ିକର ରକ୍ଷଣାବେକ୍ଷଣ ଉପରେ ଉଚିତ୍ ଗୁରୁତ୍ବ ଦିଆଯାଇ ପାରିବ ବୋଲି ରେଲୱେ ବୋର୍ଡ ପକ୍ଷରୁ କୁହାଯାଇଥିଲା।
ରାଜ୍ୟସଭାରେ ନିଜେ ରେଳମନ୍ତ୍ରୀ କହିଥିଲେ ଯେ, ବିଭାଗରେ ୩ଲକ୍ଷ ୧୨ହଜାର ପଦବୀ ଖାଲି ରହିଛି। ଆଉ ଏସବୁ ପଦକୁ ପୂରଣ କରାଯିବା ନିତାନ୍ତ ଆବଶ୍ୟକ। ବାକି ରହିଲା ରେଲୱେର ପାର୍ଲିଆମେଣ୍ଟାରୀ କମିଟିର ୩୨୩ତମ ରିପୋର୍ଟ, ଯାହା ସ୍ପଷ୍ଟ ରୂପେ ବୟାନ କରେ ଯେ, ରେଳ ସୁରକ୍ଷା ଆୟୋଗ ବା Commission of Railway Safety, ଯାହାର ଦାୟିତ୍ଵ ହିଁ ରେଳ ସୁରକ୍ଷା ଥିଲା ଓ ଯାହା କେଉଁ ଟ୍ରାକରେ କେଉଁ ସିଷ୍ଟମ୍ ଲଗା ଯାଇଛି ସେସବୁ ତଥ୍ୟ ନେଇ ରେଳ ବିଭାଗକୁ ଅବଗତ କରାଉଥିଲା ଏବେ ତା'ର କ୍ଷମତାକୁ ହିଁ ସଙ୍କୁଚିତ କରିଦିଆଯାଇଛି। ଫଳରେ ରେଳ ସୁରକ୍ଷା ବ୍ୟବସ୍ଥା ନେଇ କୌଣସି ତ୍ରୁଟି ଦେଖାଗଲେ ରେଳ ବିଭାଗକୁ ଉତ୍ତରଦାୟୀ କରିବାକୁ କେହି ନାହିଁ।
ଏସବୁ ବ୍ୟତୀତ CAG ରିପୋର୍ଟ-୨୦୨୨(ଏପ୍ରିଲ ୨୦୧୭ରୁ ମାର୍ଚ୍ଚ ୨୦୨୧) ମଧ୍ୟ ଏଇ ଘଟଣାରେ ବିଶେଷ ମହତ୍ତ୍ଵ ରଖେ। 'ଟ୍ରେନ୍ ଡିରେଲମେଣ୍ଟ୍ ଇନ୍ ଇଣ୍ଡିଆନ୍ ରେଲୱେଜ୍' ଶୀର୍ଷକ ଏଇ ରିପୋର୍ଟରେ ଉଲ୍ଲେଖ ଥିଲା ଯେ, ଏଇ ସମୟ ମଧ୍ୟରେ ଘଟିଥିବା ଅଧିକାଂଶ ରେଳ ଦୁର୍ଘଟଣା ଟ୍ରେନ୍ ଡିରେଲମେଣ୍ଟ୍ ଯୋଗୁଁ ଘଟିଥିଲା (ଆନୁପାତିକ ଭାବେ ୧୦ରୁ ୭ଟି କେସରେ)। ଆଉ ଏଭଳି ଘଟିଥିଲା ମୁଖ୍ୟତଃ ଟ୍ରାକ୍ ମେଣ୍ଟେନାନ୍ସର ଅଭାବ, ସୁରକ୍ଷା ବ୍ୟବସ୍ଥାର ମନ୍ଥର ରିନ୍ୟୁଆଲ୍ ବା ନୂତନୀକରଣ ତଥା ସଠିକ୍ ନିରୀକ୍ଷଣର ଅଭାବ ଆଦି କାରଣରୁ। ଅନେକ ଗୁଡ଼ିଏ ଟ୍ରାକ୍ ରେକର୍ଡି° କାର୍ ଓ ଟ୍ରାକ୍ ମେସିନ୍ ଖରାପ ହୋଇଯାଇଥିବା ଯୋଗୁଁ ଟ୍ରାକ୍ ନିରୀକ୍ଷଣ କ୍ଷେତ୍ରରେ ରେଲୱେର ବିଭିନ୍ନ ଜୋନରେ ୩୦ରୁ ୧୦୦% ଯାଏଁ ହ୍ରାସ ଘଟିଛି। ଅର୍ଥାତ୍ ସ୍ଥଳ ବିଶେଷରେ ଗୋଟିଏ ଗୋଟିଏ ଜୋନରେ ଟ୍ରାକ୍ ଦେଖାରଖା କାମ ଆଦୌ ସମ୍ଭବ ହେଉନାହିଁ। ଫଳରେ ଏଇ ସମୟ କାଳ ମଧ୍ୟରେ ମୋଟ ୧,୧୨୭ ଥର ଟ୍ରେନ୍ ଡିରେଲମେଣ୍ଟ୍ ଘଟିଛି। ଆଉ ଏହା ମଧ୍ୟରୁ ପ୍ରାୟ ୫୦% ଘଟଣାରେ ଦୁର୍ଘଟଣା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏହା ଦ୍ବାରା ରେଲୱେର ପ୍ରାୟ ୩୨କୋଟି ୯୬ଲକ୍ଷ ଟଙ୍କାର ଆର୍ଥିକ କ୍ଷତି ହୋଇଥିବା ନେଇ ମଧ୍ୟ CAG ରିପୋର୍ଟରେ ଦର୍ଶାଯାଇଛି। ଯଦି ସଠିକ୍ ରକ୍ଷଣାବେକ୍ଷଣ ଅଭାବରୁ ହୋଇଥିବା ଦୁର୍ଘଟଣାକୁ ବିଚାରକୁ ନିଆଯାଏ ତେବେ ସେଭଳି ମୋଟ ୧୭୧ଟି କେସ୍ ରହିଛି। ଟ୍ରାକ୍ ସମ୍ପର୍କିତ ବିଭିନ୍ନ ମାନଦଣ୍ଡ(parameters) ପାଳନ କରାଯାଇନଥିବା ଦୃଷ୍ଟିରୁ ଘଟିଥିବା ଦୁର୍ଘଟଣାର ୧୫୬ଟି କେସ୍ ରହିଛି। ସେଇଭଳି ମେକାନିକାଲ୍ ଫ୍ୟାଲ୍ୟୋର୍ କାରଣରୁ ୧୮୨ଟି ଦୁର୍ଘଟଣା ଘଟିଛି। ଲୋକ ପାଇଲଟଙ୍କ ଅଭାବ କାରଣରୁ ମଧ୍ୟ ୧୫୪ଟି ଦୁର୍ଘଟଣା ଘଟିଥିବା ନେଇ ରିପୋର୍ଟରେ ଉଲ୍ଲେଖ ଅଛି। ଏସବୁ ବ୍ୟତୀତ ସମ୍ପୃକ୍ତ ରିପୋର୍ଟରେ ଯାହା ଉଲ୍ଲେଖ ଥିଲା ତାହା ହେଉଛି ଦେଶରେ ଘଟୁଥିବା ବିଭିନ୍ନ ରେଳ ଦୁର୍ଘଟଣା(ଖାସ୍ କରି ଡିରେଲମେଣ୍ଟ୍)କୁ ନେଇ ଗଠନ କରାଯାଉଥିବା ଯାଞ୍ଚ୍ କମିଟି ଗୁଡିକ ମଧ୍ୟରୁ ୬୩ % ମାମଲାରେ ଯାଞ୍ଚ୍ ରିପୋର୍ଟ ପ୍ରକାଶ ପାଏ ନାହିଁ(୫୪୦ଟି କେସରେ)। ଏପରିକି ୪୯% କେସରେ କିଛି ଡେଡଲାଇନ ହିଁ ନାହିଁ। ଏଇ ରିପୋର୍ଟରେ ଏହା ବି ଉଲ୍ଲେଖ ଥିଲା ଯେ, ନିଆଯାଇଥିବା ସମୟ ଖଣ୍ଡ ମଧ୍ୟରେ ଇଷ୍ଟ୍ କୋଷ୍ଟ୍ ରେଲୱେରେ ଟ୍ରାକ୍ ନିରୀକ୍ଷଣ କାର୍ଯ୍ୟ ଆଦୌ କରାଯାଇ ନଥିଲା।
ତେବେ ଟ୍ରାକ୍ ନିରୀକ୍ଷଣ ଓ ରକ୍ଷଣାବେକ୍ଷଣର ଅଭାବ(ଟ୍ରେନ୍ ଡିରେଲମେଣ୍ଟର ମୁଖ୍ୟ କାରଣ) ପଛରେ ମୂଳ କାରଣ ହେଉଛି ଏ ଦିଗରେ ଖର୍ଚ୍ଚ କରିବାକୁ ପାଣ୍ଠିର ଅଭାବ। ଆପଣ ମାନେ ଜାଣି ରଖିବା ଉଚିତ ଯେ ୨୦୧୭-୧୮ର ରେଲୱେ ବଜେଟରେ ରେଳ ସୁରକ୍ଷା ଦିଗରେ ବିଭିନ୍ନ ଉନ୍ନତ ମାନର ପଦକ୍ଷେପ ନିଆଯିବା ଦିଗରେ 'ରାଷ୍ଟ୍ରୀୟ ରେଳ ସର°କ୍ଷା କୋଷ' (RRSK) ଗଠନର ପ୍ରସ୍ତାବ ଅଣାଯାଇ ଏଥିପାଇଁ ୧ଲକ୍ଷ କୋଟି ଟଙ୍କାର ଏକ କର୍ପସ୍ ଫଣ୍ଡ୍ ଆଲଟ୍ କରାଯାଇଥିଲା। ଏଇ ଫଣ୍ଡ୍ ର ମୂଳ ଉଦ୍ଦେଶ୍ୟ ଗୁଡ଼ିକ ଥିଲା: ରେଲୱେ ଟ୍ରାକ୍ ଓ କ୍ରସି° ଗୁଡ଼ିକର ବିକାଶ, ଇଂଜିନ୍ କ୍ୟାବିନର ଆଧୁନିକୀକରଣ ଓ ଟେକ୍ନୋଲୋଜିରେ ଉନ୍ନତି ଆଣିବା ତଥା କ୍ର୍ୟୁ ମେମ୍ବର ମାନଙ୍କୁ ଉନ୍ନତ ମାନର ପ୍ରଶିକ୍ଷଣ ଦିଆଯିବା ଇତ୍ୟାଦି। ଏଇ ଫଣ୍ଡ୍ ସହାୟତାରେ ୨୦୧୭ରୁ ୨୦୨୨ ମଧ୍ୟରେ ପ୍ରତି ବର୍ଷ ବିଭିନ୍ନ ସୁରକ୍ଷାମୂଳକ ପଦକ୍ଷେପ ଦିଗରେ ୨୦ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବାର ପ୍ରାବଧାନ ଥିଲା। ଏହା ମଧ୍ୟରୁ କେନ୍ଦ୍ର ସରକାର ୧୫ହଜାର କୋଟି ଓ ରେଲୱେ ପକ୍ଷରୁ ୫ହଜାର କୋଟି ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା ଥିଲା। କିନ୍ତୁ ରେଳ ବିଭାଗ ପକ୍ଷରୁ ମଝିରୁ ହିଁ ଅର୍ଥ ଜମା କରାଯିବା ବନ୍ଦ କରିଦିଆଗଲା (ବିଭାଗ ପକ୍ଷରୁ ୩ବର୍ଷର ନିର୍ଦ୍ଧାରିତ ଅର୍ଥରାଶି ୧୫ହଜାର କୋଟି ଟଙ୍କା ଜମା କରାଯାଇ ନଥିଲ)। ଏପରିକି RRSKରେ ଜମା କରାଯାଇଥିବା ଅର୍ଥ ମଧ୍ୟରୁ ୨୩୦୦ କୋଟି ରେଳ ସୁରକ୍ଷା ଦିଗରେ ଖର୍ଚ୍ଚ କରା ନଯାଇ ଅନ୍ୟ ଦିଗରେ ଖର୍ଚ୍ଚ କରି ଦିଆଗଲା। ହୁଏତ ଏହି ଅର୍ଥ ରେଳ ସୁରକ୍ଷା ପାଇଁ ବ୍ୟୟ କରାଯାଇଥିଲେ ଅନେକ ଗୁଡ଼ିଏ ଦୁର୍ଘଟଣା ରୋକି ହୋଇଥାନ୍ତା।
ପ୍ରଥମେ ୨୦୧୨ ମସିହାରେ ଏକ ଟ୍ରେନ୍ କୋଲିଜନ୍ ପ୍ରିଭେନସନ୍ ସିଷ୍ଟମ୍ ବିକଶିତ କରାଯାଇଥିଲା, ଯାହାକୁ ବର୍ତ୍ତମାନ 'କବଚ୍' ବୋଲି କୁହାଯାଉଛି(ଅବଶ୍ୟ ବାହାନଗା କେସରେ 'କବଚ୍' ଥିଲେ ମଧ୍ୟ ଦୁର୍ଘଟଣାକୁ ରୋକାଯାଇ ପାରିନଥାନ୍ତା ବୋଲି କୁହାଯାଇଛି)। ଏଇ ସିଷ୍ଟମ୍ ସେଫ୍ଟି ଇଣ୍ଟିଗ୍ରିଟି-୪ ସାର୍ଟିଫିକେଟ୍ ପ୍ରାପ୍ତ, ଯାହାକି ଦୁର୍ଘଟଣାର ସମ୍ଭାବନାକୁ ୧୦ହଜାର ବର୍ଷରେ ୧ (ଗୋଟିଏ)କୁ ହ୍ରାସ କରିପାରେ। ରେଳ ମନ୍ତ୍ରୀଙ୍କ ଅନୁଯାୟୀ ଏଇ ସିଷ୍ଟମ୍ ଅଲଟ୍ରା ହାଇ ରେଡ଼ିଓ ୱେବ୍ ମାଧ୍ୟମରେ ୧୦ କିଲୋମିଟର ଦୂରରୁ ଟ୍ରାକ୍ ଉପରେ ଥିବା କୌଣସି ପ୍ରତିବନ୍ଧକ ସମ୍ପର୍କରେ ସତର୍କ କରାଇ ପାରେ। ଖାଲି ସେତିକି ନୁହେଁ ଆବଶ୍ୟକ ସ୍ଥଳେ ଏହା ଟ୍ରେନର ଗତିକୁ ୩୦କିଲୋମିଟର ପ୍ରତି ଘଣ୍ଟା ଯାଏଁ ହ୍ରାସ କରାଇ ପାରେ। ଫଳରେ ଟ୍ରେନକୁ ଅଟକାଇବା ସହଜ ହୋଇଯାଏ। ତେବେ ଏଇ କବଚ୍ ସିଷ୍ଟମକୁ ଏ ପର୍ଯ୍ୟନ୍ତ କେବଳ ୨% ରେଲୱେ ଟ୍ରାକରେ ଇନଷ୍ଟଲ୍ କରାଯାଇ ପାରିଛି। ଭାରତର ସମୁଦାୟ ରେଲୱେ ନେଟୱର୍କ ୬୮୦୦୦ କିଲୋମିଟର ହୋଇଥିବା ବେଳେ ଏଯାଏ ମୋଟ ୧୪୪୫ କିଲୋମିଟର ଟ୍ରାକରେ ହିଁ କବଚ୍ ଖଞ୍ଜା ଯାଇ ପାରିଛି।
ପ୍ରଥମରୁ ହିଁ ଓଡ଼ିଶା ରେଳ ଦୁର୍ଘଟଣରେ ସିଗନାଲି° ସିଷ୍ଟମରେ ତ୍ରୁଟି ଥିବା କଥା କୁହାଯାଇଛି। ତେବେ ଏଇ ଦୁର୍ଘଟଣା ପୂର୍ବରୁ ଏକ ସମାନ କେସରେ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହେଉହେଉ ଅଳ୍ପକେ ବର୍ତ୍ତି ଯାଇଥିଲା। ସମ୍ପୃକ୍ତ କେସରେ ଗାଡ଼ି ଅନ୍ୟ ଏକ ମାଲବାହୀ ଗାଡ଼ିକୁ ଧକ୍କା ଦେବା ପୂର୍ବରୁ ଲୋକୋ ପାଇଲଟଙ୍କ ଆଲର୍ଟନେସ୍ ବା ସାବଧାନତାମୂଳକ ପଦକ୍ଷେପ ଏକ ବଡ଼ ଦୁର୍ଘଟଣା ରୋକିବାରେ ସହାୟକ ହୋଇଥିଲା। ୯ ଫେବ୍ରୁଆରୀ, ୨୦୨୩ରେ ସାଉଦର୍ଣ୍ଣ ୱେଷ୍ଟର୍ଣ୍ଣ୍ ରେଲୱେ ପକ୍ଷରୁ ଏ ନେଇ ରିପୋର୍ଟ ମଧ୍ୟ ରେଳ ବିଭାଗକୁ ଦିଆଯାଇଥିଲା। ଏଇ ରିପୋର୍ଟ ମାଧ୍ୟମରେ ସ୍ଥାନୀୟ ଚିଫ୍ ଅପରେଟିଂ ମ୍ୟାନେଜର ସିଗନାଲି° ସିଷ୍ଟମରେ ଥିବା ଭୟଙ୍କର ତ୍ରୁଟିକୁ ନେଇ ବିଭାଗୀୟ ଦୃଷ୍ଟି ଆକର୍ଷଣ କରିବା ସହ ଇଣ୍ଟରଲକି° ସିଷ୍ଟମର ବିଫଳତା ନେଇ ରେଳ ବିଭାଗକୁ ଅବଗତ କରାଇଥିଲେ ଓ ଏ ଦିଗରେ ଉଚିତ୍ ପଦକ୍ଷେପ ନିଆଯିବା ନେଇ ମଧ୍ୟ ଅନୁରୋଧ କରିଥିଲେ। ତେବେ ୩ମାସ ତଳେ ସିଗନାଲି° ବ୍ୟବସ୍ଥାର ସମସ୍ୟା ନେଇ ବିଭାଗ ଅବଗତ ଥାଇ ମଧ୍ୟ ଏହାକୁ ସୁଧାରିବା ଦିଗରେ ଦୃଷ୍ଟି ଦିଆଯାଇନଥିବା ନେଇ ଅଭିଯୋଗ ହୋଇଛି।
କରମଣ୍ଡଲ ଏକ୍ସପ୍ରେସକୁ ପଶ୍ଚିମବଙ୍ଗରେ ହସ୍ପିଟାଲ୍ ଏକ୍ସପ୍ରେସ ମଧ୍ୟ କୁହାଯାଏ। କାରଣ ଏଥିରେ ଏଇ ରାଜ୍ୟର ବହୁ ସଂଖ୍ୟକ ନିମ୍ନ ମଧ୍ୟବିତ୍ତ ବର୍ଗର ଲୋକ ଚିକିତ୍ସା ପାଇଁ ଭେଲୋର ଯାଇଥାନ୍ତି। ସେହିପରି ୟଶୱନ୍ତପୁର ଏକ୍ସପ୍ରେସରେ ମଧ୍ୟ ବହୁ ସଂଖ୍ୟକ ଲୋକ ହ୍ବାଇଟ୍ ଫିଲ୍ଡ ଓ ପାର୍ଥିର ସତ୍ୟସାଇ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଇଥାନ୍ତି। ୨ତାରିଖ ଦିନ ମଧ୍ୟ ସେଇ ୨ଟି ଟ୍ରେନରେ ସେମିତି ବହୁ ଲୋକ ଥିବେ, ଯେଉଁ ମାନଙ୍କର ସୁସ୍ଥ ହୋଇ ଘରକୁ ଫେରିବାର ଆଶା କି ଆନନ୍ଦ ସବୁଦିନ ପାଇଁ ହଜି ଯାଇଥିବ। କେତେ ନାଇଁ କେତେ ସ୍ବପ୍ନ, ଘର ସଂସାର ଉଜୁଡି ଯାଇଥିବ ସେଦିନ କ୍ଷଣିକରେ!
ହେଲେ ଆମେ 'ବନ୍ଦେ ଭାରତ ଏକ୍ସପ୍ରେସ୍' ଆଉ ବୁଲେଟ୍ ଟ୍ରେନର ସ୍ବପ୍ନ ପଛରେ ଧାଉଁ ଧାଉଁ, ସେସବୁର ଔଜଲ୍ୟରେ ହଜି ଯାଉ ଯାଉ ଆଗରୁ ଥିବା ରେଳ ବ୍ୟବସ୍ଥାର ସୁରକ୍ଷା ପ୍ରତି ଦୃଷ୍ଟି ଦିଆଯିବା ଉଚିତ୍ ବୋଲି ଭୁଲି ଯାଉନୁ ତୁ! ପ୍ରତିଦିନ ରେଳ ମାଧ୍ୟମରେ ଯାତ୍ରା କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ସୁରକ୍ଷାଗତ ତ୍ରୁଟି ଯୋଗୁଁ ବାଜିରେ ଲଗାଇ ଦିଆଯାଉନି ତ!